ସମ୍ପର୍କର ମୂଲ୍ଯ
ସମ୍ପର୍କର ମୂଲ୍ଯ
କୋର୍ଟ ସାମ୍ନାରେ ଛିଡା ହେଇଛନ୍ତି ରେଣୁ।ଆଜି ଥିଲା କୋର୍ଟରେ ଶେଷ ତାରିଖ।ସବୁ କିଛି ଶେଷ ହେଇଗଲା ଆଜି।ଯେଉଁ ସୂତା ଖିଅଟିକୁ ଧରି ସେ ପାରୁ ପର୍ଯ୍ଯନ୍ତ ଚେଷ୍ଟା କରିଥିଲେ ଅତୁଟ ରଖିବା ପାଇଁ ଶେଷରେ ସେଇ ସୂତା ଖିଅଟି ଛିଡି ଦୁଇଖଣ୍ଡ ହେଇଗଲା।ଆଖିରେ ଲୁହ ବୋଲ ମାନୁନି।ସରୁଆ କ୍ଷୀଣ ଧାର ଟିଏ ବହି ଆସୁଛି ଗାଲଦେଇ।ଆଉ କେଉଁ ଲୁହ ଅଛିଯେ ବୋହିବ।ବର୍ଷେ କି ଦୁଇବର୍ଷ ନୁହେଁ।ଦୀର୍ଘ ପାଞ୍ଚ ବର୍ଷ ହେଇଗଲା ଏ ଲୁହର ଧାର ବହିବହି ଶୁଖିବାକୁ ବସିଲାଣି।ଯାହା ଟିକେ ବଳକାଥିଲା ଆଜି ଶେଷଥର ପାଇଁ ନିଗିଡି ଆସିଲା। ସବୁକିଛି ସରିଗଲା ବୋଲି ଆଉ ଭାବିବିନି ବୋଲି ଭାବିଲା ବେଳକୁ ସବୁ କିଛି ମନେ ପଡିଯାଉଛି ମୂଳରୁ ଅଗ ଯାଏ।କିଛି ବି ମନରୁ ଲିଭିନି।ସବୁ କିଛି ଏଇ କାଲି ଭଳିଆ ତାଜା ଅଛି।କାଲି ଭଳିଆ ମନେ ପଠୁଛି କଲେଜ ଛକରେ ସାଙ୍ଗ ହେଇ ଗୁପୁଚୁପ୍ ଖାଇବା।କାଲି ଭଳିଆ ମନେ ପଡୁଛି ସାଇକେଲ ଷ୍ଟାଣ୍ଡରେ ଛିଡାହେଇ ଘଣ୍ଟେ ଲେଖା ଗପିବା।କାଲି ଭଳିଆ ମନେ ପଡୁଛି କଲେଜରେ କ୍ଳାସ ବନ୍ଦ କରି ନଈ କୂଳ ଆଡେ ବୁଲିବାକୁ ଯିବା।କିଛିବି ବିସ୍ମୃତି ଘଟିନି।ସବୁକିଛି କେମିତି ଏତେ ଶୀଘ୍ର ଭୁଲିଗଲେ କେଜାଣି ଅଜୟ।ଏତେ ମନପ୍ରାଣ ଦେଇ ଭଲପାଉଥିବା ଲୋକଟିଏ କେମିତି ଏତେ ନିଷ୍ଠୁର ହେଇପାରେ।ଥରେ ବି ଚିନ୍ତା କଲେନି ତାଙ୍କ ବିନା ଏ ରେଣୁ କେମିତି ଦେହ ଧରି ରହିବ।ଥରେ ବି ଚିନ୍ତା କଲେନି ସେ ଚାଲିଗଲା ପରେ ଏକାଏକା ଏତେ ଦାୟିତ୍ବ ସେ କେମିତି ନେବେ ବୋଲି।କେବେ ଘରୁ ଏକା ଏକା ଗୋଡ ନକାଢିଥିବା ମଣିଷଟି କେମିତି ସାମାଜିକ ଅନୁଷ୍ଠାନ ମାନଙ୍କରେ ଯାଇ ଛିଡା ହେବ।ଏ ସମାଜର କୁଟୀଳ ନଜରରୁ କେମିତି ନିଜକୁ ବଞ୍ଚେଇବ। ନିଜକୁ ବହୁତ ଅସହାୟ ମନେକରୁଥିଲେ ରେଣୁ ଆଗ ଅପେକ୍ଷା।
ସେଇ ଅଜୟଙ୍କ ପାଇଁ ସେ ଦିନେ ନିଜର ପାଠ ପଢା ,ନିଜର କ୍ଯାରିଅର କୁ ପଛରେ ପକେଇ କ୍ଳାସ ନକରି ତାଙ୍କ ସାଥ୍ ଦେଉଥିଲେ।ଯେଉଁଆଡେ ଇଚ୍ଛା ସିଆଡେ ବୁଲୁଥିଲେ।ଯାହା ମନ ଚାହୁଁଥିଲା ତାହା କରୁଥିଲେ।ସବୁ ମର୍ଯ୍ଯାଦାର କୂଳ ଲଂଘି ନିଜକୁ ବି ସମର୍ପଣ କରିଦେଇଥିଲେ ରେଣୁ ଅଜୟଙ୍କ ବାଧ୍ଯ ବାଧକତାରେ ବିବାହ ପୂର୍ବରୁ। ପରିବାରର କଥା ନଶୁଣି ଘରୁ ଗୋଡ କାଢି ବି ଚାଲି ଆସିଥିଲେ ଏଇ ଅଜୟ ଙ୍କ ସହ କେବଳ ତାଙ୍କର ବିଶ୍ବାସ , ଭରସା ଓ ଭଲପାଇବାକୁ ପୁଞ୍ଜି କରି।କେତେ ଭଲରେ ଚଳୁଥିଲେ ଦୁହେଁ।ସାଙ୍ଗ ସାଥିମାନେ ଦେଖିଲେ କୁହନ୍ତି ସାକ୍ଷାତ ଲକ୍ଷ୍ମୀ ନାରାୟଣ ଯୋଡି ବୋଲି।ଆଉ କିଏ କୁହନ୍ତି ବଗବଗୁଲୀ ବୋଲି। ଅଜୟ ଯେଉଁଆଡେ ଗଲେ ରେଣୁକୁ ନନେଲେ ଯାଆନ୍ତିନି।ସାଥି ହେଇ ନଖାଇବା ଯାଏ କେହି କେବେ ଆଗ ଖାଆନ୍ତିନି।ମାସ ଆରମ୍ଭରେ ଦରମା ଟଙ୍କା ଆଣୁ ଆଣୁ ରେଣୁ କୁ ନେଇ ଗୋଟିଏ ଭଲ ରେଷ୍ଟୁରାଣ୍ଟରେ ଖୁଏଇବା ଅଜୟଙ୍କର ଗୋଟେ ଅଭ୍ଯାସ।ପ୍ରତ୍ଯେକଟି ପର୍ବ ପର୍ବାଣିରେ ନୂଆ ନୂଆ ଶାଢୀ କିଣିଦେବା ବି ଆଉ ଗୋଟେ ଅଭ୍ଯାସ।ସବୁକିଛି ଠିକ୍ ଠାକ୍ ଚାଲିଥିଲା।ପରିବାର ଛାଡି ଆସିବାର ଦୁଃଖ ଦୁହେଁ ଭୁଲି ଯାଇଥିଲେ।ସେମାନଙ୍କ ପ୍ରଥମ ସନ୍ତାନ ରେଣୁର କୋଳକୁ ଆସିବା ବେଳେ ଅଜୟ ବହୁତ ସାହାଯ୍ଯ କରିଛନ୍ତି ରେଣୁକୁ।କେବେବି ଅନୁଭବ କରିବାକୁ ଦେଇନାହାଁନ୍ତି ଯେ ସେମାନେ ଏକୁଟିଆବୋଲି।ଅଫିସ୍ ରୁ ଛୁଟି ଆଣି ଅଜୟ ରେଣୁର ପାଖେପାଖେ ରୁହନ୍ତି ଦିନ ସାରା ।ରାତିରେ ରେଣୁକୁ ଶୋଇବାକୁ ଦେଇ ନିଜେ ଛୁଆକୁ ଧରି ଶୁଆନ୍ତି।ଅତି ଆଦରର ଗେହ୍ଲା ଝିଅ ସେଲି ଉପରେ ପତର ଗୋଟେ ପଡିବାର ସୁଯୋଗ ଦେଇନାହାଁନ୍ତି ସେ।ଆଜିଯାଏ ତା'ର ଦାୟିତ୍ବ ଗୋଟେ ମାଆ ଠାରୁ ବି ସେ ଅଧିକ ନେଇଛନ୍ତି।ସ୍କୁଲ ନେବା ଆଣିବା ଠାରୁ ସବୁ କିଛି।ସବୁକିଛି ଠିକ୍ ଥିଲା ଯେ ପର୍ଯ୍ଯନ୍ତ ଅଜୟଙ୍କ ଅଫିସରେ ଶ୍ରୀଲେଖା ମାଡାମ ଜଏନ୍ କରିନଥିଲେ।ଯେବେଠାରୁ ସ୍ବାମୀ ପରିତ୍ଯକ୍ତା ଶ୍ରୀଲେଖା ମାଡାମ ଅଜୟଙ୍କ ଅଫିସ ରେ ଯୋଗଦାନ କଲେ ସେବେଠାରୁ ସବୁ ରୁଟିନ୍ ବଦଳିଗଲା ଅଜୟଙ୍କର।ସକାଳୁ ତରବର ହେଇ ଅଫିସ୍ ଯିବା।ହରେକ ରକମର ପୋଷାକ ପିନ୍ଧି ସଜେଇହେବା।ଅଫିସରୁ ଲେଟ୍ ରେ ଫେରିବା।ଘରକୁ ଆସି ଫୋନ୍ ଧରି ନିଜ ରୁମ୍ ଭିତରୁ ବନ୍ଦ କରି ବସିବା। ବିଳମ୍ବିତ ରାତି ଯାଏ ଅନଲାଇନ ରହି କାହା ସହ ଚାଟିଂ କରିବା ,ଏମିତି ବହୁତ କିଛିଥିଲା ଯେଉଁଟା ଏକା ରେଣୁ କାହିଁକି ଯେକେହି ସ୍ତ୍ରୀ ଟିଏ ସହ୍ଯ କରିବା ଅସମ୍ଭବ।ବାଧ୍ଯ ହେଇ ମୁହଁ ଖୋଲି ପଚାରିଲେ ରେଣୁ,ଏସବୁ ର କାରଣ କ'ଣ।ହସିହସି କହିଲେ ଅଜୟ ,ଆରେ ଏମିତି ସାଙ୍ଗ ମାନଙ୍କ ସହ କଥା ହେଉ ଥିଲି।କିନ୍ତୁ ମନ ବୁଝୁନଥିଲା ରେଣୁଙ୍କର।ବାଧ୍ଯ ହେଇ ସେ ବି ତାଙ୍କ ସନ୍ଧାନୀ ମନରେ ଖୋଜିବୁଲୁଥିଲେ ସୁରାକ।ଶେଷରେ ପାଇଗଲେ।ତା ପରଠାରୁ ରୀତ
ିମତ ଘରେ ଏକ ପ୍ରକାର ମହାଭାରତ ସୃଷ୍ଟି ହେଉଥିଲା।
ସାଧାରଣ କଥା ମାନଙ୍କରେ ଅତି ଉତ୍ତେଜିତ ହେଇଯାଉଥିଲେ ଅଜୟ।କଥାକଥାକେ ଉଭୟ ଉଭୟଙ୍କ ଦୋଷ ଖୋଜୁଥିଲେ କେବଳ।ବେଳେବଳେ ଅଜୟଙ୍କ ହାତ ବି ଉଠିଯାଏ ରେଣୁ ଉପରେ କୁନିଝିଅ ସେଲି ସାମ୍ନାରେ।ନିଜର ସ୍ବାଭିମାନକୁ ବହୁତ ବାଧିଥିଲା ସେଇଦିନ।ବାଧ୍ଯ ହେଇ ସେଇ ଭଙ୍ଗା ଦଦରା ସମ୍ପର୍କକୁ ସାଇତି ନରଖିବାର ନିଷ୍ପତ୍ତି ନେଇ ଦୁହେଁ କୋର୍ଟର ଆଶ୍ରୟ ନେଲେ।ଅଜୟଙ୍କ ତରଫରୁ ସେ ନିଜେ କହିଥିଲେ ରେଣୁକୁ ଦଶଲକ୍ଷ ଟଙ୍କା ଦେବେ ବୋଲି ଭରଣପୋଷଣ ବାବଦକୁ। ରେଣୁ ବି ସେଥିରେ ରାଜି ହେଇଯାଇଥିଲେ।କେବଳ ଟଙ୍କା ନୁହେଁ ,ସେ ଅଜୟଙ୍କ ଦୌରାତ୍ମାରୁ ନିଜକୁ ଓ ଝିଅ ସେଲିକୁ ବଞ୍ଚେଇବାକୁ ଚାହୁଁଥିଲେ।ଅନେକ ଦିନ କୋର୍ଟରେ କେସ୍ ଚାଲିଲା ପରେ ଶେଷରେ ଆଜି ଶେଷ ଶୁଣାଣି ଶୁଣେଇଦିଆଗଲା।କାହିଁକି କେଜାଣି ସେତିକିବେଳଠାରୁ ରେଣୁ ଭିତରେ ସବୁ ପଛ କଥା ଗୁଡିକ ବାହାରକୁ ହାବୁକା ଖାଇ ବାହାରି ଆସିଲା ଭଳିଆ ଆସୁଛି।
ଆଗରୁ ସିନା ଅଜୟଙ୍କ କୁତ୍ସିତ ବ୍ଯବହାରରେ ଅତିଷ୍ଠ ହେଇ ସେ କୋର୍ଟ ପର୍ଯ୍ଯନ୍ତ ଟାଣିହେଇ ଆସିଲେ।ଆଜି କିନ୍ତୁ ଜମାରୁ ଇଚ୍ଛା ହେଉନି ଏଇଠୁ ଅଲଗା ରାସ୍ତାରେ ଏକୁଟିଆ ଚାଲିବାକୁ। ଏବେ ସିଏ କୁଆଡେ ଯିବେ? ନିଜକୁ ନିଜେ ପ୍ରଶ୍ନ କରୁଛନ୍ତି ରେଣୁ।ଦିନେ ଏଇ ଅଜୟଙ୍କ ପାଇଁ ଘରେ ବାପା ,ମାଆ ,ଭାଇ ,ଭଉଣୀ ସମସ୍ତଙ୍କୁ ମୁହଁତୋଡ ଜବାବ ଦେଇ ଆସିଛନ୍ତି ଯେ ଆସିଛନ୍ତି ପନ୍ଦର ବର୍ଷ ହେଇଗଲା।ଆଉ ପଛକୁ ଫେରି ଚାହିଁ ନାହାଁନ୍ତି।ଆଜି ହଠାତ୍ ସେମାନଙ୍କ ପାଖରେ ଯାଇ ଛିଡାହେଲେ ସେମାନେ କେମିତି ତାକୁ ଗ୍ରହଣ କରିବେ? ଝିଅ ସେଲି ର ସୁରକ୍ଷା ଦାୟିତ୍ବ କିଏ ନେବ?ଦୁନିଆ ଆଗରେ ନିଜକୁ କି ପରିଚୟ ଦେବେ ସେ?ଏଇ ସବୁ କଥା ଭାବି ଭାବି ମୁଣ୍ଡ ଘୂରେଇଦେଲା ରେଣୁର ।ତଳେ ପଡିଗଲେ ସେ ଧଡାସ କରି।ପାଖରେ ଝିଅ ସେଲି ବସିପଡି କାନ୍ଦୁଥାଏ।ଏତିକିବେଳେ କୋର୍ଟ ଭିତରୁ ହସିହସି ବାହାରୁଥିଲେ ଅଜୟ ।ସାଙ୍ଗରେ ଥିଲେ ତାଙ୍କ ଆଡଭୋକେଟ ଓ ଶ୍ରୀଲେଖା ମାଡାମ।ଏତେଦିନ ପରେ ସେମାନଙ୍କ ରାସ୍ତାରୁ ଅଳିଆ ହଟିଗଲା ବୋଲି ଦୁହେଁ ପୂରା ବିନ୍ଦାସ ଥିଲେ।ଶ୍ରୀଲେଖା ମାଡାମ ସର୍ବସମ୍ମୁଖରେ ଅଜୟଙ୍କ ହାତରେ ହାତ ଛନ୍ଦି ଚାଲୁଥିଲେ।ହଠାତ୍ ଅଜୟଙ୍କର ନଜର ପଡିଲା ରେଣୁ ଓ ସେଲି ଉପରେ।ଧାଇଁ ଆସିଲେ ସେ ସେମାନଙ୍କ ନିକଟକୁ ଶ୍ରୀଲେଖା ମାଡାମଙ୍କ ହାତକୁ ଖସେଇଦେଇ।ଚେତାଶୂନ୍ଯ ରେଣୁକୁ ନିଜ କୋଳକୁ ଉଠେଇନେଇ ବ୍ଯାଗ୍ ରୁ ପାଣି ବୋତଲ ବାହାର କରି ପାଣି ଛାଟିଲେ।ରେଣୁଙ୍କର ଚେତା ଆସିଲା ପରେ କିଛି ପାଣି ତାଙ୍କୁ ଧରି ପିଆଇ ଦେଲେ। ଏବେବି ରେଣୁଙ୍କ ଗାଲରେ ଶୁଖିଯାଇଥିବା ଲୁହର ଚିହ୍ନ ସ୍ପଷ୍ଟ ବାରି ହେଇଯାଉଥିଲା।ସେମିତି ଅଜୟଙ୍କ କୋଳରେ ଶୋଇରହିଥିଲେ ରେଣୁ।ଯେମିତି ସେ ଚାହୁଁଥିଲେ ଆଉ କିଛି ସମୟ ଏଇ ସୁଯୋଗ ତାଙ୍କୁ ମିଳୁ ବୋଲି। କରୁଣ ଚାହାଁଣୀରେ ରେଣୁ ଚାହିଁଥିଲେ ଅଜୟଙ୍କୁ।ସେଇ ଚାହାଁଣୀ ଅଜୟଙ୍କୁ ନୀରବରେ ପଚାରୁଥିଲା "କୋର୍ଟ ପରିସର ବାହାରକୁ ନବାହାରିବା ଆଗରୁ ଯଦି ଏଇ ଦୁର୍ଦ୍ଦଶା,ତାହେଲେ ସାରା ଜୀବନ କେମିତି ବଞ୍ଚିବି ମୁଁ। କେମିତି ବଞ୍ଚେଇବି ତମ ଗେହ୍ଲୀ ଝିଅକୁ"?ଅଜୟଙ୍କ ଆଖିରେ ବି ଲୁହ।ରେଣୁର ଚେତା ଫେରିଆସିବା ଦେଖି ଶ୍ରୀଲେଖା ମାଡାମ ଅଜୟଙ୍କ ହାତକୁ ଟାଣି ଧରି କହୁଥିଲେ"ଆମର ସେପଟେ ମନ୍ଦିରରେ ପହଞ୍ଚିବା ଲେଟ୍ ହେଇଯିବ। ପୁରୋହିତେ ଅପେକ୍ଷା କରିଥିବେ।ଚାଲନ୍ତୁ ଯିବା।ତାଙ୍କର ସୁରକ୍ଷା ପାଇଁ ତାଙ୍କୁ ଯଥେଷ୍ଟ ଟଙ୍କା ଦିଆଯାଇଛି।ଆପଣ ବ୍ଯସ୍ତ ହେବା ଦରକାର ନାହିଁ"।ଶ୍ରୀଲେଖା ମାଡାମଙ୍କ କଥା ଗୁଡିକ କାହିଁକି କେଜାଣି ଅଜୟଙ୍କ ଦେହରେ ଛୁଞ୍ଚି ଫୁଟିଲା ଭଳି ସେଇ ସମୟରେ ଲାଗିଲା।ଚଟ୍ କରି ସେ ଶ୍ରୀଲେଖା ମାଡାମଙ୍କ ହାତକୁ ଛାଟିଦେଇ ତାଙ୍କ ଆଡଭୋକେଟଙ୍କ ହାତରୁ କୋର୍ଟ ଅର୍ଡର ଟିକୁ ଟାଣି ଆଣି ଫଡ୍ ଫଡ୍ କରି ଚିରି ଉଡେଇଦେଇ ଚିଲ୍ଲେଇ ଚିଲ୍ଲେଇ କହୁଥିଲେ ,ମାଡାମ୍ "ସମ୍ପର୍କର ମୂଲ୍ଯ"ଏଠି ଟଙ୍କା ସହିତ ତଉଲି ହୁଏନି।ସେମିତି ହେଇଥିଲେ ଆପଣଙ୍କ ଭଳି ଅନେକ କର୍ମଜିବୀ ମହିଳାଙ୍କର ଜୀବନସାଥି ଦରକାର ପଡିନଥାନ୍ତା।ଆଡଭୋକେଟ ଓ ଶ୍ରୀଲେଖା ମାଡାମ ଚାହିଁଥିଲେ ଆଶ୍ଚର୍ଯ୍ଯ ହେଇ ଅଜୟଙ୍କୁ।ଅଜୟ ଗୋଟେ ହାତରେ ଝିଅ ସେଲିର ହାତକୁ ଧରିଥିଲେ ତ ଆଉ ଗୋଟେ ହାତରେ ରେଣୁଙ୍କ ହାତ ଧରି ବସିଲେ ଗାଡିରେ ।ଡ୍ରାଇଭର ଅଜୟଙ୍କ ନିର୍ଦ୍ଦେଶରେ ଗାଡି ଗଡେଇଥିଲା ମନ୍ଦିର ଆଡକୁ।ଯେଉଁ ମନ୍ଦିରରେ ଦିନେ ଅଜୟ ରେଣୁକୁ ନିଜର କରିଥିଲେ।ଯେଉଁ ମନ୍ଦିରରେ ଆଜି ସେ ଶ୍ରୀଲେଖା ମାଡାମଙ୍କୁ ବିବାହ କରିଥାନ୍ତେ।ସେଇ ମନ୍ଦିରରେ ଏବେ ସେ ରେଣୁଙ୍କୁ ପୁନର୍ବିବାହ କରିବେ।