ମୋ ମାଆ ମୋର ପ୍ରଥମ ଗୁରୁ
ମୋ ମାଆ ମୋର ପ୍ରଥମ ଗୁରୁ
ମୋ ମାଆ ମୋର ପ୍ରଥମ ଗୁରୁ
✳️ ଗାଳ୍ପିକ ନୂତନ କୁମାର ବେହେରା
ମହାବିଦ୍ୟାଳୟର ଫାଟକ ଅତିକ୍ରମ କରୁ କରୁ ଅଙ୍କିତା ବେଶ୍ ଅନୁମାନ କରିନେଲା ଆଜିର ପରିବେଶକୁ,ଅନ୍ୟ ଦିନ ଠାରୁ କିଛି ନିଆରା। ଡିସେମ୍ବର ମାସର ପ୍ରବଳ ଶୀତରେ ବିରୋଧ
ତାକୁ ଅନୁଭବ ହେଉଥିଲା ଉଷୁମ ଉଷୁମ।
ଯାଉଁ ଯାଉଁ ଶ୍ରେଣୀ କଠୋରୀ ଆଡ଼କୁ ଜୋରରେ ପାଦ
ପକାଇ ଦ୍ରୁତ ବେଗରେ ଅଙ୍କିତା ପାଖକୁ ଆସିଲେ ଶ୍ରବଣା,
ମାଧୁରୀ ଓ ଅର୍ପିତା... ତାକୁ ଡେର୍ ସାରା ଅଭିନନ୍ଦନ ଜଣାଇ
ପାଛୋଟି ନେଲେ ପାଠାଗାର ଆଡ଼କୁ। ଏ ତିନି ଜଣ ତାର
ଅତି ପ୍ରିୟ। କଲେଜ୍ ରେ ଏ ଚାରି ବାନ୍ଧବୀଙ୍କର ଭଲ ପଡ଼େ।
ତାଙ୍କ ଭିତରେ ଖୁବ୍ ମେଳ। ପାଠରେ ତଥା କଥା ଭାଷା ରୁଚି ନୀତିରେ...ସଭିଏଁ ପ୍ରାୟତଃ ନିଜ ନିଜର ଯେତେ କଥା ଗପନ୍ତି
ନିରୋଳା ବେଳେ। କ୍ଲାସ୍ ନଥିଲେ ବସନ୍ତି ଯାଇ ବଗିଚାରେ ବା ପାଠାଗାରରେ।
ସେ ଦିନ ତରୁଣକୁ ନେଇ କଲେଜ ସାରା ଚର୍ଚ୍ଚା ହେଉଥିଲା,
ସବୁରି ମୁହଁ ଶୁଣିବାକୁ ମିଳୁଥିଲା ଅରୁଣର ପ୍ରଶଂସା।
ଏଇ ଅରୁଣ ତାଙ୍କ ସହିତ ପଢ଼େ। ଭାରି ମେଧାବୀ ବିଚକ୍ଷଣ,
ଶାନ୍ତ ଶିଷ୍ଟ ନମ୍ର ଭଦ୍ର। ଦେଖିବାକୁ ବି ସୁନ୍ଦର। ହେୟାର କଟ୍
ମାର୍ଜିତ, ସାଧାସିଧା ପୋଷାକ ସେଇ କଲେଜ୍ ଇୟୁନିଫର୍ମ।
ଅଳ୍ପ ମଧୁର କଥା, ହଁ କି ନା ରେ ଉତ୍ତର ଦିଏ। ଜରୁରୀ ମନେ
କଲେ ଛୋଟିଆ ଗୋଟେ କି ଦି'ଟା ବାକ୍ୟ କହେ। ଦଳ ଦଳ
ସାଙ୍ଗ ମେଳରେ ପ୍ରାୟତଃ ରହେନି। ପାଠ ,କଲେଜ୍ ଆଉ
ମେସ୍, ରାସ୍ତାରେ ଏକା ଏକା ଚାଲିଥାଏ ସଂଯମରେ। ବୁଲା
ବୁଲି ବହୁତ କମ୍ କରେ... ଦରକାର ପଡ଼ିଲେ। ତେଣୁ ଅନେକ ସାଙ୍ଗ ତାକୁ ଚିଡ଼ାଇବା ନୂଆ ନୂଆ ନାଆଁରେ ଡାକନ୍ତି। କିଏ କହେ ମଫ କିଏ କହେ କାର୍ଟୁନ୍ ବା ଆଉ କିଛି। ପ୍ରତିକ୍ରିୟା
କିଛି ତରୁଣ ଦେଖାନି। କେବେ କେବେ ଚାହିଁ ଦେଇ ହସି ଦିଏ ବା ସେ ଦିଗକୁ ନଜର ନ ଦେଇ ତା' ମନରେ ସେ ରହେ।
ଏଇ ଅରୁଣ ଗତକାଲି ନିଜ ଲେଖା କବିତା ପାଠ
ଇଣ୍ଟାର୍ କଲେଜ୍ ପ୍ରତିଯୋଗିତାରେ ବିଶ୍ବ ବିଦ୍ୟାଳୟରେ
ପ୍ରଥମ ହୋଇଛି। ସ୍ଵର୍ଣ୍ଣ ପଦକ ଲାଭ କରିଛି। ଏତେ ବଡ଼
ପ୍ରତିଯୋଗିତାରେ ପ୍ରଥମ ହେବା କମ୍ ବଡ଼ କଥା ନୁହେଁ।
ରାଜା ଗଡ଼ ଜିଣିଲା ପରି ... ତାର ଏଇ ସଫଳତା ପାଇଁ
ସମସ୍ତେ ପ୍ରଶଂସା କରୁଥିଲେ। ନିଜ କଲେଜ୍ ତରଫରୁ
ଆଜି ଏକ ସ୍ଵତନ୍ତ୍ର ସଭାରେ ତରୁଣକୁ ସମ୍ଵର୍ଦ୍ଧନା ଦିଆଯିବ।
ମାନ୍ୟବର ଭାଇସ୍ ଚ୍ୟାନ୍ସେଲର୍ ବିଜ୍ଞାପ୍ତି ଦେଇଛନ୍ତି।
ଏତେ ସବୁ କଥାର ଧାରା ବିବରଣୀ ଅଙ୍କିତାକୁ ଶୁଣାଇଲେ ତାର ତିନି ବାନ୍ଧବୀ ଶ୍ରବଣା, ମାଧୁରୀ ଓ ଅର୍ପିତା।
କାରଣ ଏ ସବୁ ସେ ଜାଣି ନ ଥିଲା। ଘରୋଇ କିଛି କାମରେ
ଦୁଇ ଦିନ ଅଙ୍କିତା କଲେଜ୍ ଆସି ନ ଥିଲା। ତାଙ୍କ ଫୋନ୍ ରୁ
କିଛି ଆଭାସ ପାଇଥିଲା...ତରୁଣ ଭିତରେ ଏ କବି ପ୍ରତିଭା
ଛପିଥିଲା ସେ କି କେହି ବି ଜାଣି ନ ଥିଲେ। ଆଉ ଏ କଥା
ତାକୁ ଶୁଣାଇବାର ଅର୍ଥ ତରୁଣକୁ ଅଙ୍କିତା ଭଲ ପାଏ ପ୍ଲସ୍
ଥ୍ରୀ ପ୍ରଥମ ବର୍ଷରୁ... କିନ୍ତୁ ତାଙ୍କର ସାଇଲେଣ୍ଟ୍ ଲଭ୍,
ଏକାଠି ବସି ଗପିବାର ନାହିଁ କି ସାଥୀରେ ପାର୍କ,ମଲ୍,
ରେଷ୍ଟୁରାଣ୍ଟ୍ କି ସିନେମା ଯିବାର ନାହିଁ। ଦୁହେଁ ମିଶି କେବେ ଭ୍ରମଣରେ ଯାଇ ନାହାଁନ୍ତି। ଏ କଥା ସେ ତିନି ଜଣ ବାନ୍ଧବୀ କେବଳ ଜାଣନ୍ତି।ଅଙ୍କିତାର ବିଶ୍ଵସ୍ତା ବାନ୍ଧବୀ ସେମାନେ। ସେଇଥି ପାଇଁ କାହାକୁ କେବେ କେହି କହି ନାହାଁନ୍ତି। ବନ୍ଧୁତା ପରିଭାଷାକୁ ସମ୍ମାନ ଦେଇ... ଗୁପ୍ତ ରଖିବା ଜରୁରୀ ଭାବି
ଗୁପ୍ତ ରଖିଛନ୍ତି ଏ କଥା।
କବିତା ପ୍ରତିଯୋଗିତାର ଶୀର୍ଷକ ଥିଲା " ମୋ ପ୍ରଥମ
ଗୁରୁ " । ସବୁ କଥା ସରିବା ପରେ ଅର୍ପିତା.... ନିଜେ ଅରୁଣ ଲେଖିଥିବା ଓ ପଠନ କରିଥିବା କବିତାଟିର ଏକ ଜେରକ୍ସ୍
କଫି ଅଙ୍କିତାକୁ ବହି ଭିତରୁ କାଢ଼ି ଦେଲା...ଅଙ୍କିତା କବିତାଟି
ଧରି...ଚଉତା ଥିବା କାଗଜ ଖୋଲି ତା' ଆଖି ଯୋଡ଼ିଏକୁ
ସେ କବିତାରେ ଫୋକସ୍ କଲା। ସେ କବିତା ତରୁଣ ଲେଖି
ଥିଲା ଏମିତି.......
ମୋ ପ୍ରଥମ ଗୁରୁ
* * *
ମୋ ପ୍ରଥମ ଗୁରୁ
ମୋ ପାଇଁ ଦେବୀ ମୋ ମାଆ
ଜୀବନର ଦୁର୍ବିଷହ କ୍ଳିଷ୍ଟ ନିଦାଘରେ
ଯିଏ ମୋ ପାଇଁ ବାଞ୍ଛା କଳ୍ପତରୁ ହୋଇ
ଦିଏ ଶୀତଳ ଛାୟା
ସିଏ ମୋ ଜନ୍ମଦାତ୍ରୀ ମାଆ
ସେ ମମତାମୟୀ ସ୍ନେହମୟୀ ମାଆ
ଜୀବନେ ସଦା ଦେଖାଏ ମୋତେ ରାହା
ପାଇଛି ପାଉଛି ମୁଁ ଯାହା
ସବୁ ତ ତା' ଠାରୁ
ତା' ପ୍ରେରଣାରେ ଜିତେ ମୁଁ ତ ହାରୁ ହାରୁ
ମୋ ମାଆ ମୋର ପ୍ରଥମ ଗୁରୁ
ସେ ଜନ୍ମ ଦେଇ ମୋତେ
ଜଗତର ଆଲୋକ ଦେଖାଇବାକୁ
ପ୍ରଥମେ ହୋଇଛି ସାହା
ମୋ କୁନି ହାତ ଧରି ଶିଖାଇଲା
ଚାଲିବାକୁ ମୋତେ
ଉତ୍ସାହ ଦେଲା ତାଳି ମାରି
ସାହସ ଶକତି ଦିଏ ହୃଦୟେ ଭରି
ଆଗରେ ପଛରେ ହୋଇ ଠିଆ
ମୋ ପ୍ରଥମ ଗୁରୁ
ମୋ ପୂଜ୍ୟନୀୟା ବନ୍ଦନୀୟା ମାଆ
ଚାଲୁ ଚାଲୁ ବାଟେ ପଡ଼ିଲେ ଝୁଣ୍ଟି
ଦଉଡ଼ି ଆସି କୋଳାଇ ନିଏ
ତା' ପଣତରେ ମୁହଁ ପୋଛି ଦିଏ
ମୋ ଆଖିରୁ ଲୁହ ଝରୁ ଝରୁ
ଅମିୟ ଧାରା ବହି ଆସେ ତା' ହୃଦୟରୁ
ମାଆ ନାମ ମହୁଠୁ ଅଧିକ ମଧୁର
ସିଏ ମୋ ପାଇଁ ସବୁଠୁ ବେଶି ନିଜର
ମୋ ମୁଣ୍ଡରେ ତାର ହାତ ରଖି
ଶୁଭ ମନାସି ମୋର
ଆଶିଷ ମାଗେ ଦିଅଁ ଦେବତାଙ୍କଠାରୁ
ସୁଖ ଶାନ୍ତି ତୃପ୍ତି ମିଳୁ ମୋତେ
ଜୀବନରେ କେବେ ନ ଯାଏଁ ହାରି
ମୋ ମାଆ ନମସ୍ୟା ଅଖଣ୍ଡ ତା' ତପସ୍ୟା
ସେବା ଯତ୍ନ ତ୍ୟାଗେ ଧରିତ୍ରୀ ପରି ସର୍ବଂସହା
କାଚରୁ କାଞ୍ଚନ କରିବାକୁ ମୋତେ
କରେ କେତେ ବାର ବ୍ରତ ଓଷା
ଦୁଃଖ ବିଷାଦ ଦୂର କରେ ମୋ ମନରୁ
ସେଇ ମୋ ପ୍ରଥମ ଗୁରୁ
ମୋ ମାଆ ମୋର ପ୍ରଥମ ଗୁରୁ...।
କବିତାଟି ପଢ଼ି ସାରିଲା ବେଳକୁ ତା' ଆଖିରେ ଲୁହ
ଜକେଇ ଆସିଲା...ମନେ ପଡ଼ିଗଲା ସେ ଦିନ ତରୁଣ ତାକୁ
ଯା' କହିଥିଲା। ମନର କଥା ମନରେ ସାଇତି ରଖିଛି ସେ।
ଏ ତିନି ବାନ୍ଧବୀକୁ କହିନି... ଏତେ ଆତ୍ମୀୟତାରେ ବି।
ଛଅ ମାସ ତଳେ ଦେଖା ହୋଇଥିଲା ତରୁଣ ସହିତ
ଅଙ୍କିତାର ଅଚାନକ ଏକ ସଂଯୋଗ ବଶତଃ... ନିରୋଳାରେ
ସେ ଅରୁଣକୁ କହିଥିଲା ମନକଥା ଖୋଲି।
-- ଅରୁଣ ମୁଁ ତୁମକୁ ଭଲ ପାଏ, ପ୍ରାଣ ଭରି। ତୁମେ ମୋତେ ସେତିକି ଭଲ ପାଅ କି...?
ଅରୁଣ ଅଙ୍କିତା ଠାରୁ ଭଲ ପାଇବା କଥା ଶୁଣି ପ୍ରଥମେ
ଘାବେରାଇ ଯାଇ ଥିଲା। ସ୍ତବ୍ଧରେ ନିର୍ବାକ୍ ହୋଇ ଜଡ଼ ପାଲଟି
ଯାଇଥିଲା କିଛି ସମୟ...ତା' ପରେ ପ୍ରକୃତିସ୍ଥ ହୋଇ ସେ କହି
ଥିଲା....
--- ଅଙ୍କିତା... ଏମିତି ଭାବରେ ତୁମେ ମୋତେ...
--- ଦୁଇ ବର୍ଷ ହେଲା ତୁମକୁ ଭଲ ପାଉଛି। ତୁମଠୁ କିଛି ବି
ସବୁଜ ସଂକେତ ନ ପାଇ ଶେଷକୁ କହିବାକୁ ବାଧ୍ୟ ହେଲି।
--- ଆରେ ତୁମେ କେଉଁଠି ମୁଁ କେଉଁଠି... ଯେତିକି ଜାଣିଛି
ତୁମେ ବଡ଼ ଘରର ଝିଅ,ବାପାଙ୍କ ପରୀ...ପାଠ ତ ବହୁତ
ଭଲ ପଢୁଛ... ଏମିତି ଏ ଭଲ ପାଇବା ଭୂତ ତୁମ ମନକୁ
ଆସିଲା କେମିତି...?
--- ତୁମେ ମୋତେ ଭୁଲ୍ ବୁଝିବନି। ଚେଷ୍ଟା କରି ଭଲ ପାଇ
ହୁଏନା...ଭଲ ପାଇବା ହୋଇ ଯାଏ... ତୁମେ କେମିତି
ମୋତେ ଏତେ ଭଲ ଲାଗ... ମୁଁ କହି ପାରିବିନି। ମୁଁ ଯଦି
ତୁମ ପାଇଁ ଯୋଗ୍ୟା ନୁହେଁ ତେବେ କୁହ...ତୁମକୁ କିଛି ବି
କହିବିନି...ଯେମିତି ନୀରବରେ ରହି ଭଲ ପାଇଛି ସେମିତି
ସାରା ଜୀବନ ନୀରବରେ ଭଲ ପାଉଥିବି....
--- ଶୁଣ, ତୁମ ପରି ସୁନ୍ଦରୀ ବୁଦ୍ଧିମତୀ ଝିଅଟିଏ ପାଇବା ଯେ
କୌଣସି ପୁଅ ପାଇଁ ସୌଭାଗ୍ୟର କଥା। କିନ୍ତୁ ତୁମେ
ଜାଣି ନ ...ମୋ କଥା...ଶୁଣିବ ଯଦି କହିବି...
--- କୁହ...
ଆଉ ତରୁଣ କହିଥିଲା...
--- ମୁଁ ସାମାନ୍ୟ୍ ଜଣେ ଫେମିଲି ପେନସନ୍ ଭୋଗୀ
ପରିବାରର ପିଲାଟିଏ। ମୁଁ ପାଞ୍ଚ ବର୍ଷର ଥିଲି ମୋ ବାପା
ଏକ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଲେ । ବୃଦ୍ଧ ବୃଦ୍ଧା
ଜେଜେ ବାପା, ଜେଜେମା ଆଉ ମୋ ମାଆ...ବାପା ଛୋଟ
ଚାକିରିଟିଏ କରିଥିଲେ। ମାଆ ଫେମିଲି ପେନସନ୍ ପାଏ।
ସେଥିରେ ଘର ଚଳେ ଓ ମୋର ପଢ଼ା ଖର୍ଚ୍ଚ ହୁଏ। ମାଆ
ଘରେ ଟେଲରିଙ୍ଗ୍ କାମ କରି କିଛି ଟଙ୍କା ରୋଜଗାର
କରେ। ପଢ଼ାରେ କେବଳ ମୋର ଧ୍ୟାନ। ମୋ ମାଆ ମୋ
ପ୍ରଥମ ଗୁରୁ, ତା' ପାଦ ଛୁଇଁ ମୁଁ ଶପଥ କରିଛି...ତାର ସ୍ବପ୍ନ
ସାକାର କରିବି। ବଡ଼ କିଛି ପଦ ପଦବୀର ଅଧିକାରୀ ନ
ହେବା ଯାଏଁ ମୁଁ ଏମିତି କିଛି ବି କଥା ଭାବିନି... ଭାବି
ପାରିବିନି। ସେଇ ମାଆ ମୋତେ ପଢାଇଛି... ସବୁ ନୀତି
ଆଦର୍ଶ ଶୃଙ୍ଖଳା ଶିଖାଇଛି।ରାମାୟଣ ମହାଭାରତର କଥା
ଶୁଣାଇଛି। ଇତିହାସର ମହାନ୍ ଚରିତ୍ରମାନଙ୍କର ସାଧନା
ସିଦ୍ଧିର କଥା କହି ସର୍ବଦା ପ୍ରେରଣା ଦେଇ ଆସିଛି। ମୁଁ
ତାର ଜୀବନ। ମୁଁ କିଛି ଭୁଲ୍ କଲେ ସେ...ବଞ୍ଚିବ ନାହିଁ।
ଏମିତି ମୋ ପରିସ୍ଥିତି... ତୁମକୁ କିଛି ପ୍ରତିଶ୍ରୁତି ଦେବା
ମୋ ପାଇଁ ସେ ଶଠତା... ପ୍ରବଞ୍ଚନା କରିବା ହେବ...
---ଆଖିରୁ ଲୁହ ପୋଛି ଅଙ୍କିତା କହିଥିଲା... ତୁମର କଥା ସବୁ
ନ ଜାଣି ଏତେ ଭଲ ପାଇଛି ଆଉ ଜାଣି ଜାଣିଲା ପରେ
ଏଣିକି ନିଶ୍ଚିତ ହୋଇଗଲି ସାରା ଜୀବନ ଭଲ ପାଉଥିବି,
ତୁମେ ମୋତେ ଭଲ ପାଅ କି ନ ପାଅ... ତୁମ ମୁଁ
ଅପେକ୍ଷା କରିଥିବି....ମୋର କିଛି ତ୍ରୁଟି ଥିଲେ ତୁମର
ମହନୀୟ ଗୁଣରେ କ୍ଷମା କରି ଦେବ...।
ସେ ଦିନରୁ ଏତିକି କଥା। ଅଙ୍କିତା ହୃଦୟରେ ଲେଖା
ହୋଇ ରହିଛି। କଲେଜ୍ ରେ ଦେଖା ହୁଏ ତରୁଣ ସହିତ,
ନୀରବରେ ସେ ଜଣାଏ ତାର ମନ କଥା ତରୁଣକୁ ଯେମିତି
ସରୋବରର କୁମୁଦିନୀ ଜଣାଏ ଚନ୍ଦ୍ରମାକୁ...।
ଆଜି ତରୁଣର କବିତା ପଢି ଆଉ ତା' ଜୀବନୀ କଥା ଭାବି ଅଙ୍କିତା ସତେକି ଆବିଷ୍କାର କଲା ଆଉ ଏକ ଅନନ୍ୟ ସତ୍ୟବାନଙ୍କୁ।ତରୁଣର ମାଆ ଯିଏ କି ତାର ପ୍ରଥମ ଗୁରୁ...
ସେ ଜଣେ ମାନବୀ ରୂପରେ ଦେବୀ... ଅଙ୍କିତାର ହୃଦୟ କହୁଥିଲା ସେ ପ୍ରଥମ ଗୁରୁଙ୍କ ପଦଧୂଳି କେମିତି ଶିଘ୍ର ପାଇଥାନ୍ତା ସେ ...ପବିତ୍ରା ହୋଇଯାନ୍ତା... ଆଜିର ସବୁ ପୁଅ ତରୁଣ ପରି ହୋଇଥାନ୍ତେ ଏମିତି ମାଆଟିଏ ହେଲେ ପ୍ରଥମ ଗୁରୁ...।
ବାଃ ତରୁଣ...ବାସ୍ତବ ଜୀବନର ପ୍ରତିଛବି ତୁମ କବିତା
" ମୋ ପ୍ରଥମ ଗୁରୁ "...ସେ ଦେବୀଙ୍କୁ କୋଟିଏ ପ୍ରଣାମ।
କଲେଜ୍ ଘଣ୍ଟା ସୂଚନା ଦେଲା...ଏବେ ତାଙ୍କର କ୍ଳାସ
ହେବ। ଚାରି ବାନ୍ଧବୀ ପାଠାଗାରରୁ ଉଠି ଚାଲିଲେ ଶ୍ରେଣୀ
କଠୋରୀ ଅଭିମୁଖେ...।
ଆଉ ବହୁତ ଉତ୍କଣ୍ଠା ଥିଲା ଅଙ୍କିତାର...ତରୁଣକୁ
ଦେଖିବା ପାଇଁ ...ସେ ସମ୍ଵର୍ଦ୍ଧନା ସଭାରେ ସମ୍ମାନୀତ
ହେବାର... ଏବଂ ଫୋଟଟିଏ ଉଠାଇ ରଖିବ ତା' ପାଖରେ
ସ୍ମୃତିକୁ ଜୀବନ୍ତ କରି ରଖିବା ପାଇଁଁ ...।
କୋହି,ବାରିପଦା,ମୟୂରଭଞ୍ଜ।
