KRUTIBAS NAYAK

Inspirational

4.0  

KRUTIBAS NAYAK

Inspirational

ଲେଖକର ଦୁଃଖ

ଲେଖକର ଦୁଃଖ

3 mins
226



ଆମେ ମଣିଷ ଜନ୍ମନେଇ ସମାଜରେ ରହୁ | ପରସ୍ପର ସହଯୋଗରେ ପୁଣି ପରସ୍ପର ଉପରେ ନିର୍ଭର କରି ଚଳୁ | ସାଧାରଣ ମଣିଷଟି ପଶୁ-ପକ୍ଷୀମାନଙ୍କ ପରି ଅନ୍ୟର ସହଯୋଗ ବିନା ବଞ୍ଚି ରହିପାରେନା | ଚାଷୀ ଉପରେ ବ୍ୟବସାୟୀ, ବ୍ୟବସାୟୀ ଉପରେ ଖାଉଟି, ସରକାରୀ କଳ ଉପରେ ଦେଶର ନାଗରିକ ନିର୍ଭର କରନ୍ତି | ଜଣେ ଲେଖକ ବା କବି ଯେତେ ଭଲଲେଖା ଲେଖୁଥିଲେ ବି ସେ ନିଜେ ସୁନ୍ଦର ସୁଦୃଶ୍ୟ ପୁସ୍ତକଟିକୁ ନିଜେ ଛପାଇ ପାଠକମାନଙ୍କ ପାଖରେ ପହଞ୍ଚାଇ ଦେଇପାରିବେ ନାହିଁ | ଏଥିପାଇଁ ପ୍ରକାଶକମାନଙ୍କ ଦୟା ଉପରେ ଭରସା ରଖିବାକୁ ହୁଏ | ଯଦି ଲେଖକ ନିଜେ ପୁସ୍ତକ ପ୍ରକାଶ କରିବାକୁ ଚାହାନ୍ତି, ତେବେ ପ୍ରେସ କର୍ମଚାରୀ, ଚିତ୍ରକର, ପୁସ୍ତକ ବନ୍ଧାଳି, ପୁସ୍ତକ ବ୍ୟବସାୟୀଙ୍କ ସହଯୋଗ ତ ଦରକାର | ଏହା ମଝିରେ ଆହୁରି କେତେ ଯେ କାମ ରହିଥାଏ, ସେଥିପାଇଁ ପରଲୋକଙ୍କ ଉପରେ ତାଙ୍କୁ ନିର୍ଭର କରିବାକୁ ପଡ଼େ, ସେକଥାକୁ କେବଳ ସେହି ଲେଖକ ବା କବି କହି ପାରିବେ | ସାଧାରଣ ପାଠକ ଠିକ ଭାବରେ ବୁଝି ପାରିବେ ନାହିଁ | ସେ ସବୁକାମ ଅର୍ଥବଳ, କ୍ଷମତା ବଳ ବା ନିଜର ବୁଦ୍ଧିବଳଦ୍ଵାରା କେହି କେହି ସୁବିଧାରେ ବା ପୁଣି କେହିକେହି ଖୋଲା ହାତରେ ଖର୍ଚ୍ଚାକରି କାମଟିକୁ କରାଇ ନେଇପାରନ୍ତି | ଏସବୁ ସତ୍ୱେ ପୁସ୍ତକଟିକୁ ନିଜମନ ଉପଯୋଗୀ ପ୍ରକାଶ କରି ନପାରି ପ୍ରାୟ ଲେଖକ ଅସନ୍ତୁଷ୍ଟ ହେଇ ରହିଥିବା ଲକ୍ଷ୍ୟ କରାଯାଏ |

ପ୍ରକାଶକମାନେ ଆଜିକାଲି ଆପଣଙ୍କ ଲେଖା ପୁସ୍ତକର ପାଣ୍ଡୁଲିପିକୁ ଏତେ ସହଜରେ ପ୍ରକାଶ କରିବେ ନାହିଁ | କେତେକ ନୂଆ ଲେଖକଙ୍କୁ ବିଭିନ୍ନ ପ୍ରକାଶକ ପ୍ରଲୋଭନ ଦେଖାଇ ତାଙ୍କଠାରୁ ଆର୍ଥିକ ଶୋଷଣ ବି କରିଥା’ନ୍ତି | କାଗଜ ଖର୍ଚ, ଛାପାଖର୍ଚ ଆଗତୁରା ମାଗି ନିଅନ୍ତି | ଏବେ ତାଙ୍କ ଦୟା, ଅନୁଗ୍ରହରେ ଲେଖକଙ୍କ ଭାଗ୍ୟ ନିର୍ଭର କରେ | ଶେଷରେ ଅଧିକାଂଶ ଲେଖକ ଆଶାନୁରୂପ ଛାପା ହେଉନଥିବାରୁ ଅସନ୍ତୁଷ୍ଟ ବା ହତାଶ ହେବାର ନଜିର ବି ରହିଛି | ଆଧୁନିକ ଛାପାଖାନା ଓ ଅକ୍ଷର ଖଞ୍ଜା ପାଇଁ କମ୍ପୁଟର ବ୍ୟବସ୍ଥା ହେବା ଫଳରେ କେହିକେହି ଲେଖକ ନିଜଲେଖାକୁ ନିଜେ ଟାଇପ କରି ସହଜରେ ସଂରକ୍ଷଣ କରି ପାରୁଛନ୍ତି ସତ, ତଥାପି ପୁସ୍ତକ ପ୍ରକକାଶନ ପାଇଁ ଅନେକ ଲୋକଙ୍କ ଉପରେ ନିର୍ଭର କରିବାକୁ ପଡୁଛି |

ସଂପ୍ରତି ପାଠକଙ୍କ ସଂଖ୍ୟା ଦିନକୁ ଦିନ କମିକମି ଯାଉଥିବା ସହିତ ପୁସ୍ତକଗୁଡ଼ିକ ଆଉ ହଜାର ସଂଖ୍ୟାରେ ଛାପା ହେଉନାହିଁ | କିନ୍ତୁ ଆମଭାଷାରେ କେତେପ୍ରକାର ପୁସ୍ତକ ପ୍ରତିଦିନ ପ୍ରକାଶ ହେଉଛି, ତା’ର ହିସାବ କରିବା କଷ୍ଟକର ବ୍ୟାପାର | ବହୁରଙ୍ଗ ବିଶିଷ୍ଟ ଅତି ଆକର୍ଷଣୀୟ ତଥା ଅତି ମୂଲ୍ୟବାନ କାଗଜ ବ୍ୟବହାର କରାଯାଇଥିବା ପୁସ୍ତକ ମଧ୍ୟ ଆମ ନଜରକୁ ଆସୁଛି | ସେଗୁଡ଼ିକୁ ଦେଖି ବିଚରା ଲେଖକମାନେ ନିଜକୁ ଅସହାୟ ମନେକରନ୍ତି, କେହିକେହି ନିଜର ସଞ୍ଚିତ ଧନକୁ ସେଥିରେ ବିନିଯୋଗ କରି ସରସ ସୁନ୍ଦର ପୁସ୍ତକଟିଏ ନିଜେ ଛପାଇବାକୁ ବ୍ୟାକୁଳ ହୋଇଉଠନ୍ତି | ତାଙ୍କର ବ୍ୟାକୁଳତା ଯେତେ ପରିମାଣରେ ଅଧିକ ହୁଅନ୍ତି, ସେ ସେତେ ଶୀଘ୍ର ଶିକାରୀ ଜାଲରେ ପଡ଼ନ୍ତି | ପ୍ରତ୍ୟେକ ସ୍ତରରେ ଶୋଷଣ ଆଉ ହଇରାଣ | ଶେଷରେ ହତାଶ, ଅସନ୍ତୋଷ, କଳିଗୋଳ, ମାଡ଼ପିଟ, ଥାନାରୁ କୋର୍ଟ କଚେରୀକୁ ଯିବାକୁ ପଡ଼ିଥାଏ | ସଦଭାବ ସହିତ ବନ୍ଧୁତା ଚିରଦିନ ପାଇଁ ଭାଙ୍ଗିଯାଏ | ଏ’ ଦିଗରେ ମୋର ବ୍ୟକ୍ତିଗତ ଅନୁଭୂତି ବହୁଳ ପରିମାଣରେ ରହିଛି | ସତରେ ଲେଖକ ହେବା କି କଷ୍ଟ !

ଆଗରୁ କହି ରଖିଛି, କେତେଜଣ ଅତି ବିଶିଷ୍ଟ ଲେଖକ ଭାବରେ ପରିଚିତି ଲାଭ କରିଥିବା ବ୍ୟକ୍ତି ଗୋଟାଏ ଗୋଟାଏ ପ୍ଲାଟଫର୍ମରେ ଥିବାରୁ ସେମାନେ ସହଜରେ ନିଜର ସୁନ୍ଦର ପୁସ୍ତକ ପ୍ରକାଶ କରି ପାରୁଛନ୍ତି | ଅନ୍ୟ କେତେଜଣ ନିଜର ଅର୍ଥବଳ ଆଉ କ୍ଷମତା ବଳରେ ମଧ୍ୟ ସେ କାମକୁ କରିନେଇ ପାରୁଛନ୍ତି | ଯେଉଁମାନେ କେବଳ ମନଧ୍ୟାନ ଲଗାଇ ସାହିତ୍ୟ ସେବାରେ ବ୍ରତୀ, ସେମାନଙ୍କର ପୁସ୍ତକ ପ୍ରକାଶନ ସତରେ ସ୍ଵପ୍ନହେଇ ରହିଯାଉଛି | ସେଭଳି ଲେଖକ ବିଚରା ଅସହାୟ ଆଉ ଅପାରଗ ଭାବରେ ପରିଚିତି ଲାଭ କରନ୍ତି | ତାଙ୍କୁ କେହିକେହି କାମ ନଥିବା ଲୋକ ଭାବି ତାଙ୍କ ନିଜର ଆଗ୍ରହ ଥିବା ବିଷୟ ଉପରେ ଲେଖିବାକୁ ବା ତାଙ୍କ ପରିବାରରେ କେହି ମରିଗଲେ ତାଙ୍କ ସ୍ମୃତି ଚାରଣ କରିବାକୁ ପରାମର୍ଶ ଦେଇଥା’ନ୍ତି |

ଜଣେ ଲେଖକ ଯଦି ବହୁକଷ୍ଟକରି ବହିଟିଏ ଛାପି ଦିଅନ୍ତି, ତେବେ ସେହିଦିନରୁ ତାଙ୍କ ଉପରେ ରାହୁ-କେତୁ ଗ୍ରହ ଚଳନ ହୁଅନ୍ତି | ସେ ବହି ତାଙ୍କପାଇଁ ବୋଝ ହେଇଯାଏ | ସେଥିରୁ ଯାହା କେତେଖଣ୍ଡ ମାଗଣାରେ ବାଣ୍ଟି ସାରିଲେ, ଶେଷରେ ଅସହାୟ ହୋଇ ହତାଶ ଜୀବନ କାଟନ୍ତି | ଏକଥାକୁ ସମସ୍ତେ ଜାଣନ୍ତି ଏବଂ ବୁଝନ୍ତି, କିନ୍ତୁ ମନଖୋଲି କେହି କହିପାରନ୍ତି ନାହିଁ |

ଏବେ ଇଲେକ୍ଟ୍ରୋନିକ ମିଡ଼ିଆ ଯୁଗରେ କେତେକ ପ୍ରକାଶନ ସଂସ୍ଥା ଲେଖକମାନଙ୍କୁ ଶୋଷଣ କରିବାର ନୂଆ ଉପାୟ ବାହାର କରିଛନ୍ତି | ପୁରସ୍କାର ଓ ପ୍ରମାଣପତ୍ରର ଲୋଭ ଦେଖାଇ ସେମାନେ ଲେଖକମାନଙ୍କୁ ତାଙ୍କ ଇଚ୍ଛା ଅନୁସାରେ ବିଷୟବସ୍ତୁ ଦେଇ ଲେଖି ନେଟ ମାଧ୍ୟମରେ ପଠାଇବାକୁ ବିଜ୍ଞାପନ ଦେଉଛନ୍ତି | ଗଳ୍ପ, ଉପନ୍ୟାସ, କବିତା, ଧାରାବାହିକ ଲେଖାକୁ ୟୁନିକୋର୍ଡ ଫଣ୍ଟରେ ପଠାଇବାକୁ କହୁଛନ୍ତି | ଅବଶ୍ୟ ସେକାମ ଜାଣିଥିବା ଲୋକଙ୍କୁ ଏହା ସହଜ ଲାଗିପାରେ | କିନ୍ତୁ କେତେଜଣ ୟୁନିକୋର୍ଡରେ ଲେଖି ପାରିବେ ? ଆକାଶ କୁସୁମ ତୋଳିବାକୁ କେତେକ ଲେଖକ-କବି ଚେଷ୍ଟାକରି ଲେଖା ବି ପଠାଉଛନ୍ତି | ଦିନରାତି ଖଟିଖଟି ମାନସିକ ପରିଶ୍ରମ କରି ନିଜର ସକଳ ସୁଖ ସମୟକୁ ତ୍ୟାଗକରି ସେମାନେ ଯାହା ତାଙ୍କ ପ୍ଲାଟଫର୍ମକୁ ପଠାନ୍ତି, ସେଥିରୁ ସେମାନେ କିଭଳି ଉପକୃତ ହୁଅନ୍ତି, ସେହିମାନେ ହିଁ ଜାଣି ପାରୁଥିବେ | କିନ୍ତୁ ପ୍ରକାଶନ ସଂସ୍ଥାମାନେ ଏଥିରୁ ପ୍ରଚୁର ଅର୍ଥ ରୋଜଗାର କରି ପାରୁଛନ୍ତି, ଏକଥାଟି ସତ୍ୟ | ଲେଖକ ଓ କବିମାନେ ହେଉଛନ୍ତି-ସେମାନଙ୍କ ପାଇଁ ଗୋଟାଏ ଗୋଟାଏ ସୁନା ଅଣ୍ଡାଦିଆ କୁକୁଡ଼ା | କେହି କେବେ ଲେଖକର ଦୁଃଖ ବା ଅଭାବ ଅସୁବିଧାକୁ ପଚାରି ବୁଝନ୍ତି ନାହିଁ | ସୌଜନ୍ୟତା ରକ୍ଷାକରି ସାଧାରଣ ଭାବରେ ତାଙ୍କ ଫୋନ ବି ଉଠାନ୍ତି ନାହିଁ | ଲେଖକ କବିମାନେ କ’ଣ କେବଳ ଦୁଃଖ ପାଇବାକୁ ଜନ୍ମ ହେଇଛନ୍ତି ? ଏହି ପ୍ରଶ୍ନର ଉତ୍ତର ଆପଣଙ୍କ ପାଖରେ ଅଛି କି? ଜଣାଇବେ....।


Rate this content
Log in

Similar oriya story from Inspirational