STORYMIRROR

Kabiratna Nutan Kumar Behera

Children Stories Tragedy Action

4  

Kabiratna Nutan Kumar Behera

Children Stories Tragedy Action

ପାଦଚିହ୍ନ

ପାଦଚିହ୍ନ

4 mins
238

                     ପାଦଚିହ୍ନ       

🔹ଗାଳ୍ପିକ ନୂତନ କୁମାର ବେହେରା

       ସଞ୍ଜ ନଇଁ ଗଲା ପରେ ଅନ୍ଧାରର କଳା ଚାଦର ଘୋଡ଼ି ରାତ୍ରି ଆସେ। ଦିନ ତମାମର ହାଡ଼ଭଙ୍ଗା ଖଟିଣି ଖଟି ହାଲିଆ ହୋଇ ପଡ଼ିଥିବା ଶରୀରଟା ଖୋଜେ ଟିକିଏ ଆରାମ ....., ବହଳିଆ ବିଛଣାରେ ନିଦର ଗହଳିଆ ସ୍ବପ୍ନ...ନିସ୍ତବ୍ଧ ପ୍ରହର ନିସ୍ତାରି ରଖେ.... ବିବଶ ଅବଶ ଦେହରେ ଆସେ ପୂର୍ବଦିନ ପରି ସେଇ ତେଜ ସେଇ ଶର୍ଯ୍ୟର ଉଦ୍ଦୀପନା...ପୁଣି ଆସନ୍ତାକାଲିକୁ ଆରମ୍ଭିବ ତାର ଅଭିଯାନ...ଏକ ନୂଆ ଉତ୍ସାହ ନେଇ ପ୍ରାଣରେ ପୁଲକ ଖେଳାଇ...ଜୀବନର ପଥ ଅନୁସରି... କିଛି ଇଚ୍ଛାର ଆଶାକୁ ସଫଳ କରିବା ହିଁ ତ ଲକ୍ଷ୍ୟ।      ସକାଳର ସୂର୍ଯ୍ୟ ଦେବ ଉଇଁ ମା' ଧରିତ୍ରୀ ତା' କୋଳରେ ଧରିଥିବା ସଚରାଚରକୁ ଜଗାଇ ଦିଅନ୍ତି। ଉଠି ପଡ଼ନ୍ତି ସମସ୍ତେ, ଜୀବିକାର ଚଳନ୍ତି ଧାରାର ପ୍ରବାହରେ କରିବାକୁ ଜୀବନ ନିର୍ବାହ ...ପଥ ବହୁ ଦୂର ସରେନା ଚାଲି ଚାଲି...ଥକେନା ପଥିକ ଠିକଣାରେ ନ ପହଞ୍ଚବା ପର୍ଯ୍ୟନ୍ତ... ଆଗକୁ ଆଗକୁ ବଢୁଥାଏ ଦେଖି ଦେଖି ଚାଲି ଯାଇଥିବା ପଥିକଙ୍କ ପାଦଚିହ୍ନ। ଅତୀତକୁ ସାଉଁଟି ବର୍ତ୍ତମାନକୁ ସାକାର କଲେ ଭବିଷ୍ୟତ ହୁଏ ଉଜ୍ଜ୍ଵଳ...ଜଣକର ପାରିବା ପଣିଆଁ ହୁଏ ପ୍ରମାଣିତ।       ବିଶେଷ କିନ୍ତୁ ଶୋଇଛି ଏ ଯାଏଁ...ଉଠିନି ବିଛଣା ଛାଡ଼ି, ଆଖିରେ ତାର ନିଦ ନାହିଁ ଭାଙ୍ଗି ଯାଇଛି ଚତୁର୍ଥ ପ୍ରହରରୁ ବାହାର ଦୁନିଆଁର ଆଲୋକ ଦେଖିବାକୁ ସେ ବ୍ୟାକୁଳ ହେଉନି ଆଜି...ସେ ଦେଖିଥିଲା ଅନେକ ସ୍ବପ୍ନ... ମନରେ ଆଶା ସଞ୍ଚି ଇଚ୍ଛାର ଘୋଡ଼ାରେ ହୋଇଥିଲା ସବାର...ସବୁ କିଛି ତାକୁ ଲାଗୁଛି ଏବେ ନିରର୍ଥକ ମରୀଚିକା ପରି...। ଜୀବନ ମରୁରେ ସେ ମରୁଦ୍ୟାନଟିଏ ତିଆରି କରି ପାରିନି। ଆହତ କ୍ଷତାକ୍ତ ପରାଜିତ ସୈନିକ ପରି ହରାଇ ବସିଛି ତାର ଆତ୍ମବିଶ୍ଵାସକୁ, ନିଜ ପ୍ରତି କରିଛି ଅଭିମାନ...ମନ ନିରୁତ୍ସାହର କ୍ଷୀଣ ସ୍ରୋତେ ଶୁଖିଲା ପତ୍ର ପରି ଭାସିଯାଏ...କୂଳ କିନାରା ଆଉ ନାହିଁ ତା ବଶରେ କି ହସରେ...।         ବୋଉ ଆସି ଡାକିଲା, ଆରେ ବିଶେଷ...ତୁ ଏ ଯାଏଁ    ଉଠିନୁ ବିଛଣା ଛାଡ଼ି... ତୋ ଦେହ ପା' ଠିକ୍ ଅଛି ତ... ଉଠ ଆଉ ଡେରି କରନା...       ହଁ...ବୋଉ ଉଠୁଛି, ତୁ ବ୍ୟସ୍ତ ହ ନା କହିଲା ବିଶେଷ...      ବିଶେଷ ଏକମାତ୍ର ପୁଅ ମନ୍ଦାକିନୀ ଦେବୀଙ୍କର ଓ ତା ତଳକୁ ସାତ ବର୍ଷର ଝିଅ ବିରଜା। ବ୍ରଜ ସୁନ୍ଦର ବାବୁଙ୍କର ଧର୍ମପତ୍ନୀ ହେଉଛନ୍ତି ମନ୍ଦାକିନୀ। ଆଜି ଆଉ ପାଖରେ ନାହାଁନ୍ତି ବ୍ରଜ ସୁନ୍ଦର ବାବୁ। ପାଞ୍ଚ ବର୍ଷ ତଳେ ହୃଦଘାତରେ ଜୀବନ ହାରି ଚାଲିଗଲେ ଆରପୁରକୁ... ଦୁନିଆଁର ସବୁ ଦୁଃଖ ଏକ ସହିତ ଅଜାଡ଼ି ହୋଇ ପଡ଼ିଲା ତାଙ୍କ ମୁଣ୍ଡରେ...ଅସହ୍ୟ ଯନ୍ତ୍ରଣା ସହି ମୁଣ୍ଡ ଉଠାଇବାକୁ ସଂକଳ୍ପ ନେଲେ ସେ, ବିଧବା ନାରୀ କେବେ ଅସହାୟା ବା ଦୁର୍ବଳା ନୁହେଁ, ଦୃଢ଼ ମନୋବଳ ନେଇ ନିଜକୁ ସଶକ୍ତ କଲେ ସେ। ପୁଅ ବିଶେଷ ଓ ଝିଅ ବିରଜା'ର ଯତ୍ନ ନେଇ କର୍ତ୍ତବ୍ୟ କରି ଚାଲିଛନ୍ତି। ପୁଅ ଝିଅକୁ ଦୁଇ ଆଖି କରି ଦେଖୁଛନ୍ତି ଏ ଦୁନିଆଁକୁ... ତାଙ୍କ ମୁହଁରେ ହସ ଅଲିଭା ରଖିବାକୁ ତାଙ୍କର ସବୁ ତ୍ୟାଗ ସମର୍ପଣ...ସେ ପରା ମାଆ, ସନ୍ତାନମାନଙ୍କର ସହା ଭରସା। ଭାଙ୍ଗି ପଡ଼ିଲେ ତାଙ୍କୁ ବା ଅଭୟ ଦେବ କିଏ...?           ବିଶେଷ ତିନି ବର୍ଷ ହେଲା ସ୍ନାତକୋତ୍ତର ଡିଗ୍ରୀ ପାଇ ସରକାରୀ ଚାକିରୀ ପାଇଁ ଶତ ଚେଷ୍ଟା କରୁଛି। ଏହା ଭିତରେ ଅନେକ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଇ ବି ସଫଳତା ପାଇ ପାରିନି। ବାପାଙ୍କର ମୃତ୍ୟୁ ପରେ ବୋଉର କଠିନ ପରିଶ୍ରମ କରିବା ଦେଖି ସେ ଆଉ ସହି ପାରୁନି।ସାନ ଭଉଣୀ ବିରଜା'ର ପଢ଼ା ଖର୍ଚ୍ଚ ତୁଲାଇବାକୁ ବୋଉ ଋଣର ବଡ ବୋଝ ମୁଣ୍ଡାଇ ଚାଲିଛି। ଆଉ ଏ ସବୁ ଦେଖି ବିଶେଷ ନିଜକୁ ନିଜେ ଧିକ୍କାର କରୁଛି। ଭଲ ପାଠ ପଢ଼ି, ପ୍ରତି ପରୀକ୍ଷାରେ ପ୍ରଥମ ଶ୍ରେଣୀ ପାଇଛି...ଏତେ ଏତେ ନମ୍ଵର ରଖି ଉତ୍ତୀର୍ଣ୍ଣ ହୋଇଛି। ଆଜି ସେ ବେକାର...ବୋଉ ପାଇଁ ଭରସାର ଗଛଟିଏ ହୋଇ ଦେଇ ପାରୁନି ସାନ୍ତ୍ଵନାର ଟିକିଏ ଶୀତଳ ଛାୟା କି ସାନ ଭଉଣୀକୁ ପ୍ରେରଣା ଦେବା ପୂର୍ବକ ଦେଖାଇ ପାରୁନି ନିଜ ସହାନୁଭୂତିରୁ କାଣିଚାଏ ଦୟା...ସେ ଏକ ଦୋଳାୟମାନ ପରିସ୍ଥିତି... ଯେତେ ଦିନ ଗଡ଼ୁଛି ଭିତରେ ଭିତରେ ସେତିକି ଭାଙ୍ଗି ପଡୁଛି। ଠିକଣାରେ ପହଞ୍ଚିବାକୁ ବାଟବଣା ହେଉଛି। ତାର ଭାବନା ତାକୁ ଗୋଟାପଣେ ଗିଳି ପକାଉଛି। ନିଜକୁ ନିଜେ ଉଦ୍ଧାର କରିବା ପାଇଁ ଯେତେ ଉଦ୍ୟମ କରୁଛି ସବୁ ବୃଥା ହେଉଛି।       ମନ୍ଦାକିନୀ ଦେବୀ ପୁଅ ବିଶେଷର ମନ କଥା ବୁଝନ୍ତି, ଉତ୍ସାହିତ କରନ୍ତି ପ୍ରେରଣା ଯୋଗାନ୍ତି ମାତ୍ର ବୁହନ୍ତା ଜୀବନ ନଈରେ ସେ ସବୁ ବାଲି ବନ୍ଧ ପରି ବିଶେଷ ପାଇଁ...।         ସେ ଦିନ ଜଳଖିଆ ଖାଇବାକୁ ଦେଇ ମନ୍ଦାକିନୀ ପଢ଼ି ନେଲେ ପୁଅ ବିଶେଷର ମନକୁ ଆଉ ଉଦବୋଧନ ଦେବାକୁ କହିଲେ ଏ ସବୁ...।         ବିଶେଷ ତୁ ଏମିତି ଭାଙ୍ଗି ପଡୁଛୁ କ'ଣ ପାଇଁ, ମୁଁ ଅଛି ଏ ଯାଏଁ ମରି ଯାଇନି। ତୁ ଏତେ ଭଲ ଏତେ ମେଧାବୀ ହୋଇ ନିଜକୁ ନିଜେ ନ ବୁଝି ଏତେ ଶିଘ୍ର ହାରି ଯାଉଛୁ...ଏ କ'ଣ ଉଚିତ ତୋ ପାଇଁ....ନିଜ ଲକ୍ଷ୍ୟରେ ପହଞ୍ଚିବାକୁ ବହୁ କଷ୍ଟରେ ବହୁ ପଥ ଅତିକ୍ରମ କରିବାକୁ ହେବ। ପୁରୁଷ ପୁଅ ପଛଘୁଞ୍ଚା ଦିଏ ନାହିଁ କେବେ...ଏ ଅପରିଣାମ ଦର୍ଶିତାର ଲକ୍ଷଣ। ତୋ ଆଶାକୁ ତୁ ସମାଧି ଦେ ନା...ଆରେ ନିଜ ଭିତରେ ଆତ୍ମ ପ୍ରତ୍ୟୟକୁ ସଦା ଜାଗ୍ରତ କରି ରଖ। ଅନ୍ତରାତ୍ମାର ଶବ୍ଦକୁ ଶୁଣ ତୁ ସାମନ୍ୟ ନହୁଁ। ଅର୍ଜୁନଙ୍କ ପରି ବିଷାଦରେ ଭାଙ୍ଗି ପଡୁଛୁ। ତୋ ପଢିଥିବା ଭକ୍ତିଯୋଗ ଜ୍ଞାନଯୋଗ କର୍ମଯୋଗକୁ ସ୍ଵଧ୍ୟାୟ କର... ତୋତେ ତୋର ବାଟ ମିଳିଯିବ... ବ୍ୟସ୍ତ ବିବ୍ରତ ହେଲେ ଫଳ ବିଷମ ହୁଏ। ନକରାତ୍ମକ ଚିନ୍ତନରେ ନ ରହି ତୁ..... ସକରାତ୍ମକ ଦୃଷ୍ଟିକୋଣ ରଖି ତୋ କାମ କର।          ତୋ ବାପା ତୋତେ କାହିଁକି ବିଶେଷ ନାମ ଦେଇଛନ୍ତି ଏ ନାମକୁ ବିଶ୍ଳେଷଣ କର ଦେଖିବୁ ତୋ ଭିତରେ ବିଶେଷ ପ୍ରତିଭା କ'ଣ ଅନୁଭବ କରି ପାରିବୁ...।         ତୋ ବାପା ଜଣେ ସୁନାମଧନ୍ୟ ପରୋପକାରୀ ମଣିଷ ଥିଲେ। ଅଳପ ପାଠ ପଢି ମଧ୍ୟ କେଉଁ ଜ୍ଞାନରେ କମ୍ ଥିଲେ। ବାସ୍ତବ ଜୀବନରେ ବ୍ୟବହାରିକ ଜ୍ଞାନ ତାଙ୍କୁ ଦେଇଥିଲା ଏକ ବିଶେଷ ପରିଚୟ। ଚାଷୀଟିଏ ହୋଇ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି। ନିଜ ଭିଟାମାଟିରେ ସଂସାର ସଜାଡ଼ି କ'ଣ ଚାଷ ସେ ନ କରିଛନ୍ତି...ଧାନ,ଗହମ,ପନିପରିବା, ଫୁଲ ଫଳ ଚାଷ,ପଶୁପାଳନ,ମାଛ ଚାଷ ... କେତେ କ'ଣ... ନିଜ ପରିବାର ଚଳାଇ ଶହେ ପରିବାରକୁ କାମ ଯୋଗାଇ  ଆସୁଥିଲେ... ତାଙ୍କର ପୁଅ ହୋଇ ତୁ ଏମିତି ହେବା କ'ଣ ଶୋଭନୀୟ କି...? କ'ଣ ଅଭାବ ଅଛି ତୋ ଦେହରେ ତୋ  ମନରେ ...ସେଇ ବାପାଙ୍କର ରକ୍ତ ତୋ ଦେହରେ, ମୁଁ ମୋ ବକ୍ଷରୁ କ୍ଷୀର ଦେଇ ତୋତେ ଗଢ଼ିଛି। କ'ଣ ଊଣା ଅଛି ତୋ ବାପାଙ୍କର ରକ୍ତରେ ନା ମୁଁ ପିଆଇଥିବା ମୋ କ୍ଷୀରରେ...? ତୁ ... ବିଶେଷ... ବିଶେଷ କାର୍ଯ୍ଯ ପାଇଁ ଏ ଦୁନିଆଁକୁ ଆସିଛୁ... ଠିକ୍ କର୍ମ କରି ଚାଲିଥିଲେ ସଫଳତା ତୋ ପଛରେ ଗୋଡାଇ ଆସିବ....। ମୁଁ ତୋର ମାଆ ଜନ୍ମଦାତ୍ରୀ...ଯା' କହୁଛି ଜୀବନର ଏ ବାସ୍ତବତା...ତୋ ବାପାଙ୍କର ପାଦଚିହ୍ନକୁ ଅନୁସରଣ କରି ଚାଲ୍...ଦେଖିବୁ... ସଫଳତା ତୋତେ ବିଜୟ ମୁକୁଟ ପିନ୍ଧାଇ ଏକ ବିଶେଷ ସ୍ଥାନରେ ପହଞ୍ଚାଇବ...।       ବୋଉର କଥାରେ ମନ୍ତ୍ରମୁଗ୍ଧ ହୋଇଗଲା ବିଶେଷ...ତା' ମନରୁ ଅହେତୁକ ଆଶଙ୍କା ଭୟ ସହିତ ଉଦାସୀନତା ଦୂର   ହୋଇଗଲା...ସେ ସାମ୍ନାରେ ଦେଖୁଥିଲା ତା' ବାପାଙ୍କର ମୁହଁ... ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ .... ତାର ଗନ୍ତବ୍ୟ ପଥରେ....ସ୍ପଷ୍ଟ ଦେଖୁଥିଲା ...କେବଳ ତା' ବାପା ଛାଡ଼ି ଯାଇଥିବା ସେ ପାଦଚିହ୍ନ ସବୁକୁ ...।                  କୋହି,ବାରିପଦା,ମୟୂରଭଞ୍ଜ।


Rate this content
Log in