ଦୃଢ ଇଚ୍ଛା
ଦୃଢ ଇଚ୍ଛା
ଅଜଣା ସ୍ଥାନରେ ନୂଆଁ ଘରଟିଏ କରି ନିଜ ଜୀବନର ଆୟମାରମ୍ଭ କରିଥିଲେ ଅଭିଷେକ ଓ ରଞ୍ଜନା । ପ୍ରଥମେ ପ୍ରଥମେ ତ ଆଖ ପାଖ ପଡିଶାଙ୍କ ସହ ଅପରିଚିତ ଥିଲେ ଏବଂ ଏକା ଏକା ରହୁଥିଲେ । ସକାଳ ହେଲେ ଅଭିଷେକ ଚାଲିଯାଉଥାଏ କାମକୁ । ସଞ୍ଜ ବେଳକୁ ଫେରିବା ପର୍ଯ୍ୟନ୍ତ ରଞ୍ଜନା ସେମିତି ଘର ଭିତରେ ଏକା ଏକା ରହି ସମୟ ବିତେଇ ଦେଉଥିଲା ।
ଧୀରେ ଧୀରେ ସମୟ ବଢିଲା । ରଞ୍ଜନା ଘରେ ସବୁଦିନ ବସି ରହି ବିରକ୍ତ ହେବାକୁ ଲାଗିଲା । ତେଣୁ ସେ ଅଭିଷେକକୁ କହି କିଛି ଖଣ୍ଡ ବହି ମଗେଇ ଆଣିଲା । ଅଭିଷେକ ଚାଲିଯିବା ପରେ ସେ ଧ୍ୟାନ ସହ ସବୁ ପଢିବା ଆରମ୍ଭ କଲା । କିଛି ଦିନ ଅନ୍ତେ ରଞ୍ଜନା ଗର୍ଭବତୀ ହେଲା । ତଥାପି ସେ ପଢିବା ଜାରି ରଖିଲା ।
ଦିନ ପରେ ଦିନ ବିତିଲା । ରଞ୍ଜନାକୁ ନଅ ମାସ ପୂରିଲା । ଗର୍ଭରେ ଥିବା ପିଲାକୁ ସମ୍ଭାଳି ତଥା ନିଜକୁ ଘରକୁ ସବୁ ସମ୍ଭାଳିବାକୁ ଅସୁବିଧା ହେବାକୁ ଲାଗିଲା । ଏଇ ଭିତରେ ଆଖ ପାଖ ମାନେ ମଧ୍ୟ ଚିହ୍ନା ହୋଇ ରଞ୍ଜନାର ଯତ୍ନ ନେଉଥିଲେ । ରଞ୍ଜନାର ଦିନ ସବୁ କଟିଯାଉଥାଏ ।
ଦିନକର ଘଟଣା । ରଞ୍ଜନା ଏତେ ମାସ ଧରି ପଢି ପଢି ନିଜକୁ ଯେଉଁ ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ କରୁଥିଲା ସେଇ ଚାକିରୀ ଜନିତ ପରୀକ୍ଷା ଦିନ ଧାର୍ଯ୍ୟ ହେଲା । ରଞ୍ଜନାର ମନରେ ସାମାନ୍ୟ ଦୁଃଖ ଘାରିଲା । ପୁଣି ସେ ମନକୁ ବୁଝେଇ ଦେଇ ପରୀକ୍ଷା ଦେବାକୁ ସ୍ଥିର କଲା । ଅଭିଷେକ ପ୍ରଥମେ ନାଇଁ ନାଇଁ କରୁଥାଏ । ଏମିତି ଅବସ୍ଥାରେ ପରୀକ୍ଷା ନଦେବାକୁ କହୁଥାଏ ହେଲେ ପରେ ରଞ୍ଜନାର ଦୃଢ ମନୋବଳ ଦେଖି ହଁ କହିଲା ।
ପରୀକ୍ଷା ଦିନ ଆସିଲା । ସକାଳୁ ବାହାରି ଗଲେ ଦୁହେଁ । ପରୀକ୍ଷା ଆରମ୍ଭ ହେଲା ଦଶଟା ପରେ । ପରୀକ୍ଷା ରୁମ ଭିତରେ ରଞ୍ଜନା ଏବଂ ବାହାରେ ଅଭିଷେକ । ଦୁଇ ଘଣ୍ଟାର ପରୀକ୍ଷା ଭିତରୁ ଘଣ୍ଟାଟିଏ ସରିଥାଏ ରଞ୍ଜନାର ପୀଡା ଆରମ୍ଭ ହେବାକୁ ଲାଗେ। ରଞ୍ଜନା ଡରିଯାଏ । ସେ ପରୀକ୍ଷା ଅଧାରୁ ଛାଡି ନପାରେ ହେଲେ ତା ଅବସ୍ଥା ବୀଗିଡି ଯାଉଥାଏ । ତଥାପି ସେ ଧୈର୍ଯ୍ୟ ସହ ଗର୍ଭର ସନ୍ତାନକୁ ବୁଝେଇ ସୁଝେଇ ଦେଉଥାଏ ଯେମିତି ଆଉ ଲେଖୁଥାଏ ସବୁକିଛି । ମାତ୍ର ପନ୍ଦର ମିନିଟ୍ ବାକି ଥାଏ । ଆଉ ସମ୍ଭାଳି ନପାରେ ରଞ୍ଜନା । ଛଟପଟ ହୋଇପଡେ । ଗର୍ଭ ପୀଡାରେ ଆକୁଳ ବ୍ୟାକୁଳ ହୋଇ ପଡେ ।
ସଂଗେ ସଂଗେ ତାକୁ ଡାକ୍ତରଖାନା ପହଞ୍ଚାଯାଏ । ଅଧ ଘଣ୍ଟା ପରେ ରଞ୍ଜନାର ପୁତ୍ରଟିଏ ହୁଏ । ରଞ୍ଜନା ଏବଂ ନବ ଶିଶୁ ସୁସ୍ଥରେ ଘରକୁ ଫେରେ । ଶିଶୁକୁ ତିନି ମାସ ପୂର୍ଣ୍ଣ ହେବା ପରେ ପରୀକ୍ଷା ଫଳ ଆସେ । ରଞ୍ଜନା ପାସ ଈରି ତା ସ୍ବପ୍ନରେ ମୋହର ଲଗାଇଦିଏ । ରଞ୍ଜନାର ଦୃଢ ଇଚ୍ଛା ତାକୁ ସଫଳତାର ପାହାଚ ଚଢେଇ ଦିଏ ।
