ନିୟତିର ନିଷ୍ପତି
ନିୟତିର ନିଷ୍ପତି
ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍ ରେଳଷ୍ଟେସନର ଛଅ ନମ୍ବର ପ୍ଲାଟଫର୍ମରେ ବସିରହି ମୁଁ ଅପେକ୍ଷା କରୁଥାଏ କୋଣାର୍କ ଏକ୍ସପ୍ରେସକୁ। ସମୟ ଅପରାହ୍ଣ ତିନି ଘଟିକା। ଖାଲି ଖାଲି ବସି ବୋର୍ ହେଉଥିବାରୁ ମୋବାଇଲରେ ପ୍ରତିଲିପି ଆପ ଯୋଗେ ମୁଁ ପଢୁଥାଏ ଅନେକ ଗୁଡିଏ କାହାଣୀ। ମନ ଭାରାକ୍ରାନ୍ତ ଥିଲା। ଇଛା ନଥିଲେ ମଧ୍ୟ ଗାଁ ଛାଡ଼ି ଆସିବାକୁ ବାଧ୍ୟ ହେଲି। ପଛରେ ଛାଡ଼ି ଆସିଥିଲି ଅନେକ ଗୁଡିଏ ଭାବ। ପୁଣି କେବେ ଆସିବି ତାହା ଜଣା ନାହିଁ। ଛଅ ମାସ ଲାଗିପାରେ କିମ୍ବା ବର୍ଷେ ମଧ୍ୟ ଲାଗି ପାରେ। ତେଣୁ ଦୁଃଖୀ ମନକୁ ପରିବର୍ତ୍ତନ କରିବାକୁ ପ୍ରତିଲିପିର ସହାୟତା ନେଉଥାଏ।
ଯଥା ସମୟରେ କୋଣାର୍କ ଆସି ଲାଗିଲା ଛଅ ନମ୍ବର ପ୍ଲାଟଫର୍ମ ରେ। ଆଉ ଡେରି ନକରି ଚୁପଚାପ ଉଠିଗଲି ଦଶ ନମ୍ବର ବଗି କୁ। ପୂର୍ବରୁ ଟିକେଟ ବୁକିଙ୍ଗ କରି ସାରିଥିଲି। ତେଣୁ ସିଟ ପାଇଁ ଆଉ ଚିନ୍ତା ନ ଥାଏ। ସାଥିରେ ଆଣିଥିବା ଟ୍ରଲି ବ୍ୟାଗ କୁ ଟାଣି ଟାଣି ନେଇ ବସିଲି ନିଜ ସିଟ୍ ରେ। ସାମ୍ନା କୁ ଦେଖିଲି ସ୍ଵଳ୍ପ ବୟସର ତରୁଣୀ ଟିଏ ବସିଛି। ଆଖି ଦୁଇଟିକୁ ଛାଡ଼ି ଦେଇ ମୁହଁକୁ ସମ୍ପୂର୍ଣ୍ଣ ଘୋଡାଇ ରଖିଛି କପଡ଼ାରେ। ବାରମ୍ବାର ଝରକା ଫାଙ୍କରେ ଗଳି ଚାହୁଁଛି ପ୍ଲାଟଫର୍ମ ଆଡ଼କୁ। ଅଠେଇଶି ବର୍ଷର ଅଭିଜ୍ଞତା ଭିତରେ ମୁଁ ସ୍ପଷ୍ଟ ଦେଖି ପାରୁଥିଲି ସେହି ତରୁଣୀ ଆଖିରେ ଥିବା ଭୟକୁ। ଛେପ ଢ଼ୋକିବା ସହିତ ହାତ ମୁଠାରେ ଧରିଥିବା କାଗଜଟିକୁ ବାରମ୍ବାର ଖୋଲି ପଢ଼ି ପୁଣି ମୁଠା ଭିତରେ ଚାପି ଧରୁଥାଏ। ବୋଧେ କୌଣସି ଅସୁବିଧାରେ ପଡ଼ିଥାଏ ଝିଅଟି। ପଚାରିବି ପଚାରିବି ହେଉଥାଏ କିନ୍ତୁ ଆଜିକା ସମାଜକୁ ଦେଖି ସାହସ ହେଉନଥାଏ। ହିତରେ ପଶି ଭଲେଇ ହେବାର ଫଳ ବେଶ୍ ଜଣା ଥାଏ ମତେ।
ସଠିକ ସମୟର ପାଞ୍ଚ ମିନିଟ ବିଳମ୍ବରେ ଟ୍ରେନ ଛାଡ଼ିଲା। ଧୀରେ ଧୀରେ ଚାଲୁଥିବା ଚଉକି ଗୁଡ଼ିକ ଦୌଡ଼ିବାକୁ ଲାଗିଲା। ଗଛଲତା ସବୁ ଦୌଡ଼ ପ୍ରତିଯୋଗିତା ପରି ପ୍ରତିଯୋଗିତା କରିବାକୁ ଲାଗିଲେ ଟ୍ରେନ୍ ସହିତ। ଛାଡ଼ି ଆସିଲି ଭୁବନେଶ୍ୱର ପ୍ଲାଟଫର୍ମ କୁ। ରହିଗଲା ପଛକୁ ପଛ ସ୍ମୃତି ସବୁ। ଆଖି ଉଠେଇ ଚାହିଁଲି ସେହି ଝିଅଟିକୁ। ଏଥରକ ସାମାନ୍ୟ ଉଶ୍ୱାସ ସହିତ ମୁହଁକୁ ଆବୃତ୍ତ କରି ରଖିଥିବା କପଡ଼ା ଟିକୁ କାଢ଼ି ସାରିଥିଲା। ମୁଖରୁ ଜଣା ପଡ଼ୁଥାଏ ଖୁବ କମ ବୟସର। ଅର୍ଥାତ ଏଇ କୋଡିଏ ଏକୋଇଶ ହେବ। ଅନାଇ ବସିଥାଏ ବାହାରକୁ ଚାହିଁ। ବୁଡ଼ି ଯାଉଥାଏ କେଉଁ ଏକ ଭାବନାରେ। ଆଖିରେ ଚମକ ଓଠରେ ସ୍ମିତ ହସ ସ୍ପଷ୍ଟ କହୁଥାଏ ଝିଅ ଏବେ ବହୁତ ଖୁସି ଅଛି। ବୋଧେ ଆସନ୍ନ ବିପଦର ଭୟରୁ ସେ ଏବେ ସମ୍ପୂର୍ଣ୍ଣ ମୁକ୍ତ ହୋଇ ସାରିଛି।
କୌତୁହଳ ଜାତ ହେଲା ମୋ ମନରେ। ଏଇ ଏବେ ଏବେ ଏତେ ଚିନ୍ତିତ ଜଣା ପଡ଼ୁଥିଲା ପୁଣି ଏବେ ଏତେ ଖୁସି...! ମନ କହୁଥିଲା ପଚାରି ବାକୁ କିନ୍ତୁ ନିଜ ମନକୁ ନିଜ ଆୟତ୍ତରେ ରଖି ପୁଣି ମୁଁ ବୁଡ଼ିଗଲି ମୋ ପ୍ରତିଲିପି ଦୁନିଆରେ।
କିଛି ସମୟ ବିତିଗଲା। ଟ୍ରେନ ଆସି ରହିଲା ଖୋର୍ଦ୍ଧା ଷ୍ଟେସନରେ। ଏଥରକ ମୁହଁ ଉଠେଇ ଚାହିଁଲି ସେ ଝିଅଟିକୁ। ଲାଗୁଥିଲା ଯେପରି ସେ କିଛି ଗୋଟେ କହିବ କହିବ ହଉଛି କିନ୍ତୁ କହି ପାରୁନି। ଦୋ ଦୋ ପାଞ୍ଚ ହୋଇ ଶେଷରେ ସେ ଝିଅଟି ମତେ କହିଲା- ଆଜ୍ଞା ଭାଇନା ଟିକେ ଶୁଣିବେ କି।
-- ହଁ କୁହନ୍ତୁ।
-- ଆଜ୍ଞା...ଆପଣଙ୍କ ଫୋନ ଟିକେ ଦେବେ। ଗୋଟାଏ ଜରୁରୀ ଫୋନ କଲ କରିବାର ଥିଲା।
କିଛି ସେକେଣ୍ଡ ନୀରବ ରହି ମୁଁ ମୋ ଫୋନ ବଢ଼ାଇ ଦେଲି ତାଙ୍କ ହାତକୁ। ସେ ମଧ୍ୟ ହସହସ ମୁଖରେ ମୋ ହାତରୁ ଫୋନ ଟିକୁ ନେଇ ହାତ ପାପୁଲିରେ ଚାପି ରଖିଥିବା କାଗଜ ଟୁକୁଡ଼ା ଟିକୁ ଖୋଲି ସେଥିରେ ଲେଖା ଥିବା ନମ୍ବରରେ କଲ କରିବାକୁ ଲାଗିଲେ।
"ହ୍ୟାଲୋ..... ମୁଁ ନମିତା କହୁଛି।ଏଇଠି ଜଣେ ଭାଇଙ୍କ ଫୋନ ରୁ ମୁଁ ଫୋନ କରିଛି।କ'ଣ ମୋ ଫୋନ..? ମୋ ଫୋନ ପରା ଘରେ ଛାଡ଼ି ଆସିବାକୁ କହିଲ। କାଳେ କିଏ ନମ୍ବର ଟ୍ରେସ୍ କରି ଜାଣିଦେଵ। ହଁ....ହଁ....ହଁ ମୁଁ ମୋ ପରିଚୟ ପତ୍ର ସହିତ ମୋର ସମସ୍ତ ସାର୍ଟିଫିକେଟ ମଧ୍ୟ ନେଇ ଆସିଛି। (ଖୁବ ଧୀରେ) କିଛି ଟଙ୍କା ମଧ୍ୟ ଆଣିଛି ଆଉ ମୋର ସେ ନୂଆ କାନ ଫୁଲ ହଳକ ମଧ୍ୟ ନେଇ ଆସିଛି। ହଉ ରଖୁଛି......କାଲି ସିକନ୍ଦରାବାଦ୍ ରେ ପହଞ୍ଚି ଏଇ ଭାଇଙ୍କ ଫୋନ ରେ ମୁଁ ଆଉ ଥରେ ଟିକେ କଲ କରି ଜଣେଇ ଦେବି। ତମେ ବ୍ୟସ୍ତ ହବନି। ହଉ ରଖୁଛି....ବାଏ।"
ଝରକା ବାହାରକୁ ଚାହିଁ ରହି ଦୂର ପାହାଡ଼କୁ ଲକ୍ଷ୍ୟ କରି ମୁଁ ଚିନ୍ତା କରୁଥାଏ ସେ ଝିଅ କଥା। ସେ ଯେ ଘରୁ ଲୁଚି ପଳେଇ ଆସିଛି ତାହା ପୁଣି ପ୍ରେମିକ ବୁଦ୍ଧିରେ ପଡ଼ି...! ଏ କଥା ବୁଝିବାକୁ ମତେ ଆଉ କ୍ଷଣେ ମାତ୍ର ବିଳମ୍ବ ହେଲାନି। ମନରେ ଭାବନା ଆସିଲା, କ'ଣ ହେଲାଣି ଆଜିକା ସମାଜ ? କେଇଟା ଦିନର ସମ୍ପର୍କ ଭିତରେ ଏତେ ଆସ୍ଥା ଏତେ ବିଶ୍ୱାସ କୋଉଠୁ ଆସୁଛି ? ଜନ୍ମ କଲା ବାପ ମାଆ ଙ୍କ ଉପରୁ ବିଶ୍ୱାସ ତୁଟି ଯାଉଛି ସାମାନ୍ୟ କେଇଟା ଦିନର ମିଠା ପ୍ରେମାଳାପରେ। ଦୂର ପାହାଡ଼ ଦୂରରୁ ହିଁ ସୁନ୍ଦର ଦିଶେ। କିନ୍ତୁ ପାଖକୁ ଗଲେ ତାର ଅସଲ ଛବି ନଜର ଆସେ। ମନରେ ଚିନ୍ତା କଲି। ହାଇଦ୍ରାବାଦ ଏଠାରୁ ଅନେକ ଦୂର। ହାତରେ ଅଛି ଅନେକ ସମୟ। ଥରେ ଚେଷ୍ଟା କରାଯାଉ ଝିଅଟିର ମନ ପରିବର୍ତ୍ତନ କରିବାକୁ। ଏମିତି ନ ହେଉ ସାମାନ୍ୟ ଆବେଗରେ ଭାସିଯାଇ ଆସିଥିବା ଏ ଝିଅଟିର ଜୀବନ ନର୍କ ହେଇଯାଉ।
ସ୍ମିତ ହାସ୍ୟରେଖା ସହ ଧନ୍ୟବାଦ ଟିଏ ଦେଇ ଫେରେଇଲା ଫୋନ ଏବଂ ପୁନର୍ବାର ଝରକା ବାହାର ଦୃଶ୍ୟ ଦେଖିବାରେ ବିଭୋର ହେଇଗଲା। ତା'ର ସେ ଆନନ୍ଦ ଦେଖି ମତେ ଏପରି ପ୍ରତୀତ ହେଲା ଯେପରି ସେ ଝରକା ବାହାର ଦୃଶ୍ୟ ଦେଖି ବିଭୋର ହେଉନି ? ପ୍ରେମିକ ସହ ବିତେଇବାକୁ ଥିବା ଆଗାମୀ ଦିନର ସୁନେଲି ଭବିଷ୍ୟତ ସବୁ କଳ୍ପନା ଚକ୍ଷୁରେ ଦେଖି ସେ ବିଭୋର ହେଇ ଉଠୁଛି...!
କିଛି ସମୟ ଚିନ୍ତା କଲି। ମନକୁ ସୁଦୃଢ଼ କଲି। ଆଗାମୀ କିଛି ମୁହୂର୍ତ୍ତରେ ଲଢ଼ିବାକୁ ଥିବା ଶୀତଳ ଯୁଦ୍ଧ ପାଇଁ ମନେମନେ ସବୁକିଛି ପ୍ରସ୍ତୁତ କରି ରଖିଲି। କିନ୍ତୁ ଶୀତଳ ଯୁଦ୍ଧ....! ହଁ ଶୀତଳ ଯୁଦ୍ଧ। କାରଣ, ପ୍ରେମ କରି ଏପରି ନିଷ୍ପତ୍ତି ନେଇ ପାରୁଥିବା ପ୍ରତ୍ୟେକ ପ୍ରେମିକ/ ପ୍ରେମିକା ମାନଙ୍କ ତଳି ପାଆ ରୁ ତାଳୁ ଯାଏ ପ୍ରେମ ବୁଢିଆଣି ଜାଲ ପରି ବସା ବାନ୍ଧି ରହିଥାଏ। ଏମାନଙ୍କ ଆଖିରେ ପ୍ରେମର ଅନ୍ଧ ପୁଟୁଳି ମୋତିଆ ବିନ୍ଦୁ ପରି ଛାଇ ଯାଇଥାଏ।ଭୁଲ ଠିକର ବିଚାର ଏମାନଙ୍କ ଦ୍ୱାରା ହୋଇ ପାରେନି। ଏମାନଙ୍କୁ ଉଚିତ ଜ୍ଞାନ ଦେଲେ ଏମାନେ ନାକ ଟେକି ଦୁରେଇ ଯାଆନ୍ତି। ତେଣୁ ଆଗାମୀ କିଛି ମୁହୂର୍ତ୍ତରେ ମୋ କ୍ଷେତ୍ରରେ କେଉଁ ପରିଣାମ ଆସିବ ତାହା ଥିଲା ମତେ ଅଜଣା। ସେ ଯାହା ହେଉ ଗୋଟାଏ ଝିଅର ଜୀବନ ଆଖି ସାମ୍ନାରେ ନଷ୍ଟ ହେଇନଯାଉ। ତେଣିକି ଯାହା ହେବ ଦେଖା ଯିବ। ପ୍ରସ୍ତୁତ ହେଲି ଆଉ ଯୁଦ୍ଧ ମୈଦାନ କୁ ଓହ୍ଲାଇ ଆସିଲି। ପ୍ରାରମ୍ଭ କଲି କିଛି ସାମାନ୍ୟ ପ୍ରଶ୍ନ ପଚାରି।
--ଆଛା ନମିତା ତମେ ହାଇଦ୍ରାବାଦ ଯାଉଛ ?
-- (ଆଶ୍ଚର୍ଯ୍ୟ ହୋଇ) ଆଜ୍ଞା ଭାଇ ଆପଣ ମୋ ନାଁ କେମିତି ଜାଣିଲେ ?
--( ସ୍ମିତ ହସି) ଏଇ ଏବେ ଯେତେବେଳେ ତମେ ଫୋନ ରେ କଥା ହଉଥିଲ ନିଜର ପରିଚୟ ଦେଇ ।
--ଓ....ଆଛା ଆଛା। ହଁ ଭାଇ ମୋ ନାଁ ନମିତା। ମୁଁ ହାଇଦ୍ରାବାଦ ନୁହେଁ ମୁମ୍ବାଇ ଯାଉଛି।
-- ମୁମ୍ବାଇ ଯାଉଛନ୍ତି। ହଉ ଭଲ କଥା। ମୁମ୍ବାଇ ରେ କିଏ ବାପା ଭାଇ ଅଛନ୍ତି ନା କୌଣସି ଚାକିରୀ ଉଦ୍ଦେଶ୍ୟରେ ଯାଉଛ ?
-- ନାଇଁ ଆଜ୍ଞା ଚାକିରୀ ନୁହେଁ। ସେ ଗୋଟାଏ ବ୍ୟକ୍ତିଗତ କାମରେ ଯାଉଛି ଟିକେ।
-- ଆଛା...! ଆଛା ନମିତା ତମେ ମତେ ପ୍ରଥମରୁ ଭାଇ ସମ୍ବୋଧନ କରିଛ। ତେଣୁ ଯଦି ଖରାପ ନ ଭାବିବ ତା ହେଲେ ଗୋଟାଏ ବଡ଼ ଭାଇ ଦୃଷ୍ଟିରୁ ମୁଁ ତୁମକୁ କିଛି ପଚାରି ପାରିବି କି ?
--ହଁ..ହଁ... ନିଶ୍ଚୟ ଭାଇ ଆପଣ ପଚାରନ୍ତୁ।
--ତମେ ଫୋନରେ ଏବେ କଥା ହଉଥିଲ। ଆଉ କହୁଥିଲ କି ମୁଁ ମୋ ପରିଚୟ ପତ୍ର ସହ ସମସ୍ତ ସାର୍ଟିଫିକେଟ ମଧ୍ୟ ନେଇ ଆସିଛି। ଆହୁରି ଏପରି ଅନେକ କିଛି କହୁଥିଲ। କିନ୍ତୁ ମତେ ଏମିତି ଲାଗୁଛି ଯେପରି ତମେ ଘରୁ ଲୁଚି ପଳେଇ ଆସିଛ....!
ହସହସ ମୁହଁ ଶୁଖିଗଲା ସଙ୍ଗେସଙ୍ଗେ। ଗମ୍ଭୀର ହୋଇ ଉଠିଲା ନମିତା ମୋର ଏଇ ପ୍ରଶ୍ନ ଖଣ୍ଡିକ ଶୁଣି। ବୁଝିଗଲି ମୁଁ ।ଝିଅମାନେ ସାଧାରଣତଃ ବହୁତ ସମ୍ବେଦନଶୀଳ ହୋଇଥାନ୍ତି। ସେମାନଙ୍କ ପାଖରୁ କୌଣସି କଥା ଆଦାୟ କରିବାକୁ ହେଲେ ସିଧାସଳଖ ଭାବରେ ନ ପଚାରି ଆପଣାର ଭାବ ଦେଖାଇ ବାକୁ ହୁଏ। ତେଣୁ ଆଉ କୌଣସି ପ୍ରଶ୍ନ ନ ପଚାରି ହାତରେ ଧରିଥିବା ମୋବାଇଲ ରୁ ମୋ ପତ୍ନୀ ଓ ଦୁଇ ବର୍ଷର ଝିଅ ଫଟୋ ବାହାର କଲି।
-- "ହେଇ ଦେଖ ଇଏ ମୋ ସ୍ତ୍ରୀ ସ୍ୱର୍ଣ୍ଣଲତା ଆଉ ଇଏ ମୋ ଦୁଇ ବର୍ଷର ଝିଅ। ଏଇ ତିନି ବର୍ଷ ହେବ ଆମ ପ୍ରେମ ସଫଳ ହେଇଛି। ଏଇ ମାସେ ହେବ ବିବାହ ବାର୍ଷିକ ପାଳନ କରିବାକୁ ଆସିଥିଲି। ଏବେ ଫେରୁଛି କର୍ମ କ୍ଷେତ୍ରକୁ। କ'ଣ କରିବା ଏଇ ତ ଜୀବନ।"
ଶୁଖି ଯାଇଥିବା ଓଠରେ ହସ ଖଣ୍ଡିକ ଉକୁଟି ଆସିଲା। ହସ ହସ ମୁଖରେ ମତେ ଶୁଭେଛା ଓ ଅଭିନନ୍ଦନ ଜଣାଇ କହିଲା-- 'ଆପଣ ତ ବହୁତ ଭାଗ୍ୟବାନ ଭାଇ। କିନ୍ତୁ ମୁଁ...! ମୋ ଭାଗ୍ୟ ତ ପୋଡ଼ା। ତାହା ନ ହୋଇଥିଲେ କ'ଣ ମୁଁ ଲୁଚିଛପି ଏମିତି ଚୋର ଙ୍କ ପରି ଘର ଛାଡିବାକୁ ବାଧ୍ୟ ହେଇଥାନ୍ତି।ଘରେ ବାପା ମୋର ପାଠପଢ଼ା ବନ୍ଦ କରି ବାହାଘର ପାଇଁ ବର ଖୋଜି ସାରିଲେଣି। ବାହା ହେବାକୁ ଯେତେ ମନା କଲେ ମଧ୍ୟ ଘରେ ଜୋର ଜବରଦସ୍ତ ଲାଗି ପଡିଛନ୍ତି ମୋ ବାହାଘରକୁ ନେଇ। କେହି ଜଣେ କହିଦେଇଛି ମୋ ପ୍ରେମ କଥା ଆମ ଘରେ। ଘରେ ସମସ୍ତେ ମୋ ଉପରେ ପୁରା ଖପ୍ପା। ମୁଁ କ'ଣ କରିବି ? ପ୍ରେମ କରିବା କ'ଣ ଭୁଲ ? ଏଇ ପାଖାପାଖି ବର୍ଷେ ହେବ ୟାଙ୍କ ସହ ମୋର ସମ୍ପର୍କ ଗଢି ଉଠିଛି। ମୁମ୍ବାଇ ରେ ଚାକିରୀ କରିଛନ୍ତି। ଯାଜପୁରରେ ଘର। ପିଲା ହିସାବରେ ବହୁତ ଭଲ। ବହୁତ କେୟାର କରନ୍ତି ମୋର। ମୁଁ ଯେତେବେଳେ ୟାଙ୍କୁ ଏସବୁ କଥା କହିଲି ସେ ତୁରନ୍ତ ମତେ କହିଲେ ମୁମ୍ବାଇ ପଳେଇ ଆସିବାକୁ। ଆଉ କୋର୍ଟ ମ୍ୟାରେଜ କରିବାକୁ। ଥରେ ବାହାଘର ସରିଗଲେ ଆଉ ଘରଲୋକ କିଛି କରି ପାରିବେନି। ସେଥିପାଇଁ ମୁଁ ଆଜି ଲୁଚିଛପି ପଳେଇ ଆସିଛି। "
ଦୀର୍ଘଶ୍ଵାସ ଟିଏ ଛାଡ଼ିଲି ମୁଁ। ମନେମନେ ହସ ଲାଗୁଥିଲା ନମିତା କଥା ଶୁଣି। କେତେ ସରଳ ଏହି ଝିଅଟି। ମାତ୍ର କେଇଟା ଦିନ ଭିତରେ ଏତେ ବିଶ୍ୱାସ ଯେ ଆଗପଛ ବିଚାର ନ କରି ଘର ଛାଡ଼ି ଆସିବାକୁ ମଧ୍ୟ ପଛଘୁଞ୍ଚା ଦେଲାନି। ଆଜିକା ସମାଜ ଯାହା ହେଲାଣି। ଝିଅ ମାନଙ୍କ ପାଇଁ ପାଦେ ପାଦେ ବିପଦ। ଘରୁ ବାହାରି ପଦାକୁ ଗୋଡ଼ କାଢ଼ିବାକୁ ହେଲେ ଶହେ ଥର ଚିନ୍ତା କରିବାକୁ ପଡ଼ୁଛି। ସେଥିରେ ପୁଣି ଇଏ ମୁମ୍ବାଇ ଯିବାକୁ ବାହାରିଛି...!
ଗମ୍ଭୀର ହେଲି ମୁଁ। କଥା ଛଳରେ ତାକୁ ବାସ୍ତବ ସହିତ ପରିଚିତ କରିବାକୁ ଲାଗିଲି। "ଦେଖ ନମିତା...ତୁମ ପରି ମୋ ପ୍ରେମମୟ ଜୀବନ ମଧ୍ୟ ବଡ଼ ସଂଘର୍ଷ ପୂର୍ଣ୍ଣ ଥିଲା। ତୁମ ଭାଉଜ ସ୍ୱର୍ଣ୍ଣଲତାର ବାହାଘର ଅଲଗା ଜାଗାରେ ସ୍ଥିର ହୋଇ ସାରିଥିଲା। ପୁଅ ରିଜର୍ଭ ବ୍ୟାଙ୍କରେ ଚାକିରୀ କରିଥିଲା। ତାଙ୍କ ଘରେ ସମସ୍ତେ ଖୁସି ଥିଲେ ବାହାଘରକୁ ନେଇ। କେବଳ ଜଣେ ଖୁସି ହେଇ ପାରୁନଥିଲା। ସେ ହେଲା ସ୍ୱର୍ଣ୍ଣଲତା। କହିଲା ରାତି ଅଧିଆ ଉଠେଇ ନେବାକୁ। ପ୍ରେମରେ ଅନ୍ଧ ହୋଇ ମୁଁ ମଧ୍ୟ ପ୍ରସ୍ତୁତ ହେଲି ଉଠେଇ ନେବାକୁ। କିନ୍ତୁ ସଠିକ ସମୟରେ ମତେ ଶ୍ରୀକୃଷ୍ଣଙ୍କ ଦିବ୍ୟ ବାଣୀ ହୃଦୟରେ ଗୁଞ୍ଜରିତ ହେଲା। ଯେତେବେଳେ ଗାଣ୍ଡୀବ ଧାରୀ ଅର୍ଜୁନ ଯୁଦ୍ଧ କ୍ଷେତ୍ରରେ ଶସ୍ତ୍ର ଉଠେଇ ବାକୁ ମନା କରିଦେଲେ। ସେତେବେଳେ ଶ୍ରୀକୃଷ୍ଣ କହିଥିଲେ, "ପାର୍ଥ !ପାପୀ କୌରବଙ୍କୁ ସମୂଳେ ବିନାଶ କରିବାକୁ ନିୟତି ତୁମକୁ ତାର ଅସ୍ତ୍ର ରୂପେ ଚୟନ କରିଛି। ଯଦି ତମେ ଅସ୍ତ୍ର ନ ଉଠେଇ ଯୁଦ୍ଧ କରିବାକୁ ମନ ବଳାଇବନି ତା ହେଲେ ନିୟତି ତାର ଅଲଗା ବନ୍ଦୋବସ୍ତ କରିବ। କିନ୍ତୁ କୁରୁବଂଶ ଧ୍ୱଂସ ହେବ। ନିୟତିରେ ଯାହା ଲେଖା ହୋଇଛି ତାହା ମୁଁ କଣ ସ୍ୱୟଂ ନିୟତି ମଧ୍ୟ ବଦଳାଇ ପାରିବନି।"
ପାଦ ଅଟକି ଯାଇଥିଲା ମୋର। ଚିନ୍ତା କଲି ଯଦି ସ୍ଵର୍ଣ୍ଣଲତା ମୋର ତାହା ହେଲେ ସେ ମୋର ହେଇ ରହିବ। ଆଉ ଯଦି ମୋର ନୁହେଁ ତା ହେଲେ ମୁଁ ଶତଚେଷ୍ଟା କଲେ ମଧ୍ୟ ପାଇ ପାରିବିନି। ଭରଷା କରିଥିଲି ଆଉ ବିଶ୍ୱାସ ରଖିଥିଲି ଶ୍ରୀକୃଷ୍ଣଙ୍କ ବାଣୀ ଉପରେ।
ଶେଷରେ ତାହା ହିଁ ହେଲା ଯାହା ଭାଗ୍ୟରେ ଥିଲା। ସେ ବାହାଘର ଭାଙ୍ଗି ଗଲା। ପୁଅ ଘର ଲୋକଙ୍କ ଅତ୍ୟଧିକ ଲୋଭୀ ପ୍ରବୃତ୍ତି ଯୋଗୁଁ ସ୍ୱର୍ଣ୍ଣଲତାର ବାପା ମନା କରିଦେଲେ। ଆଉ ମୁଁ ମଉକା ଦେଖି ଛକା କସି ଦେଲି। ଧୁମଧାମରେ ବାହା ହେଇ ସ୍ଵର୍ଣ୍ଣଲତା କୁ ନେଇ ଚାଲି ଆସିଲି। ତେଣୁ ଦେଖ ଭାଗ୍ୟରେ ଯାହା ଥିବ ତାହା ନିଶ୍ଚୟ ହେବ। ତମେ ତମ ଅସୁବିଧା କଥା କହିଲ। କିନ୍ତୁ ତମ ବୟଫ୍ରେଣ୍ଡ ସେଠାରୁ ଥାଇ ତମକୁ ଆଦେଶ କଲା ଚାଲି ଆସିବାକୁ। ଝିଅ ପିଲା ହେଇ ତମେ ଯିବ କିନ୍ତୁ ଗୋଟାଏ ପୁଅ ହେଇ ସେ ଆସି ପାରିବନି। ତମେ ଆଜି ଚାଲି ଯାଉଛ କିନ୍ତୁ କେବେ ଚିନ୍ତା କରିଛ ଆଗାମୀ ପରିସ୍ଥିତି କେତେ ଦୁଃଖ ଦାୟକ ହେବ। ଯୋଉ ଲୋକର କୌଣସି ବେମାରି ନଥିଲା ତାକୁ ହଠାତ ହାର୍ଟ ବେମାରି ଗ୍ରାସ କରିବ। ପଚାଶ ବର୍ଷର ଲୋକ ହଠାତ ପରିଣତ ହେବ ସତୁରି ବର୍ଷକୁ। ହସ ଲିଭୁ ନଥିବା ଓଠକୁ ଚିନ୍ତା କବଳିତ କରି ବସିବ। ଝିଅକୁ ନେଇ ଗର୍ବ କରୁଥିବା ବାପ ଲଜ୍ୟାରେ ମୁଁଣ୍ଡ ଟେକି ବାଟ ଚାଲି ପାରିବନି। ଯେଉଁମାନେ କହୁଥିଲେ ଝିଅ ହେଉଛି ବୋଝ ସେମାନଙ୍କୁ ଖୋରାକ ମିଳିଯିବ ତାନା ମାରିବାକୁ। ମାଆ ତୁମର ପାଗେଳି ପରି ବ୍ୟବହାର କରିବେ। ଭାଇ ତୁମର ଚିଡ଼ି ଚିଡା ହେଇ ବଦରାଗି ହୋଇଯିବ। ସମ୍ପର୍କୀୟ ମାନେ ନାହିଁ ନାହିଁରେ କେତେ କଥା ଶୁଣେଇ ଦେବେ। କିଏ କହିବ ପୋଡ଼ା ମୁହିଁ ମୁହଁରେ କଳା ବୋଳି ଦେଇ ଗଲା। କିଏ କହିବ କୋଉ ଘଡ଼ି ମୁଳିଆ ଝିଅଟା ଜନମ କରିଥିଲା କେଜାଣି ବଂଶ ବୁନିୟାଦି ନାଁ ମାଟିରେ ମିଶେଇ ଦେଇଗଲା। ପୁଅ ଘର ଛାଡ଼ି ଚାଲିଗଲେ କିଛି ଫରକ ପଡେନି କିନ୍ତୁ ଝିଅ ଘର ଛାଡ଼ି ଚାଲିଗଲେ ପଡ଼ିଯାଏ ଲିଭୁନଥିବା ଅନେକ ଛାପ। ତମେ ଆଜି ଆବେଗରେ ନିଷ୍ପତ୍ତି ନେଉଛ। କିନ୍ତୁ ବୟସର ଉପରାନ୍ତେ ତମକୁ ଏଇ ନିଷ୍ପତ୍ତି ଖାଇ ଗୋଡ଼ାଇବ। ପ୍ରେମ କରିବା ପାପ ନୁହେଁ। ତମେ ଥରେ ମୁହଁ ଖୋଲି ଘରେ କୁହ। ଯାହାକୁ ପ୍ରେମ କରୁଛ ତାକୁ କୁହ ତା' ପରିବାର କୁ ନେଇ ଆସିବାକୁ। ବସିକି ଥରେ ଦୁଇ ପରିବାରଙ୍କ ସମ୍ମୁଖରେ ଆଲୋଚନା କର। ଭୁଲ ଠିକ ଆପେ ବାରି ହୋଇ ପଡ଼ିବ।"
ତଳକୁ ମୁହଁ କରି ବସିଥିବା ନମିତା ଆଖିରେ ଥିଲା ଲୁହର ବନ୍ୟା। ବୋଧେ ଭୁଲ ଠିକ ର ସଠିକ ଜ୍ଞାନ ପାଇ ସାରିଥିଲା ସେ। ମୁହଁ ଉଠେଇ ଚାହିଁଲା ଆଉ କହିଲା "ଆଉ ଥରକ ପାଇଁ ମୋବାଇଲ ଦେବ କି ମୁଁ ଟିକେ ଘର ସହ କଥା ହେବି।" ବିନା ଦ୍ଵିଧା ରେ ମୋବାଇଲ ବଢ଼େଇ ଦେଇଥିଲି।
ପାଖାପାଖି ପନ୍ଦର ମିନିଟ କାଳ କଥା ହୋଇଥିଲା ସେ। ଅନେକ ଗୁଡିଏ ଲୁହ ବହି ଯାଇଥିଲା ତାର। କାହାକୁ ବ୍ୟସ୍ତ ନ ହେବାକୁ କହି ଆଶ୍ୱାସନା ଦେଇଥିଲା। ଆଉ କାଲି ସକାଳ ସୁଦ୍ଧା ଯାଇ ପହଞ୍ଚିବ ବୋଲି କହି ଫୋନକଲ କାଟିଥିଲା। ସେତେବେଳକୁ ସମୟ ରାତି ନଅ। ଆଉ କିଛି ସମୟ ପରେ ବିଶାଖାପାଟଣା ଷ୍ଟେସନ ଆସିବ। ପଚାରିଲା ମତେ ଏଇଠୁ ଏବେ ଭୁବନେଶ୍ବରକୁ ଟ୍ରେନ ମିଳିବନି। ମୁଁ କହିଲି ଅନେକ ଗୁଡିଏ ଟ୍ରେନ୍ ଅଛି।ତା' ପରେ ବିଶାଖାପାଟଣା ଷ୍ଟେସନ ରେ ସେ ଓହ୍ଲାଇ ପଡ଼ିଲା। ପାଦ ଛୁଇଁ ମୋର ଜୁହାର ହେଲା । କହିଲା "ନମ୍ବର ରହିଲା ମୋ ପାଖରେ ବାହାଘରକୁ ନିଶ୍ଚେ ଡାକିବି। ଆସିବ ଭାଉଜଙ୍କୁ ନେଇ। "
କଥା କୁହା ଆଖି ତାର ଅନେକ କଥା କହୁଥିଲା। ଯାହା ତା' ଓଠ କହି ପାରୁନଥିଲା। ବୁଝି ପାରିଥିଲି ମୁଁ। ହୃଦୟରେ ମୋର ଥିଲା ଅପାର ଶାନ୍ତି। ଗୋଟାଏ ଭୁଲ କୁ ରୋକି ପାରିଥିବାରୁ। ଆଜି ପାଞ୍ଚ ବର୍ଷ ପରେ ତା' ଫୋନ ଆସିଥିଲା। ତାଗିଦ କରି କହିଲା ବାହାଘରକୁ ନ ଆସିଲେ ସେ ବାହା ହେବନି। ଆପଣା ପଣର ଗୋଟାଏ ନିଆରା ଛୁଙ୍କର ସୁଗନ୍ଧ ମତେ ଆନମନା କରୁଥିଲା।
