Gangadhar Nanda

Abstract Tragedy Inspirational

3  

Gangadhar Nanda

Abstract Tragedy Inspirational

ପୈଶାଚିକ ମହାନତା -ଭାଗ ୩

ପୈଶାଚିକ ମହାନତା -ଭାଗ ୩

3 mins
155


       କଣ ବୁଝିବାର ଥିଲା ପଚାର । ପୂର୍ବଭଳି ମୁଖରେ ସ୍ମିତହାସ୍ୟ ଖେଳାଇ ଭାଇନା ପଚାରିଲେ ।

ପାପ କଣ ? ଆମ ଦ୍ଵାରା କରାଯାଉଥିବା କେଉଁ କେଉଁ କର୍ମଗୁଡ଼ିକ ପାପକର୍ମର ଅନ୍ତର୍ଭୁକ୍ତ ? ମୃତ୍ୟୁପରେ ସେସବୁ ପାପ କର୍ମର ଫଳ ସ୍ଵରୂପ ଦଣ୍ଡ ମିଳିବାର ସମ୍ଭାବନା କେତେ ? କେଉଁ କେଉଁ ପୂଣ୍ୟକର୍ମ ଦ୍ଵାରା ସେ ସବୁ ପାପ ଗୁଡିକର ପ୍ରାୟଶ୍ଚିତ ବିଧାନ ହୋଇପାରିବ ? ଏତେଗୁଡିଏ ତାତ୍ତ୍ଵିକ ପ୍ରଶ୍ନ ପଚାରି ସାରି ଗୋଟାଏ ଆତ୍ମତୃପ୍ତିର ହସ ହସିଲି । ଅବଶ୍ୟ ପ୍ରଶ୍ନ ଗୁଡ଼ିକ ମୋ ବୁଦ୍ଧିର ପରିସୀମା ମଧ୍ୟରେ ତାତ୍ତ୍ଵିକ ବୋଲି ଭାବୁଥିଲି । ଜଣେ ପ୍ରକୃତ ଜ୍ଞାନୀ ମହାପୁରୁଷଙ୍କ ପାଇଁ ପ୍ରଶ୍ନଗୁଡିକ ବାସ୍ତବିକ କେତେ ତତ୍ତ୍ଵପୂର୍ଣ୍ଣ ଅଟେ , ସେ ସଂପର୍କରେ ମୁଁ ନିଜେ ସନ୍ଦିହାନ ଥିଲି ।

ଏସବୁ ଜାଣିବାର ସମୟ ତୁମର ଏବେ ଆସିନାହିଁ । ପ୍ରାର୍ଥନା କର ; ପ୍ରଭୂଙ୍କର ଆଶୀର୍ବାଦ ଥିଲେ ଯଥା ସମୟରେ ତୁମ ପ୍ରଶ୍ନ ଗୁଡିକର ଉତ୍ତର ପାଇଯିବ । ଭାଇନା କିଛି ସମୟ ଭାବିବା ପରେ କହିଲେ ।

ବୁଢା ହେଇ ମରିବାକୁ ବସିଲିଣି । ଆଉ କେବେ ସେ ସମୟ ଆସିବ ? ଏବେ ଠାରୁ ଜାଣିଲେ ସିନା କିଛି ପୁଣ୍ୟ କାର୍ଯ୍ୟ କରିପାରନ୍ତି । ମୁଁ ସାମାନ୍ୟ କ୍ଷୋଭଭରା କଣ୍ଠରେ କହିଲି ।

ତୁମ ଦ୍ଵାରା ପୂର୍ବରୁ ସଂଘଟିତ ହୋଇଥିବା କାର୍ଯ୍ୟ ଯେ ପାପପୂର୍ଣ୍ଣ ଥିଲା , ଏକଥା କାହିଁକି ଭାବୁଛ ? ହୋଇପାରେ ସେ କାର୍ଯ୍ୟ ତୁମ ଦ୍ଵାରା ସାଧନ ହେଉଥିବା ବେଳେ ସେଥିପାଇଁ ହୁଏତ ଅନ୍ୟ କାହାର ଉଦ୍ଦେଶ୍ୟ ଥାଇପାରେ । କେବଳ ସେତିକି ନୁହେଁ ପୂର୍ବରୁ କରିଥିବା ପାପର ପ୍ରାୟଶ୍ଚିତ ପାଇଁ ଏବେ ଯେଉଁ ପୂଣ୍ୟକାର୍ଯ୍ୟ କରିବାକୁ ଚିନ୍ତା କରୁଛ , ହୁଏତ ତା ପଛରେ ଅନ୍ୟକାହାର ଉଦ୍ଦେଶ୍ୟ ଥାଇପାରେ । ନିର୍ବିକାର ଭାବରେ ଭାଇନା କହିଲେ । 

ଟିକିଏ ରୁହନ୍ତୁ ଆଜ୍ଞା, ମୁଁ ବୁଝିପାରିଲିନି । ଧରିନିଆଯାଉ ମୁଁ ଏବେ ଜଣେ ଅସହାୟ ବ୍ୟକ୍ତିଙ୍କୁ ଓ ସେ ବ୍ୟକ୍ତିଟିର ପରିବାରକୁ ସାହାଯ୍ୟ କରିବାକୁ ଯାଉଛି ; ସାହାଯ୍ୟ ତ ମୁଁ କରିବି ; ଏହା ପଛରେ ଥିବା ଉଦ୍ଦେଶ୍ୟ ଓ ସିଦ୍ଧାନ୍ତ ସମ୍ପୂର୍ଣ୍ଣ ଭାବରେ ମୋର । ଏଥିରେ ଆଉ କାହାର ଉଦ୍ଦେଶ୍ୟ କିଭଳି ରହିପାରେ ? ଏପର୍ଯ୍ୟନ୍ତ କାର୍ଯ୍ୟଟି ବିଷୟରେ କାହାକୁ ମଧ୍ୟ ଜଣା ନାହିଁ ! ଭାଇନାଙ୍କର ପ୍ରହେଳିକା ପୂର୍ଣ୍ଣ ଉତ୍ତର ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି । 

ସାହାଯ୍ୟଟି କରିସାରି ଅପେକ୍ଷା କର । ତାପରେ ବୁଝିପାରିବ । ପୂର୍ବଭଳି ସ୍ମିତହାସ୍ୟ ପୂର୍ଣ୍ଣ ନିର୍ବିକାର ଉତ୍ତର । 

ତାହେଲେ ଜଣକୁ ବିନାସ୍ୱାର୍ଥରେ ସାହାଯ୍ୟ କଲେ ମଧ୍ଯ ପୁଣ୍ୟ ହେବାର ଆଶା ନାହିଁ !

ଅଛି ; କିନ୍ତୁ ସେଥିପାଇଁ ସର୍ତ୍ତ ଅଛି ।

କି ସର୍ତ୍ତ ?

ସାହାଯ୍ୟ କରିସାରି ସେ ସଂପର୍କିତ ବିଷୟଟିକୁ ସଂପୂର୍ଣ୍ଣ ଭାବେ ଭୂଲି ଯିବାକୁ ହେବ । ତାଙ୍କ ସ୍ଵରରେ ସାମାନ୍ୟ ଦୃଢତା ଥିଲା ।

ଏକଥା କଣ ସଂଭବ ? ସ୍ମରଣ ଶକ୍ତି ରହିଛି ଅର୍ଥ ଅନେକ କଥା ମନେ ରହିବ ; ତେବେ ଏ ବିଶେଷ କଥାଟି କିଭଳି ଭୂଲି ହେବ ? ମୁଁ କୌତୁହଳରେ ପଚାରିଲି ।

ଲୋକମାନେ ସାଧାରଣତଃ ନିଜପାଇଁ ଅନ୍ୟମାନେ କରିଥିବା ଉପକାରକୁ ଭୂଲିଯାନ୍ତି । ଯଦି ଭୁଲିଯିବାଟା ସମ୍ଭବ , ତାହେଲେ ଅନ୍ୟର ଉପକାର ଭୂଲନି ; ବରଂ ନିଜେ ଅନ୍ୟମାନଙ୍କ ପାଇଁ କରିଥିବା ଉପକାରକୁ ଭୁଲିଯାଅ । ମହାତ୍ମା ଏବଂ ପୁଣ୍ୟାତ୍ମାମାନେ ଏହା ହିଁ କରିଥାନ୍ତି । ଏଥିରେ ହିଁ ପୁଣ୍ୟଲାଭ ହୁଏ ।

ଦାନ ଧର୍ମ ଦ୍ଵାରା ପୁଣ୍ୟ ହୁଏନାହିଁ ?

ହୁଏ ; କିନ୍ତୁ ପୂଣ୍ୟ ବଦଳରେ ପାପ ମଧ୍ୟ ହୋଇପାରେ । ଜଣେ ଭିକାରୀକୁ ଟଙ୍କାଟେ ଦାନ ଦେଲେ ସେ ଆଉ କିଛି ଟଙ୍କା ପାଇବା ପାଇଁ ଅନେକ ଲୋକଙ୍କୁ ଭିକ୍ଷା ମାଗିବ । ଏହାଦ୍ଵାରା ଆମେ ତାର ଭିକ୍ଷାବୃତ୍ତିକୁ ଅନୁପ୍ରାଣିତ କଲେ । ଏଠାରେ ପୁଣ୍ୟର ପ୍ରଶ୍ନ ଆସୁନି । ଦାନ ଦେବାର ବିଧି ଅଛି । ତୁମେ ପ୍ରାଚୀନ ଭାରତୀୟ ଦର୍ଶନଶାସ୍ତ୍ର ପଢ଼ । ସେଥିରୁ ଅନେକ ପ୍ରଶ୍ନର ଉତ୍ତର ପାଇପାରିବ । 

ଭାଇନାଙ୍କର ଉତ୍ତରର ପ୍ରତିକ୍ରିୟାରେ ମୁଁ ଆଉ ଆଗକୁ କଥା ନବଢାଇ ନୀରବ ରହିଲି । ମନେ ମନେ ଭାବୁଥିଲି, ଠିକ୍ ଅଛି ; କାମଟି ଆଗ ହୋଇସାରୁ । ପରେ ଏ ବିଷୟରେ ଆଲୋଚ଼ନା କଲେ ଚଳିବ ।

         ସେଦିନ ସେତିକିରେ କଥା ବନ୍ଦ କରି ଘରକୁ ଫେରିଲି । ଆସନ୍ତାକାଲି ଭାଇନାଙ୍କ ଅନୁପସ୍ଥିତିରେ ତାଙ୍କ ଘରକୁ ଯାଇ ସାନପୁଅ ସାଙ୍ଗରେ କଥାହେବା ପାଇଁ ସିଦ୍ଧାନ୍ତ କଲି । ପରଦିନ ପାର୍କ ଯିବାପାଇଁ ବାହାରି ସିଧା ପହଞ୍ଚିଲି ଭାଇନା ରହୁଥିବା ଗଳିରେ । ଗଳିଟି ପାର୍କର ବହୁତ ନିକଟରେ ଥିଲା । ଜଣେ ଦୁଇଜଣଙ୍କୁ ପଚାରିବା ପରେ ଘରଟି ମିଳିଗଲା । ଦାଣ୍ଡଦୁଆରେ କଲିଂ ବେଲ ଅନ୍ କଲାପରେ ଜଣେ ଯୁବକ ଦ୍ଵାର ଖୋଲିଲେ । 

ଆପଣ ଜଗନ୍ନାଥ ବାବୁଙ୍କ ସାନ ପୁଅ ? 

ଯୁବକ ଜଣକ ମୁଣ୍ଡ ହଲାଇ ସମ୍ମତି ଜଣାଇଲେ । 

କ୍ଷମା କରିବେ, ମୁଁ ଆପଣଙ୍କୁ ଜାଣିପାରୁନି । ଯୁବକ ପ୍ରଶ୍ନିଳ ଆଖିରେ ମୋତେ ଚାହିଁଥିଲେ ।

ମୁଁ ଜଗନ୍ନାଥ ବାବୁଙ୍କର ସାଙ୍ଗ । ତୁମ ସଙ୍ଗେ ଜରୁରୀ କଥା ଥିଲା ।

ଆସନ୍ତୁ ! କହିସାରି ମୋତେ ଭିତରକୁ ଡାକିଲେ । ଦାଣ୍ଡଘରେ ପଡ଼ିଥିବା ଗୋଟିଏ ଚୌକିରେ ବସିଲି । ଘରର ପରିସ୍ଥିତି ଦେଖି ଯେ କେହି ମଧ୍ଯ ସେମାନଙ୍କର ଅଭାବ ବିଷୟରେ ସବୁକିଛି ବୁଝିପାରିବ । ଘରର ଦକ୍ଷିଣ ପଟ କାନ୍ଥରେ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଫଟୋ ଝୁଲୁଛି । ଏଠାରେ ପ୍ରଭୂ ସବୁ ଦେଖିକରି ମଧ୍ଯ ନଦେଖିଲା ଭଳି ହସୁଛନ୍ତି । 

ଶୁଣନ୍ତୁ ! ମୋର ଆପଣଙ୍କ ସାଙ୍ଗରେ ଦେଖା ସାକ୍ଷାତ ସମ୍ପୂର୍ଣ୍ଣ ଗୁପ୍ତ ରହିବ । ଆପଣ ଏବେ ବେକାର ଅଛନ୍ତି ମୁଁ ଜାଣେ । ନିରବତା ଭଙ୍ଗ କରି କହିଲି । ( କ୍ରମଶଃ )



Rate this content
Log in

Similar oriya story from Abstract