STORYMIRROR

Gangadhar Nanda

Fantasy Others

3  

Gangadhar Nanda

Fantasy Others

ଏକ ବାଲ୍ୟଚେତନାର ସ୍ୱପ୍ନ ( ଭାଗ -

ଏକ ବାଲ୍ୟଚେତନାର ସ୍ୱପ୍ନ ( ଭାଗ -

4 mins
196

ଚକ୍ଷୁ ଦୁଇଟି ସଂପୂର୍ଣ୍ଣରୁପେ ବନ୍ଦ ହୋଇଯିବା ପୂର୍ବରୁ ଅର୍ଦ୍ଧନିମୀଳିତ ଚକ୍ଷୁରେ ଚମତ୍କାର ଦୃଶ୍ୟଟିଏ ଅବଲୋକନ କଲି । ମୋ ସମ୍ମୁଖସ୍ଥ ଧୂମ୍ରାଭ ଦିଗନ୍ତ ଭିତରୁ ଛାଇ ଭଳି ପ୍ରତୀୟମାନ ହେଉଥିବା ଗୋଟିଏ ମାନବ ଶରୀର ଆମ ପାଖକୁ ଦୌଡି ଆସୁଥିଲା । ଏଥିସହିତ ଶୁଣିପାରୁଥିଲି ଏକ ବିକଳ ଚିତ୍କାର ' ଦୌଡିଆସ, ଦୌଡିଆସ, ବୁଡିଗଲା 'I

ଏହାପରେ ଆମର ଉଦ୍ଧାର ଓ ଶରୀରରୁ ପଙ୍କ ସଫା କାର୍ଯ୍ୟରେ ବିଶେଷ ବିଳମ୍ବ ହେଲା ନାହିଁ । ଅର୍ଦ୍ଧଚେତନ ଅବସ୍ଥାରେ ଜଣେ ଗ୍ରାମବାସୀ କାନ୍ଧରେ ବସ୍ତା ଭଳି ବୁହା ହୋଇ ଘରେ ପହଞ୍ଚିଲି । ସନ୍ଧ୍ୟା ବେଳକୁ ସାଷ୍ଟାଙ୍ଗ ହୋଇସାରିବା ପରେ ସବୁ ଘଟଣା ବୋଉ ଆଗରେ ବଖାଣିବାକୁ ପଡିଲା । ବାପା ସବୁ ନିରବରେ ଶୁଣିସାରି ଉଠି ଛିଡ଼ା ହେଲେ ।' ଦାମ ବୁଢା ଦେହ ଭଲ ନାହିଁ । ହଵ ନ ହବ ଅବସ୍ଥା । ବୁଢା ଆଜି କାଲି ଭିତରେ ଖସି ଯାଇ ପାରେ । ମୁଁ ଟିକିଏ ଦେଖି ଆସେ ।' ଏତକ କହିସାରି ବାପା ଘରୁ ବାହାରିଗଲେ । ମୋ ମନଟା ଦୁଃଖରେ ଭରିଗଲା । ଦାମ ବୁଢା ଅଶୋକର ( ମାଗୁର ) ଜେଜେବାପା । ମାଗୁର ପିଲାଦିନୁ ବାପ ଛେଉଣ୍ଡ । ଜେଜେ ତା ପାଇଁ ସବୁକିଛି ଥିଲେ ।ବୁଢାର ଗାଁରେ ଭଲ ପତିଆରା ଥିଲା । ନ୍ୟାୟ ନିଶାପ ଠାରୁ ଆରମ୍ଭ କରି ଧୁଡୁକି ନାଟର ଯୋଗାଡ ପର୍ଯ୍ୟନ୍ତ , ସବୁଥିରେ ବୁଢାକୁ ଖୋଜା ପଡ଼େ ।ଗଲାସନ ଜଣେ ନାଟୁଆ ବହିନା ନେଇ ସାରି ନାଟ କରିବାକୁ ଆସିଲାନି ବୋଲି ବୁଢା ସେ ନାଟୁଆ ଗାଁ କୁ ଯାଇ ନ୍ୟାୟ ମାଗି ନିଆଁ ପାଣି ବାସନ୍ଦ କରାଇସାରିବା ପରେ ଯାଇ ରାଗ ଥଣ୍ଡା ପଡ଼ିଲା ।

ବୁଢା ଭୟରେ ମାଗୁରର ଉତ୍ପାତକୁ ଗାଁ ଲୋକେ ସହିଆସୁଥିଲେ । ଆମମାନଙ୍କ ଭିତରେ ବି ମାଗୁରର ଢେର ପତିଆରା ଥିଲା । ସବୁ କଥାରେ ଆମକୁ ତା ଜେଜେ ଭୟ ଦେଖାଏ । ଆମେ କେବେ ତା ମୁଁହରୁ ତା ବାପା କଥା ଶୁଣିବା ପରି ମନେ ହେଉନାହିଁ । ସବୁବେଳେ ଜେଜେ ଜେଜେ ହଉଥିବ । ଅନେକ ଥର ଜେଜେଙ୍କର ପ୍ରିୟ ପନିପରିବା ୟା ତା ବାଡିରୁ ଚୋରି କରି ନିସ୍ତୁକ ମାଡ ଖାଇଛି । କିନ୍ତୁ ତା ପରେ ବି 'ଅଙ୍ଗାର ଶତ ଧୈ।ତେନ 'ଅବସ୍ଥା । ଏ ଓଳି ମାଡ ଆର ଓଳିକୁ ମନେ ନ ଥାଏ । ଯଦି ବୁଢା ଖସିଯାଏ , ତେବେ ମାଗୁର ପ୍ରକୃତରେ ଅନାଥ ହେଲା ଭଳି ଲାଗିବ । ସଂଧ୍ୟାବତୀ ଦିଆ ସରିଲା । ବୋଉ ସାଙ୍ଗରେ ବସି ଆଖି ବୁଜି ପ୍ରାର୍ଥନା ବୋଲିଲି । ଆଖି ବନ୍ଦ ହେବାମାତ୍ରେ ମାଗୁରର ମୁଁହ ଦେଖାଯାଉଥିଲା । ଖାଇପିଇ ଯଲଦି ଶୋଇ ପଡିଲି । ସକାଳୁ ସାମାନ୍ୟ ଗହଳି ଶବ୍ଦରେ ନିଦ ଭାଙ୍ଗିଲା । ଉଠିପଡ଼ି ଦାଣ୍ଡକୁ ଗଲି । ଗାଁ ଲୋକ କିଛି ଏକାଠି ହୋଇଥିଲେ । ଗତକାଲିର ଘଟଣା ସଂପର୍କରେ ଆଲୋଚନା ଚାଲିଥିଲା । ସମସ୍ତଙ୍କ ମୁଁହରେ ମୋର ପ୍ରଶଂସା । କିଏ ମୋ ମୁଣ୍ଡ ଆଉଁସି ଦେଉଥିଲା ତ ଆଉ କିଏ ମୋତେ ତା କୋଳ ଆଡକୁ ଆଉଜେଇ ନେଉଥିଲା ।ପଡିଶା ଘର କାନ୍ଦୁରୀ ବୁଢୀ କହୁଥିଲା , " ଆମ ଟୋକା ନଥିଲେ କଣ ଅଶୋକ ଆଉ ଫେରିଥାନ୍ତା !" ବୁଝିପାରିଲି ଯେ ଏମାନେ ମୋତେ ମାଗୁରର ଜୀବନ ରକ୍ଷାକର୍ତ୍ତା ବୋଲି ଭାବୁଛନ୍ତି । ହାୟ ! ମାଗୁର ହାତରୁ ମୋ ହାତ ଛଡାଇ ଆଣି ସେଠାରୁ ଖସି ଚାଲି ଆସିବାର ଶତ ବିଫଳ ପ୍ରୟାସ ସଂପର୍କରେ ଏମାନେ ଅବଗତ ନୁହଁନ୍ତି । ତେବେ ମାଗୁର କାହାକୁ ଘଟଣାର ସତ୍ୟତା ବିଷୟରେ କାହାକୁ କିଛି କହିନାହିଁ ତ ? ତୁରନ୍ତ ତାକୁ ଏ କାର୍ଯ୍ୟରୁ ନିବୃତ୍ତ କରିବାକୁ ହେବ । ନ ହେଲେ ମାଗୁର ପାଟି ଖୋଲିବା ମାତ୍ରେ ଅଚିରେ ଏ ସମସ୍ତ ଗୌରବର ଧ୍ଵଂସପ୍ରାପ୍ତି ଅନିର୍ବାଯ୍ୟ ଥିଲା । ନାଁ ନାଁ .ମୋ ଭିତରୁ କିଏ ଜଣେ ବିଦ୍ରୋହ କରିଉଠୁଥିଲା , ଏହା ମୁଁ କସ୍ମିନକାଳେ କରାଇଦେବିନି । ମାଗୁର ସକାଶେ ସାଙ୍ଗମାନଙ୍କ ଗହଣରେ ଜୀବନରେ କୌଣସି ଶ୍ରେୟ ପାଇପାରୁନଥିବା ସ୍ଥଳେ ଆଜି ପୁନର୍ବାର ତାରି ପାଇଁ ଏ ଗୌରବଟିକୁ ଏତେ ବଡ ସଙ୍କଟରୁ ଉଦ୍ଧାର କରିବାକୁ ହେବ । ମାଗୁର ସାଙ୍ଗରେ ସାକ୍ଷାତ ଅତ୍ୟନ୍ତ ଜରୁରୀ ।

ଯେତେ ଶୀଘ୍ର ସମ୍ଭବ ଜଳଖିଆ ଖାଇ ଦେଇ ମାଗୁର ଘରକୁ ଚାଲିଲି । ଢିଙ୍କି ଶାଳରେ ମାଗୁର ଦୁଇ ଆଣ୍ଠୁ ମଝିରେ ମୁହଁ ମାଡି ବସିଥିଲା । ଟିକିଏ ଆଗକୁ ଯାଇ ଦେଖିଲି , ବୁଢା ଉପରକୁ ପାଟି ଖୋଲି ଶୋଇଛି । ବୁଢା ପାଖରେ ମାଗୁର ବସି ମଝିରେ ମଝିରେ ପାଣି ଟୋପେ ଟୋପେ ଦେଉଛି । ମାଗୁର ମୋ ଆଡକୁ ଶୂନ୍ୟ ଚାହାଣୀରେ ଚାହିଁଲା । କଣ କହିବ କହିବ ହଉଥିଲା । ମୁଁ କିନ୍ତୁ ସେଠାରୁ ଫେରି ପଳାଇ ଆସିଲି । ଜୀବନରେ କେବେ କୌଣସି ମଣିଷକୁ ଏ ଅବସ୍ଥାରେ ଦେଖିନଥିଲି । ଘରେ ପହଞ୍ଚି ବୋଉ ଠାରୁ ଶୁଣିବାକୁ ପାଇଲି , ଆସନ୍ତା କାଲି ଗୋଟାଏ ବଡ ସଭା ହେବ । ସଭାକୁ ସହରରୁ କିଛି ବଡ ବଡିଆ ଆସିବେ । ସ୍ଥାନୀୟ ନେତା ମଧ୍ଯ ସଭାରେ ଉପସ୍ଥିତ ରହିବେ । ମାଗୁରକୁ ବଞ୍ଚାଇ ଥିବାରୁ ମୋତେ ସାହସିକତା ପୁରସ୍କାର ଦିଆଯିବ , ଇତ୍ୟାଦି ଇତ୍ୟାଦି । ରାତିରେ ଖୁସି ମନରେ ଶୋଇବାକୁ ଗଲି । ମାଗୁର କଥା ମନେ ପଡୁଥିଲା । ସତକଥା କାହାକୁ କହିଦେବନି ତ ? ସେ ଯାହାହେବ ଦେଖାଯିବ । କିଛି ନ ହେଲେ ପୁରସ୍କାର ଯାହା ମିଳିବ , ସେଥିରୁ ତାକୁ କିଛି ଦିଆଯିବ । ଅଜ୍ଞାତରେ ନିଦ ଲାଗି ଯାଇଛି । ସ୍ୱପ୍ନରେ ଦେଖୁଥିଲି , ଏକ ବଡ ମଞ୍ଚରେ ମୋତେ ପୁରସ୍କାର ଦିଆଯାଉଛି । ବହୁତ ଲୋକ ଗହଳି ଭିତରେ କରତାଳି ଶବ୍ଦ ଶୁଭୁଛି । ସରପଞ୍ଚ ଭାଷଣ ଦେଉଛନ୍ତି । ସୁସ୍ଵାଦୁ ଖାଦ୍ୟ ରୋଷେଇ ଚାଲିଛି । ମୁଁ ମଞ୍ଚ ଉପରେ ଗୋଟାଏ ସଂପୂର୍ଣ୍ଣ ଚଉକି ଅଧିକାର କରି ମଝିରେ ବସିଛି । ମୂଖ୍ୟଅତିଥି ମହୋଦୟ ଏକ ରଙ୍ଗିନ କାଗଜରେ ଗୁଡିଆ ହୋଇଥିବା ମୋ ପୁରସ୍କାରଟିକୁ ମୋତେ ଦେବାକୁ ଉଦ୍ୟତ ହେଉଛନ୍ତି , ମୋ ଦୃଷ୍ଟି ସଭାର ଗୋଟିଏ କୋଣରେ ନିବଦ୍ଧ ହେଲା । ମାଗୁର ସେଠାରେ ମୋତେ ଉପହାସ ଭରା ନେତ୍ରରେ ଚାହିଁଥିଲା । ଆଉ ଟିକିଏ ଦୂରରେ ସାଆନ୍ତଙ୍କର କାଳିଆ ଷଣ୍ଢଟି ମଞ୍ଚ ଆଡକୁ ଧସେଇ ଆସିବା ଉପକ୍ରମରେ ଖଳିମାଟି କରୁଥିଲା । ଜୟ ବଜରଙ୍ଗବାଲି ସ୍କରଣ କରି ମଞ୍ଚ ଉପରୁ ତଳକୁଡେଇଁ ପଡି ଦୌଡିଲି । ସ୍ୱପ୍ନରେ ଦୌଡିବା ପାଇଁ ଆବଶ୍ୟକୀୟ ଅଙ୍ଗଚାଳନା ହେତୁ ନିଦ ଭାଙ୍ଗିଗଲା । ବୋଉ ମୋତେ ତା କୋଳରେ ବସାଇ ବାପାଙ୍କୁ ପାଣି ମାରୁଥିଲା । . . .କ୍ରମଶଃ . . .


Rate this content
Log in

Similar oriya story from Fantasy