ଭଗବାନ ହିଁ ଭରସା
ଭଗବାନ ହିଁ ଭରସା
କଥାରେ ଅଛି-ସୂତାକୁ ମାଜିଲେ-ପତଳା ହୁଏ, ଆଉ କଥାକୁ ମାଜିଲେ ମୋଟାହୁଏ | ଗୋଟାଏ କଥାକୁ ଧରି ବସିଲେ, ସେଥିରୁ ଅନେକ ଖିଅ ବାହାରିଥାଏ | ଡାହା ମିଛ କେବେ ସତ ଭଳି ଲାଗେ ତ ପୁଣି ନିରାଟ ସତକଥା ମିଛରେ ପ୍ରମାଣିତ ହୋଇଯାଏ | ଏଥିପାଇଁ ନିପୁଣ କଳାକାର, କୁହାଳିଆ ଟାଉଟର, ଈର୍ଷା ପରାୟଣ ସହକର୍ମୀ, ସ୍ୱାର୍ଥହାନୀର ଆଶଙ୍କାରେ ଥିବାଲୋକ, ଖଳ-ବଳ, ଦୁଷ୍ଟବୁଦ୍ଧି, ଦାୟିତ୍ୱହୀନ ମଣିଷ ସର୍ବୋପରି କୁଜିନେତା ସୁବିଧା ସୁଯୋଗ ଖୋଜି ବୁଲୁଥା’ନ୍ତି | ସେମାନେ ସୁଯୋଗ ସୁବିଧା ଆଉ କାନକୁହା ଗୁଜବକୁ କଥାକୁ ଚାହିଁ ଅପେକ୍ଷା କରିଥା’ନ୍ତି | ଏମାନଙ୍କର ପ୍ରରୋଚନାରେ ସାମାନ୍ୟ କଥାକୁ ନେଇ ସହରରେ ଦଙ୍ଗା ବି ହେଇଯାଏ | ସରକାରଙ୍କ ସଂପତ୍ତି ଲୁଟ ହେଇଯାଏ | ଦେଶର କୋଟିକୋଟି ଟଙ୍କାର ସଂପତ୍ତି ନଷ୍ଟ ବି ହୋଇଯାଏ|ଏ’ସବୁ ନିର୍ଭର କରେ-ସ୍ଥାନ କାଳ ପାତ୍ର ଉପରେ ।ଠିକ ସେହିପରି ଭଦ୍ରଲୋକ, ଶୃଙ୍ଖଳିତ, ଦେଶପ୍ରେମୀ, ସଚେତନ ନାଗରିକ ଜଣକ ଗୋଟାଏ ବିରାଟ ସମସ୍ୟାକୁ ଅତି ସହଜରେ ଦୂରକରି ଦେଇପାରେ | ଅନାଗତ ବିରାଟ ଦୁର୍ଘଟଣାକୁ ଅଟକାଇ ଦେଇପାରେ | ଏଥିପାଇଁ ସେଭଳି ଲୋକଙ୍କୁ ମହାଦେବଙ୍କ ଭଳି ବିଷ ପିଇବାକୁ ପଡ଼ିଥାଏ | ବହୁ ଯନ୍ତ୍ରଣାକୁ ନିଜେ ନୀରବରେ ସହ୍ୟକରି ଯାଇଥା’ନ୍ତି | ତେଣୁ ସମାଜରେ ତା’ର କୁପ୍ରଭାବ ପଡ଼ି ନଥାଏ | ଅନାଗତ ସମସ୍ୟାଟି ଟଳିଗଲେ, ଅନ୍ୟମାନେ ସେହି ଘଟଣାଟିକୁ ଅତି ସହଜରେ, ହାଲୁକାରେ ଗ୍ରହଣ କରିଥା’ନ୍ତି | ଏହା ହେଉଛି-ଆମ ସମାଜରେ ଘଟୁଥିବା ଦୈନଦିନ ଘଟଣା |
କେବଳ ମୋ ଜୀବନରେ ନୁହେଁ, ଅନେକ ଲୋକଙ୍କ ଜୀବନରେ ପ୍ରତିଦିନ ଏମିତି କେତେ ଛୋଟ ବଡ଼ ସମସ୍ୟା ଆସେ | ଜଣେ ଯଦି ଦାୟିତ୍ୱବାନ ସରକାରୀ ଚାକିରିଆ ନିଜ କର୍ତ୍ତବ୍ୟକୁ ଜନସେବା ଭାବେ ଗ୍ରହଣ କରେ, ତେବେ ତା’ ଆଗରେ ଅନେକ ସମସ୍ୟା ଉପୁଜେ | ଅସହଯୋଗ ତ ସର୍ବପ୍ରଥମେ, ତାପରେ ବଦନାମୀ, ଅପପ୍ରଚାର, ବଦଳି, ଅପମାନ ତାଙ୍କ ପାଇଁ ନିଶ୍ଚୟ ଥୁଆହେଇ ରହିଥିବ | କିନ୍ତୁ ଅର୍ଥଦଣ୍ଡ ମୁକ୍ତ ସରକାରୀ ଚାକରି ଥିବାରୁ, ସେଥିରୁ ସେ ବଞ୍ଚିଯିବେ,ଏକଥାଟି ସତ୍ୟ |
ମୋ ଜୀବନରେ ଘଟିଥିବା ଏମିତି ଗୋଟାଏ ଜଟିଳ ପରିସ୍ଥିତି ବିଷୟରେ ଆଲୋଚନା କରିବାକୁ ଆଜି ମନସ୍ଥ କରିଛି | ଏକଥାଟିକୁ ଖୁବ କମଲୋକ ମୋଠାରୁ ଶୁଣି ଅବଶ୍ୟ, ଆହା ଚୁ-ଚୁ କରି ସାରିଛନ୍ତି | ଘଟଣାଟି ଏହିପରି- ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ମୁଁ ଜଣେ କାର୍ଯ୍ୟକ୍ରମ ନିଷ୍ପାଦକ ଭାବେ କାର୍ଯ୍ୟରତ ଥାଏ | ଆକାଶବାଣୀର ନିୟମ ଅନୁସାରେ ଆମଦେଶର ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତି ଯଦି କେବେ କୌଣସି କାର୍ଯ୍ୟକ୍ରମରେ ସେହି ଅଞ୍ଚଳକୁ ଆସନ୍ତି, ତେବେ ତାଙ୍କର କାର୍ଯ୍ୟକ୍ରମର ସଂପୂର୍ଣ୍ଣ ବିବରଣୀକୁ ସ୍ଥାନୀୟ ରେଡ଼ିଓ ଷ୍ଟେସନ ରେକଡ଼ିଙ୍ଗ କରି ଏକ ବିବରଣୀ ପ୍ରସ୍ତୁତ କରି ପ୍ରସାରଣ କରିବ, ଏବଂ ସେହି ରେକଡିଙ୍ଗର ଗୋଟିଏ କପି ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଆସିଥିବା ଅଫିସରଙ୍କୁ ତୁରନ୍ତ ହସ୍ତାନ୍ତର କରିବେ | ଏହି ପ୍ରକ୍ରିୟାକୁ ଅତ୍ୟନ୍ତ ଗୁରୁତ୍ଵ ଦିଆଯାଏ | ସେଥିପାଇଁ ଯଥେଷ୍ଟ ପୂର୍ବରୁ ଆକାଶବାଣୀ କର୍ତ୍ତୃପକ୍ଷ ତା’ର ବ୍ୟବସ୍ଥା କରିଥା’ନ୍ତି | ତିନିଜଣ ଇଞ୍ଜିନିୟରିଂ ଷ୍ଟାଫ, ସ୍ଵତନ୍ତ୍ର ଗାଡ଼ି, ଜଣେ ଅଫିସର ଏହି କାମରେ ନିୟୋଜିତ ହୁଅନ୍ତି |
ମୁଁ ଜଣେ କନିଷ୍ଠ ଅଫିସର ଭାବେ ଥିଲେ ବି ମୋତେ ଏହି ଦାୟିତ୍ଵ ଥରେ ଦିଆଗଲା | ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ସଂକ୍ଷିପ୍ତ କାର୍ଯ୍ୟକ୍ରମ ସମ୍ବଲପୁର ନିକଟରେ ଥିଲା | ସେତେବେଳେ ମୋତେ ଏହି କାର୍ଯ୍ୟରେ କିଛି କର୍ମଚାରୀ ଅସହଯୋଗ କଲେ | ଗାଡ଼ି ମିଳିଲା ନାହିଁ, ସାଙ୍ଗରେ ଯିବାକୁ କେହି ଟେକନିକାଲ ଲୋକ ନ ଥିଲେ | ଏଣେ ସମୟ ହେଇଯାଉଛି | ଏଥିରେ ବିଫଳ ହେଲେ, ସବୁ ପ୍ରକାର ଦୋଷ ମୋର ହେବ | କିଛି ଉପାୟ ନ ପାଇ ମୁଁ ନିଜ ସ୍କୁଟରରେ ଜଣେ ହେଲପରକୁ ନେଇ ସଫଳତା ସହ ସବୁ କାମ କରିଦେଲି | ସନ୍ଧ୍ୟାରେ ନିୟମ ଅନୁସାରେ ବିବରଣୀ ରେଡ଼ିଓ ରିପୋର୍ଟ ବି ପ୍ରସାରିତ ହେଲା | ସବୁକାମ ଠିକଠାକ ହେଇଯିବାରୁ କୌଣସି ପ୍ରକାର ଆଲୋଚନା ବା ତର୍କ ବିତର୍କ ହେଇପାରି ନଥିଲା | ସୁରୁଖୁରୁରେ ଏତେବଡ଼ କାମଟି କେମିତି ହେଇ ପାରିଲା ସେକଥାକୁ କେହି ବି ଜାଣି ପାରିଲେ ନାହିଁ | ଏଥିପାଇଁ ମୋତେ କଷ୍ଟ ସହିତ ମାନସିକ ଯନ୍ତ୍ରଣା ମିଳିଥିଲା, ସେକଥାକୁ ମୁଁ କାହାରି ପାଖରେ ପ୍ରକାଶ ବି କଲିନାହିଁ |ଠିକ ସେହିପରି ମଣ୍ଡଳ କମିଶନ ଆନ୍ଦୋଳନ ସମୟରେ ଆଉ ଗୋଟାଏ ବିପଦ ମୋ ପାଇଁ ଆସିଥିଲା | ହଠାତ ପ୍ରଧାନମନ୍ତ୍ରୀ ଆକାଶବାଣୀରେ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେବାକଥା ଖବର ଆସିଲା | ଏଥିପାଇଁ ବି ଆକାଶବାଣୀର ପ୍ରସାରଣ ନିୟମ ବହୁତ କଡ଼ା ରହିଛି | ପ୍ରସାରଣ ହେବା ସମୟରେ ଜଣେ ଅଫିସର ବା କେନ୍ଦ୍ର ନିର୍ଦ୍ଦେଶକ ନିଜେ ଉପସ୍ଥିତ ରହିବେ | କାଳେ ବିଜୁଳି ଲାଇନ ଚାଲିଯିବ, ସେଥିପାଇଁ ଡିଜେଲ ଜେନେରେଟର ଚାଲୁ ରହିଥିବ | ବରିଷ୍ଠ ଇଞ୍ଜିନିୟର ପ୍ରସାରଣ କାର୍ଯ୍ୟକୁ ତଦାରଖ କରିବେ | ପ୍ରଧାନମନ୍ତ୍ରୀଙ୍କ ଭାଷଣର ଲିଖିତ କପି ମଧ୍ୟ ଯଥେଷ୍ଟ ପୂର୍ବରୁ ନିର୍ଦ୍ଦେଶାଳୟରୁ ଆସିଥାଏ | ଏଥର କିନ୍ତୁ ଟିକେ ବ୍ୟତିକ୍ରମ ହେଲା | ହଠାତ ଏହି ବାର୍ତ୍ତାଦାନ କାର୍ଯ୍ୟ ହେଉଥିବାରୁ ଲିଖିତ କପି ଖୁବକମ ସମୟ ପୂର୍ବରୁ ଆସିଥିଲା | ଖାଇବା ଛୁଟି ପରେ ପରେ ତାହା ଆମ ଅଫିସକୁ ମିଳିଥିଲା | ତାକୁ ଅନୁବାଦ କରି ଓଡ଼ିଆରେ ପ୍ରସାରଣ କରିବା ଦାୟିତ୍ଵ ମୋତେ ଦିଆଗଲା | ବରିଷ୍ଠ ଘୋଷକ ମାନଭଞ୍ଜନ ହୋତା ତାକୁ ପାଠ କରିବେ | ସମୟ ହାତରେ ଥାଏ ମାତ୍ର ଘଟାଏ | ଦୀର୍ଘ ଭାଷଣକୁ ଘଣ୍ଟାକ ଭିତରେ ପ୍ରସାରଣ ଯୋଗ୍ୟ ଅନୁବାଦ କରିବା ମୋ ପାଇଁ ଥିଲା ଏକ ବିରାଟ ଆହ୍ଵାନ | ହୋତାବାବୁ ମୋ ପାଖକୁ ଆସି କହିଲେ- “ଆମ ହାତରେ ଖୁବ କମ ସମୟ ଅଛି | ତେଣୁ ମୁଁ ମାଇକ୍ରୋଫୋନ ବୁଥକୁ ଯାଉଛି | ଆପଣ ଅନୁବାଦ କରି ମୋ ପାଖକୁ ପିଅନ ହାତରେ ପଠାଇବେ |” ମୁଁ ଭାବୁଛି- ଏଭଳି ପରିସ୍ଥିତି ଆକାଶବାଣୀ ଇତିହାରରେ କେବେ ଆସି ନଥିବ | ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ଏତେ କମ ସମୟ ଭିତରେଏମିତି କେହି କେବେ ଅନୁବାଦ କରିବାକୁ ସାହସ କରି ନ ଥିବେ |
ମନକୁ ଦୃଢକରି ମୁଁ ଅନୁବାଦ କାର୍ଯ୍ୟ ଆରମ୍ଭ କରିଦେଲି | ଦୁଇ-ତିନି ପୃଷ୍ଠା ଅନୁବାଦ ହେଇଛି କି ନାହିଁ, ପିଅନ ଆସି ତାକୁ ନେଇଗଲା | ତେଣେ ପ୍ରସାରଣ ଆରମ୍ଭ ହୋଇ ଯାଇଥାଏ | ମୋ ମନ ବିକଳ ହେଉଥାଏ ସତ, କିନ୍ତୁ ହାତ ଦ୍ରୁତ ଗତିରେ ଚାଲିଥାଏ | ଭଗବାନଙ୍କ ଦୟାରୁ ଠିକ ସମୟରେ ଗୋଟିଏ ପରେ ଗୋଟିଏ ପୃଷ୍ଠା ଅନୁବାଦ ହେଇଯାଉଥାଏ | ଜଗି ରହିଥିବା ପିଅନ ତାକୁ ନେଇଯାଉଥାଏ | ତେଣେ ପ୍ରସାରଣ କାର୍ଯ୍ୟ ଚାଲୁ ରହିଥାଏ | ମୋର ଅନୁବାଦ କାର୍ଯ୍ୟ ଶେଷ ହେବାମାତ୍ରେ ଶେଷ ପୃଷ୍ଠା ପଢା ଚାଲିଲା | ସବୁ ଠିକ ଠାକ ଭାବରେ ପ୍ରସାରଣ ହେଇ ଯାଇଥିବାରୁ ମୁଁ ଭଗବାନଙ୍କ ନିକଟରେ କୃତଜ୍ଞତା ଜଣାଇଲି | ଘୋଷକବୁଥରୁ ଫେରିଆସି ହୋତାବାବୁ ମୋତେ କହିଲେ-“ ଆପଣ କେମିତି ଅଛନ୍ତି, ଦେଖିବାକୁ ଆସିଛି, ଏତେ ଶୀଘ୍ର ଆପଣ କେମିତି ଅନୁବାଦ କରିପାରିଲେ | ଆଉ କିଏ ହେଇଥିଲେ, ସେ ତ ସିଧା ମନା କରି ଦେଇଥା’ନ୍ତେ | ମୁଁ ସେଇଠି ପଢିବା ସମୟରେ ଆପଣଙ୍କ ଚିନ୍ତା ହିଁ କରୁଥିଲି | ଆପଣଙ୍କ ଲେଖାକୁ ଟିକେ ଧିମେଇ ଧିମେଇ ପଢୁଥିଲି | ତେଣୁ ଅଧିକ ପାଞ୍ଚ ମିନିଟ ଲାଗିଗଲା | ଯାହାହେଉ ସୁରୁଖୁରୁରେ ଆପଣ ଅନୁବାଦ କରି ପାରିଥିବାରୁ ଅଭିନନ୍ଦନ ମୋ ତରଫରୁ |”
ସବୁକାମ ଭଲରେ ଭଲରେ ହେଇ ଯାଇଥିବାରୁ ତା’ପରଦିନ ପ୍ରୋଗ୍ରାମ ମିଟିଂରେ କାହାରି କିଛି କହିବାର ନଥିଲା | କିନ୍ତୁ ମୁଁ ଏଦିନ ଯେଉଁ ମାନସିକ ଯନ୍ତ୍ରଣା ପାଇଲି, ତାକୁ କେହି ହୃଦୟଙ୍ଗମ କରି ପାରିଲେ ନାହିଁ | କିମ୍ବା କେହି ଠାରେ ପ୍ରଶଂସା ବି କଲେନାହିଁ | ଯଦି ପ୍ରସାରଣରେ କିଛି ବିଭ୍ରାଟ ହେଇଥା’ନ୍ତା, ତେବେ ସବୁ ଦୋଷ ମୋ ମୁଣ୍ଡରେ ଲଦି ଦିଆଯାଇଥା’ନ୍ତା |
ଏହା କଷ୍ଟସାଧ୍ୟ କାର୍ଯ୍ୟ ହେଲେ ବି ମୋ ପାଇଁ ଗୋଟାଏ ବିପଦ ଥିଲା | ଈଶ୍ଵରଙ୍କ ଦୟାରୁ ମୁଁ ସେ ବିପଦରୁ ଉଦ୍ଧାର ପାଇଗଲି | ଏଥିରୁ ମୋର ଅଭିଜ୍ଞତା ହେଲା ଯେ, ବିପଦବେଳେ ଇଶ୍ଵର ବିଶ୍ୱାସ, ମନରେ ସାହସ ଓ ଦୃଢ ମନୋବଳ ହିଁ ଏକମାତ୍ର ଭରସା ହୋଇଥାଏ |