କଙ୍କି
କଙ୍କି
ସଜ ସଜ ଲୁହ, ଗ୍ଲାନି ଆଉ ଅପମାନରେ ଓଦା ଜଡ଼ସଡ଼ ତକିଆ l ରାତି ବିତିବ ବିତିବ ହୋଇ ବିତୁନି, ଜଣାନାହିଁ ଦୁର୍ଭାଗ୍ୟର ଆୟୁଷ ସବୁବେଳେ ଏତେ ଲମ୍ବା କାହିଁକି? କାହିଁକି ସାଧାରଣତଃ ଅଣଦେଖା ହୋଇ ଆପଣାଛାଏଁ ବିତି ଯାଉଥିବା ସୂର୍ଯ୍ୟୋଦୟର ପ୍ରତୀକ୍ଷା ଏତେ
ବିଳମ୍ବିତ ଆଜି?
ପ୍ରତୀକ୍ଷା.....ବିବାହ ପରେ ତାର ବହୁ ପ୍ରତିକ୍ଷୀତ ମୁହୂର୍ତ୍ତକୁ ଅବିଚାରିତ ଭାବେ ଭ୍ରଷ୍ଟ ଅନୁପଯୁକ୍ତ,ନିର୍ଲଜ ବ୍ୟକ୍ତିଟି ସମ୍ମୁଖରେ କ୍ଷତାକ୍ତ, ପଦଦଳିତ ହେବାକୁ ଦେଉଥିବା ଅକୁହା କଷ୍ଟକୁ ବ୍ୟକ୍ତ କରିବାର ଆଉ କି ରାହା ବଞ୍ଚିଥିଲା ତା ପାଇଁ?
ନିଜକୁ ଶ୍ରାଦ୍ଧଦେଇ ନିର୍ଲିପ୍ତ ସନ୍ୟାସୀନି ପରି ରହିବାକୁ ସେ ନିଜେହିଁ ତ ନିଶ୍ଚିତ କରିଥିଲା l ଯୌତୁକର ପ୍ରହାର ସହିବାକୁ ଅକ୍ଷମ, ଦୁର୍ବଳ, ଗରିବ ବାପାଙ୍କ ଉପରେ ଅନୁକମ୍ପା କରି ନିଜ ଇଚ୍ଛାକୁ ଦହନ କରିସାରିଥିଲା ରଶ୍ମୀ l ଆଉ ତାର ନିଜ ଉପରେ କି ଅଧିକାର? କାହିଁକି ତା ଇଚ୍ଛା ଅନିଚ୍ଛା ଆଜି କାହାପାଇଁ ମୂଲ୍ୟ ରଖେ ବୋଲି ସେ ଆଶା ରଖୁଛି? ବିତିଗଲା ଚଇତାଳି ପବନ ସହ ହଜି ଯାଇଛି ତାର ସବୁ ମୂଲ୍ୟବାନ ସ୍ବପ୍ନ l ଏବେ ସେ ଏକ କାଠକଣ୍ଢେଇ ଯିଏ ସମାଜର ଲାଳାୟିତ ଆଖି ମାନଙ୍କଠାରୁ ବଞ୍ଚିବା ଯୁଦ୍ଧରେ ବାପାଙ୍କ ବାର୍ଦ୍ଧକ୍ୟ ଯୋଗୁଁ ତାକୁ ସମ୍ଭାଳିବାର ଅପାରଗତା ହେତୁ ଆଶ୍ରାଟିଏ ଖୋଜି ଖୋଜି ଶେଷରେ ପହଞ୍ଚିଯାଇଛି ଜମିଦାର ରତ୍ନାକର ବଳିଆର ସିଂହଙ୍କ ପ୍ରାଙ୍ଗଣର ଶୋଭା ହୋଇ ଜାତକ ପକାହୋଇ l
ଏକ ଦୁର୍ଦାନ୍ତ ଜମିଦାରର ମଦ୍ୟପ ପୁଅ ଆଉ ତାର ସମସ୍ତ କଳା କାରନାମା ଶୁଣିବା ପରେ ମଧ୍ୟ୍ୟ ବାପା ତାର ବାହା କରିବାକୁ ରାଜି ହୋଇ ତା ବିନା ଇଚ୍ଛାରେ ପ୍ରତିଶୃତି ଦେଇ ଦେଇଛନ୍ତି l ପିତାଙ୍କ ପ୍ରତିଶୃତି ପାଇଁ ବଳି ପଡିଯାଇଥିବା ସନ୍ତାନର ସ୍ବପ୍ନ...ଠିକ ଏମିତି ହେଇଥିବ ରାମଙ୍କ ସହିତ ବନବାସ ପାଇଁ ପ୍ରସ୍ଥାନ କରିବାକୁ ବାଧ୍ୟ ହେବା ଆଗରୁ l
ଚାହିଁଥିଲେ ଅବରୋଧ କରି ପାରିଥାନ୍ତେ, କିନ୍ତୁ ମର୍ଯ୍ୟାଦା ପୁରୁଷୋତ୍ତମ ର ସମ୍ମାନ କିପରି ମିଳିଥାନ୍ତା ତାଙ୍କୁ?
ଲମ୍ପଟ ସ୍ୱାମୀ ତାର ପଡିଥାଏ ଅର୍ଦ୍ଧଚେତନ ହୋଇ l
ଫୁଙ୍ଗୁଳା ବକ୍ଷ ତାର ଦାରୁଣ୍ୟରେ ଘନ l ଜମିଦାର ଘରର ବେଇମାନି ପଇସାରେ ଖରିଦ ହୋଇଥିବା ପାଟ କନାରେ ନିଜ ଉଲଗ୍ନ,ଜର୍ଜରିତ ସ୍ୱାଭିମାନକୁ ପୁଣିଥରେ ଢାଙ୍କିଦେଲା ରଶ୍ମୀ l ସେ ନିଜେବିତ ଖରିଦ ବିକ୍ରୀ ହୋଇ ଯାଇଥିବା ଏକ ଆରଖ ନୂଆ ଯନ୍ତ୍ର l ଜମିଦାର ପୁଅର କ୍ଷୁଧା ନିବାରଣ ପାଇଁ ଏକ ରମ୍ୟ ଯୌବନ ଦରକାର l ମହଣ ମହଣ ଜମି ଆଉ ସିନ୍ଦୁକ ଭର୍ତ୍ତି ସୁନାକୁ ଜଗିବାକୁ ଉତ୍ତର ଦାୟାଦଟିଏ ଦରକାର l ସେ ଦେଇ ପାରିବ ସେସବୁ l
ଖୁଵ ବେଶୀ ଅପେକ୍ଷା ପରେ ଭୋର ହେଲା l ଦେହରୁ କଳଙ୍କିତ ରାତ୍ରୀର ଦାଗ ଛଡାଇ ଘଣ୍ଟା ଘଣ୍ଟା ଲାଗି ଗାଧୋଇଲା ରଶ୍ମୀ ତା ଲୁହମିଶ୍ରିତ ପାଣିରେ l ପାଣି ଆଉ ଲୁହ ଏକାକାର ହୋଇ ତା କଷ୍ଟ ଲାଘବ କରିଚାଲିଥାନ୍ତି l
ସଫା ପରିଷ୍କାର ଲୁଗା ପିନ୍ଧି ନୂଆ ଜୀବନର ପ୍ରଥମ ସକାଳକୁ ତୁଳସୀ ଚଉଁରା ମୂଳେ ପାଣି, ଦୀପ ଧୂପକାଠି ଦେଇ ସ୍ୱାଗତ କଲା l ହେଲେ ମେଘୁଆ ମେଘୁଆ ଆକାଶ ପଛରେ ମୁଣ୍ଡ ତଳକୁ ପାତି ନିଷ୍ପ୍ରଭ ଅବସ୍ଥିତି ଦର୍ଶାଉଥାନ୍ତି ସୂର୍ଯ୍ୟ l ଅଦିନିଆ ଝିପି ଝିପି ମେଘ ଆରମ୍ଭ ହୋଇ ଯାଇଥାଏ l ରଶ୍ମୀ ଦୀପଟିକୁ ହାତରେ ଘୋଡାଇ ଘର ଭିତରକୁ ଅଣି ରଖୁ ରଖୁ ଚୁପ ଚାପ ଝର୍କା ବାହାରକୁ ଚାହିଁଲା...
ବଳିଆର ସିଂହ ଘରର ଭବିଷ୍ୟତ ନ୍ୟସ୍ତଥିବା କୁନି କୁନି ଉତ୍ତରାଧିକାରୀ ମାନଙ୍କୁ କଙ୍କିଟିଏ ଧରି ତା ଲାଙ୍ଗୁଡ଼ରେ ସୁତା ବାନ୍ଧି ଉଡାଉ ଉଡାଉ ଅଦ୍ଭୁତ ଖୁସିରେ କରତାଳି ପିଟି ଡେଉଁଥିବାର ଦେଖି ମନ ତାର ବିରୋଧ କରୁଥାଏ l ହେଲେ ସେ ନୂଆବୋହୁ l
କାହା ଡାକଶୁଣି ହଠାତ ଚମକି ଉଠିଲା ରଶ୍ମୀ l ରୋଷଇ, ଘରକାମ ରେ ତାର ସହଯୋଗ ଲୋଡ଼ା l ଏମିତି ମାସ ମାସ ବିତି ଯାଇଥାଏ l ସ୍ୱାମୀ ତାର ପଡିଥାଏ କେବେ କେବେ ମାତାଲ ହୋଇ ବଜାର ସ୍ତ୍ରୀ ଲୋକ ଆଗରେ ତ କେବେ ତା ଆଗରେ l ଶ୍ୱଶୁରର ଗରିବଙ୍କ ପ୍ରତି ଅତ୍ୟାଚାର, ଶୋଷଣ ଦେଖି ଦେଖି ତାର ଛାତି ଥରୁଥାଏ l ଘର ସ୍ତ୍ରୀ ଲୋକେ ଅର୍ଦ୍ଧଶିକ୍ଷିତା କିମ୍ବା ଅଶିକ୍ଷିତା l କୁସଂସ୍କାରର ବୁଢିଆଣୀ ଜାଲ ଭିତରେ ସେ ଅଣନିଶ୍ୱାସୀ ହୋଇ ଯାଉଥାଏ l ଏସବୁ ନିରବ ହୋଇ ସହିବ ନା କହିବ?
ଭାବୁଥିଲା ତାର ଅଧା ରହିଯାଇଥିବା ପଢା ପଢିକୁ ସମ୍ପୂର୍ଣ କରିବା ବିଷୟରେ ପଚାରି ବୁଝିବ ଶ୍ୱଶୁରଙ୍କୁ l ନା, କହିଲା ପରେ ତା' ଘର ଭିତରେ ବଳକା ସମୟରେ ପଢା ପଢିର ସ୍ୱାଧୀନତାରେ ମଧ୍ୟ୍ୟ ଡୋର ବାନ୍ଧି ଦିଆ ଯାଇଥିଲା l
କିଛିଦିନ ପରେ ଜାଣିଲା ସେ ଆସନ୍ନ ପ୍ରସବା l କଙ୍କି ଧରିବାରେ ପୁତୁରା ଏବେ ପ୍ରବୀଣ ହୋଇଯାଇଥାଏ l ଗୋଟେ କଙ୍କିକୁ ନାନା ପ୍ରକାର ନିର୍ଯ୍ୟାତନା ଦେଇ ଶେଷରେ ବୋତଲରେ ଭରି ପତ୍ର, ଫୁଲ ଫଳ ମନଇଛା ଗଦେଇ ଚାଲିଥାଏ ତା ନିକଟରେ l କଙ୍କିଟି କିଛି ନ ଖାଇ ଶେଷରେ ଆଣ୍ଠେଇ ପେଟେଇ ବଡ଼ କଷ୍ଟରେ ଫଳଟିଏ ଉପରେ ଚଢି ବସି ବାହାରକୁ ଚାହିଁଥାଏ l ରଶ୍ମୀର ମୁହଁରୁ ବାହରି ପଡିଲା, ପ୍ରାଣବାୟୁ ଉଡି ଯାଆନ୍ତା ହେଲେ...
ବାୟୁ ଚଳ ପ୍ରଚଳକୁ ଅବରୋଧ କରୁଥିବା ଠିପିଟିକୁ ଖୋଲି ଝର୍କା ବାହାରକୁ ଧୀରେ କରି ଉଡାଇ ଦେଇ ଚାଲିଯାଇଥାଏ ରଶ୍ମୀ l ଦେଖୁଥାଏ ଶୀତଳ ପବନର ମୃଦୁ ସ୍ପର୍ଶ ତାକୁ ଡେଣା ମେଲିବାକୁ ସାହାଯ୍ୟ କରୁଥାଏ l ଛୋଟିଆ ପ୍ରାଣଟିକୁ ଚିରଦିନ ପାଇଁ ମୁକ୍ତିର
ସନ୍ଧାନ ଯୋଗାଇବାରେ ସେ ତେବେ ସକ୍ଷମ l ଭାବିଲା ନିଜକୁ ବଳି ପକାଇ ପାରେ ହେଲେ ତାର କିଛି ଅଧିକାର ନାହିଁ ତା ଭିତରେ କେନା ମେଲାଉଥିବା କୁନି ପ୍ରାଣଟିକୁ ଏ ପ୍ରକାର ପରିବେଶରେ କୁଶିକ୍ଷା ଅନ୍ଧବିଶ୍ୱାସ ଭିତରେ ଜାଣି ଜାଣି ବଡ଼ ହେବାକୁ ଦେବା ପାଇଁ l ପଣ କଲା ତାକୁ ଏଥିରୁ ମୁକ୍ତ କରିବାଲାଗି, ଯାହାବି ହେଇଯାଉ ନା କାହିଁକି l
ପରଦିନ ଖବର ଯାଇଥାଏ ରଶ୍ମୀର ବାପାଙ୍କ ପାଖକୁ ଝିଅ ତାଙ୍କର ଚାଲିଯାଇଛି ଘରଛାଡି ସମସ୍ତଙ୍କ ମୁହଁରେ ଚୂନ କାଳି ବୋଳି l ତାକୁ ଲାଗୁଥାଏ କେଉଁଠୁ ଦେବୀଟିଏ ନିଜର ପ୍ରଚଣ୍ଡ ଶକ୍ତି ନେଇ ତା ଭିତରେ ଅବତରିତ ହୋଇ ଯାଇଥାନ୍ତି ଯେପରି l ଅସୀମିତ ସମ୍ଭାବନା ଡେଣା ମେଲାଉ ଥାଏ ତା ଭିତରେ ଖେଦି ଯିବାକୁ ଆକାଶ ଠିକ ସେ କଙ୍କିଟିଏ ଭଳି l
