##ଜୀବନ##
##ଜୀବନ##
କୁମାରୀ ବୟସର ସ୍ୱପ୍ନବୋଳା ରଙ୍ଗୀନ ପର ଦୁଇଟା ଉଡିବା ଆଗରୁ ଯେମିତି ଛିଡି ପଡିଥିଲା ବିବାହର କଠୋର ବନ୍ଧନରେ ।
ଏକ ବଖୁରିଆ ଭଡା ଘରେ ଜୀବନ ପାଇଁ ଚାଲିଥିଲା ବିରାଟ ଏକ ସଂଘର୍ଷ । ବାହାର ଦୁନିଆଟା ଶାନ୍ତ ଆଉ ସ୍ଥିର ଲାଗୁଥିବା ବେଳେ, ଅଶାନ୍ତି ର କପୋତ ଟି ଯେମିତି ଗୁମୁରି କାନ୍ଦୁଥିଲା ଆଶାର ଅଗଣା ଭିତରେ । କୋଳରେ ତିନି ବର୍ଷର କଅଁଳ ଶିଶୁ । ଚେହେରାରେ ରୁଗ୍ଣତାର ସ୍ପଷ୍ଟ ଝଲକ । ଆଖି ତଳେ ମନ୍ଦା ମନ୍ଦା ଦୁଃଖର ଚିହ୍ନ ତା ସାଥେ ସ୍ୱାମୀ ଙ୍କ ବେରୋଜଗାରୀ ର ଚିନ୍ତା ।
ସୁରଟ ର ସୂତା କଳରେ ସୁପରଭାଇଜର ରୂପେ କାର୍ଯ୍ୟରତ ମଣିଷ ଟି ଆଜି ବେରୋଜଗାର । ଏତେ ଗୁଡିଏ ଅଭିଜ୍ଞତା ସତ୍ତ୍ୱେ ଚାକିରୀ ଟିଏ ପାଇଁ ହେବାକୁ ପଡୁଛି ବାର ଦ୍ୱାର ଶୁଣ୍ଡି ପିଣ୍ଢା । ଏ କରୋନା ମହାମାରୀ ର କରାଳ ରୂପ ବିତାଡି ଦେଇଛି ସେମାନଙ୍କ ପେଟ ପାଟଣା ର ମାଧ୍ୟମ । ଏକ ମୁହାଁ ହୋଇ ଚାଲି ଆସିଛନ୍ତି ସେମାନେ ।
ଚାରିଆଡେ ଅଭାବ ଓ ଅନଟନର ବିଭତ୍ସ ରୂପ । ଦୁଃଖ ଶୁଣିବାକୁ କାହାର ଅଛି ସାହସ ? ନା କାହାର ଅଛି କ୍ଷମତା ଯେ ଆଗେଇ ଆସି ଉଦ୍ଧାରି ନେବ ଏ ଅସମୟର ଅବଷାଦ ।
ଗାଆଁ କୁ ଫେରିବା ଆଜିକୁ ହୋଇଗଲା ଛ ମାସ । ଭିଟା ମାଟି ତକ ଧୋଇ ହୋଇ ମିଶି ଯାଇଛି ନଦୀର ଫୁଙ୍ଗୁଳା ଛାତିରେ । ଗୁଗୁଛିଆ, ବିଛୁଆତି ରେ ଢାଙ୍କି ହୋଇ ଯାଇଛି ସାରା ଅଗଣା । ସାଥିରେ ଆଣିଥିବା କିଛି ଅର୍ଥରୁ ଅର୍ଦ୍ଧେକ ହୋଇ ଗଲାଣି ଖାଲି । ବାକିତକ ଯାହା ଅଛି ସେସବୁ ତ ଛୁଆ ପାଇଁ ନିଅଣ୍ଟ । ଭାଗ୍ୟକୁ ଆଦରି ଯାହା ବଞ୍ଚିବା କଥା ।
ଉଦୁ ଉଦିଆ ଖରାବେଳ । ଝିଅ ତାର ଶୋଇ ଯାଇଛି କୋଳରେ । ଆଜି କିଛି ରୋଷେଇ କରିନି ଆଶା । କରିନି ନୁହେଁ କରିବାକୁ ପଡିନି ତାକୁ । ପାଞ୍ଚ ଲିଟିରିଆ ଗ୍ୟାସ୍ ଆଉ କେଇ ଖଣ୍ଡି କଡାଇ ଡେକ୍ଚି ଯାହା ସମ୍ବଳ ତାର । ସେତକ ଭରିବା ପାଇଁ ବି ତା ପାଖରେ ନାହିଁ ସମ୍ବଳ ।
ମନ ସିନା ବୁଝିଯାଏ । ପେଟ କିନ୍ତୁ ବୁଝି ପାରେନା ଅଭାବର କଥା । ଭୋକ ହେବା ତ ପେଟର ଅଭ୍ୟାସ । ତରବର ହୋଇ ଅଣ୍ଡାଳି ପକାଇଲା ବିସ୍କୁଟ ଡବା । କେଇ ଫାଳ ବିସ୍କୁଟ ଓ କେଇ ଗଣ୍ଡା ମୁଢି ରେ ଆଶା ଅଣ୍ଡାଳୁ ଥିଲା ତା ଜୀବନର କ୍ରମାଙ୍କ । ଦୁଃଖର ଦ୍ରାଘିମା ସବୁ ବଢାଇ ଦେଇଥିଲେ ତା ଉଷ୍ଣ ଆଖିର ଆଦ୍ରତା । ଦର ଭଙ୍ଗା ଯୋଡିଏ ବିସ୍କୁଟ ଭିତରେ ଆଶା ଦେଖି ପାରୁଥିଲା ତା ଦର ଗଢା ଜୀବନର ଅତୀତ ଓ ଭବିଷ୍ୟତ ।
କେବେ କୋମଳ ଶଯ୍ୟାରେ ଜୀବନ ବିତାଉ ଥିବା ଆଶା ଆଜି ଆଶା ଓ ଆଶ୍ୱାସନାର ଭିଡରେ । ରାଜକୀୟ ସୁଖର ସ୍ୱପ୍ନ ଆଜି ପରିବର୍ତ୍ତିତ ହୋଇ ସାରିଥିଲା ଅଭାବୀ ସଂସାରର ମାର୍ମିକ ବେଦନାରେ ।
ଆଜି ବି ତାର ଠିକ୍ ମନେ ଅଛି ସେ ଦିନର କଥା । ଯେବେ ପୁଅର ମିଥ୍ୟା ସରକାରୀ ଚାକିରୀର ପ୍ରଲୋଭନରେ ଅନ୍ଧ ହୋଇ ଘର ଲୋକ ବାନ୍ଧି ଦେଇଥିଲେ ବିବାହ ବନ୍ଧନରେ । ହେଲେ ସତ୍ୟତା ଥିଲା ଭିନ୍ନ କିଛି । ସବୁକିଛି ସରି ଯାଇଥିଲା ହୋମ ନିଆଁର ମନ୍ତ୍ରୋଚାରଣ ପରେ ।
ସ୍ୱାମୀ ଙ୍କ ସମ୍
ମାନ ରକ୍ଷା ସ୍ତ୍ରୀ ର ଦାୟିତ୍ୱ । ସବୁକିଛି ସହିଗଲା ଆଶା । ଆଖି ଲୁହ ଆଖିରେ ପିଇ ସ୍ୱାମୀ ସାଥିରେ ଚାଲିଗଲା ସୁରଟ । ଦୁଃଖ ଦେଖିଲା । କଷ୍ଟ ପାଇଲା । ତଥାପି କାହା ଆଗରେ କିଛି ପ୍ରତିବାଦ କଲାନି ସେ । ହେଲେ ଆଜି ........ ।।
ଫୋନ୍ ରିଙ୍ଗ ହେବାର ଶବ୍ଦରେ ଚମକି ପଡିଲା ଆଶା ।
ଆରେ ବାପାଙ୍କ ଫୋନ୍.... !!
'ହେଲୋ' ...
କିଛି ସମୟ ନୀରବ ହୋଇ ଶୁଣିବା ପରେ ବ୍ୟସ୍ତ ହୋଇଗଲା ଆଶା ।
ବାପା ଆସୁଛନ୍ତି !! ମୁଣ୍ଡରେ ଚଡକ ପଡିଲା ତାର ।
ଚା' କପ୍ ଟିଏ ବଢାଇବା ପାଇଁ ମଧ୍ୟ ତା ପାଖରେ ନାହିଁ ସାମର୍ଥ୍ୟ। ଏବେ ସେ କଣ କରିବ ?
ତା ଛଡା ନିଜ ଅଭାବି ସଂସାରର ଅଭାବ କୌଣସି ବି ପରିସ୍ଥିତିରେ ଜଣାଇବାକୁ ଚାହେଁନି ତାଙ୍କୁ । ନା ଚାହେଁ ହେବା ପାଇଁ ବୋଝ ତାଙ୍କ ଉପରେ । ହେଲେ ଉପାୟ କଣ ? ଦାରିଦ୍ର୍ଯତା କଣ ଲୁଚାଇ ହୁଏ କୃତିମ ହସରେ । ନା ବଦଳାଇ ହୁଏ ଗୋଟିଏ ମୁହୁର୍ତ୍ତରେ ।
ବାଇକ୍ ହର୍ଣ୍ଣ ଶବ୍ଦରେ ଆଶା ଦଉଡି ଗଲା ବାହାରକୁ ।।
ବାପା ....!!
ଆଖିରେ ଆଖିଏ ଲୁହକୁ ଆୟତ୍ତ କରିନେଲା ନିଜ ଭିତରେ । ବାପାଙ୍କ ସହ ଆଖି ମିଶାଇ ବାକୁ ସାହସ ନଥିଲା ତାର । ହାତରେ ଧରିଥିବା ବଡ ବଡ ବ୍ୟାଗ ଦୁଇଟିକୁ ଆଶା ହାତକୁ ବଢାଇ ଦେଲେ ବାପା ।
ଭରିଗଲା ଆଖି । ଲୁହ ଗୁଡାକୁ ଲୁଚାଇବାକୁ ଯାଇଁ ଅସଫଳ ହେଲା ଆଶା । ବୋହିଗଲା କୋହର ଅମାନିଆ ଛିଟିକା ।
ଚା କରିବା ପାଇଁ ଦଉଡି ଗଲା ଗ୍ୟାସ୍ ନିକଟକୁ । ନା ଥିଲା କ୍ଷୀର , ନା ଥିଲା ଚିନି ନା ଥିଲା ଚା ପତି । ଥାକରେ ଯାହା ଗଡୁଥିଲେ ଖାଲି ଡବା ଗୁଡିକ । ଚା କପେ ଦେଇ ନ ପାରିବାର ଦୁଃଖ ଅତିଷ୍ଟ କରି ଦାଉ ସିଜୁ ଥିଲେ ତା ଝିଅ ପଣିଆ ଉପରେ ।
ବ୍ୟାଗ୍ ଭିତରୁ ଉଙ୍କି ମାରୁଥିଲା ବିସ୍କୁଟ, ମିକ୍ସଚର, ଚିପ୍ସ ପରି ଯେତେକ ସବୁ ଜଙ୍କ୍ ଫୁଡ୍ । ଏସବୁକୁ ଦେଖି ଆଶାର ମନ ହେଉଥିଲା ଅଧିକ ବିଷାଦଗ୍ରସ୍ତ । ମନେ ମନେ ଭାବୁଥିଲା ଏସବୁର ଅଜଥା ଖର୍ଚ୍ଚ ବିଷୟରେ । ଭାବୁଥିଲା ଏସବୁ ବଦଳରେ ଆସିପାରିଥାନ୍ତା ଅନେକ କିଛି ରାସନ । ଯେଉଁଥିରେ ବେସ୍ କିଛି ଦିନ ଚଳି ପାରିଥାନ୍ତେ ସେମାନେ ।
ହେଲେ ଏ ସବୁ କହିବାକୁ ସାହସ ହେଉ ନଥିଲା ତାର ।
ଯାହାଙ୍କ ଖୁସି ପାଇଁ ବିବାହ କରିବାକୁ ରାଜି ହୋଇ ଯାଇଥିଲା ଆଶା । ଆଜି କେମିତି ନିଜ ଦୁଃଖ କଥା କହି ତାଙ୍କୁ ଦୁଃଖୀ କରି ପିରିଥାନ୍ତା ସେ ?
ଅନେକ ସମୟରେ ଘର କଥା ମନେ ପଡେ ତାର । ଆର୍ଥିକ ସ୍ୱଚ୍ଛଳ ପରିବାରରୁ ଆସି ଅଭାବି ସଂସାରରେ ଚଳିବା କେତେ ଯେ କଷ୍ଟ ସେ ସବୁକିଛି ଅବୁଝା ନାହିଁ ତା ପାଇଁ ।
ବାପା ସବୁବେଳେ ବାପା । ନିଜ ସନ୍ତାନ ପାଇଁ ତାଙ୍କ ହୃଦୟ କାନ୍ଦେ । ପିଲାର ମନ ବୁଝି ପାରନ୍ତି ବୋଲି ତ ସେ ମହାନ ।
ବାହାରୁ ଶୁଣା ଗଲା ଗାଡି ହର୍ଣ୍ଣ । ବାପା ଡାକୁଥିଲେ ଆରେ ଏଇଠିକୁ ଆସେ । ବସ୍ତା ବସ୍ତା କରି ଅନେକ କିଛି ଲୋକମାନେ ବୋହି ଚାଲିଥିଲେ ଘରକୁ । ତାସହ ବୁହା ହେଉଥିଲା ଗ୍ୟାସ୍ ସିଲିଣ୍ଡର ଓ ଚୁହ୍ଲା ।
କୃତଜ୍ଞତା ରେ ନଇଁ ଯାଉଥିଲା ଆଶା ର ମୁଣ୍ଡ । ବାଷ୍ପରୁଦ୍ଦ କଣ୍ଠରେ ବାପାଙ୍କୁ ଜାବୁଡି ଧରି ଆଶୀର୍ବାଦ କାମନା କରୁଥିଲା ଆଶା ।