Gangadhar Nanda

Abstract Tragedy Inspirational

3  

Gangadhar Nanda

Abstract Tragedy Inspirational

ପୈଶାଚିକ ମହାନତା (ଭାଗ୮)

ପୈଶାଚିକ ମହାନତା (ଭାଗ୮)

2 mins
222


         ' ନମସ୍କାର ଭାଇନା !'

' ନମସ୍କାର ! ଏଇଠି ବସ ।' ଟିକିଏ ଘୁଂଚିଯାଇ ଭାଇନା ବସିଲେ । ଦୁଇଝିଅଙ୍କର ବିବାହ ଠିକ ହେବା ପରେ ଏହା ମୋର ତାଙ୍କ ସହିତ ପ୍ରଥମ ସାକ୍ଷାତ ଥିଲା । 

' ଆଉ ଖବର କଣ ? ଝିଅ ବାହାଘର କଥା ଆଉ କିଛି ଆଗେଇଲା ? ମୁଁ କିଛି ନଜାଣିବା ଭଳି ପ୍ରଶ୍ନ କଲି । 

' ହଁ ; ପ୍ରସ୍ତାବ କିଛି ଆସିଛି । ତେବେ ବାହାଘର ଖର୍ଚ୍ଚ କେମିତି ହେବ ? ପଇସାପତ୍ର ଘରେ କାହାରି ପାଖରେ ନାହିଁ । ବଡ ପୁଅ ବ୍ୟାଙ୍କରେ ଋଣ ଆବେଦନ କରିଛି ।' 

' ସବୁ ତ ପ୍ରଭୁଙ୍କ ଉପରେ ଛାଡ଼ିଦେଇଛନ୍ତି । ଏତକ ବି ଛାଡ଼ନ୍ତୁ ।' ମୁଁ ମଜାଳିଆ ସ୍ଵରରେ କହିଲି ।

' ମୁଁ କେବେଠାରୁ ଛାଡ଼ି ଦେଇଛି । ଖାଲି ତୁମ ମନ ବୁଝିବା ପାଇଁ କହୁଥିଲି ।' ଭାଇନା ମୃଦୁ ହସି କହିଲେ । 

' ବୁଝି ପାରିଲିନି ଆଜ୍ଞା ।' ମୁଁ ସାମାନ୍ୟ ଆଶ୍ଚର୍ଯ୍ୟ ହୋଇ ପଚାରିଲି ।

' ମୁଁ ପିଲାଙ୍କ ପାଇଁ ଚିନ୍ତା କରୁନି ବୋଲି ତୁମର ଧାରଣା । ତେଣୁ ତୁମ ଉଦବିଗ୍ନତାକୁ କମାଇବା ପାଇଁ ମୁଁ ମୋ ଚିନ୍ତା ବିଷୟରେ ତୁମକୁ ଜଣାଉଥିଲି ।' ପୂର୍ବଭଳି ସ୍ମିତ ହସି ଭାଇନା କହିଲେ ।

' ------- ।' ମୁଁ ନିର୍ବାକ ହୋଇ ତାଙ୍କ ମୁହଁକୁ ଚାହିଁଥିଲି । କି ଅଜବ ଲୋକ ! ମଝିରେ ମଝିରେ ଏମିତି ପଦେଅଧେ କହିଦେବେ ଯେ ମନ ଖରାପ ହୋଇଯିବ । ବିବାହ କାର୍ଯ୍ଯ ସେଇ ମୁହୂର୍ତ୍ତରେ ବନ୍ଦ କରି ଦେବାପାଇଁ ଇଚ୍ଛା ହେଉଥିଲା ; କିନ୍ତୁ କଥା ଅଧିକ ଆଗେଇ ଯାଇଥିବାରୁ ସେପରି କରିବା ଆଉ ସମ୍ଭବ ନଥିଲା । 

' ସେ ଅଜଣା ମହତ୍ମାଙ୍କ ଖବର କିଛି ମିଳିଲା ?' ମୁଁ ମୋ ନିଜ ସମ୍ପର୍କରେ ଭାଇନାଙ୍କ ଧାରଣା ବିଷୟରେ ଜାଣିବାକୁ ଚାହୁଁଥିଲି ।

' ନା , କିଛି ମିଳିନି ।'

' ସେ ମହାତ୍ମା ଜଣକ କିଏ ବୋଲି ଆପଣ ଅନୁମାନ କରୁଛନ୍ତି ? ସ୍ଵୟଂ ଜଗନ୍ନାଥ ଅବା ଆଉ କେହି ?' ମୁଁ ମଜାରେ ପଚାରିଲି ।

' ସେ ଦେବତା ହୁଅନ୍ତୁ କି ପିଶାଚ , ମୋ ପାଇଁ କିନ୍ତୁ ମହାନ ।' କହିସାରି ଭାଇନା ହାତ ଯୋଡିଲେ ।

' ପିଶାଚ ଆପଣଙ୍କ ପାଇଁ ଏ ମହାନତା କାହିଁକି ଦେଖାଇବ ?'

' ପିଶାଚ ପ୍ରବୃତ୍ତି ମଧ୍ୟରୁ ବେଳେ ବେଳେ ମହାନତା ଜାଗ୍ରତ ହେବାର ଅନେକ ଦୃଷ୍ଟାନ୍ତ ରହିଛି । ଏ ବିଷୟରେ ପୂର୍ବରୁ ଆଲୋଚନା ହୋଇସାରିଛି । ତେବେ ସେଥିପାଇଁ ପ୍ରଭୁଙ୍କ କରୁଣା ଦାୟୀ । ଭକ୍ତି ଓ ବିଶ୍ବାସ ଥିଲେ ସବୁ ସମ୍ଭବ ; ଜୟ ଜଗନ୍ନାଥ !' ଭାଇନା ଉର୍ଦ୍ଧ୍ବମୁଖା ହୋଇ ପୁନଶ୍ଚ ଯୋଡହସ୍ତ ହେଲେ ।

          ମୋ ଅନ୍ତରଟା ଦୁଃଖରେ ଭରିଗଲା । ଶେଷରେ ପିଶାଚ ଆଖ୍ୟା ପାଇଲି ! ' ଅବଶ୍ୟ ମୁଁ କୋଉ ଦେବତ୍ଵ ମନୋଭାବରେ ସାହାଯ୍ୟ କରୁଥିଲି କି ?' ଉକ୍ତିଟା ଆଂଶିକ ସତ୍ୟ । ମାନବୀୟ ପ୍ରକୃତିରେ ମୁଁ ବନ୍ଦୀ । ଅତଏବ ସାହାଯ୍ୟ କରିଛି ଅର୍ଥ ଲୋକମାନେ ମୋତେ ଦେବତା ଭାବନ୍ତୁ , ଏହାହିଁ ମୋ ଭଳି ଅଧିକାଂଶ ମନୁଷ୍ୟ ଚାହାଁନ୍ତି । ବାସ୍ତବରେ ପ୍ରକୃତି ପିଶାଚର ହୋଇଥାଉ କି ପଶୁର , ସେଥିରେ କିଛି ପାର୍ଥକ୍ୟ ଆସେନି । 

' ଉଠନ୍ତୁ ଘରକୁ ଯିବା !' ଉଦାସ ସ୍ୱରରେ କହିଲି ।

          ପରଦିନ ମଧ୍ୟସ୍ଥିଙ୍କ ସହିତ ସାକ୍ଷାତ ହେଲା । 

' ନିର୍ବନ୍ଧ ଦିନ ଠିକ୍ ହୋଇଗଲା ଆଜ୍ଞା ।' ନମସ୍କାର ଆଦାନ ପ୍ରଦାନ ପରେ ଭଦ୍ରଲୋକ କହିଲେ ।

' ଭଲ କଥା । ଯୌତୁକ କଥା କଣ ଉଠିଛି ?' ମୁଁ ପଚାରିଲି ।

' ନାଇଁ ଆଜ୍ଞା ; ମୁଁ ଜିଲ୍ଲାପାଳଙ୍କ ସିରସ୍ତାରେ ଚାକିରୀ କରିଛି ବୋଲି ସେମାନେ ଜାଣିଛନ୍ତି । ତେଣୁ ସିଧସଳଖ ମୁହଁ ଖୋଲି କିଛି କହିପାରିବେ ନାହି । ତେବେ ଆମ ତରଫରୁ କିଛି ଦେଇଦେଲେ ଭଲ ହେବ । ଗୋଟିଏ ମୋଟର ସାଇକଲ , ପୁଅକୁ ସୁନାଚେନ୍ ଗୋଟିଏ ଓ ବାଟ ଖର୍ଚ୍ଚ କିଛି ଦେଇଦେଲେ କାମ ସରିବ । ନିର୍ବନ୍ଧକୁ ମୁଦି ଗୋଟିଏ ହେଲେ ଚଳିବ । ଉଭୟଙ୍କ ପାଇଁ ସମାନ ବ୍ୟବସ୍ଥା କରିବା ।' ( କ୍ରମଶଃ )

          


Rate this content
Log in

Similar oriya story from Abstract