ପିତାମାତା ଯେଉଁଠି ସୁଖ ଶାନ୍ତି ସେଇଠି
ପିତାମାତା ଯେଉଁଠି ସୁଖ ଶାନ୍ତି ସେଇଠି
କାର୍ତ୍ତିକ ମାସ ମଝାମଝି, ସଞ୍ଜ ସକାଳେ ସୁଲୁ ସୁଲିଆ ଶୀତୁଆ ପବନ ଚୁମା ଦେଉଥାଏ ସରାଗରେ ଅଦୂରରୁ ବହି ଆସି। ସ୍ବଚ୍ଛ ସୁନ୍ଦର ପରିବେଶ, ପର୍ବ ପାର୍ବଣୀର ଧାରାରେଉଲ୍ଲସିତ ହେଉଥାଏ। ଆସିବାର ଉପକ୍ରମରେ ମାର୍ଗଶିର।
କ୍ଷେତେ କ୍ଷେତେ ପାଚି ଆସୁଥିବା ଧାନ ମୁଣ୍ଡ ନୁଆଇଁ କରୁଥାଏ ପ୍ରକୃତିକୁ ବିଧାତାଙ୍କୁ ପ୍ରଣାମ। ସୁନାର ଆବରଣରେ ଧରିତ୍ରୀ ମାଆ ଆତ୍ମସନ୍ତୋଷରେ ହସୁଥାଏ। ଚାଷୀ ମନ ଛନଛନ, ଧର୍ମପତ୍ନୀ ତା'ର ଘର ଅଗଣା ବାଡ଼ିର ଖଳାରେ ମା' ଲକ୍ଷ୍ମୀ ପାଦ ଚିହ୍ନ,ପଦ୍ମଫୁଲ,ମୁରୁଜ ଆଦି ଆଙ୍କିବା ପାଇଁ ବଟା ଅରୁଆ ଚାଉଳର ହାତ ତିଆରି ରଙ୍ଗରେ ହେଉଥାଏ ଉଛୁର। ପୂଜା କରିବ ଗୁରୁବାର ଓଷା ପାଳି। ସମସ୍ତଙ୍କର ଶୁଭ ମନାସିବ,
ଧନ ଧନ୍ୟରେ ପୂରି ଉଠୁ ଘର। ନ ରହୁ କିଛି ବି ଅଭାବ
ଅନାଟନ।
ଏମିତି ଏକ ମାଙ୍ଗଳିକ ମୁହୂର୍ତ୍ତର ଧାରାରେ ଚାଲୁଥିବା ବେଳେ ମଣିଷ ଶାନ୍ତି ତୃପ୍ତି ସନ୍ତୋଷରେ, ତା' ଜୀବନକୁ ମଣେ ସେ ଧନ୍ୟ। ସଫଳତା ପାଇବାର ମୁହୂର୍ତ୍ତଟି ସମସ୍ତଙ୍କ ପାଇଁ
ଏକ ଶୁଭ ଦାୟକ ଆବେଗମୟ,ବହୁ ପ୍ରତୀକ୍ଷାର ହୁଏ ଅନ୍ତ, ପୁଣି ନୂଆ ଏକ ଆରମ୍ଭକୁ ଦିଏ ପ୍ରେରଣା। ହୃଦୟରେ ଆସେ ଉତ୍ସାହ ମନ ଆଗ୍ରହର ସହିତ ଚଳାଏ ଅଭିଯାନ।
ସେଦିନ ଅଫିସ୍ ରୁ ଫେରି ପ୍ରମୋଦ ଫ୍ରେସ୍ ହେଉଥାଏ,
ଶୁଣିଲା ଚାର୍ଜରେ ଦେଇଥିବା ତାର ମୋବାଇଲ୍ ଟି ବାଜୁଛି ବାରମ୍ବାର,ସେଟ୍ ହୋଇଥିବା ରିଙ୍ଗ୍ ଟୋନ୍ ରେ। ବାଥ୍ ରୁମରୁ ତରତର ବାହାରି ଆସିଲା ସେ। ଚାର୍ଜରୁ କାଢ଼ି ଦେଖିଲା ମିସ୍ କଲ୍ ହୋଇଛି... ତାଙ୍କ ସହଧର୍ମିଣୀ ସରିତା କରିଛନ୍ତି।
ପ୍ରମୋଦ କଲ୍ କଲା, କିଛି କହିବା ପୂର୍ବରୁ ସେ ପଟୁରୁ
ଶୁଣିଲା...ଶିଘ୍ର ଆସିବ,ବାପା ଭାରି ଅସୁସ୍ଥ,ଆମେ ତାଙ୍କୁ
କଟକ ନେଇ ଯାଉଛୁ ଆମ୍ବୁଲାନ୍ସରେ... ତୁମେ ଯେତେ ଶିଘ୍ର
ପାରିବ ଆସି ପହଞ୍ଚିବ...ସେ ହଁ କହି ଫୋନ୍ ଟି କାଟି ସଙ୍ଗେ
ସଙ୍ଗେ ବାହାରି ପଡ଼ିଲା ଷ୍ଟେସନକୁ...।
ଏଇ ପ୍ରମୋଦ ଆଜିକାଲିର ସାଧାରଣ ପୁଅ ପରି ନୁହେଁ।
ବହୁ ଦିଗରେ ମାର୍ଜିତ ଶୃଙ୍ଖଳିତ। ଅନ୍ୟମାନଙ୍କ ଠାରୁ ନିଆରା।
ପିତାମାତାଙ୍କୁ ତାର ଦେବାଦେବୀଙ୍କ ପରି ପୂଜା କରେ। ସେ
ତାର ଶିକ୍ଷା ଦୀକ୍ଷା ଆଉ ଅଭିଜ୍ଞତାରେ ଏତିକି ଦୃଢ଼ ଭାବରେ
ହୃଦବୋଧ କରିଛି " ପିତାମାତା ଯେଉଁଠି ସୁଖ ଶାନ୍ତି ସେଇଠି ", ଆଜିର ସମାଜରେ କେତେକେ ଏହାର ବିରୋଧାଭାସ ଦିଅନ୍ତି କିଏ କିଏ ବିପରୀତ କରେ ମଧ୍ୟ। ଦୈନିଦିନର ସାମାଜିକ ଜୀବନରେ ପରିବାରର ଖଣ୍ଡ ଖଣ୍ଡ ହେବା ରୂପରେଖ ଏତେ ତ ସାର୍ବଜନ ବିଦିତ। ପୁଅଟିଏ ହାତକୁ ଦି ହାତ ହେଲେ ଉଡ଼ା ଚଢ଼େଇ ପରି ତା' ସ୍ତ୍ରୀକୁ ଧରି ଉଡ଼ି ଯାଇ ବାହାରେ ବସା ବାନ୍ଧେ। ସେ ସରକାରୀ ଚାକିରି କରିଥାଉ କି ବେସରକାରୀ। ପିତାମାତାଙ୍କ ସହିତ ସଂପର୍କ ରଖେ ନାହିଁ, ପୁଅର ଦାୟିତ୍ଵ କର୍ତ୍ତବ୍ୟ ପ୍ରାୟତଃ ସେ ତୁଲାଏ ନାହିଁ। ଅଭିଶପ୍ତ ଜୀବନ
ଯାପନ କରନ୍ତି ବୃଦ୍ଧ ପିତା ବୃଦ୍ଧା ମାତା। ତାଙ୍କ ଶ୍ରମ ଓ ସାଧନାରେ ପାଇଥିବା ସଫଳତା ଯା' ଭବିଷ୍ୟତ ବୋଲି
ଭାବୁଥିଲେ... ସେ ସବୁ ତାଙ୍କ ଆଖି ଆଗରେ କୁହୁଡି ପାଲଟେ,
ଜୀବନ ଶେଷ ହେବା ଯାଏଁ ଆଖିରୁ ଲୁହ ଝରାଇବା ସାର
ହୁଏ ତାଙ୍କ ପାଇଁ। ସମୟ ଅତିବାହିତ ହୋଇଯାଏ ସେ ପୁଅମାନେ କେବେ ବୁଝନ୍ତି ନାହିଁ " ପିତାମାତା ଯେଉଁଠି ସୁଖ ଶାନ୍ତି ସେଇଠି "। କେହି କେହି ବୁଝିଲା ବେଳେକୁ ସମୟ ନ ଥାଏ ତାଙ୍କ ହାତରେ।
ପ୍ରମୋଦ ସେମିତି ପୁଅଙ୍କ ପରି ନୁହେଁ। ସେ ସ୍ଵତନ୍ତ୍ର।
ପିତାମାତଙ୍କ ପାଇଁ ଗର୍ବ କରେ। ତା' ଜୀବନରେ ଯେତିକି
ବି ସେ ସଫଳତା ପାଇଛି ସେଥିପାଇଁ ସେ ତାର ଜନକ
ଜନନୀଙ୍କୁ ଶ୍ରେୟ ଦିଏ। ସବୁକୁ ତାଙ୍କର ଆଶୀର୍ବାଦ ବୋଲି
ମନ ପ୍ରାଣରେ ଗ୍ରହଣ କରେ।
ଭକ୍ତ ମଧୁସୂଦନ ରାଓଙ୍କ ଅମୃତ ପଦଟିଏ ସ୍ମରଣ କରେ,
" ପିତାମାତା ଠାରୁ ବଡ଼ ଦେବତା କେ
ସରଗ ରାଇଜେ କାହିଁ ?
ତାଙ୍କରି ଆଶିଷ ସାହା ଏକା ସିନା
ବିପଦୁଁ ତରିବା ପାଇଁ "।
ପୁନଶ୍ଚ ତାର ସ୍ମରଣକୁ ଆସେ
" ପିତା ସ୍ଵର୍ଗଃ ପିତା ଧର୍ମଃ ପିତା ହିଁ ପରମଂ ତପଃ,
ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତାଃ "।
ମାତାଙ୍କ ପାଇଁ ବି ଭାବେ ସେ...
" ଜନନୀ ଜନ୍ମ ଭୂମିଶ୍ଚ ସ୍ଵର୍ଗାଦପି ଗରୀୟସୀ "
ଏ ସବୁ ବେଦବାଣୀକୁ ଅକ୍ଷରେ ଅକ୍ଷରେ ମାନୁଥିବା ପୁଅ ଭିତରେ ପ୍ରମୋଦ ଜଣେ।
ବାପା ତାର ସେମିତି ପ୍ରତିଷ୍ଠିତ ଜଣାଶୁଣା ସମ୍ମାନନୀୟ
ଭଦ୍ରବ୍ୟକ୍ତି ନୁହଁନ୍ତି ଆଜିର ସମାଜରେ। କିନ୍ତୁ ସେ ଠିକ୍
ହିସାବର ମଣିଷ,ସରଳ ନିରୀହ ଶାନ୍ତ ସ୍ଵଭାବର। ତାଙ୍କର ଚଳଣୀରେ ନାହିଁ ଆଡ଼ମ୍ବର,ଆୟ ନେଇ ବ୍ୟୟ କରିବାର ଜ୍ଵଳନ୍ତ ଉଦାରଣଟିଏ ସେ।ଉଦାର ନିରପେକ୍ଷ ବିଚାର
ତାଙ୍କର। ଭାଗବତ ପ୍ରେମୀ ଈଶ୍ଵର ବିଶ୍ଵାସୀ। ଗୀତା ପଢନ୍ତି
ଓ ଆବଶ୍ୟକ ସ୍ଥଳେ ଆଧ୍ୟାତ୍ମିକ ଜ୍ଞାନ ଚର୍ଯା କରନ୍ତି। ସେ ବେଳରେ ସେ ମ୍ୟାଟ୍ରିକ ପାଶ୍ କରିବା ଲୋକ। ଦ୍ଵିତୀୟ
ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ଯେତିକି ଜ୍ଞାନ ତାଙ୍କର
ତାକୁ ପ୍ରୟୋଗ କରିବାରେ ସେ ସଦା ସଜାଗ ଥାନ୍ତି। ଘର
ସଂସାରକୁ ସୀମିତ ରୋଜଗାରରେ ଚଳାନ୍ତି ଓ ଅଭାବ
ଅନାଟନରେ ସମସ୍ତଙ୍କୁ ଧୈର୍ଯ୍ୟ ଧରିବାକୁ ପ୍ରେରଣା ଦିଅନ୍ତି।
ବୁଝାନ୍ତି ହସ ଲୁହର ସଂସାର। ଆଜିର ଦୁଃଖ କାଲିକୁ ନ
ଥିବ... ଯିଏ ଦୁଃଖ ଦୂରେଇବାର ଉଦ୍ୟମ ପ୍ରଚେଷ୍ଟା ଥିବ,
ଆସିଥିବା ଦୁଃଖ ବେଶି ସମୟ ରହି ପାରିବ ନାହିଁ ତା'
ପାଖରେ....। ସେ ଜଣେ ଭଲ ଚାଷୀ। ତାଙ୍କ ପିତୃ ସତ୍ତ୍ଵ
ଜମି ତିନି ମାଣ ଓ ଏକ ଏକର ଘର ବାଡ଼ି। ଧାନ ଓ ପରିବା ଚାଷ କରନ୍ତି... ଉନ୍ନତ ମାନରେ। ସେତେବେଳେ ସେ ଗୋଟେ ଦି'ଟା ଏମିତି ଛୋଟ ମୋଟ ଚାକିରି ପାଇ ବି ପାଇଥିଲେ,
ଗଲେ ନାହିଁ କାରଣ ସେ ଦେଖିଲେ ଯେତିକି ଦରମା ପାଇବେ
ସେ ଚାକିରିରେ ତା'ଠୁ ବେଶି ପାଇବେ ଚାଷରୁ। ଚାଷ ସହିତ
ଛୋଟ ବ୍ୟବସାୟ ମଧ୍ୟ କରନ୍ତି। ତାଙ୍କର ହାତ ଗଣତି କେଇ ଜଣ ମାତ୍ର ସାଙ୍ଗ ସାଥୀ। ଯିଏ ତାଙ୍କର ରୁଚି କି ଗୁଣର ନୁହେଁ ତା'ଠାରୁ ସେ ଦୂରେଇ ରୁହନ୍ତି। କେବେ କିଛି ନିଶା ଦ୍ରବ୍ୟ ସେ ଛୁଇଁ ନାହାଁନ୍ତି। ଏ କଥା ଯିଏ ଶୁଣେ ବିଶ୍ବାସ କରେ ନାହିଁ।
ତାଙ୍କୁ ଯିଏ ଜାଣେ ସଂପୂର୍ଣ୍ଣ ଭାବରେ ସେ ହିଁ ବିଶ୍ଵାସ କରେ।
ସେ ସାଦାସିଧା ସଚ୍ଚୋଟ ମଣିଷଟିଏ।
ଏମିତି ଏକ ଆଦର୍ଶ ସ୍ଥାନୀୟ ବାପାର ପୁଅ ପ୍ରମୋଦ।
ବାପା ମାଆଙ୍କ ସେବା ଯତ୍ନ ପାଇ ସେ ଆଜି ଏକ ବଡ଼
କମ୍ପାନୀରେ ଇଂଜିନିୟର୍। ମୋଟା ଅଙ୍କର ଦରମା। ସବୁ
ସୁବିଧା ଥାଇ ମଧ୍ଯ ପରିବାର ନେଇ ନାହିଁ ସେ ସାଥୀରେ,
ସ୍ତ୍ରୀ ସରିତାକୁ ବୁଝାଏ...ଘରେ ରହି ବାପାମାଆଙ୍କ ସେବା କର ପିଲାମାନଙ୍କର ଯତ୍ନ ନିଅ। ପୁଅ ତାଙ୍କର ଅଷ୍ଟମୀରେ ଓ ଝିଅ
ପଞ୍ଚମରେ। ସରିତା ଅନେକ ଥର କୁହନ୍ତି ପିଲାଙ୍କୁ ବାହାରେ
ଭଲ ଅନୁଷ୍ଠାନରେ ଛାଡିବା ପାଇଁ। ମାତ୍ର ପ୍ରମୋଦ କହେ,
ତାଙ୍କ ବାପା ସେ ନିଜେ ଏଇ ଗାଁ ସ୍କୁଲରେ ପଢ଼ିଛନ୍ତି।ତୁମେ ବି ତ ତୁମ ଗାଁ ରେ ପଢିଛ। କାହିଁ କିଛି ତ ଅସୁବିଧା ହୋଇନି। ଆମ ପିଲାମାନେ ଏ ସ୍କୁଲ୍ ରେ ପଢ଼ି ଆମରି ପରି ମଣିଷ ହେବେ ଆମକୁ ଦେଖି, ଯେମିତି ମୁଁ ବାପାଙ୍କର ଆଦର୍ଶରେ
ଚଳି ଆସିଛି ସେମାନେ ବି ସେମିତି ହେବେ। ମାଆ ମାତୃଭୂମି ଆଉ ମାତୃଭାଷା ହିଁ ବ୍ୟକ୍ତିର ପ୍ରତିଭା ବିକାଶ ପାଇଁ ଯଥେଷ୍ଟ। ଏହା ମୁଁ ହୃଦୟର ସହିତ ଗ୍ରହଣ କରି ଏତିକି ଯାଏଁ ଆସିଛି। ତୁମେ ମୋର ପତ୍ନୀ ଅନୁଗାମିନୀ, ମୋର କଥାର କିଛି ତ୍ରୁଟି ଥିଲେ ତୁମେ ମୋତେ କୁହ... ତା'ଠାରୁ ଭଲ ଓ ମହତ କ'ଣ କହିବ।ସରିତା ସ୍ଵାମୀଙ୍କର କଥା ମାନେ ତାଙ୍କୁ ସମ୍ମାନ ଦିଏ, ଶାଶୁ ଶଶୁରଙ୍କୁ ଭକ୍ତି କରେ। ବୋହୂ ପରି ବୋହୂଟିଏ। ଓଡ଼ିଆ
ସଂସ୍କାର ପରମ୍ପରା ବଜାଇ ରଖିବାରେ ଷୋହଳ ଅଣା ସେ,
ସମର୍ପିତା ସେ ତାଙ୍କ ପରିବାର ପାଇଁ। ଘରକୁ ମନ୍ଦିର କରି ଗଢ଼ିବାକୁ ଶ୍ରମ ସାଧନା ତାଙ୍କର। ଆଜିର ସଭ୍ୟ ଦୁନିଆଁରେ ଏମିତି ମନ ମେଳର ପରିବାର କ୍ଵଚିତ।
ପ୍ରମୋଦ ପ୍ରତି ମାସ ଶେଷରେ ଘରକୁ ଆସନ୍ତି ।
କେବେ କେବେ ପିଲାମାନଙ୍କର ଛୁଟି ଥିଲେ ବାପାମାଆଙ୍କ
ସହିତ ସମସ୍ତଙ୍କୁ ବୁଲାଇ ନିଅନ୍ତି ଓ କିଛି ଦିନ ତାଙ୍କ ପାଖରେ
ମଧ୍ୟ ସମସ୍ତେ ରୁହନ୍ତି।
ବାପାଙ୍କ ବୟସ ସତୁରୀ ଛୁଇଁଲା। ଦେହ ପା' କଥା।
ସେମିତି କେବେ ବଡ଼ ଧରଣ କିଛି ଦେହ ଖରାପ ବାପାଙ୍କର
ହୋଇନି। ତେଣୁ ବହୁତ ବ୍ୟସ୍ତରେ ରାତାରାତି ଆସି କଟକ
ହସ୍ପିଟାଲ୍ ରେ ପହଞ୍ଚିଲା ସେ । ବାପାଙ୍କୁ ବେଡ଼ରେ ଶୋଇ ଥିବାର ...ଆସି ଦେଖିଲା। ପାଖରେ ମାଆ ଆଉ ତାଙ୍କ ସ୍ତ୍ରୀ।
ମାଆ ପ୍ରମୋଦକୁ ଦେଖି ଛଳଛଳ ଆଖି କରି କାନ୍ଦି
ପକାଇଲା। ସରିତା ଆଶ୍ବସ୍ତି ପ୍ରକାଶ କଲେ।
ପ୍ରମୋଦ ବାପାଙ୍କୁ ତୁନି ଗଳାରେ ଡ଼ାକିଲା...ବାପା,
କଡ଼ ଲେଉଟାଇ ପ୍ରମୋଦକୁ ଚାହିଁଲେ...।
--- ଏବେ କେମିତି ଲାଗୁଛି ବାପା...?
--- ତୁ, ବ୍ୟସ୍ତ ହ ନା, ମୋର ସେମିତି ବିଶେଷ କିଛି ହୋଇନି,
କେମିତି ହଠାତ୍ ମୁଣ୍ଡ ବୁଲିଗଲା ମୋ ଅଜଣାତରେ..
--- ବେଶି କଥା କୁହନି ବାପା, ରେଷ୍ଟ ନିଅ।
ପ୍ରମୋଦ ମାଆ ଓ ସ୍ତ୍ରୀ ସହିତ କଥା ହୋଇ ଜାଣିଲା,
ବାପାଙ୍କର ଏ ପ୍ରଥମଥର ହାର୍ଟ ଷ୍ଟ୍ରୋକ୍...।
ତା'ପରେ ଡ଼ାକ୍ତରଙ୍କ ସହିତ ବାପାଙ୍କର ସ୍ଵାସ୍ଥ୍ୟର ସବୁ
କଥା ବୁଝିଥିଲା। ଯତ୍ନରେ ରହିଲେ ସମସ୍ୟା ବଢ଼ିବ ନାହିଁ।
ଭଲ ରହିବେ...।
ତିନି ଦିନ ପରେ ବାପାଙ୍କୁ ଘରକୁ ନେଇ ଫେରିଥିଲେ।
ତାଙ୍କର ମାମୁଁ ମାଇଁ,ବନ୍ଧୁ ବର୍ଗ, ଯେତେ ଅତିଥି ବାପାଙ୍କୁ
ଦେଖିବା ପାଇଁ ଆସିଲେ।
ମାମୁଁ କହୁଥିଲେ " ଭିଣୋଇ ତୁମର କ'ଣ ଏତେ ଚିନ୍ତା
ଯେ... ପ୍ରମୋଦ ପରି ପୁଅ ଥାଉଁ ଥାଉଁ। ତୁମେ ତ ଭାଗବତ
ବାଣୀକୁ ବାସ୍ତବରେ ପ୍ରମାଣିତ କରିଛ...।
" ପିତାମାତାଙ୍କ ପୁଣ୍ୟ ବଳେ,
ସୁପୁତ୍ର ଉପୁଜଇ କୋଳେ " ।
ଏ ବାଣୀ ତ ତୁମ ପରିବାରରେ ଶତ ପ୍ରତିଶତ ସାକାର ହୋଇଛି। ପ୍ରମୋଦ ତୁମରି ଆଦର୍ଶରେ ଗଢ଼ା।
ଏତିକି ବେଳେ ମାମୁଁଙ୍କ ପାଇଁ ସରିତା ଚା' ବିସ୍କୁଟ
ନେଇ ଆସିଲା... ସାଥୀରେ ଥିଲା ତାଙ୍କର ଝିଅ ସେବତୀ।
ମାମୁଁ ସେବତୀକୁ ଗେଲ କରି କହିଲେ...କିଲୋ,
ତୁମେ କେମିତି ଅଛ... ପଢ଼ାପଢ଼ି ଠିକ୍ ଠାକ୍ ଚାଲିଛି ତ !
ପ୍ରମୋଦର ଝିଅ ସେବତୀ... ମାମୁଁଙ୍କ ନାତୁଣୀ, ତେଣୁ
ମଜାରେ ମଜାରେ ହସି ଥଟ୍ଟା କରନ୍ତି।
ସେବତୀ ପାଖକୁ ଆସି କହିଲା ଜେଜେ ! ଶୁଣ ମ...
ଆମ ଗୁରୁ ମା', ଗୁରୁଜୀ କୁହନ୍ତି... ପିତାମାତା ଯେଉଁଠି,
ସୁଖ ଶାନ୍ତି ସେଇଠି " ମୁଁ ତ ପିତାମାତାଙ୍କ ଓ ଜେଜେ
ଜେଜେ ମାଆଙ୍କ ସହିତ ଅଛି.. ପୁରା ଖୁସିରେ...।
ସେବତୀ କଥା ଶୁଣି ସମସ୍ତେ ହସିଲେ ଏକ ତୃପ୍ତିର
ହସ। ରୁମ୍ ରୁ ପ୍ରମୋଦ ସବୁ ଶୁଣି ଭଗବାନଙ୍କୁ ହାତଯୋଡ଼ି
ପ୍ରଣାମ କଲା ଆଉ ଅନୁଭବ କରୁଥିଲା ସେ ବାସ୍ତବତାକୁ,
" ପିତାମାତା ଯେଉଁଠି ସୁଖ ଶାନ୍ତି ସେଇଠି "...।
