Goutam Mohanty

Romance Tragedy Fantasy

4.1  

Goutam Mohanty

Romance Tragedy Fantasy

*ପ୍ରଥମ ଚିଠି*

*ପ୍ରଥମ ଚିଠି*

4 mins
299



ଚିଠି ତ’ ଚିଠି, ପୁଣି ପ୍ରେମ ଚିଠି…..!!! ସେ ବି’ ଜୀବନର ପହିଲି ପ୍ରେମର । ଏଜୁକେସନ୍ ବହିରେ ମଡା ହୋଇଥିବା ମଲାଟ ଭିତରେ । ଜଣେ ସହପାଠୀର ସମ୍ୟକ୍ ଇସାରାରେ ଫେରି ପାଇଥିବା ମୋ’ ନିଜ ବହିକୁ ତନଖି ନେଉଥାଏ….. ଯେପରି ବହିଟି ଖୁବ୍ ଅପରିଚିତ । ସାଙ୍ଗଟି କହେ, କେଡେ ବୋକିଟେ ବେ ତୁ ? ସାମାନ୍ୟ ଠାରଟେ ତୁ ବୁଝିପାରୁନୁ …! ଆଉ ପ୍ରେମ କେମିତି କରୁଚୁ ..? ମୁଁ ଅବାକ୍ ହୋଇଗଲି । କ’ଣ ପ୍ରେମ, ପୁଣି ମୁଁ …! ତୁ କାହାକୁ କଣ କହୁଛୁ ଜାଣିପାରୁଛୁ ଟି..? ସାଙ୍ଗ କହିଲା, ମୁଁ କିଛି ଜାଣିନି ବୋଲି ତୁ ଭାବେନି ମ ଜମା । ତୁ ଯଦି ପ୍ରେମ କରୁନୁ …. ତାହାଲେ କଲେଜର ଏଜୁକେଶନ କ୍ଲାସରେ ଏମିତି କାହିଁ କୁନୁ କୁନୁ ହେଉ କହତ ? କାହିଁ, ଆଉ କୋଉ କ୍ଲାସ୍‌ରେ ମୁଁ ତତେ ଏମିତି ଲକ୍ଷ୍ୟ କରେନିତ କେବେ ! ନିଜେ ଏପର୍ଯ୍ୟନ୍ତ ନଜାଣି ପାରୁଥିବା କଥା ଅନ୍ୟମାନେ କେମିତି ଜାଣିପାରିଲେ ଭାବି ନିଜକୁ ଟିକେ ଅସଂଜତ ଅନୁଭବ କରୁଥିଲି । ପ୍ରସଙ୍ଗ ବଦଳେଇ ସାଙ୍ଗ କହିଲା …. ଛାଡ , ଏସବୁ ଯେତେ ଲୁଚେଇବୁ ସେତେ ଦେଖାଦେବ । ଠିକ୍ ବିରାଡ଼ି ଆଖିବୁଜି କ୍ଷୀର ପିଇଲା ଭଳି । ସେ କହିଛନ୍ତି ଏଠି ଖୋଲିବୁନି, କି କାହାକୁ ଦେଖେଇବୁନି । ଘରେ ଆରମସେ ଦେଖିବୁ , ପଢ଼ିବୁ ଆଉ ତାର ଉତ୍ତର ବି କାଲିକି ଏଇ ବହିରେ ଠିକ୍ ଏମିତି ଆଣି ମୋ’ ଜିମା ଦେବୁ ।

ମୁଁ ଜାଣେ , କଲେଜ୍‌ରେ ସମସ୍ତେ ଯାହା ପଛରେ ପଡ଼ିଛନ୍ତି.. ସେ କିନ୍ତୁ ବୋଧେ ମୋତେ ହିଁ ପସନ୍ଦ କରନ୍ତି । ବାଟରେ ହାଟରେ, ଗେଟ୍ ପାଖେ, କ୍ୟାମ୍ପସରେ, ବସ୍‌ଷ୍ଟାଣ୍ଡରେ ସବୁଠି ମତେ….. ସେମିତି ଚାହିଁ ରୁହନ୍ତି । ମୁଁ ବି ସେଥିପାଇଁ କାହିଁକି କେଜାଣି ରୋକିପାରେନି ନିଜକୁ । ପହଁଚିଗଲି ଘରେ । କିଏ କେତେ କଣ ବରାଦ କରୁଥାନ୍ତି ମତେ । ମୋର ବି ନାନା ନିତ୍ୟକର୍ମ ଅଛି । କିନ୍ତୁ ଭାରି ବିଚଳିତ ଓ ଅଥୟ ଲାଗୁଥାଏ । କେମିତି ସମୟ ବାହାର କରି ଟିକେ ନିରୋଳାରେ ଖୋଲିବି ସେ ବହିରୁ ମଲାଟଟି । ବହି ଧରିଲି ଅଧୈର୍ଯ୍ୟ ହୋଇ । ବୋଉ ପଚାରିଲା….. କ’ଣ ଆଜି ଭୋକ ନାହିଁ କି ? ହଁ ମୁଁ ଯାଉଛି ଯାଉଛି, ତୁ ବାଢ଼େ ବୋଲି କହିଲି । ଚାଲିଲି ଛାତ ଉପରକୁ ବହି ଖଣ୍ଡକ ଧରି । ପଛେ ପଛେ ଗୋଡ଼େଇ ଥାଏ ସାନ ଭାଇ । ମୋର କିନ୍ତୁ ସେତିକି ହୋସ ନଥାଏ । ମୁଁ ବହି ଖୋଲିବାରେ ବ୍ୟସ୍ତ । ସେ ହଠାତ୍ ଚିତ୍କାର କରିଲା ….. ନାନୀ, ତୁ ବହି କାହିଁକି ଚିରୁଛୁ ?? ଏହା ଶୁଣି ଦଉଡ଼ି ଗଲା ଜେଜେମା । କଣ ବହି ଚିରୁଛୁ କାହିଁକି ? ବାପାର ଯୋଗେଇବାରେ ଯେମିତି କୁତେଇ ନାହିଁ, ଝିଅର ଚିରିବାରେ ବି ସେମିତି … କହୁ କହୁ ମୁଁ ବିରକ୍ତ ହୋଇଯାଏ । ପାଟିକରି ମା’ କୁ କେତେ କ’ଣ କହିଯାଏ । ସେମିତି ବ୍ୟବହାର ଆଗରୁ ବି ମୋ’ ମାଆ ମୋର କେବେ ଦେଖି ନଥିବ ।

ରାଗିକି ସେଠୁବି ଫେରିଆସେ । ଡ୍ରେସ୍ ବଦଳେଇ ଗୋଡ଼ ହାତ ଧୋଇ ଖାଇ ବସେ । ମନଟା କିନ୍ତୁ ଟାକେଇ ଥାଏ ସେହି ବହି ପାଖରେ । କିଏ ସେ …?? କ’ଣ ଲେଖା ହୋଇ ଥାଇପାରେ ସେଥିରେ … ? ମନ ଘାଣ୍ଟି ଚକଟି ହେଉଥାଏ । ବାସନଧୋଇବା, ଘର ଓଳେଇବା, ସନ୍ଧ୍ୟା ଦେବା ସବୁ କାମ ସାରିଦେଲି । ଯେମିତି ଆଉ କେହିବି ମୋତେ ଡିଷ୍ଟର୍ବ କରି ପାରିବେନି । ବସିଗଲି ପାଠପଢି । ଏତେ ବିବ୍ରତ ହେଇଯାଇଥିଲି ଯେ ବହିର ମଲାଟ ଖୋଲିବାକୁ କାହିଁକି ହାତ ଯାଉ ନଥାଏ ସେପର୍ଯ୍ୟନ୍ତ । ବହୁତ ନର୍ଭସ୍ ଲାଗିଲା ଏଣିକି । ଆଶା ଆଶଙ୍କାରେ ବିତିଗଲା କେତେ ସମୟ । ଉତ୍ସାହ ଉଦ୍ଦୀପନା ଯେମିତି ଶିଥିଳ ପଡିଯାଇଥାଏ ୟା ଭିତରେ । ଲାଗିଲା ଯେମିତି ମୁଁ ଜାଣିଛି ସେ କଣ , କିଏ ଦେଇଛି ଆଉ କ’ଣ ଲେଖିଛି । ସବୁ ସମ୍ଭାବନା କଳ୍ପନା ଜଳ୍ପନାକୁ ପଛରେ ପକେଇ ଶେଷରେ ଖୋଲିଲି ମଲାଟ । ଛାତି ପଡୁଥାଏ ଉଠୁଥାଏ । ନିଃଶ୍ୱାସ ତୀବ୍ର ହୋଇଯାଇଥାଏ ସେତେବେଳକୁ । ଖାଲି ହାତ କାହିଁକି । ଥରୁଥାଏ ଅଷ୍ଟାଙ୍ଗ ଶରୀର ମୋର । ଖୋଲିଲି ଏବେ ଧୀରେ ଧୀରେ ବହିଟିରୁ ମଲାଟ । ଗୋଲାପୀ ରଙ୍ଗର ଲଫାପାଟି । ଉପରେ ଖୁବ୍ ସାଜ ସଜା ହୋଇଛି ହେଲେ ନଥିଲା ନାଆଁ କାହାର । ଚିରିଲି ତାର ମୁହଁକୁ । ପୁଣି ଏକ ଲଫାପା ନାଲି ରଙ୍ଗର, ହେଲେ ଥିଲା ତାଠାରୁ ଟିକେ ଛୋଟ । ପୁଣି ଚିରି ଦେଖିଲି ଆଉ ଏକ ଲଫାପା ସବୁଜ ରଙ୍ଗର । ହେଲେ ନାଆଁ କାହିଁ …?? ଖାଲି ଥିଲା I Love you so much……p ବାସ୍ ଏତିକି ।

ରାଗ ଜରଜର ହୋଇ ତା’ପରଦିନ କଲେଜ୍ ଯାଇ ସେ ସାଙ୍ଗକୁ ଆଗ ଖୋଜିଲି । ତାକୁ ଅଶାନ୍ତ ଓ ବ୍ୟଥିତ, କ୍ରୋଧିତ ମନରେ କହିଗଲି ଅନେକ କଟୁବାକ୍ୟ । ସେ ଧୀର ଭାବରେ ସବୁ ଶୁଣିଲା । ହେଲେ କିଛି ବି ଉତ୍ତର ଦେଲାନି । ମୁଁ ତାକୁ ଜୋରରେ ହଲେଇ ପକେଇଲି । ତୁ କିଛି କହୁନୁ କାହିଁକିରେ…? ସେତେବେଳ କୁ ମୋ’ ଆଖିରୁ ଝରିଆସିଲାଣି ଧାର ଧାର ଲୁହ । ସେ ଠିକ୍ ବୁଝିପାରୁ ଥାଏ ମୋର ମାନସିକ ସ୍ଥିତି । ତେଣୁ ଥାଏ ନୀରବ । ପଛକୁ ଟିକେ ବୁଲେଇଦେଲା ମୋତେ । ମୁଁ ଅବାକ୍ ହୋଇଗଲି ମୋ’ ସାମ୍ନାରେ ଆଣ୍ଠେଇକି ବସିଥିବା ସେହି ପ୍ରେମିକ ରସିକଙ୍କୁ ଦେଖି । ଖାଲି ଏତିକି ସେ କହିଥିଲେ ମୋତେ….. କଣ ସତରେ ସେ ଚିଠି ଏକଦମ୍ ଖାଲି ଥିଲା …!! ସତରେ କଣ ସେଥିରୁ ସେ ଗୋଟେ ଲାଇନ୍ ଛଡା ଆଉ କିଛି ବି ପଢି ପାରିନ ତୁମେ …! ମୁଁ ତାଙ୍କ ହାତ ଧରି ସେଠୁ ଛିଡା କରେଇଦେଲି, ଆଉ ଉତ୍ତରରେ ଖାଲି ଏତିକି କହିଲି …… ମୁଁ ଆଜି ବହୁତ ଖୁସି । ଆଉ ଏ’ ଖୁସି କେବଳ ତୁମ ଲାଗି । ଯାହା ମନେ ରଖିବି ମୁଁ ସାରା ଜୀବନ ପାଇଁ ।


Rate this content
Log in

Similar oriya story from Romance