KRUTIBAS NAYAK

Tragedy

3  

KRUTIBAS NAYAK

Tragedy

ଅସୁସ୍ଥ ମାନସିକତା

ଅସୁସ୍ଥ ମାନସିକତା

3 mins
185



ଆମେ ଜୀବନର ଚଲାପଥରେ ଅନେକ ବିଚିତ୍ର ଚରିତ୍ରର ମଣିଷଙ୍କୁ ଦେଖିବାକୁ ପାଇ ଥାଉ | ସେମାନଙ୍କ ମଧ୍ୟରେ ଭିକାରୀମାନଙ୍କଠାରୁ ଆରମ୍ଭ କରି ସମାଜରେ ବେଶ ପ୍ରତିପତ୍ତି ଥିବା ମଣିଷଙ୍କୁ ପୁଣି କୋମଳମତି କିଶୋର ବୟସରୁ ଲୋଳିତଚର୍ମା ବୃଦ୍ଧମଣିଷ ପର୍ଯ୍ୟନ୍ତ ଏଭଳି ହୀନ ମାନସିକତାରେ ଥିବା ଲୋକ ଦେଖାଯାଆନ୍ତି | ତେଣୁ କୌଣସି ନିର୍ଦ୍ଦିଷ୍ଟ ବୟସର ବା ଗୋଷ୍ଠୀର ଲୋକ ନୁହନ୍ତି, ସେମାନଙ୍କୁ ଆମେ ଅସୁସ୍ଥ ବା ବିକଳ ମାନସିକତାର ମଣିଷ ବୋଲି କହିଥାଉଁ | ଏହି ହୀନ ପ୍ରକୃତି ପାଇଁ ସେମାନେ ବିଭିନ୍ନ ଜାଗାରେ ବିଭିନ୍ନ ଢଙ୍ଗରେ ଅପଦସ୍ତ ହୁଅନ୍ତି, ସ୍ଥଳ ବିଶେଷରେ ଦଣ୍ଡ ବି ପାଆନ୍ତି | ଏଭଳି କୁକାର୍ଯ୍ୟ ଭବିଷ୍ୟତରେ ନ କରିବାକୁ ତାଙ୍କୁ ଭଦ୍ରଲୋକମାନେ ପରାମର୍ଶ ଦିଅନ୍ତି | କିନ୍ତୁ ଦେଖାଯାଏ, ସମୟ ସୁଯୋଗ ଦେଖି ସେମାନେ ପୁଣି ନିଜର ସେହି ପ୍ରବୃତ୍ତିକୁ କାର୍ଯ୍ୟରେ ଲଗାନ୍ତି | ସହଜରେ ଏମାନେ ସୁଧାରିବେ ନାହିଁ | ଏଭଳି କେତୋଟି ହୀନ ମାନସିକତା ଥିବା ଲୋକ ମୋ ଦୃଷ୍ଟିକୁ ଆସିଛନ୍ତି | ସେ ବିଷୟରେ ମୋର ପାଠକମାନଙ୍କ ନିକଟରେ ପ୍ରକାଶ କରିବାର ଅଭିଳାଷ ରଖିଛି |

ସେତେବେଳେ ମୁଁ ଆକାଶବାଣୀ ଜୋରନ୍ଦା କେନ୍ଦ୍ରରେ ମୁଖ୍ୟ ଭାବରେ କାର୍ଯ୍ୟରତ ଥାଏ | ଆମ ଅଫିସରେ ଚତୁର ତଥା ସକଳ କାର୍ଯ୍ୟରେ ନିପୁଣ ପିଅନଟିଏ ଥାଏ | ଆର୍ଥିକ ଦୃଷ୍ଟିରୁ ଚଳାଚଳ ବେଶ ଭଲ | ଜମିବାଡ଼ି, ଚାଷବାସରୁ ବି ଭଲ ରୋଜଗାର ହେଉଛି | ହାତଖୋଲା ଖର୍ଚ୍ଚ କରେ ସେ ପିଅନଟି | ତା’ର ଏକମାତ୍ର ପୁଅ ସେ ବର୍ଷ ମେଟ୍ରିକ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥାଏ | ଦିନେ ମୁଁ ଦେଖିଲି, ସେହି ପିଲାଟି ଆଉ ଜଣେ ସାଙ୍ଗ ସହିତ ମିଶି ନିରାଟ ଖରାବେଳେ ଯୋରନ୍ଦାରୁ ଢେଙ୍କାନାଳ ଯାଇଥିବା ରାସ୍ତାର ମାଇଲ ଖୁଣ୍ଟଗୁଡ଼ିକୁ ଶାବଳ ଆଉ ହାତୁଡି ଦ୍ଵାରା ବାଡ଼େଇ ଭାଙ୍ଗି ଚାଲିଛନ୍ତି | ତାଙ୍କ ପାଖରେ କେତେଖଣ୍ଡ ପୁରୁଣା ଲୁହାରଡ଼ ଥୁଆ ହେଇଛି | ଦୂରରୁ ତାଙ୍କୁ ଦେଖି ଆମେ ଭାବିଥିଲୁ, ଏମାନେ ରାସ୍ତାଘାଟ ନିର୍ମାଣ ବିଭାଗର କର୍ମଚାରୀ ହେଇଥିବେ | ପୁରୁଣାକୁ ଭାଙ୍ଗି ନୂଆ ମାଇଲ ଖୁଣ୍ଟ ଲଗାଉଥିବେ | କିନ୍ତୁ ତାଙ୍କ ପାଖରେ ପହଞ୍ଚି ପିଲାଙ୍କୁ ଚିହ୍ନି ସାରିବା ପରେ ମୁଁ ତାଙ୍କୁ ପଚାରିଲି- ‘କିରେ ! ଏ’ ମାଇଲ ଖୁଣ୍ଟକୁ ଭାଙ୍ଗୁଛ କାହିଁକି ?’ ଅନ୍ୟ ସାଙ୍ଗଟି ନିର୍ଭୟରେ କହିଲା-‘ଏହା ଭିତରେ ଲୁହାରଡ଼ ଅଛି, ତାକୁ ନେଇ ଆମେ ଦୋକାନରେ ବିକି ଚଣା ଖାଇବୁ |’

ସେହିପରି ଆଉ ଗୋଟିଏ ଘଟଣା ମୋର ମନେପଡ଼ି ଯାଉଛି | ଝାରସୁଗୁଡ଼ା ରାଉରକେଲା ହାଇୱେ ନିର୍ମାଣ କାର୍ଯ୍ୟ ଶେଷ ହେଇଯାଇଥାଏ | ସୁନ୍ଦର ସୁନ୍ଦର ସାଇନ ବୋର୍ଡ ରାସ୍ତାର ଦୁଇକଡ଼ରେ ଲଗା ଯାଇଥାଏ | ବିଭିନ୍ନ ଗ୍ରାମର ନାମ ଓ ବିଭିନ୍ନ ସ୍ଥାନର ଦୂରତା ଅତି ସ୍ପଷ୍ଟ ଭାବରେ ଲେଖା ଯାଇଥାଏ | ବଡ଼ବଡ଼ ଷ୍ଟିଲ ଖୁଣ୍ଟରେ ସେ ସବୁ ଲଗାଯାଇ ଥିବାରୁ ରାସ୍ତାର ସୌନ୍ଦର୍ଯ୍ୟ ବୃଦ୍ଧି ପାଉଥାଏ | ତାକୁ ଦେଖି ପଥିକ ଓ ଯାତ୍ରୀଙ୍କ ମନ ପୂରି ଉଠୁଥାଏ |

ସପ୍ତାହକ ପରେ ଆଉଥରେ ଆମେ ସେହି ରାସ୍ତାରେ ଯାଉଥିଲୁ | ଆମର ମନଦୁଃଖ ହେଇଗଲା | ଦେଖିଲୁ କୌଣସି ଗୋଟିଏ ଖୁଣ୍ଟରେ ସେହି ସୁନ୍ଦର ବୋର୍ଡ ନାହିଁ | ବିକଳ ମାନସିକତାର ଲୋକେ ସୁବିଧା ଦେଖି ତାକୁ ସବୁ ଖୋଲି ନେଇ ଯାଇଛନ୍ତି | କେତେକ ଜାଗାରେ ସେ ଖୁଣ୍ଟକୁ ମଧ୍ୟ ତାଡ଼ି ନେଇଯାଇଛନ୍ତି | ଲକ୍ଷଲକ୍ଷ ଟଙ୍କାର ଜିନିଷକୁ ସେମାନେ ଭଙ୍ଗାଲୁହା ଦରରେ ବିକି ଦେଇଥିବେ | ସେହି ଚୋରିକାମ ପାଇଁ ସେମାନେ ଯେତିକି ପରିଶ୍ରମ କରିଥିବେ, ସେତିକିରେ ତାଙ୍କର ଦିନକର ମଜୁରି ବି ଉଠି ନଥିବ |

ସେଦିନ ଦେଖିଲି ଭୁବନେଶ୍ୱରର ଶୈଳଶ୍ରୀବିହାର ଓ ନୀଳାଦ୍ରି ବିହାର ମଝି ଚଉଡ଼ା ରାସ୍ତାର ଦୁଇକଡ଼ରେ ନବ ନିର୍ମିତ ବୃହତ ଡ୍ରେନ କଡ଼ରେ ଲାଗିଥିବା ଲୁହା ଜାଲିଗୁଡିକୁ କେହି ଦୁର୍ବୁତ୍ତ କାଢି ନେଇଛି | ସେହିବାଟ ଦେଇ କାଗଜ ଜରି ଓ ଅନ୍ୟ କାଠି-କୁଟା ପଶି ନଯିବା ଉଦ୍ଦେଶ୍ୟରେ ତାକୁ ଲଗା ଯାଇଥିଲା | ସକାଳେ ସବୁ ଡ୍ରେନ ଜାଲି ନଥିବା ଦେଖି ଆମେ ଆଶ୍ଚର୍ଯ୍ୟ ହେଲୁ | ଜଣେ ପଡ଼ୋଶୀ କହିଲେ-‘କାଲି ରାତି ଦୁଇଟାବେଳେ ଦୁଇଜଣ ଲୋକ ଶାବଳ ଧରି ସେ ସବୁ ଜାଲିକୁ ତାଡ଼ି ନେଇଗଲେ | ମୁଁ ପରିଶ୍ରା କରି ଉଠିଥିଲି, ଟିକେ କାଶି ଦେବାରୁ ଆମ ଘର ପାଖ ଜାଲିଟାକୁ ସେମାନେ ନେଇ ପାରିନାହାନ୍ତି | ଗୋଟାଏ ଠେଲାଗାଡ଼ିରେ ଲଦି ତାକୁ ସବୁ ନେଇଯାଇଛନ୍ତି | ସେମାନେ କବାଡ଼ି ବାଲାକୁ ଅତିବେଶିରେ ତିନିଶହ ଟଙ୍କାରେ ବିକିଦେବେ |

ତିନିଜଣ ଲୋକଙ୍କର ମଜୁରି, ଠେଲାଗାଡ଼ିର ଭଡ଼ା ବିପଦଜନକ ଚୋରୀ କାମର ଭୟ, ଧରା ପଡ଼ିଗଲେ, ପୁଲସର ମାଡ଼ର ଆଶଙ୍କା ତୁଳନାରେ ତିନିଶହ ଟଙ୍କା କ’ଣ ବହୁତ ବେଶି ? ସ୍ଥାନୀୟ ଶ୍ରମିକମାନଙ୍କୁ କାମକୁ ଡାକିଲ, ସେମାନେ ଆଉ 500 ଟଙ୍କାରେ ରାଜି ହେଉନାହାନ୍ତି | ଚାରିଘଣ୍ଟାରୁ ତ ଅଧିକ କାମ ତାଙ୍କ ଠାରୁ ଉଠେଇ ହେଉ ନାହିଁ | କିନ୍ତୁ ସେମାନେ କାମ କରିବାକୁ ଇଚ୍ଛା ନକରି ରାତିରେ ଏଭଳି ଛୋଟ ଛୋଟ ଚୋରୀ କରିବାକୁ ପସନ୍ଦ କରୁଛନ୍ତି | ଏହା ସବୁ କେବଳ ବିକଳ ମାନସିକତା ନୁହେଁ ତ ଆଉ କ’ଣ ? ଏମାନଙ୍କୁ ବୁଝେଇ ପାରିବ କିଏ ? ଭୁବନେଶ୍ୱରରେ କାମରେ ହାତ ମାରିଲେ, ପଇସା | ମାଗଣାରେ ଚାଉଳ ମିଳୁଛି | ତଥାପି ଏମାନେ ନିଜର ହିଁ ପ୍ରବୃତ୍ତିକୁ ଛାଡ଼ି ପାରୁ ନାହାନ୍ତି |

000



Rate this content
Log in

Similar oriya story from Tragedy