KRUTIBAS NAYAK

Inspirational

4  

KRUTIBAS NAYAK

Inspirational

କହିବାକୁ ଲାଜ

କହିବାକୁ ଲାଜ

5 mins
198



ଅନ୍ଧବିଶ୍ଵାସ କୁସଂସ୍କାର ଆମଳୁ ଯୁଗେ ଯୁଗେ ହଟହଟା କରିଛି | ଯେତେପ୍ରକାର ସଚେତନତା ସୃଷ୍ଟିକଲେ ବି ଆମ ସମାଜରୁ ଅନ୍ଧବିଶ୍ଵାସ, କୁସଂସ୍କାର ଦୂର ହେଇପାରୁ ନାହିଁ | ଏବେ ବି ଆମେ ଖବରକାଗଜରୁ ବିଭିନ୍ନ ମିଡ଼ିଆରୁ ଜାଣି ପାରୁଛେ, କେଉଁଠି ଛୋଟ ଛୁଆଙ୍କୁ ଚେଙ୍କଦେଇ ମାରି ପକେଇଛନ୍ତି | ପୁଣି କେଉଁଠି ତାନ୍ତ୍ରିକ କବଳରେ ପଡ଼ି କେତେକ ଧନଲୋଭ, ଗୁପ୍ତଧନ ପାଇବାକୁ ନିଜର ଶିଶୁପୁତ୍ର-କନ୍ୟାଙ୍କୁ ବଳି ଦେଉଛନ୍ତି | ଗୁଣୀ-ଗାରେଡ଼ି ବାହାନାରେ ଅସହାୟ ବୁଢା-ବୁଢୀଙ୍କୁ ହତ୍ୟାକରି ଜେଲରେ ରହୁଛନ୍ତି | ମିଛ ପୂଜା-ପାଠକରି ଚୋର ଧରିବା ଉଦ୍ଦେଶ୍ୟରେ କୁଲା ବୁଲେଇ, ବେତ ବୁଲେଇ ସାଧାରଣ ଲୋକଙ୍କୁ ଭ୍ରମିତ କରୁଛନ୍ତି | ପୁଲିସ ହାତରେ ଧରାପଡ଼ି ସେମାନେ ହଟହଟା ହେଉଛନ୍ତି | ଠକ-ବାବାଜୀମାନେ ଗାଆଁଗାଆଁ ବୁଲି ଏଣୁତେଣୁ ଚେର-ମୂଳିଦେଇ ସବୁରୋଗ ଭଲ କରିଦେବାର ପ୍ରତିଶ୍ରୁତିଦେଇ ବେଶ ଭଲକରି ଅର୍ଥ ଲୁଟୁଛନ୍ତି | ନିଃସନ୍ତାନମାନଙ୍କୁ କେତେକ ଭଣ୍ଡବାବା ସନ୍ତାନ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରନ୍ତି | କେବଳ ସେତିକି ନୁହେଁ, ବିଭିନ୍ନ ପ୍ରକାର କୌଶଳରେ ନିରୀହ ଜନସାଧାରଣଙ୍କୁ ଅନେକ ଦୁଷ୍ଟବୁଦ୍ଧି ଲୋକ ହଇରାଣ କରୁଛନ୍ତି | ଏଥିପାଇଁ ଆମର ସଚେତନତାର ଅଭାବ ହେଉଛି, ମୁଖ୍ୟ କାରଣ |

ଆମଦେଶର ବୈଜ୍ଞାନିକମାନେ ମଙ୍ଗଳଗ୍ରହରେ ପହଞ୍ଚି ସାରିଲେଣି | କରୋନା ଭଳି ବିପଦଜନକ ରୋଗର ନିରାକରଣ ପାଇଁ ମାତ୍ର ଛ’ମାସରେ ନୂଆ ଟୀକା ପ୍ରସ୍ତୁତ କରିଦେଇ ପାରୁଛନ୍ତି | ଜ୍ଞାନ ବିଜ୍ଞାନରେ ଭାରତ ବିଶ୍ଵଗୁରୁ ଭାବରେ ସ୍ଵନାମ ଅର୍ଜନ କରିପାରିଛି | କଳା-ସାହିତ୍ୟ ସଂସ୍କୃତି, ବିଦ୍ୟା ବୁଦ୍ଧିରେ ଆମଦେଶର ଲୋକ ବିଶ୍ଵଦରବାରରେ ଶ୍ରେଷ୍ଠତା ପ୍ରଦର୍ଶନ କରିପାରୁଛନ୍ତି | ସେହି ଦେଶର ଲୋକେ ଏବେ ବି ଅନ୍ଧ-ବିଶ୍ଵାସର ବଶବର୍ତ୍ତିହୋଇ ନିଜର ସର୍ବନାଶକୁ ନିମନ୍ତ୍ରଣ କରି ଆଣୁଛନ୍ତି | କୋଟି କୋଟି ସଂଖ୍ୟାର ଲୋକେ ଏହି ମାନସିକ ରୋଗରେ ପୀଡ଼ିତହୋଇ ଦେଶର ମୂଲ୍ୟବାନ ମାନବ ସମ୍ଭଳକୁ ବରବାଦ କରିଦେଉଛନ୍ତି | ଏତେବଡ଼ ଦେଶର କୋଟିକୋଟି ଲୋକଙ୍କୁ ସଚେତନ କରାଇବା ସମ୍ଭବ ହେଉନାହିଁ | ନିଜଘରର ମୁରବି ଲୋକ ଯେତେବେଳେ ଅନ୍ଧ-ବିଶ୍ୱାସକୁ ସହଜରେ ଗ୍ରହଣ କରିନିଅନ୍ତି, ସେତେବେଳେ ପରିବାରର ଅସହାୟ ସଦସ୍ୟମାନେ ମୌନ ରହିବାକୁ ବାଧ୍ୟ ହୁଅନ୍ତି | ସହଜ, ଶୀଘ୍ର ଓ ସ୍ୱଳ୍ପ ଖର୍ଚ୍ଚରେ ନିଜର ସମସ୍ୟା ଦୂର ହେଇଯିବା ଆଶାରେ ଅନ୍ୟମାନେ ମଧ୍ୟ ସେହି ସହଜ ପନ୍ଥାକୁ ଗ୍ରହଣ କରିନିଅନ୍ତି | ଫଳରେ ଏହାର ପ୍ରଚାର ପ୍ରସାର ଦିନକୁ ଦିନ ବଢିଚାଲୁଛି | କେତେକ ଜିଦଖୋର ଲୋକ ଏହି ଅନ୍ଧ-ବିଶ୍ୱାସକୁ ନିଜର ପରମ୍ପରା ଆଉ ଆସ୍ଥା ଓ ବିଶ୍ଵାସ ଭାବରେ ମାନି ନେଇଥାଆନ୍ତି | ସେମାନଙ୍କର ଯୁକ୍ତି ନିକଟରେ ଅନେକ ପଣ୍ଡିତ ଗୁଣୀ-ଜ୍ଞାନୀଲୋକମାନେ ବି ହାର ମାନି ଯାଆନ୍ତି |

ମୋର ଏକମାତ୍ର ଭିଣୋଇ ରାମାକାନ୍ତ ସେହିପରି ଜଣେ ଅବୁଝା ମଣିଷ | ଅନ୍ଧ-ବିଶ୍ଵାସୀ ଲୋକ | ଯୋଗକୁ ତାଙ୍କ ବାଡ଼ିରେ ଗାତ ଖୋଳୁ ଖୋଳୁ ଗୋଟାଏ ଛୋଟ ଠାକୁରଙ୍କ ମୂର୍ତ୍ତି ପାଇଲେ | ତାକୁ ଦେଖାଇ ସେ ଗ୍ରାମାବାସୀଙ୍କଠାରୁ ବିଭିନ୍ନ ପ୍ରକାର ମତାମତ ଗ୍ରହଣ କଲେ | ଶେଷରେ ସ୍ଥିର ହେଲା, ସେ ଗୋଟାଏ ମନ୍ଦିର ଗଢି ମୂର୍ତ୍ତି ପୂଜା କରିବେ | ଏବେ ନିଜ ଚାକିରି ବୃତ୍ତିକଥା ଭୁଲି ସେ ମନ୍ଦିର ତିଆରି କାମରେ ଲାଗି ପଡ଼ିଲେ | ଜାହିତାହିକି ଗୋଟାଏ ଛୋଟ ଚଉଁରା ଭଳି ମନ୍ଦିର ତିଆରି ହେଇଗଲା | ତାକୁ ନିୟମିତ ପୂଜା କରିବ କିଏ ? ନିଜର ତ ସେମିତି କିଛି ଧନ ଗଚ୍ଛିତ ନାହିଁ | ଜଣେ ପୂଜକକୁ ନିଯୁକ୍ତି ଦେଇ ନିୟମିତ ପୂଜା କରାଇବାକୁ ସେ ଅସମର୍ଥ | ତେଣୁ ସେ ଆସି ଆମଘରେ ପହଞ୍ଚି ମନ୍ଦିର ପ୍ରତିଷ୍ଠା ଓ ପୂଜା ଖର୍ଚ ବହନ କରିବାକୁ ପ୍ରସ୍ତାବ ଦେଇଥିଲେ | ଆମେ ସେଭଳି କାମକୁ ନାପସନ୍ଦ କରିବାରୁ ସେ ମନ୍ଦିର କାମ ସେତିକିରେ ଶେଷ ହେଲା |

କିଛିଦିନ ପରେ ଜଣେ ଠକବାବାଜୀ ସହିତ ତାଙ୍କର କେଉଁଠି କେମିତି ଭେଟ ହେଇଗଲା | ସେ ତାଙ୍କର ଢଙ୍ଗ-ରଙ୍ଗ ଦେଖି ବାବାଜୀ କହିଲା-“ ତମେ ଘରେ ଗୋଟାଏ ଯଜ୍ଞ ବ୍ୟବସ୍ଥା କର | ମୁଁ ସେଇଠି ମହାକାଳଙ୍କର ପୂଜା କରିବି | ତମର ସବୁ ରିଷ୍ଟ ଖଣ୍ଡନ ହେଇଯିବ | ଧନ-ଧାନ୍ୟରେ ଘର ପୂରି ଉଠିବ | ତମ ଦେହରେ ଆଉ କୌଣସି ରୋଗ ପଶିପାରିବ ନାହିଁ | ତମବାପ ପୁଅଙ୍କ ଭିତରେ ଥିବା ସନ୍ଦେହ ଦୂର ହେଇଯିବ | ଏଣିକି ତମ କଥାରେ ବାପା କାମ କରିବେ | ଏଥିପାଇଁ ଟିକେ ଅଧିକ ଖର୍ଚ ଲାଗିପାରେ | କିନ୍ତୁ ମୁଁ କମଖର୍ଚରେ ସେ କାମକୁ ଉଠେଇ ନେବି | ତମେ କେବଳ କିଛି ଜରୁରୀ ଦରକାରୀ ଜିନିଷ ଯୋଗାଡ଼ କରିବ | ମୁଁ ପୂଜାଖର୍ଚ ମାତ୍ର ତିନି ହଜାର ଟଙ୍କା ନେବି | ଅଗ୍ରିମ ଏକ ହଜାର ଟଙ୍କା ଦେଇଗଲେ, ମୁଁ ଶୁଭ ସମୟ ବାହାର କରି ତମ ଘରେ ଯାଇ ପହଞ୍ଚିବି | କେବେ କେଉଁଠି କେମିତି ପୂଜା ହେବ, ସେକଥା କହି ଆସିବି |”

ବାବାଜୀ କଥା ଶୁଣି ଭିଣୋଇ ବାବୁ ରାମାକାନ୍ତଙ୍କ ମନ ଉଚ୍ଚାଟ ହେଲା | ସେ ତରବର ହେଇ ପକେଟରେ ଥିବା 300 ଟଙ୍କା କାଢି ତାଙ୍କ ହାତରେ ଧରେଇ ଦେଇ କହିଲେ-“ଆପଣ ଯେତେବେଲେ ଆମ ଘରକୁ ଆସିବେ, ମୁଁ ବଳକା ଟଙ୍କା ଦେଇଦେବି, ଆଜି ଏତିକି ଅଗ୍ରୀମ ରଖନ୍ତୁ |”

ବାବାଜୀ ବୁଝିଗଲେ ଏ’ଲୋକଟି ଥୋପ ଖାଇଛି | ତେଣୁ ସେ ସଙ୍ଗେ ସଙ୍ଗେ ଆଙ୍ଗୁଳି ଗଣି କହିଲା-“ଆଗାମୀ ସୋମବାର ଦିନ ସକାଳେ ଆମେ ଦୁଇଜଣ ଯାଇ ତମଘରେ ପହଞ୍ଚିବୁ | ସଞ୍ଜରେ ଫେରିବୁ | ତମେ ସେହି ଅନୁସାରେ ସବୁ ବ୍ୟବସ୍ଥା କରିଥିବ | କି କି ଜିନିଷ ଦରକାର, ତା’ର ତାଲିକା ସେଇଠି ଦେଇ ଆସିବି |”

ନିଜକୁ କୃତ୍ୟ କୃତ୍ୟ ମନେକରି ରମାକାନ୍ତ ଘରକୁ ଫେରିଲେ | ବାବାଙ୍କ ସେବାର ଆୟୋଜନରେ ଲାଗି ପଡ଼ିଲେ | ସେ ଦୁଇଜଣ କ’ଣ ଖାଇବେ, କେଉଁଠି ରହିବେ, ତା’ର ସୁବ୍ୟବସ୍ଥା କରିଦେଲେ | ବଳକା ସାତଶହ ଟଙ୍କା ଯୋଗାଡ଼ କରି ରଖିଲେ | ଠିକ ସମୟରେ ତାଙ୍କ ଦୁଆରେ ଗୋଟାଏ ଦାମୀ ଧଳାକାର ଆସି ପହଞ୍ଚିଲା | ରମାକାନ୍ତ ଆଦର କରି ଦାମୀ ବାବା ଓ ଚେଲାଙ୍କୁ ଘର ଭିତରକୁ ପାଛୋଟି ନେଲେ | ତାଙ୍କର ଉପଯୁକ୍ତ ସେବା ଯତ୍ନପାଇ ବାବା ଲମ୍ବା ତାଲିକା ଖଣ୍ଡେ ଧରେଇ ଦେଇ କହିଲେ-“ ଏ’ସବୁ ଜିନିଷ ତମେ ଯୋଗାଡ଼ କରି ନ ପାରିଲେ, ମୋତେ ଫୋନରେ ଜଣାଇବ, ମୋର ଚେଲା ଯାଇ ତାକୁ ସଂଗ୍ରହ କରି ଆଣିଦେବ | କିନ୍ତୁ ଆମେ ଏ’ସବୁ ଯୋଗାଡ଼ କଲେ, ତୁମକୁ ଏଥିପାଇଁ ଟିକେ ଅଧିକ ଖର୍ଚ କରିବାକୁ ପଡ଼ିବ | ବିଶେଷ କିଛି ମୂଲ୍ୟବାନ ଜିନିଷ ତାଲିକା ମୁଁ ଦେଇନାହିଁ | କେବଳ କେତେଟା ଫୁଲ, ପକ୍ଷୀର ପର ଆଉ କେତେଟା ପଶୁ ହାଡ଼ର ନାମ ଲେଖିଛି | ଅନ୍ୟପୂଜା ଜିନିଷ ତ ତମେ ଗାଆଁରୁ ଯୋଗାଡ଼ କରିନେଇ ପାରିବ | ବ୍ୟସ୍ତ ହେବା କିଛି ଦରକାର ନାହିଁ | ମୁଁ ଦାୟିତ୍ଵ ନେଇଛି ମାନେ, ସବୁକାମ ଠିକଠାକ ହେଇଯିବ | ହଉ ତମ ଫୋନ ପାଇଲେ, ଆମେ ଆସିବୁ | ଆମକୁ ଏବେ ବିଦାୟ ଦିଅ |”

ତାଲିକାଟିକୁ ଯତନର ସହିତ ପକେଟରେ ରଖିସାରି ରମାକାନ୍ତ ବାକିରେ ଥିବା ଅଗ୍ରୀମ ସାତଶହ ଟଙ୍କା ବାବାଙ୍କ ଆଡ଼କୁ ବଢେଇଲେ | ବାବା କହିଲେ-“ ଇଏ ତ ତମର ସେ ବାକିଥିବା ଟଙ୍କା ହେଇଗଲା | ଡ୍ରାଇଭରକୁ ପଚାରି ତା’ ଗାଡ଼ି ଭଡ଼ାଟା ଦେଇଦିଅ | ସେ ତିନିହଜାର ନେବ, ମୁଁ ମୂଲଚାଲ କରି ଦେଇଛି |”

ତିନିହଜାର ଟଙ୍କା କଥାଶୁଣି ରମାକାନ୍ତର ହଲକ ଶୁଖିଗଲା | କିଛି ଉପାୟ ନ ପାଇ ସେ ତାଙ୍କୁ ଘରେ ବସେଇ ଦେଇ ଗହଣା ବନ୍ଧକ ପକେଇବାକୁ ମହାଜନଙ୍କ ଘରକୁ ଦୌଡ଼ିଲେ | ଯୋଗକୁ ଭଲରେ ଭଲରେ ବିଦାୟ ନେଇ ବାବା-ଚେଲା ଚାଲିଗଲେ |

ରମାକାନ୍ତ ପକେଟରୁ ତାଲିକାକୁ କାଢି ଚଷମା ଲଗେଇ ପଢିଲେ | ଧଳା କାଉର ତିନୋଟି ପର, କଳା ବଗର ସାତୋଟି ପର, ହାତୀ ପଛଗୋଡ଼ର ଛୋଟିଆ ହାଡ଼, ମହାବଳ ବାଘର ନଖ ଦୁଇଟା, ଭାଲୁର ଲାଞ୍ଜ ଖଣ୍ଡିଏ ଆଉ ଓଟର ଖୁରା ଗୋଟିଏ | ବେଶ ଏତିକି | ତାଲିକା ଦେଖିସାରି ରମାକାନ୍ତ ମନେମନେ ଭାବିଲେ, ଏ’ସବୁ ଜିନିଷ ତ ସେମିତି କିଛି ମୂଲ୍ୟବାନ ନୁହେଁ | ପାଖ ଗାଁ’ କେଳାଙ୍କୁ କହିଲେ ଶହେ ଦୁଇଶ ଟଙ୍କାରେ ମିଳିଯିବ | ଚାରି ହଜାର ଟଙ୍କା ତ ଯାଇ ସରିଲାଣି | ଯେମିତିହେଲେ ଏ’ସବୁ ଜିନିଷ ମୋତେ ତୁରନ୍ତ ଯୋଗାଡ଼ କରିବାକୁ ହେବ | ତେଣୁ ସେ ନିଜ ଚେଷ୍ଟାରେ ଆଖପାଖ ଲୋକଙ୍କୁ ଏସବୁ ଜିନିଷ ମିଳିବାର ଠିକଣା ପଚାରି ବୁଝିଲେ | ତାଙ୍କ କଥାକୁ ଯିଏ ଶୁଣିଲା, ସିଏ ହସି ଉଡ଼େଇ ମଜା ଉଠେଇଲେ | ହତାଶ ହୋଇ ଶେଷରେ ସେ ଆମ ଘରକୁ ଆସି ଏସବୁ ଜିନିଷ ଯୋଗାଡ଼ କରିଦେବାକୁ ଅନୁରୋଧ କଲେ | ଯୋଗକୁ ମୁଁ ଘରେ ଉପସ୍ଥିତ ଥିଲି | ତାଙ୍କ କଥା ଶୁଣି ମୁଁ କହିଦେଲି-“ତମର ମୁଣ୍ଡ ଖରାପ ହେବାକୁ ଯାଉଛି | ଠକ ଭଣ୍ଡବାବାଙ୍କ ପାଲରେ ପଡ଼ି ନିଜର ସର୍ବନାଶ କରିବାକୁ ଯାଉଛ | ଯାହା ଯେତିକି ଦାନ କରିସାରିଲାଣି, ସେତିକିରେ ଚୁପ୍ ରୁହ | ଆଗକୁ ତମକୁ ଘର, ଜମି-ବାଡ଼ି ସବୁ ବିକ୍ରି କରିବାକୁ ପଡ଼ିବ | ଏସବୁ ଜିନିଷ ଯୋଗାଡ଼ କରିବା ଏତେ ସହଜ ନୁହଁ, ମିଛମାୟାରେ ତମେ ବାୟା ହେଇଛ | ଆଜି ସିଧା ଟିକେଟ କାଟି ନିଜ ଚାକରି ଜାଗାକୁ ଚାଲିଯାଅ |”

ମୋ କଥାକୁ ଘରେ ସମସ୍ତେ ସମର୍ଥନ କଲେ ସିନା, ରମାକାନ୍ତକୁ ବିଷ ଖାଇବା ପରି ଲାଗିଲା | ତା’ପରଦିନ ସେ ନିଜ ଚାକିରି ଜାଗାକୁ ଚାଲିଗଲେ | 000


Rate this content
Log in

Similar oriya story from Inspirational