KRUTIBAS NAYAK

Inspirational

4  

KRUTIBAS NAYAK

Inspirational

ଚାକିରି

ଚାକିରି

5 mins
187



ସାଧାରଣ ଭାବେ ଗ୍ରାମାଞ୍ଚଳରୁ କେହି ଯଦି ଖଣ୍ଡିଏ ଭଲ ଚାକିରି ପାଇଯାଏ, ବିଶେଷ କରି ସରକାରୀ କଳରେ ଯଦି ସେ ଉଚ୍ଚପଦବୀରେ ରହି ଯାଆନ୍ତି; ତେବେ ତାଙ୍କର ଡିମାଣ୍ଡ ବହୁତ ବଢିଯାଏ | ବାହାହେଇ ନ ଥିଲେ କେତେ ବଢିଆ ବଢିଆ ପ୍ରସ୍ତାବ ଆସେ | ତା’ସଙ୍ଗେ ସଙ୍ଗେ ତାଙ୍କଠାରୁ ଗ୍ରାମର ଲୋକେ ବହୁତ କିଛି ଆଶା ବି କରିଥା’ନ୍ତି | ଅଧା ତିଆରି ହୋଇଥିବା ମନ୍ଦିରକୁ ପୂର୍ଣ୍ଣାଙ୍ଗ କରିବା ପାଇଁ, ପୋଖରୀରୁ ପଙ୍କ ଉଦ୍ଧାର କରିବା ପାଇଁ, ଗାଆଁରେ ସମସ୍ତଙ୍କୁ ଗୋଟାଏ ବଡ଼ଭୋଜି ଦେବାପାଇଁ, ଗରିବ ଲୋକଙ୍କୁ ଆର୍ଥିକ ସହାୟତା କରିବା ପାଇଁ ଅନେକ ପ୍ରସ୍ତାବ ବି ଆସେ | ଏହା ହେଉଛି ସ୍ଵାଭାବିକ କଥା | ସମୂହ ସ୍ଵାର୍ଥପାଇଁ ଯେଉଁମାନେ ଅନୁରୋଧ କରନ୍ତି ତାହା ଅବଶ୍ୟ ଯଥାର୍ଥ | ସବୁଠାରୁ ଅଧିକ ବେଦନା ଦାୟକ ପ୍ରସ୍ତାବ ହେଲା-ନିଜସାଙ୍ଗ-ସାଥୀ, ବନ୍ଧୁ ବାନ୍ଧବ, ଚିହ୍ନା ପରିଚୟ ଲୋକେ ତାଙ୍କ ଘରେ ବସି ରହିଥିବା ବେକାର ପିଲାଙ୍କୁ ଖଣ୍ଡେ ଚାକିରି ଯୋଗାଡ଼ କରିଦେବା ପାଇଁ ଅନୁରୋଧ | ଯେଉଁମାନଙ୍କ ହାତରେ ସେଭଳି ସୁବିଧା ସୁଯୋଗ ଥାଏ ସେ ଅବଶ୍ୟ କିଛି କରିପାରନ୍ତି | କିନ୍ତୁ ଅନେକ ଲୋକ ଅଛନ୍ତି ସେମାନେ ଏସବୁ କାମ କରାଇଦେବାରେ ଅକ୍ଷମ ତେଣୁ ନିଜ ଲୋକମାନଙ୍କ ନିକଟରେ ଅପ୍ରିୟ ହୁଅନ୍ତି | ଶେଷରେ ସେ ଜଣେ ଅପାରଗ ଖରାପ ଲୋକ ହିସାବରେ ଗଣା ଯାଆନ୍ତି |

 ଏ’ଦିଗରେ ମୋର ବିଶେଷ କିଛି ଅନୁଭୂତି ଓ ଅଭିଜ୍ଞତା ରହିଛି | ସେତେବେଳେ ମୁଁ ଆମ ଗାଆଁରୁ ଏକମାତ୍ର ପୁଣି ପ୍ରଥମ କରି ସରକାରୀ ଚାକିରି ପାଇ କୋରାପୁଟର ଜୟପୁରରେ ଥିଲି | ଏହି ଖବରଟି ବିଜୁଳି ବେଗରେ ସମସ୍ତଙ୍କ ପାଖରେ ପହଞ୍ଚିଗଲା | ଯେଉଁମାନେ ଶୁଭେଚ୍ଛା ଜଣାଇବା କଥା ଜଣାଇଲେ | ଆଉ କିଛି ଗାଆଁରେ କିଛି ଛୋଟଛୋଟ କାମ କରିଦେବାକୁ ପରାମର୍ଶ ଦେଲେ | ନିଜ ସଂପର୍କୀୟମାନେ ତାଙ୍କ ପୁଅକୁ ଚାକିରି କରାଇଦେବାକୁ ଅନୁରୋଧ ବି କଲେ | ଥରେ ମୁଁ ଛୁଟିରେ ଗାଆଁକୁ ଯାଇଥାଏ | ମୋର ବଡ଼ବାପାଙ୍କ ବଡ଼ଝିଅ, ମୋର ଅପା ପାଖ ଗାଆଁରେ ବାହାହେଇ ରହିଥା’ନ୍ତି | ଥରେ ସେ ମୋତେ ଦେଖାକରି ତାଙ୍କର ଏକମାତ୍ର ପୁଅ ପ୍ରଫୁଲ୍ଲ ମେଟ୍ରିକ ଫେଲହେଇ ଗାଁ’ରେ ବୁଲି ସମୟ ବରବାଦ କରୁଥିବା କଥା କହି କାନ୍ଦିଲେ | ମୋତେ କହିଲେ ପ୍ରଫୁଲ୍ଲକୁ ଏଥର ତୁ ଜୟପୁର ନେଇଯା’ ଯାହା କିଛି କାମ ମିଳୁଛି, ତାକୁ ସେଥିରେ ଲଗେଇ ଦେ | ନହେଲ ସେ ପୂରା ବରବାଦ ହେଇଯିବ | ଗାଆଁରେ ବୁଲି ସେ ଏବେ ଦୁନିଆ ପ୍ରକାର ଅଶାନ୍ତି ସୃଷ୍ଟି କରୁଛି | ଆମର ଆର୍ଥିକ ଅବସ୍ଥା ବି ବହୁତ ଖରାପ | ତାକୁ ବସେଇ ଖୋଇବାକୁ ଆମର ସମ୍ଭଳ ନାହିଁ | ତାଙ୍କର ବ୍ୟାକୁଳତା ଆଉ ଅସହାୟତାକୁ ମୁଁ ସହି ପାରିଲି ନାହିଁ | ଭାବିଲି ଭଣଜା ତ ପୁଅ ସଙ୍ଗେ ସମାନ | ତାଙ୍କର ଅସୁବିଧା ସମୟରେ ମୁଁ ଯଦି ସାହାଯ୍ୟ କରି ନ ପାରିବି ତେବେ ନିଶ୍ଚୟ ପାପ ଲାଗିବ | ଆଗ-ପଛ ବିଚାର ନ କରି ମୁଁ କହିଦେଲି-ଆଗାମୀ ଶନିବାର ଦିନ ମୁଁ ଜୟପୁର ଫେରିବି, ପ୍ରଫୁଲ୍ଲକୁ ମୋ ସହିତ ପଠାଇଦିଅ | ଆମ ଘରେ ସେ କିଛି ରହିଲେ ତାକୁ କେଉଁଠି କିଛି କାମରେ ଲଗେଇଦେବି |

ଶନିବାର ଦିନ ପ୍ରଫୁଲ୍ଲ ଆମ ଘରକୁ ଆସି କହିଲା-“ମାମୁଁ ଏବେ ଗାଆଁରେ ଭାଲୁକୁଣୀ ପୂଜାହେବ | ମୁଁ ଝିଅମାନଙ୍କ ପାଇଁ ପୋଖରୀରୁ କଇଁଫୁଲ ତୋଳିବା ଦାୟିତ୍ଵ ନେଇଛି | ତେଣୁ ଆଜି ଯାଇ ପାରିବି ନାହିଁ | ଭାଲୁକୁଣୀ ଓଷା ସରିଗଲେ, ମୁଁ ନିଜେ ଜୟପୁର ଯାଇ ତମକୁ ଦେଖା କରିବି |”

ମୁଁ ଜୟପୁର ଫେରିବାର ଦୁଇମାସ ବିତିଗଲା, ତା’ର କୌଣସି କୌଣସି ଖୋଜ ଖବର ନଥିଲା | ଆମେ ସମସ୍ତେ କିଛି କାମରେ ବାଲିମେଳା ଚାଲି ଯାଇଥିଲୁ | ଘରେ ନଥିବା ସମୟରେ ସେ ଆସି ଆମ ଘର ପାଖରେ ପହଞ୍ଚିଲା | ସୌଭାଗ୍ୟକୁ ମୋର ପଡ଼ିଶାରେ ରହୁଥିବା ଇଞ୍ଜିନିୟର ସୌରାଂଶୁ ପଟ୍ଟନାୟକ ତାକୁ ଭେଟି ନିଜଘରେ ରହିବା ଓ ଖାଇବାର ବ୍ୟବସ୍ଥା କରିଥିଲେ | ସେତେବେଳେ ତ ଫୋନର ସୁବିଧା ନଥିଲା | ତେଣୁ ଆମେ କିଛି ଖବର ପାଇ ପାରି ନଥିଲୁ | ଘରକୁ ଫେରି ପ୍ରଫୁଲ୍ଲ ଆସିଥିବା କଥା ଜାଣି ତାକୁ ଘରକୁ ଡାକି ଆଣିଲି | ମୋର ପୁଅ-ଝିଅ ଛୋଟ ଛୋଟ ହେଇଥା’ନ୍ତି | ସେମାନେ ପ୍ରଫୁଲ୍ଲ ଭାଇଙ୍କୁ ପାଇ ବହୁତ ଖୁସି ହେଲେ | ଆମ ସହିତ ଖିଆପିଆ କରି ସେ ପୁଣି ସୌରାଂଶୁ ବାବୁଙ୍କ ଘରକୁ ଶୋଇବାକୁ ଚାଲିଗଲା | ସେଇଠି ତାଙ୍କର ଗୋଟାଏ ଖାଲି ବେଡ଼ରୁମ ଥାଏ, ବଢିଆ ନିଦରେ ସେ କେବଳ ଶୋଉଥାଏ | କେବଳ ଖାଇବା ବେଳେ ଆମ ଘରକୁ ଆସୁଥାଏ | ବିଶେଷ କିଛି କଥା କହୁ ନ ଥାଏ | ତା’ର ଆଚରଣ ଓ ଦିନରାତି ଶୋଇବା ଢଙ୍ଗଟା କାହାରିକୁ ପସନ୍ଦ ନ ଥିଲା | ଏମିତି କିଛିଦିନ ଶୋଇବା ପରେ ମୁଁ ତାକୁ ଆମଘରକୁ ଚାଲି ଆସିବାକୁ କହିଲି | ସେ ବାଧ୍ୟହେଇ ତା’ ସାଙ୍ଗରେ ଆଣିଥିବା ବ୍ୟାଗ ଦୁଇଟି ଧରି ଆସିଲା | ସେତେବେଳକୁ ପାୟ ଆଠଦିନ ବିତି ଯାଇଥିଲା | ଗୋଟାଏ ବ୍ୟାଗରେ ଥିଲା- ଅପା ପଠାଇଥିବା ଖଇମୁଆଁ ଆଉ କିଛିମିଠା ଜିନିଷ | ଏତେଦିନ ଧରି ଗୋଟିଏ ଜାଗାରେ ଥୁଆ ହେଇଥିବାରୁ ସେଥିରେ ପ୍ରଚୁର ପିମ୍ପୁଡ଼ି ଲାଗି ଭର୍ତ୍ତି ହେଇଯାଇଥିଲେ ଯାହା ଖାଇବା ଯୋଗ୍ୟ ନଥିଲା |

ମୁଁ ଲକ୍ଷ୍ୟକଲି, ପ୍ରଫୁଲ୍ଲ ଏକ ନମ୍ବର ଅଳସୁଆ, ଏମିତିକି ବାହାରେ ଟିକେ ବୁଲିବା କିମ୍ବା ଛୁଆଙ୍କ ସହିତ ଟିକେ ଖେଳିବାକୁ ବି ଆଗ୍ରହୀ ନୁହେଁ | କିଛି ଜାଣିବାକୁ, କିଛି ପଢିବାକୁ ମୋଟେ ଆଗ୍ରହୀ ନୁହେଁ | ସବୁବେଳେ ଅନ୍ୟ ମନସ୍କ ହୋଇ ବୋକାଭଳି ଖାଲି ଏଣେ ତେଣେ ଚାହୁଁଛି | ମୋର ଚିନ୍ତା ବଢିଗଲା-ତାକୁ ନେଇ କେଉଁ କାମରେ କେଉଁଠି ଲଗାଇବି ? ତାକୁ ଟିକେ ସ୍ମାର୍ଟ କରିବା ଉଦ୍ଦେଶ୍ୟରେ ମୁଁ ତାକୁ ସାଙ୍ଗରେ ନେଇ ଥରେ ଆମ ଅଫିସକୁ ଗଲି | ବସଷ୍ଟାଣ୍ଡ ପାଖାପାଖି ବୁଲେଇ ଆଣିଲି | କୋରାପୁଟରେ କାମ ଥିବାରୁ ତାକୁ ମଧ୍ୟ କୋରାପୁଟ ନେଇ ବୁଲେଇଲି | ବିଭିନ୍ନ ସମୟରେ ତାକୁ ସ୍ମାର୍ଟ ହେବାପାଇଁ ଅନେକ ପ୍ରକାର ପରାମର୍ଶ ବି ଦେଲି | କିନ୍ତୁ ତା’ର କୌଣସି ପରିବର୍ତ୍ତନ ହେଲାନାହିଁ | ଯେଉଁଠି ବସିଲେ ଖାଲି ଢୁଳେଇଲା |

ଏଣେ ଘରେ ମୋ ସ୍ତ୍ରୀ ମୋ ଉପରେ ବିରକ୍ତ ହେଉଥାଏ | ଦିନରେ ଜାଗ୍ରତ ରଖିବା ପାଇଁ ମୁଁ ତାକୁ ଛୋଟିଆ ଛୋଟିଆ କାମରେ ଲଗେଇବାକୁ ଚେଷ୍ଟାକଲି | ଆମ ବାଡ଼ିରେ ଗୋଟାଏ ଛୋଟ ଆମ୍ବ ଗଛ ଥାଏ | ମୁଁ ତାକୁ ସେଥିରେ ବାଲଟିଏ ପାଣି ଦେବାକୁ କହିଲି | ଗୋଟାଏ ସୂତା ବଣ୍ଡଲ ଅଡୁଆ ହେଇଯାଇଥିଲା ତାକୁ ବସି ଖୋଲିବାକୁ କହିଲି | ଅନିଚ୍ଛା ସତ୍ଵେ ପ୍ରଫୁଲ୍ଲ ସେ ଦୁଇଟି କାମ କରିଥିଲା | ମୁଁ ଦେଖିଲି, ସେହିଦିନ ତା’ର ମୁଖମଣ୍ଡଳ ମଳିନ ପଡ଼ି ଗମ୍ଭୀର ଦିଶୁଥିଲା | ଏହା ଭିତରେ ସେ ତା’ମାଆ ଉଦ୍ଦେଶ୍ୟରେ କେତେବେଳେ ଖଣ୍ଡିଏ ଚିଠି ଲେଖି ଘରୁ ଆଣିଥିବା ଲଫାପାରେ ଭର୍ତ୍ତିକରି ଡାକରେ ପକେଇ ଦେଇଆସିଛି | କିନ୍ତୁ ଲଫାପାରେ କେଉଁଠି କାହାର ଠିକଣା ଲେଖାଯିବା କଥା ସେ ଜାଣି ନଥିବାରୁ ପ୍ରାପକ ଜାଗାରେ ମୋ ଠିକଣା ଲେଖିଦେଇଛି | ତା’ପର ଦିନ ସେ ଚିଠି ମୋ ପାଖରେ ଆସି ପହଞ୍ଚିଲା | ଲଫାପା ଖୋଲି ଦେଖିଲି, ସେଥିରେ କିଛି ଛୋଟ ମୁଣ୍ଡକଣ୍ଟା ବି ପଶିଛି | ଚିଠିରେ ଲେଖାଥିଲା-ବୋଉ, ମୁଁ ଏଠି ବହୁତ ଦୁଃଖରେ ଅଛି | ଆଜିଯାଏ ମାମୁଁ ମୋତେ କିଛି ଚାକିରି କରେଇ ଦେଇନାହିଁ | ମୋତେ ଏଠି ଗଛରେ ପାଣି ଦେବାକୁ କହୁଛନ୍ତି | ତାଙ୍କ ଘରେ ମୋତେ ତୁଳା ଭିଣିବାକୁ କହୁଛନ୍ତି | ବାପାଙ୍କୁ କହି ତୁରନ୍ତ ମାମୁଁ ପାଖକୁ ଟେଲିଗ୍ରାମ କରିବୁ, ବାପାଙ୍କ ଦେହ ଭଲନାହିଁ ବୋଲି ଲେଖିବୁ | ପ୍ରଫୁଲ୍ଲକୁ ଶୀଘ୍ର ଘରକୁ ପଠାଇଦେ | ମୁଁ ଘରକୁ ଫେରିଯିବି | ଏଠି ମୋ ମନ ଲାଗୁନାହିଁ |

ସେ ଚିଠିକୁ ପଢି ମୁଁ କାବା ହେଇଗଲି | ତାକୁ ପାଖକୁ ଡାକି କଣ୍ଟାର ରହସ୍ୟ ବିଷୟରେ ପଚାରିଲି | ଉତ୍ତର ପାଇଲି-ମୋର ଗୋଟେ ଭଉଣୀ କହିଥିଲା, ତା’ ପାଇଁ ମୁଣ୍ଡକଣ୍ଟା କିଣି ଆଣି ପଠେଇଥିଲି | ଠିକଣା ଓଲଟା ହେଇଥିବାରୁ ତମକୁ ମିଳିଗଲା |

ମୁଁ ତାକୁ ଘରକୁ ଫେରିଯିବାର ସବୁ ବ୍ୟବସ୍ଥା କରିଦେଲି | ସେ ତାଙ୍କ ଗାଆଁକୁ ଯାଇ ସମଗ୍ର ଅଞ୍ଚଳରେ ମୋ ବିଷୟରେ ଅନେକ ବାଜେକଥା କହିଲା | ମୁଁ ତାକୁ ଅତ୍ୟାଚାର କରିଥିବା କଥା ଗାଁ’ରେ ଥିବା ମୋ ବଡ଼ଭାଇଙ୍କ କାନରେ ପଡ଼ିଲା | ସେ ଖବର ମୋ ପାଖକୁ ଆସି ପହଞ୍ଚିଲା | ଭଣଜା ପ୍ରେମ, ତାକୁ ସେବା ଦେଇଥିବାର କୁଫଳ ଏମିତି ମୋତେ ମିଳିବ ସେକଥା ମୁଁ କଳ୍ପନା କରି ନ ଥିଲି | ସେହିଦିନ ମୁଁ ଶପଥ ନେଲି ଯଦି କେବେ କାହାର ଉପକାର କରିବାର ସୁଯୋଗ ମିଳେ ତେବେ କଦାପି ନିଜଲୋକଙ୍କୁ ନୁହେଁ ବରଂ ଅଚିହ୍ନା ଅଜଣା ଲୋକଙ୍କୁ ସାହାଯ୍ୟ କରିବି | ସତକୁ ସତ ମୁଁ ବିଭିନ୍ନ ସମୟରେ ବିଭିନ୍ନ ଉଚ୍ଚ ପଦ-ପଦବୀରେ ଥାଇ ମଧ୍ୟ କେବେ ନିଜଲୋକଙ୍କୁ ଚାକିରି କରାଇଦେବାକୁ ଚେଷ୍ଟା ବି କରିନାହିଁ |

ବୋଧହୁଏ ସେଇଥିପାଇଁ ମୁଁ ଦୀର୍ଘଦିନ ଧରି ଶାନ୍ତିରେ ରହି ପାରିଛି | ଏହା ମୋର ଏକ ତିକ୍ତ ଅନୁଭୂତି |



Rate this content
Log in

Similar oriya story from Inspirational