Gangadhar Nanda

Tragedy Inspirational

4.0  

Gangadhar Nanda

Tragedy Inspirational

ପୈଶାଚିକ ମହାନତା ( ଭାଗ୫ )

ପୈଶାଚିକ ମହାନତା ( ଭାଗ୫ )

3 mins
184


      ପାର୍କରେ ପହଞ୍ଚି ସାଙ୍ଗେ ସାଙ୍ଗେ ପାଖକୁ ନଯାଇ ସାମାନ୍ୟ ଦୂରରେ ରହି ଭାଇନାଙ୍କୁ ନଜର କଲି । ସେ ସେମିତି ନିର୍ବିକାର ଭାବରେ ବସିରହି କାହାକୁ ଦେଖି ହସୁଥିଲେ । ତାଙ୍କ ଦୃଷ୍ଟି ଅନୁସରଣ କରି ଦେଖିଲି ଦୁଇଟି ଛୋଟ ପିଲାଙ୍କର ଖେଳକୁ ଦେଖି ଭାଇନା ହସୁଛନ୍ତି ।

' ଏ ଲୋକଟି କଣ ସବୁ ପରିସ୍ଥିତିରେ କେବଳ ହସିବା ଜାଣିଛି ? ହୋଇପାରେ ପୁଅର ଚାକିରୀ ହୋଇଯିବା ଖୁସିରେ ବୁଢ଼ାର ମନ ଖୁସି ଅଛି ।' ଧୀରେ ଧୀରେ ପାଖକୁ ଗଲି । 

' ନମସ୍କାର ଭାଇନା !' 

' ନମସ୍କାର ନମସ୍କାର ! ଆସ ଆସ, ଏଇଠି ବସ । ସଂସାରର ସମସ୍ତ ଜଟିଳତା ସମ୍ପର୍କରେ ଅଜ୍ଞ ସେ ପିଲା ଦୁଇଟିଙ୍କୁ ଦେଖ । ବାପା ମା' ସେମାନଙ୍କ ପାଖରେ ଥିବାରୁ କେତେ ନିର୍ଭୟରେ ସେମାନେ ଖେଳୁଛନ୍ତି । ଶିଶୁସୁଲ୍ଲଭ ଭଙ୍ଗୀରେ ହସି ହସି ଭାଇନା କହୁଥିଲେ । 

' ହଁ ଠିକ୍ କଥା । ଏବେ ସେମାନେ ନିର୍ଭୟ ଅଛନ୍ତି ବୋଲି ଖୁସି ଅଛନ୍ତି । ସେମାନେ କାହୁଁ ବୁଝିବେ ଯେ ସେମାନଙ୍କର ପିତା ସେମାନଙ୍କୁ ସଂସାରକୁ ଆଣି ବଡ ହେବା ପରେ ଦିନେ ସେମାନଙ୍କ ହାତ ଛାଡ଼ିଦେଇ ଅଦୃଷ୍ଟ ହାତରେ ଟେକିଦେବେ ବୋଲି ।' ମୁଁ ଆକ୍ଷେପ ଭରା ସ୍ଵରରେ କହିଲି ।

ଭାଇନା ମୋ ଆଡକୁ ଚାହିଁ ସ୍ମିତ ହସିଲେ । ବୋଧହୁଏ ମୋ କହିବାର ଉଦ୍ଦେଶ୍ୟ ବୁଝିପାରିଲେ । 

' ପ୍ରତ୍ୟେକ ପିତାର ଅନ୍ତର ପ୍ରାୟତଃ ସମାନ । ଶିକ୍ଷା ସଂସ୍କାର ଆଦିକୁ ନେଇ ପ୍ରକୃତି ଭିନ୍ନ ଭିନ୍ନ ହୋଇପାରେ । କିଏ ମାର୍ଜିତ ବା କିଏ ଅମାର୍ଜିତ ହୋଇପାରେ । କିନ୍ତୁ ସବୁ ପିତା ଚାହାନ୍ତି, ସେମାନଙ୍କର ସନ୍ତାନ ଜୀବନରେ ଉନ୍ନତି କରି ଭଲରେ ରହୁ । ସନ୍ତାନର ସୁଖଶାନ୍ତି ପୂର୍ଣ୍ଣ ଜୀବନଟିଏ ପ୍ରତ୍ୟେକ ପିତାର ମୃତ୍ୟୁକାଳୀନ ଶେଷ ଇଚ୍ଛା ହୋଇଥାଏ । ସେହିପରି ଭାବରେ ସନ୍ତାନଟିର ଅନିର୍ଦ୍ଦିଷ୍ଟ ବା ଅବନତି ପୂର୍ଣ୍ଣ ଜୀବନ, ପିତାକୁ ଏକ ଅବଶୋଶ ପୂର୍ଣ୍ଣ ମୃତ୍ୟୁ ପ୍ରଦାନ କରିଥାଏ । ଦୁଃଖର ବିଷୟ, ସନ୍ତାନଟି ନିଜେ ପିତା ନହେବା ପର୍ଯ୍ୟନ୍ତ ନିଜ ଜନ୍ମଦାତାର ଏ ମାନସିକତାକୁ ବୁଝିପାରିନଥାଏ । ବୁଝିଲା ବେଳକୁ ପାଖରେ ସମୟ ବା ସୁଯୋଗ ନଥାଏ । ସେତେବେଳେ ପିତାଟି ପାଖରେ ସବୁକିଛି ବିଧାତାକୁ ସମର୍ପି ଦେବା ବ୍ୟତୀତ ଆଉ ଚାରା ବା କଣ ଥାଇପାରେ ? ' କହିସାରି ଭାଇନା ଏକ ଅନିର୍ବଚନୀୟ ପ୍ରଶାନ୍ତିର ଦୃଷ୍ଟି ନେଇ ମୋତେ ଚାହିଁଲେ । ମୁଁ ତାଙ୍କ ପ୍ରଶାନ୍ତ ମୁଖ ମଣ୍ଡଳକୁ ସ୍ତବ୍ଧ ହୋଇ ଦେଖୁଥିଲି । 

     ଇତି ମଧ୍ୟରେ ସନ୍ଧ୍ୟା ଗଡିଯାଇ ରାତି ହୋଇ ସାରିଥିଲା । ଆକାଶରେ ତାରାମାନେ ମିଞ୍ଜି ମିଞ୍ଜି ହୋଇ ଜଳୁଥିଲେ । ନିକଟରେ ଥିବା କେଉଁ ଏକ ମନ୍ଦିରରୁ ଘଣ୍ଟ ଧ୍ଵନି ଶୁଭୁଥିଲା । ସେ ପିଲା ଦୁଇଟି ସେମାନଙ୍କ ପିତାମାତାଙ୍କ ସହ କେତେବେଳୁ ପ୍ରସ୍ଥାନ କଲେଣି । 

' ଆପଣଙ୍କ ସାନପୁଅର କିଛି ବ୍ୟବସ୍ଥା ହେଲା ?' ମୁଁ ପରିସ୍ଥିତିକୁ ଲାଘବ କରିବା ଉଦ୍ଦେଶ୍ୟରେ ପ୍ରଶ୍ନ କଲି

' ହଁ ହଁ ; କହିବାକୁ ଭୁଲି ଯାଇଥିଲି । କେହିଜଣେ ମହାତ୍ମା ଆସି ପୁଅକୁ ସାକ୍ଷାତ କରି ଗୋଟିଏ ସରକାରୀ ଚାକିରୀ ନିମନ୍ତେ ଆବେଦନ କରିବାକୁ କହିଲେ । ଆବେଦନ କରିବା ପରେ ଗତ କାଲି ପୋଷ୍ଟିଙ୍ଗ ଅର୍ଡର୍ ପାଇ ଆଜି ଚାକିରୀରେ ଯୋଗଦାନ କରିଛି । ଯାହାହେଉ ଆମରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାକିରୀ ଖଣ୍ଡକ ମିଳିଗଲା ।' କହିସାରି ଭାଇନା ଉପରକୁ ଚାହିଁ ଯୋଡହସ୍ତ ହେଲେ । 

' କାହାକୁ ନମସ୍କାର କରୁଛନ୍ତି ? ପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ?' ମୁଁ ଟିକିଏ ଥଟ୍ଟାଳିଆ ସ୍ୱରରେ ପଚାରିଲି ।

' ନାଁ ନାଁ, ମୁଁ ସେଇ ମହାତ୍ମାଙ୍କୁ ପ୍ରଣାମ କରୁଛି । ତେବେ ତୁମ କଥା ମଧ୍ୟ ସତ୍ୟ । ପ୍ରଭୁଙ୍କୁ ଛାଡ଼ିଦେଲେ ଏ ଲୀଳା ଆଉ କିଏ କରିବ ? ଦେଖୁନାହାନ୍ତି ! ଚିହ୍ନା ଜଣା କିଛି ନାହିଁ, ହଠାତ୍ ଜଣେ ବ୍ୟକ୍ତି ଆସି ମୋ ବନ୍ଧୁର ପରିଚୟ ଦେଇ ଏତେବଡ଼ ସାହାଯ୍ୟ କରିବା କଣ କମ୍ କଥା ! ହୁଏତ ପ୍ରଭୂ ହିଁ ସେ ରୂପରେ ଆସିଥିଲେ । ସବୁକିଛି ପ୍ରଭୂଙ୍କ ଉପରେ ନ୍ୟସ୍ତ କରିବା କଥାଟି ବୃଥା ଯାଇନି !' କହିସାରି ଭାଇନା ପୁନର୍ବାର ଯୋଡହସ୍ତ ହୋଇ ଆକାଶକୁ ଚାହିଁଲେ । ( କ୍ରମଶଃ )



Rate this content
Log in

Similar oriya story from Tragedy