Smruti Ranjan

Drama Romance Classics

4  

Smruti Ranjan

Drama Romance Classics

ପ୍ରଥମ ପ୍ରେମ【 ଭାଗ-୮】

ପ୍ରଥମ ପ୍ରେମ【 ଭାଗ-୮】

4 mins
219



     ପ୍ରତୀକ୍ଷାର ଅନ୍ତ ଘଟିଲା ,ଦୁଇ ପ୍ରେମୀଙ୍କ ଦେଖା ସାକ୍ଷାତ ହେଲା। ପ୍ରଥମ ଦିନର ସମ୍ପର୍କ ର ବୀଜ ଟି ଶୈଶଵ ରୁ ବଢି ଯୌବନବସ୍ଥାରେ ପାଦ ଥାପିବା ଯାଏଁ ଘଟି ଆସିଥିବା ଅନେକ ମିଠା ମିଠା ସ୍ମୃତିର ମନ୍ଥନ ହେଲା। ଦୁହିଁଙ୍କ ମନରେ ଥିବା ଅହେତୁକ ଆଗ୍ରହ, ସୀମାହୀନ ଉତ୍ସାହ ର କିଛି ଅଂଶ ଦମନ ହେଲା। କିନ୍ତୁ ପାଞ୍ଚ ବର୍ଷର ପ୍ରତୀକ୍ଷା ଓ ପ୍ରେମ ଜନିତ ବିରହ ଯନ୍ତ୍ରଣା କ'ଣ ଏଇ ସାମାନ୍ୟ କିଛି ମୁହୂର୍ତ୍ତର ମିଳନରେ ଦମନ ହୋଇ ପାରିବ ? କ'ଣ ଏଇ ସାମାନ୍ୟ କିଛି ସମୟ ମଧ୍ୟରେ ଦୁହିଁଙ୍କ ମନରେ ଜମାଟ ବାନ୍ଧି ଥିବା ଅନେକ ଜଟିଳ ପ୍ରଶ୍ନର ସମାଧାନ ଦୁହେଁ ଖୋଜି ପାଇ ପାରିବେ ? ଯାହା ସେମାନେ ପ୍ରତ୍ୟକ୍ଷ ଭାବରେ ଆଲୋଚନା କରି ନିର୍ଦ୍ଦିଷ୍ଟ ରୂପରେଖ ଦେବାକୁ ସ୍ଥିର କରିଥିଲେ । କ'ଣ ବାସ୍ତବରେ ତାହା ସମ୍ଭବ ପର ହେବ ? କ'ଣ ନିୟତି ଏମିତି ଏମାନଙ୍କୁ ଲଗାମଛଡ଼ା ଅନୁମତି ଦେଇ ପାରିବ........?

            ଏଇ କିଛି ସମୟର ଆଳାପ ଆଲୋଚନା ଭିତରେ ଚାହୁଁ ଚାହୁଁ ଚାରିଘଣ୍ଟା ବିତିଗଲା। ଠିକ୍ ସେହି ସମୟରେ ହଠାତ୍ କୃଷ୍ଣପ୍ରିୟାର ମୋବାଇଲ ବାଜି ଉଠିଲା। ସମ୍ରାଟ ସହ କଥାରେ ମଜ୍ଜି ଯାଇଥିବା କୃଷ୍ଣପ୍ରିୟା ଅନ୍ୟମନସ୍କ ଭାବରେ କଲ ଟି ରିଷିଭ କରି କାନରେ ଦେବା କ୍ଷଣି କୃଷ୍ଣପ୍ରିୟାର ଚାନ୍ଦ ପରି ମୁଖରେ ଯେମିତି କଳା ବାଦଲ ଘୋଟି ଆସିଲା।

         ସତେକି ଚାନ୍ଦ ଓ କୁମୁଦାର ମିଳନକୁ ସହିନପାରି ଈର୍ଷାପରାୟଣ ହେଇ ଅଦିନ ଅତିଥି ଝଡ଼ ରୂପ ସାଜି କୁଆଡୁ ମାଡ଼ି ଆସିଲା।ହସ ହସ ମୁଖରୁ ହସ ଲିଭିଯାଇ ଦୁଃଖର ବାଦଲ ଘୋଟି ଆସିଲା....।

         ସମ୍ରାଟ ଶୁଣୁଥାଏ କୃଷ୍ଣପ୍ରିୟା କହୁଥାଏ," ମୁଁ କୋଉ ଅଜଣା ଅଶୁଣା ପୁଅ ସହ ଦେଖା କରିବାକୁ ଆସିନି। ମୁଁ ବାସ୍ ଜଗନ୍ନାଥନଙ୍କ ଦର୍ଶନ କରିବାକୁ ଆସିଥିଲି। ଏଠି ମୋର ଗୋଟେ ପୁରୁଣା ସାଙ୍ଗ ସହ ଦେଖା ହୋଇଗଲା। ଏବେ ତୁ କହ ବହୁ ଦିନର ବ୍ୟବଧାନ ପରେ କ'ଣ ମୋ ସାଙ୍ଗ ସହ ମୁଁ କଥା ହେଇ ପାରିବିନି ?''

        ତା' ପରର କିଛି ମୁହୁର୍ତ୍ତ ପରେ କୃଷ୍ଣପ୍ରିୟା ଫୋନ ରଖିବାରୁ ସମ୍ରାଟ ଜିଜ୍ଞାସା ବଶତଃ ପ୍ରଶ୍ନ କଲା-:" କିଏ ଫୋନ କରିଥିଲେ କି ? ଆଉ ତୁମ ମୁଖମଣ୍ଡଳ ଏମିତି ହଠାତ୍ ଝାଉଁଳି ପଡ଼ିଲା କାହିଁକି ?"

   ---  " କେହି ଜଣେ ମୋ ଦିଦି କୁ କହିଛି ମୁଁ ଜଗନ୍ନାଥଙ୍କ ମନ୍ଦିରରେ କୋଉ ଗୋଟେ ପୁଅର ହାତ ଧରି ହସିହସି କଥା ହେଉଛି। ତେଣୁ ସେ ମୋ ଉପରେ ରାଗିକି ମତେ ତାଗିଦ୍ କରି କହିଲେ ଯେ ଯେତେ ଶୀଘ୍ର ହେବ ମୁଁ ଘରକୁ ଫେରି ଆସିବି।" ମୁହଁ ଶୁଖେଇ କହିଲା କୃଷ୍ଣପ୍ରିୟା।

        ଦୀର୍ଘଶ୍ଵାସ ଟିଏ ଛାଡିଲା ସମ୍ରାଟ। ମନରେ ଖେଳି ବୁଲୁଥିବା ଆନନ୍ଦର ଢେଉର ଯେ ଏତେ ଶୀଘ୍ର ଭଟ୍ଟା ପଡିଯିବି ତାହା ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲା। ପାଞ୍ଚ ବର୍ଷର ପ୍ରତୀକ୍ଷାର ଫଳ ଯେ ଏତେ ଶୀଘ୍ର ଶେଷ ହେଇଯିବ ତାହା ସେ କଳ୍ପନା ମଧ୍ୟ କରିନଥିଲା। କିନ୍ତୁ ନିୟତିର ଯାହା ନିର୍ଦ୍ଦେଶ। ସେଥିରେ କେହି ହସ୍ତକ୍ଷେପ କରି ପାରିବେନି। ମନେ ମନେ ଦୁଃଖୀ ହେଇ ମଧ୍ୟ ଉପରକୁ ହସ ଫୁଟେଇ ପରିସ୍ଥିତି ସମ୍ଭାଳି ବାକୁ ହେବ। ତା' ନ ହେଲେ ସୁକୁମାରିଆ ଫୁଲେଇ ପ୍ରିୟାର କୋହ ସବୁ ଲୁହ ହେଇ ଝରିବାକୁ ବେଶି ସମୟ ଲାଗିବନି।

         କୃତ୍ରିମ ହସ ମୁହଁରେ ଫୁଟେଇ ସମ୍ରାଟ ସ୍ନେହରେ କୃଷ୍ଣପ୍ରିୟାର ଚାନ୍ଦ ପରି ମୁହଁକୁ ପାପୁଲିରେ ତୋଳି ଧରି କହିଲା.....

       - "ଏ..ଇ ମନଦୁଃଖ କରୁଛ ? ଆଜିର ଏହି ମିଳନ କ'ଣ ଆମର ଶେଷ ମିଳନ କି ? ଆଜି ପରା ଆମେ ଏହି ଶୁଭ ମୁହୁର୍ତ୍ତରେ ଏହି ପବିତ୍ର ସ୍ଥାନରେ ଆମ ପ୍ରେମର ପ୍ରଥମ ଭୂମି ପୂଜନ କଲେ। ଆଜି ପର ଠାରୁ ତମେ ଯେବେ ଇଛା ବ୍ୟକ୍ତ କରିବ ତମର ଏ ପାଗଳ ପ୍ରେମିକ ତମ ସାମ୍ନାରେ ଉପସ୍ଥିତ ହେବାକୁ କ୍ଷଣ ମାତ୍ର ବିଳମ୍ବ କରିବନି। କିନ୍ତୁ ମୁଁ ତୁମକୁ ଅନୁରୋଧ କରିବି ତମେ ଏମିତି ମନଦୁଃଖ କରନି। ମୁଁ ଚାହୁଁନି ଆଜିର ଏହି ଖୁସିର ଦିନରେ ତମ ଆଖିରୁ ଟୋପେ ଲୁହ ଝରୁ।"ଏକ ପ୍ରେମ ଭରା ଚାହାଣୀ ଦେଇ ସମ୍ରାଟ କୃଷ୍ଣପ୍ରିୟା କୁ ବୁଝେଇବାକୁ ଲାଗିଲା।

          ଫିକ୍ କରି ହସିଦେଲା କୃଷ୍ଣପ୍ରିୟା। ମୁଖ ଉପରୁ କଳା ବାଦଲ ଟି ହଟିଯାଇ ଚାନ୍ଦର ଉଜ୍ଜ୍ଵଳତା ପୁନଃ ଫେରି ଆସିଲା। ସତେ କି କୃଷ୍ଣପ୍ରିୟା ର ଝାଉଁଳା ମନରେ ସମ୍ରାଟର କଥା ସବୁ ସଞ୍ଜୀବନି ପରି କାମ କରିଗଲା।

      - "ମନ ଦୁଃଖ କରିବି? ଯାହା ପାଖରେ ଆପଣଙ୍କ ପରି ପାଗଳ ପ୍ରେମିକ ଅଛି ଭଲା ତା' ମନରେ କେବେ ଦୁଃଖର ଆଗମନ ହେଇ ପାରିବ ?ଆପଣ ଯେବେ ଆଭାସ ପାଆନ୍ତି ମୋ ମନ ଦୁଃଖ ହେବାର ଠିକ୍ ସେହି ମୁହୂର୍ତ୍ତରେ ହିଁ ଆପଣ ଲାଗି ପଡ଼ନ୍ତି ଛୋଟ ପିଲାଙ୍କ ପରି ମତେ ମନେଇ ନେବାକୁ। ଯାହାକି ସବୁଠାରୁ ବେଶୀ ଭଲ ଲାଗେ ମତେ।ହଁ ଏହି କିଛି କ୍ଷଣ ପୂର୍ବରୁ ମନରେ ମୋର କୋହ ଉଠିଥିଲା। କିନ୍ତୁ ଆପଣ ଯେଉଁ ଭଳି ଭାବରେ ମତେ ମନେଇ ନେବାକୁ ଯାଇ ଚେଷ୍ଟା କଲେ, ଆପଣଙ୍କ ପ୍ରୟାସ ଦେଖି ମୋ କୋହ ସବୁ ପାଣି ଫୋଟକା ପରି ମିଳେଇ ଗଲା। ବହୁତ ସମୟ ହେଇଗଲାଣି ।ମତେ ଘରକୁ ଫେରିଯିବାକୁ ହେବ। କିନ୍ତୁ ଫେରିଯିବା ପୂର୍ବରୁ ମୁଁ ବାକି ଥିବା ଦୁଇଟି କାମ କରିବାକୁ ଚାହେଁ।" ସମ୍ରାଟ ଆଖିରେ ଆଖି ମିଶେଇ କହିଲା କୃଷ୍ଣପ୍ରିୟା।

ସମ୍ରାଟ--:"( ମନେ ମନେ ଚିନ୍ତା କରି)ଦୁଇଟି କାମ ?"

କୃଷ୍ଣପ୍ରିୟା--:"ହଁ ଦୁଇଟି କାମ। ପ୍ରଥମେ, ମୋର ଇଛା ଥିଲା ଯେଉଁ ଦିନ ଆମର ପ୍ରଥମ ଦେଖା ସାକ୍ଷାତ କରିବା ସେହି ଦିନ ମୁଁ ମୋ ଜଗନ୍ନାଥଙ୍କ ପାଖରେ ପୂଜା ରଖିବି। ଆଉ ଦ୍ୱିତୀୟ ରେ ମୁଁ ଆପଣଙ୍କର ଅଟୋଗ୍ରାଫ ନେବାକୁ ଚାହେଁ ଯାହା ଆପଣ ମତେ ଦେବେ ବୋଲି କଥା ଦେଇଥିଲେ।"

     ସମ୍ରାଟ-(ହସିହସି) ତମେ ନା ସୁନ୍ଦରୀ। ତମକୁ ଗୋଟେ ପାଗେଳି କହିଲେ ଅତ୍ୟୁକ୍ତି ହେବନି। ପୂଜା କଥା କହିଲ ମୁଁ ଏକମତ ତୁମକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ। କିନ୍ତୁ ଏ ଅଟୋଗ୍ରାଫ କଥା ବଡ଼ ହାସ୍ୟାସ୍ପଦ ଲାଗୁଛି। ଭଲା କୋଉ ପ୍ରେମିକା ତା' ପ୍ରେମିକ ଠାରୁ ଅଟୋଗ୍ରାଫ ପାଇଁ କେବେ ଜିଦି କରିବାର ଦେଖିଛ କି ?"

        କୃଷ୍ଣପ୍ରିୟା-"ସେମିତି ଆପଣ କହି ପାରିବେନି।ଆପଣ ମୋର ଦୁନିଆରେ ସବୁଠୁ ପ୍ରିୟ ଲେଖକ ।ମୁଁ ଆପଣଙ୍କ ଉଚ୍ଚ ପ୍ରଶଂସିକା ଏବଂ ବିଦଗ୍ଧ ପାଠିକା। ଆପଣଙ୍କର ଆଉ ମୋର ସମ୍ପର୍କର ପ୍ରଥମ ମୂଳଦୁଆ ଲେଖକ ଓ ପାଠିକାରୁ ହିଁ ଆରମ୍ଭ। ତେଣୁ ଏକ ପାଠିକାର ଦୃଷ୍ଟି କୋଣରୁ ମୁଁ ମୋ ପ୍ରିୟ ଲେଖକଙ୍କ ଠାରୁ ଅଟୋଗ୍ରାଫ ର ଆଶା ରଖୁଛି।"

      ସମ୍ରାଟ-"ଠିକ୍ ଅଛି ମୁଁ ତୁମ ପ୍ରସ୍ତାବରେ ରାଜି ଅଛି। କିନ୍ତୁ ତୁମକୁ ମଧ୍ୟ ମୋ ପ୍ରସ୍ତାବରେ ରାଜି ହେବାକୁ ପଡ଼ିବ। ତୁମକୁ ମତେ ଅଟୋଗ୍ରାଫ ଦେବାକୁ ପଡିବ ଏବଂ ମୋ ସହ ମିଶି ଫଟୋତ୍ତୋଳନ କରିବାକୁ ପଡ଼ିବ।" କୃଷ୍ଣପ୍ରିୟା ଲାଜେଇକି ସହମତି ଜଣାଇଲା।....................

କାହାଣୀ ଆଗକୁ ବାକିଅଛି..................



Rate this content
Log in

Similar oriya story from Drama