Gangadhar Nanda

Abstract Tragedy Inspirational

3  

Gangadhar Nanda

Abstract Tragedy Inspirational

ପୈଶାଚିକ ମହାନତା ( ଭାଗ୯)

ପୈଶାଚିକ ମହାନତା ( ଭାଗ୯)

3 mins
115


      ବିବାହ ପାଇଁ ମୋଟାମୋଟି ଭାବରେ ଏକ ବ୍ୟୟ ଅଟକଳ ସ୍ଥିର ହେଲା । ଭଦ୍ରଲୋକଙ୍କୁ ବିଦାୟ ଦେଇସାରି ଘରେ ଏ ବିଷୟରେ ଆଲୋଚନା କଲି । ଜଣେ ଦରିଦ୍ର ଓ ପୁଣ୍ୟାତ୍ମା ବ୍ରାହ୍ମଣଙ୍କର ଦୁଇଟି କନ୍ୟାଙ୍କ ବିବାହ ପାଇଁ ଆବଶ୍ୟକୀୟ ସମସ୍ତ ଖର୍ଚ୍ଚ ବହନ କରିବା ଲାଗି ଦୁଇପୁଅ ଖୁସିରେ ରାଜି ହେଲେ । ଭାଇନାଙ୍କ ବଡପୁଅ ବିଚରା ବିବାହ ଖର୍ଚ୍ଚ ପାଇଁ ବହୁତ ବ୍ୟସ୍ତ ବିବ୍ରତ ହେଉଥିବ । ତେଣୁ ଯଥାଶୀଘ୍ର ଆବଶ୍ୟକୀୟ ଅର୍ଥ ଧରି ଦିନେ ଅପରାହ୍ନରେ ଭାଇନାଙ୍କ ଘରକୁ ଗଲି । ଯିବା ପୂର୍ବରୁ ପାର୍କରେ ଭାଇନା ଏକୁଟିଆ ବସିଥିବାର ଦେଖିକରି ଯାଇଥିଲି ।

          ଟଙ୍କାପୂର୍ଣ୍ଣ ହ୍ୟାଣ୍ଡବ୍ୟାଗଟି ମୋ ହାତରୁ ଗ୍ରହଣ କରିସାରି ଦୁଇପୁଅ ମୋତେ ଆଶ୍ଚର୍ଯ୍ୟ ଚକିତ ଦୃଷ୍ଟିରେ ଚାହିଁଲେ ।

ତୁମେମାନେ ବୋଧହୁଏ ଜାଣିନ , ଏଠାରେ ମାରୱାଡ଼ି ସମ୍ପ୍ରଦାୟର କିଛି ବଦାନ୍ୟ ବ୍ୟକ୍ତି ଏସବୁ କାର୍ଯ୍ଯଲାଗି ସାହାଯ୍ୟ କରୁଛନ୍ତି । ମୁଁ ତୁମ ପରିସ୍ଥିତି ସେମାନଙ୍କୁ ଜଣାଇବା ପରେ ଏତକ ଅନୁଦାନ ମିଳିଛି । ଆଉ ଦରକାର ହେଲେ ବି ମିଳିବ । ମୁଁ ସେମାନଙ୍କ ସନ୍ଦେହ ମୋଚନ ପାଇଁ କହିସାରି ଯଥା ଶୀଘ୍ର ସେଠାରୁ ପାର୍କ ଉଦ୍ଦେଶ୍ୟରେ ପ୍ରସ୍ଥାନ କଲି । 

ନମସ୍କାର ଆଜ୍ଞା ! 

ନମସ୍କାର ! ସମ୍ମୁଖସ୍ଥ ଦୂର ଦିଗବଳୟ ଉପରେ ଦୃଷ୍ଟି ନିବଦ୍ଧ ପୂର୍ବକ ସ୍ମିତହାସ୍ୟ ସହକାରେ ଭାଇନା ପ୍ରତିନମସ୍କାର ଜଣାଇଲେ ।

ଏକୁଟିଆ ବସିରହି ସମୟ କାଟିବା ବେଳେ ଆପଣଙ୍କ ମନରେ ବିରକ୍ତି ଭାବ ଆସେନି ? ମୁଁ ତାଙ୍କ ପାଖରେ ବସିବା ଅବସରରେ ପଚାରିଲି ।

ବିରକ୍ତି ଭାବ କାହିଁକି ଆସିବ ? ମୁଁ ନିଜକୁ କେବେ ଏକୁଟିଆ ମନେ କରେନି । ଭାଇନା ମୃଦୁ ହସି କହିଲେ ।

ମୋ ଆସିବା ପୂର୍ବରୁ ଆପଣ ଏବେ ତ ଏକୁଟିଆ ବସିଥିଲେ । ଏକୁଟିଆ ଥାଇ ଏକାକିତ୍ଵ ଅନୁଭବ ନକରିବାଟା କି ପ୍ରକାର ଯୁକ୍ତି ? ମୁଁ ପ୍ରଶ୍ନ କଲି ।

ବିଭିନ୍ନ ପରିସ୍ଥିତିରେ ଭିନ୍ନ ଭିନ୍ନ ମଣିଷଙ୍କର ଅନୁଭବ ଭିନ୍ନ ହୋଇପାରେ । ହେଇଟି ଦେଖ ସେ ଗଛର ଉପର ଡାଳକୁ ! ଚଢ଼େଇଟିଏ ଚାହିଁ ରହିଛି ତା ପରିବାରର ଅନ୍ୟ ସଦସ୍ୟମାନଙ୍କ ଫେରିବା ବାଟକୁ । ସେପାଖରେ ଛୋଟା କୁକୁରଟି ଅଧାପେଟରେ ଶୋଇରହି ଦିନଯାକର କ୍ଲାନ୍ତି ମେଣ୍ଟାଉଛି । କେବେ ଖାଇବାକୁ ମିଳିବ , କୌଣସି ନିଶ୍ଚିନ୍ତତା ନାହିଁ । ଗେଟ ପାଖରେ ପାଗଳଟାଏ ଶୂନ୍ୟକୁ ଚାହିଁ କାହା ସାଙ୍ଗରେ କଥା ହେଉଛି । କେଉଁ ଜନ୍ମର ଅଥବା କର୍ମର ପ୍ରାୟଶ୍ଚିତ କରୁଛି , ସେକଥା ବିଧାତାକୁ ଜଣା । ଏହିପରି ଅନେକ ଘଟଣା ଦେଖିବା ଓ ଘଟଣା ପଛରେ ଥିବା ତତ୍ତ୍ଵଟିକୁ ଅନୁଧ୍ୟାନ କରିବା ଭିତରେ ସମୟ କଟିଯାଏ । ସେଥିପାଇଁ ମୁଁ ନିଜକୁ କେବେ ଏକୁଟିଆ ମନେ କରେନି । ପ୍ରକୃତି ସହିତ ଭାବନାର ତାଳମେଳ ରହିଲେ ନିଜକୁ କେବେ ଏକୁଟିଆ ମନେ କରିବାର ଆବଶ୍ୟକତା ରହିବନି । ଏକଥା କହୁଥିବାବେଳେ ଭାଇନାଙ୍କ ମୁହଁରେ ପୂର୍ବଭଳି ସ୍ମିତହାସ୍ୟ ଲାଗି ରହିଥିଲା । 

             ଭାଇନାଙ୍କଠାରୁ ବିଦାୟ ନେଇ ଘରକୁ ଫେରିଲି । ଘରେ ପହଞ୍ଚି ମୁହଁ ହାତ ଧୋଇ ହେଇ ଟିଭି ସାମ୍ନାରେ ବସିଲି । ପତ୍ନୀଙ୍କ ହାତରୁ ଚା ପିଇବା ଭିତରେ ମନେ ମନେ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରୁଥିଲି । ଭାଇନାଙ୍କ ଦୁଇଝିଅଙ୍କର ବିବାହ ପାଇଁ ମୋର ଆଉ କିଛି କାମ ନଥିଲା । 

ଆଜି ସେ ଭଦ୍ରଲୋକ ଘରକୁ ଆସିଥିଲେ । ରମା ମୋ ଉଦ୍ଦେଶ୍ୟରେ କହୁଥିଲେ ।

କଣ କହୁଥିଲେ ? ମୁଁ ଅନ୍ୟମନସ୍କ ଭାବରେ ପଚାରିଲି ।

ନିର୍ବନ୍ଧ ତାରିଖ ଠିକ୍ ହୋଇଯାଇଛି । ଆଉ ପାଞ୍ଚଦିନ ବାକି ଅଛି । 

ଭଲ ହେଲା । କୌଣସିମତେ ସେ କାମ ସରିଯିବା ଉଚିତ । 

ସବୁ ଭଗବାନଙ୍କ ଇଛା । ରମା ହାତ ଯୋଡିଲେ ।

ମୁଁ ମୃଦୁ ହସି ମୁଣ୍ଡ ହଲେଇଲି ।

            ନିର୍ବନ୍ଧ କାର୍ଯ୍ୟଟି ସରିବା ପର୍ଯ୍ୟନ୍ତ ମୁଁ ଭାଇନାଙ୍କୁ ଜାଣିଶୁଣି ସାକ୍ଷାତ କଲିନାହିଁ । ଏକ ସମ୍ମାନଜନକ ନିମନ୍ତ୍ରଣ ଆଶା କରୁଥିଲି । କିନ୍ତୁ ସେପରି କିଛି ଘଟିଲା ନାହିଁ । ବିନା ନିମନ୍ତ୍ରଣରେ ଯିବା ସମ୍ଭବ ନଥିଲା । ସେ ଦିନଟିଯାକ ବ୍ୟସ୍ତତାରେ ସମୟ କଟିଲା । ସୂର୍ଯ୍ୟାସ୍ତ ବେଳକୁ ମୋର କ୍ରୋଧ ଜର୍ଜରିତ ଅବସ୍ଥା । ମୋ କ୍ରୋଧକୁ ଦ୍ଵିଗୁଣିତ କରୁଥାଏ ପତ୍ନୀ ଓ ବୋହୁଙ୍କର ମିଳିତ ମୃଦୁହାସ୍ୟ । ( କ୍ରମଶଃ ) 


          

           


Rate this content
Log in

Similar oriya story from Abstract