କବିତା ଲେଖିବା କ'ଣ ଯାଇ ତାଇ କଥା
କବିତା ଲେଖିବା କ'ଣ ଯାଇ ତାଇ କଥା
ଏବେ ବି ମୋ ମନରେ ଅଛି, କାନରେ ଗୁଞ୍ଜରି ଉଠେ।
ଅନୁଭବ କରେ ଛାତି ଯେମିତି ଗୁନ୍ଥା ହୋଇ ରହିଛି। ସେ
ପଦିଏ କଥା..." କବିତା ଲେଖିବା କ'ଣ ଯାଇ ତାଇ କଥା "
ମନେ ପଡ଼ିଲେ କେମିତି ମୁଁ ମୋ ଭିତରେ ସଂକୁଚିତ
ହୋଇ ଯାଏଁ କିଛି ମୁହୂର୍ତ୍ତ... ପରବର୍ତ୍ତୀ ସମୟରେ ନିଜକୁ
ସଂଯତ କରି କିଛି ମନୋବଳ ସଞ୍ଚୟ କରେ... ଲେଖିବାକୁ
ମନ ହୁଏ। ନିଜକୁ ନିଜେ ବୁଝାଇ ସାନ୍ତ୍ଵନା ପାଏ। ମୋ
ମନରେ ଆଗ୍ରହ ଆସେ,ଉତ୍ସାହ ବଢ଼େ। ଲେଖି ବସେ
ମନକୁ ସ୍ଥିର କରି...ଏକାଗ୍ରତା ଆସି ଯାଏ ଲେଖୁ ଲେଖୁ।
ପ୍ରଥମେ ପ୍ରଥମେ ଦି ଚାରି ଧାଡ଼ି ଲେଖୁଥିଲି ମୋ
ରାଫ୍ ଖାତାରେ... ପଢ଼ାପଢ଼ିର ମଧ୍ୟାନ୍ତରେ ଅବା ମନକୁ
କିଛି ଗୋଟାଏ ଭାବ ଆସିଲେ...ବଳକା ସମୟ ବାହାର
କରି ଲେଖୁଥିଲି ନିରୋଳାରେ...। ଲେଖି ସାରି ପଢ଼ୁଥିଲି,
କେଉଁଠି କିଛି ବନାନ୍ ଭୁଲ୍ ଥିବାର ସନ୍ଦେହ ଆସିଲେ ସଂଶୋଧନ କରୁଥିଲି ଅଭିଧାନ ଦେଖି। ପଢ଼ିବା ଭିତରେ
କେଉଁ ଶବ୍ଦଟିଏ ଠିକ୍ ନ ଲାଗିଲେ ତା'ଠୁ ଭଲ ଲାଗୁଥିବା
ଶବ୍ଦଟିର ପ୍ରତିଶବ୍ଦ ଖୋଜି ସେ ସ୍ଥାନରେ ଲେଖୁଥିଲି।
ଦୁଇ ତିନିଥର ପଢ଼ିଲା ପରେ ଲେଖାଟି ମୋତେ ଭଲ
ନ ଲାଗିଲେ ଛିଡ଼ି ଫିଙ୍ଗି ଦେଉଥିଲି ଟୁକୁରା ଟୁକୁରା କରି।
ଏମିତି କିଛି ଦିନ ଲେଖିଲା ପରେ...ଭାବିଲି ଆଉ କିଛି
ଲେଖା ଛିଡିବିନି...ଭଲ ଲାଗୁ କି ନ ଲାଗୁ ସବୁ ଲେଖା
ସାଇତି ରଖିବି।
ଚାରି ଫର୍ଦ୍ଦ କାଗଜରେ ଚଟି ଖାତାଟିଏ ବାନ୍ଧିଲି।
ଉପରେ ଲେଖିଲି " କବିତା ଗୁଚ୍ଛ " ... ମନକୁ ଯେବେ
ଯା' ଭାବେ...ସମୟ ଖୋଜି ଅବସର ବେଳେ ତା
ଲେଖେ, ସେ ଲେଖାକୁ ଥରେ ଦି ଥର ପଢ଼ି... ନିଜ ଭୁଲ୍
ନିଜେ ଧରି ସଂଶୋଧନ କରେ... ତାପରେ ସେ ଚଟି
କବିତା ଖାତାରେ ଉତ୍ତାରି ରଖେ...।
ଦିନେ ଲେଖୁ ଲେଖୁ ମୋର ପ୍ରିୟ ସାଙ୍ଗ ଜଣେ
ଦେଖିଲା...ପଚାରିଲା...ଆରେ କ'ଣ ଲେଖୁଛୁ କି ?
ମୁଁ ମନକୁ କିଛି ଦ୍ଵନ୍ଦ୍ଵ ନ ଆଣି ସଙ୍ଗେ ସଙ୍ଗେ କହିଲି
ହଁ ଲେଖୁଛି...କବିତା ଲେଖୁଛି...।
ସେ କହିଲା ଆରେ ବାଃ...ବଢ଼ିଆ କଥା ତ....
ତୋର କିଛି ଆପତ୍ତି ଯଦି ନଥାଏ ପଡ଼ିଥାନ୍ତି ମୁଁ ତୋର
ସେ କବିତାଟି...।
ମୁଁ କହିଲି.. ଆରେ ଆପତ୍ତି କ'ଣ ଯେ...ବରଂ ଖୁସି
ହେବି...ତୁ ପଢ଼ିଲେ। ମୋ କବିତା ମୁଁ ଲେଖି ମୁଁ ହିଁ ପଢ଼େ।
ମୋତେ ଲାଜ ମାଡ଼େ କାହାକୁ ଦେଖାଏଁ ନା...ସାହସ ବି
ହୁଏନା...କିଏ କ'ଣ ଭାବିବ...ମୋ କବିତା ପଢ଼ିବାକୁ
ସମୟ କିଏ ଦେବ ଯେ...ପଢ଼ି କେହି କିଛି ଏଣୁ ତେଣୁ
କୁହେ ଯଦି ମନକୁ କଷ୍ଟ ଲାଗିବ...।
ଆରେ ଏମିତି କୁଣ୍ଠାବୋଧ କ'ଣ ପାଇଁ ଯେ...ଲେଖୁଛୁ
ଜଣେ ପଢ଼ିଲେ ତ ...ତୁ ପାଠକୀୟ ସ୍ଵୀକୃତି ପାଇବୁ। ତୋ
ଭାବ ଭାବନା ଚିନ୍ତା... ତୁ କବିତା ମଧ୍ୟମରେ ଅନ୍ୟକୁ
ଜଣାଇ ପାରିବୁ...କହୁ କହୁ ମୋ'ଠୁ ମୋ କବିତା ଖାତାଟି
ନେଇ ପଢ଼ିଲା ପ୍ରଥମେ ଗୋଟିଏ କବିତା ମୂଳରୁ ଶେଷ
ଯାଏଁ...ତା ପରେ କହିଲା...ଆରେ କି ସୁନ୍ଦର ତୁ ଲେଖିଛୁ,
ମୋତେ ଭାରି ଭଲ ଲାଗିଲା ଏ କବିତାଟି..ବେଶ୍ ମନଛୁଆଁ
ହୃଦୟସ୍ପର୍ଶୀ ତ ହୋଇଛି। ଆଉ ଦି' ଟା ପଢ଼ି କହିଲା...
ବହୁତ ବହୁତ ...ତୁ ଭଲ ଲେଖୁଛୁ...ଜାଣି ଖୁସି ହେଲି...ତୋ
ପାଇଁ ଗର୍ବ ବି କରୁଛି...ମୋ ସାଙ୍ଗ ଜଣେ କବି...।
ଠିକ୍ ଅଛି ମୁଁ ତୋର ସବୁ ଲେଖା ପଢ଼ିବି...।
ହଁ ଏବେ ଯିବା ଚାଲ୍ କ୍ଲାସ୍...ସମୟ ହୋଇ ଯିବ।
ହଷ୍ଟେଲରୁ ବାହାରି ଆମେ ଗଲୁ। ମୋତେ ମୋ ସାଙ୍ଗର
ସେଇ ମଧୁର ପ୍ରେରଣାଦାୟୀ ମନ୍ତବ୍ୟ ଗୁଡ଼ିକ ଭାରି ଭଲ
ଲାଗୁଥିଲା। ଭିତରେ ଭିତରେ ଟାଣ ହେଉଥିଲା ମୋ
ନରମ ମନଟା...।
ଏମିତି ବେଳେ ବେଳେ ସମୟ ପାଇଲେ ଲେଖୁଥାଏଁ,
ଆଗକୁ ପରୀକ୍ଷା... ତେଣୁ ପଢ଼ାପଢ଼ିରେ ଅଧିକ ଧ୍ୟାନ
ରଖୁଥିଲି।
ମୋ ସାଙ୍ଗ... ଚକ୍ରଧର, ମୋର ଅତି ଅନ୍ତରଙ୍ଗ...
ମୋତେ ବହୁତ ଭଲ ପାଏ। ଆମେ ଏମିତି ସାଙ୍ଗ ଯେ
ଆମ ପାଇଁ ଗୋଟିଏ ଥାଳୀ ଗୋଟିଏ ଗିନା ଆଉ ଗୋଟିଏ
ବିଛଣା। କାରଣ ସେ ହଷ୍ଟେଲକୁ ସବା ଶେଷରେ ଆସିଥିଲା।
ସେତେବେଳକୁ ଆଉ ତା ପାଇଁ ଅଲଗା ବେଡ଼୍ ନଥିଲା।
ହଠାତ୍ ଦିନେ ଆସି ଆମ ତାଲିମ୍ ର ଦ୍ଵିତୀୟ ବର୍ଷରେ,
ମୋତେ କହିଲା... ମୁଁ ଏଇଠି ରହିବି, ମୋ ପାଇଁ ହଷ୍ଟେଲରେ
ଆଉ ଜାଗା ନାହିଁ ମାନେ ସିଟ୍ ନାହିଁ। ମୁଁ ସାର୍ ଙ୍କୁ କହିଛି,
ସେ ଏଡ଼ଜାସ୍ଟ୍ କରି ରହିବାକୁ କହିଲେ...।
ମୁଁ ରାଗି ପଳେଇ ଆସିଛି ମଉସା ଘରୁ...ମୋର କିଛି
ପୋଷାକ ପତ୍ର ବା ବହିଖାତା ଆଣିନି...।
ତା' ମନର ଅବସ୍ଥା ଟିକିଏ ଭଲ ନ ଥିଲା କିଛି କାରଣରୁ।
ମୋ କିଛି ଆପତ୍ତି ନଥିଲା। ଆମେ ଶିକ୍ଷକ ତାଲିମ୍ ରେ
ଏକତ୍ର ପଢୁଥିଲୁ। ପରେ ଜାଣିଲି ଚକ୍ରଧର କଲେଜ୍ ରେ
ଦି ବର୍ଷର ସିନିୟର୍ ମୋ'ଠୁ। ଯା' ହେଉ ଆମେ ବହୁତ
ଭଲ ସାଙ୍ଗ ହୋଇ ରହିଲୁ ତାଲିମ୍ ଶେଷ ଯାଏଁ।
ମୋର କବିତା ଲେଖା ଚାଲିଥାଏ...ଚକ୍ରଧର ପଢ଼େ,
ମୋତେ ପ୍ରେରଣା ଦିଏ... ଇନ୍ଧନ ଯୋଗାଏ। ମୁଁ ମୋ
କବିତାଟିକୁ ବିଚାର କରି ଭଲ କହୁ ନ କହୁଣୁଁ ସେ ଭଲ
କହେ,ପ୍ରଶଂସା କରେ... ବେଳେ ବେଳେ ଆବଶ୍ୟକତାଠାରୁ
ବେଶି ପ୍ରଶଂସା କରି ଦିଏ... ବୋଧହୁଏ ମୋର ଅନ୍ତରଙ୍ଗ
ସାଙ୍ଗ ବୋଲି...ମୋତେ ସଂକୋଚ ଲାଗେ... ଯେଉଁଠି
ସାଙ୍ଗମାନେ ଥା'ନ୍ତି ସେଇଠି ବେଶି ପ୍ରଶଂସା କରେ।ମୁଁ ମନା କରେ ସେମିତି ମୋତେ ଏତେ ପ୍ରଶଂସା କରନି। ସେ କୁହେ ତୋ ପାଖରେ କବି ଲେଖକ ପ୍ରତିଭା ଅଛି...କେହି ନ କହିଲେ ତୋର ପରିଚୟ ଆଉ ଜଣେ ପାଇବ କେମିତି.…ଏଇ ସାଙ୍ଗ ମାନଙ୍କ ଗହଣରୁ ହିଁ ତା'ର ପ୍ରଚାର ପ୍ରସାର ହେବା ଦରକାର.. ଆମେ ଆସନ୍ତାକାଲିର ଶିକ୍ଷକ ହେବୁ ତାଲିମ୍ ପରେ, ଏ ସମାଜକୁ ଗଢ଼ିବୁ... ଠିକ୍ ଯାହା ତା ପ୍ରକାଶ କରିବାରେ
କେବେ କୁଣ୍ଠାବୋଧ କରିବା ନାହିଁ।
ଚକ୍ରଧର ଲେଖେ ନାହିଁ କିନ୍ତୁ ସେ ବହୁତ ସାହିତ୍ୟ ପ୍ରେମୀ,
ଭାଷା ସାହିତ୍ୟକୁ ବହୁତ ଭଲପାଏ। ଅନେକ ଗଳ୍ପ ଉପନ୍ୟାସ
ପଢ଼େ। ଭଲ ଅଭିନୟ କରେ, ଶିକ୍ଷକ ତାଲିମ୍ କେନ୍ଦ୍ରର
ବାର୍ଷିକ ଉତ୍ସବରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ତାର
ଯୋଗ୍ୟତାର ପ୍ରଣାମ ଦେଇଥିଲା ସମସ୍ତଙ୍କୁ... ତାଲିମ୍
ନେଉଥିବା ସମସ୍ତ ଗୁରୁ ଛାତ୍ର ତଥା ସମୂହ ଶିକ୍ଷକଙ୍କୁ।
ମୋ କବିତା ଲେଖାର ପ୍ରଶଂସା ଶୁଣି ଜଣେ ଭାଇ
ଅତିଷ୍ଠ ହୋଇ ପଡ଼ୁଥିଲେ...ସେ ତାଲିମ୍ ନେଉଥିଲେ ଆମ ସହିତ। ତାଲିମ୍ ରେ ଶିକ୍ଷାଦାନକୁ ଆଳ କରି କିଛିଟା
ମନୋମାଳିନ୍ୟ ଥିଲା ତଥାକଥିତ ତାଲିମ୍ ଦୁଇ ଗୋଷ୍ଠୀ
ଭିତରେ..ଆଉ ସେ ଥିଲେ ମୁଁ ଥିବା ଗୋଷ୍ଠୀର ବିରୋଧି।
ସେ ଯଦିଓ ମେଧାବୀ ଭଲ ଛାତ୍ର... ତାର ନିଜ ପ୍ରଶଂସା
ନିଜେ କରିହୁଏ ବା ତାର ସହଯୋଗୀଙ୍କ ଠାରୁ ଶୁଣେ।
ଅନ୍ୟର ପ୍ରଶଂସା ଶୁଣି ସହି ପାରେନି, ଈର୍ଷା ହେଉ ବା
ଅନ୍ୟକୁ ଦୁର୍ବଳ ଭାବି ସମାଲୋଚନା କରେ କଟୁକ୍ତିରେ...।
କଥାର ଛଳରେ କବିତା ଶିକ୍ଷାଦାନ ସମୟରେ
ଶ୍ରେଣୀ ପ୍ରକୋଷ୍ଠରେ ସେ ମୋ ଆଡ଼କୁ ଇଙ୍ଗିତ କରି
ବହୁବାର କହିଛି...କବିତା କବିର ହୃଦ୍ ସ୍ପନ୍ଦନ...ତଲ୍ଲୀନ୍ ହୃଦୟର ଭାବ...ଭାଷାର ପରିପ୍ରକାଶ...ଏମିତି କବିତାର ସଂଜ୍ଞା ନିରୁପଣ କରୁ କରୁ ଆଡ଼ ଆଖିରେ ମୋ ଆଡ଼କୁ
ଚାହେଁ ଆଉ କହେ...କବିତା ଲେଖିବା କ'ଣ ଯାଇ ତାଇ କଥା...କୋତୋଟି ଏଣୁ ତେଣୁ ଦୁର୍ବୋଧ୍ୟ ଶବ୍ଦକୁ ଯୋଡ଼ି ଦୁଇ ଚାରି ଧାଡ଼ି ଲେଖି ଦେଲେ କବିତା ହୋଇଯିବ କି...?
ଏମିତି ଯିଏ ପାରେ ସିଏ ଲେଖି ଦେବ... ଏମିତି ଆଉ କିଛି
କଥା ଯୋଡ଼ି ଯୋଡ଼ି କହେ....ମୋ ଦେହରେ ଯେମିତି କଣ୍ଟା
ଫୋଡ଼ି ହେଉଛି... ମୋତେ ଲାଗେ... ତା'ର ସବୁ କଥା।ମୋର କବିତା ଲେଖାକୁ ନେଇ ତାର ତାଚ୍ଛଲ୍ୟ...ଏ ବିଦ୍ରୁପ ମୋତେ ଯେତିକି ମର୍ମାହତ କରୁଥିଲା ସେତିକି ମଧ୍ଯ ମୋ ଚେତନାକୁ
ଉତ୍ତେଜିତ କରୁଥିଲା... ଆଗକୁ ଲେଖା ଜାରି ରଖିବାକୁ...।
ତା' ପରିହାସ ଭିତରେ ମୁଁ ଖୋଜୁଥିଲି ପ୍ରେରଣାର ଉତ୍ସ।
ଚକ୍ରଧର କହେ ତାକୁ ମୁହେଁ ମୁହେଁ ଜବାବ୍ ଦେବ।
ଦରକାର ପଡ଼ିଲେ ହାତ ଉଠାଇବ... ମୁଁ ଚକ୍ରଧରର
ହାତ ଧରି ମନା କରେ... ଅନୁରୋଧ କରେ କେବେ ବି
ଏମିତି ନ ହେଉ ଅନ୍ତତଃ ତାଲିମ୍ ସରିବା ଯାଏଁ ସାଙ୍ଗ ସାଙ୍ଗ
ଭିତରେ...।
ମୋ ସାଙ୍ଗ ଚକ୍ରଧର ବହୁତ ସ୍ପସ୍ଟବାଦୀ,ଟିକିଏ ବଦରାଗୀ
ମଧ୍ୟ...ମୋତେ ବହୁତ ଭଲ କହେ... ମୋ'ଠୁ ଦି' ବର୍ଷ ବଡ଼
ହୋଇଥିବାରୁ ହସି ହସି କହେ ମୋତେ ବଡ଼ ଭାଇ ମାନିବୁ..
ମୁଁ ବି କୁହେ ବଡ଼ ଭାଇ ମାନିବି କ'ଣ...ତୁମେ ତ ମୋର
ନିଜର ବଡ଼ ଭାଇ...।
ସେ ଦିନ ଖବରକାଗଜ କାଗଜରେ ମୋର କବିତାଟି
ପ୍ରକାଶ ପାଇଥିଲା.. ଆଉ ଶୀର୍ଷକ ଥିଲା... ସେଇ ମନ୍ତବ୍ୟ
" କବିତା ଲେଖିବା କ'ଣ ଯାଇ ତାଇ କଥା " । ଏ କଥା
ମୁଁ ଜାଣି ନଥିଲି, ମୋ ଆଗରୁ ପ୍ରଥମେ ଚକ୍ରଧର ଦେଖିଥିଲା।
ଆଉ ଖବରକାଗଜ ଆଣି ଦେଖାଇଥିଲା ମୋତେ। ଆରେ
ଦେଖ୍ ...ଆଜି ତୁ କବିର ମାନ୍ୟତା ପାଇଛୁ...ତୋ ଲେଖା
ଖବରକାଗଜ କାଗଜରେ ପ୍ରକାଶିତ ହୋଇଛି ।
ମୁଁ ଖବରକାଗଜରେ ମୋ ଲେଖା କବିତାଟି ପ୍ରକାଶିତ
ହୋଇଥିବା ଦେଖି ବହୁତ ଖୁସି ହୋଇଥିଲି। ମୋ ଜୀବନର
ଯେତେ ଖୁସିର ଦିନ ଭିତରେ ଏ ଥିଲା ଅନ୍ୟତମ।
ବୋଧହୁଏ ସେ କବିତାଟି ମୋର ସେ ଅସହିଷ୍ଣୁ ବନ୍ଧୁ
ଯିଏ କଟୁକ୍ତି କରୁଥିଲେ ...ପଢ଼ି ଥାଇ ପାରନ୍ତି ମୋର କବିତାଟିକୁ ଖବରକାଗଜରେ...ପରବର୍ତ୍ତୀ ସମୟରେ
ଆଉ ମୋତେ ସେମିତି ମନ୍ତବ୍ୟ ଦେଇ ନାହାଁନ୍ତି।
ତାଲିମ୍ ଶେଷ ହେବା ଦିନ " ବିଦାୟ ସମ୍ବର୍ଦ୍ଧନା "
ସଭାରେ ଆମେ ଭାଷଣ ଦେଇ ନିଜ ନିଜର ତ୍ରୁଟି ପାଇଁ
କ୍ଷମା ମାଗିଥିଲୁ...ବନ୍ଧୁ ମିଳନର ବିଚ୍ଛେଦରେ ପରସ୍ପରକୁ
ଆଲିଙ୍ଗନ ମଧ୍ୟ କରିଥିଲୁ ଆଖିରୁ ଅଶ୍ରୁ ଝରାଇ...ସାଥୀ ହୋଇ ଜଳଖିଆ ଖାଇଥିଲୁ ଓ ଚା ମଧ୍ୟ ପିଇଥିଲୁ...।
ଆଜି ଦୂରରେ ଥିଲେ ବି ଚକ୍ରଧର ଓ ମୁଁ ଉଭୟେ ନିଜ ନିଜ ପାଖରେ ଅଛୁ ମନରେ ପ୍ରାଣରେ ସ୍ମୃତିରେ...ଆଉ ଚକ୍ରଧର
ମୋ କବିତା ଆଗ ଭଳି ପଢ଼େ ଆଜି ଯାଏଁ...ସେ ମୋ
ନିୟମିତ ପାଠକ... ଏବଂ ପ୍ରଶଂସକ ଭାଇ ବନ୍ଧୁ ସାଙ୍ଗ...
ଦୁହେଁ ଅବସର ନେଇ ସାରିଛୁ ... ଦୁହେଁ କଥା ହେଉ ଦୂରଭାଷରେ... ଆପାତତଃ ଭଲରେ ଅଛୁ ଆମେ।
ଏହା ଭିତରେ ମୋର ଅନେକ କବିତା ପ୍ରକାଶିତ ହେଉଛି ବିଭିନ୍ନ ପତ୍ର ପତ୍ରିକାରେ ଖବରକାଗଜରେ...ମୁଁ ଲେଖା ବନ୍ଦ କରିନି। ପାରୁ ପର୍ଯ୍ୟନ୍ତ ଲେଖୁଥିବି... ଜୀବନର ଶେଷ ଯାଏଁ।
କିନ୍ତୁ ଆଜି ଯାଏଁ ସେ ବନ୍ଧୁଙ୍କ କଥା ମନରୁ ଯାଇନି...
ଲେଖିଲା ବେଳେ ପ୍ରାୟ ମନେ ପଡ଼େ... ଟିକେ ଆଖି ବୁଜି ଭାବେ... ଶୁଭେ ସେଇ କଥା..." କବିତା ଲେଖିବା କ'ଣ
ଯାଇ ତାଇ କଥା...., ଏକ ବିରୋଧାତ୍ମକ ନବ ଜାଗରଣର
ପ୍ରେରଣାରେ ମୁଁ ମୋ ଲେଖାରେ ଧ୍ୟାନ ଦିଏ। ହୃଦୟରୁ ସେ
ବନ୍ଧୁଙ୍କର ନୀରବରେ ଶୁଭକାମନା କରେ...ବନ୍ଧୁତ୍ଵର
ସମ୍ମାନ ଦିଏ...।
