କେସ ଷ୍ଟଡ଼ି
କେସ ଷ୍ଟଡ଼ି
ସୌମେନ ଚୌଧୁରୀ ଯେତେବେଳେ ରାଉରକେଲା ସହରକୁ ଆସିଥିଲେ, ସେତେବେଳକୁ ମଧ୍ୟ ଚାକିରୀରେ ମରୁଡ଼ି ଲାଗିଲାଣି । ଯଦି କା-ଭାଁ ଗୋଟାଏ ଅଧେ ଚାକିରୀ ବାହାରି ପଡୁଥିଲା । ତା' ପାଇଁ ଲମ୍ବା ଧାଡ଼ି ଲାଗୁଥିଲା । । ଏଣେ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ କାରବାର । ହତାଶ ହେଇ ସୌମେନ ଗାଆଁକୁ ଫେରି ଯିବାକୁ ବସିଥିଲେ ।
ମଉସା ପୁଅ ଭାଇ ପରାମର୍ଶ ଦେଇ କହିଥିଲେ-" ଆଉ ତୁ ଚାକିରୀ ପଛରେ ନ ଧାଇଁ ବରଂ ଅନ୍ୟ କିଛି ଗୋଟାଏ ଉପାୟରେ ରୋଜଗାର କରିବା ପାଇଁ ଚେଷ୍ଟା କର । ଟଙ୍କା ତ ସହର ଯାକ ଉଡୁଛି, ବୁଦ୍ଧି ଖଟେଇ ପାରିଲେ; ସେ ଟଙ୍କାକୁ ତୁ ଧରି ଆଣି ପାରିବୁ । ଯାହି ତାହିକି ତୁ ଲ'ଟା ତ ପାସ କରିଛୁ, କିଛି ନ ହେଲେ ତୁ ପ୍ରାକ୍ଟିସ ଆରମ୍ଭ କରିଦେ । ଏଡ଼େ ବଡ଼ ସହରରେ ତୋ ପେଟ ଚାଖଣ୍ଡେ ଅପୋଷା ରହିବ ନାହିଁ ।"
ଭାଇଙ୍କ କଥାଟା ସେଦିନ ସିନା ଅଡୁଆ ଲାଗୁଥିଲା, କିନ୍ତୁ ନିଜ ଡେଣାରେ ଉଡ଼ିବା ଜାଣିବା ପରେ ସୌମେନ ବୁଝିଗଲେ- ସତରେ ଏ'ଭଳି ରୋଜଗାର ବାଟ ଆଉ କୋଉଠି ନଥିବ ।
ବର୍ଷ କେଇଟା ଭିତରେ ସିଭିଲ ଟାଉନସିପରେ ସେ ଜାଗା କିଣି ବହୁତଳ ପ୍ରସାଦ ତୋଳି ସାରିଲେଣି । ପୁରୁଣା ସାଇକେଲରୁ ସ୍କୁଟର, ପୁଣି ମାରୁତି କାରକୁ ଛାଡ଼ି ଏବେ ଏ.ସି. ଯେନ ଖଣ୍ଡେ ଧରି କଚେରୀକୁ ଯାଉଛନ୍ତି । କ୍ରାଇମ କେସ ବ୍ୟତୀତ ସେ ଅନ୍ୟ ଏଣୁତେଣୁ କେସ ହାତକୁ ନିଅନ୍ତି ନାହିଁ । କେସ ଧରି ଆସୁଥିବା ଲୋକମାନଙ୍କ ପାଇଁ ସେ ଗୋଟାଏ ସ୍ୱତନ୍ତ୍ର ଏ.ସି.ଚାମ୍ବର ତିଆରି କରେଇ ଦେଇଛନ୍ତି । ସେ ଘରର ସଜବାଜ ଆଉ ଫର୍ନିଚର ଇତ୍ୟାଦି ଦେଖିଲେ, ସୌମେନଙ୍କର ବ୍ୟାଙ୍କ ବାଲାନ୍ସ କେତେ ଥିବ; କେହି ସହଜରେ କଳ୍ପନା କରିପାରିବେ ନାହିଁ ।
ଦୁଇବର୍ଷ ତଳେ ତାଙ୍କର ବାହାଘର ହେଇଥିଲା । ଜିରୋରୁ ହୀରୋ ସାଜିଥିବା ସୌମେନ ନିଜର ପାରିଲା ପଣିଆକୁ ପ୍ରମାଣିତ କରିଦେଇ ଥିବାରୁ ଅନେକ ଧନାଢ୍ୟ ବ୍ୟବସାୟୀ, ଉଚ୍ଚ ପଦସ୍ଥ ଅଫିସର ଏବଂ ଉଚ୍ଚ ଶିକ୍ଷିତା, ସୁଶ୍ରୀ ତଥା ରୋଜଗାରକ୍ଷମ କର୍ମଜୀଵୀ ଯୁବତୀଙ୍କର ପିତା-ମାତା ତାଙ୍କୁ ଲାଇନ ଦେଇଥିଲେ । ଶେଷରେ ଖୁବ ଧୂମଧାମରେ ତାଙ୍କର ବାହାଘର ହେଇଥିଲା-ଜଣେ ବିଖ୍ୟାତ ଅସ୍ତ୍ର ବ୍ୟବସାୟୀଙ୍କର ଏକମାତ୍ର ଅଲିଅଳି କନ୍ୟା କଳ୍ପନା ସହିତ ।
ଅସ୍ତ୍ର ବ୍ୟବସାୟୀ ଜଣକ ଥରେ ଗୋଟାଏ କେସରେ ଛନ୍ଦିହେଇ ଯାଇଥିଲେ । ଅନ୍ୟାୟ, ଅନୀତି ଉପାୟରେ ସେ କୋଟି କୋଟି ଟଙ୍କା ରୋଜଗାର କରି ଆୟକର ବିଭାଗକୁ ଠକି ଆସୁଛନ୍ତି ବୋଲି କେସଟାଏ ହେଇଥିଲା । କ୍ରାଇମ କେସ ହେଣ୍ଡଲ କରୁଥିବା ସୌମେନ ତାଙ୍କୁ ଯେଭଳି କୌଶଳରେ ଉଦ୍ଧାର କରିଦେଲେ, ସେଥିରେ ବ୍ୟବସାୟୀ ଜଣକ ହତଚକିତ ହେଇ ଯାଇଥିଲେ ।
ସୌମେନଙ୍କର ସେହି ଗୋଟାଏ କେସରେ ପାଞ୍ଚ ଲକ୍ଷ୍ ଟଙ୍କା ରୋଜଗାର ହେଇଯାଇଥିଲା । ବ୍ୟବସାୟୀଙ୍କ ଘରକୁ ନିୟମିତ ଯିବା ଆସିବା ବି ଚାଲିଲା । ତାଙ୍କର ଏକମାତ୍ର ଅସୁନ୍ଦରୀ କନ୍ୟା ସହିତ ଗଢି ଉଠିଥିବା ସମ୍ପର୍କକୁ ସ୍ଥାୟୀ କରିବା ପାଇଁ ସୌମେନ ହିଁ ପ୍ରସ୍ଥାବ ଦେଇଥିଲେ । ଏଥିରେ କେହି ନାରାଜ ହେଇ ନ ଥିଲେ ।
ସୌମେନ ଜାଣିଥିଲେ, ଅସୁନ୍ଦରୀ କଳ୍ପନା ସହିତ ବାହାଘର ପରେ ପରୋକ୍ଷରେ ଶ୍ୱଶୁରଙ୍କର ଅକଳନ ଅର୍ଥର ମାଲିକ ସିଏ ହିଁ ହେବେ । ତାହା ହିଁ ସତ୍ୟରେ ପରିଣତ ହେଲା । ଅର୍ଦ୍ଧ ନିର୍ମିତ ପ୍ରସାଦ ତାଙ୍କର ଦ୍ରୁତ ଗତିରେ ନଭଶ୍ଚୁମ୍ବୀ ହେଲା । ଉପର ଦୁଇ ମହଲାରେ କଳ୍ପନାର ବେଡ଼ରୁମ, ଡ୍ରେସିଂରୁମ ଏବଂ ଅନ୍ୟାନ୍ୟ ପ୍ରାଚୁର୍ଯ୍ୟ । ଦୁଇଟା ଚାକରାଣୀ କଳ୍ପନାର ସମସ୍ତ କଥା ବୁଝାବୁଝି କରନ୍ତି । ତଳ ଦୁଇଟି ମହଲାକୁ ସୌମେନ ତାଙ୍କ ନିଜପାଇଁ ଆଉ ତାଙ୍କ ବ୍ୟବସାୟ ପାଇଁ ରିଜର୍ଭ ରଖିଥା'ନ୍ତି ।
ଓକିଲାତି ବ୍ୟବସାୟ ତାଙ୍କର ଖୁବ ଭଲ ଚାଲେ । ଦିନରାତି ସେ କ୍ରାଇମ କେସଷ୍ଟଡ଼ି କରନ୍ତି । କେବେ କେମିତି ତାଙ୍କୁ କଚେରୀ ବି ଯିବାକୁ ପଡ଼େ । ଅଧିକାଂଶ ଦିନ ସେ କଟକ-ଭୁବନେଶ୍ୱରକୁ ବି ଟୁରରେ ଯାଆନ୍ତି ।
ମୋଟାମୋଟି ଭାବେ କହିବାକୁ ଗଲେ, ସେ ତାଙ୍କ କେସ ଷ୍ଟଡ଼ିରେ ଏତେ ବ୍ୟସ୍ତ ରହନ୍ତି ଯେ, ମାସ ମାସ ଧରି ଉପର ମହଲାକୁ ଯାଇ ପାରନ୍ତି ନାହିଁ । କଳ୍ପନା ବୁଝିଛନ୍ତି, ପଇସା ହିଁ ସବୁ କିଛି । ପଇସା ଥିଲେ, ସମଗ୍ର ଦୁନିଆକୁ କିଣି ନେଇହେବ । କେଡ଼େ କେଡ଼େ ଜ୍ଞାନୀ ଗୁଣୀ, ପଣ୍ଡିତ ବି ମୁଣ୍ଡ ଝୁଂକେଇ ତାଙ୍କ ଆଗରେ ଠିଆହେଇ ରହିବେ । ସମସ୍ତ ପ୍ରକାର ସୁଖ ସୌଭାଗ୍ୟ ଦାତା ହେଉଛି-ପଇସା । କିନ୍ତୁ ପଇସା ତ ଏତେ ସହଜରେ ପାଖକୁ ଆସେନାହିଁ, କିମ୍ବା ସବୁଦିନ ପାଇଁ ଆସି ପାରିବ ନାହିଁ । ଏଥିପାଇଁ ସମୟର ଗୋଟିଏ ସୀମା ରହିଛି । ଯେତେବେଳେ ସୁଯୋଗ ମିଳିଛି, ତାକୁ ଉପଯୁକ୍ତ ଭାବେ ବିନିଯୋଗ କରିବା ଦରକାର । ଅନ୍ୟ ସବୁକଥା ପରେ ।
ସୌମେନ ବାବୁଙ୍କର ଏବେ ବ୍ୟବସାୟଟା ଖୁବ ଭଲ ଚାଲିଛି । ଗୋଟାଏ ଗୋଟାଏ କେସରେ ଲକ୍ଷ ଲକ୍ଷ ଟଙ୍କା ଆସୁଛି । ଏତିକି ବେଳେ ତାକୁ ଡିଷ୍ଟର୍ବ କରିବା ଉଚିତ ନୁହେଁ । ଅର୍ଥ ପ୍ରାଚୁର୍ଯ୍ୟରେ କଳ୍ପନା ନିଜକଥା ବି ଭୁଲି ଯାଇଥିଲେ ।
ଥରେ କଳ୍ପନାର ବୋଉ ତାକୁ ଚେତେଇ ଦେଲେ-"କିଲୋ କଳ୍ପନା ! ବାହାଘର ହେବାର ଦି'ବର୍ଷ ପୂରି, ତିନିବର୍ଷ ଚାଲିଲାଣି, ମୋ ସାଙ୍ଗରେ ଖେଳିବାକୁ ନାତିଟିଏ ଦେଉନାହୁଁ କାହିଁକି ? ସେ ସବୁ ଷ୍ଟାଇଲ ଛାଡ଼ । ଫେସନ କରୁକରୁ ବୁଢ଼ୀ ହେଇଯିବୁ । ଯାହା ହେବାର ଅଛି, ଆଗ ହେଇଯାଉ । ପିଲାମାନେ ବଢୁଥିବେ, ତା'ପରେ ପଛେ ଯାହା ବ୍ୟବସ୍ଥା କରିବାର କରିବୁ । ମୁଁ କେତେ ଫେସନ ଵାଲୀଙ୍କୁ ଦେଖିଛି, ଶେଷରେ ସେମାନେ ମୁଣ୍ଡ ବାଡ଼େଇ ହେଇ ଭାଗ୍ୟକୁ ନିନ୍ଦା କରୁଛନ୍ତି । ମୋ ସାନକୁହା ମାନି ଏ' ବର୍ଷ ମୋତେ ଖେଳିବାକୁ ସାଙ୍ଗଟିଏ ଦେବୁ, ବୁଝିଲୁ ?"
କଳ୍ପନା ହଠାତ ଏମିତି କଥାଗୁଡ଼ା ବୋଉଠାରୁ ଶୁଣି ଚମକି ପଡ଼ିଲା । ଆଗପଛ କେତେ କଥା ଭାବିଲା । ସତେ ତ ତା' ସାଙ୍ଗରେ ବାହା ହେଇଥିବା ବୀଣା, ମୋନା ଆଉ ସୁନା ସମସ୍ତଙ୍କର ତ ପୁଅ ଝିଅ ହେଲେଣି । ମୁଁ ଥରେ ନୂଆ ନୂଆ କି ସୌମେନକୁ ସେ କଥା କହି ପକେଇଥିଲି ଯେ, ସେ ତା'ର ଯେଉଁ ଉତ୍ତର ଦେଲେ, ମୋ ମନ ଥଣ୍ଡା ହେଇଗଲା । ସେହି ଦିନଠାରୁ ମୁଁ ତାଙ୍କୁ ଆଉ ଦିନେ ଛୁଆ କଥା କହିନାହିଁ ।
ପରେ ସେ ମୋତେ ବୁଝେଇ ଦେଇଥିଲେ-"ଛୁଆ ଜନ୍ମ କରିବା ପାଇଁ ମଣିଷ ବାହା ହୁଏନାହିଁ । ବରଂ ଜୀବନକୁ ଉପଭୋଗ କରିବାକୁ ହେଲେ, ପ୍ରଥମେ ଯଥେଷ୍ଟ ଟଙ୍କା ଜମାକରି ରଖିବାକୁ ହୁଏ । ସେଥିପାଇଁ ମୋତେ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡୁଛି । ସେ ପିଲାଛୁଆ ଝମେଲାରେ ମୁଁ ଏବେ ପଶିବାକୁ ଇଚ୍ଛା କରୁନାହିଁ ।'
ମୋତେ ଶୁଣେଇ ଶୁଣେଇ ଆଉ ଥରେ ସେ ତାଙ୍କ ଜଣେ ବନ୍ଧୁକୁ ବୁଝାଉଥିଲେ -"ନିଜ ସ୍ତ୍ରୀକୁ ମୁଁ ପ୍ରକୃତରେ ଶାରୀରିକ ଯନ୍ତ୍ରଣା ଦେବାକୁ ଚାହୁଁ ନାହିଁ । ପିଲାଟିଏ ଜନ୍ମହେଲେ, ସ୍ତ୍ରୀ ଲୋକଟିର ଯେଉଁ କ୍ଷତିହୁଏ, ତା'ର କଳନା କରି ହେବନାହିଁ । ସେ କ୍ଷତି ପୂରଣ ନ ହେଉଣୁ, ଶିଶୁକୁ ସ୍ତନ୍ୟପାନ କରାଇବାରେ ପୁଣି ମାଆର ରକ୍ତକ୍ଷୟ ହୁଏ ।"
ସୌମେନଙ୍କ ଯୁକ୍ତିଟା ସେଦିନ ମଧ୍ୟ ମୋ ମନକୁ ପାଇଥିଲା । ପ୍ରକୃତରେ ଛୁଆ ପୁଳାଏ ଜନ୍ମକରି ହନ୍ତସନ୍ତ ହେବାପାଇଁ ତ ଆମ ଦେଶର ଗରିବ ଲୋକଙ୍କର ଅଭାବ ନାହିଁ ।
ମୁଁ ବୁଝିଗଲି-"ସୌମେନ ଯାହା କହୁଛନ୍ତି, ସେସବୁ ମୋ ଭଲପାଇଁ । ଏତେ ବଡ଼ ନାମକରା ଓକିଲହେଇ ସେ ମୋ ଭଳି ଅସୁନ୍ଦରୀ ଝିଅକୁ ନିଜର କରି ନେଇପାରିଲେ, ଏ' କ'ଣ ତାଙ୍କର ମହାନତାର ପରିଚୟ ନୁହେଁ । ମୋର ସୁଖପାଇଁ ତ ସେ ଦିନରାତି ଖଟୁଛନ୍ତି । ମାସ ମାସ ବାହାରକୁ ଟୁରରେ ଯାଇ ରହୁଛନ୍ତି । ଯାହା ରୋଜଗାର କରୁଛନ୍ତି, ସେସବୁ ତ କେବଳ ମୋ ପାଇଁ । ସେ ତ ବାପା ମାଆଙ୍କର ଗୋଟିଏ ବୋଲି ପୁଅ । ଏଣେ ଶାଶୁ-ଶ୍ୱଶୁର ଦୁହେଁ ଆରପାରିକୁ ଯାଇ ସାରିଲେଣି । ଆଜି ନ ହେଲେ କାଲି ତା'ର ପୁଅ ଜନ୍ମହେବ । ସେ ବଳେବଳେ ଏ' ଅକଳନ ସମ୍ପତ୍ତିର ଉତ୍ତରାଧିକାରୀ ହେବ ।
-କିନ୍ତୁ କାହିଁ ? ସୌମେନ ତ ମୋ ପାଇଁ ସ୍ୱତନ୍ତ୍ର ରାଣୀହଂସପୁରଟିଏ ଗଢିଦେଇ ନିଜେ ରାଜନଅରରେ ରହିଲେ । ମୋ ପୁରକୁ ତ ତାଙ୍କର ଦିନେ ବି ବି
ଜେ ହେଉନାହିଁ ?'
ଏ'କଥା ବୋଉକୁ କେମିତି କହିବି ? ସେ କ'ଣ ମୋ କଥାକୁ ବିଶ୍ୱାସ କରିବ ? ବରଂ ସବୁଦିନ ପରି ସେ କହିବ-"ତୁ ତ ଟଙ୍କା ରଂକୁଣିହେଇ ତାକୁ ଦିନରାତି ଖଟାଉଛୁ । ଆଲୋ, ଟଙ୍କା ରଖି କ'ଣ କରିବୁ ? ଜ୍ୱାଇଁକୁ କ'ଣ ତୁ ବୁଝେଇ ପାରୁନୁ?"
ମୁଁ ବୋଉକୁ ଭୁଲେଇବାକୁ ଯାଇ କହିଦେଲି-"ତୋ ଜ୍ୱାଇଁଙ୍କ କଥା କ'ଣ କହିବି ? ଯେଉଁକାମରେ ସେ ମନ ଦେଇଥିବେ ନା' ତାକୁ ନ କରି ଛାଡ଼ିବେ ନାହିଁ । କେତେ ବଡ଼ ବଡ଼ କ୍ରାଇମ କେସ ! ତାକୁ ଷ୍ଟଡ଼ିକରି ଲଢ଼ିବାକୁ ହୁଏ । ସେ ଏଣୁ ତେଣୁ ବାଜେ କଥାରେ ମନ ଦିଅନ୍ତି ନାହିଁ । ତୁ ବ୍ୟସ୍ତ ହେଉଛୁ କାହିଁକି ? ସମୟ ହେଲେ , ବେଳେ ନାତି-ନାତୁଣୀଙ୍କୁ ଦେଖିବୁ ନାହିଁକି ?"
ଆଉ ଦିନେ କଳ୍ପନାର ବୋଉ ସୌମେନଙ୍କ ଘରକୁ ଆସି ରାତିରେ ରହିଗଲେ । ତାଙ୍କୁ ଭାରି ଅଡ଼ୁଆ ଲାଗିଲା । ଝିଅଟା ଏକୁଟିଆ ଉପର ଘରେ ଏଣେ, ଜ୍ୟୋଇଁ ତାଙ୍କର ଚାମ୍ବରରେ ରାତି ସାରା ରହିଲେ । ସେ ସିଧାଯାଇ ଝିଅକୁ ପଚାରିଲେ -"ଜ୍ଵାଇଁଙ୍କ ସାଙ୍ଗରେ ତୋର କିଛି ପାଟି ତୁଣ୍ଡ ଝଗଡ଼ା ହେଇଛି ନା'କ'ଣ ?"
କଳ୍ପନା ବୁଝେଇଦେଲେ-"ନାଇଁ ବୋଉ ! ତାଙ୍କର କାମ ବହୁତ । ସେ ସବୁଦିନ ରାତିସାରା କେସ ଷ୍ଟଡ଼ି କରନ୍ତି ତ, ଆଉ ଉପରକୁ ଆସି ପାରନ୍ତି ନାହିଁ । ସେଇଠି ଶୋଇ ପଡ଼ନ୍ତି ।"
-ବୋଉ କଳ୍ପନାର କଥାରେ ମୋଟେ ସନ୍ତୁଷ୍ଟ ହେଲାନାହିଁ । ବରଂ ଆହତ ନାଗୁଣୀ ପରି ପାଟି କମ୍ପେଇ କହିଲା -"କି' ଷ୍ଟଡି ଦେଖାଉଛୁ ଲୋ ମୋତେ । ତୁ କେବେ ତାଙ୍କର କେସକୁ ଷ୍ଟଡ଼ି କଲୁଣି ନା' ନାହିଁ ?"
ବୋଉର ଶେଷକଥା ପଦକ କଳ୍ପନାର ହୃଦୟରେ ସନ୍ଦେହର କୁହେଳିକା ସୃଷ୍ଟିକଲା ।
ସତେ ତ ଦିନେ ହେଲେ ବି ମୁଁ ସୌମେନର କାର୍ଯ୍ୟ କଳାପକୁ ସନ୍ଦେହ ଦୃଷ୍ଟିରେ ଦେଖିନାହିଁ । ଆଜି ମୋର ଜନ୍ମଦାତ୍ରୀ ମାଆ କାହିଁକି ଏ'କଥା କହିଲା ?
ସେଦିନ ରାତିରେ କଳ୍ପନାକୁ ଆଉ ନିଦ ହେଲାନାହିଁ । ସେଇ ଚିନ୍ତାର ଅଡୁଆ ସୂତାରେ ସେ ନିଜେ ବି ଛନ୍ଦିହେଇ ପଡୁଥିଲା । ଏଣେ ସୌମେନକୁ ସେ ସୂତାରେ ବାନ୍ଧି ରଖିବାର କୌଶଳମାନ ବାହାର କରି ଚାଲିଥିଲା ।
ତା'ପରଦିନ କଳ୍ପନା ତା'ର ବୋଉ ସାଙ୍ଗରେ ସୌମେନ ବିଷୟରେ ସମ୍ଭାବିତ ଦୁର୍ଗତି ସମ୍ପର୍କରେ ଆଲୋଚନା କଲେ । କିନ୍ତୁ ସତ୍ୟକୁ ଖୋଜି ବାହାର କରିବା ତା'ପାଇଁ ଏତେ ସହଜ ନ ଥିଲା ।
ଦୁଇଦିନ ପରେ କଳ୍ପନା ଖବର ପାଇଲା, ସୌମେନ ପୁଣି ଲମ୍ବା ଟୁରରେ ଭୁବନେଶ୍ୱର ବାହାରିଛନ୍ତି । ସେ ମନେ ମନେ ଠିକକଲା, ଆଜି ସେ ତଳ ମହଲାକୁ ଯାଇ ଚାମ୍ବରରେ ଥିବା ସମସ୍ତ ଫାଇଲ ପତ୍ରକୁ ଖେଳେଇ ଦେଖିବ । ତା'ବୋଉ ମନରେ ଜାଗ୍ରତ ହୋଇଥିବା ସନ୍ଦେହର ଘେର ଭିତରୁ ପ୍ରକୃତ ସତ୍ୟକୁ ଖୋଜି ବାହାର କରିବ ।
ସେଦିନ ସୌମେନ ଏଷ୍ଟିମ ଗାଡ଼ି ନିଜେ ଚଳେଇ ଭୁବନେଶ୍ୱର ବାହାରି ଗଲେ । କଳ୍ପନା ଚାମ୍ବରର ଚାବିନେଇ କବାଟ ଖୋଲିଲା । କୁଢ଼ କୁଢ଼ ଫାଇଲ, ଯାବତୀୟ କ୍ରାଇମ କେସର ରିପୋର୍ଟ । ଜଜମେଣ୍ଟ କପି । ତା'ଭିତରୁ ତା' ବାପାଙ୍କ ଦୁର୍ନୀତି ଫାଇଲଟା ମଧ୍ୟ ସେ ଦେଖିଲା । ରାତି ସାରା ସେ ଅନିଦ୍ରା ହୋଇ ସୌମେନର କୌଣସି ପ୍ରକାର ଦୁର୍ଗତିର ଚିହ୍ନ ବର୍ଣ୍ଣ ପାଇଲା ନାହିଁ । ବରଂ ନିଜ ବୋଉକୁ ମନେ ମନେ ବହୁତ ଗାଳିଦେଲା ।
ସେତେବେଳକୁ ରାତି ପାହି ଆସୁଥାଏ । ହଠାତ ଚାମ୍ବର ଫୋନଟା ଗର୍ଜି ଉଠିଲା-ଲମ୍ବା ରିଂ । ଇଏ ତ ଦୂରରୁ ଆସିଛି । ତେବେ କ'ଣ ସୌମେନ ଯାଇ ଭୁବନେଶ୍ୱରରେ ପହଞ୍ଚି ଫୋନ କରୁଛନ୍ତି ? କିନ୍ତୁ ସିଏ ତ ଜାଣନ୍ତି, ଚାମ୍ବରଟା ରାତିରେ ବନ୍ଦଥାଏ । ତେବେ କ'ଣ ତାକୁ ପରୀକ୍ଷା କରିବା ପାଇଁ ସୌମେନ ଫୋନ କରୁଛନ୍ତି ? ସେ ଜାଣନ୍ତି, କଳ୍ପନା କେବେ ରାତିରେ ଚାମ୍ବର ଭିତରକୁ ଆସେନା । ହଠାତ ଆଜି ଫୋନରେ ତାକୁ ପାଇ କ'ଣ ଭାବିବେ ? ତେଣୁ ସେ ଫୋନଟାକୁ ଚାହିଁ ରହିଥାଏ । ରିଂ ହେଇହେଇ ବନ୍ଦ ହେଇଗଲା ।
କଳ୍ପନାର ମନଟା ଅସ୍ଥିର ହେଲା । ଫୋନଟାକୁ ଧରି ପକେଇଥିଲେ-ବୋଧହୁଏ ଭଲ ହେଇଥା'ନ୍ତା, ସେ ନିଜେ ଜାଣି ପାରୁ ନଥିଲା ।
ପୁଣି ରିଂ ବାଜିବା ଆରମ୍ଭ ହେଇଗଲା । କଳ୍ପନା ଆଗପଛ ନ ବିଚାରି ଏଥର ଫୋନଟାକୁ ଉଠେଇ ପକାଇଲା । ସେ ପଟରୁ ଶୁଣାଗଲା-
-"ହ୍ୟାଲୋ -ଏଇଟା କ'ଣ ସୌମେନ ଚୋୖଧୁରୀଙ୍କର ଚାମ୍ବର ?"
-"ହଁ-ହଁ । ଆପଣ କିଏ କହୁଛନ୍ତି ?"
-"ମୁଁ କଟକ ଲାଲବାଗ ଥାନାରୁ ପୁଲିସ ଇନ୍ସପେକ୍ଟର କହୁଛି । ସୌମେନ ବାବୁଙ୍କ ଏଷ୍ଟିମ କାର ଦୁର୍ଘଟଣାଗ୍ରସ୍ତ ହେଇଛି । ଅତ୍ୟନ୍ତ ସାଂଘାତିକ ଅବସ୍ଥାରେ ସେ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହେଇଛନ୍ତି । ଆପଣ ଦୟାକରି ତାଙ୍କର ନିଜ ଲୋକଙ୍କୁ ଶୀଘ୍ର ପଠାଇ ଦିଅନ୍ତୁ ।"
-"ହ୍ୟାଲୋ - ହ୍ୟାଲୋ ।"
ଫୋନ କଟିଗଲା । ଏଭଳି ଅଭାବନୀୟ ଦୁର୍ଘଟଣା ସମ୍ବାଦ ଶୁଣି କଳ୍ପନାର ମୁଣ୍ଡ ବୁଲେଇ ଦେଲା । ତୁରନ୍ତ ସେ ବାପାଙ୍କୁ ଫୋନ କରି ସବୁକଥା ଜଣେଇ କଟକ ଯିବାକୁ ବାହାରି ପଡ଼ିଲା । ବିନା କାରଣରେ ସୌମେନକୁ ସନ୍ଦେହ କରି ଆଜି ସେ ଯେଉଁ ଭୁଲକାମ କରିଛି, ସେଥିପାଇଁ ସେ ନିଜକୁ ଅପରାଧୀ ମନେକଲା । ବୋଉ ତା' ମନରେ ବିଷ ଭରି ଦେଇଥିବାରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି କଳ୍ପନାର ଧାରଣା ହେଲା । ପୁଣି ଥରେ ସେ ବୋଉ ଉପରେ ବିରକ୍ତହେଇ ଗାଳିଦେଲା ।
ବଡ଼ ଡାକ୍ତରଖାନାରେ ପହଞ୍ଚି କଳ୍ପନା ଦେଖିଲା- ସୌମେନଙ୍କର ଅବସ୍ଥା ଅତ୍ୟନ୍ତ ଖରାପ । ଡାକ୍ତର,ନର୍ସ ଆଉ କେତେଜଣ ତାଙ୍କୁ ବଞ୍ଚେଇବାକୁ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି । ଅସହାୟ ଅବସ୍ଥାରେ କଳ୍ପନା କେବଳ ଭଗବାନଙ୍କୁ ଡାକୁଥିଲା । ତା'ବାପା ବିଡ଼ା ବିଡ଼ା ଟଙ୍କା ବାହାର କରି ଖର୍ଚ୍ଚକରି ଚାଲିଥା'ନ୍ତି ।
ଅପରେସନ ଥିଏଟରରୁ ସୌମେନ ବାହାରିଲେ । କିନ୍ତୁ ଆଉ କିଛି ନଥିଲା । ଏ'ଖବର ପାଇ କଳ୍ପନା ଚେତା ହରେଇ ଦେଲା । ତାକୁ ପୁଣି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଲା ।
କଳ୍ପନାର ବାପା ଲକ୍ଷ୍ୟ କରୁଥିଲେ, ଆଉ ଜଣେ ମହିଳା ସୌମେନର ଡେଡ଼ ବଡ଼ିକୁ କୁଣ୍ଢେଇ ଅତି ବିକଳହେଇ କାନ୍ଦୁଥିଲେ । ତା'ପାଖରେ ଦୁଇଟି ଛୁଆ ଠିଆ ହେଇଥିଲେ । ଅନ୍ୟ କେତେ ଜଣଲୋକ ସେମାନଙ୍କୁ ସାନ୍ତ୍ୱନା ଦେଉଥିଲେ । ସେ କିଛି ବୁଝି ପାରିଲେ ନାହିଁ । ଏମାନେ ନିଶ୍ଚୟ ତାଙ୍କର କେହି ଦୂର ସମ୍ପର୍କୀୟ ହେଇଥିବେ ବୋଲି ଅନୁମାନ କରିନେଲେ ।
କିଛି ସମୟ ପରେ ସେମାନେ ସୌମେନର ଡେଡ଼ ବଡ଼ିକୁ ନେବାକୁ ପ୍ରସ୍ତୁତହେଇ ପଡ଼ିଲେ ।
ଏଣେ କଳ୍ପନାର ବାପା ତା'ପାଇଁ ବ୍ୟସ୍ତ ଥିଲା । ବହୁତ ଡେରିରେ ଶୁଣିଲେ ଯେ, ସୌମେନ ଆଗରୁ ଭୁବନେଶ୍ୱର ସତ୍ୟ ନଗରବାସୀ ସୁରେଶ ମହାପାତ୍ରଙ୍କ ଝିଅକୁ ବିବାହ କରିଥିଲେ । ତାଙ୍କର ଦୁଇଟା ପୁତ୍ର ସନ୍ତାନ ଅଛନ୍ତି । ସେଇଥିପାଇଁ ସେ ବାରମ୍ବାର ଲମ୍ବା ଟୁରରେ ଭୁବନେଶ୍ୱର ଆସି ରହନ୍ତି । ଏମାନେ ହେଉଛନ୍ତି-ପ୍ରକୃତରେ ତାଙ୍କ ପରିବାର । ମୋ ଝିଅ ହେଉଛି-କେବଳ ମାତ୍ର ରକ୍ଷିତା । ତାଙ୍କର ମୁଣ୍ଡ ଘୂରେଇ ଦେଲା । କେମିତି ସେ କଳ୍ପନାକୁ ଏ'କଥା କହିବେ ? ସ୍ଥିରକରି ପାରିଲେ ନାହିଁ ।
କଳ୍ପନାକୁ ଧରି ସେ ସିଧା ରାଉରକେଲା ଫେରି ଆସିଲେ ।
ହଠାତ ଦିନେ ସୌମେନର ଅସଲ ପରିବାର ଆସି ପହଞ୍ଚିଲେ । ନଭଶ୍ଚୁମ୍ବୀ ପ୍ରାସାଦକୁ ସେମାନେ ଭଡ଼ାରେ ଦେବାକୁ ଆସିଛନ୍ତି ବୋଲି କଳ୍ପନାକୁ ଜଣେଇ ଦେଲେ । କଳ୍ପନାର ସଂସାରରେ ଝଡ଼ ସୃଷ୍ଟି ହେଲା । ସେ ବାପାଙ୍କୁ ଡକେଇଲା । ଅସହାୟ ବାପାଙ୍କର କିଛି କହିବାର ନଥିଲା । ଜଣା ପଡ଼ିଲା-ବ୍ୟାଙ୍କ ବାଲାନ୍ସ ସବୁ ତାଙ୍କର ପ୍ରଥମ ପତ୍ନୀଙ୍କ ଜଏଣ୍ଟ ଆକାଉଣ୍ଟରେ ଥିଲା । ପ୍ରାସାଦଟା ମଧ୍ୟ ତାଙ୍କରି ନାମରେ ରେଜେଷ୍ଟ୍ରି କରାଯାଇଛି ।
କଳ୍ପନା ସବୁ ଜାଣିସାରି କଳାକାଠ ପାଲଟି ଯାଇଥିଲା । ଭାବୁଥିଲା-“ମୋ ବୋଉ ହିଁ ସୌମେନ ଦୁର୍ଗତିର କେସଟିକୁ ଠିକଭାବେ ଷ୍ଟଡ଼ିକରି ପାରିଥିଲା । ମୁଁ ଆଉ ମୋ ବାପା ଆଜି ହାରି ଯାଇଛୁ ।