STORYMIRROR

Kabiratna Nutan Kumar Behera

Drama Romance Classics

4  

Kabiratna Nutan Kumar Behera

Drama Romance Classics

ଚିଠିଟିଏ

ଚିଠିଟିଏ

4 mins
2

ଶରତ ସକାଳର ସୁନେଲି ଆଭା ଛିଟିକି ପଡ଼ିଥାଏ ।

ଘର ଅଗଣା ସାରା, ସୁଲୁ ସୁଲୁ ବହି ଆସୁଥାଏ ପହିଲି 

ଶୀତୁଆ ପବନ। ଦେହ ମନକୁ ଭାରି ଆରାମ୍ ଲାଗୁଥାଏ। ଦୂରରୁ ଶୁଭୁଥାଏ ନାନା ଜାତି ପକ୍ଷୀମାନଙ୍କର କଳରବ। ଚଳ

ଚଞ୍ଚଳ ହୋଇ ଉଠୁଥାଏ ଦୈନଦିନ ଜୀବନର ଯେତେ ସବୁ 

ଧାରାବାହିକ କାର୍ଯ୍ୟକ୍ରମ।

     ତରତର ହୋଇ ସକାଳୁ ଅଫିସ୍ କୁ ବାହାରି ଗଲେ 

ଦେବଦତ୍ତ ବାବୁ। ଏବେ ସେ ସଦର ମହକୁମାକୁ ନୂଆ କରି 

ତହସିଲଦାର୍ ଭାବରେ ପଦୋନ୍ନତି ପାଇ ଆସିଛନ୍ତି। ସେ

ପ୍ରଶାସନ ବିଭାଗର ଜଣେ କାର୍ଯ୍ୟବସ୍ତ ଅଫିସର୍। ଦାୟିତ୍ଵ 

ଓ କର୍ତ୍ତବ୍ୟ ତୁଲାଇବାରେ କେବେ ଅବହେଳା କରନ୍ତି ନାହିଁ।

ସହକାରୀ ମହଲରେ ତାଙ୍କର ଖ୍ୟାତି ପ୍ରଶଂସାଯୋଗ୍ୟ।

     ତାଙ୍କର ଧର୍ମପତ୍ନୀ ଭାଗ୍ୟଶ୍ରୀ ଦେବୀ। ଦୁଇଟି 

ସନ୍ତାନର ମାଆ। ପରିବାରରେ ଅଭାବ କହିଲେ କିଛି ବି

ନାହିଁ। ପିଲାମାନେ ବାପାମାଆଙ୍କର କଥା ମାନି ଚଳନ୍ତି।

ପୁଅ କଲେଜ୍ ରେ ପଢୁଛି ଝିଅ ହାଇସ୍କୁଲରେ। ବର୍ତ୍ତମାନ 

ସମାଜରେ ଏକ ସୁଖୀ ପରିବାର। ଯଶ ମାନ ଧନ କିଛିରେ

ଅଭାବ ଅନୁଭବ କରନ୍ତି ନାହିଁ ଭାଗ୍ୟଶ୍ରୀ। ନାମ ପରି ତାଙ୍କ

ଜୀବନରେ ଶିରୀ ହିଁ ଶିରୀ।

    ଏତେ ସବୁ ଶିରୀ ଭିତରେ କିନ୍ତୁ ଜମାଟ ବାନ୍ଧିଥାଏ 

ଗୋଟିଏ ଅଭୁଲା ଅପାସୋରା ଦୁଃଖ। ଦୀର୍ଘ କୋଡ଼ିଏ 

ବର୍ଷ ଦାମ୍ପତ୍ୟ ଜୀବନରେ ଶତ ଚେଷ୍ଟା କରି ବି ଭୁଲି 

ପାରି ନାହାଁନ୍ତି। ଯେବେ ଯେତେବେଳେ ମନେ ପଡ଼େ 

ତାଙ୍କର ଛାତି ଭିତରଟା କୁରି ହୋଇ ଯାଉଥାଏ। ସେ

ଦୁଃଖ ତାଙ୍କୁ ଭିତରେ ଭିତରେ ଦୁର୍ବଳ କରି ଦେଉଥାଏ।

ଅଧରରେ ହସ ସଜଫୁଟା ଫୁଲ ପରି ଫୁଟି ଉଠୁଥିଲେ ବି

ବିଗତ ଘଟଣା ମନେ ପଡ଼ିଲେ ମୁହଁ ମଳିନ ପଡ଼ି ଝାଉଁଳି 

ଯାଏ। ଓଠର ହସ ଲିଭିଯାଏ ହଠାତ୍ ବିଳୁଳି କାଟ୍ ଭଳି। 

ତାଙ୍କ ଆଖି ସାମ୍ନାରେ ଦିଶେ କେବଳ ଅନ୍ଧାର ହିଁ ଅନ୍ଧାର।

   ଏତେ ସୁଖ ଭିତରେ ଏ ଦୁଃଖର କାରଣ ଥିଲା ତାଙ୍କ 

ପାଇଁ ଚିଠିଟିଏ...। ଜୀବନର ଏକ ଅନୁତପ୍ତ ଘଟଣା।

ବହୁ ସଂଘର୍ଷ ଭିତରେ ଦୁଃଖ କଷ୍ଟରେ ଜୀବନକୁ ସଜାଡ଼ି 

ନେଇଛନ୍ତି ସତ କିନ୍ତୁ ସେ ଚିଠିଟିଏ'ର ବିଷାଦ ଏବେ ବି ହୃଦୟର ଏକ ଶୁଖୁ ନଥିଲା ଘାଆ ହୋଇ ରହିଛି।ଭାଗ୍ୟଶ୍ରୀ ଏଥିପାଇଁ ଭାରି ଅନୁତାପ କରନ୍ତି। ହୁଏତଃ ବର୍ତ୍ତମାନର ପରିପକ୍ଵ ଚିନ୍ତାଧାରା ସେ ବୟସରେ ଥିଲେ ଏ ଭୁଲ୍ ତାଙ୍କର ହୁଅନ୍ତା ନାହିଁ।

    କଲେଜ୍ ରେ ପୁଢୁଥିଲେ ଭାଗ୍ୟଶ୍ରୀ। ବାପା ମାଆଙ୍କର 

ଅଲିଅଳି ଝିଅ। ତାଙ୍କ ଉପରକୁ ବଡ଼ ଭାଇ ଜଣେ। ସେ ନୂଆ 

ଅଧ୍ୟାପକ ଚାକିରି କରୁଥାଆନ୍ତି। ବାପା ଥିଲେ ଜିଲ୍ଲାପାଳଙ୍କ 

କାର୍ଯ୍ୟାଳୟରେ ଷ୍ଟେନୋ। ଭଲ ପ୍ରତିଷ୍ଠିତ ପରିବାର। ସହର

ରେ ରହୁଥାନ୍ତି ନିଜ ଘରେ।

   ଭାଗ୍ୟଶ୍ରୀ ରୂପ ଦେଖି କେହି ବି ନିନ୍ଦି ପାରିବେ ନାହିଁ।

ଗୋଟିଏ ଚାଉଳରେ ଗଢ଼ା। ଫୁଟନ୍ତା ଗୋଲାପ ପରି ସେ

ମନଲୋଭା। ହସ ଫୁଲେଇ ଜହ୍ନର ରୂପେଲି ଜୋଛନା।

କଥା କଳ କଳ ନିନାଦିନୀ ଏକ ଧାବମାନ ଝରଣା।

     ପ୍ରକୃତି ତାର କ୍ରମରେ ଏକ ପରେ ଏକ ଋତୁ ନେଇ

ଆସିଲା ପରି ମଣିଷର ଜୀବନରେ ବି ବୟସ କ୍ରମରେ 

ନାନା ରଙ୍ଗ ଭରିଯାଏ। ସ୍ବପ୍ନମୟ ହୁଏ ଦୁନିଆଁ। ଜୀବନର

ଯୌବନରେ ଯୁବକଟିଏ ବସନ୍ତ ଆଉ ଯୁବତୀଟିଏ ଫଗୁଣ।

ମନର ଉନ୍ମାଦନାରେ ଭାବ ଭାବନାର ଆବେଗକୁ ଅନେକ ସମୟରେ ରୋକି ହୁଏନାହିଁ। ହୃଦୟରେ ପ୍ରେମର ତରଙ୍ଗ 

ନାଚେ। ମନ ବ୍ୟାକୁଳ ହୁଏ। ଭଲ ପାଇବାର ପୀୟୂଷ ଖୋଜି 

ପୁରୁଷଟିଏ ନାରୀକୁ ଜୀବନସାଥୀ ରୂପେ ଚୟନ କରେ।

ଏମିତି କିଛି ସଂଯୋଗ ବଶତଃ ପ୍ରେମ ହୋଇଯାଏ। ଆଉ

ସେଇ ପ୍ରେମରେ ପଡି଼ ଭାଗ୍ୟଶ୍ରୀ ଓ ଦେବଦତ୍ତ ପରସ୍ପରକୁ 

ନିଜର କରି ନେଇଥିଲେ। ଉଭୟ ପରିବାର ତାଙ୍କର ଏ ସମ୍ପର୍କକୁ ଜାଣି ନଥିଲେ।

    ସେ ଦିନ ଭାଗ୍ୟଶ୍ରୀ କଲେଜରୁ ଫେରୁଥିଲା। ବାଟରେ 

ଦେବଦତ୍ତ ଚିଠିଟିଏ ନିରୋଳାରେ ବଢାଇ ଦେଇଥିଲା ଭାବି 

ପତ୍ନୀ ଭାଗ୍ୟଶ୍ରୀ ହାତକୁ। ସେଠାରେ ପଢ଼ିବାର ସୁବିଧା ନ

ଥିବାରୁ ପରେ ପଢିବ କହି ନିଜ ବହି ଭିତରେ ଲୁଚାଇ ରଖି

ଦେଇଥିଲା ତରତର। ଘରକୁ ଯାଇ ତା' ରୁମ୍ ରେ ପଢ଼ି 

ଛିଡାଇ ଦେବ ଭାବି। କିନ୍ତୁ ଭାବନା ଅନୁଯାୟୀ ସବୁବେଳେ କାର୍ଯ୍ୟ ହୁଏନାହିଁ। ଘରେ ପଶୁ ପଶୁ କେମିତି ଝୁଣ୍ଟି ପଡ଼ିଲା 

ସେ ପାପୋଛରେ...ଖସି ପଡିଲା ହାତରେ ଧରିଥିବା ବହି ସବୁ।ଦେବଦତ୍ତ ଦେଇଥିବା ଚିଠଟିଏ ଛିଟିକି ଯାଇ ପଡିଲା 

ତା' ବଡ଼ ଭାଇଙ୍କ ପାଦ ପାଖରେ। ସଙ୍ଗେ ସଙ୍ଗେ ସେ ଉଠାଇ ରଖିଲା...ଭାଗ୍ୟଶ୍ରୀ କ'ଣ କରିବ...ବରଡ଼ା ପତ୍ର ପରି ଥରିଲା ତାର ଦେହ...ହୃଦ୍ ସ୍ପନ୍ଦନ ବଢିଗଲା ମାତ୍ରାଧିକ। ଲାଜରେ ଝାଉଁଳି ପଡ଼ି ତା' ରୁମ୍ କୁ ସେ ଚାଲିଗଲା।

    କ'ଣ ହେବ ପରିସ୍ଥିତି ତା' ଭାଇ ସେ ଚିଠିଟିଏ ପଢିଲା ପରେ ...କ'ଣ ଲେଖିଥିବ ଦେବଦତ୍ତ ସେ ଚିଠିରେ....ଏମିତି 

ନାନା ଦୁଃଚିନ୍ତାରେ ପ୍ରମାଦ ଗଣୁଥାଏ। ନା ତାକୁ ଭୋକ ହେଲା 

ନା ନିଦ... ଭାବୁଥାଏ ଦେବଦତ୍ତ ଓ ତାର ପ୍ରେମକୁ ବାପା ମା' 

ଭାଇ ସ୍ଵୀକୃତି ପ୍ରଦାନ କରିବେ କି ?

     ସେମିତି କିଛି ଝଡ଼ ଉଠିଲାନି। କଥାଟାକୁ ନୀରବରେ

ତାଙ୍କ ପରିବାରରେ ଆଲୋଚନା କରି ଶାନ୍ତ ରଖିଲେ ଘରର ପରିବେଶ। ପାଟିତୁଣ୍ଡ କଲେ ନିଜ ପରିବାର ସମ୍ମାନ ହାନୀ।

କିନ୍ତୁ କଥାଟିକୁ ଗୁରୁତ୍ୱ ମନେ କରି ଆସିଥିବା ପ୍ରସ୍ତାବରେ ରାଜି 

ହୋଇ ଯେତେ ଶିଘ୍ର ସମ୍ଭବ ଭାଗ୍ୟଶ୍ରୀ ବାହାଘର କରିଦେବେ।

     ଭାଗ୍ୟଶ୍ରୀ ବହୁତ ଭାବିଲା...ସେ ହୃଦୟ ଦେଇ ଭଲ

ପାଏ ଦେବଦତ୍ତକୁ...ପ୍ରେମର ବଳିଦାନ ଦେବ କେମିତି ? ନା,

ସେ ପାରିବନି...ଜଣେ ଅଜଣା ଅଶୁଣା ବ୍ୟକ୍ତିକୁ ଜୀବନସାଥୀ 

ଭାବରେ ଗ୍ରହଣ କରି ପାରିବନି। ଜୀବନ ତାର... କେମିତି 

ସେ ଜୀବନ ବିତାଇବ ସେ ଅଜଣା ଲୋକ ସହିତ...ମନକୁ 

ସ୍ଥିର କରିନେଲା ଦୃଢ଼ ଭାବରେ...ସେ ବିବାହ କରିବ ତ

ଦେବଦତ୍ତକୁ... ପରିସ୍ଥିତି ଯା' ବି ହେଉ...। ଏମିତି ଭାବନା 

ଭିତରେ ନିଜକୁ ସେ ବୁଡ଼ାଇ ରଖିଲା। ରାତି ଯାକ ନିଦ

ହେଲାନି...ଆଗରେ କେବଳ ଦେବଦତ୍ତ...।

    ଘରେ ସମସ୍ତେ ଶୋଇଥିବା ଅବସ୍ଥାରେ ସାହସ ଧରି 

ପଳାଇଗଲା ଦେବଦତ୍ତ ପାଖକୁ... ଦେବଦତ୍ତ ଭାଗ୍ୟଶ୍ରୀକୁ 

ଦେଖି ଆଚମ୍ବିତ...।

     ସବୁ ଶୁଣି ଦେବଦତ୍ତ ଭାଗ୍ୟଶ୍ରୀକୁ ସମ୍ମାନ ଦେଲା 

ଅତି ଆଦରରେ ପତ୍ନୀ ରୂପେ ଗ୍ରହଣ କଲା ତାର ବାପାମା'କୁ

ବୁଝାଇ। ବାପା ଜଣେ ପିଅନ୍ ମା' ସୁଗୃହିଣୀ ଥିଲେ। ଏକମାତ୍ର 

ପୁଅର ପ୍ରେମକୁ ସ୍ବୀକୃତି ଦେବାକୁ ବାଧ୍ୟ ହେଲେ।

     ଭାଗ୍ୟଶ୍ରୀ ପାଇଁ ବାପା ଘରକୁ ଯିବା ବାଟ ସବୁଦିନ 

ପାଇଁ ବନ୍ଦ ହୋଇଗଲା। ବାପା ଫେରାଇ ନେବାକୁ ଆସିଥିଲେ 

ମାତ୍ର ଦେବଦତ୍ତକୁ ଛାଡ଼ି ସେ ବଞ୍ଚି ପାରିବନି...ସଫାସଫା 

ଶୁଣାଇଥିଲା ସେ ତା' ବାପାଙ୍କୁ। ଝିଅ ସହିତ ସେ ଦିନ ସବୁ 

ସଂପର୍କ କାଟି ଦେଇ ଚାଲି ଯାଇଥିଲେ। ୨୦ ବର୍ଷ ଭିତରେ 

କିଛି ମଧ୍ୟ ଯୋଗାଯୋଗ ନାହିଁ। କିନ୍ତୁ ଯେତିକି ଦିନ ବିତୁଛି 

ସେତିକି ଭାଙ୍ଗି ପଡୁଛି ସେ।

     ଭାଗ୍ୟଶ୍ରୀ ଦେବଦତ୍ତକୁ ବାହା ହେଲା। ବେକାର ଥିଲା 

ଦେବଦତ୍ତ... ସମସ୍ୟାର ପାହାଡ଼ ଠିଆ ହେଲା ଆଗରେ...

ଉଭୟେ ନିଷ୍ପତ୍ତି ନେଲେ...ଭାଗ୍ୟଶ୍ରୀ ଘରେ ରହିବ...ତା' 

ଶାଶୁ ଶଶୁରଙ୍କ ପାଖରେ ଝିଅ ପରି...ଦେବଦତ୍ତ ଭୁବନେଶ୍ୱର 

ଯିବ...ସେଇଠି ପାର୍ ଟାଇମ୍ ଜବ୍ କରି ସରକାରୀ ଚାକିରି 

ପାଇଁ ପ୍ରାଣପଣେ ସଂଗ୍ରାମ କରିବ।

     ତାହା ହିଁ ହେଲା। ଦେବଦତ୍ତ ଜଣେ ଖୁବ୍ ମେଧାବୀ 

ଛାତ୍ର ଥିଲା। ପଢ଼ାପଢ଼ିରେ ବହୁ ପରିଶ୍ରମ କରି ୩ ବର୍ଷ ପରେ 

ଦେବଦତ୍ତ ଓ.ଇ.ଏସ୍. ପାଇଥିଲେ। ତା'ପରେ ତାଙ୍କର ଜୀବନ ଅନୁକୂଳ ଗତି ପଥରେ ଏ ଯାଏଁ ଆଗେଇ ଆସିଛି। ପ୍ରେମ ତାଙ୍କର ସାର୍ଥକ ହୋଇଛି। ପତିପତ୍ନୀ ପ୍ରେମ ବିବାହ କରିଥିଲେ ମଧ୍ୟ ନିଜରଭବିଷ୍ୟତ ସଜାଡ଼ିଛନ୍ତି। ସମାଜରେ ଆଦର୍ଶ ପ୍ରେମିକ ପ୍ରେମିକା ଭାବରେ ସ୍ଵାମୀ ସ୍ତ୍ରୀ ହୋଇ ରହିଛନ୍ତି। ଏ ସବୁ ସତ୍ତ୍ୱେ ମଧ୍ୟ ସଂପୂର୍ଣ୍ଣ ଶାନ୍ତି ତୃପ୍ତି ସନ୍ତୋଷ ଆସୁନି ଭାଗ୍ୟଶ୍ରୀର ମନରେ।ବାପା ମା' ଭାଇ କଥା ଝୁରି ହୁଏ, ନୀରବରେ ତାର ହୃଦୟ ବିଳାପ କରି ଉଠେ।

      ସେ ଦିନ ଜଣେ ଅଚିହ୍ନା ଯୁବକ ଆସି ଭାଗ୍ୟଶ୍ରୀକୁ 

ଚିଠିଟିଏ ଦେଲା। ପଚାରି ବୁଝିଥିଲା ସେ ତା' ଭାଇର ପୁଅ।

ତାରା ପୁତୁରା ଓ ଆଦର ସହକାରେ ଆତିଥ୍ୟ ଦେଇଥିଲା।

ଆଉ ଚିଠିଟିଏ ଖୋଲି ପଢ଼ିଥିଲା...ଲେଖା ଥିଲା...।

   ଶ୍ରୀ ,

  ବାପା ଭାରି ଅସୁସ୍ଥ ବୟସ ଜନିତ। ଘରେ ଅଛନ୍ତି,ତୋତେ 

ବହୁତ ଖୋଜୁଛନ୍ତି। ତୋର ଇଚ୍ଛା ଥିଲେ ତାଙ୍କୁ ଦେଖିବାକୁ 

ଆସିବୁ, ତୋର ମାନ ଅଭିମାନ ସବୁ ଭୁଲି ଯାଇ। ପୁଅକୁ 

ଏ ଚିଠି ଦେଇ ପଠାଇଲି। ଇତି।

                ତୋର ଭାଇ 

     ଦେବଦତ୍ତକୁ ଜଣାଇ ଭାଗ୍ୟଶ୍ରୀ ପୁତୁରା ସହିତ ସଙ୍ଗେ 

ସଙ୍ଗେ ଯାଇଥିଲା। ଏକ ସହରରେ ରହୁଥିଲେ। ସନ୍ଧ୍ୟାକୁ 

ପୁଅଝିଅଙ୍କୁ ନେଇ ଦେବଦତ୍ତ ବାବୁ ମଧ୍ୟ ଯାଇଥିଲେ।

      ବାପା ଝିଅକୁ ଦେଖି କାନ୍ଦି ପକାଇଥିଲେ ମା' ବି,

ତାଙ୍କର ଆତ୍ମ ଅହଂକାର, ସାମାଜିକ ପ୍ରତିଷ୍ଠା ଓ ସମ୍ମାନକୁ 

ଚାହିଁ ଝିଅର ମନ ବୁଝି ପାରିଲେନି। ଅନୁତାପର ଅଶ୍ରୁ 

ବିସର୍ଜନ କରି ତାକୁ ବହୁତ ପ୍ରଶଂସା କରି ଦେବଦତ୍ତଙ୍କୁ ଆଶୀର୍ବାଦ କରିଥିଲେ।

    ଏବେ ଭାଗ୍ୟଶ୍ରୀର ଭାଗ୍ୟରେ ପୂର୍ବର ସେଇ ଶିରୀ।

ସେ ଦିନର ସେ ଚିଠିଟିଏ ତାକୁ ଦୂରେଇ ଦେଇଥିଲା ଆଜିର ଚିଠିଟିଏ ଭାଇ ଠାରୁ ପାଇ ତାର ଯେତେ ଗ୍ଳାନି ମନରୁ ଦୂର ହୋଇ ଯାଇଥିଲା। ମହାମିଳନର ଏକ ଅପୂର୍ବ ମୁହୂର୍ତ୍ତରେ ସମସ୍ତେ ସଫଳତା ସାଉଁଟି ହସୁଥିଲେ... ପରିବେଶର ବାତାବରଣ ଲାଗୁଥିଲା ଆନନ୍ଦମୟ ତୃପ୍ତିଦାୟକ ସନ୍ତୋଷ 

ଜନକ। ଭାଗ୍ୟଶ୍ରୀର ମନ ପ୍ରାଣ ଭରି ଯାଇଥିଲା ଆତ୍ମ ସନ୍ତୋଷରେ...ତା' ଜୀବନର ଅଲେଖା ଇତିହାସ ହୋଇ ରହିଲା ଚିଠିଟିଏ...।   


Rate this content
Log in

Similar oriya story from Drama