Gangadhar Nanda

Abstract Tragedy Inspirational

3  

Gangadhar Nanda

Abstract Tragedy Inspirational

ପୈଶାଚିକ ମହାନତା (ଭାଗ୧୦)

ପୈଶାଚିକ ମହାନତା (ଭାଗ୧୦)

3 mins
168


କୌଣସିମତେ ଉଦବେଗପୂର୍ଣ୍ଣ ରାତିଟି ପାହିଲା । ଅଭିମାନରେ ଦୁଇଦିନ ପର୍ଯ୍ୟନ୍ତ ଭାଇନାଙ୍କୁ ସାକ୍ଷାତ କଲିନାହିଁ । ତଥାପି ମହାଶୟଙ୍କର ଦେଖା ନାହିଁ । ଦିନେ ପ୍ରଭାତରୁ ଚା କପେ ପିଇ ସାରି ଘରେ କିଛି ନଜଣାଇ ଜଗନ୍ନାଥ ମିଶ୍ରଙ୍କ ଘରକୁ ଚାଲିଲି । ଲୋକଟିର ସାମାନ୍ୟ ସାଧାରଣ ଜ୍ଞାନ ମଧ୍ୟ ନାହିଁ ! ମୁଁ ଯାଏ କି ନଯାଏ , ପଦେ କହି ଦେଇଥିଲେ ସଂସାରଟା କ'ଣ ଅଶୁଦ୍ଧ ହୋଇଯାଇଥାଆନ୍ତା ! ଏତେ ସୁନ୍ଦର ସୁନ୍ଦର କଥା ସାଙ୍ଗକୁ ବିବେକ ଉପରେ ଲମ୍ବା ଭାଷଣ ; ଅଥଚ କାର୍ଯ୍ୟ କ୍ଷେତ୍ରରେ ଫଳ ନାସ୍ତି ! 

            ଘର ପାଖରେ ପହଞ୍ଚିସାରି ବାରଣ୍ଡାକୁ ଉଠି ଦାଣ୍ଡ ଦୁଆରକୁ ଠକ୍ ଠକ୍ କଲି । ସାନପୁଅ ଆସି କବାଟ ଖୋଲିଲା । ଆଶ୍ଚର୍ଯ୍ୟ ଭାବ ନେଇ ମୋ ମୁହଁକୁ ଥରେ ଚାହିଁଦେଇ ପରେ ପରେ ନମସ୍କାର କରି ମୃଦୁ ହସି ଘର ଭିତରକୁ ଡାକିଲା । ଯା ହେଉ , ପିଲାମାନଙ୍କର ଅନ୍ତତଃ ମର୍ଯ୍ୟଦାବୋଧ ଟିକକ ଅଛି । ଘର ଭିତରେ ଥିବା ଦୁଇଟି ପ୍ଲାଷ୍ଟିକ ଚଉକି ମଧ୍ୟରୁ ଗୋଟିଏ ଅଧିକାର କରି ବସିଲି । ଯଥାଶୀଘ୍ର ବଡପୁଅର ଆଗମନ ଘଟିଲା ; ପରେ ପରେ ଚା କପ ଓ ପାଣି ଆଣି ଦେବା ଭିତରେ ଦୁଇଝିଅ ଆସି ପ୍ରଣାମ କଲେ । ସେମାନଙ୍କୁ ଆଶୀର୍ବାଦ ଦେବା ଅବସରରେ ଘରର ଚତୁର୍ଦ୍ଦିଗକୁ ଥରେ ଦୃଷ୍ଟି ବୁଲାଇ ଆଣିଲି । 

' ଭାଇନା କାହିଁକି ଦେଖା ନାହାନ୍ତି ! ସକାଳୁ ସକାଳୁ କୁଆଡେ ଗସ୍ତ ହେଇଚି ? 

' ଭାଇନା' , ମାନେ ନନାଙ୍କୁ ଖୋଜୁଛନ୍ତି ?' ବଡପୁଅ ମୋ ଉଦ୍ଦେଶ୍ୟରେ ପଚାରୁଥିଲା । ହୁଁ ... ଉଁ .. ।' ମୁଁ ସେମିତି ଅନ୍ୟମନସ୍କ ଥାଇ ଉତ୍ତର ଦେଲି । ଆପଣ ତାଙ୍କୁ କିପରି ଜାଣିଲେ ?' ସାନପୁଅ ସାମାନ୍ୟ ଥତମତ ହୋଇ ପ୍ରଶ୍ନ କଲା ।

' କିପରି ଜାଣିଲି ମାନେ ? ଓଃ ! ତୁମକୁ କହିବାକୁ ଭୁଲିଯାଇଛି ପରା ; ଆମର ସମ୍ପର୍କ ପ୍ରାୟ ତିନିମାସ ତଳର । ଏକାଠି ବସୁଚୁ, ହସୁଚୁ, କଥା ହେଉଛୁ ଇତ୍ୟାଦି ।'ଆଜ୍ଞା କ୍ଷମା କରିବେ ! ନନା ବର୍ଷକ ତଳୁ ମଲେଣି ।' ବଡପୁଅ କହିଲା ।

'ନନା ବର୍ଷକ ତଳୁ ମଲେଣି ! ତେବେ ଗତ ତିନି ମାସ ଧରି ପାର୍କରେ ମୁଁ କାହା ସାଙ୍ଗେ କଥା ହେଉଥିଲି ? ହଇହୋ ବାବୁ ! ଥଟ୍ଟା କରିବାର ଗୋଟେ ସମୟ ଅଛି । ଦୂର ଦୁରାନ୍ତର ସମ୍ପର୍କରେ ମୁଁ ତୁମର ଥଟ୍ଟା ଯୋଗ୍ୟ ହେବି ବୋଲି ମୋର କାହିଁ ମନେ ହେଉନାହିଁ । ଟିକିଏ ବୟସ ଖିଆଲ କର !' ମୁଁ ଚଉକି ଛାଡ଼ି ଠିଆ ହୋଇପଡ଼ି କହିଲି ।' ଆଜ୍ଞା ବିଶ୍ୱାସ କରନ୍ତୁ , ମୁଁ ଥଟ୍ଟା କରୁନି ; ଗତ କାଲି ତାଙ୍କର ଶ୍ରାଦ୍ଧବାର୍ଷିକୀ ଥିଲା । ଘରେ ଏବେ ମଧ୍ୟ କୁଣିଆ ମୈତ୍ର ଅଛନ୍ତି ।' ହାତ ଯୋଡ଼ି ଏତକ କହିବା ଭିତରେ ବଡପୁଅ କାନ୍ଥର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ମୋ ଦୃଷ୍ଟି ଆକର୍ଷଣ କଲା । ସେଠାରେ ମୁଁ ପୂର୍ବରୁ ଦେଖିଥିବା ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଫଟୋ ବଦଳରେ ଫୁଲମାଳ ପରିହିତ ଜଣେ ବୃଦ୍ଧଙ୍କ ବନ୍ଧେଇ ଫଟୋଟିଏ ଝୁଲୁଥିଲା । ଟିକିଏ ନିରେଖି ଦେଖିଲି । ପ୍ରତିଛବିଟି ବାସ୍ତବିକ ଜଗନ୍ନାଥ ଭାଇନାଙ୍କର ଥିଲା ।

    

             ସେଦିନ ମୁଁ କିପରି କେଉଁଭଳି ଭାବରେ ଘରେ ପହଞ୍ଚିଥିଲି , ସେକଥା ଚେଷ୍ଟା କରି ଏବେ ମଧ୍ୟ ମନେ ପକେଇପାରୁ ନାହିଁ । ସେଠାରୁ ଫେରି ତିନିଦିନ ପ୍ରବଳ ଜ୍ବରରେ ଆକ୍ରାନ୍ତ ହୋଇ ବାଉଳି ଚାଉଳି ହେବା କଥା ପତ୍ନୀଙ୍କ ଠାରୁ ପରେ ଜାଣିବାକୁ ପାଇଲି । ଏହା ପରର କଥା ଅତି ସଂକ୍ଷିପ୍ତ । ପରିବାରର ସମସ୍ତଙ୍କର ସବୁ ପ୍ରକାର ବିରୋଧ ସତ୍ତ୍ବେ ମୁଁ ପୁରୀରେ ରହିବା ପାଇଁ ନିଷ୍ପତ୍ତି ନେଲି । ଏବେ ସସ୍ତ୍ରୀକ ପୁରୀରେ ବାସ କରିବା ସମୟରେ ଆମେ ଦୁଇଜଣ ଅଧିକାଂଶ ସମୟ ଶ୍ରୀମନ୍ଦିରରେ ଅତିବାହିତ କରୁଛୁ । ପତ୍ନୀଙ୍କ ଖୁସି କହିଲେ ନସରେ । ଶେଷ ଜୀବନରେ ମୋର ଏ ପରିବର୍ତ୍ତନ ଦେଖି ସେ ବାରମ୍ବାର ପ୍ରଭୁଙ୍କୁ ପ୍ରଣାମ କରୁଥାଆନ୍ତି । 

            ଘଟଣାଟି ଏହିଠାରେ ସମାପ୍ତ ହେବାକୁ ଯାଉଛି । ତେବେ ଗୋଟିଏ କଥା ମୁଁ କାହାକୁ କହିପାରେ ନାହିଁ । କହିଲେ , ମୋ ମତିଭ୍ରମ ହୋଇଛି ବୋଲି ସମସ୍ତେ ଅନୁମାନ କରିନେବା ନିଶ୍ଚିତ । ଶେଷ ଜୀବନଟା ପାଗଳଖାନା ଅପେକ୍ଷା ଏଠାରେ ପ୍ରଭୁଙ୍କ ଶରଣରେ ବିତିବାଟା ଶ୍ରେୟସ୍କର । କଥାଟି ହେଉଛି ମୁଁ ମଝିରେ ମଝିରେ ମନ୍ଦିରର ଅନେକ ସ୍ଥାନରେ ଜଗନ୍ନାଥ ମିଶ୍ରଙ୍କୁ ଦେଖେ । କେବେ କେବେ ଦୂରରୁ ମୋତେ ଚାହିଁ ଟିକିଏ ହସି ଦିଅନ୍ତି । ସେଇ ଅମାୟୀକ ଆତ୍ମୀୟତା ଭରା ମୃଦୂ ହସରେ ଥାଏ ମୋ ପାଇଁ ଗଭୀର ବିଶ୍ବାସ ଓ ଭଲ ପାଇବାର ପ୍ରତିଶ୍ରୁତି । ଜୟ ଜଗନ୍ନାଥ ।

          



Rate this content
Log in

Similar oriya story from Abstract