STORYMIRROR

Sunanda Mohanty

Fantasy Thriller Others

4  

Sunanda Mohanty

Fantasy Thriller Others

ଝିଣ୍ଟିକା

ଝିଣ୍ଟିକା

3 mins
8

ଗଲାବେଳେ କିଛି ଅସୁବିଧା ହେଲା ନାହିଁ. ଆସିଲାବେଳେ ମଧ୍ୟ ସିଟ ଦୁଇଟି ମିଳିଗଲା ବସ ରେ କିନ୍ତୁ ଆମେ ଦୁହେଁ ବସିଥିବା ଜାଗାରୁ ଆମକୁ ପରସ୍ପର ଠାରୁ ଅଲଗା କରି ଦିଆଗଲା. ଲେଡ଼ିଜ ମାନେ ବରଂ ଏକାଠି ହୋଇ ଡ୍ରାଇଭରଙ୍କ ବାମ ପାର୍ଶ୍ୱରେ ଥିବା ଲମ୍ବା ସିଟରେ ପାଞ୍ଚ ଜଣ ବସିପାରିବେ କହି ବାବୁ ମାନେ ମୋ ସ୍ୱାମୀଙ୍କୁ ଅନ୍ୟତ୍ର ବସିବାକୁ ଡାକି ନେଇ ଗଲେ କାଣ୍ଡକ୍ଟର ବାବୁ. ସେ ଯିବା ପରେ ଲେଡ଼ିଜ ହେଲେବି ଚାରିଜଣ କଷ୍ଟେ ମଷ୍ଟେ ବସିବା ଜାଗାରେ ପାଞ୍ଚ ଜଣ ବଡ଼ କଷ୍ଟରେ ବସିଥିଲୁ. ବରମୁଣ୍ଡାରୁ ଖାଲି ଖାଲି ଆସୁଥିବା ବସ ଟି କଳ୍ପନାରେ ପହଁଚିଲା ବେଳକୁ ସୋରିଷ ପକେଇବାକୁ ଜାଗା ନଥାଏ. ପିଲାକୁ ଧରି ମଧ୍ୟ ଗହଳିରେ ଉଠୁଥାନ୍ତି ସ୍ତ୍ରୀ ଲୋକ ଓ ଠିଆ ହୋଇଥାଆନ୍ତି କଷ୍ଟରେ. ତାଙ୍କୁ ଦେଖି ଓ ମାଆ ପିଲା ଉଭୟଙ୍କ ସ୍ଥିତି ଦେଖି ନିଜ କଷ୍ଟ ଭୁଲି ଆମେ ପାଞ୍ଚଜଣ କିଏ କଣ ଭାବୁଥିଲା କେଜାଣି ମୁଁ କିନ୍ତୁ ମୋ ଦୁଃଖ ବା ସାମୟିକ କଷ୍ଟ ଭୁଲିବାକୁ ଯାଇ ଦେଖିଲି ଝିଣ୍ଟିକାଟିକୁ. ଆରାମରେ ରାଜା ପରି ବସ ଆଗରେ ଲାଗିଥିବା ସ୍ୱଚ୍ଛ ଫାଇବର କାଚ ଉପରେ ବସି ଦୁଇ ଆଗ ଗୋଡ଼ରେ ମୁଁହଁ ଦେହ ପୋଛି ଲାଗିଛି. ଭୁବନେଶ୍ୱରରୁ ଆମେ ଯାତ୍ରୀମାନେ ସିନା ଯିଏ ଯାହା ଘରକୁ ଫେରୁଛୁ ବୋଲି ଠେଲାପେଲାରେ ଖୁନ୍ଦିଖାନ୍ଦି ହୋଇ ଯାଉଛୁ ହେଲେ ଭୁବନେଶ୍ୱର ଭଳି ମନ୍ଦିରମାଳିନୀ ସହରକୁ ଛାଡ଼ି ଝିଣ୍ଟିକା କାହିଁକି ଯାଉଛି!ନିଶ୍ଚୟ ତାର କାଳିଆ ରାଜାଙ୍କୁ ଦେଖିବାର ମନ ହୋଇଛି ବୋଲି ଭାବୁ ଭାବୁ ଗହଳିରେ ବଡ଼ କଷ୍ଟରେ ଠିଆ ହୋଇଥିବା ଯାତ୍ରୀଙ୍କ ସହ କଣ୍ଡକ୍ଟର ଭାଇଙ୍କ ବଚସା ଚାଲିଛି. କାରଣ ଏଇ ଭଡ଼ା ଆଉ କଣ!ଦଶ କି କୋଡିଏ ଟଙ୍କା ବଞ୍ଚିଗଲେ ଯାତ୍ରୀ ଯେମିତି ଖୁସ, ଦଶ କି କୋଡିଏ ପାଇଗଲେ କାଣ୍ଡକ୍ଟର ଭାଇ ବି ଖୁସ. ପ୍ରକୃତରେ ଭୁବନେଶ୍ୱରରୁ ପୁରୀ ଭଡ଼ା କେତେ କେଜାଣି କିନ୍ତୁ ଯାତ୍ରୀ ଜଣେ କହୁଥିଲା କାଲି ଅଶୀ ଥିଲା ଆଜି ଶହେ ହୋଇଗଲା!ମୁଁ ଅବା ପଚାରିଥାଆନ୍ତି ସ୍ୱାମୀଙ୍କୁ କିନ୍ତୁ ସେ ତ ଅନ୍ୟ ସ୍ଥାନରେ ବସରେ କୋଉଠି ଚିପି ହୋଯାଇଥିବେ ସିଟ ଭିତରେ.ଠିଆ ହେବା ଲୋକ ଭାବନ୍ତି ଯିଏ ବସିଛନ୍ତି ବହୁତ ଭଲରେ ବସିଥିବେ କିନ୍ତୁ ବସିଥିବା ଲୋକ ଜାଣେ କେତେ କଷ୍ଟ ଏ ଗହଳି ଭିତରେ ବସିବା.
    ଏଥର ଖୁନ୍ଦାଖୁନ୍ଦି ସାଙ୍ଗକୁ କାନ୍ଧ ବେକ ଦରଜ ଓ ଗମଗମ ଝାଳ ଭିତରେ ମୁଁ ଚାହିଁଲି ଝିଣ୍ଟିକାଟିକୁ. କେହି ପଇସା ମାଗିବେନି କି ଗହଳି ନାହିଁ. ଖୋଲା ପବନ ବାଜୁଛି ତ ଆରାମରେ ବସିଛି ସିଏ. ସତେ ଯେମିତି ରାଜା ଜଣେ. ମତେ ହଠାତ ମନେ ହେଲା ତାର ଗୋଡ଼ ସବୁ ଠିକ ଅଛିତ!ସେ ଅସୁସ୍ଥ ନାହିଁତ! ମୋ ଉପରେ ନଦି ହୋଇପଡୁଥିବା ପାଖ ସ୍ତ୍ରୀ ଲୋକଟିକୁ କିଛି ନକହି ଉହୁଁକି ଦେଖିଲି ଝିଣ୍ଟିକାଟିକୁ. ନା ଏପଟେ ତିନୋଟି ସେପଟେ ତିନୋଟି ଏମିତି ଛଅ ଗୋଡ଼ ଅଛି. କିନ୍ତୁ ହଠାତ ପଛ ସ୍ତ୍ରୀ ଲୋକମାନଙ୍କ ଧକ୍କାରେ ମୋ ମୁଣ୍ଡ ବସର ଆଗରେ ଲାଗିଥିବା ସ୍ୱଚ୍ଛ ଫାଇବର କାଚରେ ପିଟି ହୋଇଗଲା ଆଉ ଠିକ  ଝିଣ୍ଟିକା ସେପଟେ ଥିବା ବେଳେ ମୋ ମୁଣ୍ଡ ଏପଟେ ବାଡେଇ ହୋଇଗଲା. ମୋର ମନେ ପଡୁଥିଲା କାଚ କାନ୍ଥର ଏପାଖେ ମୁଁ... ସେପାଖେ ଜୀଵନ. କିନ୍ତୁ ମୋର କିଛି ହୋଇନଥିଲେ ମଧ୍ୟ ଦେଖିଲି ଝିଣ୍ଟିକାଟି ଚାଲି ଚାଲି ଘୁଞ୍ଚି ଯାଉ ଯାଉ ଲୁଚିଗଲା. ପ୍ରତି କ୍ରିୟାର ପାର୍ଶ୍ୱ ପ୍ରତିକ୍ରିୟା ଥାଏ. ମୋ ମୁଣ୍ଡ ବାଜି କାଚରେ ମୁଣ୍ଡରେ କିଛି କ୍ଷତ ସୃଷ୍ଟି ହୋଇନଥିଲା ବେଳେ ଫାଇବର କାନ୍ଥର ତରଙ୍ଗାୟିତ ପ୍ରକ୍ରିୟାରୁ ଭୟ ପାଇ ଝିଣ୍ଟିକା ଚାଲୁଛି ନିରାପଦ ଆଶ୍ରୟ ଖୋଜି. ଭୟ ଲାଗିଲା କାଳେ ପଡ଼ିଯିବ ବିଚରାଟି. ପୁରୀରେ ବସ ପହଁଚିଲେ ସେ କଣ ଏହି ବସରୁ ସମସ୍ତଙ୍କ ସହ ଓଲ୍ହେଇବ! ଓଲ୍ହେଇଲେ କିଏ କାଳେ ତାକୁ ମାଡି ପକେଇବ ଭାବି ବ୍ୟସ୍ତ ବିବ୍ରତ ଲାଗିଲା ତ ଭାବିଲି ଝିଣ୍ଟିକାଟିକୁ ଧରିନେଇ ସୁରକ୍ଷିତ ସ୍ଥାନରେ ବସେଇ ଦେବି. ହେଲେ କେମିତି! ସେ ତ ଫାଇବର କାଚ କାନ୍ଥ ସେପଟେ. ପୁଣି ଏବେ ଆଉ ଦେଖାଯାଉନି. ଓଲ୍ହେଇ ଗଲା ପରେ ବସ ର ଉପର ପର୍ଯ୍ୟନ୍ତ ହାତ ପାଇବନି ମୋର.
        ଭାବୁ ଭାବୁ ପୁରୀ ବସଷ୍ଟାଣ୍ଡ ଆସିଗଲା ଓଲ୍ହେଇ ସାରି ଆମ ଅଟୋରେ ବସିପଡ଼ି ସ୍ୱାମୀ କହୁଥିଲେ ଆସ ଚଞ୍ଚଳ କଣ ଦେଖୁଛ. ନାଇଁ ଝିଣ୍ଟିକାଟିକୁ ଦେଖୁନି କୁଆଡେ ଗଲା କେଜାଣି. ହେ ତୁମ ମୁଣ୍ଡ ଖରାପ ନା କଣ!କୋଉ ଝିଣ୍ଟିକା, କୋଉଠି!ତେଣେ ପରା ସାଇରେ ଲଷ୍ମୀ ମଣ୍ଡପପାଖେ ଭୋଜି. ଶୀଘ୍ର ନଗଲେ ରାସ୍ତା ଜାମ ହେଇଯିବ. ବସ ଭିଡ ଭିତରେ ରହି ଜାଣିପାରୁନ ଭିଡ଼ ଠେଲି ଓଲ୍ହେଇବା ଚଢିବା ଓ ଘରଯାଏଁ ଯିବା କେଡେ କଷ୍ଟ. ମୁଁ ସବୁ କଥା ଗୋଟେ ନିଶ୍ୱାସରେ କହି ତଥାପି ଝିଣ୍ଟିକାଟିକୁ ଖୋଜିଲା ବେଳେ ସ୍ୱାମୀ କହୁଥିଲେ ସେ ପ୍ରକୃତି କୋଲର ରାଜା. ତାକୁ ସାହାଯ୍ୟ କରିବାକୁ ତୁମେ କିଏ ନା ମୁଁ କିଏ. କାଳିଆ ରାଜାଙ୍କ ପାଖକୁ ଆସିଛି ଝିଣ୍ଟିକା ରାଜା. ତା କଥା ଛାଡ଼ ଆସ ଆସ. ଅଟୋ ଦୌଡୁଥିଲା ଦ୍ରୁତ ଗତିରେ ସାଇ ଗହଳି ହୋଇଯିବ. ମୁଁ ତଥାପି ପଛକୁ ଚାଁହୁଥିଲି. କୋଉଠି ରହିଲା ବିଚରା ଝିଣ୍ଟିକାଟି!



Rate this content
Log in

Similar oriya story from Fantasy