ଧାରେ ଲୁହ ..==//====//===
ଧାରେ ଲୁହ ..==//====//===


ଏଠି ପାଞ୍ଚ ମନକୁ ପଚିଶ ପ୍ରକୃତି - ସଜମାଛରେ ପୋକ ପକାଇବା ଲୋକ ମାନଙ୍କ ଅଭ୍ୟାସ । ସତକୁ ମିଛ , ମିଛକୁ ସତରେ ଯୋଡି ଖେଳ ଖେଳନ୍ତି ଅନ୍ୟର ଭାବନା ସହ ସେମାନେ ।
ଆଜି ଅଟୋଟିଏ ଭଡା କରିଛି ତପୁ । ବାପଘରୁ ଅଭିଯୋଗର ପୁଟୁଳି ମୁଣ୍ଡାଇ ଚାଲିଯିବ ତା ଭାଗ୍ୟକୁ ନେଇ । ସୁଖ ମିଳୁ ଅବା ଦୁଃଖ ସାହସ ବାନ୍ଧିଛି ; ସମ୍ମୁଖୀନ ହେବ ପ୍ରତ୍ୟେକଟି ପରିସ୍ଥିତି ସହ। ମନ ଭିତରଟା କିନ୍ତୁ ଆବେଗଶୂନ୍ୟ । ଅତ୍ୟଧିକ ଯନ୍ତ୍ରଣା ନିରବି ଦେଇଛି ତା ଚିତ୍କାରର ପ୍ରଗାଢତାକୁ ।
ଗାଆଁଲୋକଙ୍କ ଟାହିଟାପରା । ତା ସାଙ୍ଗକୁ ଘରଲୋକଙ୍କ ପରଗୋତ୍ରୀ କହି ବୋଝମୁକ୍ତ ହେବାର ପ୍ରୟାସ ଖିନ୍-ଭିନ୍ କରି ପକାଉଛି ତା ଦୃଢ ମନୋବଳ । ମାତ୍ର ଚୁପ୍ ରହିବାକୁ ବାଧ୍ୟ କରୁଛି ତା ନାରୀପଣିଆ ।
ସେ ଜାଣିଥିଲା, ସାମାଜରେ ବଞ୍ଚିବାକୁ ହେଲେ ମାନିବାକୁ ପଡିବ ଯେତେ ସବୁ ସାମାଜିକ ନୀତିନିୟମ । ନଚେତ୍ ଉତଶୃଙ୍ଖଳିତ ହେବାର କଳଙ୍କ ନେଇ ବାସନ୍ଦ ହେବାକୁ ପଡିବ ସାରାଜୀବନ ।
କୋଳରେ ତାର କେଇ ମାସର ଶିଶୁ । ଅନିଶ୍ଚିତତା ସହ ସେ ଅପେକ୍ଷା କରିଥିଲା ସେହି ସୂକ୍ଷ୍ମ ମୁହୁର୍ତ୍ତମାନଙ୍କୁ, ଯେବେ ତା ପରିବାର ଲୋକଙ୍କ ଆଖିରେ ବି ତା ପରି ଲୁହ ବହିବ ଆଉ ସେମାନେ ସମାଜର ମିଥ୍ୟା ଆଡମ୍ବର କୁ ଭୟ ନକରି ନିଜ ଝିଅର ଦୁଃଖରେ ସମଦୁଃଖୀ ହେବେ।
ନିଜ ସ୍ଥିତିକୁ ଅନୁଶୀଳନ କରୁଥିଲା ସେ । ତାକୁ କଣ ସୁଖ ଲାଗେ ଏମିତି କୁଣିଆପରି ମୁଣ୍ଡ ଗୁଞ୍ଜିବାକୁ ବାପଘରେ ! ନା ଖୁସି ଲାଗେ ବୋଝ ହୋଇ ରହିବାପାଇଁ ସେମାନଙ୍କ ଉପରେ । କଣ ବା କରିବ ସେ ? ସମୟ ହିଁ ଅନେକ ଘାଟର ପାଣି ପିଇବାକୁ କରେ ବାଧ୍ୟ ।
ନିଜକୁ ପ୍ରଶ୍ନ କରେ - ଆଜି ଯଦି ତା ଛୁଆର ଦେହ ଏତେ ଅସୁସ୍ଥ ହୋଇନଥାନ୍ତା ତେବେ କଣ ସେ ପୁଣି ଥରେ ଫେରିଥାନ୍ତା ବାପ ଘରକୁ ?
ଶାଶୁଘରେ ବିଭିନ୍ନ ପ୍ରକାରର ଶାରୀରିକ ଓ ମାନସିକ ନିର୍ଯ୍ଯାତନା । ସବୁକିଛି ସହି ଯାଇଥିଲା ସେ । ହେଲେ ଗୋଟିଏ ମା ' କଣ କେବେ ସହି ପାରିବ ନିଜ ଛୁଆପ୍ରତି ଏମିତି ଅବହେଳା । ଶେଷରେ ନିଜ ଲୋକଙ୍କ ଆଶ୍ରୟ ନେବାପାଇଁ ବାଧ୍ୟ ହେଲା ଆଉ ଚାଲି ଆସିଲା ବାପ ଘରକୁ ।
ସେ ହେଜି ନ ଥିଲା, ଝିଅ ବିଦା ହେବା ପରେ ବାପଘରେ ଆଉ କୌଣସି ଅଧିକାର ନଥାଏ ବୋଲି । ପରଧନ ପରଘରକୁ ସମର୍ପି ଦେଇ ସେମାନେ ହୋଇ ଯାଆନ୍ତି ଚିନ୍ତାମୁକ୍ତ । ଏମିତିକି ଝିଅର ସମସ୍ୟା ଶୁଣିବାପାଇଁ ମଧ୍ୟ ସେମାନଙ୍କ ପାଖରେ ଧୈର୍ଯ୍ୟ ନ ଥାଏ ।
ସେମାନେ ଛୁଆଟିକୁ ପରଛୁଆ କହି ମନରେ ଆଘାତ ଦିଅନ୍ତି ବାରମ୍ବାର । ସେମାନଙ୍କ "କେବେ ଯିବୁ?" ର ପ୍ରଶ୍ନ ଅହରହ ଆନ୍ଦୋଳିତ କରେ ତାକୁ ।
ଠପ୍ ଠପ୍ ହୋଇ ଧାରେ ଲୁହ ଗାଲ ଦେଇ ବୋହି ଆସିଲା ହାତ ଉପରକୁ । ଶୀତ ସକାଳର ନରମ ଖରାରେ ଚିକ୍ ମିକ୍ ହେଉଥିଲା ସେ ଲୁହ । ତପୁ ଫେରି ଆସିଲା ଭାବନାରାଜ୍ୟରୁ ସତ ଦୁନିଆଁକୁ ।
ନିଜକୁ ଦୃଢ କଲା ସେ । ବାରଣ କଲା ଲୁହମାନଙ୍କୁ । ତାଗିଦ୍ କଲା ଆବେଗମାନଙ୍କୁ&
nbsp;ଚେହେରାରେ ଆଉ ଚମକ ନ ଆଣିବାକୁ । ଅନ୍ୟକୁ ଠକି ହୁଏ, କିନ୍ତୁ ନିଜ ସହ ଛଳନା କରିହୁଏ ନାହିଁ । ଆତ୍ମପୁରୁଷ ପାଖରେ କଣ ବା ଅଛପା ରହେ ଯେ ! ଭୁଲ୍ ଓ ଠିକ୍ ର ପ୍ରତ୍ୟକ୍ଷଦର୍ଶୀ ସାଜି ସେ ସତତ ଛପି ରୁହେ ନିଜ ଭିତରେ ।
ସେ ତା ଇଷତ୍ ନାରଙ୍ଗୀ ପଡି ଆସୁଥିବା ଆଖିକୁ ଧରା ପଡିବାର ଭୟରେ ଲୁଚାଇ ନେଲା।
କୋହର ପୁଟୁଳି ମାନଙ୍କୁ ଭିଡି ତପୁ ଆଗେଇ ଚାଲିଲା ଏରୁଣ୍ଡିବନ୍ଧ ଆର ପାଖକୁ । ପଛକୁ ଥରେ ବୁଲି ଚାହିଁ ଦେଖିଲା ତା ଘରଅଗଣା , ତା ଷଠିଘର । ତା ବିଗତ ବାଲ୍ୟକାଳ । ଏତେ କଥା ପରେ ବି ଲାଗୁଥିଲା, ଯେମିତି କେହି ଅଦୃଶ୍ୟ ଶକ୍ତି ଭିଡି ଧରୁଛି ଅଗଣା ଭିତରୁ । ମୋହର ଡୋର ବେଡିପରି ଗୁଡାଇ ହୋଇ ଯାଉଥିଲା ତା ପାଦରେ । ଇଛା ନଥିଲେ ମଧ୍ୟ ବାଧ୍ୟ ହୋଇ ସେ ବସିଲା ଅଟୋରେ ।
ଘର ପ୍ରତି ଥିବା ମୋହଟିକକ ହାତରେ ଧରିଥିବା ବରଫ ପରି ମିଳେଇ ହୋଇ ଚାଲିଥିଲା.. ପବନଚିରି ଦ୍ରୁତ ଗତିରେ ଧାଉଁ ଥିବା ଗାଡି ସହ।
ଆଗେଇ ଚାଲିଛି ଅଟୋ ଘରକୁ ପଛରେ ପକେଇ । କୁହୁଡିର ଝାପ୍ସା ଆସ୍ତରଣ ଯେମିତି ଗୋଟି ଗୋଟି କରି ଘୋଡାଇ ଚାଲିଛି ତା ଜୀବନର ସ୍ୱର୍ଣ୍ଣିମ ଅଧ୍ୟାୟମାନଙ୍କୁ ।
ମନେ ପଡି ଯାଉଛି ଅତୀତର ଛୋଟ ବଡ଼ ସ୍ମୃତି, ଯାହା କେବେ ତା ଖୁସିର ଉତ୍ସ ଥିଲା, ଯେଉଁ ମାନଙ୍କୁ ନେଇ ସେ କଳ୍ପନାର ଚାନ୍ଦୁଆ ବୁଣି ତାକୁ ଟାଣି ଦେଇ ବସି ଯାଉଥିଲା ଥ । ଆଜିଠୁଁ ସେ ସବୁ ହାତ ପାହାନ୍ତାରୁ ସବୁଦିନ ପାଇଁ ଦୂରକୁ ଚାଲି ଯିବେ ।
ତା ପରି ଜୀବନ ଆକାଶରେ ଖଣ୍ଡି ଉଡାଣ ଭରୁଥିବା ପକ୍ଷୀଟି ଏବେ ବୁଝି ସାରିଥିଲା ଜୀବନର ମହତ୍ତ୍ବ । ଜାଣି ସାରିଥିଲା ତା ପାଇଁ ସ୍ବପ୍ନର ଆକାଶ ନୁହେଁ ବରଂ ମାଟିର ବାସ୍ତବ ଧରାତଳ ହିଁ ଅପରିବର୍ତ୍ତନୀୟ ସତ୍ୟ । ସେଇଠି ଲୁକ୍କାୟିତ ତାର ନିୟତି ।
ଏହା ଏକ ବିଡମ୍ବନା ଯେ ମୃତ୍ୟୁ ପାଇଁ ଗୋଟିଏ ମୁହୁର୍ତ୍ତ ଯଥେଷ୍ଟ, ମାତ୍ର ଜୀବନ ପାଇଁ କରିବାକୁ ପଡେ ଅନେକ ସଂଘର୍ଷ ।
ଜୀବନ ପାଇଁ ସମୟ ହିଁ ସେହି ଦିବ୍ୟ ମଲମ ଯାହା କାଳକ୍ରମେ ହୃଦୟର ସମସ୍ତ କ୍ଷତ ଭଲ କରିଦିଏ
। ତେବେ କଣ ପାଇଁ ତାର ଏ ଦୁଃଖ ? କଣ ପାଇଁ ଏ ଲୁହର ଅଭିଷେକ?
"ନା !", ବସିବା ଜାଗାରେ ଚିତ୍କାର କରି ଉଠିଲା ସେ । ତାକୁ ଲଢିବାକୁ ହେବ । ବିଜୟୀ ହେବାକୁ ପଡିବ ଭୟ ଉପରେ । ଉତ୍ତମ ପତ୍ନୀ ଏବଂ ଉତ୍ତମ ବୋହୂର ମର୍ଯ୍ୟାଦା ରକ୍ଷା କରି ଏକ ସୁନ୍ଦର ମାତୃତ୍ବର ପରିସ୍ପୁଟନ କରିବ ସେ । ତାହା ଦ୍ୱାରା ହିଁ ହେବ ତାର ଭୟ ଉପରେ ବିଜୟ ।
ଅଟୋର ଶବ୍ଦ ପବନର ଛାତି ଚିରି ବଢି ଚାଲିଥିଲା ଆଗକୁ ଆଗକୁ । ତା ସହ ବଢି ଯାଉଥିଲା ତା ନିଜ ଉପରେ ଆତ୍ମବିଶ୍ବାସ ।
"ମ୍ୟାଡମ୍ ଏଇ ଘର ?"
ଡ୍ରାଇଭର୍ ଡାକରେ ଚମକି ପଡିଲା ତପୁ । ଅନୁଭବ ହେଲା, ସେ ଓହ୍ଲାଇବା ପୂର୍ବରୁ ଯେମିତି ଏକ ପରିଚିତ ହାତ କୋଳାଇ ନେଉଥିଲା ଛୁଆଟିକୁ । ଲୋକଙ୍କ ଗହଳି ଭିତରେ ଥାଇ ବି ଆପଣାର ଲାଗୁଥିଲା ସେହି ଲୋକ ଜଣକ ।।
ସେ ମୁଣ୍ଡ ସିଧା କଲା । ସାମ୍ନାରେ ଥିଲା ଏକ ନୂଆ ପୃଥିବୀ ।