Independence Day Book Fair - 75% flat discount all physical books and all E-books for free! Use coupon code "FREE75". Click here
Independence Day Book Fair - 75% flat discount all physical books and all E-books for free! Use coupon code "FREE75". Click here

KRUTIBAS NAYAK

Inspirational


4  

KRUTIBAS NAYAK

Inspirational


ନିଜେ ଗଢିଲେ ନିଜ ସମାଧି

ନିଜେ ଗଢିଲେ ନିଜ ସମାଧି

3 mins 306 3 mins 306


ଆକାଶବାଣୀ ଯୋରନ୍ଦା କେନ୍ଦ୍ରର ମୁଖ୍ୟ ହିସାବରେ ଦାୟିତ୍ଵରେ ଥିବା ସମୟର କଥା | ବିଭିନ୍ନ ସ୍ଵାଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଲୋକଙ୍କ ମନରେ ଆନନ୍ଦ ପ୍ରଦାନ କରିବା ତଥା ସ୍ଥାନୀୟ ଲୋକଙ୍କର ସୁଖ–ସୁବିଧା, ଅଭାବ ଅସୁବିଧା ବିଷୟକୁ ରେଡିଓରେ ପ୍ରସାରଣ କରିବାର ଦାୟିତ୍ଵ ମଧ୍ୟ ମୋ ଉପରେ ନ୍ୟସ୍ତ ଥାଏ | ତେଣୁ ମୋତେ ବିଭିନ୍ନ ଗ୍ରାମାଞ୍ଚଳକୁ ଯିବାକୁ ହୋଇଥାଏ | ଏମିତି କେତେକ ଜାଗା ରହିଛି ପୁଣି କେତେକ ଜାଗାର ବୈଚିତ୍ର୍ୟ ରହିଛି, ସେ ବିଷୟରେ ତଥ୍ୟ ସଂଗ୍ରହ କରି ଲୋକଙ୍କ ଆଗରେ ଉପସ୍ଥାପନା କରିବାକୁ ମୋତେ ବହୁତ ପସନ୍ଦ | ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ସମୟ ଅବଧି ଭିତରେ ଏଭଳି ଅନେକ ତଥ୍ୟକୁ ମୁଁ ସଂଗ୍ରହ କରିଛି |

ଢେଙ୍କାନାଳ ଜିଲାରେ ଅବସ୍ଥିତ ଆମରାଜ୍ୟର ସବୁଠାରୁ ବଡ଼ଗ୍ରାମ ହେଉଛି-ଭୁବନ ଗ୍ରାମ | ସେହି ଗ୍ରାମଟି ଏତେ ବଡ଼ ଯେ, ସେଥିରେ ଅନେକ ଗୁଡ଼ାଏ ପଡ଼ା ବା ସାହି ରହିଛି | ବିଭିନ୍ନ ସାହିରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକେ କେଉଁ ଯୁଗରୁ ବସବାସ କରି ଆସୁଛନ୍ତି | ଗୋଟାଏ ଗ୍ରାମ ଗୋଟାଏ ପଞ୍ଚାୟତ | ଅନେକ ଲୋକ ବସବାସ କରୁଥିବା ଲୋକେ ବିଭିନ୍ନ ପ୍ରକାର ପର୍ବ-ପର୍ବାଣୀ ପାଳନ କରନ୍ତି | ବଳଦ ଯାତ୍ରା ସେଥିମଧ୍ୟରୁ ଅନ୍ୟତମ ଆକର୍ଷଣ |

ଅନେକ ଲୋକ ଥିବା ଗ୍ରାମରେ ଅନେକ ନୂଆକଥା ଦେଖିବାକୁ ମିଳେ | ଥରେ ଜଣେ ଲୋକଙ୍କୁ ଆମେ ଭେଟିଥିଲୁ | ସେ ବଞ୍ଚି ଥାଉଥାଉ ନିଜ ହାତରେ ନିଜପାଇଁ ନିଜର ସମାଧି ନିର୍ମାଣ କରିଛନ୍ତି | ଏଭଳି ଘଟଣା ଆମେ କେବେ କେଉଁଠି ଆଗରୁ ଦେଖି ନ ଥିଲୁ କି ଶୁଣି ନ ଥିଲୁ | ତାଙ୍କୁ ଦେଖାକରି ମୁଁ ପ୍ରଶ୍ନ ପଚାରିଥିଲି-“ ଆପଣ ନିଜର ସମାଧି ଗଢିବାକୁ କାହିଁକି ଭାବିଲେ ?”

ସେ ଉତ୍ତର ଦେଇ କହିଥିଲେ-“ ଆଜିକାଲିର ଲୋକମାନଙ୍କର ଗତିବିଧି ଦେଖି ମୁଁ ବଞ୍ଚି ଥାଉଥାଉ, ନିଜର ସମାଧି ଆଗତୁରା ତିଆରି କରି ରଖିଛି | କରଣ ମୁଁ ଜାଣେ, ମୋର ପୁଅ କି ଝିଅ କେବେ ଶ୍ରଦ୍ଧାରେ ସମାଧିଟିଏ ଗଢିବେ ନାହିଁ, ତାଙ୍କ ଉପରେ ମୋର ସାମାନ୍ୟତମ ଭରସା ନାହିଁ | ସେମାନେ ନିଜ ନିଜର ସ୍ଵାର୍ଥରେ ବ୍ୟସ୍ତ ରହିଛନ୍ତି, ଭବିଷ୍ୟତରେ ମଧ୍ୟ ବ୍ୟସ୍ତ ରହିବେ | ମୁଁ ଜୀବନରେ ସେଭଳି କିଛି ବଡ଼କାମ କରିନାହିଁ, କିମ୍ବା ମୁଁ କେବେ କୌଣସି ସରକାରୀ ପଦ-ପଦବୀର କ୍ଷମତାରେ ରହିନାହିଁ | ମୁଁ ନେତା ନ ଥିଲି କି ଆମ ଗ୍ରାମବାସୀଙ୍କ ପାଇଁ ସେଭଳି କିଛି ଆଖି ଦୃଶିଆ କାମ କରିନାହିଁ | ତେଣୁ କେହି କେବେ ମୋ ପାଇଁ ସୁନ୍ଦର ସମାଧି ଗଢି ପୂଜା କରିବେ ନାହିଁ | ସେକଥା ମଧ୍ୟ ମୁଁ ଜାଣିଛି | ଆଉ ଗୋଟାଏ କଥା-ଆମ ଗାଆଁର ଲୋକେ ମୋ ଅନ୍ତେ, ମୋର ଅନ୍ତିମ ଇଚ୍ଛା ଅନୁସାରେ କେବେ ବି ଏଇ ଜାଗାରେ ସମାଧି ମନ୍ଦିର ଗଢି ଦେବାକୁ ଅନୁମତି ବି ଦେବେନାହିଁ | ସବୁଦିଗରୁ ଦୃଷ୍ଟିରଖି ମୁଁ ସ୍ଥିରକଲି, ନିଜ କଷ୍ଟାର୍ଜିତ ଧନରେ ନିଜ ହାତରେ ନିଜର ସମାଧି ଆଗୁଆ ତିଆରି କରି ରଖିଥିବି | ମୋ ସାହି-ପଡ଼ିଶାର ଲୋକେ ଜାଣନ୍ତି, ମୁଁ ଜଣେ ସ୍ଵାଭିମାନୀ ମଣିଷ | କେବେ ମୁଁ କାହାରି ଉପରେ ନିର୍ଭର କରି ବଞ୍ଚିନାହିଁ | ନିଜ ରୋଜଗାରରେ ମୁଁ ସବୁକାମ ନିଜେ କରେ | କାହାରି ଠାରୁ କେବେ କିଛି ବାକିରେ ଜିନିଷ ଆଣେନାହିଁ କିମ୍ବା କାହାରିଠାରୁ କେବେ ଧାର-ଉଧାରରେ ଟଙ୍କା କିମ୍ବା କରଜ ଆଣେନାହିଁ | ତେଣୁ କେହି କହିପାରିବେ ନାହିଁ ଯେ, ମୁଁ ଋଣୀହେଇ ମରିଗଲି |

ଦେଖନ୍ତୁ ମୋ ସମାଧି ମନ୍ଦିର ମୋ ନିଜ ଜାଗାରେ ମୁଁ ତିଆରି କରିଛି | ସେଥିରେ ଗୋଟିଏ ଦୁଆର ଖୋଲା ରଖିଛି | ତା’ ପାଖରେ ଗୋଟାଏ ସିମେଣ୍ଟ ତିଆରି କବାଟ ବି ରଖିଛି | ଯେତେବେଳେ ମୁଁ ଅନୁଭବ କରିବି ଯେ, ଅଳ୍ପ ସମୟ ଭିତରେ ମୋର ମୃତ୍ୟୁ ହେଇଯିବ, ସେତେବେଳେ ମୁଁ ମୋ ସମାଧି ପାଖକୁ ଚାଲିଯିବି | ଶେଷ ମୁହୂର୍ତ୍ତରେ ସମାଧି ଭିତରେ ରହି ସିମେଣ୍ଟ କବାଟକୁ ଆଉଜେଇ ନେବି | ମୋ ଶବକୁ ଉଠେଇବା ପାଇଁ ଯେମିତି କେହି କିଛି କଷ୍ଟ ପାଆନ୍ତୁ, ମୁଁ ସେକଥା ଚାହେଁ ନାହିଁ | ଅବଶ୍ୟ କେତେଜଣ ମୋତେ ସ୍ଵାର୍ଥପର ବୋଲି କହନ୍ତି | ଆଉ କେତେଜଣ ମୋତେ କୃପଣ କହନ୍ତି | କିନ୍ତୁ ମୁଁ କାହାରି କଥାକୁ ଭୃକ୍ଷେପ କରେନାହିଁ | ମୁଁ ହେଉଛି ମୋ ମନର ରାଜା | ମୋ ଇଚ୍ଛାରେ ମୁଁ କାମ କରେ | ଯେହେତୁ ମୋ ପାଇଁ ମୁଁ ସବୁ କାମ କରେ, ଏ’ କାମଟିକୁ କାହିଁକି ଅନ୍ୟପାଇଁ ବାକି ରଖିବି ? “

ଏହି କଥାକୁ କହିବା ସମୟରେ ଲୋକଟିର ଆଖି ଉଜ୍ଜଳ ଦିଶୁଥିଲା | ସେ ଆତ୍ମ ବିଶ୍ଵାସ ଓ ଆତ୍ମ ନିର୍ଭରଶୀଳ ଉପରେ ଗୁରୁତ୍ଵ ଦେଇ ବେଶ ଆତ୍ମ ସନ୍ତୋଷ ଲାଭ କରୁଥିଲେ | ଏଭଳି ଜଣେ ଅନନ୍ୟ ଭାବନାରେ ଆନନ୍ଦ ଲାଭ କରୁଥିବା ଲୋକକୁ ଭେଟି ତାଙ୍କର ସାକ୍ଷାତକାରକୁ ନେଇ ଗୋଟାଏ ସୁନ୍ଦର ଫିଚର ପ୍ରସ୍ତୁତ କରି ଆକାଶବାଣୀ ଯୋରନ୍ଦା କେନ୍ଦ୍ରରୁ ପ୍ରସାରଣ କରି ମୁଁ ମଧ୍ୟ ସେଦିନ ଆତ୍ମ ସନ୍ତୋଷ ଲାଭ କରିଥିଲି |


Rate this content
Log in

More oriya story from KRUTIBAS NAYAK

Similar oriya story from Inspirational