ଦୋଛକିରେ ଜୀବନ
ଦୋଛକିରେ ଜୀବନ
ନଭେମ୍ବର ମାସ ତୃତୀୟ ସପ୍ତାହ ହେବ। ଶୀତ ଏବେ
ଶୁଦ୍ଧା ଜଣା ପଡୁ ନାହିଁ। ଦିନ ତମାମ୍ ପଙ୍ଖା ବୁଲୁଛି। ଆଜି
ଟିକିଏ ଥଣ୍ଡା ଥଣ୍ଡା ଲାଗୁଛି। ସୁଲୁ ସୁଲିଆ ପବନ ମେଞ୍ଚାଏ ଆସି ଦେହରେ ବାଜିଲା। ବାରଣ୍ଡାରେ ବସିଥିଲେ ଶ୍ରୀଧର ବାବୁ, ଥଣ୍ଡା ପବନର ଛୁଆଁରେ ଚିହିଁକି ଉଠିଲେ।ଆରେ...
ଶୀତ ତ ଆସି ଗଲାଣି। ତାଙ୍କ ସହଧର୍ମିଣୀ ଜାନକୀଙ୍କୁ ଜୋରରେ ଡାକଲେ ଓ ଶୁଣିଲା ପାରିଲା ଭଳି ଉଚ୍ଚ ଗଳାରେ କହିଲେ...ଜାନକୀ, ଶୁଣୁବ...ମୋ ଟୋପିଟା ଆଉ ଚଦରଟା ଆଣି ଦେବ...ଆଉ ଟିକେ ଗରମା ଗରମ୍ ଚା କରିବ...।
ଶ୍ରୀଧର ବାବୁ ଗ୍ରାମ ସେବକ ଥିଲେ। ଗତବର୍ଷ ଚାକିରିରୁ
ଅବସର ନେଇଛନ୍ତି। ଝିଅ ବାହା ଦେଇ ସାରିଛନ୍ତି ପାଞ୍ଚ ବର୍ଷ
ଆଗରୁ ଆଉ ଗୋଟିଏ ମାତ୍ର ପୁଅ, ସେ ଚାକିରି କଲାଣି।
ବ୍ୟାଙ୍କ କେୟିୟର ଭାବରେ ପୁଅ ନିଯୁକ୍ତି ପାଇଛି। ଏବେ
ସେ ଓଡ଼ିଆର ବାହାର ରାଜ୍ୟରେ।
ଘରେ କେବଳ ସିଏ ଆଉ ତାଙ୍କର ସ୍ତ୍ରୀ। ଏ ବର୍ଷ
ଜାନୁୟାରୀ ରୁ ମାର୍ଚ୍ଚ ମାସ ଭିତରେ ପୁଅର ବାହାଘର
କରିବେ। ଝିଅ ଠିକ୍ ହୋଇ ସାରିଛି। ଘରକୁ ବୋହୂ
କରି ଆଣିବେ ତାଙ୍କର ଅତି ଅନ୍ତରଙ୍ଗ ବନ୍ଧୁ ସନାତନ
ବାବୁଙ୍କ ବଡ଼ ଝିଅ। ସନାତନ ବାବୁଙ୍କର ତିନି ଝିଅ। ପୁଅଟିଏ
ପାଇଁ ଅପେକ୍ଷା କରି ତିନି ଝିଅର ବାପା ସେ। ଆଜିର
ଏ ମହଙ୍ଗା ଯୁଗରେ ତିନୋଟି ପିଲାର ବାପା ମାଆ ଯେ
କେତେ ଅଭାବନୀୟ ପରିସ୍ଥିତିରେ ଅଛନ୍ତି ତା' ସେଇ ଅନୁଭବି
ହିଁ ବୁଝୁଛନ୍ତି। ଚାଷ ଆଉ ଚାକିରି ପାଇଁ ସେ କଷ୍ଟେ ମଷ୍ଟେ
ଚଳି ଯାଆନ୍ତି ହିସାବ ଭିତରେ। ସନାତନ ବାବୁ ଭାରି ସରଳ
ସ୍ଵଭାବର ମଣିଷ। ଆଡ଼ମ୍ବର ନାହିଁ କହିଲେ ଚଳେ। ସରଳ
ମିଜାଜ୍ ର ସେ। ଭାଗ୍ୟରେ ଥିଲେ ଏମିତି ସମୁଦି ମିଳନ୍ତି,
ପୁଣି ଅନ୍ତରଙ୍ଗ ବନ୍ଧୁ।
ଏତିକି ବେଳେ ଜାନକୀ ଦେବୀ ଚା ଦି କପ୍ ନେଇ
ଆସିଲେ, ଗୋଟେ କପ୍ ଶ୍ରୀଧର ବାବୁଙ୍କୁ ଧରାଇ ଦେଇ
ଅନ୍ୟ କପ୍ ଟି ନିଜେ ଧରି ପାଖରେ ଥିବା ଚେୟାରରେ
ଲତ୍ କିନା ବସି ପଡ଼ିଲେ।
ଗରମ୍ ଚା କପ୍ ରୁ ଟିକିଏ ଢୋକି ଶ୍ରୀଧର ବାବୁ ତାଙ୍କ
ସ୍ତ୍ରୀର ମୁହଁକୁ ଚାହିଲେ... ଦେଖିଲେ ବିରସ ବଦନ। ମୁହଁ ଶୁଖି
ଯାଇଛି। ବୟସ ତାଙ୍କର ପଚାଶ ହେଲେ ବି କେହି କହିବେନି।
ଶାରୀରିକ ଗଠନ ତାଙ୍କର ମଜଭୁତ। ଗୋରୀ ସୁନ୍ଦରୀ ଏବେ
ବି ଲାଗନ୍ତି ସେ ତାଙ୍କ ଆଖିକୁ। ବହୁତ ସୌଭାଗ୍ୟବତୀ ସେ,
ଆଜି ଯାଏଁ ସେମିତି ଦେହ ଅସୁଖ କିଛି ହୋଇନି ତାଙ୍କର,
ଏଇ ସାଧାରଣ ଟିକେ ଜ୍ବର ଥଣ୍ଡା କାଶ ଛଡ଼ା। ଦେହର
ଯତ୍ନ ନିଅନ୍ତି ସେ ଆଉ ଶ୍ରୀଧର ବାବୁଙ୍କର ମଧ୍ୟ। ସେବା
ଯତ୍ନରେ ପୁଅ ଝିଅଙ୍କୁ ଭଲ ଭାବରେ ଗଢି ତୋଳିଛନ୍ତି।
ସେ ଧର୍ମପ୍ରାଣା ମହିଳା। ଗାଆଁ ଯାକ ତାଙ୍କୁ କେବେ କେହି
ଆଙ୍ଗୁଳି ଦେଖାଇ ନାହାଁନ୍ତି। ସ୍ତ୍ରୀର ସମସ୍ତ ମର୍ଯ୍ୟାଦା ସେ
ଅକ୍ଷରେ ଅକ୍ଷରେ ପାଳନ୍ତି। ତାଙ୍କ ଦୁହିଁଙ୍କର ମନ ମେଳ
ଏତେ... ବଚସା ହେବାର ଶୁଣା ଯାଏନି। ଘର ସଂସାର
ଚଳାଇବା ପାଇଁ ବେଶ୍ ବୁଝାମଣାର ଦି' ଜଣ ଯାକ।
ଏମିତି ପରିବେଶ ଏକ ଶାନ୍ତିପୂର୍ଣ୍ଣ ଜୀବନ ଭିତରେ
ତାଙ୍କ ମୁହଁ ମଉଳା ଦେଖି ପଚାରିଲେ...ଜାନକୀ ତୁମର
ହୋଇଛି କ'ଣ...।
-- କାହିଁ କିଛି ନାହିଁ ତ...
-- ଭାବୁଛ ବାହାନା କଲେ ମୁଁ ମାନି ଯିବି। ଆରେ ତିରିଶ୍
ବର୍ଷ ହେବ ଏଇ ମୁହଁ ଦେଖୁଛି। କଳା ମେଘ ଉଠିଲା
ପରି ତୁମ ଚେହେରା ଦିଶୁଛି।
ଜାନକୀ ଦେବୀ ମଳିନ ମୁହଁରେ ହସିଲେ। ଭାରି ଫିକା
ଫିକା ଲାଗିଲା ତାଙ୍କର ହସ। ବିଚଳିତ ହୋଇ ପଡିଲେ
ଶ୍ରୀଧର ବାବୁ....।
-- କ'ଣ ହୋଇଛି କୁହ, ମୋର ଆଉ ଧୈର୍ଯ୍ୟର ପରୀକ୍ଷା
ନିଅନି, ଦୟାକରି କୁହ, ଆଉ ବି.ପି. ବଢ଼ାଅନି।
-- ସବୁ କହିବି... ତୁମକୁ ନ କହି ଆଉ କାହାକୁ କହିବି ଯେ, ମାଣିକ
ସେଇଥି ପାଇଁ ତ ପାଖରେ ବସିଲି। ଆଗେ ଚା' ପିଇ
ସାର...।
ସେତେବେଳକୁ ଥଣ୍ଡା ହୋଇ ଆସୁଥିବା ଚା' ଟା ସେ
ଢକ ଢକ ପିଇ ଗଲେ କେଇ ସେକେଣ୍ଡ ଓ ସ୍ତ୍ରୀଙ୍କ ଆଡ଼କୁ
ଚାହିଁଲେ ପ୍ରଶ୍ନିଳ ଦୃଷ୍ଟିରେ...।
--- ତପନ ଫୋନ୍ କରିଥିଲା। ତୁମେ ନ ଥିଲ। ବୁଲି ବାହାରି
ଥିଲ।
-- କ'ଣ କହୁଥିଲା, ମୋତେ ତ କେଇଦିନ ହେଲା ଫୋନ୍
କରିନି। ତୁମ ମାଆ ପୁଅ କଥା ହେଲେ ଚଳିବ...
-- ସେମିତି ନାହିଁ, ସେ ତୁମକୁ ଖୋଜୁଥିଲା। ତମ ଫୋନ୍ କୁ
ତ କଲ୍ କରିଥିଲା। ଚାର୍ଜରେ ଦେଇ ତୁମେ ଯାଇଥିଲ।
-- କ'ଣ କହୁଥିଲା ?
-- କେମିତି କହିବି... ତୁମେ ଉତ୍ୟକ୍ତ ହେବନି। କଥା ବୁଝି
ବିଚାର କରିବ। ମୋର ମୁଣ୍ଡ କାମ କରୁନି ସେତେ ବେଳୁ,
-- କ'ଣ ତାର ଦେହ ପା' କିଛି ଖରାପ ହେଲା କି....
-- ନାଇଁ, ସେ ଭଲ ଅଛି। ଆଜି ସେ ବ୍ୟାଙ୍କକୁ ଯାଇନି।
ଛୁଟିରେ ଥିଲା।
-- ଏତେ ବର୍ଣ୍ଣନା ଆଉ କରନି... ସିଧାସଳଖ କ'ଣ କଥାଟା
କୁହ...
--- ସେ କହୁଛି, ବାହାଘର ପ୍ରସ୍ତାବ ଭାଙ୍ଗି ଦିଅ। ସେ ଝିଅକୁ
ବାହା ହେବନି। ତା' ସହିତ ସେଇ ବ୍ୟାଙ୍କ୍ ରେ ଚାକିରି
କରୁଥିବା ଗୋଟେ ଝିଅକୁ ସେ ଭଲ ପାଇଛି...।
ଏତିକି କହି ଜାନକୀ ଦେବୀ ଚୁପ୍ ହୋଇଗଲେ। ଶ୍ରୀଧର
ବାବୁ ଚମକି ପଡ଼ିଲେ। ଆରେ ତପନ ପରି ଏତେ ଶାନ୍ତ
ସୁଧାର ପୁଅ... ବିଶ୍ଵାସ ହେଉନି। ଆଉ କେହି କହିଥିଲେ
କାନକୁ ନେଇ ନ ଥାନ୍ତେ। ଏ କଥା ଜାନକୀ କହୁଛନ୍ତି, ସେ
ତାର ମାଆ।
-- କ'ଣ ହେବ ଏବେ ଜାନକୀ। ଦୁହେଁ ତ କଥା ଦେଇଛୁ,
ତପନ ବି ଝିଅ ଦେଖି ହଁ ସ୍ଵୀକାର କରିଛି। ତା' ପରେ
ପୁଣି... ତାଙ୍କର ଅସୁବିଧା ପାଇଁ, ନହେଲେ ତ ଏତେ
ବେଳକୁ ବାହାଘର ସରିଥାନ୍ତା। ହେଇଟି ଆଉ ମାନ
ରହିବ...
-- ମୁଁ ବହୁତ ବୁଝାଇଲି ତପନକୁ, ସେ ଚୁପ୍ ରହୁଛି,
ଶେଷରେ କହିଲା ତୁମେ ମାଆ ବାପା, ତା' ମନର
କଥା ଆମେ ଯଦି ନ ବୁଝିବା...ବୁଝିବ କିଏ...
ଶ୍ରୀଧର ବାବୁ ଗମ୍ଭୀର ହୋଇଗଲେ। ଏମିତି ଏକ
ପରିସ୍ଥିତି ଆସି ତାଙ୍କ ଆଗରେ ପାଚେରୀ ହୋଇ ଠିଆ
ହେବ ସେ ଭାବି ନ ଥିଲେ କେବେ।
ସନାତନ ବାବୁଙ୍କୁ ମୁହଁ ଦେଖାଇବେ କେମିତି, ଏତେ
ବର୍ଷର ଦୋସ୍ତି। ସୁବିଧା ଅସୁବିଧାରେ ସାହାଯ୍ୟ ସହଯୋଗ।
ସଂପର୍କ ଘନିଷ୍ଠ ହେବାରୁ ତ ସେ ନିଜ ତରଫରୁ ଦଶ ବର୍ଷ
ଆଗରୁ କଥା ଦେଇଥିଲେ,ଏବେ ସିନା ବାହାଘର ପକ୍କା
ହେଲା। ମୁଣ୍ଡ ତାଙ୍କର ଘୁରି ଯାଉଥାଏ। ଗୋଟିଏ ପଟେ
ତାଙ୍କ ବଂଶର ଆଭିଜାତ୍ୟ, ଆତ୍ମସମ୍ମାନ ଅନ୍ୟ ପଟେ
ପୁଅର ମନ ଆଉ ପ୍ରେମ। କ'ଣ କରିବେ... ଏତେ ବାଟ
ଆଗେଇ ଆସି ସାମ୍ନାରେ ଦୋଛକି... କେଉଁ ପଟେ ଯିବେ।
ଦୋଛକିରେ ଜୀବନ ତାଙ୍କୁ ବ୍ୟତିବ୍ୟସ୍ତ କରି ପକାଉଛି।
ଜାନକୀ ଦେବୀ କହିଲେ... ବିଚଳିତ ହୁଅନି।
ବିଚାର କର କ'ଣ କେମିତି ଦୁଇ ପଟରେ ଭାରସାମ୍ୟ ରହିବ।
-- କ'ଣ ଆଉ ବିଚାର କରିବି। ପୁଅ କ'ଣ ନାବାଳକ କି ?
ବୁଝିବା ପିଲା। ଯାହା ସିଦ୍ଧାନ୍ତ ନେଇଛି ସେ ବହୁତ ବିଚାର
କରିଥିବ...ତା' ଛଡ଼ା ସେ ଭଲ ପାଇଛି। ତା' କଥା କେମିତି
ପଥରର ଗାର ତୁମେ ତ ଜାଣିଛ। ତୁମେ ତ ଅନୁଭବ କରିଛ
ପ୍ରେମ ଇଚ୍ଛା କରି... କେହି କରି ପାରନ୍ତିନି। ପ୍ରେମ ହେଇ
ଯାଏ, ମନ ମନର ...ଆତ୍ମା ଆତ୍ମାର ମିଳନ, ଏ କଥା ଆମେ
ଦୁହେଁ ଯାକ ଅନୁଭବ କରୁ, ସ୍ଵୀକାର ମଧ୍ୟ କରୁ।
ଜଟିଳ ସମସ୍ୟାରେ ପଡ଼ିଲେ ଶ୍ରୀଧର ବାବୁ। ପେପର୍ ରେ
ପଢୁଥିଲେ,ନ୍ୟୂଜ୍ ଶୁଗୁଥିଲେ, ସିନେମା ନାଟକ ଆଦିରେ
ଯା' ଘଟଣା ସେ ଦେଖୁଥିଲେ ଆଦି ତାଙ୍କ ପାଇଁ ବାସ୍ତବ
ହୋଇଗଲା। ପୁଅ ଝିଅ ପ୍ରେମ କଲେ ତାଙ୍କୁ ସେ ବାଟରୁ ଫେରାଇ ଆଣିବା ଅସମ୍ଭବ। ଯଦି ବାଧ୍ୟ କରାଯାଏ କିଛି
ଅବାଞ୍ଛିତ ଘଟଣା ହିଁ ଘଟିଥାଏ।
ହଠାତ୍ ତାଙ୍କର ଫୋନ୍ ବାଜି ଉଠିଲା। ସନାତନ ବାବୁ
ରିଙ୍ଗ୍ କରିଛନ୍ତି। ମୋବାଇଲ୍ ରେ ସେଭ୍ ହୋଇଥିବା ତାଙ୍କର ନାମ ଦେଖି ସେ ଚମକି ପଡ଼ିଲେ,ଛାତି ଧଡ଼୍ ଧଡ଼୍ ମୁଁ କରି ଉଠଲା। ତଥାପି ଫୋନ୍ ରିସିଭ୍ କଲେ ସେ।
-----ହଁ, ମୁଁ ଶ୍ରୀଧର କହୁଛି,
--- ନମସ୍କାର,
ସେ ଚୁପ୍ ହୋଇ ସେ ପଟରୁ ଆସୁଥିବା ସବୁ କଥା ଶୁଣି
ଫୋନ୍ କାଟି ଦେଲେ। ଏକ ତୃପ୍ତିର ହସ ଖେଳି ଗଲା
ତାଙ୍କର ମୁଖ ମଣ୍ଡଳରେ... ସଙ୍ଗେ ସଙ୍ଗେ ଡାକିଲେ...
ଜାନକୀ...ଆରେ ଆସ...ଶୁଣ... ସନାତନ ବାବୁ ଫୋନ୍
କରିଥିଲେ।
ଜାନକୀ ଦେବୀ ଘରୁ ବାହାରି ଆସିଲେ। ଶ୍ରୀଧର ବାବୁ
କହିଲେ ...ଏ ବାହାଘର ଭାଙ୍ଗିବାକୁ କହୁଛନ୍ତି ସନାତନ ବାବୁ...ସମାନ ପରିସ୍ଥିତି ଦୁଇ ପରିବାରରେ, କିନ୍ତୁ ମୁଁ ତାଙ୍କୁ ତପନ ବିଷୟରେ କିଛି କହିନି। କିଛି କହିବା ଆଗରୁ
ସେ କ୍ଷମା ମାଗି ଫୋନ୍ କାଟି ଦେଲେ। କଥା ହେଲା ତାଙ୍କ
ଝିଅ ମଧ୍ୟ ଜଣକୁ ଭଲ ପାଇଛି। ସେଇଠି ବାହାଘର ନ
ହେଲେ ସେ ବିଷ ଖାଇ ମରି ଯିବ କହୁଛି। ସନାତନ ବାବୁ ଭାରି ଦୁଃଖ ପ୍ରକାଶ କରୁଛନ୍ତି।
ଆଜିକାଲି ବାପା ମାଆ ଆଉ ପୁଅ ଝିଅ, ଦୁଇ ପିଢ଼ି ଠିକ୍ ଏକ ଦୋଛକି ପରି। ଦୋଛକିରେ ଜୀବନ ତାଙ୍କର କେଉଁ ବାଟ ଧରି ଆଗକୁ ଯିବ ....ନିଷ୍ପତ୍ତି ନେବା ଭାରି କଷ୍ଟ ହୁଏ। ବାପା ମା' ନିଜର ଆତ୍ମସମ୍ମାନକୁ, ବଂଶ ପରମ୍ପରାକୁ,ଦେଖିବେ ନା ପୁଅ ଝିଅର ଖୁସି ଦେଖିବା ପାଇଁ ତାଙ୍କର ପ୍ରେମକୁ ସ୍ଵୀକୃତି ଦେବେ। ଦୋଛକିରେ ଜୀବନ ପ୍ରଶ୍ନର ବାଣରେ ଜର୍ଜରିତ ହୁଏ,
ମନରେ ଆଶଙ୍କା ହିଁ ଆଶଙ୍କା ଆସେ। ପାଦ କାଢ଼ି କୁଆଡ଼େ
ଯିବେ...ଏ ଘଡ଼ିସନ୍ଧି ମୁହୂର୍ତ୍ତରେ...।
ପାଖରେ ଠିଆ ହୋଇ ଜାନକୀ ଦେବୀ କହୁଥିଲେ...
ଏତେ ଆଗରୁ ଏମିତି ପ୍ରସ୍ତାବ ଦେବାଟା ତାଙ୍କର ଠିକ୍ ନ
ଥିଲା। ଆଜିର ପିଲା ତାଙ୍କର ଜୀବନ ସେମାନେ ଗଢିବେ।
ଆମ ରୁଚି ପସନ୍ଦରେ ସେମାନେ ଯେ ଏକମତ ହେବେ
ଏ ଆଶା ରଖିବା ଉଚିତ କି...? ଯଦି ସନାତନ ବାବୁଙ୍କ
ଝିଅ ସେ ପୁଅକୁ ଭଲ ପାଇ ନଥାନ୍ତା କ'ଣ ହୁଅନ୍ତା ପରିସ୍ଥିତି,
ଆଉ ତପନ ବି ଭଲ ପାଇ ନଥିଲେ ଏ କଥା ଶୁଣି କ'ଣ
ଭାବିଥାନ୍ତା ଆମକୁ...ଯା' ହେଲା ଭଲ ହେଲା। ସତରେ
ସେଇ ଉପରବାଲା ହିଁ ସଂପର୍କ ଯୋଡ଼ି ଦେଇ ପଠାଇ
ଥାଆନ୍ତି। ଯିଏ ଯାହାର ସିଏ ତାହାର। ଆମେ କ'ଣ ଆଉ
ଅଧିକ କରିବା କେବଳ ଜଗୁଆଳୀ ହେବା ଛଡ଼ା..?
ଜାନକୀ ଦେବୀ କହିଲେ ମହାପ୍ରଭୁ ଆମକୁ ଦୟା କଲେ।ଦୋଛକିରେ ଜୀବନ ଆମର ଏବେ ଆଗକୁ ବଢିବାର ବାଟ
ଖୋଜି ନେବ।
ଜାନକୀ ଦେବୀ ମୃଦୁ ମୃଦୂ ହସି ଘର ଭିତରକୁ ଗଲେ।
ବୋଧେ ଶୀତ ଟିକିଏ ବେଶି ଲାଗୁଥିଲା। ଭଲ ଭାବରେ
ଆଉ ଥରେ ଘୋଡ଼ି ହେବାକୁ ଶ୍ରୀଧର ବାବୁ ସଜାଡ଼ୁଥିଲେ
ତାଙ୍କ ଚଦରଟିକୁ ...।
କୋହି,ବାରିପଦା,ମୟୂରଭଞ୍ଜ।
