STORYMIRROR

Kabiratna Nutan Kumar Behera

Children Stories Action Inspirational

4  

Kabiratna Nutan Kumar Behera

Children Stories Action Inspirational

ପରୀ ରାଇଜ

ପରୀ ରାଇଜ

4 mins
343


  


   ସହରଟା ଶୋଇ ଗଲାଣି। କୋଳାହଳର ତୀବ୍ର ଉଚ୍ଚ ଶବ୍ଦମାନେ ବୋଧୁହୁଏ ଦିନ ତମାମ୍ ନିଜ ନିଜର ପରାକ୍ରମ ଦେଖାଇ କ୍ଳାନ୍ତ ହୋଇ ପଡିଛନ୍ତି। ଶୁଭୁଛି କେବଳ ନିସ୍ତବ୍ଧତାର ନୀରବ ସ୍ବର...ବାଜୁଛି ରଜନୀ ରାଣୀର ସ୍ବାଗତ ସମ୍ବର୍ଦ୍ଧନାରେ ସାତ ସୁରର ମଧୁ ରାଗ ରାଗିଣୀ। ନିଦ୍ରିତ ନୟନରେ ଭରି ଯାଇଛି ନିଦ୍ରା। କିଏ ବା କେଉଁଠି ସୁଖଦ ସଫେଦ ଶଯ୍ୟାରେ ଶୋଇ ଶୋଇ ନିଦ ବାଉଳାରେ ତା' ଅବଚେତନ ମନରେ ଦେଖୁଥିବ ଅସୁମାରୀ ସ୍ବପ୍ନ। ମନର ଭାବ ସ୍ବପ୍ନ ହୋଇ କେବେ ହସାଏ କେବେ ପୁଣି କନ୍ଦାଏ...। ଜୀବନର ଦର୍ଶନ ତତ୍ତ୍ବ ଅନୁଭବରେ ଯେତେ ବୁଝିଲେ ମଧ୍ୟ ଅବୁଝା ରହିଯାଏ ବେଶି ଅପରିମେୟ ସେ ଜ୍ଞାନ, ସୀମିତ ଜ୍ଞାନରେ ହୁଏନା ଆକଳନ କରି...।

    ସୁବ୍ରତ ଆଖିରେ କିନ୍ତୁ ନିଦ ନାହିଁ। ସ୍ବାଭାବିକ ମୁହୂର୍ତ୍ତ...

ସେ ଟିକେ ପରେ ଟିକେ ସମୟର ବ୍ୟବଧାନରେ କଡ଼ ଲେଉଟାଉଛି। ନିଦ ଆସୁନି ଜମାରୁ ତାକୁ...ଚେଷ୍ଟାରେ କି ସୁଖର ନିଦ୍ରା ଆଣି ହୁଏ ଆଖକୁ...?

    ସେ ନିଜ ଉପରେ ନିଜେ ବିରକ୍ତ ହୋଇ ଉଠି ଆସିଲା ବିଛଣାରୁ...ଝରକା ଫାଙ୍କରେ ଚାହିଁଲା...ଆଖି ଆଗେ ତାର ଅଧାରୁ ଅଧିକ ଦିଶୁଛି ସହରଟା।ଏକରୁ ଏକ ବଳି ସୁସଜ୍ଜିତ ଆଧୁନିକ କାରିଗରୀ କଳା କୌଶଳରେ ନିର୍ମିତ ନଭଶ୍ଚୁମ୍ଭୀ ଅଟ୍ଟାଳିକା।କେତେ କେତେ ଜୀବନକୁ କରୁଛି ରଣାଣିତ...।

ଉପରକୁ ସୁସୁନ୍ଦର ସ୍ବଚ୍ଛ ଚିକ୍କଣ ଅନିନ୍ଦ୍ୟ ଚେହେରା,ଭିତରେ କାହାର କେତେ ଅନ୍ତର୍ଦାହ...ଦେଖି ହୁଏନା ... ଜାଣି ହୁଏନା... ଛାତିର କୋହ ସଞ୍ଚି ଆଖିର ଲୁହ ପିଇ ଆଜିର ମଣିଷ ହସୁଛି କୁତ୍ରିମ ହସ। ସବୁକୁ ହୃଦୟରେ ଚାପି କ୍ଳାନ୍ତିର ଉପସମରେ ଶାନ୍ତି ପାଇବାକୁ ଘୁମେଇ ପଡିଛି ଚଳ ଚଞ୍ଚଳ ସହରଟା।

   ବ୍ୟସ୍ତ ବହୁଳ ଓସାରିଆ ରାସ୍ତା ସବୁ ଶୁନଶାନ୍,ଧାରେ ଧାରେ ବିଜୁଳି ଆଲୁଅ ଜଳୁଛି। ଘୋଟି ଆସିଛି ଘନ କୁହୁଡି଼..। ତେଜୀୟାନ ଆଲୋକ ସବୁ ଦିଶୁଛି ...ଅସ୍ପଷ୍ଟ ମଳିନ ସେ କୁହୁଡି଼ରେ...।

   ସୁବ୍ରତ ଆଜି ସେମିତି ଏକ ସନ୍ତୁଳିତ ପରିସ୍ଥିତିରେ, ତା' ଜୀବନର ଆଲୋକିତ ପଥ ତାକୁ ଦିଶୁଛି ଅସ୍ପଷ୍ଟ। ସେଇ ଚିନ୍ତାରେ ଆସୁନି ତାର ଆଖିକୁ ନିଦ...।

    ଅତୀତଟା ତା' ସାମ୍ନାକୁ ଲହରୀ ଲହରୀ ହୋଇ ମାଡି ଆସୁଛି...ଛୁଇଁ ପାରୁନି ତାର ସଫଳତାର ଇପ୍ସିତ ସେ ବେଳାଭୂମକୁ...।

     ମନେ ପଡୁଛି ସେ ସବୁ ଗୋଟି ଗୋଟି, ବାପା ତାର ବାଳୁତ କାଳରେ ଆଖି ବୁଜି ପରପାରିକୁ ଚାଲିଗଲେ। ଜୀବନର ସବୁ କିଛି ହରାଇ ଦେଇ ତାର ଜନ୍ମଦାତ୍ରୀ ଜନନୀ ଅସହାୟା ହୋଇ ଝରାଉ ଥିଲା କେବଳ ଧାର ଧାର ଲୁହ...। ତାର ଅଜା ଆଈ ପରଘରକୁ ଯେଉଁ କନ୍ୟାଦାନ କରିଥିଲେ ପରିସ୍ଥିତର ଚାପରେ ଫେରାଇ ଆଣିଥିଲେ ସେଇ କନ୍ୟାକୁ।

ଆଉ ମାଆ ତାକୁ କୋଳରେ ଧରି ଫେରି ଆସି ଥିଲା ତା'

ବାପା ଘରକୁ...।

   ଆଈ ତାକୁ କୋଳରେ କୋଳେଇ ପାଖରେ ଶୁଆଇ କହିଛି କେତେ କେତେ କାହାଣୀ..। ସେ ବୁଢୀ ଅସୁରୁଣୀ ଗପ, ମନ ପବନ କଥା, ଉଡ଼ନ୍ତା କଠଉ, ରାଜା ପୁଅ ମନ୍ତ୍ରୀ ପୁଅ ,ପରୀ ରାଇଜର ପରୀଙ୍କ କାହାଣୀ...ସେ ସବୁ ସୁବ୍ରତର କୋମଳ

ହୃଦୟ ପୃଷ୍ଠାରେ ଲେଖା ହୋଇଛି...ଭୁଲିନି ସେ, ଭୁଲି ମଧ୍ଯ ପାରିବନି। ଆଈର ଗପ ଶୁଣୁ ଶୁଣୁ ସେ ନାୟକ ସାଜେ, ମନ ତାର ହଜେ...ଚିତ୍ର ଚରିତ୍ର ତାକୁ ବାସ୍ତବ ଓ ଜୀବନ୍ତ ଲାଗେ। ପରୀ ରାଇଜକୁ ଦେଖେ ନିଜ ଆଗରେ...ପ୍ରେରଣା ପାଏ... ଆଗକୁ ବଢେ...।

   ପରୀ ରାଇଜ ହୋଇ ପାରେ ଏକ କଳ୍ପନାର କଳ୍ପିତ କ୍ଷେତ୍ର, ସ୍ବର୍ଗରୁ ଅବତରି ଆସୁଥିବା ଡେଣାଥିବା ପରୀ କୁହୁକ ମନ୍ତ୍ରରେ କରି ଦିଅନ୍ତି ସବୁ ସତ। ସେମାନେ ଅପ୍ସରୀ...ତାଙ୍କ ଦ୍ବାରା ସବୁ ସମ୍ଭବ ହୁଏ। ପରୀ ରାଇଜର ଗପ ଶୁଣି ଶୁଣି ସେ ଭବିଷ୍ୟତ ଗଢି

ବାକୁ ଅଦମ୍ୟ ପ୍ରଚେଷ୍ଟା ଉଦମ୍ୟ କରି ଚାଲିଛି।

   ସୁବ୍ରତକୁ ତାର ଆଈ ଗପ ଛଳରେ ଉପଦେଶ ଦିଏ।

ସଚେତନ କରି ରଖିବାକୁ ଅନେକ ଥର କହିଛି...ମନର

ମୂଳରେ ଏ ଜଗତ। ପରୀ ରାଇଜ ମନର ଆବେଗମୟ ଏକ 

ସୁନ୍ଦର ଭାବ ଭାବନା। ଏ କଳ୍ପନାର ରାଇଜରେ ପରୀଟିର

ଶ୍ରଦ୍ଧା ସ୍ନେହ ପ୍ରେମ ପାଇବାକୁ ହେବାକୁ ହୁଏ ଦକ୍ଷ। ଜୀବନକୁ 

ଗଢ଼ିବାକୁ ହୁଏ ନିଷ୍କଳଙ୍କ ରଖି ନିଜର ଚରିତ୍ର...ଆଦ୍ୟ ଯୁବା 

ବୟସ ସାଧାନାର ସମୟ...ପରୀଟିଏ ହେଲେ ମଧ୍ୟ ଅନେକ ସମୟରେ ହୁଏ ସେ ମାୟାବିନୀ। ପ୍ରେମର କୁହୁକରେ ସେ ସମ୍ମୋହିତ କରି ରଖେ। ପ୍ରଥମେ ପ୍ରଥମେ ସେ ପରୀ ରାଇଜ ଲାଗିବ ଫଗୁଣର ଫୁଲବନ...ପରେ ସେ ହେବ ବିଦଗ୍ଧ ପ୍ରାଣର ମୁଠା ମୁଠା ସ୍ମୃତି ପାଉଁଶ, ଯା'ର କିଛି ବି ମୂଲ୍ୟ ନ ଥିବ। ସେ ପ୍ରେମରେ ନିଜକୁ ଯିଏ ହଜାଇ ଦିଏ ହଜିଯାଏ ତାର ସୁନେଲି ଭବିଷ୍ୟତ। ଦୁନିଆଁର ଦାଣ୍ଡ ଭାରି ବିଷମ...ପ୍ରତିଟି ପାଦ ବୁଝି ବିଚାରି ଆଗକୁ ବଢାଇବାକୁ ହୁଏ। ଯିଏ ଆତ୍ମନିୟନ୍ତ୍ରଣ କରି 

ପାରେନା... ପଶ୍ଚାତରେ ବହୁତ ଦୁଃଖ କଷ୍ଟ ଯନ୍ତ୍ରଣା ପାଏ... ସୁଧାରିବାକୁ ବେଳ ନ ଥାଏ। ତେଣୁ ଆଈ କହେ...ବାବୁରେ, ମା'ର ମୁହଁକୁ,ଅଜାର ମାନକୁ ଦେଖି ଓ ମୋର ଯତ୍ନକୁ ବିଚାରି ବାଟ ଚାଲିବୁ।ପରୀ ରାଇଜ ତୋ ସ୍ବପ୍ନର ଦୁନିଆଁ ଦିନେ ବାସ୍ତବ ହେବ ତୋର ସାଧନାର ବୁଦ୍ଧିରେ ସିଦ୍ଧିରେ...। ସେତେବେଳକୁ ସେ ପରୀ ରାଇଜରୁ ପରୀଟିଏ ଓହ୍ଲାଇ ଆସିବ। ତୋର ମନ

ପ୍ରାଣକୁ ସରସ ସୁନ୍ଦର ମଧୁମୟ କରିବା ପାଇଁ। ନ ହେଲେ 

ପରୀ ରାଇଜର କଳ୍ପନା ସ୍ଵପ୍ନ... ସ୍ବପ୍ନରେ ରହିଯିବ...।

    ମାଆ,ଆଈ ଓ ଅଜାର ବହୁ ସେବା ଯତ୍ନରେ ସୁବ୍ରତ ଆଜି ସ୍ନାତକୋତ୍ତର ଡିଗ୍ରୀରେ ସ୍ବର୍ଣ୍ଣ ପଦକ ପାଇଛି...ବିନା ଟିଉସନ୍ ବା କୋଚିଙ୍ଗ୍ ନ ନେଇ ସେ ନିଜକୁ ଜଣେ ମେଧାବୀ ଛାତ୍ର ରୂପେ ପ୍ରମାଣିତ କରି ସାରିଛି....କିନ୍ତୁ ତାର ସବୁ ଯୋଗ୍ୟତା ଥାଇ ବି ଦୁଇ ବର୍ଷ ହେଲା କୌଣସି ସକରାରୀ ନିଯୁକ୍ତି ପାଇ ନାହିଁ...ଅଜା ଆଈ ଓ ମାଆ କଥା ଭାବି ଭାରି ବ୍ୟସ୍ତ ହୁଏ ...ତା' ଆଈ ତାର ପରୀ ରାଇଜର ପରୀ...ତାର ଉଦ୍ଵୋଧନାରେ ଉତ୍ସାହ ପାଇ ଏତିକି ବାଟ ଆସିଛି।ତାଙ୍କର ଆଶା ସ୍ବପ୍ନକୁ ସାକାର କରିବା ପାଇଁ ଏକନିଷ୍ଠ ସାଧକ ସାଜିଛି ସେ...ଚାକିରି ନ ପାଇ ଏବେ ସେ ଏକ କୋଚିଙ୍ଗ୍ ସେଣ୍ଟରେ ଶିକ୍ଷାଦାନ କରୁଛି...ତା' ଭଳି ପରୀ ରାଇଜର ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କୁ ସହାୟତା କରୁଛି। ଜାଣେନା ସେ ସଫଳତାର ସ୍ବାଦ କେବେ ଚାଖିବ...ଏଇ ଭାବନାରେ ତାକୁ ନିଦ ହେଉନି ପରୀକ୍ଷା ପରେ ପରୀକ୍ଷା ଦେଇ ଚାଲିଛି। ସେ ସଫଳତାକୁ କରିଛି ଅପେକ୍ଷା...।

    ହଠାତ୍ କାନକୁ ଶୁଣାଗଲା ଆଈର ସେ ପ୍ରେରଣାଦାୟୀ କଥା ସବୁ...ମୋ ଧନଟା...କଣ ପାଇଁ ଏତେ ବିବ୍ରତ...ତୁ ପରା ମୋ ପରୀ ରାଇଜର ନାୟକ,ଏତେ ଉଦ୍ ବିଘ୍ନ ହୁଅନା। 

ଏବେ ବି ତୋର ସାଧନା ପୂରିନାହିଁ...ତପସ୍ୟା ତ ଜୀବନ ବ୍ୟାପୀ କରିବାକୁ ହେବ। ଲକ୍ଷ୍ଯରେ ପହଞ୍ଚିବାକୁ ଆଉ କେଇ ପାଦ। ଧୈର୍ଯ୍ୟ ଧର ...ପରୀ ରାଇଜର ପରୀଟିଏ ତୋ ପାଇଁ 

ରହିଛି ...ତୋ ବାଟ ଚାହିଁ....।

    ସେଇ ନିସ୍ତବ୍ଧ ଗଭୀର ରାତ୍ରିର ଘନ ଅନ୍ଧକାରରେ ସେ ଦେଖୁଥିଲା ...ନୂଆ ସକାଳ ନେଇ ସୂର୍ଯ୍ୟ ନିଶ୍ଚୟ ଉଇଁବ.... ପୂର୍ବ ଆକାଶରେ ଲାଲିମା ଫାଟିଲାଣି....ସେ ପରୀ ରାଇଜ 

ତା' ପାଇଁ ହେବ ଏକ ବାସ୍ତବର ପରିପୂର୍ଣ୍ଣ ରାଇଜ...ଶ୍ରମ ସାଧନା ନିକଟରେ ସ୍ବପ୍ନର ପରୀ ରାଇଜ ରୂପାନ୍ତରରେ ହୁଏ ସତ୍ୟର ରାଇଜ। ସୁବ୍ରତର ଆତ୍ମବିଶ୍ବାସ ଫେରି ଆସୁଥିଲା 

ତା' ପାଖକୁ,ସେ ଦେଖୁଥିଲା ତା' କଳ୍ପନାର ପରୀ ରାଇଜରେ ତା' ଆଈକୁ ଏକ ସୁନ୍ଦରୀ ପରୀ ରୂପରେ......।


      


Rate this content
Log in