Goutam Mohanty

Romance


3  

Goutam Mohanty

Romance


ଗୋରୀ

ଗୋରୀ

4 mins 99 4 mins 99

 ଭୁବନେଶ୍ୱର ଗଲେ ମୁଁ ଏମ. ଏଲ. ଏ. କଲୋନୀରେ ରହୁଥିଲି । ସନ୍ଧ୍ୟା ଭ୍ରମଣ ବେଶ ରୋମାଣ୍ଟିକ ଓ ରୋମାଞ୍ଚକର ଥିଲା ସତେ । ଏମ. ଏଲ. ଏ. କଲୋନୀ ପାଖାପାଖି କେଶରୀ ଟକିଜ୍ ରେ ଫିଲ୍ମ ଦେଖିବା ଓ ରବୀନ୍ଦ୍ର ମଣ୍ଡପରେ ନାଟକ ଦେଖିବାରେ ଗୋଟିଏ ସ୍ୱତନ୍ତ୍ର ଚାର୍ମ ଥାଏ । ତେବେ ଏକାଏକା ଭଲ ନଲାଗିଲେ ଟିକେ ଇନ୍ଦିରା ପାର୍କ ଆଡ଼େ ବୁଲି ଆସେ । ଇନ୍ଦିରା ପାର୍କରେ ଆମ ଭଳି ମଫସଲିଆ ମାନେ ଏକା ଏକା ବୁଲିବାଟା ଆମ୍ବ ଖାଇ ନପାରି ଟାକୁଆ ଚୋବାଇବା ସହିତ ସମାନ । କେବଳ ଯୋଡ଼ାଯୋଡି ହୋଇ ବସିଥିବା ପ୍ରେମିକପ୍ରେମିକା ମାନଙ୍କୁ କଣେଇ କଣେଇ ଚାହିଁବା ହିଁ ସାର ହୁଏ........ ।


ବେଞ୍ଚ ଉପରେ ଯେତେ ଷ୍ଟାଇଲରେ ବସିଲେବି ମଫସଲିଆ ଗୁଣଟା ଲୁଚେଇ ହୁଏନି । ମୁଁ ଯେଉଁ ପକ୍କା ବେଞ୍ଚରେ ବସି ବାଦାମ ଚୋବାଉଥିଲି ଠିକ ପଛ ପଟକୁ ଝଙ୍କାଳିଆ ଫୁଲ ଗଛଟା ସେଇ ଯାଗାକୁ ଭଲସେ ଅନ୍ଧାରିଆ କରିଦେଇ ଥିଲା । ମୁଁ ନଜାଣିଲା ପରି ଓ କେହି ନଦେଖିଲା ଭଳି ବେଳେବେଳେ ସେଇଆଡ଼େ ଅନେଇ ଖୁବ ଶୀଘ୍ର ଆଖି ଫେରେଇ ଆଣୁଥାଏ । କୁଆଡେ ମୋ ଚାହିଁବା କିଏ ଦେଖି ଦେଲାକି । ଡର ଲାଗିବା ସ୍ୱାଭାବିକ । ରାଜଧାନୀ ଟୋକାଙ୍କୁ ବିଶ୍ୱାସ କଣ । ଯଦି ଜାଣି ପାରିବେ ବେଶ ଥଣ୍ଡା ଗରମ ଲଦି ଦେବେ....... ।


ମୋ ଚାହିଁବାର ଯେଉଁ କାରଣଟି ଥିଲା ଦୁଇଟା ଅଛାଡ଼ୁଆ ଟୋକା ଟୋକୀ ସେଇ ଅନ୍ଧାରିଆ ଫୁଲ ଗଛ ମୂଳେ ବସିଥିଲେ । ତାଙ୍କ ଠଣାଠାଣି ରୁ ଜଣା ପଡୁଥିଲା ସେଇ ଦୁଇଟା ପୁରା ନୂଆ ଗଛରେ କଷି ଫୁଲ । ବୋଧେ ଘରେ ଯାଗା ନାହିଁ ଏଇଠି ଆଜି ସ୍ବପ୍ନ ଦେଖୁଛନ୍ତି । ହଉ ଦେଖନ୍ତୁ । ମୋର ଯାଏଆସେ କେତେ...  ।


ମୋର କିନ୍ତୁ ଗୋରୀ କଥା ବାରମ୍ବାର ମନେ ପଡୁଥିଲା । ସତରେ ଗୋରୀଟା ମଫ । ପୁରା ଗାଉଁଲି ଝିଅ । ଯେତେ ବୁଝେଇଲେ ବୁଝେନା । ଶାଢ଼ୀ ପିନ୍ଧିବ ଘୋଡ଼ିଘାଡ଼ି ହୋଇ ଏମିତି ଯେ ଦେହ ଟିକିଏବି ଦେଖା ଯିବନି । ଯେମିତି ତା ଗୋରା ଦେହରେ କାହାର ନଜର ପଡ଼ିଯିବ । ତକତକ ଗୋରା ଦେହକୁ ଲମ୍ବା ଘନ କେଶ ଖୋଲିଦେଲେ ମାଟିକୁ ଛୁଇଁବ । ସେ ବେଶୀ ଲମ୍ବା ନଥିଲା । ସାମାନ୍ୟ ପାତିଳି ଥିଲା । ସୁନ୍ଦର ଆଖି ସହିତ ଆଖିପତା ଦୁଇଟା ଆହୁରି ସୁନ୍ଦର । ସହରୀ ଝିଅ ଗୁଡିକ ତା କେଉଁ ଗୁଣ କି ରୂପକୁ ସରି ହେବେନି । ଗୋରୀକୁ ମୁଁ ଭଲ ପାଉଥିଲି ଏପରିକି ଜୀବନ ସାଥୀ କରିବାର ଦୃଢ଼ ନିଷ୍ପତ୍ତି ନେଇ ସାରିଥିଲି । ଯେତେ ବାଧାବିଘ୍ନ ଆସିଲେବି ତା ହାତ ଛାଡିବିନି ଏହା ଥିଲା ମୋର ସଂକଳ୍ପ । ଗୋରୀ ପାଇଁ ସତରେ ମୁଁ ଭାରି ଗର୍ବ ଅନୁଭବ କରୁଥିଲି ଓ ତାକୁ ଜୀବନ ସାଥି କରିବା ମୋ ପାଇଁ ବାସ୍ତବରେ ଏକ ବଡ଼ ସଫଳତା ବୋଲି ଭାବି ନେଇଥିଲି । ତେବେ ହଠାତ କାହିଁକି ଗୋରୀ ଉପରେ ମୋର ରାଗ ଓ ଅଭିମାନ ଦୁଇଟା ଯାକ ଆସିଲା...... ।


ମୁଁ ପୁଣି ଥରେ ପଛ ଆଡକୁ ଚାହିଁଦେଲି । ପୁଅଟି ନିର୍ବିକାର ଭାବେ ଝିଅ କୋଳରେ ଶୋଇ ରହିଥିଲା । ନା ଡର କି କାହାକୁ ଭୟ ଥିଲା । ପ୍ରେମରେ ଡରିବ କାହିଁକି । ଯଦି ଡରିବ ପ୍ରେମ କରିବ କାହିଁକି । ଗୋରୀ ଉପରେ ମୋର ରାଗ ଟି ଆହୁରି ବଢ଼ି ଗଲା । ଆମ ବାଡ଼ି ସେଇ ପିଜୁଳି ଗଛ ମୂଳରେ ତାର ସୁନ୍ଦୁରିଆ ଗାଲରେ ମୁଁ ଯେତେ ଥର ଚୁମାଟିଏ ଦେବାକୁ ଚେଷ୍ଟା କରିଛି ସଫଳ ହୋଇ ପାରିନି । ଗୋରୀ ମୋ ହାତ ଟିକୁ ଛିଞ୍ଚାଡି ଦେଇ କହେ ଏତେ ବ୍ୟସ୍ତ କାହିଁକି । ବାହାଘର ସରୁ । ମୁଁ କଣ ପଳାଇ ଯାଉଛି କି....... 

ମୁଁ ଭଲକି ଜାଣି ଥିଲି ଗୋରୀ ମୋତେ ଛାଡ଼ି କୁଆଡେ ବି ଯିବନି । ଆମେ ଦୁଇଟି ଆତ୍ମା ଏକ ହୋଇ ଯାଇଥିଲୁ । ସେଦିନ କିନ୍ତୁ ମୁଁ ପାର୍କ ଭିତରେ ନିଷ୍ପତ୍ତି ନେଲି ଗାଁ କୁ ଫେରିଲେ ଗୋରୀ କୋଳରେ ଶୋଇବି । ମନ ଶାନ୍ତି ନହେବା ଯାଏଁ ଶୋଇବି । ଯଦି ଗୋରୀ ରାଜି ନହୁଏ ତେବେ ଆଦୌ ଭଲ କଥା ହେବନି ବୋଲି ତାକୁ ରୋକଠୋକ ଜଣାଇଦେବି । ଆମେ ଗାଉଁଲି ହେଲୁ ବୋଲି ଆମର କଣ ମନ ନାହିଁ...... ।


ଗାଁ କୁ ଫେରିଲା ପରେ ସେଇ ପିଜୁଳି ଗଛ ମୂଳେ ଗୋରୀକୁ ମୁଁ ମନର କଥା କହିଲି । ସହରୀଆ ପୁଅଝିଅ ମାନେ ଖୋଲାଖୋଲି ପ୍ରେମ କରୁଛନ୍ତି । ଆମେ ଏତେ ପଛରେ ରହିବା କାହିଁକି । ଯୁଗ ନାହିଁ କେଉଁଠି ପହଂଚିଲାଣି । ମୋ କଥା ଶୁଣି ଗୋରୀ ଲାଜ କଲା । କହିଲା ନାଇଁ ମୋ ଏଗୁଡା ଭଲ କଥା ନୁହେଁ । ତମେ ମୋ କୋଳରେ ଶୋଇବ । ଯଦି ଗାଁ ଲୋକ କେହି ଦେଖି ନେବେ । ମୁଁ ଟିକିଏ କୁତ୍ରିମ ରାଗ କରି କହିଲି କିଏ ଦେଖିଲା ଆମର କଣ ଅଛି । ମୁଁ ତତେ ଭଲ ପାଏ । ବାହା ହେବି । ଏକଥା ଗାଁରେ କିଏ ବା ନଜାଣେ । ତୁ ସେ ବିଷୟରେ ଚିନ୍ତା କରିବା ଦରକାର ନାହିଁ । ତୁ ଟିକେ ଏଇ ଗଛ ଛାଇ ତଳେ ବସିଲୁ । ମୁଁ ତୋ କୋଳରେ ମୁଣ୍ଡ ରଖି ଶୋଇ ଯାଏ । ଯଦିଓ ଗୋରୀ ଏନେଇ କିନ୍ତୁ କିନ୍ତୁ ହେଉଥିଲା କୁତୁକୁତୁ ବି ହେଉଥିଲା । ମୁଁ ଠିକ ସେ ଜାଣି ପାରୁଥିଲି ସେ ବି ଚାହୁଁଥିଲା ସେୟା । ମୁଁ ଟିକେ ତା କୋଳରେ ମୁଣ୍ଡ ଦେଇ ଶୋଇ ଯାଆନ୍ତି କି......  ।


ଗୋରୀ ଇଆଡ଼େ ସିଆଡେ ଅନେଇ ପିଜୁଳି ଗଛ ଛାଇ ତଳେ ଗୋଡ଼ ଅଧା ଲମ୍ବେଇ ବସିଗଲା । ମୁଁ ଆଉ ବିଳମ୍ବ ନକରି ତା କୋଳରେ ଶୋଇ ଗଲି । ସତେ ଯେମିତି ମୁଁ ଏକ ଯୁଦ୍ଧରେ ଗଡ଼ ଜିତି ଗଲି । ପିଜୁଳି ଗଛଟା ହସୁଥିଲା । ଖତେଇ ହେଉଥିଲା । ପିଲାଟି ଦିନରୁ ଆମ ପ୍ରେମ କାହାଣୀର ମୂକ ସାକ୍ଷୀସିଏ । ସବୁ ଦେଖିଛି । ତାରି ଡାଳରୁ ବଡ଼ ବଡ଼ ପାଚିଲା ପିଜୁଳି ତୋଳି ଗୋରୀକୁ ମୁଁ କେତେ ଦେଇଛି ଖାଇବାକୁ । ତାକୁ ପୁଣି ଲାଜ କଣ । ହସୁଛି ହସୁ ଥାଉ....... ।


ମୁଁ ଶୋଇ ଯାଇଥିଲି । ଗଛ ମୂଳର ଶୀତଳ ହାଲୁକା ପବନଟା ଦେହରେ ଯେଉଁ ଶିହରଣ ଭରି ଦେଉଥିଲା ସେଇଥିରେ ମତୁଆଲା ହୋଇ ମୋ ଆଖିକୁ ନିଦ ଆସି ଯାଇଥିଲା । ସଂଗେ ସଂଗେ ପ୍ରତୀକ୍ଷାରତ ସ୍ବପ୍ନ ଗୁଡିକ ମୋ ନିଦକୁ ଆହୁରି ରଙ୍ଗୀନ କରି ଦେଉଥିଲା । ମୁଁ ଆଉ ଗୋରୀର କୋଳରୁ ଉଠିବାକୁ ପ୍ରସ୍ତୁତ ନଥିଲି । ସବୁ ଦିନ ପାଇଁ ଶୋଇ ଯିବାକୁ ଏକ ପ୍ରକାର ପ୍ରତିଜ୍ଞା କରି ନେଇ ଥିଲି । କିନ୍ତୁ ହଠାତ ମୋର ନିଦ ଭାଙ୍ଗି ଗଲା । ଯେତେବେଳେ ମୋ ମୋ ଗାଲ ଉପରେ ଟୋପା ଟୋପା ଲୁହ ଗୁଡିକ ଖସି ପଡୁଥିଲା ଗୋରୀର ଆଖି ଦୁଇଟାରୁ । ମୁଁ ପଚାରିଲି । ଗୋରୀ ତମେ କାନ୍ଦୁଛ କାହିଁକି । ସେ ଆହୁରି ଜୋରରେ କାନ୍ଦିଲା । ତାର ଅସ୍ପଷ୍ଟ ଥରଥର କଣ୍ଠରୁ ଏକ ଆବେଗମୟ ସ୍ୱର ବାହାରି ଆସିଲା । ତମେ ମୋତେ ଭୁଲି ଯିବନି ତ......... 

ମୁଁ କିଛି ଉତ୍ତର ଦେଇ ପାରିଲିନି । ଗୋରୀକୁ ନିଜ ଛାତି ଉପରକୁ ଟାଣି ଆଣି ଜୋରରେ ଆହୁରି ଜୋରରେ ଜାବୁଡି ଧରିଲି............ ।

        


Rate this content
Log in

More oriya story from Goutam Mohanty

Similar oriya story from Romance