Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Smruti Ranjan

Comedy Romance Classics


4  

Smruti Ranjan

Comedy Romance Classics


ପ୍ରେମର ତୃଷ୍ଣାରେ

ପ୍ରେମର ତୃଷ୍ଣାରେ

17 mins 213 17 mins 213


ତୃଷିତ ପ୍ରାଣ ବ୍ୟାକୁଳିତ ମନରେ ରହିଯାଇଥିବା କିଛି ଅପୂର୍ଣ୍ଣ ଇଛା କୁ ପୂରଣ କରିବାକୁ ଯେ କେହି ବି ତା' ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥାଏ। ଯେମିତି କି ପ୍ରସନ୍ନ ଏକ ନିର୍ଦ୍ଦିଷ୍ଟ କାରଣ ପାଇଁ ନିଜର ବଦଳି କରି ଆଣିଥିଲା ଏକ ସୁଦୂର ଅପହଞ୍ଚ ଇଲାକାକୁ । କାରଣଟା କେବଳ ତାକୁ ହିଁ ଜଣା। ଅବଶ୍ୟ ଏହି ବଦଳି ଖଣ୍ଡିକ କରିବା ପାଇଁ ତାକୁ ମହଣ ମହଣ ଅଦେଖା ତେଲ ମାଖିବାକୁ ପଡିଛି, ତା' ନଜରରେ ସାଜିଥିବା ଗଧ ଶୃଗାଳରୂପୀ ସିନିୟର ଅଫିସର ମାନଙ୍କୁ। 

    ବେଳେବେଳେ ଅତ୍ୟଧିକ କାମ ଚାପରେ ଥାଇ ପ୍ରସନ୍ନ ପ୍ରେସର କୁକର ସିଟି ପରି ଗୁଣୁଗୁଣୁ ହୋଇ ଚାପା କଣ୍ଠରେ ଗର୍ଜୁଥାଏ। ଯଦି ନାୟକ ଫିଲ୍ମି ପରି ତାକୁ ତା' କାର୍ଯ୍ୟରତ ଅଫିସରେ ଗୋଟାଏ ଦିନ ପାଇଁ ମ୍ୟାନେଜର ପୋଷ୍ଟ ମିଳିଯାଆନ୍ତା, ତା' ହେଲେ ସେ ତା' ସିନିୟର ଅଫିସର ମାନଙ୍କୁ ଚାଲାଣ କରିଦିଅନ୍ତା ଆରବ ଦେଶ ମାନଙ୍କରେ ଥିବା ମରୁଭୂମିରେ ଓଟ ଚରେଇବାକୁ। 

     ଛାଡ଼ନ୍ତୁ, ଏ ଥିଲା ପ୍ରସନ୍ନର ତା' ସିନିୟର ମାନଙ୍କ ପ୍ରତି ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଯାହାକୁ ସେ ତା' ହୃଦୟର କୋଉ ଏକ ନିଭୃତ କୋଣରେ କବର ଦେଇ ସାରିଥିଲା। ଯାହା ଉପରେ ଏବେ ଏବେ ଉଇହୁଙ୍କା ବସା ବାନ୍ଧି ତାକୁ ନଷ୍ଟ କରି ଦେବାକୁ ବସିଛି। 

    ଏହି ଅପହଞ୍ଚ ଇଲାକାରେ ପାଦ ରଖୁ ରଖୁ ପ୍ରସନ୍ନ ପାଲଟି ଯାଇଥିଲା ଏକ ସନ୍ଧାନୀ କୁକୁର ଆଉ ଖୋଜି ଚାଲିଥିଲା ବର୍ଷେ ତଳୁ ହଜାଇ ସାରିଥିବା କୋଉ ଏକ ଅତିପ୍ରିୟ ସ୍ମୃତିକୁ। ଯେମିତିକି, ବଡ଼ି ଭୋରରୁ ଉଠି ପାର୍କରେ ପଇଁତରା ମାରିବା, ସନ୍ଧ୍ୟା ସମୟରେ ପାଖ ମନ୍ଦିରର ଆଳତୀରେ ଯୋଗ ଦେବା, ରାତି ସମୟରେ ଶାଢ଼ୀ ଦୋକାନ ମାନଙ୍କରେ ଅନାବଶ୍ୟକ ଶାଢ଼ୀ ଦେଖିବା, ବିଉଟି ପାର୍ଲର ସାମ୍ନାରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବା । ଏ ସବୁ ଥିଲା ତା'ର ନିତିଦିନିଆ କାର୍ଯ୍ୟ। 

     ତା'ର ଏ ପ୍ରକାର ପାଗଳାମି ରେ ସେ ଥିଲା ଏକମାତ୍ର ସାକ୍ଷୀ। ହୁଏତ ଦୁନିଆ ଆଖିରେ ଏ ସବୁ ଥିଲା ନିଚ୍ଛକ ପାଗଳାମି କିନ୍ତୁ ତା' ପାଇଁ ଥିଲା ତା' ଜୀବନର ଶେଷ ଲକ୍ଷ୍ୟ। ଏପରି ଏକ ଲକ୍ଷ୍ୟ ଯାହାକୁ ସେ ପୂରଣ ନ କରିବା ଯାଏଁ ଏ ଧରା ପୃଷ୍ଠରୁ ବିଦାୟ ନେବାକୁ ଚାହୁଁନଥିଲା। ତା'ର ଏଇ ଗୁପ୍ତ ଲକ୍ଷ୍ୟ କୁ ପୂରଣ କରିବାକୁ ସେ ନାନା ରକମ ଯୋଜନା ସାଧିବାରେ ଲାଗି ପଡିଥିଲା। ଯେମିତି କି ଛୁଟି ଦିନ ମାନଙ୍କରେ ପରିବା ବିକାଳୀ ସାଜି ଗଳି ଗଳି ବୁଲିବା, ହାତରେ ନାନା ପୋଥି ପାଠ ଧରି ବାବା ବେଶ ଧାରଣ କରିବା ଆଉ ମିଛରେ ମିଛରେ ଭିକ୍ଷା ଗ୍ରହଣ କରିବା। ଆଉ ସେହି ଭିକ୍ଷା ଗ୍ରହଣ ସମୟରେ ନିଜକୁ ପରମ କୃଷ୍ଣଭକ୍ତ ରୂପେ ପ୍ରମାଣ ଦେବା। କାଳେ କୃଷ୍ଣଭକ୍ତର ଆଗମନେ କୃଷ୍ଣଙ୍କ ପରମ ସଖୀ କୃଷ୍ଣା ଆଗେଇ ଆସିବେ ଆଉ ତାଙ୍କର ଦର୍ଶନ ମାତ୍ରକେ ନିଜର ସମସ୍ତ ଲକ୍ଷ୍ୟର ପୂର୍ଣ୍ଣାହୁତି ଦେଇ ପ୍ରସନ୍ନ ଚାଲିଯିବ ହିମାଳୟ ର କୋଉ ଏକ ଗୁପ୍ତ ଗୁମ୍ପା କୁ ଜନ୍ମ ମୃତ୍ୟୁର ମୋହ ତୁଟାଇବାକୁ।

    ତେବେ ଏ ଥିଲା ପ୍ରସନ୍ନ ଜୀବନର ପରମ ଓ ଚରମ ଲକ୍ଷ୍ୟ। ଯାହାକୁ ସେ ଖୋଜି ଚାଲିଥିଲା ସନ୍ଧାନୀ କୁକୁର ହୋଇ। ଅବଶ୍ୟ ତାକୁ କିଞ୍ଚିତ ସାହାଯ୍ୟ କରିଥିବା ଖବରଦାତ୍ରୀ କୁ ସେଦିନ ସେ ବଡ଼ ବିକଳ ହୋଇ ଅନୁରୋଧ କରିଥିଲା କୃଷ୍ଣା ର ସମ୍ପୂର୍ଣ୍ଣ ଠିକଣା ଦେବାକୁ। କିନ୍ତୁ ସେ ଖବରଦାତ୍ରୀ ଯେହେତୁ ଏକ ନାରୀ ଆଉ ତା' ମନରେ ଥିବା ଏକ ତରଫା ପ୍ରେମ କୁ ଜାବୁଡି ଧରି ଈର୍ଷାପରାୟଣ ହୋଇ ସେ ସମ୍ପୂର୍ଣ୍ଣ ଠିକଣା ପରିବର୍ତ୍ତେ ଦେଇଥିଲା ସାମାନ୍ୟ ଠିକଣା। ଆଉ ବଡ଼ ରୁକ୍ଷ ଗଳାରେ ଭର୍ତ୍ସନା କରି କହିଥିଲା-: ପ୍ରେମିକ ହେଇଛୁ ! ପ୍ରେମ କରୁଛୁ ! ଆଉ ପ୍ରେମିକାକୁ ଖୋଜି ବାହାର କରି ପାରୁନୁ !

    ପୁରୁଷ ପୁଅର ଦାମ୍ଭିକପଣିଆ ଓ ସ୍ବାଭିମାନ ସେଦିନ ପ୍ରସନ୍ନ ମସ୍ତିଷ୍କର ସୂକ୍ଷ୍ମ ତନ୍ତୁ କୁ ବିଛା ପରି ଦଂଶି ଦେଇଥିଲା। ସାମାନ୍ୟ ଏକ ନାରୀର ଅହମିକା କୁ ସହ୍ୟ କରିନପାରି ଶେଷରେ ଚାଲି ଆସିଥିଲା ଏକା ଏକା ତା' କୃଷ୍ଣା କୁ ଖୋଜିବାକୁ। 

   ଯୁଗେ ଯୁଗେ ପ୍ରମାଣ ହୋଇ ଆସିଛି ଭକ୍ତ ଯେଉଁଠି ଭଗବାନ ସେଇଠି ଆଉ ଭଗବାନ ଯେଉଁଠି ଭକ୍ତ ସେଇଠି। ତେଣୁ କୃଷ୍ଣ ଭକ୍ତ କୃଷ୍ଣା କୁ ପାଇବାକୁ ହେଲେ ନିଜକୁ ମଧ୍ୟ ସେତିକି ଯୋଗ୍ୟ ପ୍ରମାଣ କରିବାକୁ ହେବ। ଯାହାକୁ ସେ ବହୁତ ଡେରିରେ ହୃଦୟଙ୍ଗମ କରି ପାରିଥିଲା। ଆଉ ଶେଷରେ ସବୁକିଛି ଶେଷ ହୋଇ ଯାଇଥିଲା। 

    ହଁ କୃଷ୍ଣା!କୃଷ୍ଣା ହିଁ ଥିଲା ପ୍ରସନ୍ନର ମୂଳ ଲକ୍ଷ୍ୟ। କିନ୍ତୁ ଏ କୋଉ ଦ୍ଵାପର ଯୁଗର ମହାଭାରତ ପୃଷ୍ଠଭୂମିର ପ୍ରାଣପିଣ୍ଡ ସାଜିଥିବା କୃଷ୍ଣା ନୁହେଁ ? ଏ ହେଉଛି ଅଶୋକ ବାବୁଙ୍କ ଗୋଟାଏ ବୋଲି ଗେହ୍ଲି ଝିଅ କୃଷ୍ଣା। ଯାହା ସହ ବଡ଼ ନାଟକୀୟ ମୋଡ଼ରେ ଦେଖା ହୋଇଥିଲା ପ୍ରସନ୍ନ ର। ଆଉ ପ୍ରଥମ ଦେଖାରୁ ଦୁହେଁ ଅଦଳବଦଳ କରି ନେଇଥିଲେ ହୃଦୟକୁ ଦୂର୍ଗା ପୂଜାର ଶୁଭ ମୁହୂର୍ତ୍ତ ଦେଖି।

     ଆଶ୍ୱିନ ମାସର ଦୂର୍ଗାଷ୍ଟମୀ ଦିନ ପାଖ ଗାଁ ରେ ବସିଥିବା ପୂଜା ମଣ୍ଡପକୁ ପ୍ରସନ୍ନ ଯାଇଥିଲା ତା' ମାଆଙ୍କ ଶଙ୍ଖା,ଶାଢ଼ୀ ପୂଜା କରିବାକୁ। ଭଉଣୀ ତା'ର ମାମୁଁ ଘରକୁ ବୁଲିବାକୁ ଯାଇଥିବା ସମୟରେ ପାଳି ପଡିଥିଲା ପ୍ରସନ୍ନର। ନାରୀ ମାନଙ୍କ ପ୍ରତି ଲଜ୍ଜ୍ୟାଶୀଳ ମନୋଭାଵ ଥିବା ପ୍ରସନ୍ନ ବଡ଼ ଚିଡ଼ ଚିଡ଼ ହୋଇ ଯାଇଥିଲା ଶାଢ଼ୀ ପୂଜା କରିବାକୁ। ଦୀର୍ଘ ଘଣ୍ଟାଏ କାଳ ଛିଡ଼ା ପରେ ମଧ୍ୟ ଶାଢ଼ୀ ପୂଜା ହୋଇପାରୁ ନ ଥିବାରୁ ପ୍ରସନ୍ନ ମାଆ'ଙ୍କ ଉପରେ ଚିଡ଼ ଚିଡ଼ ହେଉଥାଏ। 

     ଏଠି ମାଆ' ଙ୍କ ଉପରେ ବିରକ୍ତ ହେଉଥିବା ଦେଖି ଜଗତଜନନୀ ମାଆ'ଙ୍କ କରୁଣା ଛିଟା ପଡିଥିଲା ପ୍ରସନ୍ନ ଉପରେ। ପ୍ରବଳ ଲୋକାରଣ୍ୟ ର ଘମାଘୋଟ ଭିଡ଼ କୁ ଚିରି ଗୋଟେ ଷୋଡ଼ଶୀ ନାରୀ ଆଗେଇ ଆସିଥିଲା ପ୍ରସନ୍ନକୁ ସାହାଯ୍ୟ କରିବାକୁ। ଅତଏବ କିଛି କ୍ଷଣରେ ପୂଜା ସମାପନ ହୋଇ ଶାଢ଼ୀ ଫେରି ଆସିଥିଲା ପ୍ରସନ୍ନ ହାତକୁ। 

     ଶଙ୍ଖା ଶାଢ଼ୀ ଫେରି ଆସିଥିଲା ପ୍ରସନ୍ନ ହାତକୁ କିନ୍ତୁ ମନ ପ୍ରାଣ ହୃଦୟ ଅଟକି ଯାଇଥିଲା ସେ ଷୋଡ଼ଶୀ ନାରୀର କ୍ଷଣିକ ଚାହାଣି ରେ। ମୋହାଛନ୍ନ ହୋଇ ପ୍ରସନ୍ନ ଚାହିଁ ରହିଥିଲା ସେ ଷୋଡ଼ଶୀ ନାରୀର ଯିବା ବାଟକୁ। ଆଖିରେ ତା'ର ବୋଳି ହୋଇ ଯାଇଥିଲା ପ୍ରେମର ଅଞ୍ଜନ। ଷୋଡ଼ଶୀ ନାରୀର କଜ୍ଜଳ ଲଗା ଟଣା ଟଣା ଆଖି ଏବଂ ନାଲି ଟିକିଲିର ଉପରକୁ ଚନ୍ଦନ କୁଙ୍କୁମ ମିଶ୍ରିତ ଟୀକା ସଜେଇ ହୋଇଥିବା ସୁନ୍ଦର ଗୋଲ ମୁହଁ ଏବଂ ଆଜାନୁ ଲମ୍ବିତ କଳା ଘନ କେଶକୁ ହଳଦୀ ରଙ୍ଗର ଦେହରେ ଲାଲ୍ ରଙ୍ଗର ପାଟ ଶାଢୀ କେବଳ ଦୃଶ୍ୟମାନ ହେଉଥିଲା ପ୍ରସନ୍ନ ଆଖିରେ। ଜଡ଼ ପ୍ରବୃତ୍ତ ସାଜି ଭାବନା ଦୁନିଆରେ ସମୟର ଚକ କୁ ଆଗପଛ କରି କିଛି କ୍ଷଣ ପୂର୍ବରୁ ବିତି ଯାଇଥିବା ମଧୁବୋଳା ମୁହୁର୍ତ୍ତକୁ ଉପଭୋଗ କରି ଚାଲିଥିଲା ପ୍ରସନ୍ନ। ମନକୁ ମନ ଚିନ୍ତା କରୁଥିଲା ପ୍ରସନ୍ନ,"ଏଭଳି ଏକ ଗ୍ରାମୀଣ ପରିବେଶରେ ଏ କେଉଁ ଦେଶର ରାଜକୁମାରୀ ଅବା କେଉଁ ପ୍ରଦେଶର ପରୀ ଟେ ବାଟ ହୁଡ଼ି ଆସିନି ତ ?"

    ସେଇଠୁ ଏକମୁହାଁ ହୋଇ ଘରକୁ ଫେରି ଆସିଛି ପ୍ରସନ୍ନ। ଗୁହାରି ଉପରେ ଗୁହାରି କରୁଛି ଭଗବାନଙ୍କ ନିକଟରେ। ଆଉ ଏକ ବାର ଦର୍ଶନ ମିଳନ୍ତାନି ସେ ଦୁର୍ଲଭା ନାରୀର।

    ଦୁର୍ଲଭା...! ହଁ, ଦେବ ଦୁର୍ଲଭା। କାରଣ ପ୍ରେମ କରୁଥିବା ପ୍ରତ୍ୟକ ପୁଅ ଆଖିରେ ତା' ପ୍ରେମିକା ହୋଇଥାଏ ଦେବ ଦୁର୍ଲଭା ନାରୀ ଅବା କୋଉ ଏକ ସ୍ୱର୍ଗର ଅପ୍ସରୀ। ଯାହାକୁ ସେ ଅନ୍ୟ କାହାରି ସହ ତୁଳନା କରିବାକୁ ଚାହେଁନା। ସେଇ ଏକା ହିଁ ସାଜେ ତା' ଆଖିରେ ଭୁବନ ମୋହିନୀ ବିଶ୍ୱ ସୁନ୍ଦରୀ। ହଉ ଛାଡ଼ନ୍ତୁ....। 

   ୟା ଭିତରେ ବିତି ଯାଇଛି ଦୁଇ ଦିନ। ଅଷ୍ଟମୀ ତିଥିର ବିଦାୟରେ ଦଶମୀ ତିଥିର ଆଗମନ ଘଟିଛି। ବିଜୟା ଦଶମୀ ତିଥିରେ ମାଆ' ଙ୍କର ବିଦାୟ ନେବାର ସମୟ ଆସିଛି। ପାଖ ଗାଁ ମଣ୍ଡପରେ ଅନୁଷ୍ଠିତ ହେଉଛି ରାବଣ ପୋଡ଼ି ଦୃଶ୍ୟ। ଯାହାକୁ ଉପଭୋଗ କରିବାକୁ ଗାଁ ସାରା ଆଜି ଚଳ ଚଞ୍ଚଳ। ଏକା ପ୍ରସନ୍ନ କୁ ବାଦ୍ ଦେଇ।

    ପ୍ରସନ୍ନ କୁ ଏକା ଏକା ଚେୟାର ଉପରେ ବସିଥିବା ଦେଖି ଚୁମକି (ପ୍ରସନ୍ନ ସାନ ଭଉଣୀ) ପ୍ରଶ୍ନ କଲା-: ଭାଇ, ଏଥରକ ରାବଣ ପୋଡି କୁ ଯିବୁନି କି ?

    ଏକ ବେପରୁଆ ଢ଼ଙ୍ଗରେ ଉତ୍ତର ରେ ନା କହି ପ୍ରସନ୍ନ ପୁଣି ଭାସିଗଲା ଭିନ୍ନ ଏକ ଦୁନିଆକୁ। କିନ୍ତୁ ପର କ୍ଷଣରେ ଚୁମକି ର ଦୁଇ ପଦ କଥାରେ ପ୍ରସନ୍ନ ଭାବନା ଦୁନିଆର ଯବନିକା ପକାଇ ଚେୟାର ଉପରୁ ବେଙ୍ଗ ଡିଆଁ ମାରିଲା ପରି ଡେଇଁପଡି ଚୁମକି ହାତକୁ ଧରି ପକେଇ ବଡ଼ ବିକଳ ଭାବରେ ପ୍ରଶ୍ନ କଲା-:କ'ଣ କହିଲୁ କ'ଣ କହିଲୁ ଟିକେ ଆଉ ଥରେ କହିଲୁ ?

   ଚୁମକି କହିଥିବା ଯୋଡ଼ିଏ କଥା ତା' ନିଜ ପାଇଁ ଅତ୍ୟନ୍ତ ସାଧାରଣ ଥିଲା ସତ କିନ୍ତୁ ପ୍ରସନ୍ନ ପାଇଁ ଥିଲା ସାଧାରଣ ଠାରୁ ବଳି ଅସାଧାରଣ। ତା' ବେପରୁଆ ଢଙ୍ଗର ବାଣୀରେ ଏମିତି ଏକ ଶକ୍ତି ଭରି ରହିଥିଲା ଯେ ଦୁଇ ଦିନର ବିରହ ଜନିତ ସମସ୍ତ କଷ୍ଟ ଦୁରୀଭୂତ ହୋଇ ଆଶା ର ରବି ମନ ଅଗଣାରେ ଅଚାନକ ଉଇଁ ଆସିଥିଲା। ତେଣୁ ବାରମ୍ବାର ପଚାରି ଚାଲିଥିଲା ଚୁମୁକିକୁ । 

   ହଠାତ୍ ଭାଇର ଏ ପ୍ରକାର ଅପ୍ରତ୍ୟାଶିତ ପାଣିପାଗ ବଦଳି କୁ ବୁଝିନପାରି ମଧ୍ୟ ଚୁମକି ତା' କଥାକୁ ଦୋହରାଇ ଥିଲା-: ସେଦିନ ପୂଜାରେ ତୁ ଯୋଉ ଶାଢ଼ୀ ପୂଜା କରିବାକୁ ଯାଇ ମାଆ' ଉପରେ ରାଗରେ ଗରଗର ହଉଥିଲୁ। ମାଆ' ମତେ ଫୋନ୍ କରି କହିବାରୁ ମୁଁ ମୋ ସାଙ୍ଗ କୁ କହିଲି। ସେ ମଧ୍ୟ ଶାଢ଼ୀ ପୂଜା କରିବାକୁ ସେଠିକି ଯାଇଥିଲା। ତେଣୁ ସେ ମୋ କଥା ରଖି ସେ ଅନାୟସରେ ଆଗେଇ ଆସିଥିଲା ତତେ ସାହାଯ୍ୟ କରିବାକୁ। କିନ୍ତୁ ଭୁଲ ବଶତଃ ପୂଜା ପରେ ପରେ ଶାଢ଼ୀ ବଦଳି ହୋଇ ଯାଇଥିଲା। ଯାହାକି ପରେ ପରେ ଖୋଦ୍ ନିଜେ ଆସି ଶାଢ଼ୀ ବଦଳି କରି ଯାଇଥିଲା ସେ। ଆଉ ଆଜି ତା'ର ଜନ୍ମ ଦିନ ହେତୁ ସେ ମତେ କହିଯାଇଛି, ଯେମିତି ହେଲେ ତୁ ଆଉ ତୋ ଭାଇଙ୍କୁ ସାଥିରେ ନେଇ ମୋ ଜନ୍ମଦିନକୁ ଆସିବୁ। ହଁ ଆଉ ଗୋଟାଏ କଥା, ତୁ ଯୋଉ ତା' ଅନୁପସ୍ଥିତି ରେ ଗଦା ଗଦା ପ୍ରଶଂସାର ମାଳ ତା' ଉଦ୍ଦେଶ୍ୟରେ ସାଇତି ରଖିଥିଲୁ ? ମୁଁ ସେ ସବୁ ତା' ବେକରେ ଲମ୍ବାଇ ଦେଲି। ଆଉ ସେ ଲାଜକୁଳୀ ଲାଜରେ ଲଟେଇ ହୋଇ ନିମନ୍ତ୍ରଣ କରିଦେଇ ଗଲା।

     ଦୁଇ ଦିନ ଅପେକ୍ଷାର ଏମିତିକା ମଧୁର ଅନ୍ତ ଘଟିବ ବୋଲି ପ୍ରସନ୍ନ ଆଶାଠୁ ଅନେକ ଦୂରରେ ରହି ନିଜକୁ ବିଶ୍ୱାସ କରି ପାରୁନଥିଲା। 

      "ପ୍ରଥମତଃ, ଭୁବନ ମୋହିନୀ ଯେ ଚୁମୁକିର ସାଙ୍ଗ..! ତା' ପରେ ସେ ଖୋଦ୍ ନିଜେ ନିମନ୍ତ୍ରଣ କରି ଯାଇଛି ତା' ଜନ୍ମ ଦିନକୁ ଆସିବାକୁ। ଓଃ କି ଆନନ୍ଦ...!କି ଖୁସି...! ଆଜି ଭୁବନ ମୋହିନୀ ର ଜନ୍ମଦିନ...? ନା' ତା' ଜନ୍ମଦିନ ନୁହେଁ ? ମୋ ପ୍ରେମିକାର ଜନ୍ମଦିନ। ପ୍ରେମିକା...? ହଁ ପ୍ରେମିକା। ପ୍ରଥମ ଦେଖାରୁ ମୁଁ ତା' ପ୍ରେମରେ ପଡିଛି। ଆଉ ପ୍ରେମରେ ପଡିଲା ପରେ ସେ ମୋ ପ୍ରେମିକା ହେଲା। ଆଉ ପ୍ରଥମ ପ୍ରେମିକାର ପ୍ରଥମ ଜନ୍ମଦିନ ରେ ମତେ ସେମିତିକା ଏକ ମୂଲ୍ୟବାନ ଉପହାର ଦେବାକୁ ହେବ। କିନ୍ତୁ କ'ଣ ଦେବି ? କସ୍ମିନ କାଳେ ଟଙ୍କାକାର ଚକଲେଟ ମଧ୍ୟ କାହାକୁ ଦେଇନଥିବି। ତେଣୁ ଏ ଚୁମୁକି ମତେ 'ପିତା ପାଣି ଆଉଁଟା' କୁହେ। ଯଦି ମୁଁ ଚୁମୁକି କୁ ପଚାରିବି ତା' ହେଲେ ସେ ମତେ କେତେ କ'ଣ କହି ମୋ କାନମୁଣ୍ଡ ଝାଇଁ ଝାଇଁ କରିଦେବ। ତା' ହେଲେ ମୁଁ କ'ଣ କରିବି। ନାଇଁ, ମତେ କିଛିନାକିଛି ବାହାନା କରି ଭୁବନ ମୋହିନୀ ପସନ୍ଦ ବିଷୟରେ ଚୁମୁକି ଠାରୁ ଜାଣିବାକୁ ହେବ।"

  ପ୍ରସନ୍ନ ମନେମନେ ନିଜ ସହ ପ୍ରାୟ ଦଶ ମିନିଟ କାଳ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚଳାଇଛି। ନିଜକୁ ନିଜେ ପ୍ରଶ୍ନ କରିବା ସହ ନିଜେ ମଧ୍ୟ ତା'ର ସମାଧାନ ବାହାର କରିବାକୁ ଚେଷ୍ଟା କରୁଛି ପ୍ରସନ୍ନ। ଏଣେ ଚୁମୁକି ଡାକିଡାକି ଅଥୟ ହୋଇ ରାଗରେ ନିଆଁବାଣ ହୋଇ ଶେଷରେ ପାଣି ଗ୍ଲାସ ଆଣି ପ୍ରସନ୍ନ ମୁହଁକୁ ଛାଟି ଦେଇଛି।

      ତନ୍ଦ୍ରା ଭଙ୍ଗ ହୋଇଛି ପ୍ରସନ୍ନର। ଭଗିନୀର ମୁର୍ଖତା ଉପରେ ଚିଡ଼ିବା ପରିବର୍ତ୍ତେ ଏକ ମୁରୁକା ହସ ଦେଇ ପରିସ୍ଥିତି କୁ ଫେରି ଆସିଛନ୍ତି। କାରଣ, ଭୁବନ ମୋହିନୀ ସହ ଭଲଭାବେ ପରିଚିତ ହେବାକୁ ହେଲେ ଏ ସୂର୍ପଣଖା ଭଗିନୀ କୁ ହାତରେ ରଖିବାକୁ ହେବ। ତା' ନହେଲେ ଆଶା ଫୁଲ ଆଶାରେ ମଉଳିଯିବ ସବୁଦିନ ପାଇଁ।

    ସନ୍ଧ୍ୟା ସମୟ। ପ୍ରଥମ ପ୍ରେମିକାକୁ ଦେଖା କରିବାକୁ ଆଉ ଭାବି ଶ୍ୱଶୁର ଘରକୁ ଯିବାକୁ ପ୍ରସ୍ତୁତ ପ୍ରସନ୍ନ। ଖୁସି ରେ ଖୁସି ରେ ମନଟା କୁରୁଳି ଉଠୁଥାଏ। ଯିବା ପୂର୍ବରୁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଛି।


     ଗୋଟାଏ ଗୋଲାପୀ ରଙ୍ଗର ଚନ୍ଦା ମୁଣ୍ଡିଆ ନୋଟ ଟାକୁ ଚୁମୁକି କୁ ହାତ ରେ ଗୁଞ୍ଜି ଦେଇ ସମସ୍ତ ମୂଲ୍ୟବାନ ତଥ୍ୟ ହାସଲ କରିନେଇଛି ପ୍ରସନ୍ନ। ଆଉ ଚୁମୁକି ମଧ୍ୟ ଏଡ଼େ ବଡ଼ ନୋଟ ଟାକୁ ପାଇ ସାରିବା ପରେ ଖୁସି ରେ ବିଭୋର ହୋଇ ବତିଶ ଛାଡ଼ି ଆଉ ବତିଶ ଉଧାର ଆଣି ନିକୁଟି ଦେଇ ସବୁ ଓଗାଳି ଦେଇଛି ଭାଇ କାନରେ। 

    ଭୁବନ ମୋହିନୀର ପ୍ରତ୍ୟକ ଭଲମନ୍ଦ, ପସନ୍ଦ ନା ପସନ୍ଦ ଜାଣିସାରିବା ପରେ ପ୍ରସନ୍ନ ନିଜକୁ ନବ କଳେବର କରି ପକାଇଛି। ଆଉ ଉପହାର ସ୍ୱରୂପ ଘେନି ଆଣିଛି ସାଥିରେ ଏକ ନାଲି ନେଳି ଜରି ଗୁଡ଼ା ଛୋଟିଆ ଉପହାର ବାକ୍ସ। 

    କହିବା ବାହୁଲ୍ୟ, ନିଜ ପ୍ରେମିକା ସଜବାଜ ହେବାକୁ ଭଲ ପାଉଥିବାରୁ ସାଥିରେ ଆଣିଥିବା ଉପହାର ବାକ୍ସରେ ସମସ୍ତ ସଜବାଜ ସାମଗ୍ରୀ କୁ ଭରି ଆଣିଥିଲା ପ୍ରସନ୍ନ। ତାହା ପୁଣି ଭଗିନୀ ଅଜାଣତରେ ତା'ର ବ୍ୟକ୍ତିଗତ ଅଳଙ୍କାରର ଛୋଟିଆ ଗୋଦାମ ଘରୁ। କାରଣ, ଚନ୍ଦା ମୁଣ୍ଡିଆ ଗୋଲାପି ନୋଟଟିକୁ ଭଗିନୀ ହାତରେ ବକ୍ସିସ ରୂପେ ଟେକି ଦେବା ପରେ କଞ୍ଜୁସ ରାଜ୍ୟର ମୁକୁଟ ଶିରୋମଣି ଅର୍ଜିଥିବା ପ୍ରସନ୍ନ ମନଟା ଖାଲି ହାଇଁ ପାଇଁ ହେଉଥାଏ। ଯାହା ଫଳରେ ହାତ ଟେକା ଉଠେଇ ଆଣିଥିଲା ଭଗିନୀ ର ମୂଲ୍ୟବାନ ଅଳଙ୍କାର ଗୋଦାମ ଘରୁ ପ୍ରେମିକା କୁ ଖୁସି କରିବାକୁ।

    ଅଶୋକ ବାବୁଙ୍କ ଘର। ଗୋଟାଏ ବୋଲି ଗେହ୍ଲି ଝିଅର ମନ ରଖିବାରେ ହେଳା କରୁନଥିବା ବାପ ଆଜି ଝିଅ ମନ ରଖିବାକୁ ଯାଇ ତା' ଜନ୍ମ ଦିନରେ ଛୋଟିଆ ଭୋଜିର ଆୟୋଜନ କରିଛନ୍ତି। ବିଶେଷ ବଡ଼ ଆକାରରେ ନଥିଲେ ମଧ୍ୟ ସେଥିରେ ଆମନ୍ତ୍ରିତ ହୋଇ ଆସିଥିବା ଅତିଥି ମାନଙ୍କ ମଧ୍ୟରେ ପାଖ ପଡ଼ୋଶୀ ଏବଂ ଝିଅ କୃଷ୍ଣାର ପ୍ରିୟ ବାନ୍ଧବୀ ଗଣ।

     ପ୍ରାୟ ପାଖାପାଖି ସମସ୍ତେ ଆସି ଉପସ୍ଥିତ ହୋଇ ସାରିଲେଣି। ଆଉ କେକ୍ କାଟି ଶୁଭେଚ୍ଛା ଜଣାଇ ରାବଣ ପୋଡ଼ି ଦେଖି ଯିବାକୁ ମଧ୍ୟ ସମସ୍ତେ ବ୍ୟଗ୍ର ହୋଇ ଉଠିଲେଣି। କିନ୍ତୁ, ଆଉ କିଛି ସମୟ ଅପେକ୍ଷା କରନ୍ତୁ ଆଉ କିଛି ସମୟ ଅପେକ୍ଷା କରନ୍ତୁ କହି ଟାଳି ଆସୁଥାଏ କୃଷ୍ଣା। ମଝିରେ ମଝିରେ ଫୋନ ଟିକୁ ଲଗାଇ କୃଷ୍ଣା କୋଉଠି ଅଛୁ, କେତେ ବାଟ ରେ ହେଲୁଣି ଆଦି ପ୍ରଶ୍ନ ସବୁ ପଚାରି ପଚାରି ଆଗନ୍ତୁକ ଅତିଥି ଅଭ୍ୟାଗତ ମାନଙ୍କୁ ବୁଲେଇ ବଙ୍କେଇ ସୂଚିତ କରିବାକୁ ଚାହେଁ ଯେ, ଆପଣ ମାନଙ୍କ ଠାରୁ ମୋର ଜଣେ ଅତି ପ୍ରିୟ ଖାସ୍ ବାନ୍ଧବୀ ନ ଆସିବା ଯାଏ ମୁଁ କାଟି ପାରିବିନି। 

    ସେ ଯାହା ହେଉ ଅତିଥି ମାନଙ୍କୁ ଆଉ ଅଧିକ ଅପେକ୍ଷା ନ କରାଇ କୃଷ୍ଣାର ଅତିପ୍ରିୟ ଖାସ୍ ବାନ୍ଧବୀ ଆସି ଉପସ୍ଥିତ ହୋଇଗଲେ। ସେ ଖାସ୍ ବାନ୍ଧବୀ ଆଉ କେହି ନୁହେଁ ସ୍ୱୟଂ ଚୁମୁକି ଥିଲା। ଆଉ ତା' ପାଇଁ ଏତେ ସମୟ ଧରି ସମସ୍ତେ ଅପେକ୍ଷା କରିଛନ୍ତି ଜାଣି ଗର୍ବରେ ତା' ଉଙ୍କୁଣୀ ମୁଣ୍ଡ କୁ ଆହୁରି ଉଚ୍ଚା କରି ଛିଡ଼ା ହେଲା। 

   କିନ୍ତୁ, ଏ ସମସ୍ତ ଆଢୁଆଳରେ ଆଉ ଜଣେ ନିଜକୁ ମନେମନେ କୋଉ ଏକ ଦୂର ପ୍ରଦେଶର ରାଜା ସଜେଇ ସାରିଥାଏ। ଲୋକାରଣ୍ୟ ର କର୍କଶ ସ୍ୱରରେ ଭାସି ଆସୁଥିବା ଜନ୍ମ ଦିନର ଶୁଭେଚ୍ଛା ପରିବର୍ତ୍ତେ ତାକୁ କେବଳ ଶୁଭୁଥାଏ ପ୍ରେମିକାର ଖିଲି ଖିଲି ହସ ଆଉ ଦିଶୁଥାଏ ତା' ଚାନ୍ଦ ଉଦିଆ ମୁହଁ। ପ୍ରେମର ନଈ ରେ ଉବୁଟୁବୁ ହୋଇ ଭାବନା ର ପ୍ରଖର ସ୍ରୋତରେ ଡଙ୍ଗା ଟିଏ ପରି ନିଜକୁ ସଜେଇ ସେ ଭାସି ଯିବାକୁ ଚାହୁଁଥିଲା ପ୍ରେମିକା ପାଖକୁ ଆଉ ସମର୍ପି ଦେବାକୁ ଚାହୁଁଥିଲା ହୃଦୟରେ ଗଚ୍ଛିତ ଥିବା ଅସରନ୍ତି ପ୍ରେମର ଭଣ୍ଡାରକୁ। 

    ଯଥା ସମୟରେ କେକ୍ କଟା ସରିଲା। ବ୍ୟଗ୍ର ଥିବା ଅତିଥି ମାନଙ୍କ ମଧ୍ୟରୁ କିଛି ଟା ତରବରିଆ ଭାବରେ ଶୁଭେଚ୍ଛା ଜଣାଇ ଠିଆ ଠିଆ ଆଶୀର୍ବାଦ ଫୋପାଡ଼ି ଦେଇ ଦଶ, ଏକୋଇଶ, ଏକାଵନ ଟଙ୍କାର ଉପାହାର ରୂପୀ ଲଫାପା କୁ କୃଷ୍ଣା ହାତକୁ ଟେକି ଦେଇ ସଅଳ ସଅଳ ଆସି ବସିଗଲେ ଭୋଜି ଖାଇବାକୁ। ଆଉ ଭୋଜି ରେ ପାଞ୍ଚ ବଦଳରେ ଦଶ ଆଙ୍ଗୁଳି ର ସହାୟତାରେ ପାଟିରେ ବାଡ଼ିଆ ପିଟା ଖୁଞ୍ଚା ଖୁଂଚି କରି ତଣ୍ଟି ଯାଏ ଠୁସି ଦେଇ ଯେଝା ଯେଝା ନିଜ ନିଜ ବାଟରେ ବିଦାୟ ନେଲେ।

    ବାକି ରହିଗଲେ କିଛି ହାତ ଗଣତି ଅତିଥି। ସେମାନଙ୍କ ମଧ୍ୟରୁ ଏ ଭାଇ ଭଉଣୀ ଦୁଇ ଜଣକୁ ଛାଡ଼ି ଆଉ ଦୁଇ ତିନୋଟି ଝିଅ। ପରିସ୍ଥିତି ହାଲୁକା ହେବା ଦେଖି ଅଶୋକ ବାବୁ ଚାଲିଗଲେ ପୂଜା ମଣ୍ଡପ କୁ କମିଟି ମେମ୍ବରର ଦାୟିତ୍ୱ ତୁଲାଇବାକୁ। ଏପଟେ ଘରଟା ଯାକର କାମ ଏକୁଟିଆ କରିବା ଦେଖି ସୌଜନ୍ୟତା ବଶତଃ ଚୁମୁକି ସମେତ ବାକି ଦୁଇ ଜଣ ମଧ୍ୟ ଆଗେଇ ଆସିଲେ କୃଷ୍ଣା ର ମାଆ''ଙ୍କୁ ସାହାଯ୍ୟ ସହଯୋଗ କରିବାକୁ। 

      ବାସ୍, ଏବେ ଏକା ଏକା ସୋଫା ଉପରେ ବସି କଟାସ(ଭୁଆ ବିଲେଇ) ପରି ଆଖିକୁ ତିନିଶହ ଷାଠିଏ ଡ଼ିଗ୍ରୀ ରେ ଘୁମେଇ ଘୁମେଇ ପ୍ରସନ୍ନ ସାରା ଘରଟା ଦରାଣ୍ଡି ପକାଉଥାଏ ଆଉ ଖୋଜି ବୁଲୁଥାଏ କୃଷ୍ଣା ର ଆଉ ଏକ ଝଲକ ପାଇବାକୁ। 

   ଶେଷରେ ଏଠି ସେଠି ଦରାଣ୍ଡି ସାରିବା ପରେ ପ୍ରସନ୍ନ ଧୀରେ କରି ଆଗେଇ ଆସିଲା ଆଉ ଏକ ଘର ଭିତରକୁ ଉଣ୍ଡି ବାକୁ। କିନ୍ତୁ ଝଡ଼ ବେଗରେ ବେପୁରିଆ ଢଙ୍ଗରେ ବାହାରି ଆସୁଥିବା କୃଷ୍ଣା ସହ ଦୁର୍ଘଟଣା ହୋଇଥିଲା ପ୍ରସନ୍ନର।

   ଆଃ......! ଦୁର୍ଘଟଣା ଟା ଯେ ଏତେ ମଜା ଦାୟକ ହୋଇପାରେ...! ଜୀବନର ପଚିଶଟି ବସନ୍ତ ପାର କରି ସାରିବା ପରେ ସେ ପ୍ରଥମ କରି ଅନୁଭବ କରି ପାରିଥିଲା ଯେ ପ୍ରେମ ଋତୁଟା ସବୁଠୁ ନିଆରା!! ମନେମନେ ଚିନ୍ତା କଲା, କାସ୍ ଏ ସମୟ ଆଉ ଟିକେ ପଛକୁ ଫେରି ଯାଆନ୍ତା କି ? ସେ ସ୍ବର୍ଗୀୟ ଅନୁଭୂତି ଦେଇଥିବା ମିଠା ଦୁର୍ଘଟଣା ଟିକୁ ଆଉ ଥରେ ଅନୁଭବ କରି ପାରନ୍ତି। 

    ମିଠା ଦୁର୍ଘଟଣା ପରେ ପରେ ଲାଜରେ ସଙ୍କୁଚିତ ହୋଇ କୃଷ୍ଣା ଧାଇଁ ପଳାଇ ଥିଲା ଘର ଭିତରକୁ। ଆଉ ପ୍ରସନ୍ନ ଭଦ୍ରଲୋକ ପରି କିଛି ନ ଜାଣିଲା ପରି ନିତମ୍ବ ମାଡି ଦେଇଥିଲା ସୋଫା ଉପରେ। 

    ବିତି ଯାଇଥିଲା କିଛି ମୁହୁର୍ତ୍ତ। ଖିଆ ପିଆ ପର୍ବ ଶେଷ କରି ଫେରି ଆସିଥିଲେ ଭାଇ ଭଉଣୀ। ଆଉ ଆସିଲା ସମୟରେ ସାଥିରେ ଆଣିଥିଲେ ଗୁଡ଼ାଏ ପ୍ରଶଂସା। ଚୁମୁକି କୁ ପ୍ରଶଂସା କରିଥିଲେ କୃଷ୍ଣାର ମାଆ''। ଆଉ ପ୍ରସନ୍ନ କୁ ପ୍ରଶଂସା କରିଥିଲା ଖୋଦ୍ କୃଷ୍ଣା। କାରଣ,ପ୍ରସନ୍ନ ଦେଇଥିବା ଉପହାର ତାକୁ କାଳେ ବହୁତ ରୁ ବହୁତ ପସନ୍ଦ ଆସିଥିଲା। 

    ତା' ପରର ଦୁଇଦିନ ପରେ ଖୋଦ୍ କୃଷ୍ଣା ଆସିଥିଲା ଚୁମୁକି ପାଖକୁ, ଆଉ ସାମ୍ନାରେ ଦେଖିଥିଲା ଏକ ସିଦ୍ଧ ମାତା ପରି ଝାଡୁ ଖଣ୍ଡେ ହାତରେ ଧରି ପ୍ରମିଳା ଦେବୀ (ଚୁମୁକି ର ମାଆ) ନିଜ ପୁଅକୁ ଝାଡୁ ରେ ଝାଡ଼ି ଦେଉଛନ୍ତି। କଥା ଛଳରେ ପଚାରିବାରୁ ଚୁମୁକି କହିଲା," ତୁ ଜାଣିନୁ କୃଷ୍ଣା। ସେଦିନ ତମ ଘରୁ ଆସିବା ପରଠାରୁ ଭାଇ ମୋର ନା ଭଲରେ ଖାଉଛି ନା ଭଲରେ ଶୋଉଛି। ଖାଲି ମନେମନେ ମୁରୁକି ମୁରୁକି ହସିବା ଆଉ ରାତି ଅଧରେ ବିଳିବିଳେଇ ହଉଛି..! ଏ ସବୁ ଦେଖି ଦେଖି ଆମେ ମାନେ ଭୟ ପାଇ ଗଲୁଣି। ସେଥିପାଇଁ ପରା ମାଆ' ଆଜି ତାକୁ ଝାଡୁରେ ଝାଡ଼ି ଦେଇ ନଜର କାଟୁଛନ୍ତି।"

    ସବୁ ଶୁଣିସାରିଲା ପରେ କୃଷ୍ଣା ଜୋର କରି ହସିଦେଇ ଥିଲା। ଆଉ ଦୂରାରୋଗ ବ୍ୟାଧିର ଔଷଧ ପ୍ରାପ୍ତ କଲାପରି ଚେତନା ଫେରି ପାଇଥିଲା ପ୍ରସନ୍ନ। ଆଉ ଝାଡୁ ଉଞ୍ଚେଇ ଥିବା ମାଆ'' ଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇ ପୁଅ ଉପରେ ଥିବା କୁଦୃଷ୍ଟି କୁ କାଟି ଦେଇଥିବାରୁ ମନେମନେ ନିଜକୁ ସାବାସୀ ଦେଉଥାନ୍ତି।

     ପରିସ୍ଥିତି ହାଲୁକା ହୋଇଗଲା। ପୁଅ ଉପରେ ଥିବା କୁଦୃଷ୍ଟି କଟି ଯାଇଥିବାରୁ ମାଆ' ମନ ଖୁସିରେ ଫାଟି ପଡ଼ୁଥାଏ। ଆଉ ଚାରି ଦିନ ଗଲେ ପୁଅ ହଷ୍ଟେଲ ଫେରିଯିବ। ତା' ପରେ ପୁଣି କେବେ ଫେରିବ ଜଣା ନାହିଁ। ତେଣୁ ପୁଅ ମନପସନ୍ଦ ର ସବୁ ରୋଷେଇ କରି ବାଢ଼ିଦେବାକୁ ପ୍ରସନ୍ନର ମାଆ ବ୍ୟଗ୍ର ହୋଇ ଉଠିଲେ। ଏଣେ  ଦୁଇ ବାନ୍ଧବୀ ହସଖୁସିରେ ଗପସପ ରେ ମଜ୍ଜି ଯାଇଥିବା ବେଳେ ପ୍ରସନ୍ନ ସାମ୍ନାରେ ବସିରହି ପେପର ପଢ଼ିବା ବାହାନାରେ ପ୍ରେମିକା କୁ କଣେଇ କଣେଇ ଚାହୁଁଥାଏ। ଆଉ ମନେମନେ ମାନସିକ ଉପରେ ମାନସିକ ଅଜାଡି ଦେଉଥାଏ ପ୍ରଭୁ ପାଦ ରେ କେବଳ ପଦିଏ କଥା ହେବା ପାଇଁ ପ୍ରେମିକା ସହ। 

    ଯାହା ହେଉ ଭକ୍ତବତ୍ସଳ ଭଗବାନ ଭକ୍ତର ମାନ ରଖିଲେ। ଅକସ୍ମାତ ପଡ଼ୋଶୀଙ୍କ ପାଖରେ କାମ ପଡିବାରୁ ଗପସପ ମଝିରୁ ଚୁମୁକି କୁ ଉଠି ଯିବାକୁ ହେଲା। ଆଉ ପ୍ରସନ୍ନ କୁ ମଉକା ମିଳିଗଲା ପ୍ରେମିକା ସହ ପଦେ କଥା ହେବାକୁ। କିନ୍ତୁ, କଥାର ଖିଅ କେଉଁଠୁ ଯୋଡ଼ିବ ତାହା ଜାଣି ପାରୁନଥାଏ ପ୍ରସନ୍ନ। ଶେଷରେ ବହୁତ ଭାବିଚିନ୍ତି ହଠାତ୍ ପ୍ରଶ୍ନ ଟିଏ ପଚାରି ବସିଲା-: ମୋ ଉପହାର ତୁମକୁ କେମିତି ଲାଗିଲା?

     ଚୁମୁକି ଯିବା ପରେ ତଳକୁ ମୁହଁ ମାଡି ବସିଥିବା କୃଷ୍ଣା ଏଥରକ ମୁଣ୍ଡ ଟେକି ଥିଲା। ଚାନ୍ଦ ଉଦିଆ ମୁହଁଟି ତା'ର ଗୋଲାପ ସମ ଲାଲ ପଡ଼ିଯାଇଥିଲା ପ୍ରସନ୍ନ ର ଏହି ଛୋଟିଆ ପ୍ରଶ୍ନରେ। ଲାଜରେ ଆଖି ଉଠେଇ ଚାହିଁ ପାରୁନଥିବା ମୁହଁଟି ପୁଣି ତଳକୁ ହୋଇ ଯାଇଥିଲା। ଥର ଥର ଗୋଲାପି ଓଠରେ ଥତମତ ହୋଇ କୃଷ୍ଣା ସେଦିନ ପ୍ରଥମ କରି ପ୍ରସନ୍ନ ସହ କଥା ହୋଇଥିଲା। ଆଉ ପ୍ରସନ୍ନ କୁ ଏମିତି ଲାଗୁଥିଲା ସତେ ଯେମିତି କୋଇଲି ଟିଏ ତା' ଅଦ୍ୱିତୀୟ କଣ୍ଠରେ କିଛି କୁହୁ କୁହୁ କରୁଛି।

--: " ଉପହାର ମତେ ବହୁତ ପସନ୍ଦ ଆସିଥିଲା। କିନ୍ତୁ ସେଥିରେ ଗୋଟାଏ ଅଭାବ ରହି ଯାଇଥିଲା।"

--:"ଅଭାବ.....? ବଡ଼ ଉତ୍ସୁକତା ପୂର୍ବକ ପଚାରିଥିଲା ପ୍ରସନ୍ନ।"

 ---: ହଁ ଅଭାବ....! ସେଥିରେ ଆପଣ ଗୋଟିଏ ଝିଅର ସମସ୍ତ ସଜବାଜ ସାମଗ୍ରୀ ଭରି ଦେଇଥିଲେ। କିନ୍ତୁ ସେଥିରେ ସିନ୍ଦୁର ଦେବାକୁ ଭୁଲି ଯାଇଥିଲେ। ତେଣୁ ଆପଣଙ୍କ ଉପହାର ଏବେ ବି ଅଧୁରା ଅଟେ। 

   " ସିନ୍ଦୁର....!" ହଠାତ୍ ଚମକି ପଡିଥିଲା ପ୍ରସନ୍ନ, କୃଷ୍ଣାର କଥା ଶୁଣି। ଗୋଟିଏ ନାରୀ ସେହି ପୁରୁଷ ହାତରୁ ସିନ୍ଦୁରର ଆଶା ରଖେ ଯାହାକୁ ସେ ନିଜ ପତି ରୂପେ ମନୋନୀତ କରେ। ତା' ମାନେ କ'ଣ କୃଷ୍ଣା ମତେ.........! ମନେମନେ ଚିନ୍ତା କରିବାକୁ ଲାଗିଲା ପ୍ରସନ୍ନ।

    କିନ୍ତୁ ଠିକ୍ ସେହି ସମୟରେ, ସୁଆଦିଆ ଖାଦ୍ୟ କୁ ଦୁଇ ଗ୍ରାସ ନେବା ପରେ ଯେମିତି ଦୁର୍ଭାଗ୍ୟକୁ ଖାଦ୍ୟ ମଧ୍ୟରେ ପଥରର ଆବିର୍ଭାବ ହୁଏ। ଠିକ୍ ସେମିତି ଏ ଦୁହିଁଙ୍କର କିଛି ଗୋଟେ ଫଇସଲା ହେବା ପୂର୍ବରୁ ଚୁମୁକିର ଆବିର୍ଭାବ ହେଲା। ଆଉ ମନଟା ସମ୍ପୂର୍ଣ୍ଣ ଆମ୍ବିଳା ହୋଇଗଲା ପ୍ରସନ୍ନର। 

   ପ୍ରସନ୍ନ ବିରକ୍ତ ହେଲା ପରି ମୁହଁ କରି ବସିଲା ସତ କିନ୍ତୁ କୃଷ୍ଣାର ଆଖି ଉଜ୍ଜ୍ୱଳ ହୋଇ ଉଠିଥିଲା। ବୁଦ୍ଧି ଥିଲେ ଉପାୟ ବଳେବଳେ ଆସେ, ଯାହାକୁ ସେ ପ୍ରମାଣ କରି ଦେଖେଇ ଦେଲା। 

    ଜନ୍ମଦିନ ପାଳନ ସମୟରେ ପ୍ରସନ୍ନ ମୋବାଇଲ ନେଇ ଚୁମୁକି ଉଠାଇଥିବା ସମସ୍ତ ଫୋଟୋ ଗୁଡ଼ିକୁ ମାଗିବାକୁ ଯାଇ କୃଷ୍ଣା ସହାୟତା ଲୋଡିଥିଲା ଚୁମୁକିର। ଆଉ ବିରାଡ଼ି କପାଳ କୁ ଶିକା ଛିଡ଼ିଲା ପରି ପ୍ରସନ୍ନ ସାହାଯ୍ୟ ନେଇଥିଲା ହ୍ଵାଟ୍ସଆପର। 

    ବାସ୍, ସେଦିନର ଏହି ସାମାନ୍ୟ ବୁଦ୍ଧି ଆଣି ଦେଇଥିଲା ବିରାଟ ଏକ ପରିବର୍ତ୍ତନ। ନମ୍ବର ଅଦଳ ବଦଳ ହୋଇ ସାରିଥିଲା। ଆଉ ଯଦି ବାକି ରହି ଯାଇଥିଲା ତେବେ ତାହା ହେଉଛି ହୃଦୟ ଅଦଳ ବଦଳ ହେଇଯାଇଛି ବୋଲି ପ୍ରକାଶ କରିବାର। ଆଉ ସେତକ ମଧ୍ୟ ସମ୍ପୂର୍ଣ୍ଣ ହୋଇ ଯାଇଥିଲା ତିନି ବର୍ଷର ସମ୍ପର୍କରେ। ବେଶ ସତର୍କତା ର ସହ ଆଗେଇ ଚାଲିଥିଲା ପ୍ରେମର ରଥ। ନା' ଚୁମୁକି ର କର୍ଣ୍ଣଗୋଚର ହୋଇଥିଲା ନା' ଅଶୋକ ବାବୁଙ୍କର। ସବୁକିଛି ସୁରୁଖୁରୁରେ ଚାଲିଥିଲା। ପଢ଼ା ସାରି ଏକ ପ୍ରାଇଭେଟ ସଂସ୍ଥାରେ ନିୟୋଜିତ ହୋଇ ସାରିଥିଲା ପ୍ରସନ୍ନ। ଆଉ ଅପେକ୍ଷା ଥିଲା ଏକ ଶୁଭବେଳା ଦେଖି ପ୍ରସ୍ତାବ ପକାଇବାକୁ।

     କିନ୍ତୁ, କଥାରେ ଅଛି। ମଣିଷ ଯାହା ଚାହେଁ ଠିକ୍ ତାହାର ବିପରୀତ ହିଁ ହୋଇଥାଏ। ଛୋଟ ଏକ ଆବେଗ ବିରାଟ ବଡ଼ ଝଡ଼କୁ ଆମନ୍ତ୍ରିତ କରି ଆଣେ। ଯେମିତି ପ୍ରସନ୍ନ ଓ କୃଷ୍ଣା ଭାଗ୍ୟରେ ଘଟିଥିଲା।

    ଏକ ତରଫା ପ୍ରେମର ନିଆଁରେ ଜଳି ଜଳି ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା ଲୋରା। ସହପାଠୀ ରୂପେ ପାଠ ପଢ଼ିଲା ସମୟରୁ ପ୍ରସନ୍ନ କୁ ପ୍ରେମ କରି ବସିଥିଲା ଏକତରଫା ଏବଂ ଏକମାତ୍ର ପ୍ରସନ୍ନ କୁ ନିଜ ଦୁନିଆ ଭାବୁଥିବା ଲୋରା ପ୍ରସନ୍ନ ପାଇଁ ସବୁ ସୀମା ଲଙ୍ଘିବାକୁ ପ୍ରସ୍ତୁତ ହୋଇ ସାରିଥିଲା। କିନ୍ତୁ ପ୍ରସନ୍ନ, ତା' ହୃଦୟରେ କୃଷ୍ଣା କୁ ସ୍ଥାନ ଦେଇ ସାରିଥିଲା ଆଉ ଲୋରା ପାଇଁ କୌଣସି ସ୍ଥାନ ବାକି ରଖିନଥିଲା।

  ' ଗୋଟାଏ ଦେଶରେ ଦୁଇ ଦୁଇଟି ରାଜା ହୋଇ ପାରନ୍ତି ନା ଗୋଟିଏ ହୃଦୟରେ ଦୁଇ ଦୁଇଟି ରାଣୀ ବାସ କରି ପାରନ୍ତି। ତେଣୁ ପ୍ରତିଥର ପ୍ରସନ୍ନ ପ୍ରତାଖ୍ୟାନ କରି ଚାଲିଥିଲା ଲୋରାର ପ୍ରସ୍ତାବ କୁ।     

ଶେଷରେ ଅତିଷ୍ଠ ହୋଇ ରୀତିମତ ଚାଲୁଥିବା ଏହି ନାଟକକୁ ସବୁଦିନ ପାଇଁ ଶେଷ କରିବାକୁ ନିଷ୍ପତି ନେଇ କୃଷ୍ଣା ଓ ତା' ମଧ୍ୟରେ ଥିବା ସମ୍ପର୍କର ଖୁଲାସା କରିଦେଇଥିଲା ପ୍ରସନ୍ନ। ଯାହାକି ମସ୍ତବଡ଼ ଭୁଲ ରୂପେ ପ୍ରମାଣ କରି ଦେଇଥିଲା ସମୟ।

    ପ୍ରେମରେ ପ୍ରତାରିତ ହୋଇ ଲୋରା ଅନେକ ଗୁଡିଏ ମିଛ ସତ ଯୋଡ଼ି ବଖାଣି ଥିଲା କୃଷ୍ଣା ଓ ପ୍ରସନ୍ନ ର ପ୍ରେମ ସମ୍ପର୍କ କୁ ନେଇ ଅଶୋକ ବାବୁଙ୍କ ସମୀପରେ। 

   ପ୍ରଥମରୁ କିଛି କିଛି ସନ୍ଦେହ କରୁଥିବା ଅଶୋକ ବାବୁଙ୍କ ମନରେ ବିନା ବାରୁଦରେ ନିଆଁ ଲାଗି ଯାଇଥିଲା।ସମାଜରେ ଏକ ସମ୍ଭ୍ରାନ୍ତ ବ୍ରାହ୍ମଣ ପରିବାରର ଜନ୍ମ ହୋଇ ପ୍ରେମ ପରି ଏକ କଳଙ୍କିତ ଅଧ୍ୟାୟରେ ନିଜ 

ନାମ ଲେଖିବାକୁ ଚାହୁଁନଥିଲେ। 

    ବାସ୍, ତା' ପରର ଦୃଶ୍ୟ ସବୁ ବଡ଼ ନାଟକୀୟ ଢଙ୍ଗରେ ଶେଷ ହୋଇଥିଲା। କୋଉ ଏକ ଦୂର ବନ୍ଧୁ ବାନ୍ଧବ ଘରେ ରଖି ନିଜ ଝିଅର ବିବାହ ସମ୍ପୂର୍ଣ୍ଣ କରିଥିଲେ। ଏପରିକି ଶୁଣା କଥାର ସତ୍ୟାସତ ମଧ୍ୟ ପରଖିବାକୁ ଚେଷ୍ଟା କରିନଥିଲେ କି ଝିଅର ପସନ୍ଦ ନାପସନ୍ଦ ମଧ୍ୟ ଶୁଣିବାକୁ ଚାହିଁନଥିଲେ। ନିଜ ଆଭିଜାତ୍ୟ ପରମ୍ପରାର ଗର୍ବ ଅହଙ୍କାରରେ ନିଜ ଝିଅ କୁ ପର କରିଦେଇଥିଲେ ଅଶୋକ ବାବୁ। 

    ଏପଟେ ଖବର ହସ୍ତଗତ କରୁକରୁ ସବୁକିଛି ଶେଷ ହୋଇ ଯାଇଥିଲା। ନିଜ ପ୍ରେମିକାକୁ ଆଉ କାହା ବାହୁ ବନ୍ଧନରେ ଦେଖି ପାରିବା ଭଳି ସାମର୍ଥ୍ୟ ନଥିଲା ପ୍ରସନ୍ନ ର। ଶେଷରେ ଆଖିର-ଲୁହ, ହୃଦୟର-କୋହ, ଆଉ ଅମାପ ମଧୁବୋଳା ସ୍ମୃତି କୁ ହୃଦୟର କୋଉ ଏକ କୋଣରେ ସମାଧି ଦେଇ ପ୍ରସନ୍ନ ଜୀଉଥିଲା ଏକ ନିର୍ଜୀବ ପ୍ରାଣୀ ପରି। 

    ପରେ ପରେ ବିତି ଯାଇଛି ଦୁଇ ବର୍ଷ। ଏହି ଦୁଇ ବର୍ଷ ମଧ୍ୟରେ ପ୍ରସନ୍ନ ଅନେକ ଥର ଚେଷ୍ଟା କରିଛି ଥରୁଟିଏ ହେଲେ ନିଜ ପ୍ରେମିକାର ଗୃହିଣୀ ବେଶ ଦେଖିବାକୁ। କିନ୍ତୁ ଠିକଣା ବିଷୟରେ ଅନଭିଜ୍ଞ ଥାଇ ନିରାଶ ହେବାକୁ ପଡିଛି ଅନେକ ଥର। ଅନେକ ବାର ପ୍ରସନ୍ନ ଯାଇଛି ଅଶୋକ ବାବୁଙ୍କ ଘରକୁ । କିନ୍ତୁ କେଜାଣି କାହିଁକି ବାହାଘର ପର ଠାରୁ ତାଲା ପଡୁଥିବା ଘରେ ଅଶୋକ ବାବୁଙ୍କର ଖୋଜ ଖବର ହୋଇଯାଇଛି ଅପହଞ୍ଚ ଇଲାକା।

    ଦୁଃଖ ରେ ହେଉ ଅବା ନିରାଶରେ ହେଉ ପ୍ରସନ୍ନ ରାତି ରାତି ଅଖିଆ ଅପିଆ ଅଧିଆ ପଡିଛି ସେହି ସାକାର ପରମବ୍ରହ୍ମଙ୍କ ନିକଟରେ ।କିନ୍ତୁ ବିଳମ୍ବରେ ହେଉ ପଛକେ ପ୍ରସନ୍ନର ଡାକ ଶୁଣିଥିଲେ ସେହି ପରମବ୍ରହ୍ମ। ଅନୁରୋଧ ପରେ ଅନୁରୋଧ କରିବାରୁ ଶେଷରେ ଲୋରା କେବଳ କୃଷ୍ଣା ରହୁଥିବା ସହରର ନାମ କହିଥିଲା। ଆଉ ତା' ପରଠାରୁ ମିଶନ ଆରମ୍ଭ ହୋଇଥିଲା ପ୍ରସନ୍ନର ପ୍ରେମିକା ଖୋଜା , ଯାହାର ନାଁ ହେଲା " ପ୍ରେମର ତୃଷ୍ଣାରେ...ପ୍ରିୟାର ସହରେ....."।

     ଏହି ଅନାମଧେୟ ପ୍ରିୟାର ସହରରେ ପାଦ ରଖିବାର ପ୍ରାୟେ ଦୁଇ ମାସ ବିତିଯିବାକୁ ବସିଲାଣି। ଏହି ଦୁଇ ମାସ ଭିତରେ ନିଜ ଲକ୍ଷ୍ୟରେ ଲକ୍ଷ୍ୟ ରଖି ଚୁପଚାପ ନିଜ କାମରେ କାମ କରୁଥିବାରୁ ପ୍ରସନ୍ନ ସହ ଊଣା ଅଧିକେ ଲୋକଙ୍କ ସହ ପରିଚିତ ଥିଲା। ଆଉ ସେହି ଲୋକମାନଙ୍କ ଭିତରୁ ଜଣକର ବିବାହ ଭୋଜିରେ ଯୋଗଦାନ ଦେବାକୁ ନିମନ୍ତ୍ରଣ କାର୍ଡ ଆସିଲା ପ୍ରସନ୍ନ ହାତକୁ। ଇଛା ନଥାଇ ମଧ୍ୟ ବାଧ୍ୟତାମୂଳକ ଭାବେ ପ୍ରସନ୍ନ ଆଗେଇ ଆସିଥିଲା ବିବାହ ଭୋଜିକୁ ।

    କିନ୍ତୁ ବିବାହ ମଣ୍ଡପରେ ପାଦ ରଖୁ ରଖୁ ଦେଖିବାକୁ ମିଳିଲା ଏକ ଅପ୍ରୀତିକର ପରିସ୍ଥିତି। କିଛି କଳୁଷିତ ମହିଳା ମାନେ ଏକତ୍ରିତ ହୋଇ ଗଳା ଫାଡ଼ି ଅତି କୁତ୍ସିତ ଭାଷାରେ ଗାଳି କରି ଚାଲିଥିଲେ କୌଣସି ଏକ ନାରୀକୁ। ଯିଏ କି ଅତି ଭୟାତୁର ଅବସ୍ଥାରେ ତା' ମୁଖକୁ ଶାଢ଼ୀ କାନିରେ ଆବଦ୍ଧ କରି କ୍ରନ୍ଦନ ଅବସ୍ଥାରେ ସେହି ମଣ୍ଡପ ଛାଡ଼ି ଚାଲିଯିବାକୁ ବାଧ୍ୟ ହେଉଥିଲା। 

  ଏମିତିକା ଦୃଶ୍ୟ ଆଶ୍ଚର୍ଯ୍ୟ ଠାରୁ ବଳି ଅଧିକ କ୍ରୋଧ ଜାତ କଲା ପ୍ରସନ୍ନ ମନରେ। ସମବେତ ଲୋକାରଣ୍ୟ ରେ ଗୋଟେ ନାରୀ କୁ ଏପରି କୁତ୍ସିତ ଭାଷାରେ ଗାଳି କରିବା ପରି ଘଟଣା କୁ ତୀବ୍ର ପ୍ରତିବାଦ କରି ଉଠିଲା ପ୍ରସନ୍ନର ହୃଦୟ। ତେଣୁ ଭିଡ଼ ମଧ୍ୟରୁ ନିଜକୁ ସ୍ୱାଧୀନ କରି ପ୍ରସନ୍ନ ଆଗେଇ ଆସିଲା ତା' ଶୁଷ୍କ ହୃଦୟରେ ଜାଗି ଉଠିଥିବା ଦରଦ ରୂପୀ କୋଠରୀରେ ସ୍ଥାନ ଦେବାକୁ ଏବଂ କଳୁଷିତ ମହିଳା ମାନଙ୍କୁ ଶାନ୍ତ କରିବାକୁ। 

    କିନ୍ତୁ ଭଦ୍ର ମୁଖା ତଳେ ଅଭଦ୍ରର ଛାପ ବସିଥିବା ସେହି କଳୁଷିତ ମୁଖ ତୁନି ନ ପଡିବାରୁ ପ୍ରସନ୍ନ ସଭିଙ୍କ ସାମ୍ନାରେ ସେହି ଭୟାତୁର ମହିଳାଙ୍କ ହସ୍ତକୁ ଧରି ଟାଣି ନେଇ ସେ ସ୍ଥାନ ପରିତ୍ୟାଗ କରିବାକୁ ଉଚିତ ମନେ କଲା। ଯାହାକୁ ଲକ୍ଷ୍ୟ କରି କିଛି ମହିଳା ତାନା ମାରିବାକୁ ଲାଗିଲେ।

  -- "ହୁଁ.....ଦେଖ ଲୋ....ଟୋକାର ପେରମ ଜାଗି ଉଠିଲା। ନା' ନାହିଁ..... ଗାଁ ନାହିଁ, କୁଆଡୁ ଚାଲିଆସି ସେ ଅଲକ୍ଷଣି ହାତ ଟାକୁ ଏମିତି ଧରିଛି ଯେ ଯେମିତି ସତକୁସତ ଏ ତା' ମାଈପ ଆଉ ସେ ତା' ଘଇତା....!"

    " ଆଲୋ ହବନି କେମିତି, ପୋଡାମୁହିଁ ରୂପ ଖଣ୍ଡେ ଏମିତିକା ପାଇଛି ଯେ ଦାଣ୍ଡେ ଗଲା ଲୋକ ଦଣ୍ଡେ ନ ଚାହିଁ ରହି ପାରିବନି.....!"

    " ଆଲୋ ସେହି ରୂପ କୁ ଦେଖେଇ ପରା କୋଉ ଗୋଟା ଅଜାତିଆ ଟୋକା କୁ ପେରମ କରୁଥିଲା। ବାପ କାନରେ ପଡିବାରୁ, ବାପ ତା'ର ଜୋର କରି ବିଭା କରିଦେଲା ନିଜ ବିରାଦ୍ରୀର ଟୋକା ସହ। କିନ୍ତୁ ଅଲକ୍ଷଣି ଭାଗ୍ୟ କୁ ଦେଖ....! ବିଭା ହେବାର ମାତ୍ର ତିନି ଦିନ ଭିତରେ ସେ ଟୋକାର ଗାଡି ଦୁର୍ଘଟଣାରେ ସ୍ୱର୍ଗବାସ ହୋଇଗଲା।ତା' ପରେ ଶ୍ୱଶୁର ଘର ଯାବତୀୟ କଥା କହି ପୋଡ଼ାମୁହିଁକୁ ତଣ୍ଟିଆ ମାରି ଘରୁ ବାହାର କରିଦେଲେ।"

  "ଆଲୋ ସେ କଥା କ'ଣ କହୁଛୁ ?ଏ ଅଲକ୍ଷଣି ମୁହଁଟାକୁ ପରା ସକାଳୁ ସକାଳୁ ଚାହିଁଦେଲେ ମତେ ଘରୁ ପାଦ କାଢ଼ିବାକୁ ଭୟ ଲାଗେ। କେଜାଣି କୋଉ ଘଡ଼ି ମୂଳିଆ ଜନମ ହୋଇଥିଲା.....!"

    ଚୁପଚାପ କୋଳାହଳ ମୟ ପରିବେଶରୁ ଦୁରେଇ ଯିବାକୁ ପ୍ରସ୍ତୁତ ହେଉଥିବା ସମୟରେ କଳୁଷିତ ମହିଳାଙ୍କ ଏପରି ହୀନ ମନ୍ତ୍ୟବ ଶୁଣିବା କ୍ଷଣି ପ୍ରସନ୍ନ ହୃଦୟରେ ବହୁ ଦିନର ଲୁଚି ରହିଥିବା ଦୁଃଖ ଆଉ ବେଦନା ଲାଭା ପରି ଉଦ୍ଗୀରଣ ହେବାକୁ ଲାଗିଲା। ଭୟଙ୍କର ସିଂହ ସମ ହୁଙ୍କାର ଛାଡ଼ି ପ୍ରସନ୍ନ ଗର୍ଜନ କରିବାକୁ ଲାଗିଲା।

     

  -- "ବାସ.....! ବହୁତ ହୋଇଗଲା। ଆଉ ପଦେ ଯଦି କାହା ପାଟିରୁ କିଛି ଶୁଣିବି। ତା' ହେଲେ ସତ କହୁଛି ତୁମ କଖାରୁ ପରି ମୁହଁରେ ସାପ ପରି ବିଷ ଓଗାଳୁ ଥିବା ଦାନ୍ତ ଓ ଗୋଧି ପରି ଲହ ଲହ କରୁଥିବା ଜିଭ କୁ ଉପାଡ଼ି ଫୋପାଡ଼ି ଦେବି। ଆରେ.....! କ'ଣ ଭାବୁଛ ସବୁ ନିଜକୁ ? ସେ ବିଚାରି କିଛି କହୁନି ବୋଲି ତୁମ ମାନଙ୍କ ମୁହଁକୁ ଯାହା ଆସୁଛି ତାହା ବକି ଚାଲିଛ।"

    ପ୍ରସନ୍ନର ଏତିକି ଗର୍ଜିବା ଯଥେଷ୍ଟ ଥିଲା ସେହି କଳୁଷିତ ମହିଳା ମାନଙ୍କ ପାଇଁ। ମାଣେ ଏକର ଜାଗା ମାଡି ବସିଥିବା ନାକ କୁ ଟେକି, ବିଛା ପରି ଭୃଲତା କୁ ଭୃକୁଞ୍ଚନ କରି ଯେଝା ଯେଝା ବାଟରେ ସବୁ ସ୍ଥାନ ଛାଡି ଚାଲିଗଲେ। ଆଉ ତା' ପରେ ପରେ ପ୍ରସନ୍ନ ମଧ୍ୟ ଫେରି ଆସିଥିଲା ତା' ବସା କୁ।

     ୟା ଭିତରେ ବିତି ଯାଇଛି ଦଶ ଦିନ। ଅଶୋକ ବାବୁ ଝିଅ କୃଷ୍ଣାକୁ ସାଥିରେ ଘେନି ଆସିଛନ୍ତି ଅତିଥି ରୂପେ ପ୍ରସନ୍ନର ଘରକୁ। ସନ୍ତୋଷ ବାବୁ ଓ ପ୍ରମିଳା ଦେବୀଙ୍କ ସହ ଆଲୋଚନା କରିଛନ୍ତି ବିଭାଘରକୁ ନେଇ। କହିବା ବାହୁଲ୍ୟ, ଯାହା ପାଇଁ ପ୍ରସନ୍ନ ସେଦିନ ଏକା ଏକା ଭିଡ଼ି ଯାଇଥିଲା। ସେ ଆଉ କେହି ନୁହେଁ, ସ୍ୱୟଂ ତା' ପ୍ରେମିକା କୃଷ୍ଣା ହିଁ ଥିଲା। ଲୋରା ପାଖରୁ କୃଷ୍ଣାର ଅତୀତ ଜାଣି ସାରିବା ପରେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲା ପ୍ରସନ୍ନ ଏବଂ ଏକା ଏକା ଖୋଜି ବାହାର କରିବାକୁ ଆଗେଇ ଆସିଥିଲା ସୁଦୂର ଅପହଞ୍ଚ ଇଲାକାକୁ।

     ଘର ଭିତରେ ଚୁମୁକି ପାଖରେ ବସି କାନ୍ଦୁଥାଏ କୃଷ୍ଣା। ଏପଟେ ଅଶୋକ ବାବୁ ନିଜ ଗର୍ବ ଅହଙ୍କାର କୁ ପରିତ୍ୟାଗ କରିବା ଏବଂ ଭୁଲ ମାଗି ପ୍ରସନ୍ନ କୁ ନିଜ ଜୋଇଁ କରିବାକୁ ପ୍ରସ୍ତୁତ ହେଉଥାନ୍ତି ସତ କିନ୍ତୁ ତାଙ୍କ ଅନୁରୋଧ କେତେ ଦୂର ରକ୍ଷା ହେବ ସେହି ସନ୍ଦେହ ତାଙ୍କ ମନରେ ବସା ବାନ୍ଧୁଥାଏ। 

    କିନ୍ତୁ ସେହି ସନ୍ଦେହ ମଧ୍ୟ ଦୂର ହୋଇଗଲା ଯେତେବେଳେ ପ୍ରମିଳା ଦେବି କାହାକୁ କିଛି ନ କହି ଘର ଭିତରକୁ ଚାଲି ଯାଇଥିଲେ ଏବଂ କୃଷ୍ଣା କୁ ସାଥିରେ ଆଣି ନିଜ ହାତର ଦୁଇପଟ ଚୁଡ଼ି କୃଷ୍ଣା ହାତରେ ପିନ୍ଧାଇ ଦେଇଥିଲେ। ଆଉ କହିଥିଲେ ଅଶୋକ ବାବୁଙ୍କୁ-:" ତୁମେ କୋଉ କୃଷ୍ଣା କଥା କହୁଛ ? ମୋ ପୁଅର ତ ବିଭାଘର ସରିଛି। ଏଇ ଦେଖ ମୋ ସୁନା ବୋହୁ।"

     ପ୍ରମିଳା ଦେବୀଙ୍କ ଉଦାରତାରେ ଅଶୋକ ବାବୁଙ୍କ ଆଖିରେ ଲୁହ ଜକେଇ ଆସିଥିଲା ଏବଂ କୃଷ୍ଣା ଭୋ ଭୋ କାନ୍ଦି ଉଠିଥିଲା । ଆଉ ପ୍ରସନ୍ନ କଥା ନ କହିଲେ ଭଲ। ଅଣୁବୀକ୍ଷଣ ଯନ୍ତ୍ରରେ ଯଦି ତା' ଶରୀରକୁ ନିରୀକ୍ଷଣ କରା ଯାଇଥାନ୍ତା ? ତା' ହେଲେ ତାର ପ୍ରତ୍ୟକ ଅଙ୍ଗ ପ୍ରତ୍ୟଙ୍ଗ ନୃତ୍ୟ କରିବାର ଦୃଶ୍ୟ ନଜର ଆସିଥାନ୍ତା।

     ଦୁଃଖର ଦିନ ଅପସରି ଗଲା। ବଡ଼ ଧୁମଧାମରେ ବାହାଘର ସରିଲା ଦୁଇଜଣଙ୍କର। ଚତୁର୍ଥୀ ରାତିରେ ପ୍ରଥମ ଥର ପାଇଁ ପ୍ରେମିକାର ବଧୂବେଶ କୁ ଆଖି ପୁରେଇ ଦେଖିବା ସହିତ ତା' ସୁନ୍ଦର ରୂପର ଅତୁଳନୀୟ ଅଙ୍ଗ ପ୍ରତ୍ୟଙ୍ଗ କୁ ଝରି ଆସୁଥିବା ମହୁକୁ ଆକଣ୍ଠ ପାନ କରୁଥିଲା ପ୍ରସନ୍ନ ଏବଂ ପ୍ରେମର ତୃଷ୍ଣାରେ ତୃଷିତ ପ୍ରାଣକୁ ଶାନ୍ତ କରୁଥିଲା। ଆଉ ପରିସ୍ଥିତିକୁ ଖାପ ଖୁଆଇ କୋଉ ଏକ ଦୂର ପ୍ରଦେଶରୁ ଗୀତ ଟିଏ ଭାସି ଆସୁଥିଲା।

 ପାଇଛି....ପାଇଛି.....ତୁମକୁ ପାଇଛି,

  ଏ ଫୁଲରେ ତୁମ ନାଁ.....ପାଖୁଡ଼ାରେ ତୁମ ନାଁ....

    ଏ ମଳୟରେ ତୁମ ନାଁ....ଫଗୁଣରେ ତୁମ ନାଁ....

       ସବୁଠି ଦେଖୁଛି....ତୁମକୁ ଭଲ ମୁଁ ପାଉଛି......!



Rate this content
Log in

More oriya story from Smruti Ranjan

Similar oriya story from Comedy