KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ଚୋର ପଶିଛି

ଚୋର ପଶିଛି

3 mins
210



ପିଲାଦିନେ ଥରେ ମୁଁ ଆମ ବାଡ଼ିରେ ଗୋଟାଏ ଗାତ ଖୋଳୁ ଖୋଳୁ ଗୋଟାଏ ରୁପାମୁଦି ପାଇଲି । ତାକୁ ଦେଖି ମୋ ବୋଉ କହିଥିଲେ-“ବହୁତବର୍ଷ ତଳେ ଏଇ ମୁଦିଟାକୁ ମୋ ଶାଶୁ କୋଉଠି ହଜେଇ ଦେଇଥିଲେ । ଆମେ କେତେଦିନ ଖୋଜିଖୋଜି କେହି ପାଇ ନଥିଲୁ । ସତଧନ ହେଇଥିବାରୁ ଏତେବର୍ଷ ପରେ ପୁଣି ଆମକୁ ମିଳିଗଲା । ସତରେ ସତଧନ କେବେ ହଜେନା କି ଚୋରୀ ବି ହେଇ ପାରେନା ।”

ଏହି କଥାଟା ସେହିଦିନରୁ ମୋ ମନରେ ବସା ବାନ୍ଧିହେଇ ରହିଗଲା । ପରବର୍ତ୍ତୀ କାଳରେ କେବେ ବି ଅସତ ଉପାୟରେ ଅର୍ଥ ରୋଜଗାର କରିବାକୁ ମୁଁ ଆଗ୍ରହୀ ହୋଇନାହିଁ । ମୁଁ ବିଶ୍ଵାସ କରେ ଆଜିଯାଏ ଅନ୍ୟାୟ ଉପାୟରେ କିଛି ବି ଜିନିଷ ଘରେ ପୂରେଇ ନାହିଁ । ତେଣୁ ଏବେ ବି ବୃଦ୍ଧ ବୟସରେ ଶାନ୍ତିରେ ଆଉ ସୁଖରେ ରହିପାରିଛି । ସବୁବେଳେ ଖୋଲାମନରେ ହସି ପାରୁଛି ।

କିନ୍ତୁ ହଠାତ ଦିନେ ଖବର ପାଇଲି, ଗତକାଲି ରାତିରେ ଆମଘରେ ଚୋର ପଶି ସବୁ ଜିନିଷ ନେଇଯାଇଛି । ମୁଁ ସେତେବେଳେ ଆକାଶବାଣୀ ଜୟପୁର କେନ୍ଦ୍ରରେ ନିର୍ଦ୍ଦେଶକ ପଦରେ ଥିଲି । ଅବସର ନେବାକୁ ଆଉ ମାତ୍ର ଦୁଇମାସ ବାକି ଥାଏ ସରକାରୀ ଘର ଖାଲିକରି ରିପୋର୍ଟ ଦିଲ୍ଲୀକୁ ନ ପଠାଇଲେ, ମୋତେ ପେନସନ ମିଳିବା କଷ୍ଟକର ହେବ ଜାଣି ଆଗୁଆ ସରକାରୀ ଘର ଖାଲି କରି ରିପୋର୍ଟ ପଠାଇଦେଲି । ଅସ୍ଥାୟୀ ଭାବରେ ନିକଟସ୍ଥ ଲିଙ୍ଗରାଜ ନଗରରେ ଅଧିକାରୀବାବୁଙ୍କ ଘରକୁ ଭଡ଼ାରେ ନେଇ ମୋ ସ୍ତ୍ରୀ ସହ ରହୁଥିଲି । ପଡ଼ିଶାରେ ସେବା ପେପରମିଲର କର୍ମଚାରୀ ବାରିକବାବୁ ପରିବାର ସହିତ ଭଡ଼ାରେ ରହୁଥିଲେ । ହଠାତ ଆମକୁ ପାଞ୍ଚଦିନ ପାଇଁ ଭୁବନେଶ୍ଵର ଆସିବାକୁ ପଡ଼ିଲା । ଘରେ ବାଡ଼ିପଟେ ପୁଣି ଦାଣ୍ଡ ଦୁଆରେ ତାଲା ପକେଇ ଆମେ ଆସିଥିଲୁ । ଉପରେ ଘର ମାଲିକ ରହୁଥା’ନ୍ତି । ସେ ରାତିରେ ମୁଖ୍ୟ ଫାଟକରେ ମଧ୍ୟ ବଡ଼ତାଲା ପକାନ୍ତି । ତେଣୁ ନିରାପଦ ମନେକରି ଆମେ ଭୁବନେଶ୍ୱର ଚାଲିଆସିଥିଲୁ । ଭୁବନେଶ୍ଵରରୁ ଜୟପୁରକୁ ଫେରିବା ଆଗଦିନ ଏହି ଚୋରୀ ଖବରଟା ଘର ମାଲିକଙ୍କଠାରୁ ଶୁଣିଲି । ଚୋରୀ ହେଇଥିବା ଖବର ଶୁଣି ମୋ ସ୍ତ୍ରୀ ଅତ୍ୟନ୍ତ ବ୍ୟସ୍ତ ହେଇଯାଇଥିଲେ । ଦାମୀ ଲୁଗାପଟା ଆଟାଚି ସହିତ ସରକାରୀ ଟେଲିଭିଜନ ସେଟ ଓ ଅନ୍ୟାନ୍ୟ ଜିନିଷ ପତ୍ର ସେ ଘରେ ସବୁଥିଲା । ତାକୁ ସେ ଚୋର ନେଇ ଯାଇଥିବ, କହି ସେ ତୁରନ୍ତ ଜୟପୁର ଯିବାକୁ ପ୍ରସ୍ତୁତ ହେଇଗଲେ । ଘର ମାଲିକ କହିଥିଲେ-“ଆମେ କେହି ଆପଣଙ୍କ ଘର ଭିତରକୁ ଯାଇନାହୁଁ । କେବଳ ଦାଣ୍ଡ କବାଟକୁ ଆଉଜେଇ ରଖିଛୁ । ଆପଣ ଆସିଲେ ପୁଲିସକୁ ଖବର ଦେବେ । ସେମାନେ ଦେଖି ସାରିଲେ ଯାହା କିଛି ହେବ ।

ସେଦିନ ମୁଁ ଚୋରୀ ହେଇଥିବା କଥାଟାକୁ ଅତି ହାଲୁକାରେ ନେଇଥିଲି । ମୋର ଦୃଢ ବିଶ୍ଵାସ ଥାଏ ସତଧନକୁ କେହି ନେଇପାରିବେ ନାହିଁ । କିନ୍ତୁ ଜଣେ ଉଚ୍ଚ ପଦବୀରେ ଥିବା ଲୋକ ଘରେ ବହୁତ ମୂଲ୍ୟବାନ ଜିନିଷ, ବିଡ଼ାବିଡ଼ା ନଗଦ ଟଙ୍କା, ସୁନା ଗହଣା ଭର୍ତ୍ତି ହେଇଥିବ ମନେକରି ସେ ଚୋର ପଶିଥିବ । ବିଶେଷ କିଛି ଜିନିଷ ଚୋର ନେଇ ନ ଥିବ ଯଦି କିଛି ନେଇ ଯାଇଥିବ, ତେବେ ସେ ଧନକୁ ମୁଁ ଅଜାଣତରେ ଅନ୍ୟାୟ ଉପାୟରେ ଅର୍ଜନ କରିଥିଲି ବୋଲି ବୁଝିନେବି । ସେତେକ ଚାଲିଗଲେ, ଆମେ ସବୁଦିନ ପାଇଁ ଅଳିଆ ମୁକ୍ତ ହେଇଯିବା । ମୋର ଏଭଳି ଦାୟିତ୍ୱହୀନ କଥା ଶୁଣି ପତ୍ନୀ ଆହୁରି ବେଶି ବ୍ୟସ୍ତ ହେଉଥା’ନ୍ତି । ମୋ ଉପରେ ବିରକ୍ତହେଇ ସେମିତି କଥା ନ କହିବାକୁ ତାଗିଦ କରୁଥା’ନ୍ତି ।

ଜୟପୁରରେ ପହଞ୍ଚି ଘରମାଲିକ ଅଧିକାରୀବାବୁଙ୍କ ସହିତ ଆମେ ଘର ଭିତରେ ପଶି ଦେଖିଲୁ । ଲୁଗାପଟା ଥିବା ଆଟାଚି ବାଡ଼ିଦୁଆରେ ପଡ଼ିଛି । ସବୁ ଲୁଗାପଟା ଖେଳା-ମେଳାହେଇ ଏଣେତେଣେ ବିଛୁଡ଼ି ହେଇପଡ଼ିଛି । ଟିଭି ସେଟକୁ ଚୋର ଉଠେଇ ଅନ୍ୟତ୍ର ପକେଇ ଦେଇଛି । ମୋ ସ୍ତ୍ରୀ ଘରର ସମସ୍ତ ଜିନିଷକୁ ଟିକିନିଖି କରି ଯାଞ୍ଚକଲେ । ସମସ୍ତ ଜିନିଷକୁ ଉପଯୁକ୍ତ ସ୍ଥାନରେ ରଖିଦେବା ପରେ ଜଣା ପଡ଼ିଲା, ଚୋରମାନେ ସେ ଘରୁ ଗୋଟାଏ ଟଙ୍କାର ବି ଜିନିଷ ନେଇ ନାହାନ୍ତି । କେବଳ ଦାଣ୍ଡପଟରେ ଝୁଲୁଥିବା ପଚାଶ ଟଙ୍କିଆ ପୁରୁଣା ତାଲା ଏବଂ ବାଡ଼ିପଟରେ ଲାଗିଥିବା ତିରିଶ ଟଙ୍କିଆ ପୁରୁଣା ତାଲାକୁ ସେମାନେ କାଟି ଫୋପାଡ଼ି ଦେଇଛନ୍ତି । ଆମ ସହିତ ଆମ ଘରମାଲିକ ଓ ପଡ଼ିଶାଲୋକ ଏସବୁ ଦେଖି ଆଶ୍ଚର୍ଯ୍ୟ ହେଲେ । ସେମାନେ କହିଲେ-“ଚୋର ଦାଣ୍ଡବାଟେ ପଶି ବାଡ଼ିବାଟେ ବାହାରି ଯାଇଛି । ସେହିଦିନ ରାତିରେ ଆମପଛ ଲାଇନରେ ଥିବା ଏକୁଟିଆ ରହୁଥିବା ବୁଢୀଘରେ ସେହି ଚୋରମାନେ ପଶି ସବୁ କିଛି ଲୁଟପାଟ କରି ନେଇଛନ୍ତି । ପୁଲିସ ଆସି ତାଙ୍କଘର ଭିତରକୁ ଦେଖି ଯାଇଛନ୍ତି । ଆମଘର ଚୋରୀ ହେବାକଥା ବି ସେମାନେ ଜାଣିଛନ୍ତି । କିନ୍ତୁ ଆପଣ ନ ଥିବାରୁ ଏଠାକୁ ଆସି ନାହାନ୍ତି ।”

ଆମଘରୁ କିଛି ବି ଚୋରୀ ହେଇ ନଥିବାରୁ ଆମେ ସମସ୍ତେ ଆଶ୍ଵସ୍ତି ଅନୁଭବ କଲୁ । ପଡ଼ିଶା ଘର ଲୋକେ ସେଦିନ ପୁଣି ମୋ ବୋଉକଥାକୁ ଦୋହରାଇଲେ-“ସତଧନକୁ ଚୋର କେବେ ଚୋରୀ କରିନେଇ ପାରେନା ।”

ସେଦିନ ମୁଁ ଅନୁଭବ କଲି, ମୋ ବୋଊ କହିଥିବା କଥାଟା ଅକ୍ଷରେ ଅକ୍ଷରେ ସତ ।


Rate this content
Log in

Similar oriya story from Inspirational