ଜଳିବା ଯାହାର ଧର୍ମ
ଜଳିବା ଯାହାର ଧର୍ମ
ଅତ୍ୟଧିକ ମଦ୍ୟପାନ ହେତୁ ଧଳ ବାବୁଙ୍କ ଦୁଇ ଦୁଇଟି କିଡିନୀ ନଷ୍ଟ ପ୍ରାୟ। ଆଜକୁ ପ୍ରାୟ ଦଶ ଦିନ ହେବ ଡାକ୍ତରଖାନାର ବେଡ଼ରେ ପଡ଼ି ପଡ଼ି ଜୀବନ ଜିଇଁବାକୁ ସଂଘର୍ଷ କରୁଛନ୍ତି। ମଝିରେ ମଝିରେ ଡାକ୍ତର ବାବୁ ଆସି ଘର ଲୋକଙ୍କୁ ଚେତେଇ ଦେଇ ଯାଉଛନ୍ତି ଯେ," ଯେତେ ଶୀଘ୍ର ହେବ ଯଦି କିଡିନୀ ଯୋଗାଡ଼ କରି ପାରୁଛନ୍ତି ତା' ହେଲେ ହୁଏତ ଆମେ ତୁମ ପିତାଙ୍କ ଜୀବନ ବଞ୍ଚାଇ ପାରିବୁ। ନ ହେଲେ ନାହିଁ। "
କାନ୍ଦି କାନ୍ଦି ଆଖି ଦୁଇଟି ଗେଣ୍ଡା ଭଳିଆ ଫୁଲି ଗଲାଣି ସୁମି ଦେବୀଙ୍କର। ଦଶ ଦିନ ହେବ ଗୁମୁରି ଗୁମୁରି ହେବ କାନ୍ଦୁଛନ୍ତି ଆଉ ନିଜ ଭାଗ୍ୟକୁ କୋଷୁଛନ୍ତି। ଏ ତ ଆଉ ଆଳୁ ପିଆଜ ହେଇନି ଯେ ଟଙ୍କା ଶହେରେ ମିଳିଯିବ। ଯଦି ବା କୋଉ ଗରିବ ଗୁରୁବା ଅର୍ଥାଭାବ ରେ ରାଜି ବି ହୋଇଯାଏ..! ତା' ହେଲେ ନିହାତି ଅତି କମରେ ଦଶ ଲକ୍ଷ ଟଙ୍କାର ଆୟୋଜନ କରିବାକୁ ହେବ। ଏତେ ଟଙ୍କା ଆଣିବେ କୋଉଠୁ। ଏଇ ଦଶ ଦିନ ହେବ ତ ପାଖାପାଖି ଗୁଡ଼ାଏ ଟଙ୍କା ପାଣି ପରି ବହି ଗଲାଣି। ଆଉ ଯଦି କିଛି ବାକି ଥାଏ ତା' ହେଲେ ସେ ସାନ ଝିଅର ବିବାହ ପାଇଁ ରଖିଥିବା ଟଙ୍କା ବଳକା ଅଛି। ଆର ବର୍ଷ ବାହା ଦେବାକୁ ହେବ। ଝିଅଟାକୁ ସତେଇଶି ପୁରି ଅଠେଇଶି ଆସି ହେଲାଣି। ସାହି ପଡ଼ିଶା ନାଇଁ ନାଇଁରେ କେତେ ଥର ପଚାରି ସାରିଲେଣି। ଯଦି ସେହି ପଇସା ଖର୍ଚ୍ଚ ହୋଇଯିବ ତା' ହେଲେ ଝୁଅଟା କ'ଣ ଅଭିଆଡି ରହିଯିବ। ଚିନ୍ତାରେ ସୁମି ଦେବୀଙ୍କ ମୁହଁ ଶୁଖି ସଳିତା ହେବାକୁ ବସିଲାଣି। ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି। କ'ଣ କରିବେ ? ପୁଅଟା ଏବେ ଏବେ ଚାକିରୀ କରିଛି। ସେ ବି ଏତେ ସକ୍ଷମ ନୁହେଁ ଯେ ବାପଟାକୁ ମରଣ ମୁହଁରୁ ଟାଣି ଆଣିବ।
ଅଭାବରୁ ସ୍ଵଭାବ ନଷ୍ଟ। ବେଳେବେଳେ ସୁମି ଦେବୀ ଭାବୁଛନ୍ତି ଲୋକଟା ମରି ଯାଆନ୍ତା ଭଲା ତ୍ରାହି ମିଳନ୍ତା। ଏତେ କଷ୍ଟ ପାଇ ହୀନସ୍ତା ହେବା ଅପେକ୍ଷା ଶାନ୍ତି ମିଳନ୍ତା। କିନ୍ତୁ କଥାରେ ଅଛି - "ଦଣ୍ଡେ ନିମିଷେ ଥିଲେ ପ୍ରାଣ...ନେଇ ନ ପାରେ ଜନ୍ତୁରାଣ"।
ବେଡ୍ ରେ ପଡ଼ି ରହି ଅନୁଶୋଚନା କରୁଛନ୍ତି ଧଳ ବାବୁ। ଏପଟେ ସୁମି ଦେବୀ ଚିନ୍ତା କରୁଛନ୍ତି କରିବେ ତ କ'ଣ କରିବେ ? ବନ୍ଧୁ ବାନ୍ଧବ ଯାହାକୁ ସାହାଯ୍ୟ ପାଇଁ ହାତ ପତେଇଲେ ସେମାନେ ମୁହଁ ମୋଡ଼ୁଛନ୍ତି। ହଁ, ମୋଡ଼ିବେନି ଅବା କାହିଁକି ? ଲୋକଟା ତ ମଦ ପିଇ ମାତାଲ ହେଲେ କେତେ କାହାର ମାଆ ଭଉଣୀ ଉଦ୍ଧାର କରିଛି ହିସାବ ବାହାରେ। ତେଣୁ କିଏ ଚାହିଁବ ଏଭଳି ମଦୁଆଟାକୁ ସାହାଯ୍ୟ କରିବାକୁ। ହାତ ଟେକି ମୁଣ୍ଡ ବାଡ଼େଇ ଗୁହାରି କରୁଛନ୍ତି, ଚମତ୍କାର ଟିଏ ହୁଅନ୍ତାନି। ହୁଏତ ବହୁତ ଶୀଘ୍ର ପ୍ରଭୁ ଡ଼ାକ ଶୁଣିନେଲେ। ଚମତ୍କାର ଟିଏ ଘଟିଲା ମେଡ଼ିକାଲ ପରିସରରେ। ସ୍ଵେଚ୍ଛାସେବୀ ସଂଘଟନ ର କିଛି ସଦସ୍ୟଙ୍କ ଆଖିରେ ପଡ଼ିଲା ସୁମି ଦେବୀଙ୍କ କାନ୍ଦଣା। ସଙ୍ଗେସଙ୍ଗେ ଅଣ୍ଟା ଭିଡ଼ି ଛିଡ଼ା ହେଲେ ସାହାଯ୍ୟ କରିବାକୁ। ଆଖି ପଲକରେ ସବୁକିଛି ଯୋଗାଡ଼ ହୋଇ ଯାଇଥିଲା। ମାତ୍ର ଦିନକ ଭିତରେ ଭାଗ୍ୟ ବଦଳି ଯାଇଥିଲା ଧଳ ବାବୁଙ୍କର। ଫେରି ଆସିଥିଲେ ମରଣ ମୁଖରୁ। ଦୁଇହାତ ଟେକି କଲ୍ୟାଣ କରି ମେଞ୍ଚା ମେଞ୍ଚା ଆଶୀର୍ବାଦ ଅଜାଡୁ ଦେଉଥିଲେ ସୁମି ଦେବୀ ସ୍ବେଛାସେବୀ ସଂଘଟନର ସଦସ୍ୟ ମାନଙ୍କ ପ୍ରତି।
ଧୀରେ ଧୀରେ ସୁସ୍ଥ ହୋଇ ଆସୁଥିଲେ ଧଳ ବାବୁ। ଏଥରକ ଡାକ୍ତରଙ୍କ କଡ଼ା ନିର୍ଦେଶ ଭିତରେ ଚାଲିବାକୁ ହେବ। ଲାଇନ ଉପରେ ହିଁ ଗାଡି ଗଡ଼ାଇବାକୁ ହେବ। ଲାଇନ ଚ୍ୟୁତ ହେଲେ ଦୁର୍ଘଟଣା ତ ନୁହେଁ ମୃତ୍ୟୁ ହିଁ ଅଵଶ୍ୟମ୍ଭାବୀ।
ଏଥରକ ବୁଝି ଯାଇଥିଲେ ସୁମି ଦେବୀ। ଏ ମୋହମାୟା ସଂସାର ରେ ଏ ସାହି ପଡ଼ିଶା ଆଉ ସମ୍ପର୍କୀୟ ମାନେ ସବୁ ଗୋଟାଏ ଗୋଟାଏ ଡାହା ମିଛ। ଗେଣ୍ଠା ସମ୍ପର୍କୀୟ ମାନେ କେବଳ ମିଠା ଖାଇବାକୁ ଆସିବେ କିନ୍ତୁ ଲୁହ ପୋଛିବା ବେଳକୁ ଦେଶାନ୍ତର ହୋଇ ଯାଇଥିବେ। ରାଗରେ ଖାଲି ଶୁଳେଇ ହେଉଥାନ୍ତି ସୁମୀ ଦେବୀ।
ଧଳ ବାବୁଙ୍କ ସୁସ୍ଥତା ପରେ ସାନ ଝିଅ ଚନ୍ଦ୍ରିକା ପାଇଁ ଆସୁଥିବା ବିବାହ ପ୍ରସ୍ତାବ କଥା ଚିନ୍ତା କରିବାକୁ ଲାଗିଲେ। ଅନେକ ଆଡୁ ଆସୁଥିବା ଅନେକ ପ୍ରସ୍ତାବକୁ ମଧ୍ୟରୁ ଗୋଟାଏ ପ୍ରସ୍ତାବ ଖୁବ ମନକୁ ପାଇଥିଲା। ପୁଅଟା ବ୍ୟାଙ୍କରେ ଚାକିରୀ କରିଛି। ବଡ଼ ଭଉଣୀର ବାହାଘର ସରିଛି। ଘରେ କେବଳ ବାପା ବୋଉ। ରାଜଜୋଟକକୁ ଯାନୀ ଯୌତୁକକୁ ସଫା ସଫା ମନା କରିଦେଇଛନ୍ତି ପୁଅ ଘର ଲୋକ। ଝିଅ ଚନ୍ଦ୍ରିକା କାଳେ ବହୁତ ପସନ୍ଦ ଆସିଛି ପୁଅ ଘର ବାଲାଙ୍କୁ। ବାସ ଶୁଭ କାର୍ଯ୍ୟରେ ଆଉ ବିଳମ୍ବ କାହିଁକି ? ବାଜି ଉଠିଲା ସାହାନାଇ...। ଝିଅ ପାଇଁ ସାଇତି ରଖିଥିବା ଗୁମୁଟି ବାକ୍ସ ଟିକୁ ଖୋଲି ଦେଇଥିଲେ ସୁମି ଦେବୀ। "ପୁଅ ଘର ଵାଲା ମନା କରିଛନ୍ତି। ତା'ର ଅର୍ଥ କଣ ଆମର କିଛି କର୍ତ୍ତବ୍ୟ ନାହିଁ। ଝୁଅଟା ମୋର ମନ ଦୁଃଖ କରିବନି। କେତେ କଣ ବଇନା ଦେଇ ଦେଇଛି। ଗୋଟାଏ ବୋଲି ଝୁଅ ମୋର। ତାକୁ କଣ ଖାଲି ଖାଲି ବିଦା କରିବି ?"
ଫୁଲରେ ଫୁଲରେ ସାଜସଜ୍ଜା ହୋଇଥାଏ ଦୁଆର ବନ୍ଧ। ବନ୍ଧୁ ବାନ୍ଧବ କୁଣିଆ ମୈତ୍ରଙ୍କ ସହିତ ସେଦିନର ସେହି ସ୍ବେଛାସେବୀ ସଂଘଟନର ସଦସ୍ୟ ମାନେ ମଧ୍ୟ ଆସିଥାନ୍ତି ଧଳ ବାବୁଙ୍କ ଅନୁରୋଧ ରକ୍ଷା କରି। ନିଜ ଭଉଣୀ ବାହାଘର ପରି ହାତରୁ ଛଡ଼େଇ ନେଇ ସବୁ କାମ କରି ପକାଉଥାନ୍ତି। ଯାହାକୁ ଦେଖି ଧଳ ବାବୁଙ୍କ ଛାତି କୁରୁଳି ଉଠୁଥାଏ। ହସଖୁସିର ପରିବେଶ ଭିତରେ ହଠାତ କାର ଟିଏ ଆସି ବ୍ରେକ୍ କଷି ରହିଲା ଦୁଆର ମୁହଁ ସମ୍ମୁଖରେ। କିଏ ଜଣେ କୁଣିଆ ଆସିଥିବେ ଚିନ୍ତା କରି ଧଳ ବାବୁ ଆଗେଇ ଆସିଲେ ପାଛୋଟି ନେବାକୁ।
କିନ୍ତୁ...! ଆସିଥିବା କୁଣିଆଙ୍କ ମୁଖ ଚାହିଁ ଧଳ ବାବୁଙ୍କ ଓଠରେ ଉକୁଟି ଆସିଥିବା ସ୍ମିତ ହସ କ୍ଷଣପ୍ରଭା ପରି କ୍ଷଣିକେ ଉଭେଇ ଗଲା। ଆଖିରେ ସେହି ପୁରୁଣା କ୍ରୋଧ ଉଭରି ଆସିବା ସହିତ ହୃଦୟରେ ସେହି ପୁରୁଣା କ୍ଷତ ପୁଣି ଉଖୁରି ଯାଇଥିଲା। କ୍ରୋଧରେ ହିତାହିତ ଜ୍ଞାନ ଭୁଲି ଧଳ ବାବୁ ସର୍ପ ପରି ଫୁତ୍କାର ଛାଡ଼ିବାକୁ ଲାଗିଲେ।
''ତୁ...! ତୁ ପୁଣି ଆସିଛୁ। ତତେ କେତେଥର କହିଛି ତୋ ସହ ଆମର କୌଣସି ସମ୍ପର୍କ ନାହିଁ। ତୁ ଆମର କେହି ନୁହଁ କି ଆମେ ତୋର କେହି ନୁହଁ। ତେଣୁ ଭଲ ହେବ ଯେମିତି ଆସିଛୁ ଠିକ ସେମିତି ବାଟେ ବାଟେ ପଳା। ଆଜି ପରି ଶୁଭ ଦିନରେ ମୁଁ କୌଣସି ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁନି। ଚାଲିଯାଆ ଏଠୁ.....।
-- "କିନ୍ତୁ ବାପା...! ମୋର ଦୋଷ କ'ଣ ?"
--"ଦୋଷ...! ଦୋଷ ହେଲା ତୁ ମଝି ମଝିଆ। ନା' ଏ କୂଳର ହେଲୁ ନା' ସେ କୂଳର ହେଲୁ...!ମଝିରେ ରହି ଖାଲି ମତେ ଦହଗଞ୍ଜ କରିଛୁ।"
--" କିନ୍ତୁ ବାପା....ମୋର ଭୁଲ କ'ଣ ? ମୁଁ କଣ ଭଗବାନଙ୍କୁ କହିଥିଲି ମତେ ମଝିରେ ରଖି ଜନ୍ମ କରିବାକୁ। ପ୍ରଥମ ଦ୍ୱିତୀୟ ରେ ନ ରଖି ତୃତୀୟ ଲିଙ୍ଗରେ ସ୍ଥାନ ଦେବାକୁ...!"
--" ନା' ତୁ କିଛି କହିନଥିଲୁ କି ତୋର କିଛି ଭୁଲ ନାହିଁ। ସବୁ ଭୁଲ ମୋର। ତତେ ଜନ୍ମ କରିବାଟା ହେଉଛି ମୋର ଭୁଲ। ତତେ ବାପା ପରିଚୟ ଦେବା ମଧ୍ୟ ମୋର ଭୁଲ। ସବୁ ଭୁଲ ମୋର। ତେଣୁ ମୁଁ ଆଉ ମୋ ଭୁଲ ଦୋହରାଇ ବାକୁ ଚାହୁଁନି। ଭଲ ହେବ ତୁ ଏଇଠୁ ସିଧା ପଳା।"
--"ବାପା ଥରୁଟିଏ ମତେ ଚନ୍ଦୁ କୁ ଦେଖିବାକୁ ଦିଅନ୍ତୁ। ମୁଁ ବାସ ଥରେ ତାକୁ ବଧୂବେଶରେ ଦେଖିକି ଚାଲିଯିବି। ବାସ ଥରୁଟିଏ କେବଳ ମତେ ଭିତରକୁ ଯିବାକୁ ଅନୁମତି ଦିଅନ୍ତୁ।"
--'' ଦେଖ, ବାପ ହେଇ ମୁଁ ତତେ ହାତ ଯୋଡୁଛି। ମତେ ଆଉ ଲଜ୍ଜ୍ୟା ଦେଏନି। ଲୋକେ ଯଦି ଜାଣିବେ ତା' ହେଲେ ମୋ ଇଜ୍ଜତ ମାଟିରେ ମିଶିଯିବ। ଦୟାକରି ମୁଁ ତତେ ନେହୁରା ହେଉଛି ତୁ ପଳା ଏଇଠୁ।"
ଆଖିରେ ଆଖିଏ ଅଶ୍ରୁକୁ ସାଥି କରି ଆଣିଥିବା ଉପହାର ଟିକୁ ଧଳ ବାବୁଙ୍କ ପାଦ ତଳେ ଥୋଇଦେଇ ଶେଷ ଥର ପାଦ ଛୁଇଁ ଫେରି ଯାଉଥିଲା ସତ୍ୟ (ଓରଫ ସଳିତା)।ଯିଏ ନିଜ ପୁରୁଷ ନାମ କୁ ପରିବର୍ତ୍ତିତ କରି ରଖିଥିଲା ସଳିତା..! ଶାରୀରିକ ବିକାଶ ସହିତ ତାଳ ଦେଇ ଯିଏ ପରିବର୍ତ୍ତନ ହେଇଥିଲା ପୁରୁଷରୁ ନାରୀକୁ। କିନ୍ତୁ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବା ପରିବର୍ତ୍ତେ ରହି ଯାଇଥିଲା ମଝିରେ। ଆଉ ଦୁନିଆ ତାକୁ ଆଖ୍ୟା ଦେଇଥିଲା ଛକା ଅବା ହିଞ୍ଜଡ଼ା....!
ଧଳ ବାବୁଙ୍କ ଗର୍ଜନ ତର୍ଜନ ଶୁଣି ସ୍ବେଛାସେବୀ ସଂଘଟନର ଆସିଥିବା ଜଣେ ଯୁବକ ଆସି ପ୍ରଶ୍ନ କଲା ଧଳ ବାବୁଙ୍କୁ- "ମଉସା ଆପଣ ତାଙ୍କୁ ଯିବାକୁ କାହିଁକି ଦେଲେ। ବୋଧେ ଆପଣ ତାଙ୍କୁ ଚିହ୍ନି ପାରିଲେନି ?"
--" କାହାକୁ ଚିହ୍ନିବି ରେ ପୁଅ। ସମାଜ ଯାହାକୁ ଗ୍ରହଣ କଲାନି.... ଯାହା ପାଇଁ ମତେ ମୁଣ୍ଡେଇ ବାକୁ ପଡିଲା ଅନେକ ନିନ୍ଦା ଅପବାଦ... ତାକୁ ଆଉ ଚିହ୍ନି ଲାଭ ଅବା କ'ଣ ? ଭଲ ହେଲା ସେ ପଳେଇଲା। ନ ହେଲେ ପୁଣି ମତେ ଆଉ ଥରେ ଅପମାନିତ ହେବାକୁ ପଡ଼ିଥାନ୍ତା ଆଜି।"
--" ବାଃ....ମଉସା....ବାଃ...! ସାମାନ୍ୟ ନିନ୍ଦା ଅପବାଦ କୁ ଭୟ କରି ଆପଣ କେତେ ବଡ଼ ଭୁଲ କଲେ ଜାଣିଛନ୍ତି। ଯିଏ ନିଜ ଜୀବନକୁ ଖାତିର ନ କରି ଆପଣଙ୍କ ଜୀବନ ଦୀପ ଲିଭିଯିବା ପୂର୍ବରୁ ପୁଣି ଆପଣଙ୍କ ଜୀବନ ଦୀପ ରେ ଘିଅ ଢ଼ାଳି ଥିଲା ଆପଣ ତାଙ୍କୁ ନିନ୍ଦା କରୁଛନ୍ତି।"
"ମାନେ....?" ଆଚମ୍ବିତ ହୋଇ ପ୍ରଶ୍ନ କଲେ ଧଳ ବାବୁ। ତା' ପରେ ସେହି ଯୁବକ ଜଣକ ସବୁ ରହସ୍ୟ ଖୋଲି ଦେଇଥିଲେ ଧଳ ବାବୁଙ୍କ ସମ୍ମୁଖରେ।
---" ନିନ୍ଦା ଅପବାଦ ଭୟରେ ଆପଣ ଆଗପଛ ବିଚାର ନ କରି ତାଙ୍କୁ ଘରୁ ବିତାଡିତ କରି ଦେଇଥିଲେ।ଘରୁ ବିତାଡ଼ିତ ହେଲା ପରେ ସଳିତା ଅପାଙ୍କ ସାକ୍ଷାତ ଆମ ସଂଗଠନର ସଭାପତି ବାବୁଲି ଭାଇଙ୍କ ସହିତ ହୋଇଥିଲା। ପ୍ରଥମେ ପ୍ରଥମେ ଆମେ ମାନେ ମଧ୍ୟ ଆପଣଙ୍କ ପରି ତାଙ୍କୁ ଗ୍ରହଣ କରିବାକୁ ରାଜି ନଥିଲୁ। ଆମେ କହୁଥିଲୁ ତାଙ୍କୁ ନେଇ ଛାଡି ଆସିବାକୁ ତାଙ୍କ ଜାତିଭାଇଙ୍କ ପାଖରେ। କିନ୍ତୁ ବାବୁଲି ଭାଇ ସଫା ମନା କରି ଦେଇଥିଲେ ଆଉ ତାଙ୍କୁ ଆମ ସଂଗଠନରେ ଜଣେ ସଦସ୍ୟ ରୂପେ ଗ୍ରହଣ କରି ନେଇଥିଲେ।ଧୀରେ ଧୀରେ ତାଙ୍କ ପରୋପକାର ଗୁଣ ଆଉ ଅସୀମ ତ୍ୟାଗ ମନୋବୃତ୍ତି ଆମ ମାନଙ୍କୁ ମଥା ନୁଆଇଁ ବାକୁ ବାଧ୍ୟ କରିଥିଲା ତାଙ୍କ ପାଖରେ।ସେ ପାଲଟି ଯାଇଥିଲେ ସତ୍ୟ ରୁ ଆମ ସଭିଙ୍କ ସଳିତା ଅପା।କେଉଁଠି କିଛି ବି ଆବଶ୍ୟକ ପଡ଼ିଲେ ଆଗ ଧାଡ଼ିର ନାୟିକା ସାଜୁଥିଲେ ଆମ ଅପା। ସେଦିନ ସେମିତି ଆମ ପାଖକୁ ଫୋନ ଆସିଥିଲା। ଜରୁରୀକାଳୀନ ସେବାରେ 'ଓ' ପଜିଟିଭି ରକ୍ତର ଆଵଶ୍ୟକତା ଅଛି। ଅପା ଯାଇଥିଲେ ରକ୍ତ ଦାନ କରିବାକୁ। ରକ୍ତ ଦାନ କରିଥିଲେ ସତ କିନ୍ତୁ ଆଖି ଦେଖା ଘଟଣା ତାଙ୍କ ହୃଦୟକୁ କୋରି ପକାଇ ଥିଲା। ଦୁନିଆର କୋଉ ଛୁଆ ଚାହିଁବ ତା' ଆଖି ଆଗରେ ତା' ବାପର ମୃତ୍ୟୁ ହେଇଯାଉ। ସଙ୍ଗେସଙ୍ଗେ ଅପା ଆମ ମାନଙ୍କୁ ଫୋନ କରି ଡ଼ାକି ଆଣିଥିଲେ। ବୁଝାବୁଝି କଲାରୁ ଜଣା ପଡ଼ିଲା କିଡ଼ିନି ନଷ୍ଟ ହୋଇ ସାରିଛି। ଏତେ ଶୀଘ୍ର କୋଉଠୁ ଅବା ମିଳିବ। ଶେଷରେ ଆଗପଛ ବିଚାର ନ କରି ଅପା ଆଗେଇ ଆସିଥିଲେ ନିଜ ଗୋଟିଏ କିଡିନୀ ଦେଇ ପିତୃ ଋଣ ହାଲୁକା କରିବାକୁ। ଭଲରେ ଭଲରେ ସବୁକିଛି ହୋଇ ଯାଇଥିଲା। ଡାକ୍ତର ମହାଶୟଙ୍କୁ ଅପା ମନା କରିବାରୁ ସେ ମଧ୍ୟ ବାଧ୍ୟ ହୋଇଥିଲେ ଚୁପ ହେଇ ରହିବାକୁ ଠିକ ଆମ ମାନଙ୍କ ପରି। ରାଣ ନିୟମ ପକାଇ ଅପା ଆମ ମାନଙ୍କୁ ମନା କରିଥିଲେ ଏ କଥା ନ କହିବାକୁ। କିନ୍ତୁ ଆଜିର ଦୃଶ୍ୟ ଦେଖିଲା ପରେ ମତେ ଲାଗିଲା ଯେପରି ଅପାର ତ୍ୟାଗ ବ୍ୟର୍ଥରେ ଯାଇଛି। ତେଣୁ ବାଧ୍ୟ ହେଲି ମୁହଁ ଖୋଲିବାକୁ। କାରଣ, ଆଜି ଯଦି ଆପଣ ଏଠି ଛିଡ଼ା ହେବାକୁ ସକ୍ଷମ ହୋଇ ପାରିଛନ୍ତି....ଆଜି ଯଦି ମାଉସୀଙ୍କ ହାତରେ ଶଙ୍ଖା ମଥାରେ ସିନ୍ଦୁର ଦାଉ ଦାଉ ହେଇ ଝଟକି ପାରୁଛି... ଆଜି ଯଦି ଆପଣଙ୍କ ଝିଅ ବାପ ଛେଉଣ୍ଡ ହେବାରୁ ବଞ୍ଚି ଯାଇଛି....ତା' ହେଲେ ତାର ସମସ୍ତ ଶ୍ରେୟ ସଳିତା ଅପାଙ୍କର। ମୁଁ ଚାହୁଁନି ଅପା କୁ ନେଇ ଆପଣ ପଶ୍ଚାତାପ କରନ୍ତୁ।ମୁଁ କେବଳ ଏତିକି ଚାହେଁ ଅପାକୁ ତା' ପ୍ରାପ୍ୟ ମିଳୁ ଆଉ ତାକୁ ନେଇ ଆପଣ ଗର୍ବ ଅନୁଭବ କରନ୍ତୁ। କାରଣ, ଲିଙ୍ଗଗତ ପ୍ରଭେଦରେ ବିଭାଜନ ହେଇ ତୃତୀୟ ଲିଙ୍ଗ ସ୍ଥାନ ନେଇଥିବା ମଣିଷ ମଧ୍ୟ ଠିକ ଆମରି ମାନଙ୍କ ପରି। ତେଣୁ ତାଙ୍କୁ ମଧ୍ୟ ସେତିକି ସମ୍ମାନ ମିଳିବା ଉଚିତ ଯେତିକି ଆମ ମାନଙ୍କୁ ମିଳୁଛି। ଆଉ ହଁ...ଆଉ ଗୋଟାଏ କଥା, ଆମେ ଏଠି ଆପଣଙ୍କ ଅନୁରୋଧ ରକ୍ଷା କରି ଆସିନଥିଲୁ ଏଠିକି ଆମେ ଆସିଥିଲୁ ଅପାଙ୍କ ଅନୁରୋଧ ରକ୍ଷା କରି।"
ମୁଣ୍ଡରେ ହାତ ଦେଇ ଧପ୍ କରି ବସିପଡ଼ିଲେ ଧଳ ବାବୁ। ପଶ୍ଚାତାପର ଗ୍ଲାନି ହୃଦୟକୁ ଖଣ୍ଡ ଖଣ୍ଡ କରି କାଟି ପକାଉଥାଏ। ଆଖି ଲୁହ ସବୁ ଅମାନିଆ ହୋଇ ବହି ଯାଉଥାଏ। ଆସିଥିବା ବନ୍ଧୁ ବାନ୍ଧବ ସମବେଦନା ଜଣାଉଥାନ୍ତି କିନ୍ତୁ ଆଖି ଆଉ ମନ ବୋଲ ମାନୁନଥାଏ। ହସଖୁସିର ପରିବେଶ ରୂପାନ୍ତରିତ ହେଉଥାଏ ଭାବୁକକୁ। କବାଟ କଣରେ ଲୁଗା କାନି କୁ ପାଟିରେ ଚାପି ଧରି କାନ୍ଦୁଥିବା ସୁମି ଦେବୀ କହୁଥାନ୍ତି "ହେଇଟି ଶୁଣୁଛ ତମେ ଯାଅ ମୋ ଛୁଆ କୁ ଫେରେଇ ଆଣ। ଯଦି ସେ ନ ଆସେ ତାକୁ ତା' ମାଆ ରାଣ ଦେଇ ନେଇକି ଆସିବ। କିନ୍ତୁ ନେଇକି ଆସିବ। "
ଝାଡ଼ିଝୁଡ଼ି ହେଇ ଉଠି ପ୍ରସ୍ତୁତ ହେଲେ ଧଳ ବାବୁ ସଳିତାକୁ ଘରକୁ ଫେରେଇ ଆଣିବାକୁ ଏବଂ ନୂତନ ଏକ ଅଧ୍ୟାୟର ଅୟମାରମ୍ଭ କରିବାକୁ ।
