KRUTIBAS NAYAK

Tragedy

3  

KRUTIBAS NAYAK

Tragedy

ବନ୍ଧୁ ମନରେ ଜହର

ବନ୍ଧୁ ମନରେ ଜହର

3 mins
144



ସରକାରୀ ଚାକିରୀରେ ଊଚ୍ଚପଦବୀରେ ଥିଲେ, କର୍ମଚାରୀ ତଥା ସହକର୍ମୀମାନଙ୍କ ସହିତ ସଦଭାବ ରଖିବାକୁ ହୁଏ | ତଥାପି କେତେକ ଖଳ ପ୍ରକୃତିର କର୍ମଚାରୀ ତଥା ବିଶ୍ଵାସଘାତକ ସହକର୍ମୀ ଛଦ୍ମବେଶରେ ଅଫିସରେ ଲୁଚି ରହିଥା’ନ୍ତି | ସେମାନଙ୍କର ସ୍ଵାର୍ଥରେ ସାମାନ୍ୟ ବାଧା ଘଟିଲେ, କିବା ଆଶଙ୍କା ରହିଲେ, ସେମାନେ ଗୁପ୍ତରେ ଗୋଟାଏ ବିଦ୍ରୋହୀ ଗୋଷ୍ଠୀ ତିଆରି କରିଦିଅନ୍ତି | ସୁବିଧା ସୁଯୋଗ ଦେଖି ସେମାନେ ଅଫିସରଙ୍କୁ ଅପମାନିତ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ | ଯଦି ନମ୍ର ଭଦ୍ର ଚରିତ୍ରର ଅଫିସର ଥାଆନ୍ତି, ତେବେ ତାଙ୍କୁ ଜୋର ଜବରଦସ୍ତ କରି ତାଙ୍କଠାରୁ ସ୍ଵାର୍ଥସିଦ୍ଧ କାର୍ଯ୍ୟକୁ ହାସଲ କରିନିଅନ୍ତି | କେତେକ କ୍ଷେତ୍ରରେ ଅପ୍ରୀତିକର ଘଟଣା ବି ଘଟିଥାଏ | ସେମାନେ ନିଜ ଅଫିସ ଇଜ୍ଜତକୁ ବଳିଦେବାକୁ ପଛାନ୍ତି ନାହିଁ | ଅଫିସରେ ଅଶାନ୍ତି, ଅରାଜକତା ସୃଷ୍ଟିକରି ନିଜକୁ ବିଜୟୀ ଘୋଷଣା କରନ୍ତି |

ଅନ୍ୟ କେତେଜଣ ସହକର୍ମୀ ଅଫିସରଙ୍କ ନିକଟତମ ହୋଇ ଭିତରେ ଭିତରେ ବିଶ୍ଵାସଘାତକତା ବି କରନ୍ତି | ଅବଶ୍ୟ ତା’ର କୁଫଳ ସେମାନେ ପରବର୍ତ୍ତୀ ସମୟରେ ଭୋଗ କରିଥା’ନ୍ତି | ସମସ୍ତ ଦୋଷ ବିଫଳତା ଅଫିସରଙ୍କ ମୁଣ୍ଡରେ ଯାଏ |

ଆକାଶବାଣୀ ଜୋରନ୍ଦା କେନ୍ଦ୍ରର ମୁଖ୍ୟ ଭାବେ କାର୍ଯ୍ୟରତ ଥିବା ସମୟରେ ଏଭଳି କେତୋଟି ଅଘଟଣର ମୁଁ ସମ୍ମୁଖୀନ ହୋଇଥିଲି | ତାକୁ ଅବଶ୍ୟ ମୁଁ ନିଜର ଉପସ୍ଥିତ ବୁଦ୍ଧି ଓ ଈଶ୍ଵରଙ୍କ ଭରସାରେ ସେହି ଅନାଗତ ବିଦ୍ରୋହକୁ ଦମନ କରି ପାରିଥିଲି | କେତେକ ମିଥ୍ୟା ଅଭିଯୋଗ କରି ସେମାନେ ମୋ ନାମରେ ବେନାମୀ ଚିଠିଲେଖି ନିର୍ଦ୍ଦେଶାଳୟକୁ ଜଣାଇଥିଲେ | ଅବଶ୍ୟ ତାହା ମିଥ୍ୟା ବୋଲି ପ୍ରମାଣିତ ହୋଇ ମୋତେ ପ୍ରଶଂସାପତ୍ର ମିଳିଥିଲା | କପଟୀ, ସ୍ଵାର୍ଥପର ତଥା ଦୁଷ୍ଟ କର୍ମଚାରୀମାନେ ସେଥିରେ ଚୁପ ହେଇଯାଇଥିଲେ | କିନ୍ତୁ ମନ ଭିତରେ ତାଙ୍କର ଜହର ଭରି ରହିଥାଏ | ସେ ସୁବିଧା ସୁଯୋଗ ଅପେକ୍ଷାରେ ରହିଥା’ନ୍ତି |

ଥରେ ମୋତେ ଘରୋଇ କାମରେ ବାଙ୍ଗାଲୁର ଯିବାକୁ ପଡ଼ିଲା | ମୋ ପୁଅ ଉତ୍କଳ ଆମେରିକା ଯିବାକୁ ବାହାରି ଥାଏ | ସେଇଠୁ ତା’ର କିଛି ଜିନିଷ ସହିତ କାରକୁ ଆଣିବାକୁ ଯାଇଥିଲି | ଜଣେ ବାହାର ଡ୍ରାଇଭରଙ୍କୁ ସାଙ୍ଗରେ ନେଇଥିଲି, ନିର୍ଦ୍ଦିଷ୍ଟ ସମୟରେ ସୁରୁଖୁରୁରେ ଜୋରନ୍ଦାରେ ପହଞ୍ଚିଗଲି | ତା’ ପରଦିନ ଅଫିସରେ ମୋତେ ଦେଖି ଜଣେ ଅତି ନିକଟତମ ସହକର୍ମୀ ଚମକି ପ୍ଡ଼ିଲେ | ତାଙ୍କ ପାଟିରୁ ବାହାରି ପଡ଼ିଲା-“ସତରେ ଆପଣ ସଶରୀରେ ଏତେ ଦୂରରୁ ଗାଡ଼ିଧରି ଫେରି ଆସିଲେ ? ଆମେ ତ ଅଲଗା କଥା ଭାବୁଥିଲୁ, ବାଟରେ କେଉଁଠି ଦୁର୍ଘଟଣାର ସମ୍ମୁଖୀନ ହେଇ ଆପଣ ଆରପାରିକୁ ଚାଲି ଯାଇଥିବେ |”

ବନ୍ଧୁ ହିସାବରେ ଗ୍ରହଣ କରିନେଇଥିବା ମୋର ସହକର୍ମୀ ଜଣକ ମୋ ମୁହଁରେ ଏଭଳି କଥା କହି ପାରନ୍ତି, ସେକଥାକୁ ମୁଁ ନିଜେ ବିଶ୍ଵାସ କରିପାରି ନ ଥିଲି | କଟୁଭାଷୀ ଦୁଷ୍ଟ ଚରିତ୍ରଲୋକଟିକୁ ମୁଁ ସେତେବେଳେ ଆଉ କିଛି କହିପାରି ନ ଥିଲି | ଅନୁଭବ କରିଥିଲି, ମୋର ଶୁଭଚିନ୍ତକ ସେହି ବନ୍ଧୁଙ୍କର ମନର କଥାଟା ସହଜରେ ତାଙ୍କ ମୁହଁରୁ ବାହାରି ଯାଇଥିଲା | ମୁଁ ତାଙ୍କୁ ସେଦିନ ଭଲଭାବରେ ତାଙ୍କୁ ଚିହ୍ନିଗଲି |

ସେହିପରି ମୋର ଅବସର ପରେ ଥରେ କଟକ ଆକାଶବାଣୀ କେନ୍ଦ୍ରକୁ ସରକାରୀ କାମରେ ଯାଇଥିଲି | ସେଇଠି ମୋର ଆଉଜଣେ ପୁରୁଣା ସହକର୍ମୀ ଥିଲେ | ସେ ବେଶ ଆଦର କରି ତାଙ୍କ ପାଖରେ ବସାଇଲେ | କଥା ଭିତରେ ସେ ମୋତେ ପଚାରିଲେ-ଏବେ ଆପଣକୁ କେତେ ପେନସନ ମିଳୁଛି ? ହଠାତ ତାଙ୍କ ମୁହଁରୁ ବାହାରି ପଡ଼ିଲା-“ଆପଣ ଅବସର ପରେ ଆରପାରିକୁ ଚାଲିଯାଇଥିଲେ, ସରକାରଙ୍କୁ ଅଯଥାରେ ଏତେ ଗୁଡ଼ାଏ ପେନସନ ଦେବାକୁ ପଡ଼ି ନ ଥା’ନ୍ତା | ଆପଣ ଆଉ କେତେଦିନ ବଞ୍ଚିବେ ?”

ସେହି ସହକର୍ମୀ ଜଣକ ମୋ ଆଗରେ ସବୁବେଳେ କପଟ ଆଚରଣ କରନ୍ତି, ସେକଥା ମୁଁ ଜାଣିଥିଲି | ମୋ ପ୍ରତି ଅତ୍ୟନ୍ତ ଅସହିଷ୍ଣ୍ଣୁ ଥିଲେ, ମୋର ସୁନାମ ଏବଂ ସଫଳତା ଦେଖି ଈର୍ଷାରେ ଜଳନ୍ତି ବୋଲି ମୁଁ ଆଗରୁ ଅନୁଭବ କରିଥିଲି | ତାଙ୍କ ହୃଦୟ ଭିତରେ ଥିବା ଅସଲ କଥା ପଦକ ବଳେ ବଳେ ବାହାରି ଯାଇଥିଲା | ଏଭଳି କଥାକୁ ଶୁଣି ମୁଁ ଅବାକ ହେଇଯାଇଥିଲି | ସତରେ ଅନ୍ୟ କେଉଁଠି ଏମିତି କପଟୀ ବନ୍ଧୁ ତା’ ଶତ୍ରୁକୁ ବି ଏଭଳି କଥା ମୁହଁରେ କହିପାରିବେ ନାହିଁ | ତାଙ୍କର କଥାକୁ ହାଲୁକା କରି ମୁଁ କହି ଦେଇଥିଲି-“ମୁଁ ତ ଶହେବର୍ଷ ବଞ୍ଚିବାକୁ ଆଶୀର୍ବାଦ ପାଇଛି |” କହିବାକୁ ଗଲେ, ମୁଁ ସେଦିନ ଏହି ପୁରୁଣା କପଟୀ ବନ୍ଧୁଙ୍କ ଅସଲ ଚରିତ୍ରକୁ ପରଖି ନେଇ ପାରିଥିଲି | ଆଜି ଭଗବାନଙ୍କ ପାଖରେ ମୋର ବିନତି, ଏଭଳି କପଟୀ ଦୁଷ୍ଟବନ୍ଧୁଙ୍କୁ ସେ କ୍ଷମା କରିଦିଅନ୍ତୁ, ସତବୁଦ୍ଧି ଦିଅନ୍ତୁ | ତାଙ୍କୁ ବି ଅଧିକରୁ ଅଧିକ ଆୟୁଷ ଦେଇ ଦୀର୍ଘଜୀବୀ କରାନ୍ତୁ | 000



Rate this content
Log in

Similar oriya story from Tragedy