Smruti Ranjan

Inspirational

4.1  

Smruti Ranjan

Inspirational

ମାଲିଆ

ମାଲିଆ

4 mins
372


   କଲେକ୍ଟର ସାର ଜିନ୍ଦାବାଦ..........., କଲେକ୍ଟର ସାର ଜିନ୍ଦାବାଦ............, ଏହି ଜିନ୍ଦାବାଦ ଜିନ୍ଦାବାଦ ଶବ୍ଦରେ ସାରା ଗାଁ ଟା ଉଠୁଛି ପଡୁଛି । କାରଣ, ଗାଁ ମାଟିର ପୁଅ ସନିଆ ଆଜି କଲେକ୍ଟର ସାଜି ଗାଁ'କୁ ଆସୁଛି । ଗାଁ ସ୍କୁଲରେ ବିଜ୍ଞାନ ମେଳା ଆୟୋଜନ ହେଉଥିବାରୁ, ସ୍କୁଲ ତରଫରୁ ମୁଖ୍ୟ ଅତିଥି ରୂପେ କଲେକ୍ଟର ମହୋଦୟ'ଙ୍କୁ ଆମନ୍ତ୍ରଣ କରାଯାଇଛି । ନିଜ ଜନ୍ମ ଭୂମିରେ ପୁଣି ନିଜ ସ୍କୁଲରୁ ଆମନ୍ତ୍ରଣ ପାଇ ସନିଆ ମଧ୍ୟ ଖୁସିରେ ଆସିବାକୁ ପୂର୍ଣ୍ଣ ସହମତି ପ୍ରଦାନ କରିଛି ।

          ଯୋଉଥିପାଇଁ ପୁରା ଗାଁ ଟା ଯାକର ଲୋକେ ଗାଡି କରି କଲେକ୍ଟର ଅଫିସ ପାଖରୁ ସନିଆକୁ ସ୍ୱାଗତ ସମ୍ବର୍ଦ୍ଧନା କରି ରାସ୍ତା ସାରା "କଲେକ୍ଟର ସାର ଜିନ୍ଦାବାଦ" ଶବ୍ଦରେ ହୁରୀ ପକେଇ ନେଇ ଆସୁଛନ୍ତି । 

            ଯଥା ସମୟରେ ଗାଡି ଆସି ସ୍କୁଲ ଗେଟ୍ ସାମ୍ନାରେ ରହିଲା । କଲେକ୍ଟର ଆସୁଛନ୍ତି ଜାଣି ଜିଲ୍ଲା ପରିଷଦ ପାଖରୁ ନେଇ ବିଧାୟକ ପର୍ଯ୍ୟନ୍ତ ସମସ୍ତେ ଆସିଛନ୍ତି ସ୍ୱାଗତ ଜଣେଇ ଦେବାକୁ। କିନ୍ତୁ ସନିଆ, ଗାଡି'ରୁ ଓଲ୍ଲେହି ସଜାଯାଇଥିବା ଷ୍ଟେଜ ଉପରକୁ ନ ଯାଇ ପ୍ରଥମେ ନିଜ ଗ୍ରାମ ବାସୀଙ୍କ ସହ ଦେଖା ସାକ୍ଷାତ କଲା । ଦେଖଣାହାରୀ ଏ ସବୁ ଦେଖି କହୁଥାନ୍ତି, "ଯାହା କୁହ ଭାଇ ସନିଆ ଆମର ହୀରା ଖଣ୍ଡେ କହିଲେ ଚଳେ ! ତା' ନ ହେଇଥିଲେ ଦେଖୁନୁ ଏତେ ବଡ଼ ଲୋକ ହେଇ ମଧ୍ୟ ମନରେ ଗର୍ଵ ଅହଂକାର ବୋଲି ଟିକିଏ ନାହିଁ।"

        ସନିଆ ଗ୍ରାମ ବାସୀଙ୍କ ସହ ଦେଖା ସାକ୍ଷାତ କରି ସାରିଲା ପରେ ଷ୍ଟେଜ ଉପରକୁ ଆସିଲା। ସନିଆର ବୋଉ ମାଲିଆ, ପୁଅର ସଫଳତା ଦେଖି ଆଖିରୁ ଲୁହ ଝରେଇ କାନ୍ଦିବା ସହ ବିଗତ ଦିନର ସ୍ମୃତିରେ ଭାସି ଉଠିଲା ।

                ଗାଁ'ର ଶେଷ ମୁଣ୍ଡରେ ମାଲିଆ'ର ଘର । ଘର କହିଲେ ଦୁଇ ବଖରା ଚାଳ ଘରକୁ ବୁଝାଏ। ସ୍ୱାମୀ ବାଙ୍କୁ ମଦ ପିଇ ପିଇ ଅକାଳ ମୃତ୍ୟୁରେ ଚାଲିଗଲା । ସେତେବେଳକୁ ମାଲିଆର ବୟସ ମାତ୍ର ତିରିଶ। କାଖରେ ବର୍ଷକର ଛୁଆ । ଆକାଶ ଛିଡି ପଡ଼ିଲା ପରି ଦୁଃଖ ମାଡ଼ି ଆସିଲା ମାଲିଆ ଉପରକୁ ।

            ଗରିବକୁ ପୁଣି ବିଧବା, ତା' ସହ ଅଳ୍ପ ବୟସ !ଗରିବ ମାଇପ ସବୁରି ଶାଳୀ ପରି ମାଲିଆ ଉପରେ କିଛି ହୀନ ପ୍ରକୃତିର ଲୋକ ଲୋଲୁପ ଦୃଷ୍ଟି ପକେଇବା ଆରମ୍ଭ କଲେ। ମାଲିଆ ଏ ସବୁ ଜାଣି ଶେଷରେ ମୁଣ୍ଡ ବାଳକୁ ପନିକିରେ ସାତ ବେଣ୍ଟିଆ କରି କାଟି ପକେଇଲା।

       ନାରୀର ଅଧା ସୌନ୍ଦର୍ଯ୍ୟ କହିଲେ ତା' ମୁଣ୍ଡ ବାଳକୁ ବୁଝାଏ । ସେ ସେଥିରେ ବେଣୀ ପାରିବା ସହ ସୁନ୍ଦର ସୁନ୍ଦର ଯୋଡ଼ା ଖୋସା ବାନ୍ଧିଲେ ଖୁବ ସୁନ୍ଦର ଦିଶେ । ଯଦି ଅକାରଣରେ ସେହି ବାଳକୁ କାଟି ଦିଆଯାଏ ? ତେବେ ମୁହଁର ଅଧା ସୌନ୍ଦର୍ଯ୍ୟ ଫିକା ପଡିଯାଏ । ମାଲିଆର ଏପରି ରୂପ ଦେଖି ତା'କୁ ଆଉ କେହି ଆଖି ଉଠେଇ ବାକୁ ଚାହିଁବାକୁ ମଧ୍ୟ ଇଚ୍ଛା କଲେନି ।

        କିନ୍ତୁ ମାଲିଆର ସବୁଠାରୁ ବଡ଼ ଚିନ୍ତା ହେଲା ଘର କେମିତି ଚଳିବ ?? କାରଣ, ଘରେ ଯାହା ସବୁ ବାସନ କୁସନ ଥିଲା ସ୍ୱାମୀ ମଦ ପିଆରେ ଉଡେଇ ଦେଇଛି । କ'ଣ କରିବ କ'ଣ କରିବ ଚିନ୍ତା କରି ଶେଷରେ ଘର ଘର ବୁଲି ମୁଡ଼ି ବିକିବ ଯୋଜନା କଲା। ମାଲିଆ ତା' ଛୁଆଟି ବେଳୁ ମା'ଙ୍କ ପାଖରୁ ମୁଡ଼ି ଭଜ଼ା ଶିଖିଥିଲା । ତେଣୁ ମୁଡ଼ି ବ୍ୟବସାୟ କରିବ ଚିନ୍ତା କରି ଗାଁର କିଛି ସହୃଦୟ ବ୍ୟକ୍ତିଙ୍କ ପାଖରୁ କିଛି ଟଙ୍କା ଉଧାର ଆଣି ଆରମ୍ଭ କଲା ।

       ପ୍ରଥମେ ପ୍ରଥମେ ଅସଫଳ ହେଲା । କିନ୍ତୁ ପରିଶ୍ରମ କେବେ ବୃଥା ଯାଏନା । ଧିରେ ଧିରେ ମାଲିଆ ସଫଳ ହେବାକୁ ଲାଗିଲା । ମାଲିଆ ଘରେ ବସି ଚୁଲି ରେ ମୁଡ଼ି ତିଆରି କରେ । ତା' ପରେ ସେ ମୁଡ଼ି ଗାଁ ଗାଁ ବୁଲି ବିକ୍ରି କରେ । ପିଠି ପଛରେ ଛୋଟ ପୁଅ ସନିଆ କୁ ବାନ୍ଧି , ମୁଣ୍ଡରେ ମୁଡ଼ି ବସ୍ତା ମୁଣ୍ଡେଇ ସେ ଗାଁ ଗାଁ ବୁଲି ମୁଡ଼ି ବିକ୍ରି କରେ ।

       ଧୀରେ ଧୀରେ ସନିଆ ବଡ଼ ହେବାରୁ ମାଲିଆ ତା'କୁ ପାଠ ପଢ଼ିବାକୁ ଗାଁ ଚାଟ ସାଳିରେ ତା' ନାମ ଲେଖିଲା ।ସନିଆ ମଧ୍ୟ ପ୍ରତିଦିନ ସ୍କୁଲରେ ମନ ଲଗେଇ ପାଠ ପଢ଼େ । ମାଲିଆ ସନିଆକୁ ପ୍ରତିଦିନ ରାତିରେ ତା' ଦୁଃଖ କଥା କହି ବୁଝାଏ । ହଁ, ମାଲିଆ'ର ଅବା ଆଉ କିଏ ଅଛି ଯିଏ ତା' ଦୁଃଖ କଥା ଶୁଣି ଆଃ ପଦେ କହିବ । ବୋଧେ ସେଥିପାଇଁ ସନିଆ ବହୁ କମ ବୟସରୁ ସବୁ ବୁଝି ଯାଉଥିଲା ତା' ମା'ର ଦୁଃଖ ।

        ଧୀରେ ଧୀରେ ସମୟ ସହିତ ତାଳ ଦେଇ ସନିଆ ସଫଳତାର ପାହାଚ ଗୋଟେ ପରେ ଗୋଟେ ଚଢି ଚାଲିଲା। ସନିଆ ପାଠ ପଢ଼ା ଦେଖି ସାରା ଗାଁ ଟା ଯାକର ଲୋକେ ମାଲିଆକୁ କୁହନ୍ତି,' ମାଲିଆ ଲୋ, ଦେଖିବୁ ତୋ ପୁଅ ଦିନେ ଖାଲି ତୋ କୋଳ ନୁହଁ, ସେ ଆମ ଗାଁ'ର ନାମ ମଧ୍ୟ ଉଜ୍ଜଳ କରିବ।"

            ଆଉ ଗାଁ ବାଲାଙ୍କ କଥା ସେହିଦିନ ସତ ହେଲା ଯୋଉ ଦିନ ସନିଆ "ସର୍ଵ ଭାରତୀୟ ପ୍ରଶାସନିକ ସେବା" ପରୀକ୍ଷାରେ ଅଲ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ।


           ହଠାତ୍ ସନିଆ'ର ଡ଼ାକରେ ମାଲିଆ'ର ତନ୍ଦ୍ରା ଭଙ୍ଗ ହେଲା। ସନିଆ କହିଲା, ବୋଉ ଚାଲ ମୋ ସହ ଷ୍ଟେଜକୁ । ଲୋକମାନଙ୍କ ସହ ମାଲିଆ, କେହି କିଛି ବୁଝିପାରୁନଥାନ୍ତି କଲେକ୍ଟର ସାରଙ୍କ ମନରେ କ'ଣ ଚାଲିଛି । ସନିଆ ମା'ର ହାତ ଧରି ଷ୍ଟେଜ ଉପରକୁ ନେଇ ଆସିଲା । ହାତରେ ସ୍ପିକର ଧରି ସନିଆ କହିବା ଆରମ୍ଭ କଲା, " ନମସ୍କାର......., ମୁଁ ସନାତନ । ଆପଣ ମାନଙ୍କ ପ୍ରିୟ ସନିଆ । ଏଇ ଗାଁ ମାଟିରେ ମୁଁ ଛୋଟରୁ ବଡ଼ ହୋଇଛି । ଏଇ ଗାଁର ପାଣି ପବନରେ ଗଢ଼ା ମୋ ଶରୀର । ଏଇ ଚାଟଶାଳିରେ ମୁଁ ମୋ ପାଠ ପଢା ଆରମ୍ଭ । ମତେ ଛୋଟରୁ ବଡ଼ ହେଇ ଯୋଗ୍ୟ ବିବେଚିତ କରିବାରେ ଯୋଉ ଦେବୀର ହାତ ରହିଛି, ସେହି ଦେବୀ ଜଣଙ୍କ ମୋ ପାଖରେ ଛିଡା ହୋଇଛନ୍ତି । ଯୋଉ ଦେବୀଙ୍କ କଥା ମୁଁ କହୁଛି ସେ ଦେବୀ ଜଣକ ଆଉ କେହି ନୁହଁ, ସେ ହେଉଛି ମୋ "ମାଲିଆ" । ଯିଏ ଖାଲି ମୋ ହାତଧରି ମତେ ଖାଲି ଚାଲିବା ଶିଖେଇଛି ସେ ହଉଛି ମୋର ସେଇ ମା'..... ଯିଏ ଖାଲରୁ ଉଠିବା ଶିଖେଇଛି । ଇଏ ଖାଲି ସେଇ ମା'..., ନୁହେଁ ଯିଏ ଖାଲି କୋଳରେ ଶୋଇଦିଏ ଆଉ ଜହ୍ନ ମାମୁଁ ଗପ କୁହେ । ଇଏ ହୋଉଛି ସେଇ ମା'.... ଯିଏ ମତେ ପିଠିରେ ପକେଇ କୋଳରେ କାଖେଇ ମୁଢି ଭାଜି ଗାଁ ଗାଁ ବୁଲି ମୁଢି ବିକି ମତେ ବଞ୍ଚେଇଛି, ଆଉ ଆଜି ମତେ ଏଇଠି ପହଞ୍ଚେଇଛି। ସେ ହେଉଛି ସେଇ ମା'..... ଯିଏ ଜହ୍ନମାମୁଁ ଗପ ବଦଳରେ ମତେ ମୋ ଜୀବନର ଗପ କୁହେ। ସେଇ ମା'..... ଯିଏ ଦିନ ଦିନ ରାତି ରାତି ପ୍ରରିଶ୍ରମ କରି, ମୁଣ୍ଡ ଝାଳ ତୁଣ୍ଡରେ ମାରି ମତେ ଆଜି କଲେକ୍ଟର ବନେଇଛି । ଯାହା ପାଦର ମାଟିକୁ ବି ମୁ ସରି ନୁହେଁ ! ଲୋକ ମନ୍ଦିର ଯାଆନ୍ତି ଭଗବାନ ଦର୍ଶନ କରିବାକୁ । ହେଲେ ମୋ ମାଆ ହଉଛି ମୋର ଜୀବନ୍ତ ଠାକୁରାଣୀ ଯା ପାଦତଳେ ଏଇ ମୋ ବଡ଼ ପଣିଆ ତୁଚ୍ଛ । ମୁଁ ମୋ ମା'ର ତ୍ୟାଗ ଆଉ ଅକ୍ଲାନ୍ତ ପରିଶ୍ରମ ପାଇଁ ଆଜି ଏତେ ସବୁ ପ୍ରାପ୍ତି କରିପାରିଛି । ଆପଣ ମାନେ ମତେ ଯେଉଁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଛନ୍ତି ସେ ସବୁ ପାଇଁ ମୁଁ ପ୍ରକୃତ ଅଧିକାରୀ ନୁହେଁ । ସେ ସବୁର ପ୍ରକୃତ ଅଧିକରିଣୀ ହେଉଛି ମୋ ମା'........।

           ସନିଆ ଭାଷଣ ଶୁଣି ସମସ୍ତେ ଏକ ସଙ୍ଗେ ଛିଡ଼ା ହୋଇ ତାଳି ମାରିବାକୁ ଲାଗିଲେ । ଏ ସବୁ ଦେଖି ମାଲିଆ ଆଖି ଲୁହ ଛଳଛଳ ହେଇ ଉଠିଲା । 


Rate this content
Log in

Similar oriya story from Inspirational