KRUTIBAS NAYAK

Inspirational

4  

KRUTIBAS NAYAK

Inspirational

ଶିଙ୍ଗ ଧରି ହଟହଟା

ଶିଙ୍ଗ ଧରି ହଟହଟା

4 mins
213



ପିଲାଟି ବେଳୁ ମୋର ପଶୁ-ପକ୍ଷୀମାନଙ୍କ ପ୍ରତି ଅତ୍ୟନ୍ତ ଶ୍ରଦ୍ଧା ରହିଆସିଛି | ସେମାନଙ୍କର ନିରୀହ ଚାହାଣୀ, ଭଲ ପାଇବାର ଲକ୍ଷଣ ଦେଖି ମୁଁ ତାଙ୍କ ଭିତରେ ଥିବା ମଣିଷ ପଣିଆକୁ ବୁଝିପାରେ | ଏମିତି ତ ସକଳ ପ୍ରକାର ଜୀବଜନ୍ତୁଙ୍କର ଛୁଆ ସମସ୍ତଙ୍କୁ ସୁନ୍ଦର ଦିଶନ୍ତି | ସେମାନେ କେବେ କାହାରି ପ୍ରତି କପଟ ଆଚରଣ କରନ୍ତି ନାହିଁ | ସେମାନେ କେବଳ ମଣିଷର ସେବାରେ ଲାଗି ରହିଥା’ନ୍ତି | ଅଳିଆ ଆବର୍ଜନାରୁ, ଖାଦ୍ୟ ସଂଗ୍ରହ କରି ଆମକୁ ଅମୃତ ତୂଲ୍ୟ ଦୁଧ ଦିଅନ୍ତି | କୁକୁଡ଼ା ଆମକୁ ଅଣ୍ଡା ଦିଅନ୍ତି | ଅନ୍ୟ ପକ୍ଷୀମାନଙ୍କ ମଧ୍ୟରୁ ଶୁଆ ମଧୁର କଣ୍ଠରେ କଥା କହେ, କେତେକ ପକ୍ଷୀ ଆମ ମନକୁ ମନୋରଞ୍ଜନ କରାନ୍ତି | ବିଲେଇ, କୁକୁର ତ ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହିତ ପାଳନ କରନ୍ତି | ତେଣୁ ସେମାନେ ଗୃହପାଳିତ ଜୀବ ହିସାବରେ ମଣିଷମାନଙ୍କର ପ୍ରିୟହୋଇ ରହିଥାଆନ୍ତି |

ଅତିଛୋଟ ବୟସରେ ମୁଁ କେତେଟା କୁକୁଡ଼ା ଛୁଆଙ୍କୁ ଆଣି ବାହାରେ ଭାଡ଼ି ତିଆରି କରି ରଖିଥିଲି | ସେମାନେ ମୋତେ ସତେ ଯେମିତି ବାପା-ମାଆ ଭଳି ମନେ କରୁଥିଲେ | ତାଙ୍କ ସ୍ନେହା ଶ୍ରଦ୍ଧା ଓ ଭଲ ପାଇବାରେ ମୁଁ ବନ୍ଧାହେଇ ଯାଇଥିଲି | ସେମାନେ ଆମକୁ ଯଥେଷ୍ଟ ଅଣ୍ଡା ଦେଇଥିଲେ | ତାଙ୍କର ବଂଶ ବୃଦ୍ଧି ବି ହେଇଥିଲା |

କିଛିଦିନ ପରେ ପୁଣି ଗୋଟାଏ ମାଈ ଛେଳିଛୁଆକୁ କିଣି ଆଣି ଘରେ ରଖିଲି | ଛୋଟବେଳେ ସେ ମୋ ପାଖରେ ଶୋଉଥିଲା, ମୋ ସାଙ୍ଗରେ ଖାଉଥିଲା | ବଡ଼ ହେବାରୁ ବାହାରକୁ ଯାଇ ଘାସ-ପତ୍ର ଖାଇଲା | ଦାଣ୍ଡଘରେ ଶୋଇଲା | ତା’ର ଅନେକ ଗୁଡ଼ିଏ ଛୁଆ ହେଇଥିଲେ | ତାଙ୍କର ନାମକରଣ ମୁଁ କରୁଥିଲି | ସମସ୍ତଙ୍କର ସେବା ଯତ୍ନ ମୁଁ ହିଁ କରୁଥିଲି | ଧୀରେ ଧୀରେ ସେମାନେ ଆମର ଆର୍ଥିକ ସ୍ଥିତିକୁ ସୁଦୃଢ କରିଦେଇଥିଲେ | ଏମିତି ତ ଗାଈ ବଳଦ ଆମର ଗୁହାଳେ ରହନ୍ତି | ସବୁ ବାଛୁରୀ ଛୋଟବେଳେ ମୋ କୋଳରେ ଶୁଅନ୍ତି | ମୋତେ ବହୁତ ଭଲ ପାଆନ୍ତି | ସେମାନଙ୍କ ପାଇଁ ମୁଁ ହିଡ଼ ତଳରୁ କଅଁଳ ଘାସ ସଂଗ୍ରହ କରିଆଣି ତାକୁ ଖୁଆଏ | ସେମାନେ ବି ମୋତେ ବହୁତ ଭଲ ପାଆନ୍ତି | ମୋତେ ଚାଟି ପକାନ୍ତି | ମୁଁ ତାଙ୍କର ଯତ୍ନ ନିଏ |

ଜୟପୁରରେ ଜଳସେଚନ କଲୋନୀରେ ରହୁଥିବା ସମୟରେ ମୋତେ ଗୋଟାଏ ସରକାରୀ ଘର ମିଳିଥିଲା | ସେଇଠି ମୋ ପୁଅ ଉତ୍କଳ ଜନ୍ମ ହେଇଥିଲା | ତା’ ପାଇଁ ଗାଈଦୁଧ ଯୋଗାଡ଼ ପାଇଁ ହଇରାଣ ହେଉଥିଲି | ଗାଈଦୁଧ ନାମରେ ଅଧାପାଣି ମିଳୁଥିବାରୁ ଆମେ ଗୋଟାଏ ଗାଈ କିଣିବାକୁ ମନସ୍ଥ କଲୁ | ଘର ପାଖରେ ଗାଈ ରଖିବାକୁ ସୁବିଧା ବି ଥିଲା | ହାଟରୁ ଗୋଟାଏ ନାଲିରଙ୍ଗର ଖାଡ଼ିଆ ଶିଙ୍ଗବାଲି ଗାଈକୁ ବାଛୁରୀ ସହିତ କିଣି ଆଣିଲୁ | ବହଳିଆ ହଳଦିଆ ରଙ୍ଗର ଦୁଧ ଦୁହିଁ ଭାରି ଖୁସିହେଲୁ | ତା’ ପାଇଁ ଅସ୍ଥାୟୀ ଗୁହାଳ, ଖାଦ୍ୟ-ପେୟ ବ୍ୟବସ୍ଥା ତ ହେଲା | ମୋର ଅଫିସ ଛୁଟିଦିନ ଥିଲେ, ତାକୁ ପାଖ ପଡ଼ିଆକୁ ନେଇ ଘାସ ଚରାଏ | ଅନ୍ୟଦିନେ ସଞ୍ଜ ପୂର୍ବରୁ ଘଣ୍ଟାଏ ପଡ଼ିଆରେ ବୁଲେଇ ଆଣେ | ନାଲି ନାମ ଧଋ ତାକୁ ଡାକିଦେଲେ, ସେ ମୋ ପାଖକୁ ଦଉଡ଼ି ଚାଲିଆସେ | ମୁଁ ତାକୁ ଆଉଁସି ଦେଲେ, ସେ ମୋତେ ଚାଟିଦିଏ | ଯେତେ ଚରେଇଲେ ବି ତା’ର ପେଟ କି ମନ ପୂରେନାହିଁ | ତେଣୁ ସେ ମଝିରେ ମଝିରେ ଡିଆଁମାରି ଗୁହାଳରୁ ବାହାରି ଯାଏ | ଆମ ଅଫିସର ଷ୍ଟେନୋବାବୁ ଅଭିରାମ ନାୟକଙ୍କ କୁଟାଗଦା ପାଖରେ ଲୁଚିରହି ପେଟଭରି କୁଟାଖାଇ ରାତି ଅଧରେ ପୁଣି ଗୁହାଳ ଭିତରେ ପଶିଯାଏ | ଏହି ଚୋର ପ୍ରକୃତି ତା’ର ଦିନକୁ ଦିନ ବଢି ବଢି ଚାଲିଲା | ଷ୍ଟେନୋବାବୁ ବିଭିନ୍ନ ସମୟରେ ଆସି ଆମ ନାଲିଗାଈ ବିରୁଦ୍ଧରେ ଅଭିଯୋଗ ବି କରୁଥିଲେ | କିନ୍ତୁ ନାଲି କିଛି ନ ଜାଣିବା ଭଳି ଗୁହାଳେ ଚୁପଚାପ ରହୁଥାଏ | ତାକୁ ମୁଁ ବୁଝାଏ, କେତେକଥା କହେ | କିନ୍ତୁ ତା’ ପ୍ରକୃତି ବଦଳୁ ନ ଥିଲା |

ଦିନେ ଷ୍ଟେନୋବାବୁଙ୍କ କଟୁଭାଷା ମୋ ପାଇଁ ଅସହ୍ୟ ହେଲା | ସେଦିନ ରାତିରେ ନାଲିର ଗତି ବିଧିକୁ ଲକ୍ଷ୍ୟ କରିବାକୁ ନିଷ୍ପତି ନେଲି | ନାଲି କେତେବେଳେ କେମିତି ସେ ଗୁହାଳରୁ ବାହାରୁଛି, ତାକୁ ଦେଖିବା ପାଇଁ ଦିନେ ରାତି ଅନିଦ୍ରା ହେଇ ଜଗି ରହିଲି |

ରାତି ବାରଟା ବେଳକୁ ଆମନାଲି ଗୁହାଳୁ ବାହାରିବାକୁ ଉପକ୍ରମ କଲା | ନିଜ ଶିଙ୍ଗରେ କବାଟକୁ ଟେକିଦେଇ ଦ୍ରୁତ ଗତିରେ ସିଧା ଷ୍ଟେନୋବାବୁଙ୍କ କୁଟାଗଦା ଆଡ଼କୁ ଚାଲିଲା | ସେ ପ୍ରକୃତରେ କ’ଣ କରୁଛି, ତାକୁ ଦେଖିବାକୁ ତା’ ପଛେ ପଛେ ମୁଁ ଚାଲିଲି | ନାଲି ଆରାମରେ କୁଟା ଓଲାରି ଖାଇବା ଆରମ୍ଭ କରିଦେଲା | ମୁଁ ତାକୁ ଥରେ ଭଲ ଭାବରେ ସବୁଦିନ ପାଇଁ ଡରାଇଦେବା ଉଦ୍ଦେଶ୍ୟରେ କୁଟାଗଦାର ଅନ୍ୟ ପଟରେ ଲୁଚି ରହିଥିଲି | ଭାବିଲି ସେ ମୋତେ ଚିହ୍ନି ପକାଇଲେ, ଆଉ ଡରିବ ନାହିଁ | ତେଣୁ ଧୀରେଧୀରେ ତା’ ପାଖକୁ ଯାଇ ମୁଁ ତା’ର ଦୁଇଖାଡ଼ିଆ ଶିଙ୍ଗକୁ ଜୋରକରି ଦୁଇ ହାତରେ ଧରି ପକାଇଲି | ନାଲି ତ ଅପ୍ରସ୍ତୁତ ଥିଲା, ସେ ତରକିଯାଇ ତା’ ମୁଣ୍ଡକୁ ଉଠେଇ ଦେବାରୁ ମୋ ଦୁଇଗୋଡ଼ ତା’ ଥୋମଣି ମଝିରେ ରହିଗଲା | ମୋର ଓଜନ କମ ଥିବାରୁ ସେ ମୋତେ ତା’ ଥୋମଣିରେ ରଖି ଅତ୍ୟଧିକ ଭୟରେ ଖୁବ ଜୋରରେ ଦୌଡ଼ିଲା | ତା’ ଆଖି ଦୁଇଟା ଉପରେ ମୋ ଜଙ୍ଘ ଥିବାରୁ ତାକୁ ବୋଧହୁଏ ବାଟଦେଖା ଯାଉ ନଥିଲା | ତେଣୁ ସେ ଓଲଟା ବାଟରେ ଧାଉଁଥିଲା | ସେତେବେଳେ ମୋର ଅବସ୍ଥା ବହୁତ ଭୟଙ୍କର ଥିଲା | ଭାବୁଥିଲି ନାଲି ଯଦି କେଉଁଠି ନେଇ ମୋତେ କଚାଡ଼ି ଦିଏ, କିମ୍ବା କେଉଁ ଗଛ ବା କାନ୍ଥରେ ଛେଚି ପକାଏ, ତେବେ ମୋର ମୃତ୍ୟୁ ନିଶ୍ଚିତ | ତେଣୁ ମୁଁ ବହୁତ ଭୟ ପାଇ ଯାଇଥିଲି |

ହଠାତ ମୁଁ ତାକୁ ନାଲି ନାଲି ବୋଲି ଡାକି ତା’ ଆଖି ଉପରୁ ଜଙ୍ଘକୁ ଖସେଇ ଦେଲି | କିଛି ମୁହୂର୍ତ୍ତ ମଧ୍ୟରେ ନାଲି ମୋତେ ଚିହ୍ନି ପକାଇଲା | ସେ ଧୀର-ସ୍ଥିରହୋଇ ଠିଆ ହେଇଗଲା | ମୁଁ ତା’ ଶିଙ୍ଗକୁ ଛାଡ଼ି ତରବର ହେଇ ଓହ୍ଳେଇ ପଡ଼ିଲି | ନାଲିକୁ ଆଉଁସି ଦେଇ ତା’ ସାଙ୍ଗରେ ଆମ ଘରକୁ ଫେରିଲି | ଆଶ୍ଚର୍ଯ୍ୟର କଥା ସେହି ଘଟନା ପରଠାରୁ ନାଲି ଆଉ କେବେ ଷ୍ଟେନୋବାବୁଙ୍କ କୁଟା ଖାଇବାକୁ ଗଲା ନାହିଁ | ମୁଁ ଏଭଳି ବୋକାମୀ କାମ କରିଥିବାରୁ ଅନ୍ୟ କାହାରିକୁ ସେକଥା ଜଣେଇ ନଥିଲି | ଅବଶ୍ୟ କିଛିଦିନ ପରେ ଆମ ନାଲିର କାରନାମା କଥା ଏବଂ ମୋର ଶିଙ୍ଗଧରା କଥା ଘରେ କହିଥିଲି | ଏହା କେବଳ ହାସ୍ୟରୋଳ ମଧ୍ୟରେ ସୀମିତ ରହିଗଲା | ନାଲି ତ କେବେଠାରୁ ଆମ ପାଖରୁ ଚାଲିଗଲାଣି | କିନ୍ତୁ ତା’ କଥା ଏବେ ବି ମନେପଡ଼େ | ଘନିଷ୍ଠ ବନ୍ଧୁମାନଙ୍କ ଆଗରେ ଘଟଣାଟିକୁ ବର୍ଣ୍ଣନା କରି ସୁଖପାଏ |


Rate this content
Log in

Similar oriya story from Inspirational