STORYMIRROR

Kabiratna Nutan Kumar Behera

Romance Classics Inspirational

4  

Kabiratna Nutan Kumar Behera

Romance Classics Inspirational

ଏ ! ମୋତେ ଭୁଲି ଯିବନି ତ...?

ଏ ! ମୋତେ ଭୁଲି ଯିବନି ତ...?

3 mins
283

 

  

ଏ ମୋତେ ଭୁଲି ଯିବନି ତ...? କଥା ପଦିଏ ପ୍ରେମ ରସର ବିରହ ବିଚ୍ଛେଦର କରୁଣ ରାଗ ଭରା ଲଘୁ ସଂଗୀତର ମୁଖୁଡ଼ା ପରି ଅରୁଣିମା'ର ହୃଦୟରେ ଗୁଞ୍ଜରିତ ହେଉଥାଏ। ଟ୍ରେନ୍ ଚାଲିଥାଏ ଦ୍ରୁତ ଗତିରେ...ସେ ଦିଗକୁ ଧ୍ୟାନ ନାହିଁ କି କାହା କଥା ବି ଶୁଣା ଯାଉନି ତାକୁ। ଅର୍ଦ୍ଧ ଉନ୍ମିଳିତ ନୟନରେ ନିର୍ବାକ୍ ନିଶ୍ଚଳ ହୋଇ ବସିଥାଏ ସେ.... ଭାବୁଥାଏ ଏମିତି ତାକୁ ଅବଧୂତ କହିଲା କାହିଁକି...? ଏବେ ବି କ'ଣ ସେ ତାକୁ ଅବିଶ୍ବାସ କରେ... ଅରୁଣିମା ଓ ତାର ବନ୍ଧୁତାରେ...ଏ ବନ୍ଧୁତା ଉପରେ କ'ଣ ଅବଧୂତର ଭରସା ନାହିଁ କି.... ? ଗଭୀର ଚିନ୍ତାରେ ନିମଗ୍ନା ସେ...।         ଆଜି ଘରକୁ ଫେରୁଛି ଅରୁଣିମା। ସ୍ନାତକୋତ୍ତର ପରୀକ୍ଷା ଶେଷ ହେଲା ପରେ। ଗାଁ କଲେଜରୁ ସ୍ନାତକରେ ଖୁବ୍ ଭଲ କରି ପଢୁଥିଲା ସେ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର, ଭୁବନେଶ୍ୱରରେ...। ମନସ୍ତତ୍ତ୍ବ ବିଭାଗର ଛାତ୍ରୀ ସେ। ଭଲ ପରିବାର ଭଲ ଘରର ଝିଅ ହୋଇ ବି ଗାଁରେ ପଢୁଥିଲା। ତାର କେରିୟର୍ ମଧ୍ୟ ବହୁତ ଭଲ। ମାଆ ବାପାର ଏକମାତ୍ର ଝିଅ ସେ। ତେଣୁ ପାଖରୁ ଅନ୍ତର କରୁ ନ ଥିଲେ ତାକୁ। ସ୍ନାତକୋତ୍ତର ପଢ଼ିବା ପାଇଁଁ ରାଜଧାନୀ ଭୁବନେଶ୍ୱରରେ... ଝିଅକୁ ବାପା ମାଆ ମନା କରି ପାରି ନ ଥିଲେ... ତାର ଉଜ୍ଜଳ ଭବିଷ୍ୟତ କଥା ଭାବି। ହଷ୍ଟେଲରେ ରହି ପଢୁଥିଲା ଅରୁଣିମା।           ଏ ଅବଧୂତ ତାର ସହପାଠୀ। ସେ ମଧ୍ୟ ମନସ୍ତତ୍ତ୍ୱ ବିଭାଗର ଛାତ୍ର। ଅଳ୍ପ ଗୋରା ସୁନ୍ଦର ସ୍ଵାସ୍ଥ୍ୟ ମଧ୍ୟମ ଉଚ୍ଚତା, ମେଧାବୀ...କଥା ବହୁତ କମ୍ କହେ... ଭାବପୂର୍ଣ୍ଣ...ପ୍ରତିଟି ଶବ୍ଦ ପଦରେ ଥାଏ ଆତ୍ମଚିନ୍ତନର ବ୍ୟାପକ ଜୀବନ ଦର୍ଶନ। ଅରୁଣିମା ଅବଧୂତକୁ ଏତେ ନିକଟରୁ ଜାଣି ନଥିଲା... କେବଳ ଏତିକି ଜାଣିଥିଲା ତା' ବିଭାଗର ସେ ଜଣେ ଭଲ ଛାତ୍ର... ଉଚ୍ଚ ଲକ୍ଷ୍ୟ ନେଇ ପଢ଼ାପଢ଼ିରେ ତାର ଏକାଗ୍ରତା। ମାର୍ଜିତ ରୁଚିପୂର୍ଣ୍ଣ ବ୍ୟବହାର। ସବୁ ଦିଗରେ ହୁସିୟାର ସେ, ଶୃଙ୍ଖଳିତ ଓ ସଚେତନଶୀଳ।         ସେ ଦିନ ବାପା ଫୋନ୍ କଲେ... ତା' ମା'ର ହାର୍ଟ ଆଟାକ୍...କଟକ ହସ୍ପିଟାଲରେ...ତୁ ବ୍ୟସ୍ତ ହେବୁନି, ଯେତେ ଶିଘ୍ର ସମ୍ଭବ ସୁରକ୍ଷିତ ହୋଇ ଆସିବୁ...।       ଫୋନ୍ ପାଇ ଅରୁଣିମା ଭାରି ବ୍ୟସ୍ତ ହୋଇ ପଡିଲା, ତରତର ହୋଇ ବାହାରି ଆସିଲା ଛକକୁ...ବସ୍ ରେ କଟକ ଆସିବ। ମାତ୍ର ସେଠି ପହଞ୍ଚି ଜାଣିଲା ବସ୍ ଧର୍ମଘଟ ଚାଲିଛି। ଏ କଥା ଜାଣି ଥିଲେ ମଧ୍ୟ ମାଆର ଦେହ ଅସୁସ୍ଥ ଜାଣି ଅନ୍ୟ ମନସ୍କରେ ଭୁଲି ଯାଇଥିଲା। ଭାବିଲା କିଛି ଗାଡି ବା ଅଟୋ ରିଜର୍ଭ କରି ଯିବ....ଚାରି ଆଡ଼େ ଚାହିଁଲା ମଟରର ଶବ୍ଦ ହିଁ ନାହିଁ। କାଁ ଭାଁ ବାଇକ୍ ଚାଲିଥାଏ। କେମିତି ଯିବ... ଧୈର୍ଯ୍ୟ ଆଉ ନାହିଁ...ମାଆ କେମିତି ଥିବ। ଏତେ ସବୁ ଭାବି ଭାବି ତା' ଆଖିରୁ ଲୁହ ଝରି ପଡୁଥାଏ। ସୂର୍ଯ୍ୟ ଅସ୍ତହେବା ଉପରେ...। ଝିଅଟିଏ ଏମିତି ଘଡିସନ୍ଧି ମୁହୂର୍ତ୍ତରେ କେମିତି ଆସିବ... କେବଳ ଭଗବାନଙ୍କୁ ମନେ ମନେ ଡାକୁଥାଏ...ମାଆ ଭଲ ରହୁ...ସେ ଶିଘ୍ର ତା' ପାଖରେ ପହଞ୍ଚୁ...।      ଭଗବାନ ବୋଧେ ତାର ଡାକ ଶୁଣିଲେ...ଏ ସମୟରେ ବାଇକ୍ ରେ ଅବଧୂତ ସେ ରାସ୍ତାରେ ଯାଉଥିଲା।ଅରୁଣିମାକୁ  ଦେଖି ବାଇକ୍ ସ୍ଲୋ କଲା ଓ ହାତ ଦେଖାଇବାରୁ ଗାଡ଼ି ଷ୍ଟାଟ୍ ବନ୍ଦ କଲା।         ଅରୁଣିମା ଠାରୁ ସବୁ ବୁଝି କେବଳ ଏତିକି କହିଲା ଯଦି ତୁମର ମୋ ଉପରେ ବିଶ୍ଵାସ ଭରସା ଅଛି ମୋ ବାଇକ୍ ରେ ବସ ମୁଁ ଏବେ ତୁମକୁ କଟକରେ ଛାଡ଼ି ଦେଇ ଆସିବି। ଆଉ ବିନା ଦ୍ବିଧାରେ ଅରୁଣିମା ଅବଧୂତ ସହିତ କଟକ ଆସି ମାଆ ପାଖରେ ପହଞ୍ଚିଥିଲା। ସେତେବେଳକୁ ମାଆର ଚେତା ଫେରି ଆସିଥିଲା। ମାଆକୁ ଜାବୁଡ଼ି ଧରି କାନ୍ଦିଥିଲା...। ମାଆ ଲୁହ ପୋଛି ବ୍ୟସ୍ତ ନ ହେବାକୁ ସାନ୍ତ୍ଵନା ଦେଇଥିଲା। ବାପାଙ୍କୁ ଅବଧୂତଙ୍କ ପରିଚୟ ଦେଇଥିଲା। ଦୁଇ ଘଣ୍ଟା ରହି ସେ ଦିନ ସେ କଟକ ହସ୍ପିଟାଲରେ ପରିଚିତ ଡାକ୍ତରଙ୍କୁ ଡାକି ଆଣି ମା'ର ଚେକ୍ ଅପ୍ ମଧ୍ୟ କରାଇ ଥିଲା। ତା'ପରେ ନିଜ ଘର ଭୁବନେଶ୍ୱରକୁ ଫେରିଥିଲା ଅବଧୂତ।     ପନ୍ଦର ଦିନ ପରେ ମାଆ ସଂପୂର୍ଣ୍ଣ ସୁସ୍ଥ ଅନୁଭବ କଲା ହସ୍ପିଟାଲ୍ ରୁ ଘରକୁ ଯାଇ। ଅରୁଣିମା ଆସିବାକୁ ଚାହୁଁ ନ ଥିଲା...ମା' ବହୁତ ବୁଝାଇ ପଠାଇଥିଲା ତାକୁ ଓ ସେ ଫେରିଥିଲା ହଷ୍ଟେଲକୁ।      ଅରୁଣିମା ସୁନ୍ଦରୀ ଝିଅଟିଏ। ଶାନ୍ତ ଶିଷ୍ଟା ସୁଶୀଳା। ଓଡ଼ିଆ ଘରର ଜୀବନ୍ତ ଲକ୍ଷ୍ମୀ ପ୍ରତିମା। ଧୀର ଚାଲି କଅଁଳ ମଧୁର କଥା। ନମ୍ରତା ଗୁଣରେ ଲାଜକୁଳୀ ଲତା।    ତା' ପରେ... ତା'ପରେ...ଉଭୟ ଅରୁଣିମା ଓ ଅବଧୂତ ଭଲ ବନ୍ଧୁ ହୋଇ ଯାଇଥିଲେ। ବୟସର ପ୍ରାକ୍ ମଧ୍ୟାହ୍ନରେ ପରସ୍ପର ବେଶ୍ ନିଜ ନିଜର ଆତ୍ମସମ୍ମାନକୁ ଜଗି ଚାଲୁଥିଲେ। ଦୁର୍ବଳ ଚରିତ୍ରର କିଛି ସାଙ୍ଗ ତାଙ୍କର ବନ୍ଧୁତା ଦେଖି ଆକ୍ଷେପ କରୁଥିଲେ...। ଆଜି ବି ସମାଜରେ ଅନେକେ ଜଣେ ପୁଅ ଜଣେ ଝିଅର ବନ୍ଧୁତାକୁ ଆଡ଼ ଆଖିରେ ଦେଖନ୍ତି ।     ଏ ନିବିଡ଼ ଘନିଷ୍ଠ ବନ୍ଧୁତାର ସଂପର୍କ ବଜାଇ ରଖି ସେ ଦିନ ଅବଧୂତ ଷ୍ଟେସନ୍ କୁ ଆସିଥିଲା ଅରୁଣିମାକୁ ଛାଡ଼ିବା ପାଇଁ...ସ୍ମୃତି ଚାରଣ ମଧ୍ୟରେ ମଳିନ ମୁଖରେ ମୃଦୁ ହସି ସେ ଅରୁଣିମାକୁ କହିଥିଲା...ଏ ମୋତେ ଭୁଲି ଯିବନି ତ ?       କିଛି ଉତ୍ତର ଦେବା ପୂର୍ବରୁ ଟ୍ରେନ୍ ଆସି ଲାଗିଥିଲା ପ୍ଲାଟଫର୍ମରେ ଓ ଅରୁଣିମା ବିଦାୟ ଶୁଭେଚ୍ଛା ଜଣାଇ ଟ୍ରେନ୍ ଚଢି କହିଥିଲା... ଘରକୁ ପହଞ୍ଚି ଫୋନ୍ କରିବ। ଆଖି ସମ୍ନାରୁ ଟ୍ରେନଟି ଅଦୃଶ୍ୟ ହେବା ଯାଏଁ ଦୁହେଁ ଦୁହିଁକୁ ଚାହିଁଥିଲେ...ତା' ପରେ ଅରୁଣିମା ତାର ସିଟ୍ ରେ ବସି ଭାବି ଚାଲିଛି....ତାକୁ ଅନୁଭବ ହେଲା ତାଙ୍କର ଏ ବନ୍ଧୁତା ପ୍ରେମରେ ରୂପାନ୍ତରିତ ହୋଇଯାଇଛି। ଆଉ ତା' ଜାଣିବାକୁ ହିଁ ଅବଧୂତ କେବେ କହି ନଥିଲା ଏମିତି...ମନରୁ ଆଶଙ୍କା ଦୂରେଇବା ପାଇଁ ପ୍ରଶ୍ନ କରିଛି...ଏ ମୋତେ ଭୁଲି ଯିବନି ତ ...? ମନକୁ ମନ ଅରୁଣିମା ମୃଦୁ ହସି ଉଠିଲା ଆଉ ଅନୁଭବ କଲା ତା' ହୃଦୟରେ ଯେମିତି ପ୍ରେମର ଫୁଲ ବିକଶିତ ହେବାକୁ ପାଖୁଡ଼ା ମେଲୁଛି....।


           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance