KRUTIBAS NAYAK

Inspirational

4  

KRUTIBAS NAYAK

Inspirational

ନାନୁଧାନ ଚାଷ

ନାନୁଧାନ ଚାଷ

3 mins
197



କେତୋଟି ଛୋଟ ଘଟଣା ଆମ ହୃଦୟକୁ ବିଦାରିତ କରି ଦେଇଥାଏ । ଅନେକ ବର୍ଷପରେ ସେହିକଥା ମନେ ପଡ଼ିଗଲେ, କେବେ ନିଜମନ ପୁଲକିତ ହୋଇ ଥାଏ ତ, ପୁଣି କେବେ କିଛି ସମୟ ମୌନରେ ବସି ଚିନ୍ତା କରିବାକୁ ଖୋରାକ ଯୋଗାଇଥାଏ । ସେହିଭଳି ଗୋଟାଏ ଛୋଟ ଘଟଣା ।


ରେଙ୍ଗାଳୀ ବନ୍ଧ ନିର୍ମାଣ ହେବା ପୂର୍ବରୁ ପ୍ରାୟ ପ୍ରତିବର୍ଷ ଆମ ଅଞ୍ଚଳରେ ବନ୍ୟା ହେଉଥିଲା । ୧୯୭୦ ମସିହା ବେଳକୁ ମୋତେ ପନ୍ଦର ବର୍ଷ ବୟସ । ଚାଷବାସ ହେଉଛି, ଆମ ଅଞ୍ଚଳର ଏକମାତ୍ର ଜୀବିକା । ପିଲାବେଳୁ ଆମେ ଚାଷକାମ ସହିତ ଜଡିତ ହେଇ ରହୁଥିଲୁ । ଏପରିକି ମନ କହେ, ଦେହରେ ଆଉ ଟିକେ ଅଧିକ ବଳଥିଲେ, ମୁଁ ଏକାଏକା ଆମର ସବୁ ଚାଷକାମ କରି ପକାନ୍ତି ।


ଆମବାପା ଥିଲେ, ଜଣେ ନାମମାତ୍ର ଚାଷୀ । ସେ ପୂର୍ବ ବର୍ଷ ଆରପାରିକୁ ଚାଲି ଯାଇଥିବାରୁ ଆମ କାନ୍ଧରେ ସମସ୍ତ ଭାର ପଡ଼ିଥିଲା । ମୋ ବଡ଼ଭାଇ ହୃଷୀକେଶ ମୋଠାରୁ ଦୁଇବର୍ଷ ବଡ଼ । ମୋ ସହାୟତାରେ ସେ ଚାଷକାମ ଦାୟିତ୍ଵ ବହନ କରୁଥିଲେ । ଆମ ଘର ପଛପଟେ ଥିବା ବାଲି ଗାଡ଼ିଆରେ ଖଣ୍ଡେ ଭାଗଚାଷ ପାଇଁ ଜମି ମିଳିଥାଏ । ପ୍ରତିବର୍ଷ ବନ୍ୟାରେ ସେ ଜମି ପ୍ରାୟ ମାସେଲେଖା ବୁଡ଼ିରହେ । କେଉଁବର୍ଷ ବଢିଆ ଚାଷ ହେଇଯାଏ ତ କେବେ ଧାନରେ କ୍ଷୀର ବସିବା ପୂର୍ବରୁ ବନ୍ୟାଜଳରେ ବୁଡ଼ିରହି ସବୁ ପଚିଯାଏ । ତେଣୁ ସେ ଜମିକୁ ଆମର ଭରସା ନ ଥାଏ । ବର୍ଷସାରା ଖାଲି ପଡ଼ିଥାଏ । ଖାଲୁଆଜମି ଚାରିପାଖ କିଆବୁଦା ଘେରି ରହିଥିବାରୁ ଗ୍ରାମବାସୀଙ୍କୁ ନିରାପଦରେ ସେଇଠି ମଳତ୍ୟାଗ କରିବାକୁ ସୁଯୋଗ ମିଳିଥାଏ । ତେଣୁ ଆମେ କେହି ସେ ଜମିକୁ ଯାଉନା ।


ସେବର୍ଷ ମୋତେ କିଛି ବିରଳ ନାନୁଧାନର ତଳା ମିଳିଗଲା । ନାନୁ ଧାନରୁ ଖୁବ ଛୋଟଛୋଟ ଚାଉଳ ମିଳେ ସିନା, କିନ୍ତୁ ବାସନାରେ ଭରପୂର । କ୍ଷୀରୀ କରିବାକୁ ଭାରି ଉପଯୋଗୀ । ବସୁମତୀ ଚାଉଳକୁ ବି ବଳିଯିବ । ସେହି ବିରଳ ଧାନତଳାକୁ ରୋଇବା ପାଇଁ ମୁଁ ଭାଇଙ୍କୁ ଅନୁରୋଧ କଲି । ସେଇ ଖାଲୁଆ ମଇଳା ଜମିରେ ଏଇଟା ଭଲ ଫଳିବ ବୋଲି କହିଲି । ମୋର ଆଗ୍ରହ ଦେଖି ସେ ଜମିକୁ ଭଲଭାବରେ ହଳକରି କାଦୁଅ ସଡ଼ସଡ଼ କରିଦେଲେ ।


ଆମେ ସେ ଜମିର ଅବସ୍ଥା ଜାଣୁ । କିନ୍ତୁ ଆମ ଦୁଇଭାଇଙ୍କର ମଇଳା ପ୍ରତି ଏତେ ବିକାର ନ ଥିବାରୁ ସହଜରେ ଜମି କାଦୁଅ ହେଇଗଲା । ମୁଁ ନିର୍ବିକାର ଭାବେ ମଇଳା ଜମିରେ ନାନୁଧାନ ତଳାକୁ ଯତ୍ନର ସହିତ ରୋଇଦେଲି । ଆଠଦିନ ଭିତରେ ସେ ତଳା ଶାଗୁଆହେଇ ଜମିକୁ ସୁନ୍ଦର କରିଦେଲା । ମାସକ ଭିତରେ ଆଣ୍ଠୁଏ ଉଚାହୋଇ ପବନରେ ଦୋଳି ଖେଳିଲା । ତାକୁ ଦେଖି ମୋର ମନ ଆନନ୍ଦରେ ନାଚିଯାଏ । ପାଖ ଜମିର ଧାନଗଛ ଆମ ନାନୁ ତୁଳନାରେ ବହୁତ ଛୋଟ ଦେଖା ଯାଉଥା’ନ୍ତି । ତେଣୁ କେତେକ ଚାଷୀ ଆମ ନାନୁକୁ ଦେଖି କିଏ ବାହା ବାହା କରୁଥା’ନ୍ତି, ଆଉ କିଏ ଈର୍ଷାରେ ଜଳି ଯାଉଥା’ନ୍ତି ।


ଆମଘର ଲୋକେ ମୋତେ ଭାରି ପ୍ରଶଂସା କରନ୍ତି ।

କିଛିଦିନ ପରେ ନାନୁଧାନର କେନ୍ଦା ବାହାରି ଫୁଲ ଉଡ଼େଇଲା । ସେତେବେଳକୁ ସେ ଧାନ କିଆରୀରେ ମୁଁ ପଶିଗଲେ, ବାହାରକୁ ଦେଖାଯାଏ ନାହିଁ । ମୁଁ ଜୀବନରେ ପ୍ରଥମଥର ନିଜେ ଚାଷ କରିଥିବାରୁ ଗର୍ବରେ ମୋ ଛାତି ଫୁଲି ଉଠୁଥାଏ । ପ୍ରତିଦିନ ରାତି ପାହିଲେ, ମୁଁ ଯାଇ ନାନୁ କିଆରି ଚାରିପଟେ ବୁଲିଆସେ । ମନେ ମନେ କହେ-ଏହାର ଧାନକୁ ନେଇ ଶୁଖେଇ ଅରୁଆ ଚାଉଳ ବାହାର କରିବି । ଏଥିରେ କ୍ଷୀରି ତିଆରି କରି ଆଗ ଠାକୁରଙ୍କୁ ଦେବି ।


ଦୁଇ ଚାରିଦିନ ପରେ ଝଡ଼ି-ବର୍ଷା ଲାଗି ରହିଲା । ଚାହୁଁ ଚାହୁଁ ବନ୍ୟାପାଣି ମାଡ଼ି ଆସିଲା । ଗୋଳିଆ ପାଣିରେ ନାନୁ ବୁଡ଼ି ରହିଗଲା । ସେ ବନ୍ୟାପାଣିକୁ ସହିପାରେ ନାହିଁ, ଏକଥା ମୁଁ ଆଗରୁ ଶୁଣିଥିଲି । ତଥାପି ସେ ମୁଣ୍ଡଟେକି ଦୀର୍ଘଦିନ ରହିଥିଲା । ବନ୍ୟା ଛାଡ଼ିବା ପରେ ମୁଁ ନାନୁକୁ ଦେଖିବାକୁ ଗଲି । ପାଖ ଧାନ କିଆରୀରେ ବନ୍ୟାଜଳକୁ ସହି ପାରୁଥିବା ଧାନ ଗଛମାନେ ମାଟିଆ ରଙ୍ଗହୋଇ ଠିଆ ହେଇ ରହିଥିଲେ । କିନ୍ତୁ ମୋର ନାନୁ ଗଛମାନେ ଧରାଶାୟୀ ହେଇ ଯାଇଥିଲେ । ମୂଳରୁ ସବୁ ପଚିଯାଇଥିଲା । ସେଥିରୁ ପିଲ ବାହାରିବାର କୌଣସି ସୂଚନା ନଥିଲା । ତାଙ୍କୁ ଦେଖି ଗୋଟିଗୋଟି କରି ଉଠେଇ ହାତରେ ଟେକି ଧରି ଅନେକ ସମୟ ପର୍ଯ୍ୟନ୍ତ କାନ୍ଦିଥିଲି । ମୋତେ ଖୋଜି ଖୋଜି ମୋ ଭାଇ ଯାଇ ସେଇଠି ପହଞ୍ଚି ସେ ପୁଣି କାନ୍ଦିଲେ । ଦୁଇଭାଇ ଦୁହିଙ୍କୁ ସାନ୍ତ୍ଵନା ଦେଇ ସେଦିନ ଘରକୁ ଫେରିଲୁ ।


Rate this content
Log in

Similar oriya story from Inspirational