STORYMIRROR

Kabiratna Nutan Kumar Behera

Children Stories Classics Inspirational

4  

Kabiratna Nutan Kumar Behera

Children Stories Classics Inspirational

ସ୍ବପ୍ନ ନା ବାସ୍ତବ

ସ୍ବପ୍ନ ନା ବାସ୍ତବ

6 mins
15

ସ୍ଵପ୍ନ ନା ବାସ୍ତବ

🖊️ ଗାଳ୍ପିକ ନୂତନ କୁମାର ବେହେରା

        କୁବେର...ନାମ ଶୁଣିଲେ ମନଟା ସ୍ତମ୍ଭିତ ହୁଏ। ଏ ନାମ ପରି ସେ କ'ଣ ସତରେ କୁବେର ହୋଇଥିବ...ମନ ମନକୁ ପଚାରି ନିରବୀ ଯାଏ।ସମସ୍ତଙ୍କର ଆଶା ଥାଏ..ଜ୍ଞାନୀ ଗୁଣୀ ମାନୀ ହେଉ ବା ନ ହେଉ ଆପାତତଃ ଚଳିବା ମାଫିକ୍ ଧନ ଥିବ ଆଉ ସେ ଧନରେ ସେ ଧନୀ ହୋଇଥିବ। ସବୁଦିନ ସମାଜ ବ୍ୟବସ୍ଥାରେ ଜଣେ ବ୍ୟକ୍ତିର ଧନକୁ ହିଁ ଦେଖି ଆନୁମାନିକ ଆକଳନ କରି ଅନ୍ୟମାନେ ତାକୁ ଆଦର କରନ୍ତି ତଥା ସମ୍ମାନ ମଧ୍ୟ ଦିଅନ୍ତି।         
       ଏ କୁବେର ନାମକ ବ୍ୟକ୍ତି ଜଣକ କିନ୍ତୁ କୁବେର ନୁହଁନ୍ତି। ହୁଏତ ସନ୍ତାନଟିର ଶୁଭକାମନା କରି ବାପାମାଆ ତାଙ୍କୁ କୁବେର ନାମ ଦେଇଥିବେ। ଏଇ କୁବେର ପିଲା କି ଯୁବକ ନୁହଁନ୍ତି...ସେ ଜଣେ ପରିଣତ ବୟସର ଲୋକ, ଦୁନିଆଁକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି ହସରେ ଲୁହରେ, ଅଭାବରେ ସ୍ଵଭାବରେ, ଦାନରେ ପ୍ରତିଦାନରେ... ଜୀବନର ସଫଳତା ବିଫଳତାକୁ ହଜମ୍ କରିଛନ୍ତି ମନର ଗ୍ଳାନିରେ,ଉତ୍ତେଜନାରେ,ଭାବ ପ୍ରବଣରେ...ଏବେ ତାଙ୍କର ଆଧାର କାର୍ଡରେ ବୟସ ଏକାଅଶୀ...ଆଜିର ସମାଜରେ ତାଙ୍କୁ ଦୀର୍ଘଜୀବୀ କହିଲେ ତ୍ରୁଟି ହେବ ନାହିଁ। ସ୍ଵାସ୍ଥ୍ୟ ଏବେ ବି ସ୍ଵାଭାବିକ... ସେମିତି କିଛି ସାଙ୍ଘାତିକ ରୋଗ ନାହିଁ, ବିଚଳିତ ହେଲା ଭଳି... ଏଇ ସାଧାରଣ ଥଣ୍ଡା କାଶ ବା ମାମୁଲି ଜ୍ବରକୁ ଛାଡ଼ି ଦେଲେ।
        ପାଖାପାଖି ଷାଠିଏ ବର୍ଷ ହେବ ଏକ ଛୋଟ ବ୍ୟବସାୟ ସମ୍ଭାଳି ଆସିଛନ୍ତି। ବର୍ଷା କାଳୀନ ଧାନ ଚାଷ କରନ୍ତି ଦି' ମାଣ ଗଭୀର ବିଲ।ମାପି ଚୁପି ଦୈନିକ ଗୁରୁରାଣ ମେଣ୍ଟାଇବା ଭଳି ରୋଜଗାର... କାହାକୁ ଠକେଇବା ଭଣ୍ଡେଇବା କଥା କେହି କେବେ କୁହନ୍ତି ନାହିଁ ବା ଶୁଣାଯାଏ ନାହିଁ। କିଛିଟା ଖାତିର କରନ୍ତି ସାହି ଭାଇ ତାଙ୍କୁ।   
          କୁବେର ବାବୁଙ୍କର ଧର୍ମପତ୍ନୀ କାଞ୍ଚନବାଳା। ସେ କାଳ ବାହାଘର ପାଇଁ ଜାତକ ମେଳରେ ହୋଇଥିଲା ରାଜ ଜୋଟକ। ଉଭୟେ ଏ ଯାଏଁ ଏକ ମନ ପ୍ରାଣରେ ଦୁଃଖ ଭିତରେ ସୁଖ ଖୋଜି ଖୋଜି ଚାଲିଛନ୍ତି।         
   କୁବେର ବାବୁ ପାଞ୍ଚଟି କନ୍ୟା ରତ୍ନଙ୍କର ପିତା। ପୁଅଟିଏ ପାଇବା ପାଇଁ ତାଙ୍କ ପତ୍ନୀ ଅନେକ ବାର ବ୍ରତ କରି ଆସିଛନ୍ତି କିନ୍ତୁ ପୁଅ ତାଙ୍କର ଭାଗ୍ୟରେ ନାହିଁ ବୋଲି ଦୁଃଖ କରନ୍ତି...ବିଧାତାଙ୍କୁ ଦୋଷ ଦିଅନ୍ତିନି କି ପୂଜା ଅର୍ଚ୍ଚନା ଉପାସନାରେ କେବେ ହେଳା କରନ୍ତି ନାହିଁ କାଞ୍ଚଳବାଳା। ହୁଏତ ମନରେ ଚିନ୍ତିଥିବେ ଝିଅ ମାନଙ୍କ ପାଇଁ ଭଲ ବର ମିଳନ୍ତୁ।            ଅଭାବ ଅନାଟନର ସଂଘର୍ଷରେ ଚାରି ଝିଅର ବାହାଘର ସରିଛି ପାଞ୍ଚ ବରଷ ଆଗରୁ। ସେମାନେ ନିମ୍ନ ମଧ୍ୟବିତ୍ତ ଘରର କୁଳବଧୂ ହୋଇ ଏବେ ଗୋଟିଏ ଦୁଇଟା ସନ୍ତାନର ଜନନୀ ହୋଇ ତାଙ୍କର ଜୀବନର ବାଟରେ...ସବା ସାନ ଝିଅ ଆଉ ପତିପତ୍ନୀ କୁବେର ବାବୁ ଓ କାଞ୍ଚନବାଳା ଦେବୀ, ପରିବାରରେ ଏବେ ତିନି ଜଣ।     
        ବଡ଼ ଝିଅ ଠାରୁ କ୍ରମରେ ନାମ ରଖିଛନ୍ତି ସେ..ଲକ୍ଷ୍ମୀ,ପାର୍ବତୀ,ଗଙ୍ଗା, ଯମୁନା ଓ ସରସ୍ଵତୀ। ଏଇ ସାନ ଝିଅର ନାମ ସରସ୍ୱତୀ। ତିନି ବର୍ଷ ହେଲା ପ୍ଲସ୍ ଥ୍ରୀ ପାଶ୍ କରି ଘରେ ଅଛି। ବର୍ତ୍ତମାନ ପରିସ୍ଥିତିରେ ଏକ ସରକାରୀ ଚାକିରି ପାଇବା ଭଳି ତାର ପରୀକ୍ଷା ଫଳ କହୁ ନାହିଁ। ତଥାପି ଚେଷ୍ଟା କରି କିଛି ପ୍ରତିଯୋଗିତାରେ ବିଫଳ ହୋଇ...ଆଉ ଚାକିରି କରିବାର ଆଶା ମନକୁ ପୋଛି ଦେଇଛି।    
     ସରସ୍ଵତୀ ଏକ ସାଧାରଣ ପରିବାରର ଝିଅଟିଏ ହେଲେ ମଧ୍ୟ ରୂପରେ ଲାଗେ ସେ ଆଭିଜାତ୍ୟ ପୂର୍ଣ୍ଣ ପରିବାରର... କୁବେର ବାବୁଙ୍କ ପାଞ୍ଚ ଝିଅଙ୍କ ମଧ୍ୟରେ ଏ ସବୁଠୁ ସୁନ୍ଦରୀ, ଗୌରବର୍ଣ୍ଣା ତନୁ ପାତଳୀ। ଭଲ ପରିବାରର ଯୋଗ୍ୟ ପୁଅ ପାଇଁ ସବୁ ବାପା ମାଆ ଏମିତି ଝିଅଟିଏ ଖୋଜନ୍ତି ବୋହୂ କରି ନେବାକୁ...।       ଇତି ମଧ୍ୟରେ ଏ ବର୍ଷ ତିନି ତିନିଟା ପ୍ରସ୍ତାବ ଆସି ଭାଙ୍ଗି ଯାଇଛି। ଭଲ ଘର, ଭଲ ବର, ବଡ଼ ଚାକିରୀ...କଲା ପୁଅ ପସନ୍ଦ କଲା ପରେ ...କଥାବାର୍ତ୍ତା ସ୍ଥିର ହେବା ପୂର୍ବରୁ ଫୋନ୍ ଆସେ ଆଜ୍ଞା ଆପଣଙ୍କର ଝିଅକୁ ନିନ୍ଦିବାର ନାହିଁ, ବହୁତ ଭଲ...କିନ୍ତୁ ଆମ ଘରର କେତେକ ସମସ୍ୟା ପାଇଁ ଏ ବର୍ଷ ଆଉ ବାହାଘର କରିବୁ ନାହିଁ। କୁବେର ବାବୁ କୁହନ୍ତି,ହଉ ଆଜ୍ଞା... ଭାଗ୍ୟରେ ଯେଉଁଠି ଥିବ...ଝିଅ ସେ ଘରକୁ ବୋହୂ ହୋଇ ଯିବ। ରହୁଛି ନମସ୍କାର ଆଜ୍ଞା।  
   ଏଇ ସୌଜନ୍ୟମୂଳକ ପଦେ ଦି' ପଦ କଥା ମୋବାଇଲ୍ ରେ... କୁବେର ବାବୁ ମନ କଷ୍ଟ କରନ୍ତି ନାହିଁ, ଦୁଃଖ କରନ୍ତି ସେଇ ପୁଅ ଯେବେ ପନ୍ଦର ଦିନ କି ମାସେ ପରେ ବାହା ହୁଏ ଓ ଝିଅ ବୋହୂ ହୋଇ ତା' ସହିତ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଓ ମୂଲ୍ୟବାନ ଆସବାବପତ୍ର ଆଣେ...। ଟି.ଭି. ଫ୍ରିଜ୍,ଓ୍ବାସିଙ୍ଗ୍ ମେସିନ୍, ଏୟାର୍ କୁଲର୍ ବା ଏ.ସି. ଭଳି ଅନେକ କିଛି। କୁବେର ବାବୁ ଶୁଣନ୍ତି...ବୁଝି ପାରନ୍ତି ଏତକ ଜିନିଷ ସେ ନିଲାମ୍ ହୋଇ ବି ଦେଇ ପାରି ନଥାନ୍ତେ। ଛୋଟ ମନ ନେଇ ଏତେ ବଡ଼ ଆଶା ନ କରିବାକୁ ବୁଝାନ୍ତି ଝିଅକୁ।  
     ସରସ୍ଵତୀ ସବୁ ବୁଝେ...ଭାବ ପ୍ରବଣତାରେ କଳ୍ପନା ବିଳାସିନୀ ହେବାର ବୟସରେ ସେ ଆଉ ନାହିଁ। ଦୁନିଆଁ ରୂପ ରଙ୍ଗ ପାଠ ବହିରେ ପଢିଥିଲା ଯା' ତାର ବାସ୍ତବ ଛବି ଏବେ ଦେଖୁଛି ଆଖିରେ...ଅନୁଭବ କରୁଛି ହୃଦୟରେ। ଦୀର୍ଘ ନିଃଶ୍ବାସ ପକାଇ କିଛି ଭାବିବାକୁ ଚାହେଁ... ଭାବନା ତାକୁ ଖତାଇ ହୁଏ। ସେ ଆଉ ଭାବେ ନା କିଛି...ଲାଜକୁଳୀ ପରି ସଂକୁଚିତ ହୋଇ ରହେ।    
       ସବୁଠୁ ବେଶି ଖରାପ ଲାଗେ ସରସ୍ଵତୀକୁ....ଝିଅ ଦେଖିବାକୁ ଆସୁଥିବା ପୁଅ ଘରର ଯେତେ ବସିଥାନ୍ତି ବୈଠକ ଘରେ....ଆଉ ସରସ୍ଵତୀ ଯଦିଓ ଭଲ ତା'ଠୁ ଆହୁରି ଭଲ ଦେଖାଯିବ ବୋଲି ସଜେଇ ହେବାକୁ ବାଧ୍ୟ ହୁଏ...ଘର ଲୋକଙ୍କ କଥା ଓ ଆଗନ୍ତୁକଙ୍କ ରୁଚି ରଖିବା ପାଇଁ। ଘଣ୍ଟାଏ କାଳ ସେ ଓ ତାର ନିଜର କେହି ତାକୁ ସଜାନ୍ତି... ମେଢ଼ରେ ବସି ପୂଜା ପାଉଥିବା ଦେବୀ ପରି। ସବୁ ଢ଼ଙ୍ଗ ଢ଼ାଙ୍ଗରେ ଆଡ଼ମ୍ଵର...ଏ ସବୁ ଦେଖି ବାସ୍ତବ ପ୍ରକୃତି ହସୁଥାଏ କୃତ୍ରିମକୁ...ହେଲେ କୃତ୍ରିମ ବୁଝିବା ଅବସ୍ଥାରେ ନ ଥାଏ।   
      ହାତରେ ଚା ବା ମୃଦୁ ପାନୀୟ ଗ୍ଲାସ୍ ଟ୍ରେ ଧରି କେତେ ସମ୍ଭ୍ରମରେ ଅଭିନୟ ଶିଖିଲା ଭଳି ହୋଇ ଆସେ ସେ...।ଏକ ନିର୍ବୀବ କାଠ କଣ୍ଢେଇ ପରି ଟୁଲ୍ ବା ଚେୟାର୍ ରେ ତଳ ମୁହାଁ ହୋଇ ବସେ...କିଏ କେତେ ପ୍ରଶ୍ନ ପଚାରନ୍ତି ପାଠରୁ ସାଠରୁ...ଆଉ ସେ ପ୍ରାଥମିକ ବିଦ୍ୟାଳୟର ମୌଖିକ ପରୀକ୍ଷା ଦେଲା ପରି ଗୁରୁ କି ଗୁରୁ ମା'ଙ୍କ ଆଗରେ... ସେମିତି ପରୀକ୍ଷା ଦିଏ...ପ୍ରଶ୍ନ ସେମିତି ଜଟିଳ ନ ଥାଏ...ସବୁ କହିଲା ପରେ ଘର ଭିତରକୁ ଯାଏ।ବଡ଼ ବଡ଼ ମୁରବୀ ସ୍ଥାନୀୟ ବିଶାରଦ ମାନେ ଏଣୁ ତେଣୁ ବହୁତ ଜାଣିଲା ପରି ଗପନ୍ତି ଜଳଖିଆ ବା ମଧ୍ୟାହ୍ନ ଭୋଜନ ଯାଏଁ...ଆଉ ଗଲା ବେଳେ କୁହନ୍ତି... ହଉ ଆଜ୍ଞା,ଏବେ ଆସୁଛୁଁ/ରହୁଛୁଁ... ଫୋନ୍ କରି ମତାମତ ଜଣାଇବୁ।
     ଅପେକ୍ଷା କରିବା ସେତେବେଳେ ଅଧିକ କଷ୍ଟ ଦାୟକ ...ହୁଏ ଯେତେ ବାହାଘର ଭାଙ୍ଗିଯିବାର ଫୋନ୍ କଲ୍ ଆସେ।          ସରସ୍ଵତୀର ମନଟା ମରିଯାଏ,ହୃଦୟ ସାଗରରେ ବାଡ଼ବାଗ୍ଧି ସୃଷ୍ଟି ହୁଏ ଏକ ସୁନାମୀ ଆଣିବାକୁ... କ'ଣ ପାଇଁ ଏ ଝିଅ ଦେଖା ପ୍ରହସନ... ଏତେ ପରିପାଟୀ...ଏ ଝିଅଙ୍କ ପ୍ରତି ସମ୍ମାନ ନା ଉପହାସ କରିବାର ଏକ ଯୋଜନା। କିଏ ସୃଷ୍ଟି କଲା ଏ ଝିଅ ଦେଖା ପରମ୍ପରା...ପୁଅ ମାନେ କ'ଣ ଆଉଟା ସୁନା କି... ତାଙ୍କର କିଛି ଦେଖିବାର ନାହିଁ,ରୋଜଗାର ବ୍ୟତୀତ...ବରଂ ବିଶୃଙ୍ଖଳିତ ହୋଇ ଥାଉ ବିଭିନ୍ନ ଦିଗରେ... ତାର ମୋଟା ରୋଜାଗାର ଥାଇ ବି ଭାବୁଥିବେ ଝିଅ ତା ବାପା ଘରୁ ଧନ ଦରବର ପାହାଡ଼ ଉଠାଇ ନେବ ଶାଶୁ ଘରକୁ। ଏ ରକ୍ଷଣଶୀଳ ପରମ୍ପରା ନା ଗରିବ ଗୁରୁବାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଇବ।ସରସ୍ଵତୀ ମନେ ମନେ କ୍ରୋଧିତା ହୁଏ ମାତ୍ର କ'ଣ ବା କରିବ...ବାପା ମାଆ ଦେଇଥିବା ସଂସ୍କାରକୁ ସମ୍ମାନ ଜଣାଇ ଚୁପ୍ ରହେ।   
        ସେ ଦିନ ବାହାଘର ଲଗ୍ନ ଥାଏ। ଆଖ ପାଖରେ ବାହାଘର ହେଉଥିବାର ବାଜା ଶୁଣୁଥାଏ... କୁବେର ବାବୁ ଭାବୁ ଭାବୁ ଶୋଇ ପଡିଥାନ୍ତି।  
     ହଠାତ୍ ରାତି ଗୋଟାଏ ପାଖାପାଖି ସଦର ଦରଜାରେ ଧଡ୍ ଧଡ୍ କରି କେହି ଡାକୁଥିବାର ଶୁଣିଲେ ସେ... ବିଛଣାରୁ ଉଠି ଯାଇ କବାଟ ଫିଟାଇଲେ ଆଲୁଅ ଜଳାଇ...ଦେଖିଲେ ଗୁଡ଼ାଏ ଲୋକ...ଗାଡ଼ି ଘୋଡ଼ା ବରଯାତ୍ରୀ ପରି ଲାଗିଲା।           ସାମ୍ନାରେ ଠିଆ ହୋଇଥିବା ଭଦ୍ରବ୍ୟକ୍ତି ଦି'ଜଣ କୁବେର ବାବୁଙ୍କୁ ନମସ୍କାର କଲେ,ଏ ମଧ୍ୟ ପ୍ରତି ନମସ୍କାର ଜଣାଇଲେ...ଦୁଇ ଜଣ ଯାକ ତାଙ୍କର ବହୁତ ଚିହ୍ନା ଓ ସଂପର୍କୀୟ ମଧ୍ୟ...।
     କୁବେର ବାବୁ ପଚାରିଲେ...ଆରେ ଏତେ ରାତିରେ...ଏତେ ଲୋକ...।
     ଜଣେ ଭଦ୍ରବ୍ୟକ୍ତି କହିଲେ...ଶୁଣ ଭାଇ, ସବୁ କହୁଛି,ମୋତେ ତ ଜାଣିଛନ୍ତି...ବହୁ ବର୍ଷରୁ... ମୁଁ ପୁଅର ବାପା,ପୁଅ ବାହା କରାଇବାକୁ ଯାଇଥିଲି ବର ବରଯାତ୍ରୀଙ୍କୁ ନେଇ ପୁଅ ବେଦୀକୁ ଯିବା ପୂର୍ବରୁ ଝିଅ ଫେରାର୍...ସେ ଝିଅ କେଉଁ ପୁଅକୁ ଭଲ ପାଇଥିଲା...।  
      ଆପଣଙ୍କ ପାଖକୁ ଆସିଛୁ ବହୁତ ଆଶା ନେଇ...ମୁଁ ପ୍ରସ୍ତାବ ଦେଉଛି ଆପଣଙ୍କର ସାନ ଝିଅ ପାଇଁ... ଆପଣ ଏକମତ ହେଲେ ଏଇ ରାତି ରାତିରେ ହିଁ ବାହାଘର କରି ଦେବୁ...ମୋ ମାନ ରହିବ, ନଚେତ୍ ଶିଶୁପାଳ ହୋଇ ଫେରିବୁ ଘରକୁ....।         କୁବେର ବାବୁ ହତ ଚକିତ ହେଲେ... ମନେ ମନେ ଭାବୁଥାନ୍ତି ଏ ସ୍ବପ୍ନ ନା ବାସ୍ତବ... ଯେଉଁ ବର ଗାଡି ଭିତରେ ଅଛି ସେ ଦୂର ସଂପର୍କରେ ପୁତୁରା... ବଡ଼ ଘର ପୁଅ, ବହୁତ ଭଲ ପଢ଼ୁଥିଲା, ସୁନ୍ଦର ସୁସ୍ଥ ସବଳ ଚେହେରା...ଗୁଣବାନ ମଧ୍ଯ... ବ୍ୟାଙ୍କ୍ ମ୍ୟାନେଜର ସେ। ତାଙ୍କ ଗାଁ ବହୁତ ଥର ଯାଇଛନ୍ତି କୁବେର ବାବୁ...ଆଉ ଯେତେ ଥର ଦେଖନ୍ତି ମନରେ ଭାବନ୍ତି,ଏ ବାବୁ...ଆମ ସାରସ୍ଵତୀ ପାଇଁ ବର ହୁଅନ୍ତା କି...ମାତ୍ର ଏତେ ଭଲ ବଡ଼ ଘରକୁ ସେ ସାହାସ କରି ପ୍ରସ୍ତାବ ପଠାଇ ନାହାଁନ୍ତି... ଆଜି ଏ କ'ଣ... ମହାପ୍ରଭୁଙ୍କର ଏ କି ଆଜ୍ଞା, ସ୍ବପ୍ନ ନା ବାସ୍ତବ...।          ପୁଅର ବାପା କହିଲେ...ମୋ ପୁଅର ନାମ ଦର୍ଶନ, ସେ......।  
     କଥା ଛଡ଼ାଇ ନେଇ କୁବେର ବାବୁ କହିଲେ... ମୁଁ ସବୁ ଜାଣିଛି... ତୁମେ ତ ଆମ ବନ୍ଧୁ ଭିତରେ..କାଞ୍ଚନର ଦୂର ସମ୍ପର୍କୀୟ ଭାଇ...ତୁମ କଥା ବହୁତ ଶୁଣିଛି। ବଡ଼ ଚାକିରି କରୁଥିଲ... ଅନେକ ଥର ଦେଖା ମଧ୍ୟ ହୋଇଛି। ତୁମେ ଜଣେ ନିଷ୍ଠାବାନ ଆଦର୍ଶ ମଣିଷ, ତୁମ ପୁଅ ମଧ୍ୟ ସବୁ ଦିଗରୁ ଯଥେଷ୍ଟ ଯୋଗ୍ଯ ସରସ୍ଵତୀ ପାଇଁ...।
      ତେବେ ଆଉ କ'ଣ ଯେ...., ମତାମତ ଦିଅନ୍ତୁ...।     ମୋତେ ଟିକିଏ ଭାବିବାକୁ ସମୟ ଦିଅ...ତା ମାଆ ସହିତ କଥା ହୁଏ। ଆମ କଥାରେ ଝିଅ ନା କହିବନି...।
      କୁବେର ବାବୁ ଘର ଭିତରକୁ ଯାଇ ଦଶ ପନ୍ଦର ମିନିଟ୍ ରେ କାଞ୍ଚନ ସହିତ ଆସିଲେ ପଛରେ ସରସ୍ଵତୀ ବି ଥିଲା।           ସମସ୍ତଙ୍କ ଗହଣରେ ପୁଅ ଝିଅ ଉଭୟେ ଉଭୟଙ୍କୁ ଦେଖିଲେ... ସଙ୍ଗେ ସଙ୍ଗେ ଡକା ହୋଇ ଆସିଲେ ବଡ଼ ବାପା ବଡ଼ ମାଆ,କକା ଖୁଡ଼ି ଓ କୁଟୁମ୍ବର ସବୁ ଲୋକ, ଫୋନ୍ ଦ୍ବାରା ଝିଅ ଜ୍ବାଇଁ ମାନେ ମଧ୍ୟ ତୁରନ୍ତ ଆସି ପହଞ୍ଚିଲେ...।
     ସକଳା ଛଅଟା ବେଳକୁ ଗାଁ ପାଖ ଜଗନ୍ନାଥ ମନ୍ଦିରରେ ବାହାଘର ଶେଷ ହେଲା।  
       ସରସ୍ଵତୀ ଓ ଦର୍ଶନ କୁମାରଙ୍କ ପାଇଁ ତାଙ୍କ ନାମରେ ନିମନ୍ତ୍ରଣ ପତ୍ର ଛପା ହେଲା ନା ଆଡ଼ମ୍ଵର ପୂର୍ଣ୍ଣ ତୋରଣ ସଜା ହୋଇ ଲେଖା ହେଲା ସ୍ଵାଗତମ୍...ପାଞ୍ଚ ଘଣ୍ଟା ମଧ୍ୟରେ ବୈଦିକ ରୀତିରେ ହେଲା ବାହାଘର... କିଛି ଯାନି ଯୌତୁକ ମଧ୍ୟ ଲୋଡ଼ା ହେଲାନି ବର ପକ୍ଷ ପାଇଁ... ମନ୍ଦିରର ବସି ସମସ୍ତେ ଦେଖୁଥିଲେ ପ୍ରଭୁଙ୍କର ଏ ଏକ ଲୀଳା... ସରସ୍ଵତୀ ସୌଭାଗ୍ୟବତୀ ଓ ଦର୍ଶନ କୁମାର ଭାଗ୍ୟବାନ...।
    ମହାପ୍ରଭୁ ତାଙ୍କୁ ଅଦୃଶ୍ୟରେ ଆଶୀର୍ବାଦ ଦେଲେ। ଅପୂର୍ବ ଏ ସଂଯୋଗ...ଯିଏ ଶୁଣିଲା ସିଏ ତଟସ୍ଥ ହୋଇ କହିଲା....ଏ ସ୍ବପ୍ନ ନା ବାସ୍ତବ....।   
          କୋହି,ବାରିପଦା,ମୟୂରଭଞ୍ଜ।


Rate this content
Log in