Parameswar Ojha

Others Fantasy

3  

Parameswar Ojha

Others Fantasy

ଗପ ନୁହେଁ ମ'

ଗପ ନୁହେଁ ମ'

11 mins
529


ଖୋଜୁଥିଲି ଗପର ଚରିତ୍ର ମାନଙ୍କୁ ହେଲେ ପାଉନଥିଲି । ମୋ ଟ୍ରେନ୍ ଟି କାଲି ଅଛି । ତେଣୁ ବିନ୍ଦାସ ରେ ବସିଛି ଲେଖିବାକୁ ଗପ ହେଲେ ମିଳୁ ନାହାନ୍ତି ଚରିତ୍ର ମାନେ ।

ସାମ୍ନାରେ ସୁନ୍ଦରୀ ଜିନ୍ସ ପ୍ୟାଣ୍ଟ ଓ କଟନ ସାର୍ଟ ପିନ୍ଧା ଝିଅଟି ବସିଛି ତା ବାଳ ଖୋଲୁଛି ମୋଡ଼ି ମାଡ଼ି କି ତା କ୍ଲିପ୍ ଭିଡୁଛି । ପାଖରେ ତା ଭିନ୍ନକ୍ଷମ ମା ଆଶ୍ରା ଷ୍ଟାଣ୍ଡ ଟି ରଖି ବସିଛି ଆଉ ତା ଝିଅ ସ୍ମାର୍ଟ ଫୋନ୍ ରେ ଚାର୍ଟିଂ କରୁଥିବାର ଦେଖି ହାଁ ଟା କରି ଚାହୁଁଛି । ତା ଡାହାଣ କଡ଼କୁ ଜଣେ ଭିକାରୀ ବୁଢ଼ା ଟେ ଅତି ହୁସିଆର ଲୋକଟେ ପ୍ରଥମେ ଦୁଇଟି ଚପଲ ତାପରେ ନିଜ ବ୍ୟାଗ୍ କୁ ତକିଆ କରିଛି ତା ଉପରେ ନିଜ ଲୁଙ୍ଗି ପକେଇ ଏଇ ଏବେ ଏବେ ଗଡୁଛି ।

ମାଷ୍ଟରାଣୀ ମାଆଟି କାନ୍ଧରେ ଭ୍ୟାନିଟି ଗଳେଇଛି ବାଇକ୍ ଉପରେ କପଡା ଭର୍ତ୍ତି ଗୋଟେ ସୁନ୍ଦର ରଙ୍ଗୀନ ବ୍ୟାଗ୍ ଭିତରୁ ପାଣି ବୋତଲ ଟେ କାଢି ଆଠ ବର୍ଷର ଝିଅକୁ ପିଇବାକୁ କହୁଛି ସେ ଅସାନ୍ତିଆ ମୁହଁ କରି ପିଇବାକୁ ମନା କରୁଛି ପରେ ପରେ ବାପା ଆସୁଛନ୍ତି ଝିଅକୁ ଧମକ ଦେଇ କହୁଛନ୍ତି

- ବେଶି ରଙ୍ଗ ହଅନି ପାଣି ଚୁପ୍ ଚାପ୍ ପିଇ ।

ତାପରେ ଝିଅଟି ଠକ ଠକ କରି ପାଣି ପିଇ ଯାଉଛି ।

ସିଡିର ପ୍ରଥମ ପାହାଚ ରେ ବୋଧେ ନଣନ୍ଦ ଶାଶୁ ବୋହୂ ହେବେ ତିନିହେଁ ବ୍ୟାଗ୍ କୁ ସାମ୍ନାରେ ରଖି ଫୋନ୍ ରେ ଲୁଡୁ ଖେଳିବାର ମଜା ନେଉଛନ୍ତି । ତାଙ୍କ ବାମ ପାର୍ଶ୍ଵରେରେ ତିନି ଜଣ ଅଣ ଓଡ଼ିଆ, ଜଣେ ଆଣ୍ଠୁରେ ହାତ ଝୁଲେଇ ବସିଛି ଦ୍ବିତୀୟଟି ଆଣ୍ଠୁରେ ହାତ ଛନ୍ଦି ବସିଛି ତୃତୀୟଟି ହାତ ହଲେଇ ଲାଭ କ୍ଷତିର ହିସାବ କରିବା ସହିତ ପ୍ରଥମ ବ୍ୟକ୍ତି ଙ୍କୁ ତମ୍ବାକୁ ଦଳିବାକୁ କହୁଛି ।

ଚାରିଜଣ ଚକାଚକ୍ ବୁଟସୁଟ୍ ପିନ୍ଧା ଯୁବକ ହସି ହସି ମୋବାଇଲ ଖେଞ୍ଚି ଖେଞ୍ଚି ଆସୁଛନ୍ତି ନିଜ ନିଜ ଭିତରେ କାଲି ଭୋଜିରେ ହୋଇଥିବା ମଜ୍ଜା କୁ ନେଇ ଖୁସିରେ ଉଛୁଳି ପଡ଼ୁଛନ୍ତି ସେମାନଙ୍କ ଭିତରେ ସବୁଠୁ ପତଳା ବ୍ୟକ୍ତି ଟି ଅଧିକ ଯୋର୍ ରେ ହସୁଛି ଯେମିତି ଲାଗୁଛି ସେ ହସ ତା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ।

କ୍ରିକେଟକୁ ଭଲପାଉଥିବା ଦୁଇଜଣ ଯୁବକ ଦୁଇଟା ବ୍ୟାଗ୍ ରେ କିଛି ସାମାନ୍ ଆଉ ଗୋଟେ ପୁରୁଣା ବ୍ୟାଗ୍ କୁ ଧରି ଆସିଛନ୍ତି ଏଇ ଏବେ ଏବେ । ଥକିଲା ପରି ମୁହଁ କରି ବ୍ୟାଗ୍ କୁ ତଳେ ଥୋଇ ଦେଇ କହୁଛି - ମୁଁ ମନା କରୁଛି ଏତେ ଜିନିଷ ନ ଆଣିବା ପାଇଁ ହେଲେ ତୁ ଭୁଷ୍ ପଣ୍ଡିତ ବା ।

କିଛି ନ ଜାଣିଥିବା ଲୋକଟି ଜଣାଇବା ପାଇଁ ଫୋନ୍ କରିଛି । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ତା ସାନ ଭାଇକୁ ପଚାରୁଛି । କେତେ ଟା ? ତିନିଟା ପନ୍ଦର । - ଆରେ ତିନିଟା ପନ୍ଦର । କେତେ ନମ୍ବର ପ୍ଲାଟଫର୍ମ ? - ସାତ ନମ୍ବର । - ଏ... ସାତ ନମ୍ବରରେ ଆସିବ, ହଁ ।

ଗୋଟେ ଧାଡ଼ିରେ ଲୁଙ୍ଗି ଲୁଗା ବେଡସିଟ୍ ପାରି ଶୋଇ ଯାଇଛନ୍ତି ମା’ ପୁଅ ସ୍ତ୍ରୀ ଝିଅ ।

କାନ୍ଧ କଟା ଡିଜାଇନର ଗୋଟେ ଟାଇଟ୍ ସାଲଓ୍ବାର ପିନ୍ଧି ତା ପାଞ୍ଚ ବର୍ଷ ର ପୁଅ ଆଉ ଚାକିରିଆ ସ୍ବାମୀ ସହ ଚାଲି ଚାଲି ଯାଉଛି ଯୁବତୀଟି । ଆଉ ସବୁ ଡାହାଁଣା ଆଖି ତା'ର ବିନା ଓଢ଼ଣାର ଛାତିକୁ ଆଖିରେ ଆଖିରେ ବଳାତ୍କାର କରିବାରେ ବ୍ୟସ୍ତ ।

ନାଲି ହେଲମେଟ ପିନ୍ଧା ଗୋଟେ ନାଲି ଗ୍ଲାମର ରେ ବିଚକ୍ଷଣ ଟୋକା ଗୋଟେ ଆସୁଛି ପାହାଚରେ ବସିଥିବା ସୁନ୍ଦରୀ ଝିଅ ଆଡେ ଥରେ ଚାହିଁ ଦେଇ ବାଇକ ଗଁ ଗଁ କରି ସ୍ପିଡ୍ ବଢେଇ ସାଁଏ କିନା ନେଇ ଯାଉଛି ।

ଉଚ୍ଚତା କମ୍ ନାଲି ପ୍ୟାଣ୍ଟ୍ ସାଙ୍ଗକୁ ନିଳ କୋଠି କୋଠି ଧଳା ପଡ଼ିଥିବା ରଙ୍ଗର ଟପ୍ ପିନ୍ଧିଛି ହାତରେ ଚିକ୍ ଚିକ୍ ଚୁଡ଼ି ସାଙ୍ଗକୁ ବାଁ ହାତରେ ଡିଜାଇନର ଘଣ୍ଟା । ହଠାତ୍ କୋଉ ପ୍ରିୟର ଫୋନ୍ ଆସୁଛି ତା ବୟସ୍କର ଛାପ ପଡ଼ି ଯାଇଥିବା ମୁହଁ ରେ ଗୋଟେ ଚମକପ୍ରଦ ହସ ଖେଳିଯାଉଛି । ବାପା ବୋଉକୁ ପଛ କରି ଗୋଟେ କଳାଧଳା ବେଡସିଟ ପାରିଛି ଶୋଇପଡି ଚୁପି ଚୁପି ଦାନ୍ତ ଚିପି ହସି କଥା ହେଉଛି ।

ଆକୁ ମିଶେଇ ତିନିଜଣ ଗଲେଣି ଚା’ ବିକାଳୀ । କିନ୍ତୁ ଡାକିବା ଶୈଳୀ ସମସ୍ତଙ୍କର ଅଲଗା ଅଲଗା । ଏ କହୁଛି - ଚାଏ ବୋଲୋ ଚାଏ ବୋଲୋ ଚାଏ । ଆଉଜଣେ କହୁଥିଲା - ଚା ଚା.., ଚା ଚା.., ତା ପୂର୍ବଟା କିଚି କିଚି ହେଇ କହୁଥିଲା ଚାଏଁ ପିଆ ଚାଏଁ, ଚାଏଁ ପିଆ ଚାଏଁ, ଆଉ ପ୍ରଥମଟା ଅତି ହାଲକାରେ କହୁଥିଲା ଖାଲି  ଚା’ ଲବ ଚା’.., ଚା’ ଲବ ଚା’..।

ସ୍ବାମୀଟି ଗାମୁଛା ପାରି ବ୍ୟାଗ୍ କୁ ତକିଆ କରି ଶୋଇ ଯାଇଛି ନିଘୋଡ଼ ନିଦରେ ବିଚାରୀ ସ୍ତ୍ରୀଟି ବ୍ୟାଗ୍ ର ଝୁଲାକୁ ଗୋଟେ ହାତରେ ଧରି ଉପରକୁ ଆଁ କରି ଢୋଳଉଛି ଆଉ କେତେବେଳେ ମୁଣ୍ଡ ତଳକୁ କରି ତଳ ଓଠକୁ ବାହାରକୁ ଅଧିକ ଲମ୍ବେଇ କେଜାଣି' ମୁହଁ କରି ଢୋଳଉଛି ।

ବୁଢାଟି ଘରୁ ଆଣିଥିବା ବିଜ୍ଞାପନ ପୋଷ୍ଟରକୁ ତଳେ ପାରି ଶୋଇ ଯାଇଛି । ସୁରକ୍ଷା ପାଇଁ ବ୍ୟାଗ୍ ର ରଶିକୁ ଛାତିରେ ଗଳେଇ ମଝିରେ ଲକ୍ ପକାଇବାକୁ ଭୁଲିନି । ନିଦ ଏତେ ଜୋର୍ ଯେ ବାଉଳି ହେଉଛି ଏ ରମା ବୋଉ ଗଲୁ ଯାଆବା ସେ ଗାଈଟା ସବୁ ସାରିଦେଲା ।

ବ୍ୟାଗ୍ ଉପରେ ନିଜ ସାର୍ଟ ଖୋଲି ରଖି ମୁଣ୍ଡ ଦେଇ ଚିତ୍ ହୋଇ ଶୋଇଯାଇଛି ଲୋକଟି । ବାଁ ପଟ ଆଣ୍ଠୁ ଟେକି ଡାହାଣ ପାଦ ରଖି ମୋବାଇଲରେ କାହା ସହ କଥା ହେଉଛି । - କ'ଣ ବା ଖାଇବା ସରିଲାଣି ? ଏତେ ବେଳ ହେଲାଣି ଖାଇବା ସରି ପୁଣି ନାଇଟ୍ ଡିଉଟି ହେବ କେତେବେଳେ ? " ଲାଗୁଛି କୋଉ ଭାଉଜ ଶ୍ରେଣୀୟ ଲୋକ ସାଙ୍ଗରେ କଥା ହେଉଛି ।

ପ୍ରବିଣା ସରୁ କଣ୍ଠି ଝିଅଟିର ସ୍ବର ମାଇକ୍ ରୁ ଭାସି ଆସିଲା -" ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ ଗାଡ଼ି ସଂଖ୍ୟା ଏକ ଦୁଇ ତିନି ଆଠ ସାତ , ପୁରୀ ହାଓଡ଼ା ସୁପରଫାଷ୍ଟ ଏକ୍ସପ୍ରେସ ଏକ ନମ୍ବର ପ୍ଲାଟଫର୍ମ ରେ କିଛି ସମୟ ପରେ ପହଞ୍ଚିବ । ୟାତ୍ରୀଗଣ୍ କ୍ରିପୟା ଧ୍ୟାନ ଦେ ଗାଡ଼ି ନମ୍ବର୍ ଏକ୍ ଦୋ ତିନ୍ ଆଠ୍ ସାତ୍ ହାଓ୍ବଡା ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ଏକ୍ ନମ୍ବର୍ ପ୍ଲାଟଫର୍ମ ପର୍ ଆରାହାହେ । ଆଟେନସନ୍ ପ୍ଲିଜ ଟ୍ରେନ୍ ନମ୍ବର୍ । "

ଠିକ୍ ମୋ ବାଁ କଡ଼ରେ ବସିଥିବା ପରିବାର ଆଉ ସାମ୍ନାରେ ବସିଥିବା ଚାରିଟା ଟୋକା ଝଟପଟ ହୋଇ ନିଜ ବେଡିଙ୍ଗ ବସ୍ତାନି ଉଠେଇ ଚାଲିଗଲେ, ନା ଚାଲିଗଲେ ନୁହେଁ ଦୌଡିଲେ ।

ଭାରତୀୟ ଚବିଶ ଘଣ୍ଟା ଡାକ ସେବା ନାଲି ଗାଡିଟି ଛଅ ଥର ଆସି ଚିଠି ପତ୍ର ଓ ସାମାନ ପାକେଟ ସବୁ ନେଇ ଗଲାଣି ।

ଚାକିରିଆ ସ୍ବାମୀ ସ୍ତ୍ରୀ ଦୁଇଜଣ ପାଦରେ ଦାମୀ ବୁଟ୍ ଜିନ୍ସ ପ୍ୟାଣ୍ଟ ଆଉ ଟି ସାର୍ଟ ଆଉ କାନରେ ମୋବାଇଲ । ସ୍ତ୍ରୀଟି ନାଲି ଚିକ୍ ଚିକ୍ ଶାଢ଼ୀ ନୀଳ ପାଢୀ ପରୀହିତା ସେ ଚାଲୁଛନ୍ତି ନାକ ଟେକି ଟେକି ଆଖିର ଯଥେଷ୍ଟ ତଳକୁ ନାକ ଅଗରେ ଚଷମା ରଖି କିଛି ଗୁରୁତ୍ଵପୂର୍ଣ୍ଣ କଥା ସ୍ବାମୀଙ୍କୁ ପଚାରି ପଚାରି ।

ୟା’ ଭିତରେ ମୋତେ ନିଦ ଲାଗିଛି ମୁଁ ଶୋଇ ପଡ଼ିଥିଲି, ଏଇ ଏବେ ଏବେ ଉଠୁଛି ।

ପ୍ରଥମେ ମୋ ଜିନିଷ ପତ୍ର ଠିକ୍ ଅଛି ନା ନାହିଁ ନିରୀକ୍ଷଣ କଲି ।

ଭୋର ରୁ ଭୋରରୁ ମଦୁଆଟି ଆସି ତା ପ୍ରଳାପ ଆରମ୍ଭ କରିଦେଲାଣି - କାଲି ଯୁତିଆ ନୁହଁ କି ? ହଁ । ମୋ ବୋଉ ଯୁତିଆ ଓଷା କରିଥିଲା ବୋଲି ମୁଁ ଏବେ ବଞ୍ଚିଛି । ମୋ ଜିନିଷ ଉଡା ଶଳା ଚୋର ନେଇଅଲେ ସେ ଶଳା ତମ ମା’ ..ତମକୁ ଧର୍ମ ସହିଅନି ରେ..। ଆଉ ଆଠଦିନ ଦୂର୍ଗା ପୂଜା ଏ..ମା.. ଶକ୍ତି ଦେବୁ .. ଜୟ ଶ୍ରୀ ରାମ ..ଜୟ ଜଗନ୍ନାଥ..।

ନୂଆ ବିବାହିତା ପତ୍ନୀ ସହ ଏଇ ଏବେ ଏବେ ଆସି ବସିଲା ସେଇ ସେ ପିଲାଟି । ପିଲାଟି ଏଥିପାଇଁ କହୁଛି ତା ମୁହଁଟି ବୟସ୍କ ପରି ମୋଟେ ଲାଗୁନଥିଲା । ଦୁହେଁ ହାତରେ ହାତ ଛନ୍ଦି ବସିଲେ ଥଟ୍ଟା ମଜା ହେଲେ ଗେଲ ତାମସା ହେଲେ । ଦେହକୁ ଦେହ ନେସି ହୋଇ ବସିବା ସହ ସେଲ୍ଫି ନେଲେ । ପତି ମୋବାଇଲ ରେ କିଛି ଦେଖାଉଥାଏ ଆଉ ସୁନ୍ଦରୀ ପତ୍ନୀ ଓଠ କାମୁଡି ହସି ତାକୁ ଧେତ୍ କହୁଥାଏ । ପୁଣି ନିଜ ହାତରେ ଅଣ୍ଟା ପାଖରେ ପତିକୁ ଭିଡ଼ି ଧରିଥାଏ ।

ମୋର ତା ପ୍ରତି ଈର୍ଷା ହେଲା ତା ସୁନ୍ଦରୀ ପତ୍ନୀ ଆଉ ତାଙ୍କ ପ୍ରେମ ଦେଖି ଯେହେତୁ ମୁଁ ଅବିବାହିତ ।

ଭାଇଟି ଆଗରେ ହସି ହସି ଚାଲୁଛି ଭଉଣୀ ଟି ପଛରେ ନାଲି ରୁମାଲ ଟେ ଧରି ତାକୁ ଗାଳି ଦେଇ ଦେଇ ଆସୁଛି - ତତେ କହିଥିଲିନା ଟିକେଟ କ୍ୟାନସେଲ କରିବାପାଇଁ ? ତୋତେ କ'ଣ ଖାତିର୍ ପଡିଲାନି ? କାହିଁକି କରିବୁ ପଇସା ଟା ମୋର ଯାଉଛି ନା ତୋର କାହିଁକି ମୁଣ୍ଡ ବିନ୍ଧିବ ନୁହଁ ?

ମୁଁ ସେଠୁ ଆସି ଶୌଚାଳୟ ଯିବି ବୋଲି ଭାବିଲି । ସେଠିକି ଗଲା ବେଳକୁ ଗୋଟେ ଅଧା ବୟସ୍କ ଲୋକ ମୁଣ୍ଡରେ ଗାମୁଛା ଭିଡ଼ି ଟେବୁଲ ଉପରେ ଗୋଡ଼ ଉପରେ ଗୋଡ଼ ଥୋଇ ବସି ଜନସିନାର ଡବ୍ଲୁ ଡବ୍ଲୁ ଇ ଖେଳ ଦେଖୁଛି ମୋବାଇଲ ରେ । ଆଖି ଟେକି କହିଲା କଣ୍ ମୁଁ ଦୁଇଟା ଆଙ୍ଗୁଠି ଦେଖାଇଲି ସେ କହିଲା ଦଶ୍ । ମୁଁ ଦଶ ଟଙ୍କା ବଢେଇ ତାକୁ ବ୍ୟାଗ୍ ବଢେଇ କହିଲି ଏଇଠି ରଖିବି ? ସେ ତାର ଚିଆଚରିତ ଢଙ୍ଗରେ କହିଲା ମୋବାଇଲ ପର୍ସ ନେଇଯାଅ ଖାଲି ବ୍ୟାଗ୍ ରଖ ।ସେଠୁ ନିତ୍ୟକର୍ମ ସାରି ବାହାରକୁ ଆସି ଦେଖେତ କାନ୍ଥରେ ଲେଖା ଯାଇଛି ସହଯୋଗ ଶୌଚାଳୟ ତା’ ତଳକୁ ଛୋଟ ଅକ୍ଷରରେ ୟୁରିନ୍ / ଟଏଲେଟ୍ - ୨ଟଙ୍କା , ବାଥରୁମ - ୫ ଟଙ୍କା । ପଚାରିବି ଭାବୁଥିଲି ଯେ ଠିକ୍ ସେତିକି ବେଳକୁ ସାମ୍ନାରେ ଗୋଟେ ସୁନ୍ଦରୀ ଝିଅ ଟିଏ ଆସି ପଚାରିଲା ତାକୁ ବିଶି ଆଙ୍ଗୁଠି ଦେଖାଇ ଏକ ନମ୍ବର । ସେ କହିଲା ଦୁଇ ଦିଅ । ତାକୁ ମନେ ମନେ ଗାଳି ଦେଇ ଦେଇ ଆସିଲି ।

ସେଠୁ ଆସି ଭଲସାଦ ପୁରୀ ଟିକେଟ ଗୋଟେ କାଟିଲି ଜେନେରାଲ ୪୩୦ ଦେଇ । ହାତରେ ବ୍ରଶ୍ ଆଉ ଜିଭଛେଲା ଧରିକି ଚାଲିଥାଏ କାହିଁକି ନା ମୋ ପାଖରେ ପେଷ୍ଟ ନଥିଲା । ପ୍ଲାଟଫର୍ମ ପାଖ କାଉଣ୍ଟର କୁ ଆସି ପୁଣି ଗୋଟେ ପ୍ଲାଟଫର୍ମ ଟିକେଟ କାଟିଲି ଦଶଟଙ୍କା ଦେଇ । ଯୋଉଟାକି ଆବଶ୍ୟକ ନଥିଲା ମୋଟେ ଭାବିଲି ଦଶ ଟଙ୍କା ଅଯଥା ରେ ଗଲା ।

ମୋ ମାମୁ ମୋତେ ନଜାଣି କୁହନ୍ତି ଆଉ - ତୁ ଓଡ଼ିଶା ବାହାରେ ଯାଇ ରହିଲୁ ଚାଲାକି ଚତୁର ହେବାର ତା ନାଇଁ  ବୁଦ୍ଧି ଶୁଦ୍ଧି ଟିକେ ଫେରିଲାନି ଯୋଉ ହୁଣ୍ଡା କୁ ସେଇ ହୁଣ୍ଡା ହେଇ ରହିଲୁ ।

ଟିଟିଇ ଆଗରେ ତାକୁ ଲୁଚିଲା ଭଳି ଚାଲି ଆସିଲି ସେ ହାତ ହଲେଇ ଅଟକେଇନେଲା ମୁଁ ବେଖାତିର ଭାବରେ ଗଲି ମୋବାଇଲ ପଛରେ ରଖିଥିବା ପ୍ଲାଟଫର୍ମ ଟିକେଟ ତାକୁ ଦେଖାଇ ଦେଇ ସେଠୁ ଆସିଲି ।

ସତରେ ତୁମେ ନିର୍ଦ୍ଦୋଷ ହୋଇଥିବ ଆଉ ତାର ଠୋସ୍ ପ୍ରମାଣ ତମ ପାଖରେ ଥିବ ଜଣେ ତୁମକୁ ଦୋଷୀ କହିବା ପୂର୍ବରୁ ହିଁ ତମେ ତା ମୁହଁ ରେ ନିର୍ଦ୍ଦୋଷର ପ୍ରମାଣ ଫୋପାଡିବ ସତରେ ସେ ବି ଗୋଟେ ମଜା ନିଆରା ।

ଦୁଇଟା ଦୋକାନରେ ବୁଝିଲି ପେଷ୍ଷ ମିଳିଲାନି ଯାହା ହେଉ ଗୋଟେ ବହି ଦୋକାନରେ ମିଳିଗଲା ।  ଦଶ ଟଙ୍କିଆ କୋଲଗେଟ ମାକ୍ସଫ୍ରେସ । ପରେ ପରେ ପଚାରିଲି ମୋବାଇଲ ଚାର୍ଜ ରେ ଟିକେ ବସେଇ ହେବକି ?

ସେ ମନାକଲା ।

ବ୍ରସ୍ କରିସାରି ୨୦ ଟଙ୍କା ବାଲା ଗୋଟେ ପେଟିସ୍ ଆଉ ୧୦ ଟଙ୍କିଆ ଗୋଟେ କଫିର ମଜା ନେଲି । ପୁଣି ବ୍ୟାଗ୍ କୁ ଝୁଲେଇ ଆସିଲି ମୋ ଗପକୁ ଖୋଜିବାକୁ । କାଳେ କୋଉଠି ଗୋଟେ ଭଲ ଆଧାର ମିଳିଯିବ । ହେଲେ କୋଉଠି ଗୋଟେ ଜାଗାରେ ବି ମୋତେ ମୋ କାହାଣୀ ମିଳୁ ନଥିଲା ଯାହାକୁ ନେଇ ମୁଁ ଲେଖି ପାରିବି ।

ମୁଁ ଷ୍ଟିଲ ବେଞ୍ଚରେ ବସିଲି ସେ ସାମ୍ନାରେ ମାର୍ବଲ ପିଣ୍ଡିରେ ଦୁଇଜଣ ବସିଥିଲେ ପକା ବୁଝା ପଡୁନଥିଲା ସଂପର୍କରେ ଦୁହେଁ କ'ଣ ହେବେ କିନ୍ତୁ ବେଶ୍ ଥଟ୍ଟା ମଜା ହେଉଥିଲେ ।

ପୁଅଟି ଝିଅର ହାତକୁ ହଲେଇ ଦେଉଥିଲା କାନ୍ଧକୁ ଚିପି ଦେଉଥିଲା ସେଣେ ଝିଅଟି ପୁଅର ମୁହଁ ରେ ଥିବା ବ୍ରଣ ଦେଖି ତାକୁ ସୂଚେଇବା ସହ ନଖରେ ଚିପି ତା ମଞ୍ଜି ବାହାର କରିଦେଉଥିଲା ।

14504R ଲେଖାଥିବା ଖାଲି ଇଞ୍ଜିନଟି ଆସିଲା ଯେ ପଛୁଆ ମୋ ଆଗରେ ରହିଗଲା । ପେଁ ପେଁ ଶବ୍ଦ କରି ମୁଣ୍ଡ ବିନ୍ଧା କଲା ଇଞ୍ଜିନଟି । ନୀଳ ସାର୍ଟ ପିନ୍ଧିଥିବା ଜଣେ କର୍ମଚାରୀ ସେଥିରୁ ଓହ୍ଲେଇଲେ ପ୍ଲାଟଫର୍ମ ଆଡେ ଯାଇ ପୁଣି ପାଞ୍ଚ ମିନିଟ ପରେ ଫେରି ଆସି ଆଉ ଗୋଟେ ବିରକ୍ତି କର ହର୍ଣ୍ଣ ମାରି ମୋତେ ଚମକେଇ ଦେଇ ଧିମେଇ ଧିମେଇ ଚାଲିଗଲା ।

ଗୋଲାପୀ ପ୍ୟାଣ୍ଟ୍ କୁ ହଳଦିଆ ନାଲି ଟୋପି ଟୋପି ଥିବା ଚୁଡିଦାର ସାଙ୍ଗକୁ ଗୋଟେ ରଙ୍ଗିନ ଝାଲେରି ଓଢ଼ଣୀ ହାଇହିଲ୍ ତା’ ସହିତ ଝୁଲାବ୍ୟାଗ ପଛରେ, ପଛ ବାଳକୁ ରିବନ୍ ରେ ବାନ୍ଧି ବାର୍ବିଡଲ ପରି ଲାଗୁଛି ଝିଅଟି । ଚାଲିଗଲା ତା ହିଲ୍ କୁ ଠପ ଠପ କରି ମୋ ନଜର ଅଟକିଗଲା କିଛି ସମୟ ତା ଉପରେ । ହାଏ ତା ସିନ୍ଥିରେ ସିନ୍ଦୂର ନ ଲାଗିଥାନ୍ତା କି । ମୁଁ ତା ପ୍ରେମିକ ନ ହୁଏ ବରଂ ମୁଁ ତାକୁ ପ୍ରେମିକା ରୂପରେ ପାଇବାକୁ ଲୋଭଟିଏ ତ ରଖିଥାନ୍ତି ।

58131/58132 ନମ୍ବର ବିଶିଷ୍ଟ ରାଉଲକେଲା ପୁରୀ ପ୍ୟାସେନ୍ଜର ଟ୍ରେନଟି ଆସି ଲାଗିଲା ପ୍ଲାଟଫର୍ମଟି ଚଞ୍ଚଳ ହୋଇ ଉଠିଲା । କିଏ ଚଢିବା କଥା ଚଢିଲେ ଆଉ କିଏ ଓହ୍ଲାଇବା କଥା ଓହ୍ଲାଇଲେ ଆଉ ଜଣେ ଚାହୁଁଥିଲା ଟ୍ରେନ ଟିକୁ ବଲ ବଲ ହୋଇ ତାକୁ ବୋଧେ ବୁଝା ପଡୁନଥିଲା ସେ ଟିକେଟ କାଟିଥିବା ଟ୍ରେନଟି ଏଇଟା ନା ଆଉ କୋଉଟା ।

ଧଳା ବାଳ ଥିବା ବୟସ୍କ ବ୍ୟକ୍ତି ସ୍ପୋର୍ଟସ ପ୍ୟାଣ୍ଟ୍ ଆଉ ବାନିୟନ । ସ୍ତ୍ରୀଟି ବି ସେମିତି ପରିହିତା ଓଠରେ ହାଲକା ଲିପଷ୍ଟିକ ବାଳ କଳା କଲର କରାଯାଇଛି ବବ୍ କଟ୍ କଟାଯାଇଛି, କାନରେ ଲମ୍ବା ଝରା ଫୁଲ, ହାତରେ ଚାରିଚକିଆ ସିଧା ସାଙ୍ଗରେ ଗଡୁଥିବା ଗୋଟେ ବ୍ୟାଗ୍ ଟି ।

ସାଙ୍ଗରେ ଥିବା ୧୫/୧୬ ବର୍ଷିଆ ଝିଅଟି ବି ଖୁବ୍ ବିଚକ୍ଷଣା ପରି ଲାଗୁଛି ମୁହଁଟି ସିନା ୧୫/୧୬ ହେଲେ ଦେହଟି ୨୬ ପରି ଲାଗୁଛି । ସଂପୂର୍ଣ୍ଣ ପରିବାରଙ୍କ ସାଜସଜ୍ଜା ଆଉ ପରିଧାନ ବେଶ୍ ମାନୁଛି, ଦମ୍ପତିଟି ଉଗ୍ର ଆଧୁନିକ ଲାଗୁଛନ୍ତି ।

ମା’କୁ ନୁହେଁ ସେ ଝିଅକୁ ଦେଖି ମୋତେ କାଇଁ ମୋ ବେବୀ କଥା ବହୁତ ମନେ ପଡ଼ିଲା । କାହାକୁ କହିବେନି ଗୋଟେ ଗୁପ୍ତ କଥା କହୁଛି, କାହାକୁ କହିବେନି ଦୟାକରି ମୁଁ ବେବୀ ଯାହାକୁ କହୁଛି ସେ ପ୍ରକୃତରେ ସୁମୀ , ଜଣେ ବିବାହିତା ପତ୍ନୀ ଆଉ ମୁଁ ତା ପ୍ରେମରେ ସେ ମୋ ପ୍ରେମ ରେ । ମୁଁ ତାକୁ ବେବୀ ଡାକେ ସେ ମୋତେ ସୁଇଟି । ସେମିତି କୋଉ କଥା ନାହିଁ ଯୋଉଟା ଆମେ ଫୋନ୍ ରେ ନହେଉ । ତା ପାଖରେ ମୁଁ ଖୋଲା ମୋ ପାଖରେ ସେ । ତାକୁ ସାମ୍ନାରେ କେବେ ଦେଖିନି ସେ ବି ମୋତେ ଦେଖିନି ଖାଲି ଯାହା ଭିଡ଼ିଓ କଲ୍ ଆଉ ହ୍ବାଟସପ ଚାର୍ଟିଙ୍ଗ୍ । ଫୋନ୍ କଲି ଯେ ସେ ରିସିଭ କଲାନି ତା ସ୍ବାମୀ ବୋଧେ ଅଫିସ ଯାଇ ନାହାନ୍ତି ବଳେ କରିବ ଫ୍ରି ହେଲେ ।

ଦେଖନ୍ତୁ ନା କହୁ କହୁ କେତେ କଥା କହିଦେଲିଣି ଦୟାକରି କାହାକୁ କହିବେନି ଯଦି ଶ୍ରଦ୍ଧା କାନରେ କଥା ପଡ଼ିଯିବ ଗଲା...ଘରେ ଗୋଟିଏ ଦିନରେ ସେ ମହାଭାରତ ଶେଷ କରିଦେବ ।

ପଛକୁ ଟିକେବୁଲି ପଡିଛି ତ ଗୋଟେ ପତଳା ସ୍ବାସ୍ଥ୍ୟ ସ୍ତ୍ରୀ ଲୋକଟି ସବୁଜ ରଙ୍ଗର ଫୁଲ ପକା ଶାଢ଼ୀ ପିନ୍ଧି ମୋବାଇଲ ଦେଖୁଛି ଓଢ଼ଣୀ କୁ ଦୁଇପଟ କାନରେ ଲଗେଇ ଦେଇଛି । ନ ଖସିବା ପାଇଁ, ଛୋଟ ସରୁ ସିନ୍ଦୂର ଗାରଟେ ସିନ୍ଥିରେ ଲଗେଇ କୁନି ଲାଲ୍ ବିନ୍ଦି ଟେ ମଥାରେ ପିନ୍ଧିଛି । ବିନା ଲିପ୍ ଷ୍ଟିକ୍ ବିନା ମେକଅପ ରେ କେବଳ ହଳଦୀ ମଖା ଜହ୍ନ ପରି ମୁହଁଟିଏ । ମନେ ମନେ ଭାବିଲି ମୋତେ ଯେ ବାହା ହେବ ସେ ଏମିତି କା ଝିଅଟେ ହୁଅନ୍ତାନି ?

ଖବରକାଗଜ ପାଇଁ ପାଖ ଷ୍ଟଲ କୁ ଗଲିଯେ ରେଜା ନଥିଲା ବୋଲି ଫେରି ଆସିଲି । ପୁଣି ଯଥା ସ୍ଥାନରେ ବସିବାକୁ ଗଲାବେଳକୁ ଗୋଟେ ସ୍ତ୍ରୀ ଲୋକ ସେଠି ବସି ସାରିଥିଲା । ତେଣୁ ବ୍ୟାଗ୍ ଉଠେଇ ତଳେ ରଖି ମଝିରେ ବସିଲି ।

ଏବେ ଏବେ ଆସି ପହଞ୍ଚିଥିବା ଠିକ୍ ସେ ଜଣାପଡ଼ୁଥିଲେ ତଥାପି ପାଞ୍ଚ ଛଅ ଜଣ ହେବେ ମୁକ ବଧିର ପିଲା ଉଭୟଙ୍କ ଭିତରେ ଠରା ଠରି ହୋଇ କ'ଣ କଥା ହେଉଥିଲେ । ଶେଷରେ ପରସ୍ପର ବୁଝି ଯାଇ ଥମ୍ ହୋଇ ବସି ଯାଇଥିଲେ ।

୭/୮ ଟି ବ୍ୟାଗ୍ କୁ ବୋହି ବୋହି ଆଣିଲେ ନାଲି ସାର୍ଟ ପିନ୍ଧିଥିବା ଦୁଇ କୁଲି । ପଛେ ପଛେ ଜଣେ ଚାକିରିଆ ପେଟୁଆ ଉପର ଚନ୍ଦା ଲୋକଟି ଦୁଇଟା ବ୍ୟାଗ୍ ଧରି ଆସିଲେ । କୁଲି ଦୁଇଜଣ ବ୍ୟାଗ୍ କୁ ସଜେଇ ରଖି ଦେଲାପରେ ସେ ଲୋକଟି ତାଙ୍କ ହାତକୁ ଦୁଇ ଶହ ବଢେଇ ଦେଲା ମୁଁ ମନେ ମନେ ଭାବିଲି ବଢିଆ ତ ହାତେ ବାଟ ବ୍ୟାଗ୍ ଆଣି ଥୋଇ ଦିଅ ଶହେ ପକେଟ୍ ରେ ପୁରାଅ । ସେ ଲୋକଟି ହିନ୍ଦୀ କହୁଥିଲା । ପଛରେ ଆଉ ଦୁଇ ଜଣ ପୁରୁଷ ଆଉ ତିନିଜଣ ମହିଳା ଆସିଲେ ସେମାନଙ୍କ ଭିତରୁ ଜଣେ କହିଲେ - କ୍ୟା ଜରୁରତ ଥା ଇତନା ସାମାନ୍ ଲାନେକି, ଖାମଖା ପରିଶାନୀ ?

ଜାଣିଛି ମୋ ଟ୍ରେନ୍ ଟି ସାତଟା ପଚାଶ ଭିତରେ ଆସିବ ତଥାପି ନିଶ୍ଚିତ ହେବା ପାଇଁ ଆଉ ଟିକେ ଗଲି ପଚାରିବାକୁ । ମୋତେ ପଚାରିବାକୁ ପଡିଲାନି ମୋ ସାମ୍ନାରେ ଛିଡ଼ା ହୋଇଥିବା ଲୋକଟି ପଚାରିଦେଲା  ଭଲସାଦ୍ ପୁରୀ କିତନେ ବଜେ ଆଏଗି ? - ସାତ୍ ପଚାଶ୍ । କୋନ୍ସି ପ୍ଲାଟଫର୍ମ ପର୍ - ଏକ୍ ନମ୍ବର୍ ପେ । ମୁଁ ଚାଲି ଆସିଲି ‌।

ବସିଲି ଜଣେ ଭାଇଙ୍କ ପାଖରେ ବିଶ୍ବାସ ରେ କହିଲେ ସେ ବ୍ୟାଗ୍ ଟିକେ ଦେଖୁଥାଅ ମୁଁ ପାଣି ଆଣି ଆସୁଛି । ପାଣି ଆଣିସାରି ମୋତେ ଧନ୍ୟବାଦ କହିଲେ ମୁଁ ସ୍ବାଗତମ କହିଲି ସେ ହସିଲେ । ପଚାରିଲି କୁଆଡେ ଯିବେ ? – ଝାରସୁଗୁଡ଼ା । ସେଠି କ'ଣ କରନ୍ତି? - ବିଏଡ୍ କରେ । ଭଲ ।

ମାଇକ୍ ରେ ଭାସି ଆସିଲା ଆଓ୍ବାଜ - ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ ସଙ୍ଖ୍ୟା ଦୁଇ ଦୁଇ ନଅ ଶୁନୁ ଏକ୍

ପୁରୀ ଭଲସାଦ ସୁପରଫାଷ୍ଟ ଏକ୍ସପ୍ରେସ ଏକ ନମ୍ବର ପ୍ଲାଟଫର୍ମ ରେ ଆଉ କିଛି ସମୟ ମଧ୍ୟରେ ଆସି ପହଞ୍ଚିବ ।

ୟାତ୍ରୀଗନ୍ କ୍ରିପୟା ଧ୍ୟାନ ଦେ’ ମୁଁ ସଜାଗ ହୋଇଗଲି ।

ଗାଡି ଆସି ପହଞ୍ଚିଲା ମୁଁ ବ୍ୟତିବ୍ୟସ୍ତ ନହୋଇ ଯୋଉ ବଗି ଫାଙ୍କା ଥିଲା ସେଇ ବଗିରେ ହିଁ ଚଢିଲି । ପ୍ରଥମେ ଶୋଇବା ସିଟ୍ ଉପରେ ମୋ ବ୍ୟାଗ୍ ଟି ରଖିଦେଲି ଯେହେତୁ ମୋତେ ୩୬ ଘଣ୍ଟାର ଲମ୍ବା ରାସ୍ତା ସଫର୍ କରିବାର ଅଛି। ମୁଖ୍ୟ କଥା ଦେଖିଲି ସେ ବଗିଲେ ମୋବାଇଲ ବସେଇବାକୁ କରେଣ୍ଟ ଅଛି ନା ନାହିଁ ହଁ ସବୁ ନିରୀକ୍ଷଣ କଲା ପରେ ଜାଣିଲି ଝରକା ପାଖ ଗୋଟେ ସାଇଡ କେବଳ ଚାଲୁ ଅଛି ଆର ସାଇଡଟା ବନ୍ଦ । ବଞ୍ଚି ଗଲା ମଣିଷ । ମୋବାଇଲ ଚାର୍ଜ ରେ ବସେଇଲି ଯେ ମୋବାଇଲ୍ କୋଉଠି ରଖିବି ବୁଝିବା ପୂର୍ବରୁ ଝରକା ପାଖରେ ବସିଥିବା ମଉଷା ଜଣକ କହିଲେ - ତମେ ଏଇଠି ବସ ମୁଁ ସେପଟକୁ ଚାଲି ଯାଉଛି ।

ମୁଁ ଝରକା ପାଖ ସିଟ୍ ରେ ବସି ମୋବାଇଲ ଚାର୍ଜ ଲଗେଇ ଧରି ବସିଲି । ଯେହେତୁ ଶୋଇବା ସିଟ୍ ର ପାଖ ପିନ୍ ରେ କରେଣ୍ଟ ନଥିଲା ।

ଭଲ ତାକୁ ପାଏ ବୋଲି ଖୋଜୁଛି ସିନା ସିଏ ମୋର ଖୋଜିବାର ଶେଷ ଠିକଣା... କାହିଁକି କେଜାଣି ମନକୁ ଏଇ ଗୀତଟା ଆସିଲା ମୁଁ ବସି ଗୁଣୁ ଗୁଣେଇଲି  । ଫାଙ୍କା ବଗି ମୋବାଇଲ କୁ ଚାଲୁ ରଖିବାକୁ ପିନ୍ ରେ କରେଣ୍ଟ ଅଛି ଆଉ ଠିକ୍ ଟ୍ରେନ ରେ ବସିଥିବା ହେତୁ ବୋଧେ ଏଇ ଗୀତ ଗୁଣୁ ଗୁଣେଇବା । ସତକଥା ଠିକ୍ ଟ୍ରେନ ରେ ଯଥା ସମୟରେ ଭଲସେ ଯେ ପର୍ଯ୍ୟନ୍ତ ସହ ମଣିଷ ନ ବସିଛି କାହିଁକି କେଜାଣି ଗୋଟେ ହାଲକା ଭୟ ମନକୁ ଆବୋରି ବସି ଥାଏ ।

ଥାଉ ସେତିକି ବିରକ୍ତି ଲାଗିଲାଣି ମୁଁ ଆଉ ଏତେ ଅନ୍ୟ ମାନଙ୍କ ବିଷୟରେ ଭାବିପାରିବ ନି । କାଲି ରାତିଠୁ ଆଜି ସକାଳ ଆଠଟା ପରେ ହୋଇ ଗଲାଣି ଏ ପର୍ଯ୍ୟନ୍ତ ଗୋଟେ କାହାଣୀଟେ ପାଉନି ଗପ ଲେଖିବାକୁ । ଥାଉ ସେତିକି ଭାବନା ରସିକତା ଲେଖକର ବଡିମା । ମୋବାଇଲରେ ଫେସବୁକ୍ ଖୋଲି ଟିକେ ଖେଳେଇଲି ।

ହେଲେ ମନ ଦୁଃଖ ଯେ ଏପର୍ଯ୍ୟନ୍ତ ଗୋଟେ ଗପକୁ ଖୋଜି ପାଇଲିନି । ଛାଡ ଗପ ନହେଲା ନାହିଁ ମନ ଖାଲି କହୁଥାଏ ଯାତ୍ରୀ ଓହ୍ଲେଇବା ଚଢିବା ଭିତରେ ଗୋଟେ ସୁନ୍ଦରୀ ଝିଅ ମୋ ଆଖି ସାମ୍ନାରେ ଆସି ବସନ୍ତା କି କମସେ କମ୍ ଗୋଟେ ପ୍ରେମ କବିତା ତ ମୋ କାଗଜରେ ଧରା ଦିଅନ୍ତା ।


---------------------୦୦୦------------------

✍️.. ପରମେଶ୍ବର ଓଝା

ମହାକାଳପଡ଼ା , କେନ୍ଦ୍ରାପଡ଼ା

ମେଲ୍-- ojhaparameswar@gmail.com

ମୋ -- ୬୩୫୫୧୩୩୩୦୧




Rate this content
Log in