Gangadhar Nanda

Tragedy Inspirational

4  

Gangadhar Nanda

Tragedy Inspirational

ପୈଶାଚିକ ମହାନତା ( ଭାଗ୧ )

ପୈଶାଚିକ ମହାନତା ( ଭାଗ୧ )

4 mins
270



          ସବୁଦିନ ଭଳିି ଆଜି ମଧ୍ୟ ଆପରାହ୍ନ ପାଞ୍ଚଟାରୁ ଆସି ଏକୁଟିଆ ପାର୍କରେ ବସିଛି । ଗହଳି ବିଶେଷ ନାହିଁ । ପାର୍କଟି ବିଶେଷ ବଡ ନୁହେଁ । ତେଣୁ ଯେଉଁଠି ବସିଲେ ମଧ୍ୟ ସବୁସ୍ଥାନ ଦେଖିହେବ । ମୁଁ ଏଠାରେ ନୂଆ ହୋଇଥିବାରୁ ଅନ୍ୟ କାହା ସାଙ୍ଗରେ ପରିଚୟ ହୋଇପାରିନାହିଁ । ବର୍ତ୍ତମାନ ଯୁଗ ଯାହା ହେଲାଣି , କାହା ସାଙ୍ଗରେ ନୂଆ ପରିଚୟ ଯୋଡିବାକୁ ମଧ୍ୟ ଭୟ ଲାଗୁଛି । କାହାର କେଉଁ ଉଦ୍ଦେଶ୍ୟ ଥିବ କିଏ ଜାଣେ ! ପ୍ରାୟ ଦେଢମାସ ତଳେ ମୋ ପରିବାର ସହିତ ମୋର ଏଠାକୁ ଆଗମନ ଘଟିଥିଲା । ବଡପୁଅ ଦେବବ୍ରତର ଜିଲ୍ଲାପାଳ ଭାବରେ ପଦୋନ୍ନତି ହେବାପରେ ତାର ଏ ସହରକୁ ସ୍ଥାନାନ୍ତର ହୋଇଥିଲା । ସହରଟି ପଶ୍ଚିମ ଓଡ଼ିଶାର ଏକ ଉପାନ୍ତ ଜିଲ୍ଲା । ଅତଏବ ଆମେ ପତି ପତ୍ନୀ , ପୁଅ ବୋହୁ ଓ ଦୁଇବର୍ଷର ନାତି ସହିତ ସମସ୍ତେ ଏଠାରେ ବାସ କରୁଥିଲୁ । ସାନପୁଅ ପ୍ରମୋଦ ରାଜଧାନୀ ଭୂବନେଶ୍ଵରରେ ଏକ ଘରୋଇ ଚାକିରୀ କରିବା ସହିତ ସସ୍ତ୍ରୀକ ସେଠାରେ ରହୁଥିଲା । ମୁଁ ଗତ ଚାରିମାସ ତଳେ ଶିକ୍ଷକତାରୁ ଅବସର ଗ୍ରହଣ କରିସାରିଥିଲି । ମୋଟାମୋଟି ଭାବରେ ଚଳିବା ପାଇଁ କୌଣସି ସମସ୍ୟା ନଥିଲା । 

      କିନ୍ତୁ ସମସ୍ୟାଟି ଥିଲା ମୋ ନିଜ ଭିତରେ । ମୁଁ ଥିଲି ଅତ୍ୟନ୍ତ ଚିଡ୍‌ଚିଡା ତଥା ଗପୁଡି ପ୍ରକୃତିର ବ୍ୟକ୍ତି । ଏଥିପାଇଁ ବେଳେ ବେଳେ ଘରେ ସାମାନ୍ୟ ମନୋମାଳିନ୍ୟ ମଧ୍ୟ ହୁଏ । ମନ ଖରାପ ଲାଗିଲେ ଏକୁଟିଆ ଆସି ପାର୍କରେ ବସେ । ଏଠାରେ କେହି ଜଣେ ମିଳିଗଲେ ଗପସପ କରିବା ପାଇଁ ସୁବିଧା ହୁଅନ୍ତା । ଘରେ କିନ୍ତୁ ଏଥିପାଇଁ ମୋ ଉପରେ କଟକଣା । କାହାକୁ ପରିଚୟ ଦେବାକୁ ମନା । କାରଣ ଲୋକ ପରିଚୟ ଜାଣିଲେ , ଗୁଡ଼ାଏ ଆପତ୍ତି ଅଭିଯୋଗ ଧରି ଆସି ପହଞ୍ଚିଯିବେ । ତେବେ ବିନା ପରିଚୟରେ କଣ କଥାବାର୍ତ୍ତା କରିହେବନି ? 

          ମୁଁ ଅନିସନ୍ଧିତ୍ସୁ ଆଖିରେ ଏଣେତେଣେ ଚାହୁଁଥାଏ । ହଠାତ ମୋର ଦୃଷ୍ଟି ନିବଦ୍ଧ ହେଲା ପାର୍କର ପ୍ରସ୍ଥାନ ଦ୍ଵାର ନିକଟସ୍ଥ ଏକ ସିମେଣ୍ଟ ବେଞ୍ଚରେ ବସିଥିବା ଜଣେ ବ୍ୟକ୍ତି ଉପରେ । ଉଠିପଡ଼ି ତାଙ୍କ ନିକଟକୁ ଚାଲିଲି ।

' ଆଜ୍ଞା ନମସ୍କାର ।'

' ନମସ୍କାର ।' ବ୍ୟକ୍ତି ଜଣକ ପ୍ରତିନମସ୍କାର ଜଣାଇଲେ । ପରିଚୟ ଆଦାନ ପ୍ରଦାନରେ ବିଶେଷ ବିଳମ୍ଵ ହେଲାନାହିଁ । ନାମ - ଜଗନ୍ନାଥ ମିଶ୍ର , ପୁରୀ ନିକଟସ୍ଥ କୌଣସି ଏକ ଗ୍ରାମରେ ତାଙ୍କ ଘର । ପେଷାରେ ଥିଲେ ପୋଷ୍ଟମାଷ୍ଟର । ଆଜୀବନ ପ୍ରଭୂ ଶ୍ରୀଜଗନ୍ନାଥଙ୍କର ଭକ୍ତ । ପ୍ରାୟ ଆଠମାସ ପୂର୍ବରୁ ଅବସର ଗ୍ରହଣ କରି ସପରିବାରେ ଏଠାରେ ରହୁଛନ୍ତି । ପରିବାର ବୋଇଲେ ଦୁଇ ପୁଅ ଓ ଦୁଇଟି ଝିଅ । ବଡପୁଅ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଛି । ସାନପୁଅ ବି.ଏ. ପାଶ୍ କରି ଚାକିରୀ ନପାଇ ବେକାର ହୋଇ ବୁଲୁଛି । ଦୁଇଝିଅ ବିବାହଯୋଗ୍ୟା ହୋଇମଧ୍ୟ ଯୌତୁକ ଓ ଅନ୍ୟାନ୍ୟ ଖର୍ଚ୍ଚପାଇଁ ଆବଶ୍ୟକୀୟ ଅର୍ଥ ଅଭାବରେ ଘରେ ଅଛନ୍ତି । ବଡପୁଅର ଗତବର୍ଷ ବିବାହ ସରିଯାଇଛି । ଏ ଥିଲା ମୋଟାମୋଟି ଭାବରେ ତାଙ୍କର ପରିଚୟ ଓ ବର୍ତ୍ତମାନର ପରିସ୍ଥିତି । କେବଳ ବଡପୁଅର ଚାକିରୀକୁ ଲୁଚାଇ ବାକି ସବୁ ମୁଁ ମୋ ବିଷୟରେ ସତ କହିଥିଲି ।

        ଅଳ୍ପ କିଛି ସମୟପରେ ଅନ୍ତରଙ୍ଗତା ଆସିଯାଇଥିଲା । ସେ ଥିଲେ ବ୍ରାହ୍ମଣ ଓ ମୋ'ଠାରୁ ବୟସରେ ସାମାନ୍ୟ ବଡ । ଅତଏବ ମୁଁ ଖଣ୍ଡାୟତ ହୋଇଥିବାରୁ ତାଙ୍କୁ ଭାଇନା ଡାକିବା ଆରମ୍ଭ କରିଦେଇଥିଲି ଓ ସେ ମୋତେ ଆପଣରୁ ତୁମେ ସମ୍ବୋଧନ କରୁଥିଲେ । ଏଣିକି ପ୍ରତିଦିନ ପାର୍କକୁ ଆସି ଗପିବା , ଚା' ପିଇବା , ଟିଫିନ କରିବା ଇତ୍ୟାଦି ଧାରାବାହିକ ଭାବେ ଚାଲିଲା । ତାଙ୍କର ସରଳତା , ନିସ୍କପଟତା ଓ ସର୍ବୋପରି ମୁହଁରେ ସର୍ବଦା ଶିଶୁସୁଲଭ ହସଟିଏ ଲାଗି ରହିଥିବା ଭଳି କିଛି ବିଶେଷ ଗୁଣ , ମୋତେ ତାଙ୍କ ଆଡକୁ ଆକର୍ଷିତ କରିବା ସ‌ହ ତାଙ୍କ ସହିତ କଟାଉଥିବା ପ୍ରତ୍ୟେକଟି ମୁହୂର୍ତ୍ତ ମୋତେ ଢେର ଆନନ୍ଦ ପ୍ରଦାନ କରୁଥିଲା । 

' ଆଛା ଭାଇନା ! ଆପଣଙ୍କର ଏ ସଦାହର୍ଷିତ ରହିବାର କଳା କୌଶଳ ଟିକକ ମୋତେ ଶିଖାଇ ଦିଅନ୍ତ ନାହିଁ !' ମୁଁ ଦିନେ ଅଳି କଲାଭଳି କହିଲି ।

' ହାଃ ହାଃ ହାଃ : ଏଇଟା ସ୍ୱଭାବ ଅନ୍ତର୍ଗତ ।' 

' ତା'ମାନେ ଦୁଃଖି ରହିବାଟା ମୋର ସ୍ଵଭାବ ।' ମୁଁ ସାମାନ୍ୟ ଉଦାସ ସ୍ୱରରେ କହିଲି । 

' ନାଁ ନାଁ ; ଦୁଃଖି ରହିବାଟା ତୁମ ସ୍ଵଭାବ ନୁହେଁ । ପ୍ରତ୍ୟେକ ପରିସ୍ଥିତିରୁ ଦୁଃଖି ରହିବାର ସାରାଂଶଟିକୁ ସାଉଁଟି ଆଣିବାଟା ହେଲା ତୁମ ସ୍ଵଭାବ ।' ଭାଇନା ପୂର୍ବଭଳି ହସି ହସି କହିଲେ ।

' ଆଉ ଆପଣଙ୍କର ସ୍ଵଭାବ ?' 

' ମୋର ବିପରୀତ ସ୍ୱଭାବ । ମୁଁ ପ୍ରତ୍ୟେକ ପରିସ୍ଥିତିରୁ ଖୁସି ରହିବାର ମୌଳିକ ତଥ୍ୟଟି ଗ୍ରହଣ କରେ ।'

         କହିବା ବାହୁଲ୍ୟ , ସେଇ ମୁହୂର୍ତ୍ତରେ ମୋର ମାନବୀୟ ଚେତନାକୁ ଆବୋରି ବସିଲା ଏକ ପୈଶାଚିକ ସିଦ୍ଧାନ୍ତ । ଏହା ପରଠାରୁ ତାଙ୍କୁ ଥରୁଟିଏ ଦୁଃଖି ଦେଖିବାର ପ୍ରୟାସ ମୋର ଜାରି ରହିଲା । ଗୋଟିଏ ବଡ ପରିବାରର ଜଣେମାତ୍ର ସଦସ୍ୟର ନୂତନ ଚାକିରୀର ସ୍ୱଳ୍ପ ଦରମାରେ ତାଙ୍କର ଗୁଜୁରାଣ ବଡ ବହୁତ କଷ୍ଟରେ ଚଳୁଥିଲା । ଏ ବିଷୟରେ ମୁଁ ଭଲ ଭାବରେ ଅବଗତ ଥିଲି । ତେଣୁ ତାଙ୍କ ପାଖରେ ପ୍ରାୟତଃ ପଇସା ନଥିବା କଥାଟି ମୁଁ ଜାଣିଥିଲି । ଥରେ ତାଙ୍କୁ ନିକଟସ୍ଥ ଜଳଖିଆ ଦୋକାନକୁ ଡାକି ନେଇ ସେ ମନା କରିବା ସତ୍ତ୍ଵେ ମୋ ବାଧ୍ଯ ବାଧକତାରେ ଉଭୟ ଭୂରି ଭୋଜନ କରିସାରି ତାଙ୍କୁ ପେମେଣ୍ଟ କରିଦେବା ଲାଗି କହିଦେଇ ବାହାରେ ଆସି ଅପେକ୍ଷା କଲି । ଭାବିଥିଲି , ସେ ଲଜ୍ଜିତ ହୋଇ ମୋତେ ଡାକିବେ ଓ ମୁଁ ପଇସା ଦେଇସାରି ତାଙ୍କ ଦୁଃଖି ମୁହଁଟିକୁ ଦେଖି ଖୁସିହେବି । କିନ୍ତୁ ବାସ୍ତବରେ ସେମିତି କିଛି ଘଟିଲା ନାହିଁ । କିଛି ସମୟ ପରେ ସେ ହସି ହସି ବାହାରକୁ ଆସିଲେ ।

' ପଇସା ଦେଇଦେଲେ ?' ମୁୁଁ ମଜା ଦେଖିବା ପାଇଁ ପଚାରିଲି ।

' ମୋ ପାଖରେ ପଇସା ନଥିଲା । କିନ୍ତୁ ହାତରେ ଘଣ୍ଟାଟି ଥିଲା । ଯାହା ହେଉ , କାମ ଚଳିଗଲା ।' ଭାଇନା ହସି ହସି କହୁଥିଲେ । 'ମୋ ପାଇଁ ପ୍ରଭୂ ଶ୍ରୀ ଜଗନ୍ନାଥ ସର୍ବଦା ଅଛନ୍ତି ।' କହିସାରି ପ୍ରଭୂଙ୍କ ଉଦ୍ଦେଶ୍ୟରେ ହାତ ଯୋଡିଲେ ।

' ଏଥିରେ ପ୍ରଭୂଙ୍କର ଭୂମିକା କଣ ରହିଲା ?' ମୁଁ ସାମାନ୍ୟ ବିରକ୍ତ ସ୍ତରରେ ପଚାରିଲି ।

' ମୁଁ ପ୍ରାୟ ଘଣ୍ଟାଟିକୁ ପିନ୍ଧିବାକୁ ଭୂଲିଯାଏ । ଆଜି ଆସିଲା ବେଳକୁ ଘରଣୀ ଘଣ୍ଟାଟିକୁ ମନେପକାଇ ହାତକୁ ବଢାଇ ଦେଲେ । ଏହା ହିଁ ପ୍ରଭୂଙ୍କର ଚମତ୍କାରିତା । କେତେଦିନ ହେଲାଣି ତୁମକୁ ଟିକିଏ ଭଲମନ୍ଦ ଖାଇବାକୁ ଦେବାପାଇଁ ଭାବୁଥିଲି , ଆଜି ସେ ଇଚ୍ଛା ବି ପ୍ରଭୂ ପୂର୍ଣ୍ଣ କରିଦେଲେ ।' ଏତକ କହିସାରି ହସି ହସି ମୋ ପିଠି ଥାପୁଡେଇ ଦେଲେ । 

         ଘରେ ପହଞ୍ଚି ସୋଫାରେ ଟିକିଏ ବିଶ୍ରାମ ନେବା ଭିତରେ ପତ୍ନୀ ରମା ଚା' କପେ ବଢାଇ ଦେଇ ପଚାରିଲେ , ' କଣ ହେଇଛି ? ମନ ଦୁଃଖ କାହିଁକି ?'

' ସେ କିଛି ନୁହେଁ ।' କହିଦେଇ ଶୋଇବା ଘରକୁ ଆସି ଦର୍ପଣକୁ ଚାହିଁଲି । ଯେଉଁ ଦୁଃଖକୁ ମୁଁ ଭାଇନାଙ୍କ ମୁଖମଣ୍ଡଳରେ ଦେଖିବାକୁ ଚାହୁଁଥିଲି , ତାହାଠାରୁ ଅଧିକ ଦୁଃଖ ମୁୁଁ ମୋ ନିଜ ମୁହଁରେ ଦେଖୁଥିଲି । ଅଯଥାରେ ଜଣେ ଭଦ୍ରଲୋକଙ୍କୁ କଷ୍ଟ ଦେବାପାଇଁ କରିଥିବା ଚେଷ୍ଟା ହେତୁ ବହୁତ ଅନୁତପ୍ତ ଥିଲି । ରାତିରେ ଭଲ ଭାବରେ ଶୋଇପାରିଲି ନାହିଁ । ମନେ ମନେ ଗୋଟାଏ ଦୃଢ ନିଷ୍ପତ୍ତି ନେଇସାରି ସକାଳ ହେବାକୁ ଅପେକ୍ଷା କଲି । ( କ୍ରମଶଃ )



Rate this content
Log in

Similar oriya story from Tragedy