Gangadhar Nanda

Abstract Tragedy Inspirational

3  

Gangadhar Nanda

Abstract Tragedy Inspirational

ପୈଶାଚିକ ମହାନତା ( ଭାଗ୪ )

ପୈଶାଚିକ ମହାନତା ( ଭାଗ୪ )

3 mins
169


     ଜଗନ୍ନାଥ ଭାଇନାଙ୍କ ସାନପୁଅକୁ ଚାକିରି ପାଇଁ ଆବେଦନ କରିବା କଥା କହିସାରି ସେଠାରୁ ଶୀଘ୍ର ବିଦାୟ ନେଇ ଘରକୁ ଆସିଲି । ଭୟ ଥିଲା କି କାଳେ ଭାଇନା ଆସି ପହଞ୍ଚି ଯିବେ । ସେ ଯାହା ହେଉ, ସେପରି କିଛି ଘଟିଲା ନାହିଁ । 

         ସନ୍ଧ୍ୟା ପରେ ଘରେ ବସିରହି ଟିଭି ଦେଖିବା ଭିତରେ ଚା' ପିଉଥିଲି । ମୋ ପାଖରେ ପତ୍ନୀ ରମା ବସି ଟିଭି ଦେଖୁଥିଲେ । ଟିଭିରେ ଶ୍ରୀକୃଷ୍ଣଙ୍କର ଲୀଳା ଉପରେ ଧାରାବାହିକ ଚାଲିଥିଲା । ରମା ଅତ୍ୟନ୍ତ ତନ୍ମୟ ହୋଇ ଧାରାବାହିକ ଦେଖିବା ଭିତରେ ମଝିରେ ମଝିରେ ଆଖିରୁ ଲୋତକ ପୋଛୁଥିଲେ । ସେ ଥିଲେ ମୋର ସମ୍ପୂର୍ଣ୍ଣ ବିପରୀତ ଚରିତ୍ରର , ଅର୍ଥାତ ବହୁତ ଆଧ୍ୟାତ୍ମ୍ୟବାଦି । ମୋର ନାସ୍ତିକ ଚିନ୍ତାଧାରାକୁ ନେଇ ସେ ମୋ ଉପରେ ମଝିରେ ମଝିରେ ଚିଡୁଥାଆନ୍ତି । ମୋର କିନ୍ତୁ ସେଆଡକୁ ଖାତିର ନଥାଏ । ବିନା ଯୁକ୍ତି ବା ପ୍ରମାଣରେ ମୁଁ କିଛି ମାନିବାକୁ ପ୍ରସ୍ତୁତ ନଥିଲି । ଥରେ ପୁରୀ ଯାଇ ପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଆସିବା ଲାଗି ପତ୍ନୀଙ୍କର ଅନେକ ଅନୁରୋଧକୁ ମୁଁ ପ୍ରତ୍ୟାଖାନ କରିଛି । ନିରାଶ ହେବା ପରେ ମୋତେ ସେ ଆଉ କିଛି କହନ୍ତି ନାହିଁ । ଏବେ କିନ୍ତୁ ପିଲାମାନଙ୍କ ସାଙ୍ଗରେ ଯାଇ ଦୁଇଥର ପ୍ରଭୁଙ୍କୁ ଦର୍ଶନ କରିଆସିଲେଣି । ପୁରୀରୁ ଫେରିବା ପରେ ଘରେ ଦୁଇ ତିନିଦିନ କାଳ କେବଳ ପ୍ରଭୁଙ୍କ ମହିମା ବିଷୟରେ ଆଲୋଚନା ଚାଲେ । କେବଳ ବେଳେ ବେଳେ ପଣ୍ଡାମାନଙ୍କର ଦୌରାତ୍ମ୍ୟକୁ ଛାଡ଼ିଦେଲେ ବାକି ଅନ୍ୟାନ୍ୟ ଅନୁଭୂତି ଖୁବ୍ ଭଲ ବୋଲି ଶୁଣେ । 

' ସେବକ ଓ ପଣ୍ଡାମାନେ ତୁମ ପ୍ରଭୂଙ୍କର ଏତେ ନିକଟରେ ଥାଇ ମଧ୍ଯ ସେମାନଙ୍କର ଦିବ୍ୟଜ୍ଞାନ ଉଦୟ ହୋଇପାରୁ ନାହିଁ । ତୁମେ ଥରେ ଦୁଇଥର ଯାଇ ଜଗନ୍ନାଥଙ୍କର ଏତେ ବଡ ଭକ୍ତ ବନିଗଲ !' ମୁଁ ପତ୍ନୀଙ୍କୁ ଥଟ୍ଟା କରି କୁହେ । ଦିନେ ଦୁଇଦିନ ରମା ନିଜ ମୁହଁଟାକୁ ଆମ୍ବିଳା କରି ରହନ୍ତି । କଦବା କ୍ଵଚିତ ତାଙ୍କଠାରୁ ଆକ୍ଷେପଟିଏ ଶୁଣେ , ' ଦେଖିବ, ପ୍ରଭୂ ଦିନେ ତୁମକୁ ସଦବୁଦ୍ଧି ଦେବେ । ସେତେବେଳେ ତୁମେ ବିଶ୍ୱାସ ନକରି ଯିବ କୁଆଡେ !'

' ହଉ ଦେଖିବା , କେବେ ତୁମ ପ୍ରଭୂଙ୍କର କୃପା ହେଉଛି ପ୍ରତ୍ୟୁତ୍ତରରେ ମୁଁ ହସିଦେଇ କହେ । 

 ଟିଭିକୁ ଚାହିଁ ଚୁପ୍ ଚାପ୍ ବସି ରହିଥିଲେ ବି ମାନସିକ ସ୍ତରରେ ଖୁବ୍ ବେଗରେ ଏଣେତେଣେ ଦୌଡା ଦଉଡ଼ି କରୁଥିଲି । ଜଗନ୍ନାଥ ମିଶ୍ର କିଭଳି ପ୍ରକାରର ଲୋକ ଥିଲେ ,ମୁଁ କିଛି ବୁଝିପାରୁନଥିଲି । ଜଣେ ପାଗଳ ଅଥବା ଏମିତି ଜଣେ ଜ୍ଞାନୀ, ଯେ ମୋ ପାଇଁ ଦୂର୍ବୋଧ୍ୟ ଥିଲେ । ସଂସାର କରି ପିଲାମାନଙ୍କୁ ସଂସାରକୁ ଆଣିସାରିବା ପରେ ତାଙ୍କ ଭବିଷ୍ୟତ ପ୍ରତି ଉଦାସୀନ ରହି ସବୁକିଛି ପ୍ରଭୁଙ୍କୁ ସମର୍ପି ଦେବାଟା କେତେଦୂର ବିଜ୍ଞତାର ପରିଚୟ ? ସମୟ ଆସୁ , ଏ ପ୍ରଶ୍ନ ଗୁଡିକର ଯଥାର୍ଥ ଉତ୍ତର ଜଗନ୍ନାଥ ବାବୁଙ୍କୁ ଦେବାକୁ ହେବ ?

' କଣ ହେଇଚି ?' ରମା ପଚାରୁଥିଲେ । ' ଆଜି କାହିଁକି ଭାରି ଗମ୍ଭୀର ?'

' ନାଁ, ସେମିତି କିଛି ନୁହେଁ । 'ମିଶ୍ରଙ୍କ କଥା ଭାବୁଥିଲି ।' ଅନ୍ୟମନସ୍କ ଭାବେ ଉତ୍ତର ଦେଲି । 

' ଆଉ କଣ ଅସୁବିଧା ହେଲାକି ?' ପୁଅ ତ କହିଲା ବୁଝିବ ବୋଲି , ପୁଣି କଣ ହେଲା ?

' ନାଁ, ଅସୁବିଧା କିଛି ନାହିଁ ; ତୁମେ ଟିଭି ଦେଖ । ମୁଁ ଠିକ୍ ଅଛି । 

         ସତରେ ମୁଁ କଣ ଠିକ୍ ଥିଲି ? ମନ ଭିତରେ ଅନେକ ଗୁଡିଏ ଦ୍ଵନ୍ଦର ସାମ୍ନା କରୁଥିଲି ।

          ଜୀବନ ଗତାନୁଗତିକ ଧାରାରେ ଚାଲିଥିଲା । ମୁଁ କିନ୍ତୁ ବିଗତ ସାତ ଦିନ ଧରି ପାର୍କକୁ ଯାଇ ନଥିଲି । ଭାଇନାଙ୍କ ସାନପୁଅର ଚାକିରୀ ହୋଇସାରିବା ପରେ ତାଙ୍କୁ ଦେଖା ହେବି ବୋଲି ମନରେ ସ୍ଥିର କରିଥିଲି । ସେଦିନ ସକାଳେ ପୁଅ ଅଫିସ ଯିବା ପୂର୍ବରୁ ପୋଷ୍ଟିଂ ହୋଇଯିବା କଥାଟା କହିଦେଇ ଗଲା । ଅତଏବ ସେଦିନ ଅପରାହ୍ନରେ ବହୁତ ଉତ୍କଣ୍ଠା ମନ ନେଇ ପାର୍କକୁ ବାହାରିଲି । ଜାଣି ଶୁଣି ଟିକିଏ ଡେରିରେ ଗଲି । ଉଦ୍ଦେଶ୍ୟ ଥିଲା ପୁଅର ଚାକିରୀ ହୋଇଯିବା ପରେ ଦୂରରେ ରହି ତାଙ୍କ ପ୍ରତିକ୍ରିୟା ନଜର କରିବା । ( କ୍ରମଶଃ..... )



Rate this content
Log in

Similar oriya story from Abstract