Smruti Ranjan

Romance Tragedy Thriller

4  

Smruti Ranjan

Romance Tragedy Thriller

ମଧୁର ଅନ୍ତ

ମଧୁର ଅନ୍ତ

10 mins
256


ଜଗୁ.... ।

    ନାମ ଟା ହେଲା ଜଗୁ। କିନ୍ତୁ ପରିଚୟ ପାଗଳ । ଆଖପାଖ ଲୋକଙ୍କ ମୁହଁରେ ଶୁଣିବାକୁ ମିଳେ ପାଗଳଟା। କେତେ ପାଗଳ ତାହା ଉପରବାଲା କୁ ଜଣା। କିନ୍ତୁ ପାଗଳ ହେଲେ କ'ଣ ହେବ। ଇତିହାସର କଳଙ୍କି ଲଗା ସିନ୍ଦୁକରୁ ନିସୃତ ଜଗୁର ଅତୀତ ଟା ବଡ଼ ରୋମାଞ୍ଚକର ଥିଲା। ଦିନ ଥିଲା ଏଇ ଜଗୁ ତା' ଯୌବନ ଅବସ୍ଥାରେ ସାରା କମଳପୁରର ଗୋପୀ ମାନଙ୍କର କୃଷ୍ଣ ସାଜୁଥିଲା। ଯାହା ସହ ଟିକେ କଥା ହେଇଗଲେ ଅଭିହାଡ଼ି ଝିଅମାନେ ନିଜକୁ ଭାଗ୍ୟବାନ ମଣୁଥିଲେ। ଯାହାର ଟିକେ ସାନିଧ୍ୟ ପାଇବାକୁ କମଳ ପୁରର କୁଆଁରୀ କନ୍ୟାମାନେ ବ୍ୟାକୁଳ ହୋଇ ଉଠୁଥିଲେ। କୁମାର ପୂର୍ଣ୍ଣିମାରେ ଚାନ୍ଦ ପୂଜାର ଭୋଗ ସବୁ ବୋଧେ ଜଗୁ ନାମରେ ଲେଖି ଦେଉଥିଲେ କମଳପୁରର ଗୋପୀମାନେ।

     କିନ୍ତୁ ସମୟ ବଡ଼ ବିଚିତ୍ର । ନା ତ ଆଉ ସେ ଦିନ ଅଛି, ନା ଏବେ ସେ ବୟସ ଅଛି ଆଉ ନା ସେ କମଳ ପୂରର ଗୋପୀମାନେ ଅଛନ୍ତି। କର୍ପୂର ଉଡ଼ି ଯାଇଛି ସତ କିନ୍ତୁ ଆଜି ମଧ୍ୟ କନା ପଡିରହିଛି କୋଉ ଏକ ଅଦରକାରୀ ବସ୍ତୁର ପରିଚୟ ନେଇ। ଆଉ ସେହି ଅଦରକାରୀ ତାଲିକାର ସର୍ବ ପ୍ରଥମ ସ୍ଥାନ ଅଳଙ୍କୃତ କରିଛି ଜଗୁ।

      ସମୟ ସହ ହାତ ମିଶେଇ ଗୃହ ଭେଦି ନିଜ ଲୋକଙ୍କ ରଚିତ ଚକ୍ରାନ୍ତର ଚକ୍ରବିହ୍ଵ ରେ ଫସିଯାଇ ସେଥିରେ ଭଲ କରି ସନ୍ତୁଳି ହେବା ପରେ ଯେଉଁ ଫଳାଫଳ ଆସେ,ତାହାର ଜ୍ଵଳନ୍ତ ଉଦାହରଣ ଇଏ।

       ରାସ୍ତା ଘାଟରେ ଚିରା ଫଟା ପିନ୍ଧି ଶୋଇ ରହି ଓ ହୋଟେଲ ମାନଙ୍କରୁ ଅଇଁଠା ପତ୍ର ଖାଇ ବହୁ କଷ୍ଟରେ ପ୍ରତି କ୍ଷଣ ବଞ୍ଚିବାକୁ ସଙ୍ଘର୍ଷ କରୁଥିଲା ଜଗୁ। ହୁଏତ କିଛି ଅଛିଣ୍ଡା ସ୍ୱପ୍ନ ବାକି ରହି ଚାପି ହୋଇ ଯାଇଥିଲା ହୃଦୟ ବଗିଚାର କୋଉ ଏକ ବୃକ୍ଷ ର କୋଣରେ।

        କିନ୍ତୁ, ଏତେ ଦିନ ପରେ ବୋଧେ କିଛି ବ୍ୟତିକ୍ରମ ଘଟିବାକୁ ଯାଉଛି। ଶୁଣିବାକୁ ମିଳିଛି ସହରର କୌଣସି ଏକ ବଡ଼ ଅତିଥିର ଆଗମନେ ସେଠାରେ ଏକ ଜନ ସମାବେଶ ହେବାକୁ ଯାଉଛି। ଖାସ୍ ସେଥିପାଇଁ ସମଗ୍ର ଅଞ୍ଚଳଟିକୁ ପରିଷ୍କାର କରିବା ସହିତ ସମସ୍ତ ପାଗଳ ଓ ଭିକାରୀ ମାନଙ୍କୁ ଥଇଥାନ କରାଯାଉଛି।

      କିନ୍ତୁ ଜଗୁର ସେ ସ୍ଥାନ ଛାଡ଼ି ଯିବାକୁ ବିଲକୁଲ ଇଛା ନଥିଲା। ସେ ତା' ପ୍ରାଣପଣେ ଥଇଥାନ କର୍ମଚାରୀଙ୍କ ଗୋଡ଼ ହାତ ଧରି ନେହୁରା ହେଲା ସେହି ବିଶିଷ୍ଟ ଅତିଥିଙ୍କ ଦର୍ଶନ ଟିକକ କରିବାକୁ। କେଜାଣି କାହିଁକି ଜଗୁକୁ ଏମିତି ଲାଗୁଥିଲା ଯେପରି ସେହି ଅତିଥି ଙ୍କ ନାମ ସହ ତା'ର ବହୁ ପୁରୁଣା ସମ୍ପର୍କ ଅଛି।

      ସଠିକ୍ ସମୟରେ କାର୍ଯ୍ୟକ୍ରମ ଆରମ୍ଭ ହେଲା। ବିଶିଷ୍ଟ ଅତିଥିଙ୍କ ଆଗମନକୁ ସମଗ୍ର ଜନ ସାଧାରଣ କର ତାଳି ଦେଇ ସ୍ୱାଗତ କରୁଥାନ୍ତି। ସମାବେଶର କୋଉ ଏକ କୋଣରେ ବାଉଁଶକୁ ସାହାରା କରି ଜଗୁ ତା' ପ୍ରାଣ ପଣେ ଚେଷ୍ଟା କରୁଥାଏ ସେହି ଅତିଥୀଙ୍କୁ ଟିକେ ଦେଖିବାକୁ। ଶେଷରେ ବହୁ କଷ୍ଟରେ ପାଖରେ ଖାଲି ପଡିଥିବା ଗୋଟିଏ ଚେୟାରଟିକୁ ଟାଣି ଆଣି ତା' ଉପରେ ଛିଡା ହୁଅନ୍ତା,ଜଗୁକୁ ଲାଗିଲା ଯେମିତି ସେ ସେହି ଅତିଥିଙ୍କୁ ଆଗରୁ କୋଉଠି ଦେଖିଛି , ଖାଲି ଦେଖିନି ତାଙ୍କ ସହ ବହୁତ ଭଲ ଭାବେ ପରିଚିତ ମଧ୍ୟ ହେଇଛି। କିନ୍ତୁ ମନର ଭାବନା ସହ ତାଳ ମେଳ ରଖୁନଥିବା ମସ୍ତିଷ୍କର ସୂକ୍ଷ୍ମ ତନ୍ତୁ ସବୁ ମାନିବାକୁ ନାରାଜ ଥିଲେ। ଶେଷରେ ବହୁ କସରତ ପରେ ଜଗୁର ମନେ ପଡ଼ିଗଲା ସେହି ଚେହେରା, ତା' ସହ ବିତାଇ ଥିବା ମୁହୂର୍ତ୍ତ ସବୁ ଗୋଟି ଗୋଟି କରି ମନେ ପଡ଼ିଗଲା।

       କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଜଗୁର ମୁଖ ମଣ୍ଡଳ କ୍ରୋଧ ଓ ଘୃଣା ରେ ଭରି ହୋଇଗଲା। ମୁଖରୁ କେବଳ ଏତିକି ସ୍ପୁରିତ ହେଲା, କାହିଁକି ପଦ୍ମିନୀ.....କାହିଁକି ?

    ସାମନ୍ତରାୟ ପରିବାରର ବସୁଦେବ ସାମନ୍ତରାୟ ବାବୁଙ୍କର ପ୍ରଥମ ସ୍ତ୍ରୀଙ୍କର ଗୋଟେ ବୋଲି ପୁଅ ଜଗନ୍ନାଥ ରାୟ। ଶ୍ୟାମଳ ବର୍ଣ୍ଣର ଛଅ ଫୁଟ ଉଚ୍ଚତା ବିଶିଷ୍ଟ ଗହୀରିଆ ଆଖିରେ ଖଣ୍ଡାଧାର ନାକ। ବଳିଷ୍ଠ ଚେହେରାରେ ସୁଦୀର୍ଘ ବାହୁ, ବିଶାଳ ଛାତିରେ ଘାସ ଗୁଚ୍ଛା ପରି ବାଲୁବାଲୁ କେଶ। ଯୌବନର ଢେଉରେ ତରଙ୍ଗାୟିତ ହେଉଥିବା ନାରୀ ମାନେ ଜଗନ୍ନାଥ ର ପ୍ରଥମ ନଜରରେ ନିଜ ହୃଦୟଟିକୁ ସମର୍ପି ଦେଇ ଚୁପ୍ ଚାପ୍ ବସି ଯାଆନ୍ତି।

       କିନ୍ତୁ ଜଗନ୍ନାଥ, ପଦ୍ମିନୀର ପ୍ରେମ ଋଣ ଭାରରେ ଡୁବିଯାଇ ନିଜ ହୃଦୟଟିକୁ ତା' ପାଖରେ ଜାମିନ୍ ରେ ରଖିଥିଲା। ଆଉ କଥା ଦେଇଥିଲା ଯେଉଁ ଦିନ ତମର ଏହି ଋଣଭାର ମୁକ୍ତ କରିବାକୁ ଯାଇ ସିନ୍ଦୁର ଦେବି ତୁମ ମଥାରେ, ଠିକ୍ ସେହି ଦିନ ମୋ ହୃଦୟ ମୁକ୍ତ ପାଇବ ନ ହେଲେ ନାହିଁ। ଆଉ ପଦ୍ମିନୀ ମଧ୍ୟ ଜଗନ୍ନାଥ କଥାକୁ ଗୁରୁଜ୍ଞାନ କରି ବନ୍ଧକ ରେ ପାଇଥିବା ଅତିପ୍ରିୟ ବସ୍ତୁଟିକୁ ହୃଦୟରେ ସାଇତି ରଖିଥିଲା ଆଉ ନିଜକୁ ଚରମ ଭାଗ୍ୟବତୀ ବୋଲି ମନେ କରୁଥିଲା।

         ପଦ୍ମିନୀ ଏକ ଗରିବ ଚଷା ପରିବାରର ବଡ଼ ଝିଅ। ହଳଦୀ ଗୋରୀ ରଙ୍ଗକୁ ଟଣାଟଣା ଆଖି, ମଧ୍ୟମ ଧରଣର ନାକ। ଗୁଲୁଗୁଲିଆ ଗୋରା ଗାଲରେ ଓଠ କଥା ନ କହିବା ହିଁ ଭଲ।

   ପ୍ରଥମ କରି ଯୌବନର ପାଦ ରଖୁଥିବା ପୁରୁଷ ଯଦି ପଦ୍ମିନୀର ଓଠ ଉପରେ ନଜର ଦେବ ତା' ହେଲେ ସେ ପ୍ରେମର ନିଆଁରେ ପତଙ୍ଗ ପରି ଝାସ ଦେବା ସୁନିଶ୍ଚିତ।

      ପରମ ସୁନ୍ଦରୀ ଆଉ ଗୁଣବତୀ ପଦ୍ମିନୀ, ପାରିବାରିକ ବୋଝକୁ ହାଲୁକା କରିବାକୁ ଦୃଢ଼ମନା ହୋଇ ଭଲ ପାଠ ପଢ଼ି ଚାକିରୀ ଖଣ୍ଡେ କରି ପରିବାରର ଦୁଃଖ ଦୂର କରିବାକୁ ସଂକଳ୍ପବଦ୍ଧ ଥିଲା।

      କିନ୍ତୁ କେଜାଣି କେମିତି ଯୌବନର ଖସଡ଼ା ବାଟରେ ପାଦ ଖସେଇ ନିଜକୁ ସମର୍ପି ଦେଇଥିଲା ଜଗନ୍ନାଥ ବକ୍ଷରେ।ଆଉ ଅନାବିଳ ପ୍ରେମ କରି ବସିଥିଲା ଜଗନ୍ନାଥକୁ।

      ସତ୍ୟ କୁ କ'ଣ କେହି ଅଧିକ ସମୟ ଲୁଚେଇ କରି ରଖିପାରେ। ତାହା ସମୟ ଆସିଲେ ଆପଣା ଛାଏଁ ବିକଶିତ ହୋଇଯାଏ। ଠିକ୍ ସେମିତି ପ୍ରେମର ମଧୁରତା ରେ ଏତେ ଶକ୍ତି ଥାଏ ଯେ ତାକୁ ଯେତେ ଲୁଚେଇବାକୁ ଚେଷ୍ଟା କଲେ ମଧ୍ୟ ସେ ତା'ର ସୁଗନ୍ଧରେ ଚତୁର୍ଦ୍ଦିଗ ମହକାଇ ଦିଏ। ଅବଶ୍ୟ ପ୍ରେମକୁ ପସନ୍ଦ କରୁଥିବା ବ୍ୟକ୍ତି ପାଇଁ ସୁଗନ୍ଧର ଗନ୍ତାଘର ଆଉ ନାପସନ୍ଦ କରୁଥିବା ବ୍ୟକ୍ତି ପାଇଁ ଦୁର୍ଗନ୍ଧର ଗନ୍ତାଘର।

       ଆଉ ସେହି ଦୁର୍ଗନ୍ଧର ମହକ ଯାଇ ବାଜିଥିଲା ଜଗନ୍ନାଥର ସାବତ ମାଆ' କୁନ୍ତଳା ଦେବୀଙ୍କ ନାକରେ। ପ୍ରଥମରୁ ଜଗନ୍ନାଥକୁ ପସନ୍ଦ କରୁନଥିବା କୁନ୍ତଳା ଦେବୀଙ୍କ କାନରେ ଏହି ପ୍ରେମ ଖବର ବାଜିବା କ୍ଷଣି ରଡ଼ ନିଆଁ ପରି ତାତି ଉଠିଥିଲେ। ସାମାନ୍ୟ ଗୋଟେ ଚଷା ଘର ଝିଅ ପୁଣି ସାମନ୍ତ ରାୟ ପରିବାରର ବଡ଼ ବୋହୁ ହେବ ? ଆଉ ଅଚଳାଚଳ ସମ୍ପତି ର ମାଲିକାଣୀ ହେବ ? କେଜାଣି କାହିଁକି ଏହି କଥା ସତେ ଯେପରି ତାଙ୍କ ପାଇଁ ବଜ୍ର ସଦୃଶ ଥିଲା। ରାତି ପାହିଲେ ଯିଏ ହାତଯୋଡ଼ି ମାଲିକାଣୀ.....ମାଲିକାଣୀ କହି ସାହାଯ୍ୟର ଭିକ ମାଗୁଛି,ସେ ପୁଣି କାନ୍ଧ ସହ କାନ୍ଧ ମିଳେଇ ସମାସ୍କନ୍ଧ ହୋଇ ସମୁଦୁଣୀ କହିବ। କଥା ଗୁଡ଼ିକ ସତେ ଯେପରି ସର୍ପ ଦଂଶିଲା ଦଂଶି ଚାଲିଥିଲା କୁନ୍ତଳା ଦେବୀଙ୍କ ମସ୍ତିଷ୍କକୁ। କ୍ରୋଧ ଓ ଘୃଣାରେ ଭରିଯାଇଥିବା ମସ୍ତିଷ୍କରୁ ଏକ ଭୟଙ୍କର ବୁଦ୍ଧିର ଉତ୍ପନ୍ନ ହେଇଗଲା।

    ତା' ପରଦିନ ସକାଳ। ଗାଁ ଲୋକଙ୍କ ଟୁପୁରୁ ଟାପୁରୁ ରେ କମଳପୁର ର ପରିବେଶ ଦୂଷିତ ହେଇ ଯାଉଥାଏ। ଖୋଜ ଖବର ନେବାରୁ ଜଣା ପଡ଼ିଲା ଅମୁକ ପରିବାରର ସମସ୍ତ ସଦସ୍ୟ ଗାଁ ଛାଡ଼ି କେଉଁ ଆଡେ ପଳାୟନ କରିଛନ୍ତି। କିନ୍ତୁ କାରଣ ଖୋଜିବା ଥିଲା ସମସ୍ତଙ୍କ ପାଇଁ ଅପହଞ୍ଚ ଇଲାକା। ଗାଁ ବାଲାଙ୍କ ମୁହଁରୁ ପଦ୍ମିନୀ ବିଷୟରେ କୁପ୍ରଚାର ଶୁଣି ଜଗନ୍ନାଥ ଦେହରେ ନିଆଁ ଚେଙ୍କ ଲାଗି ଯାଉଥାଏ। ଖବରର ସତ୍ୟାସତ ପରଖିବାକୁ ଯାଇ ଜଗନ୍ନାଥ ଆଗେଇ ଆସିଥିଲା ଏବଂ ପଦ୍ମିନୀର ଘର ଦୁଆରେ ଓହଳୁଥିବା ବଡ଼ କଳଙ୍କି ଲଗା ତାଲା କୁ ପଥର ସାହାଯ୍ୟରେ ଭାଙ୍ଗି ପକାଇ ଭିତରକୁ ପ୍ରବେଶ କରିଥିଲା । ଆଉ ଉଦ୍ଧାର କରିଥିଲା ସେଦିନର ଶେଷ ସ୍ମୃତି ରୂପେ ଖଣ୍ଡେ ନିର୍ଜୀବ କାଗଜକୁ।

     ସାମାନ୍ୟ କେଇଟା ଟଙ୍କା ଲୋଭରେ ପଦ୍ମିନୀ ଯେ ଏମିତି ଦଶ ବର୍ଷର ପ୍ରେମକୁ ପାଦରେ ଆଡେଇ ଦେଇ ଚାଲିଯିବ। ତାହା ଥିଲା ଜଗନ୍ନାଥ ପାଇଁ ଅସହ୍ୟ। ଦୁଃଖ, କ୍ରୋଧ ତଥା ଘୃଣାର ସମିଶ୍ରଣ ରେ ଜଗନ୍ନାଥ ମନ ଫାଟି ପଡ଼ୁଥାଏ। କାନ୍ଦିବାକୁ ଚାହିଁଲେ ମଧ୍ୟ କାନ୍ଦି ପାରୁ ନଥାଏ। ପ୍ରେମରେ ପାରିବାରିକ ପ୍ରତିବନ୍ଧକ କିମ୍ବା ସମୟ ରୂପୀ ପ୍ରତିବନ୍ଧକ ଆସିଲେ ତାକୁ ସାମ୍ନା କରି ହୁଏ । କିନ୍ତୁ ପ୍ରେମିକା ଯଦି ନିଜେ ପ୍ରେମର ପ୍ରତିବନ୍ଧକ ସାଜି ନିଜ ହାତରେ ପ୍ରେମର ଗଳା ଚିପି ମାରିଦିଏ । ତେବେ ତାକୁ ସହ୍ୟ କରିବା ଅସମ୍ଭବ ହୋଇଉଠେ।

    ଜଗନ୍ନାଥ ପାଇଁ ଏହି ଦୁଃଖକୁ ହଜମ କରିବା ଏତେ ସହଜ ନଥିଲା। ମାତୃ ବିୟୋଗରେ ମୂକ ପାଲଟି ଯାଇଥିବା ଜଗନ୍ନାଥ ମୁହଁରେ ହସ ଫେରେଇ ଆଣିଥିଲା ପଦ୍ମିନୀ। କିନ୍ତୁ ସେହି ପଦ୍ମିନୀ ଛାଡ଼ିଗଲା ପରେ ଜଗନ୍ନାଥର ବଞ୍ଚିବା କଷ୍ଟସାଧ୍ୟ ହୋଇ ପଡ଼ିଲା। ଦୁଃଖର ବାଦଲ କୁ ଅଣଦେଖା କରିବାକୁ ଯାଇ ଜଗନ୍ନାଥ ଧଳା ଜହର କୁ ପାନ କରିବାକୁ ଲାଗିଲା।

       ଯାହାର ସମ୍ପୂର୍ଣ୍ଣ ଫାଇଦା ଉଠେଇବାକୁ ଯାଇ କୁନ୍ତଳା ଦେବୀ ସାମନ୍ତରାୟ ପରିବାରର ସମସ୍ତ ସମ୍ପତି ରୁ ଜଗନ୍ନାଥକୁ ବେଦଖଲ କରିବା ସହ ତାକୁ ଘରୁ ବାହାର କରିଦେଲେ। ନିଶାରେ ଚୁର୍ ଥିବା ସମୟରେ କୁନ୍ତଳାଦେବୀ ଚକ୍ରାନ୍ତ କରି ସମସ୍ତ ସମ୍ପତି ନିଜ ନାମରେ କରିନେଲେ। ଆଉ ସ୍ୱର ଉତ୍ତୋଳନ କରୁଥିବା କିଛି ଭିକ ମଗାଙ୍କ ମୁହଁରେ ଅଇଁଠା କିଛି ଫୋପାଡ଼ି ଦେଇଥିଲେ।

       ତା' ପରେ ପରେ ଜଗନ୍ନାଥ ଅବସ୍ଥା ବଡ଼ ଶୋଚନୀୟ ହୋଇ ଯାଇଥିଲା। ଘରୁ ତଡ଼ା ଖାଇ ଜଗନ୍ନାଥ ନିଶାରେ ପାଗଳ ପ୍ରାୟ ଝୁମିଝୁମି ଶେଷରେ ଆସି ଏହି ଅପରିଚିତ ସ୍ଥାନରେ ପହଞ୍ଚିଥିଲା। ଆଉ ଆଜି ଏହି ଅପରିଚିତ ସ୍ଥାନ ପୁଣି ସେହି ଦୁଃଖଭରା ଅତୀତର ଫର୍ଦ୍ଦ ଗୁଡିକୁ ଲେଉଟାଇ ଜଗନ୍ନାଥର ଅଦେଖା ଘାଆ ଗୁଡିକୁ ଯେମିତି ପୁନର୍ଜିବିତ କରିଦେଲା।

*********************************

      ମଞ୍ଚ ଉପରେ ପଦ୍ମିନୀ କୁ ଦେଖିଲା ପରେ ଜଗନ୍ନାଥର ସେହି ପୁରୁଣା ପ୍ରେମ ପୁଣି ଜାଗି ଉଠିଲା। ତା'ର ଇଛା ହେଉଥିଲା ଥରେ କେବଳ ଥରେ ସେ ପଦ୍ମିନୀକୁ ପ୍ରଶ୍ନ କରିବ କାହିଁକି......କାହିଁକି ମୋ ସହ ଏତେ ବଡ଼ ପ୍ରତାରଣା କରିଲ କୁହ।

      ଯଥା ସମୟରେ କାର୍ଯ୍ୟକ୍ରମ ସରିଲା। ଭିଡ଼ ମଧ୍ୟରେ ଠେଲା ପେଲା କରି ଜଗନ୍ନାଥ ପହଞ୍ଚିଗଲା ପଦ୍ମିନୀ ବସିଥିବା କାର୍ ନିକଟରେ। ସେଠାରେ ଛିଡ଼ା ହେଇଥିବା ଏକ କର୍ମଚାରୀର ହାତ ପାଦ ଧରି ନେହୁରା ହେଇ କହିଲା,"ଥରେ ଯାଇ ମ୍ୟାଡାମ୍ ଙ୍କୁ କହିବାକୁ ଯେ କମଳ ପୂରର ଜଗନ୍ନାଥ ଆସିଛି ଆପଣଙ୍କୁ ଦେଖା କରିବାକୁ।"

      ପ୍ରଥମେ ପ୍ରଥମେ ଦୂର୍ ଦୂର୍ କରୁଥିବା କର୍ମଚାରୀ ଶେଷରେ ରାଜି ହେଲା। ବୋଧେ ତା' କଣ୍ଠରେ ସରସ୍ଵତୀଙ୍କର ବିରାଜମାନ ହେଲା ନଚେତ ଜଗନ୍ନାଥ ଉପରେ ସ୍ୱୟଂ ଜଗାର କରୁଣା ହେଲା।

      କର୍ମଚାରୀ ଚାଲିଗଲା ଖବର ଦେବାକୁ ଆଉ ଜଗନ୍ନାଥ ଲୁଚି ରହିଲା ଅନତି ଦୂରରେ ଥିବା ଆଉ ଏକ କାର ପଛରେ।

     କିଛି କ୍ଷଣ ପରେ ସେହି କର୍ମଚାରୀ ସହ ବ୍ୟତିବ୍ୟସ୍ତ ହୋଇ ଦଉଡି ଆସିଲା ପଦ୍ମିନୀ। ଏପାଖ ସେପାଖ ଦରାଣ୍ଡି ପକାଇଲା। ହଠାତ୍ କାର ପଛପାଖେ ଛିଡ଼ା ହୋଇଥିବା ଜଗନ୍ନାଥ ଉପରେ ନଜର ପଡ଼ିବା କ୍ଷଣି ପଦ୍ମିନୀ ଧାଇଁ ଆସିଥିଲା ତା' ପାଖକୁ। କିନ୍ତୁ ଦୁଃଖର କଥା ପ୍ରାୟ ସାତ ବର୍ଷ ପରେ ମଳିନ କପଡା ସହ ଶ୍ମଶ୍ରୁ ବହୁଳ ଚେହରାକୁ ଦେଖି ସୀମା ଚିହ୍ନି ପାରିନଥିଲା ଜଗନ୍ନାଥକୁ। ଆଉ ଜଗନ୍ନାଥ ମଧ୍ୟ ଅନୁରୂପ ଅଚିହ୍ନା ପରି ବ୍ୟବହାର କରିବାକୁ ଲାଗିଲା।

       କିନ୍ତୁ ଜଗନ୍ନାଥ ସହ ପରିଚିତ ସେ କର୍ମଚାରୀ ଜଣଙ୍କ ଉତ୍ତର ରଖିଥିଲା-: ମ୍ୟାଡାମ୍ ଏହି ବ୍ୟକ୍ତି ଜଣକ ନେହୁରା ହୋଇ କହୁଥିଲେ ଆପଣଙ୍କ ସହ ଦେଖା କରିବାକୁ।

      ଆଖି ଉଠେଇ ଚାହିଁଥିଲା ପଦ୍ମିନୀ। ଶ୍ମଶ୍ରୁ ବହୁଳ ବ୍ୟକ୍ତିକୁ ଅନେକ ସମୟ ଧରି ନିରେଖି ଚାହିଁବା ପରେ ପଦ୍ମିନୀ ପରଖି ନେଇଥିଲା ସେ ଆଖିର ଲୁକ୍କାୟିତ୍ ହୋଇ ରହିଥିବା ସମ୍ମୋହନ ଶକ୍ତିକୁ। ସେଇ ଶକ୍ତିକୁ ବଶୀଭୂତ କରିବାର କଳା କେବଳ ତାକୁ ହିଁ ଜଣା, ଏ କଥା ସେ ହୃଦୟଙ୍ଗମ କରିବା ସହିତ ଅଚିରେ ଚିହ୍ନି ପାରିଥିଲା ଜଗନ୍ନାଥକୁ।

      ଦୀର୍ଘ ଦିନ ପରେ ମାତ୍ର କେଇ ଗଜ ଦୂରତା ରେ ରହି ମଧ୍ୟ, ନା ପଦ୍ମିନୀ ଅତିକ୍ରମ କରି ପାରିଥିଲା ସେହି କେଇ ଗଜ ଦୂରତା କୁ ନା କୋଳେଇ ପାରିଥିଲା ତା'ର ସେହି ପ୍ରେମକୁ। ଆପଣା କଲା କର୍ମ ର ନାଗ ଫାଶ ରେ ଛନ୍ଦି ହୋଇ ରହି ଯାଇଥିଲା ପଦ୍ମିନୀ। ଏତେ ବଡ଼ ଜିଲ୍ଲାର କଲେକ୍ଟର ହୋଇ ମଧ୍ୟ କୌଣସି ଲଜ୍ଜ୍ୟା ସଙ୍କୋଚ ମନରେ ନରଖି ଜଗନ୍ନାଥ ଆଖିରେ ନିଜ ପ୍ରେମର ଆଖିରେ ନିର୍ଦ୍ଦୋଷ ସାଵସ୍ତ୍ୟ ହେବାକୁ ଶେଷରେ ଜଗନ୍ନାଥ ସମ୍ମୁଖ୍ୟରେ ଆଣ୍ଠେଇ ପଡ଼ି ହାତ ଯୋଡି ଭୁଲ ମାଗିବାକୁ ପ୍ରସ୍ତୁତ ହୋଇ ଯାଇଥିଲା ଲୋତକ ନୟନରେ।

     କିନ୍ତୁ କ୍ରୋଧ ଓ ଘୃଣାର ଅଗ୍ନିରେ ସ୍ନାନ କରୁଥିବା ଜଗନ୍ନାଥ ମନରେ ପଦ୍ମିନୀ ପ୍ରତି କୌଣସି ସହାନୁଭୂତି ଜାତ ହୋଇନଥିଲା। ଓଲଟା ଜଗନ୍ନାଥ, ତା'ର ଏତାଦୃଶ ବ୍ୟବହାରକୁ ବାହାନା ମନେ କରି ମୁହଁକୁ ଅପର ପକ୍ଷକୁ ମୋଡ଼ିଦେଇ ପ୍ରଶ୍ନ କଲା-: ମୁଁ ତୋର କୌଣସି ବାହାନା ଦେଖିବାକୁ ଚାହେଁନା କିମ୍ବା ତୋର କୌଣସି କୈଫିୟତ ମଧ୍ୟ ଶୁଣିବାକୁ ଚାହେଁନା। ମୁଁ ବାସ୍ ଏତିକି ଶୁଣିବାକୁ ଚାହେଁ, ମୋ ସହ ଏତେବଡ଼ ଛଳନା କରିବାର କାରଣ ଥିଲା ? ଆଉ ସେଦିନ ଏମିତି କ'ଣ ହେଲା କି ତମେମାନେ ରାତା ରାତି ଗାଁ ଛାଡି ପଳାୟନ କରିବାକୁ ବାଧ୍ୟ ହେଲ ? ମତେ ବାସ୍ ଏତିକି ଜାଣିବାର ଅଛି।

        ଆଖି ଉଠେଇ ଚାହିଁଲା ପଦ୍ମିନୀ। ଆଖିରେ ଝରି ଆସୁଥିବା ସଲିଳ ବିନ୍ଦୁକୁ କାନି ରେ ପୋଛି ପଦ୍ମିନୀ ସବୁ ସତ କଥା କହିଦେଲା।

     ମାତୃ ବିୟୋଗ ପରେ ପରେ ଜଗନ୍ନାଥ ପାଲଟି ଯାଇଥିଲା ମୂକ। ପତ୍ନୀ ବିୟୋଗରେ ମର୍ମାହତ ହୋଇ ପୁତ୍ରକୁ ହରାଇବାକୁ ଚାହୁଁନଥିବା ସାମନ୍ତରାଏ ବଂଶର ମଉଡ଼ମଣି ବସୁଦେବ ସାମନ୍ତରାୟ ବନ୍ଧୁବାନ୍ଧବଙ୍କ ପ୍ରରୋଚନାରେ ପଡ଼ି ଆଉ ଥରେ ବିବାହ କରିନେଇ ସାଥିରେ ନେଇ ଆସିଥିଲେ ଏକ ବିଷଧର କାଳ ନାଗୁଣୀକୁ। ଗୃହ ପ୍ରବେଶର ଦିନ କେଇଟା ମଧ୍ୟରେ କୁନ୍ତଳା ଦେବୀ ଆରମ୍ଭ କରିଦେଇ ଥିଲେ ତାଣ୍ଡବ ନୃତ୍ୟ।କୁନ୍ତଳା ଦେବୀଙ୍କ ହାବଭାଵ ର ଆଗତ ଭବିଷ୍ୟ କୁ ଆଖି ଆଗରେ ରଖି ବସୁଦେବ ବାବୁ ମନେ ମନେ ଏକ ଦୃଢ଼ ସଂକଳ୍ପ ନେଲେ। ନିଜର ସମସ୍ତ ସମ୍ପତି ର ନବେ ପ୍ରତିଶତ ଜଗନ୍ନାଥ ନାମରେ କରିବା ସହିତ ନିଜର ସମସ୍ତ ବୁଦ୍ଧି କୁ ଉପଯୋଗ କରି ଆଉ ଏକ ସର୍ତ୍ତ ମଧ୍ୟ ରଖି ଯାଇଥିଲେ।

      ଅବିବାହିତ ଥିବା ଯାଏଁ ସମସ୍ତ ସମ୍ପତ୍ତି ର ମାଲିକ ଜଗନ୍ନାଥ ରହିବ। କିନ୍ତୁ ବିବାହ ପରେ ସେ ସମ୍ପତ୍ତି ତିନି ଭାଗରେ ବିଭକ୍ତ ହୋଇଯିବ। ପ୍ରଥମ ଭାଗ ଜଗନ୍ନାଥ ନାମରେ, ଦ୍ୱିତୀୟ ଜଗନ୍ନାଥର ଭାବି ପତ୍ନୀ ନାମରେ ଓ ତୃତୀୟ ଭାଗ ଜଗନ୍ନାଥ ଉତ୍ତରାଧିକାରୀ ନାମରେ ରହିବ। ଯଦି କୌଣସି କାରଣ ବଶତଃ ଜଗନ୍ନାଥର ଅପମୃତ୍ୟୁ ହୁଏ। ତେବେ ସେ ସମସ୍ତ ସମ୍ପତି ଗ୍ରାମ ଦେବତୀଙ୍କ ଅଧୀନକୁ ଚାଲିଯିବ।

    ସମ୍ପତି ର ଏହି ତାଲିକା ଖୁବ୍ ବିଳମ୍ବରେ କୁନ୍ତଳା ଦେବୀଙ୍କ ହସ୍ତଗତ ହୋଇଥିଲା। କିନ୍ତୁ ସେତେବେଳକୁ ସମ୍ପୂର୍ଣ୍ଣ ବିଳମ୍ବ ହୋଇ ସାରିଥିଲା। ମାତ୍ର ଦଶ ପ୍ରତିଶତ ସମ୍ପତି କୁ ନେଇ କୁନ୍ତଳା ଦେବୀଙ୍କ ମଥା କ୍ରୋଧରେ ଫାଟି ପଡ଼ୁଥାଏ। ନିଜ ପ୍ରତି ଓ ନିଜ ସନ୍ତାନ ପ୍ରତି ଅନ୍ୟାୟ ହେବା ଦେଖି କୁନ୍ତଳା ଦେବୀ ଚକ୍ରାନ୍ତ କରି ବସୁଦେବଙ୍କୁ ପ୍ରଥମେ ସ୍ୱର୍ଗ କୁ ପଠାଇ ଦେଇଥିଲେ। ଆଉ ତା' ପରେ ଯୋଜନା କରିଥିଲେ ଜଗନ୍ନାଥ କୁ ହଟେଇ ବାକୁ। କିନ୍ତୁ ସ୍ୱର୍ଗପଥର ପଥଚାରୀ ବସୁଦେବ ବାବୁଙ୍କ ଦୂରଦୃଷ୍ଟି ହିଁ ଜଗନ୍ନାଥ ପାଇଁ ସାଜିଥିଲା ଅଭେଦ କବଚ।

        ନେଡି ଗୁଡ଼ କହୁଣିକୁ ବୋହି ସାରିଥିଲା। ଆଖି ସାମ୍ନାରେ ସବୁକିଛି ନାଟକୀୟ ମୋଡ଼ରେ ଘଟିଗଲା। ଅଥଚ କିଛି କରି ପାରିନଥିବାରୁ କୁନ୍ତଳାଦେବୀଙ୍କ ସର୍ବାଙ୍ଗ ଶରୀର କ୍ରୋଧରେ କମ୍ପମାନ ହେଉଥାଏ। କିନ୍ତୁ ଏତେ ସବୁ ପରେ ମଧ୍ୟ କାନମୁଣ୍ଡ ଆଉଁସି କୁନ୍ତଳା ଦେବୀ ଅପେକ୍ଷା କରି ବସିଥିଲେ ଉଚିତ୍ ସମୟକୁ ଆଉ ନଜର ରଖୁଥିଲେ ଜଗନ୍ନାଥର ପ୍ରତ୍ୟକ କାର୍ଯ୍ୟ କଳାପକୁ।

       ଏମିତି ଦିନେ ଉଡ଼ିଲା ଖବର ଆସି ପଡିଥିଲା କୁନ୍ତଳାଦେବୀଙ୍କ କାନରେ ଜଗନ୍ନାଥ ର ପ୍ରେମ ବିଷୟରେ। ଆପାଦ ମସ୍ତକ କ୍ରୋଧ ଓ ଘୃଣା ରେ ଭରି ଯାଇଥିଲା। କଥାଟିର ସତ୍ୟାସତ ନେବାକୁ ଜଗନ୍ନାଥ ସହ ଆଲୋଚନା କରନ୍ତେ। ଜଗନ୍ନାଥ ଦୃଢତାର ସହ ନିଜ ପକ୍ଷ ରଖିଥିଲା ପଦ୍ମିନୀ ସହ ତା'ର ପ୍ରେମ ସମ୍ପର୍କକୁ ନେଇ।

       ବାସ୍, ତା' ପରଠାରୁ ଆରମ୍ଭ ହୋଇ ଯାଇଥିଲା ଭୟଙ୍କର ଷଡ଼ଯନ୍ତ୍ର। ପଦ୍ମିନୀ ଏବଂ ତା ପରିବାରର ସମସ୍ତ ଖବର ସଂଗ୍ରହ କରିଥିଲେ କୁନ୍ତଳା ଦେବୀ। ତା ବିଷୟରେ ସମସ୍ତ ତଥ୍ୟ ହସ୍ତଗତ କରି କୁନ୍ତଳା ଦେବୀ ଭୟରେ ଗୋଟାପଣେ ଥରି ଉଠିଲେ। ପଦ୍ମିନୀ ଯେ କେବଳ ପାଠପଢା ରେ ଆଗୁଆ ତା' ନୁହେଁ ସେ ଏକ ଦୃଢ଼ମନା ଏବଂ ଅନ୍ୟାୟର ଘୋର ବିରୋଧୀ ଚରିତ୍ରର ପିଲା। ଥରେ ଜଗନ୍ନାଥ ତାକୁ ଏ ଘରକୁ ବୋହୁ କରି ନେଇ ଆସିଲେ ସେ ଯେ ଅନ୍ୟାୟ କୁ ପ୍ରତିହତ କରିବାକୁ ଯାଇ କୁନ୍ତଳା ଦେବୀଙ୍କୁ ଶାସନ ନ କରିବ କିଏ କହିପାରେ।

       ତା' ପରେ ପରେ ଭବିଷ୍ୟ ର ଆଗାମୀ କଣ୍ଟାକୁ ରାସ୍ତାରୁ ସବୁଦିନ ପାଇଁ ହଟେଇବା କୁ ଯାଇ କୁନ୍ତଳା ଦେବୀ ଆଉ ଏକ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ। ପଦ୍ମିନୀର ମଦୁଆ ବାପାଙ୍କୁ ପ୍ରଚୁର ଅର୍ଥରାଶି ଦେଇ ବିଭିନ୍ନ ପ୍ରକାର ଲୋଭ ଦେଖାଇ ଗାଁ ଛାଡ଼ି ଜଗନ୍ନାଥକୁ ତ୍ୟାଗ କରି ସବୁଦିନ ପାଇଁ ଅପହଞ୍ଚ ହୋଇଯିବାକୁ ସର୍ତ୍ତ ବାଢ଼ିଥିଲେ।

     କୁନ୍ତଳାଦେବୀଙ୍କ ଯୋଜନା କାମ କରିଗଲା। ରାତାରାତି ସବୁକିଛି ଘଟିଗଲା । ଆଉ ସକାଳୁ ସକାଳୁ କିଛି ବୋଲହାକ କରୁଥିବା ନିନ୍ଦୁକ ପଦ୍ମିନୀ ନାମରେ ଅପପ୍ରଚାର କରିଦେଲେ। ଆଉ ପ୍ରମାଣ କରିବାକୁ ଯାଇ ତା ଠାରୁ ଡରେଇ ଧମକେଇ ଚିଠି ଖଣ୍ଡେ ଲେଖେଇ ଘର ଭିତରେ ରଖି ଦେଇଥିଲେ ଜଗନ୍ନାଥ ଉଦ୍ଦେଶ୍ୟରେ।

       ଆରମ୍ଭରୁ ଶେଷ ସବୁକିଛି କହିସାରି ଚୁପ୍ ହୋଇ ଯାଇଥିଲା ପଦ୍ମିନୀ। ଏତେ ସମୟ ଧରି ଚୁପ୍ ହୋଇ ଆସିଥିବା ଜଗନ୍ନାଥର ହୃଦୟ ଦୁଃଖରେ ବିଳାପ କରି ଉଠିଥିଲା। ସାମାନ୍ୟ କେଇଟା ସମ୍ପତି ଲୋଭରେ ତା' ସାବତ ମାଆ' ଏତେ ବଡ଼ ଚକ୍ରାନ୍ତ ରଚି ପାରନ୍ତି ବୋଲି ତାର ବିଶ୍ୱାସ ହେଉନଥିଲା। ଯାହାକୁ ଅତି ସହଜରେ ମାପି ନେଇଥିଲା ପଦ୍ମିନୀ। ତେଣୁ ପ୍ରମାଣ ଦେବାକୁ ଯାଇ ସେ ଫୋନ୍ ଯୋଗେ କଥା କରେଇ ଥିଲା ଏକ ଅଜଣା ଅଶୁଣା ବ୍ୟକ୍ତି ସହ।

    କିନ୍ତୁ ଫୋନ୍ ରେ ବାର୍ତ୍ତାଳାପ ଶେଷ ନ ହେଉଣୁ ଜଗନ୍ନାଥ କାନ୍ଦିଥିଲା ଛୋଟ ଛୁଆଙ୍କ ପରି। କହିବା ବାହୁଲ୍ୟ ଫୋନରେ ଆଉ କେହି ନୁହଁ ସ୍ୱୟଂ ଜଗନ୍ନାଥର ବୁଢ଼ା କକେଇ ଥିଲେ। ଯିଏ କି ଜଗନ୍ନାଥ କୁ ସତ୍ୟ ସହ ପରିଚିତ କରିଥିଲେ।

     ସବୁ ବାଧା ଵିଘ୍ନ କୁ ଅତିକ୍ରମ କରି ଶେଷରେ ସତ୍ୟର ଉନ୍ମୋଚନ ହୋଇ ସାରିଥିଲା। ଶାଶ୍ୱତ ପ୍ରେମର ମହାନ୍ ଶକ୍ତିରେ ଦୁଇ ପ୍ରେମୀଙ୍କ ଦେଖା ସାକ୍ଷାତ ହୋଇ ଯାଇଥିଲା। ଯଦି ଆଉ କିଛି ବାକି ରହି ଯାଇଥିଲା ତେବେ ତାହା ହେଉଛି, ଦୁଇ ପ୍ରେମୀଙ୍କ ମହମିଳନର ମହା ପର୍ବକୁ ଆମନ୍ତ୍ରଣ କରିବାର। କାରଣ, ସଫଳତାର ସିଡି ଆରୋହଣ କରି ମଧ୍ୟ ପଦ୍ମିନୀ ଥିଲା ସମ୍ପୂର୍ଣ୍ଣ ଅବିବାହିତ। ଦୁନିଆ ଆଖିରେ ଦହଗଞ୍ଜ ନ ହେବାକୁ ସେ ନାଉଥିଲା ଜଗନ୍ନାଥ ନାମରେ ସିନ୍ଦୂର। ତେବେ ସେ କଳ୍ପନାର ସିନ୍ଦୂର କୁ ବାସ୍ତବର ରୂପରେଖ ଦେବାକୁ ପଦ୍ମିନୀ ନିବେଦନ କରିଥିଲା ଜଗନ୍ନାଥକୁ।

      ଇତିମଧ୍ୟରେ ଜଗନ୍ନାଥର କକେଇ ଓ ପଦ୍ମିନୀର ମାତା ପିତା ଆସି ଉପସ୍ଥିତ ହୋଇ ସାରିଥିଲେ। ଆଉ ସଜବାଜ ହେଉଥିଲେ ନବ ଦମ୍ପତି ଙ୍କୁ ଆଶୀର୍ବାଦ ଦେବାକୁ।

ସମାପ୍ତ।।


Rate this content
Log in

Similar oriya story from Romance