STORYMIRROR

Smruti Ranjan

Drama Romance Fantasy

3  

Smruti Ranjan

Drama Romance Fantasy

ନାଲି ଫରକ ବାଲି

ନାଲି ଫରକ ବାଲି

16 mins
174

ହୃଦ ବଗିଚାର ପ୍ରେମର କଳି,

ବସିଛ ହୃଦୟେ ପାରି କୁଣ୍ଡଳୀ....

ଛୁଇଁଦେଲେ ଯାଅ ଲାଜେ ଝାଉଁଳି,

ଲାଜକୁଳୀ ନାଲି ଫରକ ବାଲି...... । 

   ପ୍ରେମର ରାଇଜେ ପ୍ରୀତିର ସିଂହାସନେ ନିଜ ପ୍ରେମିକାକୁ ମହାରାଣୀ ପଦରେ ଅଭିଷିକ୍ତ କରି ନିଜକୁ ତା'ର ଏକଛତ୍ରପତି ସମ୍ରାଟ ବୋଲାଉଥିବା ରସିକିଆ ପ୍ରେମିକ ଋତୁରାଜ ସର୍ବଦା ଚେଷ୍ଟା କରୁଥିଲା ତା' ପ୍ରେମିକାର ସମସ୍ତ ଛୋଟ ବଡ଼ ନଖରାମୀକୁ ମନ ଭରି ଉପଭୋଗ 

କରିବାକୁ । ଆଉ ଋତୁରାଜର ଏହି ଛୋପରାମିରେ ତା' ପ୍ରେମିକା ରିମଝିମ୍ ପାଲଟି ଯାଉଥିଲା ଋତୁରାଣୀ ଶ୍ରାବଣୀ ।”କେବେ ସାଜୁଥିଲା ପ୍ରୀତିର ଯମୁନା....! କେବେ ସାଜୁଥିଲା ଅଦିନିଆ ବନ୍ୟା...!"ଆଉ ପ୍ରେମିକାର ଏହି କ୍ଷଣିକ ପରିବର୍ତ୍ତନକୁ ମଧ୍ୟ ଖୋଲା ହୃଦୟର ସହ ସ୍ୱାଗତ କରୁଥିଲା ଋତୁରାଜ । ଖାସ୍ ସେଥିପାଇଁ ରିମଝିମ୍ ବେଳେବେଳେ ଛିଗୁଲେଇ କୁହେ-:"ତୁମ ପରି ରସିକିଆ ପ୍ରେମିକକୁ ଛୋପରାମି କରିବାରେ କେହି ପାରିବେନି ।”କେଜାଣି ପ୍ରେମିକା ମୁହଁରେ କେଉଁ ପ୍ରଜାତିର ମହୁ ଫେଣାଟିଏ ଠୁଳ ହୋଇ ରହିଥାଏ...! ବୋଧହୁଏ ସେଥିପାଇଁ ପ୍ରେମିକାର ପ୍ରତ୍ୟକ କଥା ଭାରି ମିଠା ମିଠା ଲାଗିଥାଏ । ତେଣିକି ତାହା କଥା ହେଉ କି ଗାଳି ହେଉ । ତେଣୁ ଋତୁରାଜ ମଧ୍ୟ ସେହି ନୀତି ଅନୁସରଣ କରୁଥିଲା । ଆଉ ରିମଝିମ୍ ସହ ପ୍ରତ୍ୟକ ସମୟ ଛୋପରାମି କରୁଥିଲା । 

  ଛାଡ଼ନ୍ତୁ, ପ୍ରେମରେ ପ୍ରତ୍ୟକ ପ୍ରେମିକ ତା' ପ୍ରେମିକା ସହ ଏମିତି ହିଁ କରିଥାଏ । ଆଉ ସ୍ନେହରେ ଗୋଟେ ଗୋଟେ ନିର୍ଲଜ ଉପାଧି ଅର୍ଜନ କରିଥାଏ । କିନ୍ତୁ ଋତୁରାଜକୁ ଏହି ନିର୍ଲଜ ଉପାଧି ବିବାହ ପରେ ହିଁ ମିଳି ପାରିଥିଲା । ବିବାହ ପରେ ହିଁ ଋତୁରାଜ ଓ ରିମଝିମ୍ ସେଇ ସବୁ କାମ କରିଥିଲେ ଯାହା ଗୋଟେ ପ୍ରେମୀଯୁଗଳମାନେ ହିଁ କରିଥାନ୍ତି । କାରଣ, ପରିସ୍ଥିତି ଏପରି ସୃଷ୍ଟି ହୋଇଥିଲା ଯେ, ରିମଝିମ୍ ସହ ହସ୍ତ ଗଣ୍ଠି ପଡିବା ସମୟରେ ଋତୁରାଜ ବିଶ୍ୱାସ କରି ପାରୁଥିଲା ସମୟକୁ, ଆଉ କହୁଥିଲା ସତରେ ସମୟ ବଡ଼ ବଳବାନ...!

   

   ସମୟ....! କୁହାଯାଏ ସମୟ ଓ ପ୍ରେମ ଏଇ ଦୁଇ ଜଣ ବଳବାନ ଅଟନ୍ତି । ଏଇ ଦୁଇ ଜଣ କେତେବେଳେ କାହାକୁ କେଉଁ ସମୟରେ ଏବଂ କେଉଁ ଅବସ୍ଥାରେ ନେଇ ଛିଡା କରିବେ, ସେ ବିଷୟରେ ଅନୁମାନ କରିବା ପ୍ରାୟତଃ କାଠିକର ପାଠ ହୋଇଥାଏ । କିନ୍ତୁ ଏମାନେ ଚାହିଁଲେ ବିନା ଶ୍ରାବଣରେ ମୟୂର ନାଚିବ, ବିନା ମଳୟରେ ବସନ୍ତ ଫେରିବ, ଆଉ ବିନା ଫଗୁଣରେ ମଧ୍ୟ ଫଗୁ ଉଡ଼ିବ । 

   ସମୟର ଯେପରି କୌଣସି ପୂର୍ବାଭାସ ନଥାଏ । ଠିକ ସେମିତି ପ୍ରେମର ମଧ୍ୟ କୌଣସି ସୂଚୀପତ୍ର ନଥାଏ । ବହୁ ବିଶିଷ୍ଟ ପ୍ରେମିକ ପ୍ରବରମାନେ କୁହନ୍ତି ପ୍ରେମ କେବେ କରା ଯାଏନି ତାହା ସ୍ୱତଃ ପ୍ରବୃତ୍ତ ମନରେ ଜାଗି ଉଠିଥାଏ । ଯେପରି ଆଖପାଖର ପରିବେଶ ଏବଂ ସୁନ୍ଦର ଲାବଣ୍ୟବତୀ ପ୍ରକୃତିକୁ ଦେଖୁ ଦେଖୁ କବିଟିଏ ତା' ହୃଦ କାନଭାସରେ ଶବ୍ଦର ତୁଳୀରେ ଆଙ୍କିଦିଏ ଅନେକ ଗୁଡିଏ କବିତା...! ଠିକ୍ ସେମିତି ରୂପରେ ହେଉ କିମ୍ବା ଗୁଣରେ ହେଉ ଅବା କୌଣସି ସୁନ୍ଦର ବସ୍ତ୍ର ପରିହିତା ଲାବଣ୍ୟବତୀ ନାରୀକୁ ଦେଖୁ ଦେଖୁ ଆମ ଅଜାଣତରେ ପ୍ରେମର ବୀଜ ଅଙ୍କୁରୋଦ୍ଗମ ହୋଇଯାଏ ହୃଦୟ ବଗିଚାର କୋଉ ଏକ ଅନାମଧେୟ କୋଣରେ....!

   କିନ୍ତୁ, ଅଧିକାଂଶ ସ୍ଥଳରେ କିଏ ରୂପ ରଙ୍ଗ ଦେଖି ପ୍ରେମ କରିଥାଏ...! ଆଉ କିଏ ଗୁଣ ଦେଖି ପ୍ରେମ କରିଥାଏ...! କିନ୍ତୁ ରୂପ ରଙ୍ଗ ଗୁଣ ଗାରିମାକୁ ବାଦ୍ ଦେଇ ସାମାନ୍ୟ ଏକ ନାଲି ଫ୍ରକର ପ୍ରେମରେ ପଡ଼ି ସେ ଫ୍ରକର ଅଧିକାରିଣୀକୁ ହୃଦୟ ଦେଇ ବସିବା,ଆଉ ମନ ମନ୍ଦିରରେ ଦେବୀ ସ୍ଥାନରେ ସେହି ଅଦେଖା ପ୍ରତିଛବିକୁ ପ୍ରତିଷ୍ଠା କରି ରୀତିମତ ପୂଜା କରିବା, କ'ଣ ଛୋଟିଆ କଥା?

   ଯେମିତି କି ଋତୁରାଜ ହୃଦୟ ଦେଇ ବସିଥିଲା ନାଲି ଫ୍ରକ ପିନ୍ଧିଥିବା ଗୋଟେ ସୁନ୍ଦରୀ ଝିଅକୁ । ଏପରିକି ସେ ଝିଅ ବିଷୟରେ ସାମାନ୍ୟ ଜ୍ଞାନ ନ ଥାଇ ମଧ୍ୟ ପ୍ରେମ କରି ବସିଥିଲା ଏବଂ ଶୟନେ ସପନେ ଜାଗରଣେ କେବଳ ତା' ସରୁ ଅଣ୍ଟାର ତୁର୍ ତୁରିଆ ନାଗୁଣୀ ଚାଲିକୁ ଝୁରି ହେଉଥିଲା । ସେଥିପାଇଁ ସେ ତା' ପ୍ରେମିକା ନାଁ ରଖିଥିଲା”ନାଲି ଫରକ ବାଲି" । 

    ଚାକିରୀ ଜୀବନରେ ନୂଆ କରି ଗଢ଼ି ଉଠିଥିବା ସମ୍ପର୍କର ନାମ ହେଲା ସଞ୍ଜୟ । ଏଇ ସଞ୍ଜୟ, ଯାହାର ବିବାହକୁ ଆମନ୍ତ୍ରିତ ହୋଇ ଆସିଥିଲା ଋତୁରାଜ । ଆଉ ଋତୁରାଜ ଆସିଥିଲା ବୋଲି କୁଆଡେ ଭାରି ଖୁସି ହୋଇଥିଲା ସଞ୍ଜୟ । ସଞ୍ଜୟ କୁହେ, ଭାଗ୍ୟରେ ଥିଲେ ଏମିତିକା ବନ୍ଧୁ ମିଳନ୍ତି । ସେଥିପାଇଁ ଋତୁରାଜ ପଛରେ ଅନେକ ଗୁଡ଼ିଏ ପ୍ରଶଂସା କରେ ସଞ୍ଜୟ । ଆଉ ଆଜି ସେଇ ଋତୁରାଜ ପ୍ରଥମ କରି ଆସିଛି ବୋଲି ସଞ୍ଜୟର ପରିବାର ମଧ୍ୟ ବହୁତ ଖୁସି ହୋଇଛନ୍ତି । 

   ଯାହା ହେଉ ଖୁସିର ଏହି ବାତାବରଣରେ ଭଲରେ ଭଲରେ ହସ୍ତ ଗଣ୍ଠି ପଡ଼ିଗଲା । ଆଉ ଏହି ଖୁସିର ମାହୋଲରେ ଘଟିଗଲା ଛୋଟିଆ ମିଠା ଦୁର୍ଘଟଣାଟିଏ । ଯାହାକି ପରବର୍ତ୍ତୀ ସମୟରେ ଋତୁରାଜ ହୃଦୟରେ ତା' ଅଜାଣତରେ ଅନୁରାଗର ମଞ୍ଜି ବୁଣିଦେଇ ଯାଇଥିଲା । ପରେ ପରେ ସେହି ମଞ୍ଜି ଦ୍ରୁମରେ ପରିଣତ ହୁଅନ୍ତା ଋତୁରାଜ କିନ୍ତୁ ଫେରି ଆସିଥିଲା ଚତୁର୍ଥୀ ଦିନକୁ ଆସିବି କହି । 

   ବାସ୍ ଏଇଠୁ ଆରମ୍ଭ ହୋଇଥିଲା ଅସଲ କାହାଣୀ । ହୃଦୟରେ ପ୍ରୀତିର ଅନୁରାଗ ତା' କାୟା ବିସ୍ତାର କରିବାକୁ ଲାଗିଲା । 

     କାକଟପୁରରୁ ଫେରୁଛି ଋତୁରାଜ । ଭୁବନେଶ୍ୱରରେ ଘର । ଭୋର ସମୟ । ସାରା ରାତି ଅନିଦ୍ରା ରହି ମଧ୍ୟ ନା' ଶରୀରରେ କ୍ଲାନ୍ତର ଅନୁଭବ ନା' ଆଖିରେ ଜଳାପୋଡ଼ା...! ଓଲଟି ଏସବୁ ଠାରୁ କୋଶେ ଦୂରରେ ରହି ଏକ ଅଲଗା ପ୍ରକାର ଆନନ୍ଦର ଉର୍ଜା ଶରୀରରେ ଖେଳି ଯାଉଛି ଏବଂ ଏକ ଦୁର୍ଲଭ ଅଞ୍ଜନ ଆଖିରେ ବୋଳି ହୋଇ ଯାଉଛି । ଯୁଆଡେ ଚାହିଁଲେ କେବଳ ସେହି ନାଲି ଫରକ ବାଲି ହିଁ ନଜର ଆସୁଛି...! ନଜର ଆସୁଛି ତ କେବଳ ତା' ସରୁ ଅଣ୍ଟା...! ସେହି ଅଣ୍ଟାରେ ଲଟେଇ ହୋଇଯାଇଥିବା ରୁପା ପାତିଆର ଅଣ୍ଟା ବିଛା...! ନଜର ଆସୁଛି ତ କେବଳ ତା' ତୁର୍ ତୁରିଆ ନାଗିନ୍ ଚାଲି...! ଆଃ...! ନାଲି ଫରକ ବାଲି । ଏମିତି ପ୍ରତୀତ ହେଉଥିଲା ଯେପରି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ନିଖୁଣ କାରିଗରୀର ଅଦ୍ୱିତୀୟ ପ୍ରତିମା ଜୀବନ୍ୟାସ ପାଇ ତରବରିଆ ଭାବେ ନେତ୍ର ଉହାଡରୁ ଅଦୃଶ୍ୟ ହେଉ ଯାଉଛି । 

   ଇସ୍...! ସମ୍ପୂର୍ଣ୍ଣ ବିବାହ ସରିଗଲା...! ଚାରି ପ୍ରହର ବିତିଗଲା । କିନ୍ତୁ ସେହି ଝିଅକୁ ଭଲ କରି ତା' ମୁଖ ଦର୍ଶନ କରିବାର ସୌଭାଗ୍ୟ ଅର୍ଜି ହେଲାନି । କେଜାଣି କୁଆଡେ ହଠାତ୍ ଅନ୍ତର୍ଦ୍ଧାନ ହୋଇଗଲା । ଏମିତି ଲାଗିଲା ଯେମିତି ଖୁବ କମ ସମୟ ପାଇଁ ଆସିଥିଲା ଜୀବନକୁ ରଙ୍ଗୀନ କରିବା ପାଇଁ..! ଅଦିନିଆ ଫଗୁଣରେ ଫଗୁ ମୁଠାଏ ଗାଲରେ ନେସି ଦେବା ପାଇଁ....! ଆଃ...! କ'ଣ କହିବି... ? ଯାହାର ଚାଲିରେ ହୃଦୟ ଦୋହଲି ଯାଉଛି...! ଠାଣିରେ ମସ୍ତିଷ୍କ ଚହଲି ଯାଉଛି...! ଇସ.....ତା' ରୂପ କେତେ ସୁନ୍ଦର ହୋଇ ନଥିବ!ତା'ଆଖି....ଓଠ....ଗାଲ କେତେ ସୁନ୍ଦର ହୋଇନଥିବ...! କେଜାଣି ମୋର ଭାଗ୍ୟ ଆଉ ଉଦୟ ହେବ କି ନାହିଁ ? ନାଲି ଅଣ୍ଟାର ନାଗିନ୍ ଚାଲିକୁ ଆଉ ଏ ଜୀବନରେ ପୁଣିଥରେ ଦେଖିବାର ସୌଭାଗ୍ୟ ମିଳିବ କି ନାହିଁ...! 

   ଭାବନାର ଅନ୍ତରାଳେ ଋତୁରାଜ ଆସି ପହଞ୍ଚିଗଲା ଭୁବନେଶ୍ୱରରେ । ବ୍ରାହ୍ମମୁହୂର୍ତ୍ତରେ ସମାପନ ଘଟି ଦୂର ଗଗନେ ନାରଙ୍ଗୀ ରଙ୍ଗକୁ ସାଥି କରି ବାଳ ରବିଙ୍କ ଆଗମନ ହେଉଥାଏ । ତତ୍ ସହିତ ତାଳ ପକାଇ ଋତୁରାଜର ହୃଦ ଆକାଶର ଖୋଲା ବକ୍ଷରେ ପ୍ରେମର ରଙ୍ଗ ଧୀରେ ଧୀରେ ଗାଢ଼ା ହୋଇ ଚାଲୁଥାଏ । 

   ୟା ଭିତରେ ବିତିଗଲା ଆଉ ଦୁଇ ଦିନ । ଏହି ଦୁଇ ଦିନ ଆଉ ଷୋଳ ପହର ସମୟ କେମିତି କଟିଗଲା ଜଣା ମଧ୍ୟ ପଡିଲାନି । ବୋଧହୁଏ ଏସବୁ ସେହି ନାଲି ଫରକ ବାଲିର କମାଲ । ଶୟନେ, ସପନେ, ଜାଗରଣେ...! ଯୁଆଡେ ଚାହିଁଲେ କେବଳ ଆଉ କେବଳ ତା' ଭାବନା । ଚତୁର୍ଥୀକୁ ଯିବା ପୂର୍ବରୁ ନିଜକୁ ପ୍ରସ୍ତୁତ କରିବା ସମୟରେ ଋତୁରାଜ ଚିନ୍ତା କଲା । ଆଜି ଯାହା ବି ହେଉ ନା କାହିଁକି ତା' ଖବର ଆଜି ନେବାକୁ ହେବ । ନାଲି ଫରକ ବାଲିର ନାଲି ରଙ୍ଗର ପରଦା ଉଠେଇବାକୁ ହେବ । ଏଥରକ ଏକ ବିଶେଷ ରୂପରେ ନିଜକୁ ନବ କଳେବର କଲା ଋତୁରାଜ । ଯେତେ ଯାହା ହେଲେ ନାଲି ଫରକ ବାଲିର ପରିଚୟ ନେବାକୁ ହେବ । ତା' ସହ ପଦେ ଅଧେ କଥା ହେବାକୁ ହେବ । ଆଉ ସର୍ବୋପରି ସ୍ଥାନ କାଳ ପତ୍ର ଦେଖି ସଞ୍ଜୟ ଜରିଆରେ ପ୍ରେମର ନିବେଦନ ମଧ୍ୟ କରିବାକୁ ହେବ । 

   ସ୍ୱପ୍ନର ଉଦ୍ୟାନରେ ପ୍ରେମର କଳି ଫୁଟିଥିବା ନାଲି ଫରକ ବାଲିର କାଳ୍ପନିକ ଛବିଟିଏ ହୃଦୟର କାନଭାସ୍ରେ ଆଙ୍କି ଋତୁରାଜ ଆସୁଛି ସଞ୍ଜୟ ପାଖକୁ । ଏକ ତରଫା ପ୍ରେମର ମଧୁମୟ ବର୍ଷାରେ ଭିଜି ଭିଜି ଋତୁରାଜ ହଜିଯାଇଛି ଭବିଷ୍ୟତର ରୂପରେଖ ପ୍ରସ୍ତୁତ କରିବାରେ । ରାସ୍ତା ସାରା ପ୍ରଥମ ପ୍ରେମର ଏକତରଫା ଆକର୍ଷଣରେ ପୁଲକିତ ହୋଇ ଋତୁରାଜ ମଜ୍ଜିଯାଇଛି ନାଲି ଫରକ ବାଲିର ଅନାବନା ଭାବନାରେ । 

   ଭାବନାର ଶେଷ ସୀମାରେ ଉପନୀତ ଋତୁରାଜ ଆସି ପହଞ୍ଚିଗଲା ସଞ୍ଜୟର ଘରେ । ଗୋଧୂଳିର ସମୟ । ଭଳିକି ଭଳି ନାଲି ନେଳି ରଙ୍ଗୀନ ଆଲୋକରେ ଘର ବାହାର ଆଲୋକିତ । କେତେ ରକମ ବେଶଭୂଷାରେ ସଜ୍ଜିତ ଝିଅ ବୋହୁ ସବୁ ଅବାଧ ଆତଯାତ ହେଉଛନ୍ତି ସଞ୍ଜୟର ଘରେ । କିନ୍ତୁ ଏମାନଙ୍କୁ ଉପେକ୍ଷା କରି ଋତୁରାଜର ଆଖି ସନ୍ଧାନ କରୁଛି ନାଲି ରଙ୍ଗର ତଦନ୍ତରେ । ଯେଉଁଠି ବି ନାଲି ଡ୍ରେସ ଉପରେ ନଜର ପଡୁଛି ଠିକ ସେହି ସମୟରେ ହୃଦୟରେ ଅଦେଖା କମ୍ପନ ସୃଷ୍ଟି ହେଉଛି ।” ଏଇ ସେହି ନାଲି ଫରକ ବାଲି ନୁହେଁ ତ....?" ଅନୁରୂପ ସମୟରେ ଘଟି ଯାଇଥିବା ଘଟଣାଚକ୍ରକୁ ସାମାନ୍ୟତମ ଆଗପଛ କରି ଋତୁରାଜ ସ୍ମରଣ କଲା ସେହି ଦୃଶ୍ୟକୁ । 

  ”ଆଜକୁ ଠିକ ତିନି ଦିନ ତଳେ ଏହି ସମୟରେ ଅନ୍ୟମନସ୍କ ଭାବେ ଫୋନରେ କଥା ହେଇ ଯାଉଥିବା ସମୟରେ ଧୂମକେତୁ ପରି ମାଡି ଆସି ବେପୁରିଆ ଢଙ୍ଗରେ ମାଡ଼ ହୋଇଥିଲା । ଯୌବନର ପ୍ରାରମ୍ଭିକ ଆଗମନର ଦାଉ ଦାଉ ହୋଇ ଜଳୁଥିବା ଇତିହାସ ଭୂଗୋଳ ସବୁ ଅଜାଡି ହୋଇ ପଡ଼ିଥିଲା ଋତୁରାଜର ବିଶାଳ ବକ୍ଷରେ । ଏକ ମଧୁମୟ ଶିହରଣରେ ଶିହରିତ ହୋଇ ଆଖି ଉଠେଇ ଚାହିଁଥିଲା ଋତୁରାଜ । କିନ୍ତୁ ଏ କ'ଣ ? ବୋଧହୁଏ ଲଜ୍ଜ୍ୟାରେ ଜଡ଼ସଡ଼ ହୋଇ ଲାଜେଇ ନାୟିକା ଅତି ତରବରିଆ ଭାବରେ ମୁଖ ଫେରେଇ ନେଇଥିଲା ପଛ ପାଖକୁ । ତେଣୁ ନଜର ପଡିଥିଲା ତା' ହାତ ଦୁଇଟି ଉପରେ । ଆଃ କି ସୁନ୍ଦର...! ଲାଗୁଥିଲା ଯେପରି କେଉଁ ଏକ ନିଖୁଣ ଶିଳ୍ପୀର ଅନନ୍ୟ ପ୍ରତିଭାର ଜୀବନ୍ତ ଦୃଷ୍ଟାନ୍ତ ରୂପେ ପାପୁଲି ଦୁଇଟି ରଙ୍ଗିନ ହୋଇଛି ମେହେନ୍ଦିର ଅତୀବ ସୂକ୍ଷ୍ମ କାରୁକାର୍ଯ୍ୟରେ । ଋତୁରାଜ ସମ୍ପୂର୍ଣ୍ଣ ଧ୍ୟାନ ଅଟକି ଗଲା ହାତ ପାପୁଲି ଉପରେ । କିନ୍ତୁ ତୀକ୍ଷ୍ଣ ନଜରର ଅଦେଖା ବାଣକୁ ଅଣଦେଖା କରି ବ୍ୟସ୍ତ ହୋଇ ପଡ଼ି ନାୟିକା ଜଣକ ବୁଲି ପଡ଼ି ଫେରିଯିବାକୁ ଉଦ୍ୟତ ହୁଅନ୍ତା.....ପିନ୍ଧା ନାଲି ବସ୍ତ୍ର ଖଣ୍ଡିକ ଧୋକା କରି ବସିଥିଲା ସେଦିନ । ନିଜ ମାଲିକାଣୀ ସହ ବେଇମାନ କରି ଯାଇ ଆସକ୍ତିରେ ବନ୍ଧୁ ବାନ୍ଧି ବସିଥିଲା ଋତୁରାଜର ହାତ ଘଡ଼ି ସହ । ଯାହାକୁ ଅତି ସନ୍ତର୍ପଣରେ ଅଲଗା କରିଥିଲା ଋତୁରାଜ । ଆଉ ପରେ ପରେ ସେ ସୁନ୍ଦରୀ ଅତି ତରବରିଆ ଭାବରେ ନାଗୁଣି ଠାଣିରେ ସରୁ ଅଣ୍ଟାକୁ ଦୋହଲାଇ ଅନ୍ତର୍ଦ୍ଧାନ ହୋଇ ଯାଇଥିଲା ଋତୁରାଜର ନେତ୍ର ଉହାଡରୁ ।"

  ତୁରତୁରିଆ ନାଲି ଫରକ ବାଲି ଅନ୍ତର୍ଦ୍ଧାନ ହୋଇ ଯାଇଥିଲା ସତ କିନ୍ତୁ ନେସି ଯାଇଥିଲା ମୁଠାଏ ପ୍ରେମ ଋତୁରାଜ ହୃଦୟରେ । ନିଜ ଅଜାଣତରେ ନିଜେ ପ୍ରେମ କରି ବସିଥିଲା ସେହି ଝିଅଟିକୁ । ଚୁପି ଚୁପି ଅନେକ ଖୋଜିଥିଲା ଝିଅଟିକୁ । କିନ୍ତୁ, ଖୋଜ ଖବର ନ ପାଇ ଶେଷରେ ଟିକେ ହତାଶ ହୋଇ ଯାଇଥିଲା । ଆଉ ବାହାଘରରେ ବ୍ୟସ୍ତ ହୋଇ ଯାଇଥିଲା । 

   ସ୍ମୃତିର ଘଟଚକ୍ରରୁ ମୁକ୍ତି ପାଇ ଋତୁରାଜ ଫେରି ଆସିଲା ରିମିର ଡ଼ାକରେ । ରିମି, ସଞ୍ଜୟର ଭଉଣୀ । ସଞ୍ଜୟ ପରିଚିତ କରିବା ପରେ ଋତୁରାଜ ମିଶି ଯାଇଥିଲା କୋଉ ଏକ ପୁରୁଣା ସମ୍ପର୍କ ପରି । ଆଉ ରିମି ମଧ୍ୟ ଅନୁରୂପ ଏକ ବନ୍ଧୁ ପରି ଅବାଧ ମିଳାମିଶା କରିଥିଲା ସେଦିନ । ଯାହାକୁ ଲକ୍ଷ୍ୟ କରି ଋତୁରାଜ ଯୋଜନା କରିଥିଲା ନାଲି ଫରକ ବାଲିର ସବିଶେଷ ବିବରଣୀ ନେବାକୁ । କିନ୍ତୁ ସଙ୍କୋଚବଶତଃ ହେଉ ଅବା ପ୍ରତିକୂଳ ପରିସ୍ଥିତି ହେଉ, ଯାହା ବି ହେଉ ନିଜ ଅନାମଧେୟ ଯୋଜନାରୁ ବିରତି ନେବାକୁ ବାଧ୍ୟ ହୋଇଥିଲା ଋତୁରାଜ । 

   ଛାଡ଼ନ୍ତୁ... । ଋତୁରାଜକୁ ଦେଖି ରିମି ଯାଇ ଡାକି ଆଣିଥିଲା ସଞ୍ଜୟକୁ । ଆଉ ସଞ୍ଜୟ ମଧ୍ୟ ଅତି ଆନନ୍ଦରେ କାନ୍ଧରେ ହାତ ପକେଇ ପାଛୋଟି ନେଇ ଥିଲା ଋତୁରାଜକୁ ଘରର ଛାତ ଉପରକୁ । ଯେଉଁଠି ଚତୁର୍ଥୀ ଉପଲକ୍ଷେ ଏକ ଛୋଟ ପାର୍ଟିର ଆୟୋଜନ ହୋଇଥାଏ । 

   ପାରିବାରିକ ମହଲରେ ବନ୍ଧୁ ବାନ୍ଧବ ଗହଣରେ ହାତ ଗଣତି ସହପାଠୀ ସାଙ୍ଗ ମାନଙ୍କୁ ଛାଡ଼ିଲେ କେବଳ ଋତୁରାଜ ହିଁ ଥିଲା ଦୂର ପ୍ରଦେଶର ବନ୍ଧୁ । ତେଣୁ ଋତୁରାଜର ଆତିଥ୍ୟ ଅଧିକ ଆନନ୍ଦ ପ୍ରଦାନ କରୁଥିଲା ସଞ୍ଜୟକୁ । ଆଉ ସେହି ଆନନ୍ଦକୁ ଦୁଇ ଗୁଣ କରିବାକୁ ସଞ୍ଜୟ କରିଲା ଏକ ଘୋଷଣା ।”ସଙ୍ଗୀତ ଶୁଣିବାକୁ ଏବଂ ସଙ୍ଗୀତ ଗାନ କରି ଗୀତିକାର ହେବାକୁ ଇଛୁକ ଥିବା ଋତୁରାଜଙ୍କ କଣ୍ଠରୁ ଆଜି ଶୁଣିବାକୁ ମିଳିବ ଏକ ପ୍ରେମର ଆଧୁନିକ ସଙ୍ଗୀତ ।”

   ପ୍ରଥମେ ପ୍ରଥମେ ଅରାଜି ଥିବା ଋତୁରାଜକୁ ମିଳି ଯାଇଥିଲା ଏକ ସୁବର୍ଣ୍ଣ ସୁଯୋଗ । ନାଲି ଫରକ ବାଲିକୁ ପଟେଇବାକୁ ଏବଂ ଲୁକ୍କାୟିତ ତା' ପ୍ରତିଛବିକୁ ସାମ୍ନାକୁ ଆଣିବାକୁ ଋତୁରାଜ ମନେ ମନେ ଯୋଜନା କରିଥିଲା, ସିଦ୍ଧାନ୍ତ ସାରଙ୍କ ଅଭିନୀତ ପୁରୁଣା ସୁପର ହିଟ୍ ସଙ୍ଗୀତ ”ନାଲି ଫରକ ବାଲି" ଗୀତଟିକୁ ଗାଇବାକୁ । କିନ୍ତୁ କେଜାଣି କାହିଁକି ପରକ୍ଷଣରେ ନିଜକୁ ସଂଯତ କରି ନିଜର ଏହି ଦୁର୍ବାର ଇଚ୍ଛାକୁ ଦମନ କରିଦେଇ ଋତୁରାଜ ଫେରି ଯାଇଥିଲା ଆଉ ଟିକେ ପଛକୁ ହିନ୍ଦୀ ଚଳଚ୍ଚିତ୍ର ଜଗତର ହିଟ୍ ନାୟକ ମିଥୁନ ସାରଙ୍କ ଅଭିନୀତ ଗୀତ ପାଖକୁ ଏବଂ ଆରମ୍ଭ କରିଥିଲା ଓଲ୍ଡ ଇଜ୍ ଗୋଲ୍ଡ ଉପାଧି ଅର୍ଜିଥିବା ସୁପର ହିଟ ଗୀତ,"----

 

ହମ୍ ତେରି ମୋହବତ୍ ମେଁ 

ୟୁ ପାଗଲ୍ ରହତେ ହେଁ,

ହମ୍ ତେରି ମୋହବତ୍ ମେଁ 

ୟୁ ପାଗଲ୍ ରହତେ ହେଁ,

ଦିବାନେ ଭି ଅଵ ହମକୋ

ଦିବାନା କହତେ ହେଁ........ ।”

    ସମ୍ପୂର୍ଣ୍ଣ ସଙ୍ଗୀତଟିକୁ ଶେଷ କରି ଋତୁରାଜ ଫେରି ଆସିଥିଲା ନିଜ ଦୁନିଆକୁ । ଆଉ ଉପସ୍ଥିତ ଅତିଥିମାନଙ୍କ ଗହଣରେ ସାଉଁଟି ନେଇଥିଲା ଭୁରି ଭୁରି ପ୍ରଶଂସା । କିନ୍ତୁ, ସଞ୍ଜୟ କଥା ନକହିଲେ ଭଲ । ଶାଳୀ ମାନଙ୍କୁ ଉପଯୁକ୍ତ ମନୋରଞ୍ଜନ କରିପାରି ଥିବାରୁ ଏବଂ ଭାବିପତ୍ନୀର ବାପ ଘର ଲୋକଙ୍କୁ ଖୁସି କରି ପାରିଥିବାରୁ ଯୋଗ୍ୟ ଜୋଇଁର ପଦବୀଟା ଯେ ପକ୍କା ହୋଇ ଯାଇଛି । ତାହା ହୃଦୟଙ୍ଗମ କରି ପାରୁଥିଲା ଛୁଞ୍ଚି ମୁହାଁ ଶାଳକ ମୁହଁରୁ ନିଜର ପ୍ରଶଂସା ଶୁଣି । ତା' ପରେ କାର୍ଯ୍ୟକ୍ରମ ଶେଷରେ ଯେପରି ପତର ପକାଇବାକୁ ସଭିଏଁ ବ୍ୟସ୍ତ ବିବ୍ରତ 

ହୋଇପଡ଼ନ୍ତି । ଠିକ ସେମିତି ଆଗନ୍ତୁକ ଅତିଥିମାନଙ୍କ ମଧ୍ୟରେ କିଛିଟା ସୌଜନ୍ୟତା ବଶତଃ ପାଞ୍ଚ-ପଚିଶି ଉପହାର ସ୍ୱରୂପ ପକାଇ ଧାଇଁଲେ ଉଦର ପୂଜା କରିବାକୁ । 

    ସବୁକିଛି ଭଲରେ ଭଲରେ ଶେଷ ହୋଇଥିଲା ଏବଂ କିଛିଟା ସମୟ ବିଳମ୍ବ ମଧ୍ୟ ହୋଇଥିଲା । ଯାହା ସ୍ୱାଭାବିକ କହିଲେ ଚଳେ । ତେଣୁ ରାତି ଅଧିକ ହେବା ଦେଖି ସଞ୍ଜୟର ମାଆ ଅନୁରୋଧ କରିଥିଲେ ଋତୁରାଜକୁ ଅତିଥି ପ୍ରକୋଷ୍ଠରେ ସେଦିନ ରାତି ବିଶ୍ରାମ କରିବାକୁ । ଯାହାକୁ ମନା କରି ପାରିନଥିଲା ଋତୁରାଜ । 

   ସମୟ ରାତି ଏଗାର । ଶୁଖିଲା ପାଗରେ ଚିର ସତେଜ ଶେଫାଳିର ମହକରେ ଭାସମାନ ବଉଦ ପଛରେ ରୁପା ପାତିଆ ଫାଳିକିଆ ଚାନ୍ଦ ମୁଣ୍ଡ ଟେକି ପରିବେଶକୁ ଆହୁରି ମଧୁମୟ କରୁଥାନ୍ତି । ଏମିତି ଏକ ମନଛୁଆଁ ପରିବେଶରେ ଋତୁରାଜ ଟହଲ ମାରୁଥାଏ ଛାତ ଉପରେ । ପାଠକ ମାନେ ବେଶ ଭଲ ଭାବେ ଜାଣି ପାରୁଥିବେ ଏ ସମୟରେ ଋତୁରାଜ ହୃଦୟରେ କେଉଁ ବିରହର ନିଆଁ ପ୍ରଜ୍ଜ୍ୱଳିତ ହେଉଛି । ତେବେ ନିଆଁରେ ଘିଅ ଢାଳିବାକୁ ଆସି ଉପସ୍ଥିତ ହେଲା ସଞ୍ଜୟ ଭଉଣୀ ରିମି । ଏଭଳି ଏକ ଏକାନ୍ତ ସମୟରେ ରିମିକୁ ଦେଖି ଋତୁରାଜ ମଧ୍ୟ ବହୁତ ଖୁସି ହୋଇଥିଲା । କାରଣ, ଏହି ରିମି ତ ଥିଲା ଏକମାତ୍ର ମାଧ୍ୟମ ନାଲି ଫରକ ବାଲି ପାଖରେ ପହଞ୍ଚିବାର । 

    କିନ୍ତୁ ରିମିର ହାବଭାଵରେ ଥିଲା ପରିବର୍ତ୍ତନର ବାସ୍ନା । ଆଖିକୁ ନଚେଇ ନଚେଇ ପ୍ରଶ୍ନ କଲା-"କି ହୋ ଗୀତିକାର ମହାଶୟ...! କ'ଣ ଏ ଯାଏଁ ଶୋଇନ ? ତା' ଛଡା ଏଭଳି ଏକ ମଧୁମୟ ଏକାନ୍ତ ପରିବେଶରେ ଏକା ଏକା ଛାତ ଉପରେ ଟହଲ ମାରିବାର ପ୍ରାୟୋଜନ ? ଏ ସବୁ ତ କବି ଲେଖକ ଆଉ ନୂଆ ନୂଆ ପ୍ରେମରେ ପଡ଼ିଥିବା ପ୍ରେମିକମାନଙ୍କ ଲକ୍ଷଣ..! କିନ୍ତୁ ମୁଁ ଯେତେ ଦୂର ଜାଣେ ତୁମେ ତ କବି କିମ୍ବା ଲେଖକ ନୁହଁ । ତା' ହେଲେ କ'ଣ ସତରେ ଗୀତିକାର ମହାଶୟ.....! ମୋର ଯାହା ଅନୁମାନ କ'ଣ ସତ ?"

    ସମାଜ କୁହେ ପୁରୁଷ ପୁଅ ବଡ଼ ନିର୍ଲ୍ଲଜ । ତେବେ ଏହି ପଦିଏ କଥାରେ ଯେତିକି ସତ୍ୟତା ଅଛି ସେତିକି ମିଥ୍ୟା ମଧ୍ୟ ଅଛି । କାରଣ ଉପଯୁକ୍ତ ପରିବେଶରେ ଖାପ ଖାଇଲା ପରି ପରିସ୍ଥିତରେ ପୁରୁଷ ପୁଅର ଏହି ଲୁକ୍କାୟିତ ଗୁଣ ପ୍ରକାଶ ହୋଇଥାଏ । ଯେମିତି କି ରିମି କରିଥିବା ପ୍ରଶ୍ନରେ ଋତୁରାଜ ଲାଜେଇ ଯାଇଥିଲା ଏବଂ ଲାଜରେ ଲାଜରେ ସେ ତା' ହୃଦୟର ଦୁଃଖକୁ ପ୍ରକାଶ କରିଥିଲା । 

   ଗୋଟେ ପ୍ରାପ୍ତ ବୟସ୍କ ପୁଅ ଆଖିରେ ଲାଜ ଦେଖି ବହୁତ ଜୋର ହସିଥିଲା ରିମି । କିନ୍ତୁ ଏହି ସମୟରେ ଘଟିଗଲା ଏକ ଦୁର୍ଘଟଣା । ତଳ ମହଲରୁ କର୍କଶ ସ୍ୱର ଭାସି ଆସିଥିଲା ରିମି ଉଦ୍ଦେଶ୍ୟରେ ଜେଜେମାଆଙ୍କର ।” ବାହା ହୋଇଥିଲେ ହେଁଶରେ ହେଁଶେ ପିଲାଛୁଆ କରି ପକେଇଥାନ୍ତା । ଦେଖୁନ ଟୋକିକୁ କେମିତି ଅଲାଜୁକି ପରି ରାତି ଅଧଟାରେ ଛାତଟା ଉପରେ ହେଁ ହେଁ ଫେଁ ଫେଁ ହେଉଛି ।”

    ବାସ ଏତିକି ଯଥେଷ୍ଟ ଥିଲା । ହସିବା ବନ୍ଦ କରି ରିମି, ରାଗରେ ଫଁ ଫଁ ହୋଇ ଗୋଡ଼ କଚାଡି ଆସିଥିଲା ତଳକୁ । ଆଉ ଋତୁରାଜ ହସି ହସି ବୁଡ଼ି ଯାଇଥିଲା ପ୍ରେମିକାର କାଳ୍ପନିକ ଛବିରେ । 

    ରାତ ପାହି ସକାଳ ହେବା ସହିତ ସମୟର ଋତୁଚକ୍ର ମଧ୍ୟ ଧୀରେ ଧୀରେ ସମୟ ଗଡି ଚାଲିଲା । ୟା ଭିତରେ ଋତୁରାଜ ଅନେକ ଖୋଜିଛି ନାଲି ଫରକବାଲିକୁ । ଅନେକ ଥର ଆସିଛି ସଞ୍ଜୟର ଘରକୁ ରିମି ଠାରୁ ଖବର ସଂଗ୍ରହ କରିବାକୁ । କିନ୍ତୁ ପ୍ରତ୍ୟକ ଥର ତାକୁ ନିରାଶ ହେବାକୁ ପଡିଛି । ନିରାଶର ନାଆରେ ଯାତ୍ରା କରି ମଧ୍ୟ ଆଶାକୁ କେବେ ମାରିବାକୁ ଦେଇନି । ବରଂ ଅପେକ୍ଷାର ଫଳ ମିଠା ବୋଲି ଭାବି ମନକୁ ବୁଝେଇ ଦେଇଛି । 

    ଏମିତି ଏମିତି ବିତିଗଲା ଦୁଇ ବର୍ଷ । ଦିନେ ହଠାତ୍ ଏକ ବାହାଘର କାର୍ଡ ନେଇ ଆସିଲା ସଞ୍ଜୟ । ଆଚମ୍ବିତ ହୋଇ ଋତୁରାଜ ପ୍ରଶ୍ନ କଲା-:" କିରେ ତୁ କ'ଣ ଆଉ ଥରେ ବାହା ହେବୁ ନା କ'ଣ ?" ହସିହସି ସଞ୍ଜୟ କହିଥିଲା, ଖୋଲିକି ପଢ଼ିଲେ ସିନା ଜାଣିବୁ । ଋତୁରାଜ କାର୍ଡଟିକୁ ପଢିଥିଲା ଓ ରିମିର ବାହାଘର ହେଉଛି ବୋଲି ଜାଣି ବହୁତ ଖୁସି ମଧ୍ୟ ହୋଇଥିଲା । ଆଉ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା ବାହାଘରକୁ ଯେମିତି ହେଲେ ବି ସେ ଆସିବ । 

    ବାହାଘର ଦିନ ହାତରେ ଏକ ଗିଫ୍ଟ ପ୍ୟାକେଟ ଧରି ଆସିଲା ଋତୁରାଜ । ଋତୁରାଜକୁ ନାପସନ୍ଦ କରୁଥିବା ଜେଜେମାଆ ମୁହଁ ମୋଡି ଦେଇଥିଲେ ସେଦିନ । କିନ୍ତୁ ଅନେକ ରାଣ ନିୟମ ପକେଇ ସଞ୍ଜୟର ମାଆ କହିଥିବା କଥାକୁ ସମ୍ମାନ ଜଣେଇ ଋତୁରାଜ ଅଣଦେଖା କରି ଦେଇଥିଲା ଜେଜେମାଆଙ୍କ ରୁକ୍ଷ ଵ୍ୟଵହାରକୁ । 

    ତା' ପରେ ଖୋଜି ଖୋଜି ଯାଇ ପହଞ୍ଚିଥିଲା ରିମି ବସିଥିବା ଘରେ । ରିମିକୁ ଦେଖୁ ଦେଖୁ ଋତୁରାଜ ବଧେଇ ଜଣେଇଥିଲା ବାହାଘରକୁ ନେଇ । କିନ୍ତୁ ଋତୁରାଜକୁ ଦେଖୁ ଦେଖୁ ରିମିର ଆଖି ଲୁହ ଛଳ ଛଳ ହୋଇ ଉଠିଥିଲା । ଯାହାକୁ ଲକ୍ଷ୍ୟ କରି ଋତୁରାଜ ଚେଙ୍ଗେଇ ହୋଇ କହିଥିଲା- କାନ୍ଦୁଛୁ ? ହଉ କାନ୍ଦିପକା । କାରଣ ତୁ ଏବେ କାନ୍ଦୁଛୁ । କିନ୍ତୁ ତତେ ଯିଏ ବାହା ହେଉଛି ସିଏ ତ ସାରା ଜୀବନ କାନ୍ଦିବ ନା । ହାଃ ...ହାଃ । 

   ରିମି ସ୍ଥାନରେ ଆଉ କିଏ ଥିଲେ, ସେ ନିଶ୍ଚିତଭାବେ ଋତୁରାଜ କଥାରେ ହସିଦେଇଥାନ୍ତା । କିନ୍ତୁ ରିମି ହସି ନଥିଲା ସେଦିନ । କେବଳ ଏତିକି କହିଥିଲା ଗମ୍ଭୀର ହୋଇ, ମତେ ଏକା ଛାଡି ଦିଅ କାନ୍ଦିବା ପାଇଁ । କାରଣ ଆଉ କିଛି ମୁହୂର୍ତ୍ତ ପରେ ମୁଁ ସବୁଦିନ ପାଇଁ ହରେଇ ବସିବି ଗୋଟେ ମୁଲ୍ୟବାନ ବସ୍ତୁକୁ । 

    ପରିସ୍ଥିତିର ଗମ୍ଭୀରତାକୁ ଲକ୍ଷ୍ୟ କରି ଋତୁରାଜ ଚାଲି ଯାଇଥିଲା ଗିଫ୍ଟ ପ୍ୟାକେଟଟିକୁ ଟେବୁଲ ଉପରେ ରଖିଦେଇ । ଚାହୁଁ ଚାହୁଁ ସମୟ ବିତିଗଲା । ବରର ଆଗମନେ ଗାଁ ମୁଣ୍ଡରେ ଆତସବାଜିର ଚମକ ଖେଳିଗଲା । ରିମିର ସାଙ୍ଗମାନେ ଗଳି ପଡ଼ି ଯାଇ ଦେଖି ଆସିଲେ 

ବରକୁ । ଆଉ କେତେ ରକମ ଥଟ୍ଟା ତାମସାରେ ପୋତି ପକାଇଲେ ରିମିକୁ । କିନ୍ତୁ ରିମି ଥିଲା ସମ୍ପୂର୍ଣ୍ଣ ମୂକ । ନା ଥିଲା ତା' ଓଠରେ ହସ ନା ଥିଲା ତା ଆଖିରେ ସେ ସରାଗ । ତା' ହୃଦୟରେ କ'ଣ ଚାଲିଥିଲା ତାହା କେବଳ ତାକୁ ହିଁ ଜଣା ଥିଲା । 

     ଚଳଚଞ୍ଚଳ ପରିବେଶରେ ବର କନିଆଁ ବସିଥାନ୍ତି ଏକତ୍ର ହୋଇ । ପୁରୋହିତ ବ୍ରାହ୍ମଣ ମନ୍ତ୍ର ପଢୁଥାନ୍ତି । ହସ୍ତଗଣ୍ଠି ପଡ଼ିବାକୁ ଆଉ କିଛି ସମୟ ବାକି ଅଛି, ଘଟିଗଲା ଏକ ଦୁର୍ଘଟଣା । ବିବାହ ମଣ୍ଡପ ଭିତରକୁ ଧସେଇ ଆସିଲା ସ୍ତ୍ରୀ ଲୋକଟିଏ । ଯାହାକୁ ଦେଖୁ ଦେଖୁ ବରର ପିଳେହି ପାଣି ହେବାକୁ ବସିଲା । ଉପସ୍ଥିତ ଜନତା ପ୍ରଶ୍ନ କରନ୍ତେ ସ୍ତ୍ରୀ ଲୋକଟି ନିଜ ବ୍ଲାଉଜ ମଧ୍ୟରେ ଲୁଚେଇ ରଖିଥିବା କିଛି ଫଟୋ ଦେଖାଇଥିଲା । ଯାହାକୁ ଦେଖୁ ଦେଖୁ ବର ଚମ୍ପଟ ମାରିବାକୁ ପ୍ରସ୍ତୁତ ହୁଅନ୍ତା, ରିମିର କ୍ଳାସ ମେଟ ବନ୍ଧୁ ମାନେ ବର ମହାଶୟଙ୍କୁ ଉତ୍ତମ ମଧ୍ୟମ ଦେଇ ପୋଲିସରେ ଦେବାର ବନ୍ଦୋବସ୍ତ କରିଦେଲେ । ଏପଟେ ନକଲି ବର ପିତା ଓ ମଧ୍ୟସ୍ଥି ସୁଯୋଗ ଦେଖି ଛୁମନ୍ତର ହୋଇଗଲେ । ଆଉ ବରଯାତ୍ରୀ ମାଡ଼ ଭୟରେ ବିଲ ରାସ୍ତା ଦେଇ ଧାଁ ଦଉଡ଼ କରି ଚାଲିଗଲେ । ବଡ଼ ବିପଦଟିଏ ଟଳିଗଲା ସତ କିନ୍ତୁ ତା' ଠୁଁ ବଡ଼ ଭାଳେଣି ପଡ଼ିଲା । ମଙ୍ଗୁଳା କନ୍ୟାକୁ ଅଧିକ ସମୟ ରଖିହେବନି । କରିବେ ତ କ'ଣ କରିବେ । ସାହି ପଡ଼ିଶା ଟାହି ଟାପରା କରି ରିମିର ଭାଗ୍ୟ ଉପରେ ଆଙ୍ଗୁଠି ଉଠେଇବା ଆରମ୍ଭ କରିଦେଲେ । 

    ଦୁଃଖ ହତାଶରେ ରିମି ବଡ଼ ନିରୀହ ଆଖିରେ ଚାହିଁଲା ଋତୁରାଜକୁ । ଋତୁରାଜ ରିମି ଆଖିରେ କ'ଣ ଦେଖିଲା କେଜାଣି । ଦୁର୍ବାର ଘୋଷଣାଟିଏ କରି ଆଗେଇ ଆସିଥିଲା ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ରିମିକୁ ଉଦ୍ଧାର କରି ସବୁଦିନ ପାଇଁ ନିଜର କରିନେବାକୁ । ଆଖିରେ ଆନନ୍ଦାଶ୍ରୁ ଆସି ଯାଇଥିଲା ଦେଖଣାହାରୀଙ୍କର । ଜେଜେମାଆଙ୍କ ମଥା ନଇଁ ଯାଇଥିଲା ନିଜ କୃତକର୍ମ କଥା ଭାବି ଭାବି । ଶାଶୁ ଶ୍ୱଶୁର ସନ୍ଦେହ ପ୍ରକଟ କଲେ ହେଁ ପର କ୍ଷଣରେ ସବୁକିଛି ନିଜେ ସମ୍ଭାଳି ନେବ ବୋଲି ପ୍ରତିଶ୍ରୁତି ବାଢ଼ିଥିଲା ଋତୁରାଜ । ଆଉ ସଞ୍ଜୟ ଲୋତକ ଭରା ନୟନରେ କହିଥିଲା- ଭାଇରେ ବନ୍ଧୁ ହୋଇ ବନ୍ଧୁର ମାନ ରଖିଦେଲୁ । ତୋ ଋଣ ଭାରରେ ମୁଁ ଋଣୀ ହୋଇ ରହିଗଲି ସାରା ଜୀବନ ପାଇଁ । 

    ପରେ ପରେ ନାଟକୀୟ ମୋଡ଼ରେ ବିବାହ ସମାପନ ହେଲା । କିନ୍ତୁ ଏହି ବିବାହରେ ରିମି ନାହିଁ ନ ଥିବା ଖୁସି ହୋଇଥିଲା । ରିମିର ଏହି ଖୁସିର ରାଜ୍ ଜାଣିବାକୁ ଋତୁରାଜ ଖୁବ ଧୀର ସ୍ୱରରେ ଯେତେ ଥର ପଚାରିଲେ ମଧ୍ୟ ରିମି କିଛି ନ କହି କେବଳ ଏତିକି କହିଥିଲା ଭଗବାନ ମୋ ଡାକ ଶୁଣିଲେ । 

    ତା' ପରେ ଋତୁରାଜ ରିମିକୁ ସାଥିରେ ନେଇ ଏକା ଏକା ଆସିଥିଲା ଘରକୁ । କେବଳ ଏତିକି କହିଥିଲା ପରିସ୍ଥିତି ସ୍ୱାଭାବିକ ହେଲେ ବାକି ପରମ୍ପରା ପାଳନ ହେବ । 

   ଏପଟେ କାହାକୁ କିଛି ନକହି ଏକା ଏକା ମନ ମର୍ଜିରେ ବିବାହ କରି ଆସିଥିବାରୁ ଗୋବିନ୍ଦ ବାବୁ ଓ ସୀତା ଦେବୀ ମୁହଁକୁ ଫୁଲେଇ ବସିଥାନ୍ତି । କିନ୍ତୁ ଋତୁରାଜ ଘଟଣାବଳୀର ଆମୂଳଚୁଳ ବର୍ଣ୍ଣନା କଲା ପରେ ଗୋବିନ୍ଦ ବାବୁ ବୁଝି ଯାଇଥିଲେ ସତ କିନ୍ତୁ ସୀତା ଦେବୀ ଟିକେ ନାରାଜ ଥିଲେ । ଯାହାକି ଗୋବିନ୍ଦ ବାବୁଙ୍କ ହସ୍ତକ୍ଷେପରେ ସବୁକିଛି ସହଜ ହୋଇ ଯାଇଥିଲା । 

  ନିଜ ପୁଅ ଉପରେ ଗର୍ବ କରି ଗୋବିନ୍ଦ ବାବୁ କହିଥିଲେ ସେଦିନ,”ବୁଝିଲ ସୀତା, ପୁଅ ଆମର ସତରେ ବଡ଼ ହୋଇ ଯାଇଛି । ତେଣୁ ମୁଁ ତା' ବାହାଘର ଆଉ ଥରେ କରିବି ବଡ଼ ଯାକ ଜକମରେ । ତାହା ହିଁ ହେଲା । ଋତୁରାଜ ଓ ରିମିର ବିବାହ ଆଉ ଏକ ବାର ହେଲା । ଦୁଇ ଦୁଇଥର ବିବାହ କରି ରିମି କହୁଥାଏ ସତରେ ମୋ ପରି ଭାଗ୍ୟବତୀ ଏ ସଂସାରରେ ଆଉ କେହି ନଥିବେ । 

    ସୁନେଲି ଭବିଷ୍ୟତକୁ ସ୍ୱାଗତ କରିବାକୁ ଯାଇ ଆସନ୍ନ ବିପଦ ଆପଣାଛାଏଁ ଟଳି 

ପଡ଼ିଥିଲା । ଆଉ ବରବଧୁଙ୍କ ସୁନାଝରା ଭବିଷ୍ୟକୁ ଆମନ୍ତ୍ରଣ କରିବାକୁ ଯାଇ ପ୍ରସ୍ତୁତ ହେଉଛି ଚତୁର୍ଥୀ ପର୍ବ । 

    ରଙ୍ଗବେରଙ୍ଗର ପୁଷ୍ପର ଶେଯରେ ବସିଛି ବଧୂ ରୂପେ ରିମି । ମଧୁବୋଳା ମୁହୂର୍ତ୍ତରେ ବିତିଯାଇଥିବା କିଛି ସ୍ମୃତିକୁ ପଖାଳୁଛି । ସତରେ ସମୟ ବଡ଼ ବିଚିତ୍ର...! ସମୟର ଋତୁ ଚକ୍ରର ଗୋଟେ ଗୋଟେ ଖିଅ ଯଥେଷ୍ଟ ଜୀବନର ମାନସାଙ୍କ ବଦଳେଇ ନୂଆ ଏକ ସକାଳକୁ ଆମନ୍ତ୍ରଣ କରିବାକୁ । 

   ଗୋଲାପି ଶେଜରେ କୁଆଁରି ମନର ଅନାବନା ଖିଆଲି ଭାବନାରେ ବସି ରିମି ଅପେକ୍ଷା କରିଛି ତା' ପତିଦେଵ ଋତୁରାଜର । ଆଉ ଋତୁରାଜ ଅଧିକ ସମୟ ଅପେକ୍ଷା ନ କରାଇ ଧୀର କରି ପ୍ରବେଶ କଲା ଘର ଭିତରକୁ । ହାତରେ ଏକ ଗିଫ୍ଟ ପ୍ୟାକେଟ । ଋତୁରାଜକୁ ଦେଖୁ ଦେଖୁ ରିମି ଝାଉଁଳି ଯାଇଥିଲା ଲାଜରେ । ଶେଜରୁ ଉଠିଆସି ମୁଣ୍ଡିଆଟିଏ ମାରିଥିଲା ଋତୁରାଜକୁ । ଆଉ ପ୍ରତି ବଦଳରେ ଅର୍ଜି ନେଇଥିଲା ଅଜସ୍ର ସ୍ନେହ ଶ୍ରଦ୍ଧା ଆଶୀର୍ବାଦ ଏବଂ ଋତୁରାଜ ଦେଇଥିବା ଗିଫ୍ଟ ପ୍ୟାକେଟ । ଗିଫ୍ଟ ପ୍ୟାକେଟଟିକୁ ହାତରେ ଧରି ପ୍ରଶ୍ନିଳ ଠାଣିରେ ଦେଖନ୍ତା, ଋତୁରାଜ କହିଥିଲା ମୁଁ ତୁମକୁ ଏହି ଡ୍ରେସରେ ଦେଖିବାକୁ ଚାହେଁ । ଲାଜରେ ମୁଣ୍ଡ ଟୁଙ୍ଗାରି ହଁ ମାରିଥିଲା ରିମି । ଆଉ ଋତୁରାଜ ଚାଲି ଯାଇଥିଲେ ବାହାରକୁ । ଋତୁରାଜ ଯିବା ପରେ ପ୍ୟାକେଟ ଖୋଲିଥିଲା ରିମି । ଆଉ ସେଥିରେ ଥିବା ଉପହାରଟିକୁ ହାତରେ ଧରି ସମସ୍ତ ମାଜଣା ବୁଝିଯାଇଥିଲା ରିମି । 

   କିଛି ମୁହୂର୍ତ୍ତ ପରେ ଋତୁରାଜ ପୁନର୍ବାର ଆସିଥିଲା ଭିତରକୁ । କିନ୍ତୁ ଏଥରକ ଚମକାଇବାର ପାଳି ଥିଲା ରିମିର ଏବଂ ଚମକି ବାର ପାଳି ଥିଲା ଋତୁରାଜର । 

   ଋତୁରାଜକୁ ଆସିବା ଦେଖି ରିମି ଆଗେଇ ଆସିଥିଲା । କିନ୍ତୁ ହଠାତ୍ କରି ଝୁଣ୍ଟି ପଡି ଆଉଜି ପଡିଥିଲା ଋତୁରାଜ ଉପରେ । ସଙ୍ଗେ ସଙ୍ଗେ ଋତୁରାଜ ରିମିକୁ ତୋଳି ଧରନ୍ତା, ରିମି ଉଠିପଡ଼ି ବୁଲି ପଡ଼ିଥିଲା । ଠିକ୍ ସେଦିନର ଘଟଣା ପରି ଘଟିଗଲା ମିଠା ଦୁର୍ଘଟଣା । ହୃଦୟର ସ୍ମୃତି ସିନ୍ଦୁକରେ ବନ୍ଦ ଥିବା ସେହି ମିଠା ସ୍ମୃତି ପୁଣି ଥରେ ଜାଗି ଉଠିଥିଲା ଋତୁରାଜ ହୃଦୟରେ । ମନେ ପଡ଼ି ଯାଇଥିଲା ସେଦିନର ଘଟଣା । ଆଚମ୍ବିତ ହୋଇ ହାତଟିକୁ ଜାବୁଡି ଧରିଥିଲା ଋତୁରାଜ । 

    ଏଥରକ ଖିଲିଖିଲି ହୋଇ ହସି ଦେଇଥିଲା ରିମି । ଆଉ ହସିହସି କହିଥିଲା-କ'ଣ ପତିଦେଵ ? ଧୋକା ଖାଇଗଲ ନା ଦ୍ଵନ୍ଦ୍ୱରେ ପଡ଼ିଗଲ । ସେ ଯାହା ବି ହେଉ ନା କାହିଁକି ମୁଁ ଆଉ ତୁମକୁ କଷ୍ଟ ଦେବାକୁ ଚାହୁଁନି । ଆଜି ସବୁ ସତ କଥା କହିଦେବାକୁ ଚାହେଁ । ଯାହା ମୁଁ ଆଜିଯାଏଁ ଲୁଚେଇ ଆସିଛି ତୁମ ପାଖରେ । 

 --" କି ସତ୍ୟ ଲୁଚେଇ ଆସିଛ ?" 

 --" ସେହି ସତ୍ୟ, ଯାହାର ସନ୍ଧାନ କରି କରି ତୁମେ ଥକି ଯାଇଛ ।”

 --" କୋଉ ସତ୍ୟ ? ଓହୋ ରିମି ତୁମେ କ'ଣ କହିବାକୁ ଚାହଁ ଟିକେ ଖୋଲିକି କୁହନା ।”

 --" (ହସିହସି) କହୁଛି କହୁଛି । 

 --- ”ମୁଁ ସେହି ସ୍ୱପ୍ନର ନାୟିକା ତୁମେ ଯୋଉ ସ୍ୱପ୍ନର ଦୁନିଆରେ ନିଇତି ହଜିଛ । ମୁଁ ସେହି ପ୍ରେମର ପୂଜାରିଣୀ ଯୋଉ ପ୍ରେମକୁ ପାଇବାକୁ ତୁମେ ଅହେତୁକ ବ୍ୟାକୁଳ ହୋଇଛ । ମୁଁ ସେହି ଇନ୍ଦ୍ରଧନୁର ନାଲି ରଙ୍ଗ ଯୋଉ ରଙ୍ଗର ଛିଟାରେ ତୁମେ ମତୁଆଲା ହୋଇ ଯାଇଥିଲ । ଆଉ ମୁଁ ସେହି ନାଲି ଫରକ ବାଲି ଯାହାର ପ୍ରଥମ ସ୍ପର୍ଶରେ ଦିବାନା ହୋଇ ତାକୁ ତୁମେ ତୁମ ହୃଦୟରେ ସ୍ଥାନ ଦେଇ ଦେଇଥିଲ ଆଉ ବାହା ହୋଇ ନିଜ ଘର ବାଲି କରିବାକୁ ମନସ୍ଥ କରି ସାରିଥିଲ । ହଁ ମୁଁ ସେହି ନାଲି ଫରକ ବାଲି । ଭାଇଙ୍କ ମୁହଁରୁ ତୁମର ଗୁଣର ଅନେକ ଗୁଡିଏ ପ୍ରଶଂସା ଶୁଣି ଶୁଣି ମୋ ଅଜାଣତରେ ତୁମ ପ୍ରତି ଦୁର୍ବଳତା ସୃଷ୍ଟି ହୋଇ ଯାଇଥିଲା । ପ୍ରଥମ ଦେଖାରେ ମୋ ତନୁ ମନ ଦୋହଲି ଯାଇଥିଲା । କିନ୍ତୁ ସେଦିନର ମିଠା ଦୁର୍ଘଟଣାରେ ମୋ ହୃଦୟ ସମ୍ପୂର୍ଣ୍ଣ ଆନ୍ଦୋଳିତ କରିଥିଲା । ଲଜ୍ଜ୍ୟାରେ ଆକ୍ତାମାକ୍ତା ହୋଇ ମୁଁ ତରବରିଆ ଭାବେ ଧାଇଁ ଆସିଥିଲି ମୋ ବ୍ୟକ୍ତିଗତ ପ୍ରକୋଷ୍ଠକୁ । ଆଇନାରେ ନିଜେ ନିଜକୁ ଦେଖି ଏତେ ଲାଜେଇ ଯାଇଥିଲି ଯେ ପରକ୍ଷଣରେ ନିଜକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରି ଆସିଥିଲି ତୁମ ସାମ୍ନାକୁ । ଆଉ ତୁମେ ମଧ୍ୟ ଅଜଣା ହୋଇ ରହି ଯାଇଥିଲ ସେଦିନ । ମୁଁ ଭାବୁଥିଲି ମୋର ଏ ଆବେଗ ଏକ ତରଫା ବୋଲି । କିନ୍ତୁ ତୁମ କଥା ଶୁଣିଲା ପରେ ମୁଁ ବୁଝି ଯାଇଥିଲି ପ୍ରେମର ବହ୍ନି ମୋ ଅପେକ୍ଷା ତୁମ ହୃଦୟରେ ଅଧିକ ତାଣ୍ଡବ ରଚୁଛି । ଭାରି ମଜା ଲାଗିଥିଲା ମତେ । ଅନେକ ଆନନ୍ଦ ଲୁଟିନେଇଛି ତୁମ ପାଖରୁ । ଅନେକ ଅନେକ ବିରହ କଷ୍ଟ ଦେଇଛି ତୁମକୁ । ଭାବିଥିଲି ସମୟ ସୁବିଧା ଦେଖି ତୁମ ପାଖରୁ ପ୍ରେମର ପାଉଣା ମଧ୍ୟ ଆଦାୟ କରନେବି । କିନ୍ତୁ ମୋ ସ୍ୱପ୍ନକୁ ଧୂଳିସାତ୍ କରିବାକୁ ମୋ ଜେଜେମାଆ ସବୁ ଗଡ଼ବଡ଼ କରିଦେଇ ଥୋଇଦେଲେ । କୁଆଡୁ ଗୋଟା ମର୍କଟକୁ ଧରିଆଣି ବସେଇ ଦେଲେ ମୋ ପାଖରେ । କିନ୍ତୁ ଯାହା ହେଉ ସମୟ ଓ ଭଗବାନ ମୋ ପ୍ରତି ନିଷ୍ଠୁର ନ ହୋଇ ତୁମ ହୃଦୟରେ ମୋ ପ୍ରତି ସହାନୁଭୂତି ଭରିଦେଲେ । ତା' ନହେଲେ ଏ ରିମିଝିମ ଲୋକ ଲଜ୍ଜ୍ୟାକୁ ଭୟ କରି ନିଶ୍ଚେ ଝରି ପଡ଼ିଥାନ୍ତା ଝରା ଶେଫାଳି ପରି । 

   ଝପଟି ଆସିଲା ଋତୁରାଜ । ରିମଝିମ ପାଟିରେ ହାତ ରଖି ଚୁପ କରିଦେଲା । ଚୁପ ହୋଇ ଯାଇଥିଲା ରିମଝିମ । ନିରେଖି ଚାହିଁ ଥିଲା ଋତୁରାଜ ଆଖିକୁ । ଆଉ ଶୁଣୁଥିଲା ଋତୁରାଜ କଥାକୁ । 

  ”ଚୁପ....ଏକଦମ ଚୁପ । ଆଉ ଥରେ ଏମିତି କଥା ଧରିବ ନା ଦେଖିବ । ତୁମେ ଜାଣି ପାରିବନି ମୁଁ ଆଜି କେତେ ଖୁସି । ସବୁ ଖୁସିକୁ ଓଠ ବ୍ୟକ୍ତ କରି ପାରେନି । ତାହା କେବଳ ଆଖିରେ ବ୍ୟକ୍ତ ହୋଇଥାଏ । ସେଥିପାଇଁ ମୋ ଓଠ ଚୁପ ହୋଇ ଯାଇଛି ଆଉ ମୋ ଆଖି କହୁଛି । ତୁମେ ବୁଝି ପାରିବନି ରିମିଝିମ, ଆଶା କରିନଥିବା ପ୍ରାଣପ୍ରିୟ ବସ୍ତୁ ଯଦି ସଂଯୋଗ ବଶତଃ ତାକୁ ମିଳିଯାଏ ତା' ହେଲେ ସିଏ କେତେ ଖୁସି ହୋଇଥାଏ । ହଁ ମୁଁ ଆଜି ବହୁତ ଖୁସି । 

 --" ଆଛା, ସତରେ ଆଜି ତୁମେ ବହୁତ ଖୁସି...?”

 --”ହଁ, ମୁଁ ଆଜି ବହୁତ ଖୁସି ।”

 --" ସତରେ...... ?"

 --" ଆରେ ହଁ, ସତ କହୁଛି ମୁଁ ଆଜି ବହୁତ ଖୁସି ।”

 --" ଆଛା ଯଦି ତମେ ସତରେ ଖୁସି । ତା' ହେଲେ ମୁଁ ଯାହା ମାଗିବି ତାହା ମତେ ମିଳିବ ନା ?"

 --" ନିଶ୍ଚୟ ମୋ ଲାଲପରୀ ଯାହା ମାଗିବା କଥା, ଖୋଲା ମନରେ  ମାଗିପାର ।”

 --" ଠିକ ଅଛି, ମତେ ଆପଣଙ୍କ ମୋବାଇଲ ଚେକ୍ କରିବାର ଅଛି ।”

   ମୁଣ୍ଡରେ ହାତ ଦେଇ ବସି ଯାଇଥିଲା ଋତୁରାଜ । ମନେମନେ ଚିନ୍ତା କଲା ସତରେ ଏ ଝିଅ ମାନେ ଏତେ ଫୁଲେଇ, ଏତେ ସନ୍ଦେହୀ କେମିତି..... ?"


  



Rate this content
Log in

Similar oriya story from Drama