ଝାଡ଼ୁବାବା
ଝାଡ଼ୁବାବା
ଚନ୍ଦ୍ରମଣିର ଦୁଃଖକୁ ଦେଖି ଗାଆଁଲୋକ ସହିପାରନ୍ତି ନାହିଁ | ବିଚରା କେଇଟା ଦିନହେଲା, ଖାଲି ପେଟକୁ ଧରି ଗଡୁଛି | ସବୁବେଳେ ରଡୁଛି-"ବୋଉଲୋ, ମରିଗଲି | ମୋ ପେଟକୁ ଧର |"
ତା'ବୋଉ କେତେ ଠାକୁର, ମହାଦେବଙ୍କୁ ପୂଜାକରି ସାରିଛି | ଗାଆଁ ଠାକୁରାଣୀଙ୍କ ପାଖରେ ଛେନାପଣା ଢାଳିଛି | ଗୁଣିଆଁକୁ ଡାକି କେତେଥର ଝଡ଼ାଫୁଙ୍କା ବି କରିଛି, କିନ୍ତୁ କେଉଁଥିରେ କିଛି ଲାଭ ହେଲାନାହିଁ | ପାଖଗାଆଁ ବଇଦ ଯେଉଁ ପିତା, କଷା କଡ଼ା ଚେରମୂଳି ଔଷଧ ଦେଇଥିଲେ, ସେ ସବୁ ସରିଗଲା ପଛେ, ଟିକେହେଲେ କିଛି ଲାଭ ହେଲାନାହିଁ | ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବାବୁ କହିଲେ-"ବଡ଼ ଡାକ୍ତରଖାନାକୁ ନେଇଯା', ଏଠି ସେ ଭଲହେଇ ପାରିବ ନାହିଁ |"
ସେ ପଇସା କେଉଁଠୁ ପାଇବ ଯେ, ପୁଅକୁ ନେଇ ବଡ଼ ଡାକ୍ତରଖାନାକୁ ପର୍ଯ୍ୟନ୍ତ ଯିବ | ଯନ୍ତ୍ରଣା ସହି ନ ପାରି ଚନ୍ଦ୍ରମଣି ଚାମଚେ ଲେଖା ଖାଇବା ସୋଢା ଖାଇ, ଟିକେ ଶାନ୍ତିରେ ଶୋଇପଡ଼େ |"
ସେଦିନ ବିଚରା ଭାରିକଷ୍ଟ ପାଉଥାଏ, ବନମାଳୀ ମଉସା ଭଗବାନଙ୍କ ଦୂତପରି ଆସି ସେଇଠି ପହଞ୍ଚିଗଲେ | ସେ କହିଲେ-"ଚନ୍ଦ୍ରମଣିକୁ ଅନନ୍ତପୁର ନେଇଯା' -ଦେଖିବ, ଏକାଥରକେ ଭଲହେଇ ଆସିବ | ଆଖପାଖ ଗାଆଁର କେତେ ନା' କେତେ ରୋଗୀ ସେଠିକି ଯାଇ ଭଲହେଇ ଫେରି ଆସିଲେଣି | ସେଇଠି ଜଣେ ବାବା ଆବିର୍ଭାବ ହେଇଛନ୍ତି | ସେ କାହାରିଠାରୁ କିଛି ନିଅନ୍ତି ନାହିଁ | ତାଙ୍କର ମଠ ନାହିଁ କି ମନ୍ଦିର ନାହିଁ | ସେ ଗୋଟାଏ ବିରାଟ ନିମ୍ବଗଛ ମୂଳରେ ଚକା ପକେଇ ବସିଥା'ନ୍ତି | ଭକ୍ତ, ଦୁଃଖୀ-ରଙ୍କି ଆଉ ରୋଗୀମାନଙ୍କ ମୁଣ୍ଡରେ କେବଳ ତାଙ୍କ ଝାଡୁକୁ ଛୁଆଁଇଦେଇ ସେ ବାବା ଆଶୀର୍ବାଦ କରିଦିଅନ୍ତି, ବେଶ ସେତିକି | ସେଇଥିପାଇଁ ଲୋକେ ତାଙ୍କୁ ଝାଡ଼ୁବାବା କହୁଛନ୍ତି | ମାଆ-ପୁଅ ଦୁହେଁ କାଲି ବାହାରି ପଡ଼ | ମୁଁ ବି କାଲି ବାବାଙ୍କ ପାଖକୁ ଯାଉଛି | ବେମାରିଆ ପିଲାଟାକୁ କୋଉ ପରଲୋକଙ୍କ ସାଙ୍ଗରେ ପଠେଇଲେ, କେତେବେଳେ କେଉଁଠି କ'ଣ ହେବ ? କିଏ କହିପାରିବ ?"
ବନମାଳୀ ମଉସାଙ୍କ କଥାମାନି ଚନ୍ଦ୍ରମଣି, ତା'ବୋଉ ମଉସାଙ୍କ ସାଙ୍ଗରେ ମିଶି ଅନନ୍ତପୁର ଯିବାକୁ ବାହାରି ପଡ଼ିଲା | ସେଦିନ ତାଙ୍କ ଗାଆଁରୁ ଆହୁରି କେତେ ଦୁଃଖୀ-ରୋଗୀ ମଧ୍ୟ ବାହାରିଲେ | ସେମାନେ ପଥଶ୍ରମକୁ ଲାଘବ କରିବା ଉଦ୍ଦେଶ୍ୟରେ ରାସ୍ତାରେ କେତେକଥା କୁହାକୁହି ହେଲେ | ଚନ୍ଦ୍ରମଣିର ବାପା କଥା ବି ପଡ଼ିଲା-"ଚକ୍ରଧରଟା ଆରପାରିକୁ ଚାଲିଗଲା ନାହିଁ ଯେ, ପରିବାରଟାକୁ ଭସେଇଦେଇ ଗଲା | ଚନ୍ଦ୍ରମଣି ବିଚରା ପିଲାଟିବେଳୁ ପରଘରେ ମୂଲ ମଜୁରୀ କରୁଥିଲା | ସେଇଥିରୁ ଯାହା ଦି'ପଇସା ମିଳେ, ସେଇଥିରେ ମା'ପୁଅ ଯାହିତାହିକି ଚଳିଯାଉଥିଲେ | ତାଙ୍କର ଅଭାବ, କଷଣ ଦୂର ନ ହେଉଣୁ, ଭଗବାନ ବିଚରାକୁ ପୁଣି ପେଟ ବେମାରୀରେ ପକେଇଦେଲେ | ଗରିବର କ'ଣ ଦୁଃଖ ସରେ ?"
ଲୋକମାନଙ୍କ ତୁଣ୍ଡରୁ ତା'ବାପାଙ୍କ କଥାଶୁଣି ଚନ୍ଦ୍ରମଣିର ପିଲାଦିନର କଥା ମନେପଡ଼ି ଯାଉଥିଲା-"ସେତେବେଳକୁ ମୋତେ ଦଶ-ଏଗାର ବର୍ଷ ଚାଲିଥାଏ | ସେଦିନ ସ୍କୁଲରୁ ଫେରି ମୁଁ ଯାହା ଦେଖିଲି, ସେଥିରେ ମୋର ଆଖି ଖୋସି ହେଇପଡ଼ିଲା | ସେଦିନ କେହିଜଣେ କୁଣିଆଁ ବି ଆମ ଘରକୁ ଆସିଥା'ନ୍ତି | ତାଙ୍କରି ଆଗରେ ବୋଉ ଅତି କଦର୍ଯ୍ୟ ଭାଷାରେ ବାପାଙ୍କୁ ଗାଳି ଦେଉଥିଲେ |
ମୋ ବୋଉର ବ୍ୟବହାର ତାଙ୍କୁ ଭାରିକଷ୍ଟ ଲାଗୁଥିଲା | ତେଣେ ଘର ଭିତରୁ ବୋଉର ଗର୍ଜନ ବେଳକୁ ବେଳ ବଢିଚାଲିଥାଏ | ମୁଁ ଆଗରୁ ଜାଣିଛି, ମୋ ବୋଉ ହେଉଛି-ଏ' ଘରର ହର୍ତ୍ତାକର୍ତ୍ତା-ଦଇବ ବିଧାତା | ବାପାଙ୍କର କୌଣସି ପ୍ରକାର ପ୍ରସ୍ତାବ ଆମଘରେ କାର୍ଯ୍ୟକାରୀ ହେଇପାରେ ନାହିଁ | ବାପା ଜଣେ ସିଧାସାଧା ମଣିଷ | ଏଣେ ସେ ଘର ଜ୍ଵାଇଁଆହେଇ ନିଜ ଘରଦ୍ୱାର ଛାଡ଼ି ଆସିଥିବାରୁ ବଦରାଗି ବୋଉ କଥା ଉପରେ କେବେ ବି ଜବାବ ଦିଅନ୍ତି ନାହିଁ |
ସେଦିନ ବି ବାପା କିଛି ନ କହି ନୀରବରେ ଠିଆହେଇ ରହିଥିଲେ, କିନ୍ତୁ ଅନ୍ୟ ଦିନଠାରୁ ବାପା ସେଦିନ ମୋତେ ଟିକେ ଅଲଗା ଦେଖାଯାଉଥିଲେ | ତାଙ୍କ ମୁହଁରୁ ଜଣା ପଡୁଥିଲା, ବୋଉର କଟୁଭାଷା ତାଙ୍କ ହୃଦୟକୁ ସତେ ଯେମିତି କାଟି ଖଣ୍ଡଖଣ୍ଡ କରି ପକାଉଛି | ସେ ମୁହଁ ଟେକି କୁଣିଆଁଙ୍କ ଆଡ଼କୁ ଚାହିଁପାରୁ ନ ଥା'ନ୍ତି | ତଥାପି ସେ ମୁଖଲଜ୍ଜ୍ୟାରୁ ରକ୍ଷା ପାଇବା ଉଦ୍ଦେଶ୍ୟରେ କହି ପକାଇଲେ-"ହଉ ଆଜି ପାଇଁ ସେତିକି ଥାଉ | ସବୁ ତ ଭଗବାନଙ୍କ ଇଚ୍ଛା, ସିଏ ତ ମୋତେ ଡାକୁଛନ୍ତି, ମୁଁ ତାଙ୍କର ଶରଣାପନ୍ନ ହେଇସାରିଛି | ସେ ମୋତେ ଯେଉଁ ବାଟରେ ନେଉଛନ୍ତି, ମୁଁ କେବଳ ସେଇ ବାଟରେ ହିଁ ଚାଲୁଛି | ତମେ ଟିକେ ଶାନ୍ତ ହୁଏ |"
ତାଙ୍କ ତୁଣ୍ଡରୁ କଥା ଶେଷ ହେଇଛି କି ନାହିଁ, ବୋଉ ପୁଣି ଗର୍ଜି ଉଠିଲା | ପାଖରେ ପଡ଼ିଥିବା ମୁଣ୍ଡି-ଛାଞ୍ଚୁଣିଟାକୁ ଉଠେଇ ସେ ବାପାଙ୍କ ଉପରକୁ ଜୋରରେ ଫିଙ୍ଗିଦେଲେ | ସଫଳ ଶିକାରୀର ତୀରପରି ଝାଡୁଟା ଯାଇ ସିଧା ବାପାଙ୍କ ମୁଣ୍ଡରେ ବାଜି ତଳେ ପଡ଼ିଗଲା |
ହତବାକହେଇ ବାପା ଶୂନ୍ୟକୁ ଚାହିଁଲେ, ତଥାପି ବୋଉର ଗର୍ଜନ କମୁ ନ ଥାଏ |
ମୁଁ ଆଉ ବାହାରୁ ଆସିଥିବା କୁଣିଆ ଦୁହେଁଯାକ ଅସହାୟ ଅବସ୍ଥାରେ ସେଇଠି ପଥର ପରି ନିଶ୍ଚଳହେଇ ଠିଆ ହେଇଥିଲୁ | ମୁଁ ଲକ୍ଷ୍ୟକଲି, ବାପାଙ୍କ ଆଖି ଦୁଇଟା ଦପଦପ କରି ଜଳି ଉଠିଲା | ତା'ପରେ ଠପଠପହେଇ ଦୁଇଟୋପା ଲୁହ ତାଙ୍କର ଗାଲଦେଇ ବୋହିଗଲା | ବୋଧହୁଏ, ସେହି ଲୁହରେ ବାପାଙ୍କ ଆଖିର ନିଆଁ ଲିଭିଗଲା | ମୁଁ ବାପାଙ୍କ ମୁହଁକୁ ଚାହିଁ ରହିଥାଏ | ମୋତେ ବି କାନ୍ଦି ପକେଇବାକୁ ଇଚ୍ଛା ହେଉଥିଲା |
ଛାଞ୍ଚୁଣି ପାହାର ଖାଇ ସାରିବାପରେ ବାପା ଆହୁରି କେତେ ସମୟ ସେଇଠି ଠିଆହେଇ ରହିଥିଲେ | ତା'ପରେ ସେ କେତେ କ'ଣ ଭାବିଲେ-କେଜାଣି, ଝାଡୁଟାକୁ ଉଠେଇ ନେଇ ଦୁଇହାତରେ କସିକରି ଧରିଲେ | ଆମେ ଭାବୁଥିଲୁ, ଆଜି ବାପାଙ୍କୁ ଭୀଷଣ ଭାବରେ ବାଧିଛି | ତେଣୁ ସେ କିଛି ଗୋଟାଏ ଅଘଟଣ ଘଟେଇ ଦେଇପାରନ୍ତି | ସେ ଆଜି ପ୍ରଥମ ଥର ପାଇଁ ବୋଉକୁ ପିଟିପାରନ୍ତି | ଯଦି ସେପରି ହେଇଯାଏ, ମୁଁ ମୋଟେ ଦୁଃଖ କରିବି ନାହିଁ କି ଅଟକେଇବି ନାହିଁ | ବରଂ ବୋଉ ତା' କୃତକର୍ମ ପାଇଁ ଦଣ୍ଡିତ ହେଉ |
ଦେଖୁଦେଖୁ ଆମର ଅନୁମାନ ଭୁଲ ହେଇଗଲା | ବାପା ଝାଡ଼ୁମୁଠାକୁ ଧରି ଥରକୁ ଥର ମଥାରେ ଲଗାଇ ଜୁହାରହେଇ ଦୁଇପାଦ ଆଗକୁ ଚାଲିଲେ | ଦୁଇ ତିନିଥର ଉଚ୍ଚସ୍ୱରରେ ମାଆ ମାଆ ବୋଲି ଚିତ୍କାର କଲେ | ପ୍ୟାରେଡ଼ରେ ପୁଲିସ ଖଣ୍ଡାକୁ ଧରିବା ଢଙ୍ଗରେ ସେ ଝାଡୁଟାକୁ ତାଙ୍କ ସାମନାରେ ଠିଆକରି ଧରି ଧୀରେ ଧୀରେ ଆଗକୁ ଚାଲିଲେ | ଆମେ ଦୁଇଜଣ ମୁକସାକ୍ଷୀ ହେଇ ସେଇମିତି ଠିଆ ହେଇଥାଉ | ବାପା ଏକାମୁହାଁ ହେଇ ଗାଆଁଦାଣ୍ଡକୁ ବାହାରି ପଡ଼ିଲେ | ସେଇଠୁ ଚାଲିଲେ, ଵିଲଆଡ଼କୁ | ଆମେକେହି ତାଙ୍କୁ ଅଟକେଇବାକୁ ସମୟ ପାଇଲୁ ନାହିଁ | ବରଂ ସମସ୍ତେ କୁହାକୁହି ହେଉଥିଲେ, ବିଚରା ଚକ୍ରଧର ତା' ମାଇକିନାର ଅତ୍ୟାଚାର ସହି ନ ପାରି ଏଇ ପାଖଗାଆଁକୁ କୋଉଠିକୁ ଚାଲିଯାଇଥିବ |
ଦୁଇଦିନ ପରେ ଖବର ମିଳିଲା-"ଗୋଟାଏ ପୁରୁଷ ଲୋକର ଶବ ଖାଲି ଦେହରେ ବୈତରଣୀ ନଈରେ ଭାସୁଛି | ଆମ ଗାଆଁଟା ଯାକର ଲୋକେ ସେଇଠି ଜମାହେଇ ପଡ଼ିଲେ | ମୁଁ ସେ ଶବକୁ ଦୂରରୁ ଦେଖି ମୋ ବାପାଙ୍କର ଶବ ବୋଲି ଚିହ୍ନିଲି | ସେ ପଚାଶବକୁ କେହି ଛୁଇଁବାକୁ ରାଜିହେଉ ନ ଥିଲେ | ପୁଲିସ ଆସି ସେ ଶବକୁ ପାଣିରୁ ବାହାର କଲେ | ବୋଉ ସେ ଶବ ଉପରେ ପଡ଼ି ମୁଣ୍ଡକୋଡ଼ି ବହୁତ କାନ୍ଦିଲା |
ଗାଆଁଲୋକେ କିଏ କେତେ ପ୍ରକାର କଟୁକଥା କହି ବୋଉକୁ ନିନ୍ଦାକଲେ | ପୁଲିସ ମୋତେ କେତେକଥା ପଚାରିଲେ | ମୁଁ ସବୁ ସତକଥା ପୁଲିସ ଆଗରେ କହିଦେଇଥିଲି | ବାପାଙ୍କ ମୃତ୍ୟୁପାଇଁ ମୋ ବୋଉ ସମ୍ପୂର୍ଣ୍ଣ ଭାବରେ ଦାୟୀ ବୋଲି ସମସ୍ତଙ୍କୁ କହିଦେଲି |
ବୋଉ ବି ସବୁ ସତକଥା କହିଦେଲା | ସେ କାନ୍ଦିକାନ୍ଦି କହିଲା-"ମୁଁ ଚଣ୍ଡାଳୁଣୀ କ'ଣ ଜାଣିଥିଲି ଯେ, ସେ ଏତେବଡ଼ ଭୁଲକାମଟା କରି ପକେଇବେ ? ସତରେ ପୁଲିସ ବାବୁ ! ମୋ ଅତ୍ୟାଚାର ସହି ନ ପାରି ସେ ନଈକୁ ଡେଇଁ ପ୍ରାଣ ହରେଇ ଦେଇଛନ୍ତି | ତମେ ମୋତେ ବାନ୍ଧିକି ନେଇ ଯା'-, ପିଟିପିଟି ମୋତେ ମାରିପକା | ଏ' ହୀନିମାନିଆ ଜୀବନକୁ ରଖି ଆଉ ବଞ୍ଚିବି କାହିଁକି ? ମୁଁ ପାପୀ, ମୋତେ ନର୍କରେ ବି ସ୍ଥାନ ମିଳିବ ନାହିଁ |"
ଶେଷରେ ଗାଆଁ ମୁଖିଆଙ୍କ ଅନୁରୋଧ ରକ୍ଷାକରି ସେଦିନ ବୋଉକୁ ପୁଲିସ ବାବୁ ଛାଡ଼ିଦେଲେ | ନହେଲେ, ବୋଉ ଏବେ ଜେଲରେ ଥାଆନ୍ତା | ସେହି ଘଟଣା ପରଠାରୁ ବୋଉ ଏକପ୍ରକାର ମୁକ ପାଲଟି ଯାଇଛି |
ମୋ ବାପା ଏମିତି ସବୁଦିନ ପାଇଁ ଚାଲିଯିବେ, ଏ'କଥାକୁ ଆମେକେହି କେବେ ବିଶ୍ୱାସ କରିପାରି ନ ଥିଲୁ | ତାଙ୍କକଥା ମନେ ପଡ଼ିଲେ, ଆଖିରୁ ଲୁହ ଜକେଇ ଆସେ | ମୋ ବାପା ଜଣେ ନିର୍ମାୟା, ସରଳ ପ୍ରକୃତି ଆଉ ଚରମ ଈଶ୍ୱର ବିଶ୍ୱାସୀ ଲୋକ ଥିଲେ | ସେ ସବୁବେଳେ ଭଗବାନଙ୍କ ଉପରେ ଭରସା କରୁଥିଲେ ବୋଲି ତ ଲୋକେ ଆଜି ତାଙ୍କୁ ମନେ ପକାଉଛନ୍ତି | ଲୋକେ କହନ୍ତି- ସେ ଜଣେ ଭକ୍ତ ଥଲେ, ଭଜନ କୀର୍ତ୍ତନ, ଦାନ-ପୁଣ୍ୟ ଆଉ ପରୋପକାର କାମ କରିବାରେ ଅଧିକାଂଶ ସମୟ କାଟୁଥିଲେ | ତାଙ୍କର ଏ'ସବୁ କାମକୁ ଚନ୍ଦ୍ରମଣିର ବୋଉ ପସନ୍ଦ କରୁ ନ ଥିଲା | ଏଭଳି ଭକ୍ତକୁ ତ ଭଗବାନ ସହଜରେ ନେଇ ପାରନ୍ତି ନାହିଁ | ସତରେ ସେ ଶବ ଚକ୍ରଧରର ଥିଲା ତ ?"
ଚନ୍ଦ୍ରମଣି ସବୁକଥା ଶୁଣି ଭାବୁଥିଲା-"ଆଜିଯାଏ-ଅନେକ ଲୋକଙ୍କ ମନରେ ଏଇ ପ୍ରଶ୍ନ ଆଉ ସନ୍ଦେହ ରହି ଯାଇଛି | ଭଗବାନ କରନ୍ତୁ, ମୋ ବାପା ଜୀବନ ଧରି କେଉଁଠି ହେଲେ ଭଲରେ ରହିଥା'ନ୍ତୁ | ଲୋକଙ୍କ ବିଶ୍ଵାସ ସତ ହେଉ |"
ଏମିତି ଭାବୁ ଭାବୁ ଚନ୍ଦ୍ରମଣି ତା'ର ହାତ ପାପୁଲିରେ ନିଜ ଆଖିକୁ ପୋଛିପକାଇ ତା' ବୋଉକୁ ଚାହିଁଲା |
-"ଆରେ! ଏତେ ପଛରେ ବୋଉ ରହିଗଲାଣି ? ଅନ୍ୟ ମନସ୍କହେଇ ସେ କେତେଗୁଡ଼ାଏ ବାଟ ଆଗକୁ ଚାଲିଆସିଛି ?"
ବୋଉପାଇଁ ସେ ଟିକେ ଅଟକି ଯାଇ ଭାବୁଥିଲା-" ଆମକୁ ଆହୁରି କେତେ ଗାଆଁଗଣ୍ଡା, ନଈ, ପାହାଡ଼, ବିଲ-ବଣ, ଖାଲ-ଖମା ପାରିହେଇ ତାଙ୍କୁ ଅନନ୍ତପୁର ଗାଆଁକୁ ଯିବାକୁ ପଡ଼ିବ |"
ଚନ୍ଦ୍ରମଣି ପାଖରେ ପହଞ୍ଚିବା ପରେ ତା' ବୋଉ କହିଲା-"ବାପାରେ ! ସବୁକଥା ମନଖୋଲି ତୁ ବାବାଙ୍କୁ କହିବୁ | ଆଉ କହିବୁ, ମୁଁ ବାପ ଛେଉଣ୍ଡ ଗରିବ ପିଲାଟା, ଏକାଥରକେ ଯେମିତି ମୋ ପେଟ ବେମାରୀକୁ ଭଲ କରିଦିଅ | ଏତେବାଟରୁ ଆମେ ଆଉଥରେ ଆସିପାରିବୁ ନାହିଁ | ଆମର ଏ' ଦୁଃଖପାଇଁ ମୋ ବୋଉ ଦାୟୀବୋଲି କହିଦେବୁ | ବାପାଙ୍କର ଆତ୍ମା କେମିତି ସଦ୍ଗତି ପାଇବ ? ସେ କଥା ବି ଟିକେ ପଚାରିଦେବୁ | ଡ଼ରିବୁ ନାହିଁ, ମୁଁ ତୋ' ପାଖେପାଖେ ରହିଥିବି |"
ବହୁତ ଦୂରରୁ ତାଙ୍କୁ ଲୋକଗହଳି ଦେଖାଗଲା | ବାବାଙ୍କର ଜୟ ଜୟକାର ଧ୍ୱନିରେ ସେ ଅଞ୍ଚଳ ପ୍ରକମ୍ପିତ ହେଉଥାଏ | ବାବାଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତମାନେ ଧାଡ଼ିହେଇ ଛିଡ଼ା ହେଇଥା'ନ୍ତି | କେହିକେହି ଦୂରରୁ ଥାଇ ଆଖିବୁଜି ଦୁଇହାତ ଯୋଡ଼ି ବାବାଙ୍କୁ ସ୍ମରଣ କରୁଥାଆନ୍ତି |
ବାବାଙ୍କ ବିଜେସ୍ଥଳି ପାଖରେ ପହଞ୍ଚି ସେମାନେ ଦେଖିଲେ-ସେଇଠି ବାବାଙ୍କ ଆବିର୍ଭାବ ଫଳରେ କେତେଗୁଡ଼ାଏ ଚା' ପାନ, ଜଳଖିଆ ଦୋକାନ ସବୁ ଖୋଲିଯାଇଛି | ପୂର୍ବଦିଗରେ ଥିବା ବରଗଛ ମୂଳେ ଅସ୍ଥାୟୀ ହୋଟେଲ ଦୁଇଟାରେ ଲୋକଙ୍କର ବେଶଭିଡ଼ ଜମିଛି | ବୁଢା଼ଲୋକଟିଏ ପଟି ଖଣ୍ଡିଏ ପକେଇ ଝାଡ଼ୁବାବାଙ୍କର କେତେ ପ୍ରକାର ରଙ୍ଗୀନ ଫଟୋ ରଖି ବିକ୍ରି କରୁଛି | ସେଇଠି ଭକ୍ତମାନଙ୍କର ସବୁଠୁ ବେଶି ଭିଡ଼ |
ଚାରିଆଡ଼କୁ ଟିକେ ଆଖି ପକେଇଦେଇ ଚନ୍ଦ୍ରମଣି ତା' ବୋଉକୁ ନେଇ ଧାଡ଼ିରେ ଠିଆହେଲା |ସେ ଆଗରୁ ଏଇମିତି କେତେଥର ତା'ବୋଉ ସାଙ୍ଗରେ ଠାକୁର ଦର୍ଶନପାଇଁ ଧାଡ଼ିରେ ଠିଆହେଇଥିଲା ସତ; କିନ୍ତୁ ଏଥର ସେ କିଛିଟା ବ୍ୟତିକ୍ରମ ଲକ୍ଷ୍ୟକଲା | ଧାଡ଼ିରେ ଠିଆ ହୋଇଥିବା ଭକ୍ତମାନେ କେହି କୌଣସି ପ୍ରକାର ଭୋଗଥାଳି ହାତରେ ଧରି ନ ଥିଲେ |
ଚନ୍ଦ୍ରମଣିର ବୋଉ ଦୁଇହାତ ଯୋଡ଼ି ଧୀରକଣ୍ଠରେ ବାବାଙ୍କ ନାମ ଜପ-ସ୍ମରଣ କରୁଥା'ନ୍ତି, ମଝିରେ ମଝିରେ ସେ ଚାରିଆଡ଼କୁ ଚାହୁଁଥାଆନ୍ତି | ଦୂରରୁ ଦିଶୁଥାଏ, ଗୋଟାଏ ବିରାଟ ନିମ୍ବ ଗଛମୂଳେ ବାବା ପଦ୍ମାସନରେ ବସିଛନ୍ତି | ମୁହିଁରେ ତାଙ୍କର ଲମ୍ବା ଦାଢ଼ି ଝୁଲୁଛି, ମୁଣ୍ଡର ଚୁଟି ଗୁଡାକ ଯତ୍ନ ଅଭାବରୁ ଜଟା ହେଇଯାଇଛି କିନ୍ତୁ ହସହସ ମୁହଁ | କୌଣସି ରୋଗୀ ବା ଦୁଃଖୀ ଲୋକଙ୍କୁ ସେ ହତାଦର କରୁ ନାହାନ୍ତି | ସମସ୍ତଙ୍କର ଦୁଃଖକୁ ସେ ମନଦେଇ ଶୁଣୁଛନ୍ତି, ଶେଷରେ ତାଙ୍କମଥା ଉପରେ କେବଳ ପୁରୁଣା ଛିଣ୍ଡା ଝାଡୁଟିକୁ ଛୁଆଁଇ ଦେଉଛନ୍ତି | ବେଶ, ସେତିକିରେ ଭକ୍ତ ଓ ଦୁଃଖିଲୋକମାନେ ନିଜକୁ କୃତ୍ୟକୃତ୍ୟ ମନେକରି ପ୍ରଫୁଲ ମନରେ ଫେରି ଯାଉଛନ୍ତି | ଦିବ୍ୟ ପୁରୁଷ ବାବାକୁ ଚାହିଁ ସେ ଭକ୍ତିରେ ପ୍ରଣାମ କଲେ |
ଅଧ ଘଣ୍ଟାକାଳ ଅପେକ୍ଷା କରିଥିବା ଚନ୍ଦ୍ରମଣିର ପାଳିପଡ଼ିଲା | ଭୂମିରେ ମଥା ଲଗେଇ ସେ ବାବାଙ୍କୁ ପ୍ରଣାମ କଲା | ଆଗରୁ ଅଭ୍ୟାସ କରିଥିବା କଥାତକ ସେ ବାବାଙ୍କ ଆଗରେ ଏକ ନିଶ୍ୱାସରେ କହି ପକାଇଲା | ବାବା ଝାଡୁଟିକୁ ଉପରକୁ ଟେକିଦେଇ, ବାବା ସେଇମିତି ରହିଗଲେ | ତାଙ୍କର ଦୃଷ୍ଟି ପଡ଼ି ଲାଖି ଯାଇଥିଲା- ଚନ୍ଦ୍ରମଣିର ବୋଉ ଉପରେ |
ଭକ୍ତମାନେ ଆଶ୍ଚର୍ଯ୍ୟହେଇ ସେ ତିନିଜଣଙ୍କୁ ଚାହିଁ ରହିଥା'ନ୍ତି | ଆଜି ବାବାଙ୍କର ଏଭଳି ବ୍ୟତିକ୍ରମ କାହିଁକି ? କିଛି ସମୟପରେ ବାବାଙ୍କ ଝାଡୁ ଚନ୍ଦ୍ରମଣିର ମଥାକୁ ଛୁଇଁଲା |
ସମସ୍ତେ ଦେଖିଲେ-ଚନ୍ଦ୍ରମଣିର ବୋଉ ହଠାତ ସେଇଠି ଚେତା ହରେଇ ତଳେ ପଡ଼ିଗଲେ | ଭକ୍ତମାନେ ତାଙ୍କୁ ଉଠେଇ ପାଣି ଛାଟି ସାଷ୍ଟାମ କଲେ | ହୋ-ହାଲ୍ଲା ଭିତରେ ଲୋକମାନେ ବାବାଙ୍କ ଆଡ଼କୁ ଚାହିଁ ରହିଥାଆନ୍ତି | ସେ କିଛି କହିବେ | ଏମିତି କାହିଁକି ହେଲା, ବୋଧହୁଏ ବୁଢୀକୁ ବାତରୋଗ ହେଇଛି |
ଝାଡ଼ୁବାବା ଭକ୍ତମାନଙ୍କୁ କହିଲେ-"ଏହି ମହିୟସୀ ମହିଳା ହେଉଛନ୍ତି, ମୋର ମୁକ୍ତିଦାତ୍ରୀ | ଏହି ଝାଡୁଟି ହେଉଛି-ତାଙ୍କରି ଘରଖରକା ଝାଡୁ | ମୋ ସାଧନା ଓ ସିଦ୍ଧିର ସଫଳତା ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ | ତାଙ୍କରି ପାଇଁ ଆଜି ମୁଁ ସାଧାରଣ ମଣିଷରୁ ଅସାଧାରଣ ବାବାହେଇ ପାରିଛି | ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇ ତାଙ୍କଘରେ ଛାଡ଼ିଦେଇ ଆସ |"
ଚନ୍ଦ୍ରମଣି ଅତି ଆଶ୍ଚର୍ଯ୍ୟ ହେଇ ଭାବୁଥିଲା- "ସତରେ ଭଗବାନ ତାଙ୍କ ଭକ୍ତକୁ ବଞ୍ଚେଇ ଏଇଠି ରଖିଛନ୍ତି ! ତେବେ ମୁଁ ଦେଖିଥିବା ପଚାଶବ ଆଉ କାହାର ଥିଲା ନିଶ୍ଚୟ | ମୁଁ ଭଲ ଭାବରେ ସେ ଶବଟିକୁ ଦେଖିଥିଲେ, ଏମିତି ବିଭ୍ରାଟ ହେଇ ନ ଥା'ନ୍ତା | "
