ଚେସ ଖେଳ
ଚେସ ଖେଳ
ବାହାଘରକୁ ମାସେ ପୂରିଲା , ବନ୍ଧୁ ବାନ୍ଧବ ଯିଏ ଯୁଆଡେ ସବୁ ନିଜ ନିଜର ସ୍ବଗୃହକୁ ପ୍ରତ୍ୟାବର୍ତ୍ତନ କଲେ । ଘରେ ରହିଗଲେ ରିଚା , ସ୍ୱାମୀ ରକି, ନଣଦ ସୁଚିତ୍ରା ଓ ଦିଅର ଚିକୁ ଆଉ ଶାଶୁ ଭାରତୀ ଦେବୀ । ଶ୍ୱଶୁର କେବେଠାରୁ ସ୍ୱର୍ଗବାସ ହୋଇଗଲେଣି ।
ଛୋଟ ସଂସାର ହେଇଥିବା ହେତୁ କାମ ବୋଝ କିଛିନଥିଲା । ସକାଳୁ ସ୍ଵାମୀ ଅଫିସ , ଦିଅର ସ୍କୁଲ ଆଉ ନଣଦ କଲେଜ ଚାଲିଯାଉଥିଲେ । ଘରେ କେବଳ ଶାଶୁ ବୋହୁ ଦୁଇ ଜଣ ରହୁଥିଲେ । ଘର କାମ ସରିଲା ପରେ ରିଚା ପୁରା ବୋର ହେଇଯାଉଥିଲା ।
ଦିନେ ରିଚା ର ଶାଶୁ ବସି ବସି ବୋର ହେଉ ଥିବାରୁ ରିଚାକୁ କହିଲେ :" ମାଆରେ ସେ ଆଲମୀର ରେ ଥିବା ପୁରୁଣା ଆଲବମ ଟା ଆଣିଲୁ ।ଆଜି କାଇଁ ବହୁତ ମନେ ହେଉଛି ପୁରୁଣା ଫୋଟ ସବୁ ଦେଖିବାକୁ ଆଉ ହଜିଲା ସ୍ମୃତିରେ ପହଁରି ବାକୁ ।"
ରିଚା ଯାଇଁ ଆଲବମ ନେଇ ଆସିଲା । ଶାଶୁ ବୋହୁ ଦୁଇ ଜଣ ବସିଗଲେ ଫଟୋ ଦେଖାରେ ।
ଆଲବମ ରେ ଶାଶୁଙ୍କ ବାହାଘର ଫୋଟ ଠାରୁ ରକି , ଚିକୁ ଆଉ ସୁଚିତ୍ରା ର ସବୁ ଛୋଟରୁ ବଡ ହେବା ପର୍ଯ୍ୟନ୍ତ ସବୁ ଫଟୋ ଖୁବ ସୁନ୍ଦର ଭାବରେ ସଜା ହେଇ ରହିଛି ।
ଶାଶୁ ମା ଫଟୋ ଆଉ ତା' ପଛରେ ଥିବା କାହାଣୀ ସବୁ କହୁଥାନ୍ତି । ହଟାତ ଗୋଟେ ଫଟୋ ରିଚାର ଆଖି ଲାଖିଗଲା । ଫଟୋ ରେ ତାଙ୍କ ସ୍ୱାମୀ ଆଉ ଦିଅର ବସି ଚେସ ଖେଳୁଥିବାର ଦେଖି ସେ ପଚାରିଲା ମାମା ୟାଙ୍କୁ ଚେସ ଖେଳ ଆସେ । ଶାଶୁ ମା କହିଲେ ଆରେ ସେ ଦୁଇ ଜଣ ଖୁବ ଭଲ ଚେସ ଖେଳନ୍ତି । କେହି କାହାକୁ ଛାଡ଼ିବାକୁ ନାରାଜ । ଏ କଥା ଶୁଣି ରିଚା ର ପୁରୁଣା କଥା ମନେ ପଡିଗଲା ।ସେ କେମିତି ନିଜ ଭଉଣୀ ମାନଙ୍କ ପାଖରୁ ସବୁଦିନ ଖେଳରେ ହାରି ସର୍ତ୍ତ ଆନୁସାରେ ଦିନ ଯାକର ରୋଷେଇ ଏକା କରିବାକୁ ପଡେ ।
ଦିପହର ସମୟରେ ଦିଅର ଚିକୁ ଯେତେବେଳେ ସ୍କୁଲ ରୁ ଆସିଲା ଦିଅର ଭାଉଜ ମିଶି ବସିଗଲେ ଚେସ ଖେଳରେ ।
ଅଫିସରୁ ରକି ଆସି ଦେଖିଲେ ଦିଅର ଭାଉଜ ବସି ଚେସ ଖେଳୁଛନ୍ତି !! ଆଶ୍ଚର୍ଯ୍ୟ ହେଇ କହିଲେ ତମକୁ ଚେସ ଖେଳ ଆସେ !! ମତେ ତ କେବେ କହିନଥିଲ !! ରିଚା ଟିକେ ହସିକି କହିଲେ ତମେ ମତେ କେବେ ସେ ସୁଯୋଗ ଦେଇନାହଁ ।
ରକିବାବୁ ଟିକେ ହସିଦେଇ କହିଲେ ହଉ ଆଜି ସେ ସୁଯୋଗ ଦେଇ ଦଉଛି । ତା ପରେ ରାତି ଖାଇବା ପରେ ଦୁଇ ଜଣ ବସିଗଲେ ଚେସ ଖେଳରେ । କିନ୍ତୁ ଖେଳ ଆରମ୍ଭ ହେବା ପୂର୍ବରୁ ରକି ବାବୁ କହିଲେ ଯଦି ତମେ ହାରିଲ ମୋ ପାଇଁ କଣ କରିବ ??
ରିଚା ମାଡାମ କହିଲେ ମୁଁ ହାରିଗଲେ ତମେ ଯାହା କହିବ ମୁଁ କରିବାକୁ ରାଜି । ଆଉ ଯଦି ତମେ ହାରିଗଲ ତମେ ମୋ ପାଇଁ କଣ କରିବ ??
ରକି ବାବୁ କହିଲେ ମୁଁ ହାରିଗଲେ ତମେ ଯାହା କହିବ ମୁ କରିବାକୁ ରାଜି କିନ୍ତୁ ମୁଁ ଜିତିଲେ ତମକୁ ମତେ ପ୍ରତିଥର ଗୋଟେ ଲେଖା କିସ କରିବାକୁ ପଡିବ , କଣ ରାଜି ତ ?
ରିଚା କହିଲେ ହେଉ ଠିକ ଅଛି । ତା ପରେ ଖେଳ ଆରମ୍ଭ ହେଲା । ଖେଳ ଆରମ୍ଭ ହେବାର କିଛି ସମୟ ଉପରାନ୍ତେ ରିଚା ମାଡାମ ଜିତିଗଲେ । ଆଉ ଖୁସିରେ ଉଛୁଳି ପଡିଲେ କାରଣ ସେ କେବେ ବି ତାଙ୍କ ଭଉଣୀ ମାନଙ୍କ ପାଖରୁ ଜିତିନଥିଲେ ।
ରକି ତାଙ୍କ ହସ ଦେଖି କହିଲେ ମୁଁ ବାଜି ହାରିଗଲି କୁହ କ'ଣ କରିବି ତମ ପାଇଁ ?? ରିଚା କିଛି ସମୟ ଭାବିଲା ପରି ଅଭିନୟ କରି କହିଲେ ଏବେ କିଛି ମାଗିଲା ଭଳି ମୂଡ଼ ନାହିଁ ଯେବେ ମୂଡ଼ ହବ ମୁଁ ମାଗିନେବି ।
ସେହି ଦିନଠାରୁ ଚେସ ଖେଳ ପ୍ରତିଦିନ ଆରମ୍ଭ ହେଲା। ଆଉ ପ୍ରତିଥର ରିଚା ହିଁ ଜିତିଲେ । ଏ ସବୁକୁ ଦେଖି ଚିକୁ ଆଉ ସୁଚିତ୍ରା ଦୁଇ ଜଣଙ୍କର ଆଶ୍ଚର୍ଯ୍ୟ ର ସୀମା ରହିଲାନି !!! ଦୁହେଁ ମନେ ମନେ ଭାବିଲେ ଭାଇ ଆମ ଠାରୁ ଭଲ ଖେଳନ୍ତି , କିନ୍ତୁ ସେ ଏମିତି ଅନାୟାସରେ ରେ ହାରିଯାଉଛନ୍ତି କେମିତି !!!
ଏପଟେ ରିଚା ତାଙ୍କ ଘରକୁ ଫୋନ କରି ଦୁଇ ଭଉଣୀ ଙ୍କୁ ଚେସ ଖେଳ ବିଷୟରେ ସବୁ ଜଣେଇଦେଲେ । ଦୁଇ ଭଉଣୀ ମାନଙ୍କର ଆଚମ୍ବିତ ହେଇଗଲେ ଦିଦି ପୁଣି ଚେସ ଖେଳରେ ଜିତି ଯାଉଛି ।
କିଛି ଦିନ ପରେ ରିଚା ସ୍ୱାମୀ ରକି ସାଥିରେ ନିଜ ଘରକୁ ବୁଲିବାକୁ ଆସିଲେ । ବହୁ ଦିନ ପରେ ଘରକୁ ଆସିଥିବାରୁ ରିଚାର ବଉ ଓ ସାନ ଭଉଣୀ ମାନେ ଖୁବ ଖୁସି ହେଇଥିଲେ । ଦୁଇ ଭଉଣୀ ରକିକୁ ମଜ଼ାରେ କହିଲେ କଣ ଭେଣେଇ ଭାଇ ମୋ ବଡ ଭଉଣୀ ପାଖରୁ ସବୁ ଦିନ ଚେସ ଖେଳରେ ହାରି ଯାଉଛ । ଆଜି ସନ୍ଧ୍ୟାବେଳେ ଆସ ଆମେ ତୁମକୁ ଖେଳ ଉପରେ ସମ୍ପୂର୍ଣ୍ଣ ଟ୍ରେନିଙ୍ଗ ଦେଇ ଦେବୁ। ରକି ଆଉ କିଛି ନ କହି ଟିକେ ହସିଦେଲେ ।
ସନ୍ଧ୍ୟା ବେଳେ ରକି ଗୋଟେ ପଟେ ଆଉ ଦୁଇ ଭଉଣୀ ଗୋଟେ ପଟେ ଖେଳରେ ବସିଗଲେ । ଆଉ ରିଚା ଏମାନଙ୍କ ଅଜାଣତରେ ଖେଳକୁ ଉପଭୋଗ କରିବାକୁ ଲାଗିଲେ । ଖେଳ ଆରମ୍ଭ ହେବାର ଦୁଇ ମିନିଟ ହେଇନାହିଁ ରକି ଜିତିଗଲେ । ଏହି ଭଳି ଗୁଡାଏ ମ୍ୟାଚ ହାରିଲା ପରେ ଦୁଇ ଭଉଣୀ ଆଉ ରିଚା ତିନି ଜଣ ବିସ୍ମୟ ହେଇଗଲେ ।
ରିଚା ମନେ ମନେ ଭାବିଲେ ଇଏ ଏତେ ଭଲ ଖେଳୁଛନ୍ତି କିନ୍ତୁ ମୋ ପାଖରୁ ସବୁଦିନ ହାରି ଯାଉଛନ୍ତି !!
କିଛି ନ କହି ରିଚା ମନ କଥା ମନରେ ରଖି ଚୁପଚାପ ଦୁଇ ଦିନ ପରେ ନିଜ ଘରକୁ ଫେରି ଆସିଲେ। ପ୍ରତିଦିନର ନିୟମାନୁସାରେ ରାତିରେ ଚେସ ବୋର୍ଡ଼ ଧରି ବସିଗଲେ । କିନ୍ତୁ ଏଥର ଖେଳ ଆରମ୍ଭ ହେବା ଆଗରୁ ରିଚା କହିଲେ ମୋର ଗୋଟେ ସର୍ତ୍ତ ଅଛି । ସର୍ତ୍ତ ନା ଶୁଣି ରକି କହିଲେ କଣ ସର୍ତ୍ତ କୁହ !!
ତମେ ଯଦି ମତେ ସତରେ ଭଲ ପାଉଥିବ ତା ହେଲେ ତମେ ତମର ସମ୍ପୂର୍ଣ୍ଣ ଧ୍ୟାନ ଖେଳରେ କେନ୍ଦ୍ରୀଭୂତ କରିବ । ଏଭଳି ଗୋଟେ ସର୍ତ୍ତ ଶୁଣିଲା ପରେ ରକିର ମନ ଦୁଃଖ ହେଇଗଲା । ମନ ଦୁଃଖରେ ଚୁପ ଚାପ ଖେଳ ଆରମ୍ଭ କଲେ ।
ଖେଳ ଆରମ୍ଭ ହେବାର କିଛି ସମୟ ଭିତରେ ରିଚା ବାଜି ହାରିଗଲା । ରିଚା ଏସବୁ ଦେଖିଲା ପରେ କହିଲା ତମେ ଏତେ ଭଲ ଖେଳ ଶିଖିଛ କିନ୍ତୁ ସବୁ ଦିନ ମୋ ପାଖରୁ ହାରି ଯାଉଛ କଣ ପାଇଁ କୁହ !!!
ରକି କହିଲା :" ତମେ ବାଜି ଜିତିଲେ ଯୋଉ ଖୁସି ହେଇଯାଅ ସେଇ ଖୁସି ଟିକକ ଦେଖିବା ପାଇଁ ମୁଁ କିଛି ବି କରିପାରିବି । ଆଉ ଏ ତ ସାମାନ୍ୟ ଗୋଟେ ଖେଳ ।
ରିଚା ଏ କଥା ଶୁଣିଲା ପରେ ଲୁହ ଛଳଛଳ ଆଖିରେ କହିଲା ଏତେ ଭଲ ପାଉଛ ମତେ ଆଉ କେବେ ପ୍ରକାଶ କରୁନ !!
ରକି ଟିକେ ହସି ଦେଇ କହିଲା କଣ ଭଲ ପାଇବା ଖାଲି ମୁହଁରେ ପ୍ରକାଶ କରାଯାଏ !! ଆଖିରେ କଣ ଅନୁଭବ କରି ହୁଏନି !!

