Gangadhar Nanda

Tragedy Inspirational

3  

Gangadhar Nanda

Tragedy Inspirational

ପୈଶାଚିକ ମହାନତା ଭାଗ( ୨ )

ପୈଶାଚିକ ମହାନତା ଭାଗ( ୨ )

3 mins
187



     ପରଦିନ ସକାଳୁ ଗତ ରାତିରେ ନେଇଥିବା ନିଷ୍ପତ୍ତିଟିକୁ କାର୍ଯ୍ୟରେ ଲଗାଇବାର ଯୋଜନା ଆରମ୍ଭ କଲି । ଚା' ପିଇବା ଅବସରରେ ପରିବାରର ସମସ୍ତଙ୍କୁ ନିକଟକୁ ଡାକିଲି ।

' କଣ ହେଲା ବାପା ? ଆପଣଙ୍କ ଦେହ ଭଲ ଅଛି ତ ?' ବଡ଼ପୁଅ ପ୍ରଶ୍ନ କଲା ।

' ହଁ, ଭଲ ଅଛି । ମନ କିନ୍ତୁ ଭଲ ନାହିଁ ।' ସମସ୍ତଙ୍କ ମୁହଁକୁ ଥରେ ଚାହିଁଦେଇ ଉତ୍ତର ଦେଲି ।

' କଣ ହୋଇଛି, ମୋତେ କୁହନ୍ତୁ ।' ଦେବ ପ୍ରଶ୍ନ କଲା ।

' ଅନ୍ୟକାହାର ସମସ୍ୟା ବିଷୟରେ ମୁଣ୍ଡ ନଖେଳେଇବା ପାଇଁ ତୁମେମାନେ ସମସ୍ତେ ମୋତେ ବାରମ୍ଵାର ତାଗିଦ କରିଛ । ମୁଁ ମଧ୍ୟ ଆଜିପର୍ଯ୍ୟନ୍ତ ଏକଥା ମାନି ଆସିଛି । ଏବେ କିନ୍ତୁ ଜଣେ ବ୍ୟକ୍ତିଙ୍କୁ ମୁଁ ସାହାଯ୍ୟ କରିବାପାଇଁ ଚାହୁଁଛି । ଏଥିପାଇଁ ତୁମମାନଙ୍କର ସହଯୋଗ ନିହାତି ଦରକାର ।' କହିସାରି ପୁଅ ମୁହଁକୁ ଉତ୍ସୁକତାର ସହ ଚାହିଁରହିଲି ।

' ଆମେ ସମସ୍ତେ ସାହାଯ୍ୟ କରିବୁ । କାହାର କେଉଁଭଳି ସାହାଯ୍ୟ ଆବଶ୍ୟକ କୁହନ୍ତୁ ।'

ଦେବବ୍ରତର ପ୍ରତିଶ୍ରୁତିରେ ଉତ୍ସାହିତ ହୋଇ ଜଗନ୍ନାଥ ମିଶ୍ରଙ୍କର ବ୍ୟକ୍ତିତ୍ଵ ଓ ତାଙ୍କ ପରିବାରର ଦୂରାବସ୍ଥା ବିଷୟରେ ସମସ୍ତ କଥା କହିଲି ।

' ପ୍ରଥମେ ଆର୍ଥିକ ସ୍ଥିତି ସୁଧାରିବା ଜରୁରୀ ।' କିଛି ମୂହୂର୍ତ୍ତର ଗମ୍ଭୀର ବାତାବରଣର ଅବସାନ ଘଟାଇ ଦେବବ୍ରତ କହିଲା । 'ମୋ ଅଫିସରେ ଅଡର୍ଲି ପୋଷ୍ଟ ଖାଲି ଅଛି । ସେ ପିଲାକୁ କୁହ କି ତା' ରିଜ୍ୟୁମ ଆମ ଅଫିସ୍ ୱେବସାଇଟରେ ଅପଲୋଡ କରୁ । ସପ୍ତାହକ ଭିତରେ ପୋଷ୍ଟିଂ ଅର୍ଡର ପାଇଯିବ । ତାପରେ ଅନ୍ୟ କଥା ଦେଖିବା ।' କହିସାରି ଅଫିସ୍ ଯିବାପାଇଁ ପ୍ରସ୍ତୁତ ହେଲା ।

     ସାମାନ୍ୟ ଶାନ୍ତି ମିଳିଲା । ଜୀବନରେ କେବେ କାହାକୁ ସାହାଯ୍ୟ ପାଇଁ ହାତ ନପତାଇ, ସବୁ ସମସ୍ୟା ଓ ଜଞ୍ଜାଳ ଇତ୍ୟାଦିକୁ ପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ କରିଦେଇ ନିଶ୍ଚିନ୍ତ ହୋଇ ବସିରହି ଖୋଲା ହସ ହସି ପାରୁଥିବା ଜଗନ୍ନାଥ ମିଶ୍ର ନାମକ ବ୍ୟକ୍ତିଟି ପ୍ରତି ମୋ ମନ ଭିତରେ ଏକ ଅଜବ ଧାରଣା ବସା ବାନ୍ଧି ସାରିଥିଲା । ସେ ଧାରଣାଟିର ବାସ୍ତବ ବ୍ୟାଖ୍ୟା କରିବା ଅତ୍ୟନ୍ତ କଷ୍ଟସାଧ୍ୟ । ସର୍ବଦା ହସୁଥିବା ବ୍ୟକ୍ତିଟି ପ୍ରତି ଏକ ପ୍ରକାର ଇର୍ଷା, ତାଙ୍କୁ ସାହାଯ୍ୟ କରିସାରି ନ୍ୟୁନ କରିଦେବା ଏବଂ ତାଙ୍କ ସ୍ୱାଭିମାନକୁ ଯଥା ସମ୍ଭବ କ୍ଷୁର୍ଣ୍ଣ କରିସାରି ତାଙ୍କୁ ଦୁଃଖୀ ଦେଖିବାର ଏକ ଦୁର୍ବାର ଇଚ୍ଛା ଭଳି କିଛି ମାନସିକତାର ସମଷ୍ଟିକୁ ନେଇ ମୋ ଧାରଣା ପ୍ରବୁଦ୍ଧ ଥିଲା । ଅବଶ୍ୟ ଆଉ ଗୋଟିଏ ଦିଗରୁ ମୁଁ ଖୁସି ଥିଲି । ଖୁସିର ଦିଗଟି ଥିଲା, ଏସବୁ ମଧ୍ୟରେ ଜଣେ ଅସହାୟକୁ ସାହାଯ୍ୟ କରାଯିବା ଓ ଗୋଟିଏ ପରିବାରର ମଙ୍ଗଳ ସାଧନ ହେବା । ଜୀବନରେ ସାଧ୍ୟ ଥାଇ ମଧ୍ୟ ସ୍ବାର୍ଥପର ମନ ନେଇ କେବେ କାହାକୁ ସାହାଯ୍ୟ କରି ନଥିଲି । ଦାନ ଧର୍ମ ମଧ୍ୟ କରେନି । ମୋଟାମୋଟି ଭାବରେ କହିଲେ ନାସ୍ତିକ ମାନସିକତାକୁ ନେଇ ମୁଁ ବଞ୍ଚିଥିଲି । ତେଣୁ ଏ କଥାକୁ ନେ଼ଇ ମନରେ ବେଳେ ବେଳେ ଭୟ ଆସୁଥିଲା । ଆରପାରିରେ ନର୍କ ବୋଲି କିଛି ଅଛି କି ? ଯଦି ଅଛି, ତେବେ ମୋ ପାଇଁ ସେଠାରେ କେଉଁ ଦଣ୍ଡର ବ୍ୟବସ୍ଥା ଥିବ ? ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଚେଷ୍ଟା ବି କରିଛି । କିନ୍ତୁ କେହି କେବେ ଯୁକ୍ତିଯୁକ୍ତ ଭାବରେ ମୋତେ ବୁଝାଇ କହିପାରିନାହାନ୍ତି । କଦାଚିତ କିଛି ଯୁକ୍ତି ମନକୁ ଛୁଇଁଲାପରେ, ପରବର୍ତ୍ତୀ ସମୟରେ ସେ ଯୁକ୍ତିଦାତାଙ୍କର ସାମାଜିକ ଓ ଚାରିତ୍ରିକ କେଳେଙ୍କରି ଦେଖିବା ପରେ ସେ ଯୁକ୍ତିଟି ଉପରୁ ବିଶ୍ୱାସ ତୁଟି ଯାଇଛି । ଉକ୍ତ ଯୁକ୍ତିଦାତାଙ୍କ ସମୀକ୍ଷା ଅନୁଯାୟୀ ମୋ ଅପେକ୍ଷା ସେମାନେ କରିଥିବା ପାପର ଫଳ ଅଧିକ ଭୟଙ୍କର । ଏ ବିଷୟରେ କେବେ ଜଗନ୍ନାଥଙ୍କ ଭାଇନାଙ୍କ ସହିତ ଆଲୋଚନା କରିବା ପାଇଁ ଚାହୁଁଥିଲେ ମଧ୍ୟ ସୁଯୋଗ ଆସିନଥିଲା । 

     ସନ୍ଧ୍ୟା ବେଳେ ପୂର୍ବଦିନଭଳି ପାର୍କରେ ଏକାଠି ବସିଥିଲୁ । ପୂର୍ବ ଦିନର ଘଟିଥିବା ଘଟଣାର ପ୍ରଭାବ ଜାଣିବା ପାଇଁ ମୁଁ ଲୁଚେଇ ଲୁଚେଇ ତାଙ୍କ ମୁହଁକୁ ଦେଖୁଥିଲି । ସେ ଏକଥା ଜାଣିଦେଲେ ବୋଧହୁଏ । 

' କଣ ଦେଖୁଛ ମୋ ମୁହଁରେ ?' ହସି ହସି ଭାଇନା ପଚାରିଲେ । 

' ନାଇଁ ନାଇଁ, ସେମିତି କିଛି ନୁହେଁ ।' ଆପଣଙ୍କଠାରୁ ଗୋଟିଏ କଥା ବୁଝିବାର ଥିଲା।' ମୁଁ ସାମାନ୍ୟ ଅପ୍ରସ୍ତୁତ ହୋଇପଡି କହିଲି । ( କ୍ରମଶଃ )

      



Rate this content
Log in

Similar oriya story from Tragedy