ଜହ୍ନ ଓ ନୀଳକଇଁ
ଜହ୍ନ ଓ ନୀଳକଇଁ
ପୂର୍ଣ୍ଣମୀ ତିଥିରେ,ସେଦିନ ଜହ୍ନର ଜନ୍ମଦିନ ଥିଲା।ପୂର୍ଣ୍ଣମୀ ଆକାଶରେ ଜହ୍ନ ଝଟକୁ ଥିଲା ତ ଆଜି ଜହ୍ନର ଇଛା ହେଲା ଟିକେ ପୃଥିବୀ ପୃଷ୍ଠକୁ ଯାଇ ବୁଲିଆସିବାକୁ ତ ସେ ତାର ଜନ୍ମଦିନର ପୋଷାକ ପରିଚ୍ଛଦ ପିନ୍ଧି ବାହାରିଲା।ନିଜ ମୁହଁ ଦେଖିବାକୁ ଦର୍ପଣ ଆଣିବାକୁ ଭୁଲିଯାଇ ସହରରେ ସମୁଦ୍ରରେ ମୁହଁ ଦେଖିବାକୁ ଚେଷ୍ଟା କରି ପାରିଲାନି କାରଣ ଢେଉ ଵା ଉର୍ମି ତରଙ୍ଗାୟିତ ଅବସ୍ଥାରେ ଜହ୍ନର ପ୍ରତିଫଳନରେ ତରଙ୍ଗ ସୃଷ୍ଟି ହେଉଥିଲା।ଝରଣା ପାଣିରେ ମଧ୍ୟ ସେଇ ଅବସ୍ଥା ତ ଗଡିଆ ପାଣି ମଧ୍ୟ ଖୁବ ଗୋଳିଆ ଥିଲା।ଗାଁରେ ଥିବା କାଚକେନ୍ଦୁ ପରି ନଈ ପାଣିରେ ମୁହଁ ଦେଖିବାକୁ ଯାଇ ସେ ଦେଖିଲା କଇଁ ଫୁଲକୁ ।ତା ମୁହଁଠୁ ମଧ୍ୟ କଇଁର ନୀଳ ମୁହଁ ଖୁବ ସୁନ୍ଦର ଥିଲା ତ ନିଜ ମୁହଁ ଦେଖିବାକୁ ଯାଇ ସେ ଦିଖିଲା କଇଁ ଭିତରେ ତା ମୁହଁ ଖୁବ ସୁନ୍ଦର ଦେଖାଯାଉଛି।ଠିକ ରାଧା କୃଷ୍ଣଙ୍କ ପରି। ଆକାଶରେ ବାଦଲ ଭିତରେ ମେଘ ଲୁଚିଗଲା ପରେ ଯେମିତି ସୁନ୍ଦର ଦିଶେ ଠିକ ସେମିତି।ଜହ୍ନକୁ ପ୍ରେମ ହୋଇଗଲା କଇଁକୁ ଦେଖି, ସେହି ଗାଁ ନଈତୁଠରେ ସେଦିନ।
ଜହ୍ନ ଭାବୁଥିଲା ମାଆ ଲଷ୍ମୀ ଠାକୁରାଣୀ,ପ୍ରଥମେ ଧରଣୀକୁ ବୁଲି ଆସିବାକୁ ଯାଇ ଦେଖିଥିଲେ ଗାଁ ଗଛରେ ବସିଥିବା ପେଚାକୁ।ତାକୁ ଦେଖି ସେ ନିଜର ବାହାନ କରିନେଇଥିଲେ।ସେହିଦିନଠୁ ପେଚାକୁ ଲଷ୍ମୀଙ୍କ ବାହାନର ମାନ୍ୟତା ମିଳିଗଲା ସତ କିନ୍ତୁ ଜହ୍ନ ନିଜ ମୁହଁ ଦେଖିବାକୁ ଯାଇ କଇଁକୁ ପ୍ରଥମେ ଗାଁ ନଈରେ ଦେଖି ତାର ପ୍ରେମିକ ହୋଇଯିବ ଏକଥା ସ୍ୱପ୍ନରେ ଭାବିନଥିଲା ଜହ୍ନ।
ଉପରୁ ତାରାମାନେ ଚିକିମିକ ହୋଇ ହାତଠାରି ଜହ୍ନକୁ ଡାକିଲେ। ଜହ୍ନର ଦୃଷ୍ଟି ଆକର୍ଷଣ କରି ଉଲକାମାନଙ୍କୁ ପ୍ରେରଣ କଲେ।ପୁଣି ମେଘକୁ କହି ଘଡଘଡି ବାଜା ସାଙ୍ଗକୁ ଚଡ଼ଚଡ଼ି ରୋଷଣୀ ଜାଳିଲେ।ଯେତେ ଯାହା କଲେ ମଧ୍ୟ ଜହ୍ନ ନିଜ ମୁହଁ ଦେଖୁ ଦେଖୁ କଇଁ ମୁହଁ ଦେଖି ଓ ତା ଭିତରେ ନିଜ ମୁହଁ ଦେଖି ବିଭୋର ହେଉଥିଲା ତ ସେହି ଗାଁରେ ଥିବା ସାରୁ ବୁଦା ମୂଳେ ବେଙ୍ଗ ଓ ବେଙ୍ଗୁଲି କେଁ କଟର,କେଁ କଟର କହି ବୋବାଇବାକୁ ଲାଗିଲେ।ଝିଙ୍କାରୀ ମଧ୍ୟ ଝିଂ ଝିଂ ସ୍ୱର କରି ତାଳ ଦେଲା ବେଙ୍ଗ ବେଙ୍ଗୁଲିଙ୍କ ସ୍ୱରରେ। ଧରଣୀର ଗାଁ ଲୋକେ ସବୁ କୁହାକୁହି ହେଲେ ବରଷା ଆସୁଛି ମେଘ ପାଲିଙ୍କିରେ କିନ୍ତୁ ପ୍ରକୃତି ଏମିତି କରୁଥିଲା ଜହ୍ନର ଧ୍ୟାନ ଭଗ୍ନ ପାଇଁ ବୋଲି କେବଳ ପିତା ଆକାଶ ଓ ସାଙ୍ଗ ସାଥି ତାରାମାନେ ଜାଣିଥିଲେ।ଶେଷକୁ ଝିପି ଝିପି ବର୍ଷା ପକେଇ ଡରେଇ ଜହ୍ନକୁ ଫେରେଇନେଲେ ଆକାଶକୁ ତାରାମାନେ ସିନା ସେଇଦିନଠୁ ଜହ୍ନ କିନ୍ତୁ ନୀଳକଇଁକୁ ଝୁରୁଥିଲା।ଆଉ ପୂର୍ଣ୍ଣମୀ ଆସିଲେ, ଜହ୍ନ ନିଜର ଜନ୍ମଦିନରେ ପୃଥିବୀ ପୃଷ୍ଠ ଉପରେ ଥିବା ସେହି ଗାଁ ପୁଷ୍କରିଣୀରେ ଥିବା ନିଜ ପ୍ରେମିକାକୁ ଯେମିତି ଚାହିଁରହୁଥିଲା ନୀଳକଇଁ ମଧ୍ୟ ସେମିତି ବେକ ଭାଙ୍ଗି ଜହ୍ନକୁ ଚାହିଁ ରହୁଥିଲା।ଏ ପ୍ରେମ ନିଆରା ହେଲେ ବି ନୀଳକଇଁକୁ କେହି କେହି ରାଧା ବୋଲି କହୁଥିଲେ ତ ଜହ୍ନକୁ ଶ୍ରେଷ୍ଠ ପ୍ରେମିକ କୃଷ୍ଣ କହିବାକୁ ଭୁଲୁ ନଥିଲେ ଗାଁରୁ ସହର ଯାଏଁ।
ସ୍ୱର୍ଗପୃଷ୍ଠରେ କିନ୍ତୁ ଅଭିଯୋଗ ଥିଲା।ଜହ୍ନ ବାଦଲମଣ୍ଡଳ , ମେଘମଣ୍ଡଳ କାଟି ଆକାଶର ଜାତୀୟ ରାଜପଥ ସ୍ତରକୁ କ୍ଷୟ ଅଭିମୁଖେ ନେଇ ତାର ସବୁ ଜନ୍ମଦିନରେ ପୃଥିବୀ ପୃଷ୍ଠକୁ ଯାଇ ଗାଁର ପୁଷ୍କରିଣୀରେ ଥିବା ଫୁଲ,ନୀଳକଇଁ ସଙ୍ଗେ ପ୍ରେମ ପ୍ରଣୟରେ ଲିପ୍ତ ରହୁଛି ବୋଲି ତାରାମାନେ ରାଜସଭାରେ ଘୋର ଆପତ୍ତି ଉଠେଇଥିଲେ।ପୁଣି ଅନ୍ଧାର ପକ୍ଷ ପନ୍ଦର ଦିନ ଜହ୍ନ ଲୁଚି ଲୁଚି ଯାଉନଥିବ ବୋଲି ସେ ଗାଁକୁ କିଏ କହିବ? ତେଣୁ ଜହ୍ନ ଦୋଷୀ। ତାକୁ ଉଚିତ ଦଣ୍ଡ ଦେବା ସପକ୍ଷରେ କେହି କେହି କହୁଥିବା ବେଳେ କେହି କେହି ଜହ୍ନ ପ୍ରତି ଦୟା ପରବଶ ହୋଇ ପ୍ରାୟଶ୍ଚିତ କଲେ ଜହ୍ନକୁ ଛାଡିଦିଆଯାଇପାରେ କହୁଥିଲେ।ଜହ୍ନ ସବୁ ଶୁଣି କେମିତି କଣ ପ୍ରାୟଶ୍ଚିତ କରିବାକୁ ହେବ ପଚାରିଲା ବେଳେ ମାଆ ପାର୍ବତୀଙ୍କ ଉଦାହରଣ ଦିଆଯାଇଥିଲା।ପୌରାଣିକ ମାନ୍ୟତା ଅନୁଯାୟୀ ଥରେ ମାତା ପାର୍ବତୀ ଅଜ୍ଞାନତା ବଶତଃ ଭଗବାନ ଶିବଙ୍କ ଆଖିକୁ ନିଜର ଦୁଇ ହାତରେ ବନ୍ଦ କରିଦେଲେ । ଫଳରେ ଗୋଟିଏ କ୍ଷଣ ମଧ୍ୟରେ ସମଗ୍ର ବ୍ରାହ୍ମଣରେ ଅନ୍ଧକାର ଛାଇଗଲା ଏବଂ ପୃଥିବୀ କ୍ଷୟ ଆଡକୁ ଗତି କରିବା ସହ ସୃଷ୍ଟିର ପ୍ରତ୍ୟେକ ବସ୍ତୁ ଅନିୟନ୍ତ୍ରିତ ହୋଇପଡିଲା । ପାପ ବଢିଗଲା । ପାର୍ବତୀଙ୍କ ସମଗ୍ର ଶରୀର ମଧ୍ୟ ଶ୍ଯାମଳ ବର୍ଣ୍ଣ ହୋଇଗଲା । ଦେବୀ ପାର୍ବତୀ ଏହି ଭୁଲ୍ ନିମନ୍ତେ କ୍ଷମା ପ୍ରାର୍ଥନା କଲେ । ଏହି ଭୁଲ୍ର ପ୍ରାୟଶ୍ଚିତ ପାଇଁ ଭଗବାନ ଶିବ ଦେବୀ ପାର୍ବତୀଙ୍କୁ ଏକ ଉପାୟ କହିଥିଲେ । ଭୁଲ୍ ଯୋଗୁଁ ହୋଇଥିବା ପାପର ନିବାରଣ ହେତୁ ଦେବୀଙ୍କୁ ପୃଥିବୀ ପୃଷ୍ଠକୁ ଯାଇ ଭକ୍ତଙ୍କ ସହ ନିବାସ କରିବାକୁ ପଡିବ । ସେଠାରେ ସେ କାମାକ୍ଷୀ ନାମ ଧାରଣ କରି ତପସ୍ୟା କରିବା ସହିତ ମାନବ ସେବା କରିବେ । ଦେବୀ ପାର୍ବତୀ ବଦ୍ରିକାଶ୍ରମରୁ କାଶୀ ନଗର ଯାଇ ମାନବ ସେବା କଲେ । ଫଳରେ ସେ ଅନ୍ନପୂର୍ଣ୍ଣା ନାମ ଧାରଣ କଲେ । ଏହାପରେ ସେ ଦକ୍ଷିଣ ଦିଗକୁ ଯାତ୍ରା କରିଥିଲେ । କାଞ୍ଚିପୁରମର ଏକ ସ୍ଥାନରେ ଆମ୍ବ ବୃକ୍ଷ ମୂଳରେ ଦେବୀ ପାର୍ବତୀ ଘୋର ତପସ୍ୟା କରିବା ସହିତ ନଦୀ କୂଳରେ ଥିବା ଏକ ସ୍ଥାନରେ ବାଲିରେ ଶିବ ଲିଙ୍ଗ ତିଆରି କରି ପୂଜା କରିଥିଲେ । କାଞ୍ଚୀପୁରମର ମୀନାକ୍ଷୀ ଦେବୀଙ୍କ ମନ୍ଦିରରେ ଆଜି ବି ସେହି ବୃକ୍ଷ ରହିଥିବା ବିଶ୍ବାସ କରାଯାଏ । ଏଠାକାର ଏକାମ୍ରନାଥ ମନ୍ଦିରର ଗର୍ଭଗୃହରେ ଶିବ-ପାର୍ବତୀଙ୍କୁ ବରକନ୍ଯା ରୂପରେ ପୂଜା କରାଯାଏ । ଏହିଠାରେ ହିଁ ମାତା ପାର୍ବତୀ ମୀନାକ୍ଷୀ ନାମରେ ପୂଜା ପାଉଛନ୍ତି ।ପାର୍ବତୀ ଦେବୀଙ୍କ କଥା ଶୁଣି ଜହ୍ନ କହୁଥିଲେ ତେବେ ଆସନ୍ତା ସରସ୍ବତୀ ପୂଜାବେଳେ ମୁଁ ଧରଣୀ ପୃଷ୍ଠକୁ ଯାଇ ବିଭିର୍ନ୍ନ ସ୍ଥାନରେ ତଥା ସ୍କୁଲ ଘରେ ପୂଜାପାଉଥିବା ସରସ୍ବତୀଦେବୀମାତାଙ୍କୁ ପୂଜା କରି ପାପ ମୋଚନ କରିବି।ଏଣିକି ବଉଦ କି ମେଘ ସ୍ତର ନଦେଇ ମୁଁ ସବୁ ପୂର୍ଣ୍ଣମୀରେ ମୋ ରୂପା ଜୋତା, ଛତା ଓ ରୂପା ଅଳଙ୍କାରସବୁ ପିନ୍ଧି ସିଧା ଡେଇଁକି ଯିବାକୁ ଚେଷ୍ଟା କରିବି।ଜହ୍ନର ଏକଥା ଶୁଣି ତାରା ଦେବୀମାନଙ୍କର ଭାଳେଣି ପଡିଯାଇଥିଲା ଓ କେହି କେହି ଫିସ ଫିସ କଣ୍ଠରେ କହୁଥିଲେ ଫଟା ରସିକ ତ କେହି କହୁଥିଲେ ପ୍ରେମିକ ହେଵତ ଏମିତି ଦେବଦାସଙ୍କ ପରି ଵା ବିଲ୍ଵମଙ୍ଗଳଙ୍କ ପରି। ସଭା କିନ୍ତୁ ଘୋଷଣା କରିଥିଲା ଯେମିତି ବି ପ୍ରାୟଶ୍ଚିତକର କିନ୍ତୁ ସ୍ୱର୍ଗପୃଷ୍ଠ ତଥା ଆକାଶପୃଷ୍ଠର ଯେପରି କିଛି ଅବକ୍ଷୟ ନହୁଏ।ଜହ୍ନ ମନେ ମନେ ଖୁସି ଥିଲା ଅନ୍ତତଃ ସରସ୍ବତୀ ପୂଜା ପୂର୍ବରୁ ଯାଇ ଗାଁରେ ଫୁଟିଥିବା ସବୁ ନୀଳକଇଁଫୁଲସବୁକୁ ରକ୍ଷା କରି ସରସ୍ବତୀ ଦେବୀ ମାଆଙ୍କ ପାଇଁ ଅନ୍ୟ ଫୁଲର ଆୟୋଜନ କରିବାକୁ ପଡିବ। ସେହି ହେବ ତାଙ୍କ ନିଜର ଶ୍ରେଷ୍ଠ ପ୍ରାୟଶ୍ଚିତ।

