ହୁଅ ସଚେତନ
ହୁଅ ସଚେତନ
ଶିଶୁ ହସିଲେ ଦୁନିଆ ହସିବ।ଆଜିର ଶିଶୁ କାଲିର ଭବିଷ୍ୟତ। ଉତ୍ତମ ନାଗରିକ ରୂପେ ପରିଗଣିତ ହେବ। ଏସବୁ ଶୋଭା ପାଉଛି କେବଳ ଆମମାନଙ୍କ ମୁଖରେ। ଶିଶୁ ଶ୍ରମିକ,ଶିଶୁ ଭିକ୍ଷାବୃତ୍ତି, ବାଲ୍ୟ ବିବାହ, କନ୍ୟା ଭ୍ରୁଣ ହତ୍ୟା ଏହା ଶତ ଚେଷ୍ଟା ପରେ ବି କେବେ ବନ୍ଦ ହୋଇଛି ନା ହୋଇ ପାରିବ। ଧନୀକ ଶ୍ରେଣୀର ଲୋକଙ୍କର ପ୍ରାଦୁର୍ଭାବ ସବୁଦିନ ରହିଛି ରହିବ।
ଅନେକ ଶିକ୍ଷିତ ପରିବାର ରହିଛି ପୁଅ ଝିଅଙ୍କ ମଧ୍ୟରେ ଆଜି ବି ଅନେକ ପାର୍ଥକ୍ୟ। ଏକରୁ ଅଧିକ କନ୍ୟା ଜାତ ହେଲେ ତାର ହତ୍ୟା କରିବାକୁ ବି ପଛାଉନାହାନ୍ତି। କିଏ ପାଉଁଶ ଗଦା ରେ ଫିଙ୍ଗିଲା ନି ତ କିଏ ଅଳିଆ ଗଦାରେ। ମାଆର ମମତା ବିଳାପ କଲେ ବି ତାହା କାହା କାନକୁ ଶୁଭେନି। କିଏ ଶୁଣିବ? ଯୁଗେ ଯୁଗେ ନାରୀ ପରାଧୀନ। ଯେଉଁ ଘରେ ତାର ଅର୍ଥି ଉଠିଥାଏ ସେଇ ଘର କୁ ସେ ନିଜର ବୋଲି କହିପାରେ ନାହି।ସ୍ୱର ଉତ୍ତୋଳନ କରିବା ପାଇଁ ତା ପାଖରେ ନ ଥାଏ ସାହସ। ସମ୍ମାନ ହାନୀର ଦ୍ୱାହି ଦେଇ ଅନେକ ଭୁଲ୍ ପଦକ୍ଷେପ ପାଇଁ ସମ୍ମତି ଜଣାଇଥାଏ।ଅନେକ ଧାରା ଲାଗୁ କରା ଯାଇଛି ଶିଶୁ ଅଧିକାର ଉପରେ ହେଲେ କିଏ ତାର ସତ୍ ବ୍ୟବହାର କରୁଛି। ଏସବୁ ପାଇଁ ଦାୟୀ ଆଜିର ପ୍ରତ୍ୟେକ ନାଗରିକ। ସଚେତନତା ୟର ଅଭାବ। ପ୍ରତ୍ୟେକ ଲୋକ ସଚେତନ ହେଲେ ସବୁ ସମସ୍ୟାର ସମାଧାନ ହୋଇ ପାରନ୍ତା। ଅନେକ ଝିଅଙ୍କର ସ୍ଵପ୍ନ ସତ ହୋଇ ପାରନ୍ତା।
ଯାହାର ଜ୍ୱଳନ୍ତ ଉଦାହରଣ ରୀମା।
ତୁଳସୀ ଦୁଇ ପତ୍ରରୁ ବସିଲା ପରି ତାର ଗୁଣ ସବୁ ପିଲା ଦିନୁ ବାରି ପଡୁଥାଏ।ପାଠ ପଢାରେ ଆଗ୍ରହ।ମଧୁର ବଚନ।ଗୁରୁଜନଙ୍କ କଥା ମାନିବା। ଶ୍ରେଣୀରେ ସବୁ ଦିନ ପ୍ରଥମ।ଶିକ୍ଷକଙ୍କର ଅତି ପ୍ରିୟ।
ଘରର ଅବସ୍ଥା ପାଇଁ ଅଧିକାଂଶ ଦିନ ବିଦ୍ୟାଳୟରେ ଅନୁପସ୍ଥିତ। ବହୁ କଷ୍ଟ କରି ପରୀକ୍ଷା ଦେଇଥାଏ ।ସେଥିରେ ବି ସେ ପ୍ରଥମ ସ୍ଥାନ ଅଧିକାର କରେ। ତା ତଳକୁ ଆହୁରି ଦୁଇ ଜଣ ଭଉଣୀ। ସେମାନଙ୍କର ଦାୟିତ୍ଵ ବି ରୀମା ଉପରେ।
ବାପା ମାଆ ଦୁହେଁ ମୂଲ ଲାଗି ଗଲେ ସେ ହୁଏ ନିରୁପାୟ।
ସମୟ କାହାକୁ ଅପେକ୍ଷା କରେନା ତା ବାଟରେ ସେ ଚାଲିଥାଏ। ଏମିତିରେ ସପ୍ତମ ପର୍ଯ୍ୟନ୍ତ ବହୁ କଷ୍ଟରେ ପଢିଲା।
ଖାଦ୍ୟ ,ବସ୍ତ୍ର ବହି ସବୁ ମାଗଣାରେ ପାଇ ସୁଦ୍ଧା ସଚେତନ ନୁହନ୍ତି ବାପା ମାଆ। ମାନସିକତାର ନାହିଁ ପରିବର୍ତ୍ତନ।
ରୀମାର ଘର ବିଦ୍ୟାଳୟ ନିକଟରେ। ପ୍ରଥମରୁ ଦଶମ ପର୍ଯ୍ୟନ୍ତ। ହଠାତ୍ ଶ୍ରେଣୀରେ ରୀମାର ଅନ୍ୟମନସ୍କତାକୁ ଲକ୍ଷ୍ୟ କରି ଗୁରୁଜୀ ତାକୁ ପାଖକୁ ଡାକି ପଚାରିଲେ କିରେ ରୀମା ? ପାଠ ବୁଝି ପାରୁନାହୁଁ କି ?ମନ କାହିଁକି ଦୁଃଖ?
ହଠାତ୍ ରୀମାର ଆଖିରୁ ଅଜାଣତରେ ଦୁଇ ଧାର ଲୁହ ବହି ଯାଇଥିଲା। ଅନେକ ଚେଷ୍ଟା ପରେ ସାର ବିଫଳ ହୋଇଥିଲେ।
ତାକୁ ବୁଝେଇ କହିଲେ ହଉ ବସ। ତାର କାରଣ ଜାଣିବା ପାଇଁ ଶିକ୍ଷକ ଅନ୍ୟ ପିଲା ହାତରେ ତାର ବାପା ମାଆଙ୍କୁ ଡାକିଥିଲେ।
ତା ପର ଦିନ ବିଦ୍ୟାଳୟରେ ରୀମା ତା ବାପା ମାଆଙ୍କୁ ଦେଖି ଆଚମ୍ବିତ ହୋଇଥିଲା।ଖୁସି ବି ଥିଲା ଦୁଃଖ ବି ଥିଲା। ମାଆ ବାବାଙ୍କଠୁ ଗାଳି ଶୁଣିବାର ଭୟ ଅନ୍ୟ ପକ୍ଷରେ ବାପା ମାଆଙ୍କ ଠୁ ସତ ଶୁଣିଲେ ହୁଏତ ତା ଭାଗ୍ୟର ପରିବର୍ତ୍ତନ ହେବ।ତା ସ୍ଵପ୍ନ ହୁଏ ତ ପୂରଣ ହେବ ଏମିତି ଭାବି ଚାଲି ଥାଏ। ସାର୍ ମଧ୍ୟ ବାପା ମାଆଙ୍କ ସହ
ଆଲୋଚନା କଲେ। ରୀମାକୁ ଏତିକି କହିଲେ ତୋର ଆଉ ଡରିବାର ନାହିଁ ମୁଁ ତୋ ବାପା ମାଆଙ୍କୁ ବୁଝାଇ ଦେଇଛି।
ରୀମାର ଖୁସି ସେଦିନ ଦ୍ୱି ଗୁଣିତ ହୋଇଥିଲା କ୍ଷଣିକ ପାଇଁ ସେ ସେଇ ସ୍ବପ୍ନରେ ମଜ୍ଜି ଯାଇଥିଲା।
ହେଲେ ସେ ଖୁସି ସେ ସ୍ଵପ୍ନ ସେ ଚେଇଁ ୟବା ଅବସ୍ଥାରେ ଦେଖି ଥିଲା ଯାହା କେବେ ସତ ହୁଏ ନାହିଁ। ପାଣି ଫୋଟକା ପରି ମିଳାଇ ଯାଇ ଥିଲା।ବାପା ମାଆ ତାଙ୍କ ଜିଦ୍ ରେ ଅଟଳ ଥିଲେ।ଅଦିନିଆ କାଳ ବୈଶାଖୀରେ ସବୁ ସ୍ଵପ୍ନ ଭାଙ୍ଗି ଚୁରମାର ହୋଇ ଯାଇ ଥିଲା। ଗ୍ରୀଷ୍ମ ଛୁଟି ସରିଲା। ବିଦ୍ୟାଳୟକୁ ଗୁରୁଜୀ ଆସିବା ବେଳେ ନିଜ ଆଖିରେ ଯାହା ଦେଖିଲେ ତାହା ସେ ବିଶ୍ୱାସ ବି କରି ପାରିଲେନି। ସେଦିନ ରୀମା ଆଖିରୁ ଲୁହ ଧାର ବହି ଯାଇଥିଲା ଆଜି ଗୁରୁଜୀ ଆଖିରୁ ଲୁହ ଧାର ବହି ଯାଇଥିଲା। ପାଖକୁ ଡାକି ଏତିକି କହିଲେ ମୁଁ ତୋ ପାଇଁ କିଛି କରି ପାରିଲିନି।
ଏଠି ରକ୍ଷକ ସାଜେ ଭକ୍ଷକ। କେମିତି ରୋକା ଯାଇ ପାରିବ ଏ ବାଲ୍ୟ ବିବାହ। କିପରି ପରିବର୍ତ୍ତନ ହେବ ବାପା ମାଆଙ୍କର ମାନସିକତା।ହସି ଖେଳି ପାଠ ପଢ଼ିବା ସମୟରେ ଝିଅଟିଏ ଆଉ କାହା ଘରର ବୋହୂ ସାଜେ।ଗୋଟିଏ ଦଳ ପ୍ରତିବାଦ କଲେ ଅନ୍ୟ ଦଳ ଲୋଭରେ ବଶୀଭୂତ ହୋଇ ବିବାହ କାର୍ଯ୍ୟ ସମାପନ କରନ୍ତି ଯାହା ହୋଇ ଥିଲା ରୀମା ସହ। ତେଣୁ ଏମିତି ନିୟମ ବାହାର କରାଯାଉ କେବଳ ଝିଅର ସମ୍ମତିରେ ହିଁ ସେ ବିବାହ କରିବ।
ତା ନହେଲେ ଏମିତି ଅନେକ ରୀମାର ପାଠ ପଢ଼ା ସ୍ଵପ୍ନ ସ୍ଵପ୍ନରେ ରହିବ।
ଏହା ଏକ ପ୍ରକାର ମାନସିକ ଦଣ୍ଡ ନୁହେଁ କି ?