STORYMIRROR

Gangadhar Nanda

Abstract Tragedy Inspirational

3  

Gangadhar Nanda

Abstract Tragedy Inspirational

ପୈଶାଚିକ ମହାନତା ( ଭାଗ ୬)

ପୈଶାଚିକ ମହାନତା ( ଭାଗ ୬)

3 mins
149

    ଭାଇନାଙ୍କର ଅଜବ ଯୁକ୍ତି ଶୁଣି ମନରେ କ୍ରୋଧ ଆସୁଥିଲେ ବି ହସ ଲାଗିଲା । ସାହାଯ୍ୟ କରିଥିବା ବ୍ୟକ୍ତିଟି ସ୍ଵୟଂ ମୁଁ ନିଜେ ଥିଲି । ମୋତେ କିନ୍ତୁ ଭାଇନା ଜଣେ ମହାତ୍ମା ବା ଜଗନ୍ନାଥଙ୍କ ଅବତାର ବୋଲି ଭାବି ସାରିଲେଣି । ତେବେ ତାଙ୍କର ଏ ପ୍ରକାରର ସରଳତା ପୂର୍ଣ୍ଣ ବିଶ୍ୱାସ ଉପରେ ଦୟା ବି ଆସୁଥିଲା ।

' ଭାଇନା ! ସେ ବ୍ୟକ୍ତିଟି ଜଣେ ମନୁଷ୍ୟ । ଆପଣ ତାକୁ କେଉଁ ଯୁକ୍ତିରେ ଦେବତା ଜ୍ଞାନ କରୁଛନ୍ତି ?' 

' ଏ ପ୍ରକାରର ସାହାଯ୍ୟ କରିଥିବା ଲୋକଟିର ମନ ଭିତରେ ଦୈବୀଗୁଣର ପ୍ରଭାବ ନିଶ୍ଚିତ ଭାବରେ ଅଛି , ଏକଥା ତୁମେ ମାନିବ ନିଶ୍ଚୟ ।' ହଁ, ମାନୁଛି । ତାପରେ ? ମୁଁ ସ୍ବୀକାର କଲି ।

ଦେବତା ନଥାଇ ଦୈବୀଗୁଣ ଆସିବ କେଉଁଠୁ ? ତୁମରି ଯୁକ୍ତି ତତ୍ତ୍ଵ ଉପରେ କହୁଛି । ହା ହା ହା ।' ଭାଇନାଙ୍କର ଅଟ୍ଟହାସ୍ୟରେ ମୁଁ କିଛି କ୍ଷଣ ସ୍ତବ୍ଧ ହୋଇ ବସିରହିଲି । କିଛି ସମୟ ନୀରବରେ ବିତିଗଲା । ଗୋଟିଏ ଦୀର୍ଘନିଃଶ୍ୱାସ ମାରିସାରି ଜଣେ ଦାର୍ଶନିକ ଭଳି ଭାଇନା କହିବାକୁ ଆରମ୍ଭକଲେ , 'ସଂସାରର ପ୍ରତ୍ୟେକ ପ୍ରାଣୀ ନିଜର ବଂଶବୃଦ୍ଧି , ଖାଦ୍ୟ ସଂଗ୍ରହ ଓ ନିରାପଦରେ ଜୀବନ ଅତିବାହିତ କରିବା ଲାଗି ଯଥା ସମ୍ଭବ ବୁଦ୍ଧି ଓ ଅନୁଭୂତି ଇତ୍ୟାଦି କାମରେ ଲଗାଇଥାଆନ୍ତି । ସ୍ୱାଭାବିକ ଭାବରେ ମନୁଷ୍ୟ ଏହାହିଁ କରିଥାଏ । କେବଳ ବିବେକ ଓ ଅତିନ୍ଦ୍ରୀୟ ଚେତନାର ଅଧିକାରୀ ହେବାପାଇଁ ଆବଶ୍ୟକ ହେଉଥିବା ଏକ ଶକ୍ତିଶାଳୀ ଚେତନା , ଏ ଦୁଇଟି ବିଶେଷ ଗୁଣକୁ ଛାଡ଼ିଦେଲେ ମନୁଷ୍ୟ ଓ ପଶୁ ମଧ୍ଯରେ କୌଣସି ପାର୍ଥକ୍ୟ ନାହିଁ । ଅଧିକାଂଶ ମନୁଷ୍ୟର ଚେତନାକୁ ସର୍ବଦା ଆବୋରି ବସିଥାଏ ଆସୁରିକ ଓ ପାଶବିକ ପ୍ରକୃତି ସମୂହ । ସେମାନଙ୍କ କବଳରୁ ସେ ମୃତ୍ୟୁ ପର୍ଯ୍ୟନ୍ତ ମୁକୁଳି ପାରେନାହିଁ । ସେମାନଙ୍କ ପ୍ରଭାବରେ ବିବେକ ସୁପ୍ତ ଥାଏ । ତେବେ ବେଳେ ବେଳେ କୌଣସି ଏକ ବିଶେଷ ମୁହୂର୍ତ୍ତରେ ଖୁବ୍ କମ ସମୟ ପାଇଁ ବିବେକ ଜାଗ୍ରତ ହୋଇଉଠି ପୁନର୍ବାର ପୂର୍ବ ଅବସ୍ଥାକୁ ଫେରିଯାଏ ।' ଆମ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ସହିତ ଏ କଥାର କିଛି ସଂପର୍କ ଅଛି କି ?' ମୁଁ ପ୍ରଶ୍ନ କଲି । ଅଛି ନିଗୂଢ଼ ସଂପର୍କ ଅଛି । ପ୍ରସଙ୍ଗ ଥିଲା , ପିଲାଙ୍କ ଭବିଷ୍ୟତ ଓ ପିତାର କର୍ତ୍ତବ୍ୟ ସମ୍ପର୍କରେ । ମୁଁ ମୋ ପିଲାଙ୍କ ବିଷୟରେ ଚିନ୍ତା କରୁନାହିଁ ବୋଲି ତୁମ ମତ । ମୁଁ ମୋ ସାଧ୍ୟ ମତେ କରିଛି । ସେଥିପାଇଁ ଖୁସି ଅଛି । ସେମାନେ ତାଙ୍କ ଜୀବନରେ କେତେ ସଫଳ ହେଲେ ନହେଲେ , ସେ ବିଷୟଟି ମୋର ଚିନ୍ତାର ବିଷୟ ନୁହେଁ । ପିତାମାତା ଗୋଟିଏ ସନ୍ତାନର ଶରୀରର ସୃଷ୍ଟି ପାଇଁ ଦାୟୀ । କିନ୍ତୁ ଯେଉଁ ଆତ୍ମାଟି ସେ ଶରୀରକୁ ଆଶ୍ରୟ କରିବ , ସେ ଆତ୍ମାଟି ପିତାମାତାଙ୍କର ଅଧିନସ୍ଥ ନୁହେଁ । ତା ହୋଇଥିଲେ କେବେ ବି କାହାରି ସନ୍ତାନ ମାତୃ ଗର୍ଭରୁ ନିର୍ଜୀବ ହୋଇ ଜନ୍ମ ହୁଅନ୍ତେ ନାହିଁ । ଅକାଳରେ କେହି ନିଜର ପିତାମାତାଙ୍କ ଆଖି ଆଗରେ ମୃତ୍ୟୁବରଣ କରନ୍ତେ ନାହିଁ । ଯେଉଁ ଆତ୍ମାଟି ଆମ ସନ୍ତାନର ଶରୀରକୁ ଆଧାର କରିଛି , ସେ ତାର ଜନ୍ମ ଜନ୍ମାନ୍ତରର କର୍ମର ଫଳକୁ ସାଙ୍ଗରେ ନେଇକରି ଆସିଛି । ସେଇ ଫଳଗୁଡ଼ିକୁ ଆମେ ପ୍ରାରବ୍ଧ ନାମରେ ଜାଣୁ । ତେଣୁ ସନ୍ତାନଟିର ଭବିଷ୍ୟତ କଣ ହେବ , ତାହା ଆମଦ୍ୱାରା ଧାର୍ଯ୍ୟ ନୁହେଁ । ତେବେ ଏଠାରେ ଏକ କ୍ଷୀଣ ଆଶା ଅଛି । ପିତାମାତା ଯଦି ମୁଁ ପୂର୍ବରୁ କହିଥିବା ବିଷୟକୁ ଜାଣିଥିବେ , ତେବେ ସେମାନେ ବିବେକ ପ୍ରଦର୍ଶିତ ମାର୍ଗରେ ଯାଇ ଏକ ଉଚ୍ଚସ୍ତର ଚେତନାଯୁକ୍ତ ଆତ୍ମାକୁ ନିଜଆଡକୁ ଆକର୍ଷିତ କରିପାରିବେ । ଏଥିପାଇଁ ପ୍ରାୟତଃ ଦେଖାଯାଏ , ପ୍ରାୟ ପ୍ରତ୍ୟେକ ମହାପୁରୁଷଙ୍କର ପିତାମାତା ଅଥବା ଏମାନଙ୍କ ମଧ୍ୟରୁ ଜଣେ କେହି ନିଶ୍ଚିନ୍ତ ଭାବରେ ଧାର୍ମିକ ହୋଇଥିବେ । ଅଧିକାଂଶ କ୍ଷେତ୍ରରେ ମାତା ହିଁ ଅଧିକ ବିବେକୀ ଓ ଆଧ୍ୟାତ୍ମ୍ୟବାଦୀ ହୋଇଥାନ୍ତି । କାରଣ ସନ୍ତାନ ସହିତ ମା'ର ସଂପର୍କ ଅଧିକ ଗଭୀର ।' ଏତେଗୁଡିଏ କଥା କହିସାରି ଭାଇନା ଟିକିଏ ବିଶ୍ରାମ ନେଲେ । ମୁଁ ମଧ୍ୟ ତାଙ୍କ କଥାର ମର୍ମାର୍ଥକୁ କିଛିମାତ୍ରାରେ ବୁଝିପାରୁଥିଲି । ସେଥିପାଇଁ ଆମର ପୁରାଣ ଶାସ୍ତ୍ରରେ ଉପଯୁକ୍ତ ବର ଓ କନ୍ୟାର ଲକ୍ଷଣ ଉଲ୍ଲେଖ ରହିଛି । ଏବେ ତ ଶିକ୍ଷାଗତ ଯୋଗ୍ୟତା ବଢୁଛି । କିନ୍ତୁ ସେଇ ଅନୁପାତରେ ସଂସ୍କାର ବଢ଼ୁନାହିଁ । ଆଜି ପାଇଁ ବହୁତ ହୋଇଗଲା । ଏବେ ଘରକୁ ଯିବା ।' କହିସାରି ଭାଇନା ଯିବା ପାଇଁ ଉଠିଲେ । ( କ୍ରମଶଃ )


Rate this content
Log in

Similar oriya story from Abstract